Unknown

 

 

 

 

 

 

 

 

 

 

 

ଭକ୍ତକବି ସାଲବେଗ

ପ୍ରସନ୍ନ କୁମାର ସ୍ୱାଇଁ

 

ପ୍ରାଗ୍ - ଭାଷ

 

ଭକ୍ତକବି ସାଲବେଗଙ୍କ ଜୀବନ ପଞ୍ଜୀ ଲିଖନର ଅର୍ଥ ହେଲା ମଧ୍ୟଯୁଗୀୟ ନିରପେକ୍ଷ ଧର୍ମୀୟ ବାତାବରଣର ଦିଗ ଆଡ଼କୁ ନିଜକୁ ଆଉଜେଇ ନେବା । ଧର୍ମର ବହୁଧା ପୃଷ୍ଠଭୂମି ଉନ୍ମୋଚିତ ହେବା ଆଗରୁ ପୃଥିବୀରେ ଆଜିର ଭଳି ମଣିଷ ବସବାସ କରୁଥିଲେ ନିଶ୍ଚୟ । କ୍ରମଶଃ ଏଭଳି ଭାବନାର ପଥ ଆସ୍ତେ ଆସ୍ତେ ସଂକୁଚିତ ହୋଇ ଆସିଲା ଓ ମଣିଷ ମଣିଷ ମଧ୍ୟରେ ଥିବା ସଂପର୍କର ସେତୁ, ଜାତି, ଧର୍ମ, ବର୍ଣ୍ଣ ଆଳରେ ଭାଙ୍ଗିବାକୁ ବସିଲା । ଏଇ କର୍ଦ୍ଦମାକ୍ତ ସୁଅଠୁ ଛିଟିକି ଯାଇ ସ୍ଫଟିକ ଜଳବିନ୍ଦୁ ଭଳି ଯିଏ ଦିନେ ଝଟକୁ ଥିଲେ, ସେହିଁ ସାଲବେଗ, ଏ ଜାତିର ପ୍ରଣମ୍ୟ ଆବେଗ । ଜଗନ୍ନାଥଙ୍କ ଚକାଆକ୍ଷି ସହିତ ନିଜର ବିଭୋର ଆକ୍ଷି ଦୁଇଟିକୁ ମିଳେଇ ସିଏ ଏକଦା ଗାଇଥିଲେ–

 

ଜଗନ୍ନାଥ ହୋ - କିଛି ମାଗୁନାହିଁ ତୋତେ

ଧନମାଗୁ ନାହିଁ ଜନ ମାଗୁନାହିଁ ମାଗୁଛି ଶରଧା ବାଲିରୁ ହାତେ ।

 

ପିତା ଯବନ ଓ ମା’ ହିନ୍ଦୁ ଧର୍ମର ବ୍ରାହ୍ମଣ ପରିବାରର ବୋଲି କଥିତ ଏହି ଭକ୍ତି ସ୍ପନ୍ଦିତ ମଣିଷଟି ସପ୍ତଦଶ ଶତାବ୍ଦୀର ପ୍ରଥମ ଦଶଂଧିରେ ଜନ୍ମଲାଭ କରିଥିବାର ଜନଶ୍ରୁତି ଅଛି । ତାଙ୍କ ପ୍ରସୂତ ଧର୍ମୀୟ ସହାନୁଭବର ଦ୍ୟୁତି କାଳକ୍ରମେ ଅନେକ ଭାରତୀୟ ଲେଖକଙ୍କ କଲମକୁ ଉଦ୍ଭାସିତ କରିଛି । ରବୀନ୍ଦ୍ରନାଥଙ୍କ କାବୁଲୀବାଲା’ ଗପଠୁ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଉପନ୍ୟାସ ‘ରଙ୍ଗପ୍ରଭାତ’ ରେ ଆମେ ଏହି ସାଂପ୍ରଦାୟିକ ସଦ୍ଭାବର ପ୍ରତିଫଳନ ଦେଖିବାକୁ ପାଉଁ । ବଂଗଳା ବିପ୍ଳବୀ କବି କାଜି ନଜରୁଲ ଇସ୍‍ଲାମ ବ୍ୟକ୍ତିଗତ ଜୀବନଠୁ ଆରମ୍ଭ କରି ତାଙ୍କ କାବ୍ୟ କବିତାରେ ଏଇ ପ୍ରତିବଦ୍ଧତାକୁ ଆପଣେଇଛନ୍ତି । ଯେମିତି ମଣିଷ ଜୀବନର ମହାକାବ୍ୟ ଆଗରେ ଧର୍ମୀୟ ବିଭେଦ ଫଡ଼ଫଡ଼ଉଥିବା କେଇଟି ଚିରାପୃଷ୍ଠା ମାତ୍ର ।

 

ଆଜି ସାଲବେଗଙ୍କ ଭଜନ ଓ ପ୍ରାର୍ଥନା ସଂଗୀତ ସମୟ ଓ ଶୂନ୍ୟତାର ହିଡ଼ ଡେଇଁ ସମଗ୍ର ମାନବ ଜାତିର ପୃଷ୍ଠଭୂମିରେ ତା’ର ଆଧିପତ୍ୟ ବିସ୍ତାର କରିପାରିଛି । ଜୀବନର ନିଗୂଢ଼ ସତ୍ୟ ଆଗରେ ତାଙ୍କ ଜଣାଣର ଲଳିତ ଫକ୍ତି ଗୁଡ଼ିକ ଯେଉଁଭଳି ରସାଳ ଓ ସୁମଧୁର ସେଇଭଳି ଭାବବ୍ୟଞ୍ଜକ । ସମଗ୍ର ମାନବ ଆତ୍ମାକୁ ସତ୍ୟର ସୂତ୍ରରେ ବାନ୍ଧି ରଖିବାର ଗୌରବୋଜ୍ୱଳ ପରଂପରା ଯେମିତି ଝଙ୍କୃତ ହୋଇ ଉଠୁଛି ତାଙ୍କ ସୃଷ୍ଟ ସୃଜନ ସଂଗୀତ ଧାରାରେ ।

 

ଏହି ମନୋଗ୍ରାଫ୍‌ର ଲେଖକ ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ ଗଭୀର ଶ୍ରମ ସ୍ୱୀକାର ପୂର୍ବକ ଏଇ ପାଣ୍ଡୁଲିପିକି ପ୍ରସ୍ତୁତ କରିଛନ୍ତି । ବିଶେଷତଃ ସାଲବେଗଙ୍କ ଉପରେ ବିଷୟବସ୍ତୁର ଉପଲବ୍ଧ ସୁଦୂର ପରାହତ ଥିବା ବେଳେ ସେ ନିଜ ଶ୍ରମ ଶକ୍ତିର ବିନିମୟରେ ସେଇ ଅଭାବନୀୟ ପରିସ୍ଥିତିର ମୁକାବିଲା କରିଛନ୍ତି । ପୁସ୍ତକଟି ଠିକଣା ବ୍ୟକ୍ତିଙ୍କ ହାତମୁଠାକୁ ପହଞ୍ଚିପାରିଲେ ଏକାଡେମୀର ଶ୍ରମ ସାର୍ଥକ ହେବ ବୋଲି ଆଶା କରୁଛି ।

 

ଅଶ୍ୱିନୀ କୁମାର ମିଶ୍ର

ସଂପାଦକ, ଓ.ସା.ଏ

ଭୁବନେଶ୍ଵର

Image

 

ଭୂମିକା

 

ଓଡ଼ିଶା ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଭକ୍ତକବି ସାଲବେଗଙ୍କ ଜୀବନ ଚରିତ ଓ ସାହିତ୍ୟ ସାଧନା ସମ୍ପର୍କରେ ଏକ ସଂକ୍ଷିପ୍ତ ପୁସ୍ତିକା ରଚନା କରିବା ନିମିତ୍ତ ଆଗ୍ରହୀ ହେଲି । ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଥିଲା ‘‘ପୁସ୍ତିକା ମଧ୍ୟରେ ସାଲବେଗଙ୍କ ଜୀବନୀ ଓ ପ୍ରତିଭା ସଂପର୍କରେ ସାଧାରଣ ଭାବେ ଦୃଷ୍ଟିପାତ କରାଯିବ ଏବଂ ପୁସ୍ତିକାଟି ଗବେଷଣାଭିତ୍ତିକ ନହୋଇ ସରଳ ଭାଷାରେ ରଚିତ ହେବା ସହିତ ଯେପରି ସାଧାରଣ ପାଠକଙ୍କ ପାଇଁ ବୋଧଗମ୍ୟ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ।’’ ସାହିତ୍ୟ ଏକାଡେମୀର ଏପରି ପୁସ୍ତିକା ରଚନାର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଅଗଣିତ ପାଠକଙ୍କ ନିକଟରେ ଓଡ଼ିଆ କବି ଓ ଲେଖକମାନଙ୍କୁ ପରିଚିତ କରାଇବା । ଏହି ଉଦ୍ଦେଶ୍ୟରେ ମୁଁ ‘ଭକ୍ତକବି ସାଲବେଗ’ ପୁସ୍ତକଟି ରଚନା କରିବା ପାଇଁ ପ୍ରୟାସ କରିଛି ।

 

ଓଡ଼ିଆ ଭଜନ ଓ ଜଣାଣ ରଚନା କ୍ଷେତ୍ରରେ ଆମ ସାହିତ୍ୟରେ କବି ସାଲବେଗଙ୍କ ସ୍ଥାନ ଅଦ୍ୱିତୀୟ । ମାତ୍ର ତାଙ୍କ ଜନ୍ମ ଓ ବିକାଶ ଏବେ ବି ରହସ୍ୟାବୃତ୍ତ । ତାଙ୍କ ଜନ୍ମ ସଂପର୍କରେ ଓଡ଼ିଶାର ଇତିହାସ ସଂପୂର୍ଣ୍ଣ ନୀରବ । କିନ୍ତୁ ବିଶିଷ୍ଟ ପୁରାଣକାର ରାମଦାସ ତାଙ୍କର ‘ଦାର୍ଢ଼୍ୟତା ଭକ୍ତି ରସାମୃତ’ ଗ୍ରନ୍ଥର ଦ୍ୱିତୀୟ ଭାଗରେ ‘ଲାଲ୍‍ବେଗ ଓ ସାଲବେଗ ସମ୍ବାଦ’ ପ୍ରସଙ୍ଗରେ କବି ସାଲବେଗଙ୍କ ସଂପର୍କରେ ବହୁ ତଥ୍ୟ ପ୍ରଦାନ କରିଛନ୍ତି । ଏହି ତଥ୍ୟକୁ ଭିତ୍ତିକରି ଆମ ସାହିତ୍ୟରେ ଡକ୍ଟର ବଂଶୀଧର ମହାନ୍ତି, ପଣ୍ଡିତ ନୀଳମଣି ମିଶ୍ର, ଡକ୍ଟର ଅମୂଲ୍ୟ କୃଷ୍ଣ ମିଶ୍ର, ଡକ୍ଟର ନିରଞ୍ଜନ ମହାନ୍ତି ପ୍ରମୁଖ ଆଲୋଚକମାନେ ସାଲବେଗଙ୍କ ଜନ୍ମ ଓ ଜୀବନୀ ସଂପର୍କରେ ସ୍ଵକୀୟ ମତ ପ୍ରଦାନ କରିଛନ୍ତି ।

 

ଆମ ସମାଜରେ ସାଲବେଗଙ୍କ ଭଜନ ଓ ଜଣାଣର ଗଭୀର ପ୍ରଭାବ ସହିତ ଲୋକପ୍ରିୟତା ମଧ୍ୟ ଖୁବ୍ ଅଧିକ । ସଂପ୍ରତି ଏକବିଂଶ ଶତକର ଦ୍ୱାରଦେଶରେ ପହଞ୍ଚି ବିଜ୍ଞାନର ଚରମ ଶିଖରରେ ଉପନୀତ ହୋଇଥିଲେ ମଧ୍ୟ ମାନବ ଜାତି ସାଲବେଗଙ୍କ ଭଜନାବଳୀକୁ ତା ମନରୁ ଆଦୌ ଭୁଲିଯାଇପାରି ନାହିଁ । ଦୀର୍ଘ ସାଢ଼େ ତିନିଶହ ବର୍ଷରୁ ଊର୍ଦ୍ଧ୍ୱକାଳ ବିତି ଯାଇଥିଲେ ମଧ୍ୟ ତାଙ୍କ ଭଜନ ଓ ଜଣାଣଗୁଡ଼ିକ ସମୟର ଲେଲିହାନ ଶିଖାରେ ଆହୁରି ଅଧିକ ଲୋକପ୍ରିୟ ହୋଇପାରିଛି ।

 

ସେଥିପାଇଁ ଯେଉଁଠି ଯେତେବେଳେ କେହି ଭକ୍ତ ସାଲବେଗଙ୍କ ଭଜନରୁ ପଦେ ଅଧେ ଗାଇ ଦେଉଛି, ସାଧାରଣ ଉତ୍କଳୀୟ ଜନତାର ହୃଦୟ ଭକ୍ତିରେ ନାଚି ଉଠୁଛି । ସୁତରାଂ ନିଜ ଭଜନ ଓ ଜଣାଣ ମଧ୍ୟରେ ଓଡ଼ିଶାର ସାଧାରଣ ପାଠକ ଓ ଶ୍ରୋତାଙ୍କୁ ଜଗନ୍ନାଥ-କୃଷ୍ଣଙ୍କ ନିକଟରେ ଏକାତ୍ମ କରିଥିବା ସ୍ରଷ୍ଟା ହେଉଛନ୍ତି କବି ସାଲବେଗ । ସେ ତାଙ୍କ ଭଜନ ଓ ଜଣାଣ ମାଧ୍ୟମରେ ଓଡ଼ିଶାର ଅଗଣିତ ଶ୍ରୋତାଙ୍କ ପ୍ରାଣକୁ ଜୟ କରି ପାରିଛନ୍ତି । ସେଥିପାଇଁ ଏବେ ମଧ୍ୟ ସାଲବେଗଙ୍କ ଭଜନ ଓ ଜଣାଣ ଗାନ କାଳରେ ସ୍ୱତଃ ମାନବ ହୃଦୟ ଭକ୍ତିରେ ନଇଁଯାଉଛି । ଏହା ହେଉଛି ଭକ୍ତ କବି ସାଲବେଗଙ୍କ ପ୍ରତି ତାଙ୍କର ପ୍ରିୟ ପାଠକ ଓ ଶ୍ରୋତାଙ୍କର ପ୍ରକୃତ ଶ୍ରଦ୍ଧା ସୁମନ ।

 

ମାତ୍ର ସରକାରୀ ସ୍ତରରେ ଏପରି ଲୋକପ୍ରିୟ କବିଙ୍କ ପ୍ରତି ଆମ ସାହିତ୍ୟରେ ଆଜିଯାଏ ସେପରି କିଛି କାର୍ଯ୍ୟ ହୋଇପାରି ନଥିଲା । ବେସରକାରୀ ସ୍ତରରେ ପଣ୍ଡିତ ନୀଳମଣି ମିଶ୍ର ପ୍ରଥମେ ତାଙ୍କର ଐକାନ୍ତିକ ନିଷ୍ଠା ଫଳରେ ସାଲବେଗଙ୍କ ବହୁ ଦୁଷ୍ପ୍ରାପ୍ୟ ରଚନାବଳୀ ସଂଗ୍ରହ କରି ଏକ ପୁସ୍ତକ ପ୍ରକାଶ କରିଥିଲେ । ପରବର୍ତ୍ତୀ କାଳରେ ଡକ୍ଟର ଅମୂଲ୍ୟ କୃଷ୍ଣ ମିଶ୍ର ସାଲବେଗଙ୍କ ସାହିତ୍ୟରେ ଗବେଷଣା କରି ତାଙ୍କ କୃତି ଓ କୀର୍ତ୍ତିର ବିଚାର କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷ ମୋତେ ସାଲବେଗଙ୍କ ଜୀବନୀ ଓ ପ୍ରତିଭା ସଂପର୍କରେ ସୀମିତ ପୃଷ୍ଠା ମଧ୍ୟରେ ଏକ କ୍ଷୁଦ୍ର ପୁସ୍ତିକା ଲେଖବାକୁ ସୁଯୋଗ ଦେଇଥିଲେ । ସେହି ସୁଯୋଗର ବାଣୀ ରୂପ ହେଉଛି ଆଜିର ପ୍ରକାଶିତ ପୁସ୍ତକ ଭକ୍ତକବି ସାଲବେଗ । ପୁସ୍ତକଟିରେ ମୁଁ ସାଲବେଗଙ୍କ ଜୀବନକୁ ଓଡ଼ିଶାର ସମକାଳୀନ ସମାଜ, ଧର୍ମ, ସଂସ୍କୃତି, ଇତିହାସ ପ୍ରଭୃତି ଭିତ୍ତିରେ ବିଚାର କରିଛି ଏବଂ ତାଙ୍କର ସାହିତ୍ୟିକ ପ୍ରତିଭାକୁ ନୂତନ ଦୃଷ୍ଟିକୋଣରୁ ଆକଳନ କରିବା ପାଇଁ ପ୍ରୟାସୀ ହୋଇଛି ।

 

ପୁସ୍ତିକାଟିରେ ବ୍ୟବହୃତ ସାଲବେଗଙ୍କର ସମସ୍ତ ପଦାବଳୀ ମୁଁ ପଣ୍ଡିତ ନୀଳମଣି ମିଶ୍ରଙ୍କ ‘ଭକ୍ତକବି ସାଲବେଗ ଜୀବନୀ ଓ ପଦ୍ୟାବଳୀ’ ପୁସ୍ତକରୁ ଗ୍ରହଣ କରିଛି । ‘ପତିତପାବନାଷ୍ଟକମ୍’ ସାଲବେଗଙ୍କ ସୃଷ୍ଟି କି ନୁହେଁ, ତାହା କବିଙ୍କ ସୃଷ୍ଟି ଅନୁଶୀଳନରୁ ସ୍ପଷ୍ଟ ହେଉନାହିଁ । ଏହାର କୌଣସି ଅଂଶରେ ସାଲବେଗ ନିଜ ନାମ ଭଣିତା କରିନାହାନ୍ତି ବା ତାଙ୍କ ଭାଷାର ଲକ୍ଷଣ ପ୍ରକାଶ ପାଇନାହିଁ-। ଏହି ଦୃଷ୍ଟିରୁ ‘ପତିତପାବନାଷ୍ଟକମ୍’କୁ ସାଲବେଗଙ୍କ ରଚନା କହିବାକୁ ମୁଁ କୁଣ୍ଠାବୋଧ କରିଛି । ପୁସ୍ତକଟି ଏକ ଲୋକପ୍ରିୟ ରଚନା ହୋଇଥିବାରୁ ଏ କ୍ଷେତ୍ରରେ ଯୁକ୍ତି ତର୍କଠାରୁ ମୁଁ ଦୂରେଇ ରହିଛି । ଏ ସଂପର୍କରେ ଆଗାମୀ ଦିନରେ ଗବେଷକମାନେ ସଠିକ ତଥ୍ୟ ପ୍ରଦାନ କରିବେ ବୋଲି ମୁଁ ଆଶା ପୋଷଣ କରୁଛି ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ମୋତେ ଏପରି ଏକ ପୁସ୍ତିକା ରଚନା କରିବାପାଇଁ ସୁଯୋଗ ଦେଇଥିବାରୁ ମୁଁ ଏକାଡେମୀ କର୍ତ୍ତୃପକ୍ଷଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି । ଏହି ଅବକାଶରେ ଯେଉଁମାନଙ୍କ ସାହାଯ୍ୟ ଓ ସହାନୁଭୂତି ପାଇଛି ସମସ୍ତଙ୍କୁ ସାଧୁବାଦ ଜଣାଉଛି । ସାଲବେଗଙ୍କ ସାହିତ୍ୟକୁ ସୁଧୀ ପାଠକ ଉଦାର ହୃଦୟରେ ଗ୍ରହଣ କଲେ ମୁଁ ନିଜକୁ ଧନ୍ୟ ମଣିବି ।

 

 

 

ରାମ ନବମୀ, ୨୦୦୧

ପ୍ରସନ୍ନ କୁମାର ସ୍ୱାଇଁ

ବରିଷ୍ଠ ଅଧ୍ୟାପକ, ସ୍ନାତକୋତ୍ତର ଓଡ଼ିଆ ବିଭାଗ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,ବ୍ରହ୍ମପୁର

Image

 

ସଚୀପତ୍ର

 

୧.

ପ୍ରଥମ ପରିଚ୍ଛେଦ

୧.୧

ସମକାଳୀନ ଭାରତବର୍ଷ

୧.୨

ସମକାଳୀନ ଓଡ଼ିଶା

୧.୩

ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ହିନ୍ଦୁ ସାମ୍ରାଜ୍ୟ

୧.୪

ସର୍ବଧର୍ମ ସମନ୍ୱୟର ପୀଠ ଉତ୍କଳ

୧.୫

ବିଭିନ୍ନ ଧର୍ମ ପ୍ରଚାରକଙ୍କ ଓଡ଼ିଶା ଆଗମନ

୨.

ଦ୍ୱିତୀୟ ପରିଚ୍ଛେଦ

୨.୧

ଓଡ଼ିଶାରେ ମୋଗଲ ଶାସନର ଆୟମାରମ୍ଭ

୨.୨

କଳାପାହାଡ଼ର ଅତ୍ୟାଚାର

୨.୩

ଶ୍ରୀମନ୍ଦିର ଉପରେ ଯବନ ଆକ୍ରମଣ

୨.୪

ଲାଲ୍‍ବେଗର ଓଡ଼ିଶା ଆଗମନ

୨.୫

ସାଲବେଗର ଜୀବନ ଗାଥା

୨.୬

ସାଲବେଗର ଦୁରାରୋଗ୍ୟ ବ୍ୟାଧି ଓ ରୋଗମୁକ୍ତି

୨.୭

ସାଲବେଗଙ୍କ ଭକ୍ତି ଭାବନା

୨.୮

ସାଲବେଗ ଓ ଶ୍ରୀଜଗନ୍ନାଥ

୨.୯

ଉତ୍କଳରେ ହିନ୍ଦୁ ଓ ମୁସଲମାନ୍‍ଙ୍କ ମଧ୍ୟରେ ସଂପର୍କ

୨.୯

ସାଲବେଗଙ୍କ ଶେଷ ଦିନ

୩.

ତୃତୀୟ ପରିଚ୍ଛେଦ :

୩.୧

ଭାରତବର୍ଷରେ ଭକ୍ତି ସାହିତ୍ୟର ପରମ୍ପରା

୩.୨

ଭାରତୀୟ ସାହିତ୍ୟରେ ଯବନ କବି

୩.୩

ଓଡ଼ିଶାରେ ଯବନ କବି

୩.୪

ସାଲବେଗଙ୍କ ସୃଷ୍ଟି ମାନସ

୩.୫

ରାଧାକୃଷ୍ଣ ଲୀଳା ଭିତ୍ତିକ ପଦାବଳୀ

୩.୬

ସାଲବେଗଙ୍କ କବିତାରେ ରାଧାଭାବ

୩.୭

ସାଲବେଗଙ୍କ କବିତାରେ ମୋହନ ବଂଶୀ

୩.୮

ସାଲବେଗଙ୍କ ଭଜନ ଓ ଜଣାଣରେ ଶ୍ରୀଜଗନ୍ନାଥ

୩.୯

ସାଲବେଗଙ୍କ ରାମ ଭଜନ

୩.୧୦

ଶିବ ଜଣାଣ

୩.୧୧

ଦେବୀ ଭଜନ

୩.୧୨

ଅନ୍ୟାନ୍ୟ ଭଜନ

୩.୧୩

କଳି ଭାରତ

୪.

ଚତୁର୍ଥ ପରିଚ୍ଛେଦ :

୪.୧

ସମକାଳୀନ ଧର୍ମ ଓ ସାଲବେଗଙ୍କ ଭଜନାବଳୀ

୪.୨

ସାଲବେଗଙ୍କ ଜୀବନ ଦର୍ଶନ

୪.୩

ମାନବିକ ମୂଲ୍ୟବୋଧ

୪.୫

ଭକ୍ତି ଭାବନା

୪.୬

ବିଭୁ ପ୍ରୀତି ଓ ଅମୃତ ଚେତନା

୪.୭

ରସ ଚେତନା

୪.୮

ଓଡ଼ିଶୀ ସଂଗୀତ ଓ ସାଲବେଗଙ୍କ ଭଜନାବଳୀ

୪.୯

ସାଲବେଗଙ୍କ କବିତାର ଭାଷା ଶୈଳୀ

୫.

ଉପସଂହାର

Image

 

ପ୍ରଥମ ପରିଚ୍ଛେଦ

 

ସମକାଳୀନ ଭାରତବର୍ଷ :

 

ଓଡ଼ିଶାର ଇତିହାସ, କିମ୍ବଦନ୍ତୀ ସହିତ ଭକ୍ତକବି ସାଲବେଗଙ୍କ ସଂପର୍କ ଅତୀବ ନିବିଡ଼ ଓ ଖୁବ୍ ଗୁରୁତ୍ଵପୂର୍ଣ୍ଣ । ସାଲବେଗଙ୍କ ସମୟ ହେଉଛି ଆମ ଓଡ଼ିଶା ଇତିହାସର ଏକ ସଙ୍କଟ ମୁହୂର୍ତ୍ତ-। ତଥାପି ସାଲବେଗଙ୍କ ଜୀବନୀ ଓ କୃତି ସଂପର୍କରେ ଆଲୋଚନା କଲାବେଳେ ଅତୀତ ଉତ୍କଳ, ଏହାର କଳା ବିଭବ, ଗୌରବ, ସଭ୍ୟତା, ସଂସ୍କୃତି ରାଜନୈତିକ ତଥା ସାମାଜିକ ପରମ୍ପରାକୁ ଦୃଷ୍ଟି ଦେବାକୁ ପଡ଼ିଥାଏ । ସାଲବେଗଙ୍କ ଜନ୍ମ ହେଉଛି ଷୋଡ଼ଶ ଶତାବ୍ଦୀର ଶେଷ ଦଶକ । ଏହି ସମୟକୁ ବିଭିନ୍ନ କାରଣରୁ ଓଡିଶାର ସାମାଜିକ ଓ ସାଂସ୍କୃତିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲା । ପଞ୍ଚଦଶ ଶତାବ୍ଦୀ ବେଳକୁ ସମଗ୍ର ଭାରତବର୍ଷର ପଶ୍ଚିମରେ ଗୁଜୁରାଟର କଚ୍ଛ ଉପଦ୍ୱୀପ, ଦକ୍ଷିଣରେ ସିଂହଳ, ପୂର୍ବରେ ଓଡ଼ିଶା ଓ ଆସାମକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଅଞ୍ଚଳକୁ ମୁସଲମାନ୍‍ ଶାସକମାନେ ନିଜ ଅଧୀନକୁ ନେଇ ସାରିଥିଲେ । ମହମ୍ମଦ ତୋଗଲକଙ୍କ ଶାସନକାଳରେ ନାନା କାରଣରୁ ଦିଲ୍ଲୀ ସୁଲତାନୀ ସାମ୍ରାଜ୍ୟର ଅଧଃପତନ ଆରମ୍ଭ ହୋଇଥିଲା । ସୁଲତାନ ମହମ୍ମଦଙ୍କ ଅବିବେଚିତ ତଥା ଅସାମାଜିକ କାର୍ଯ୍ୟକଳାପ ଯୋଗୁ ସୁଲତାନୀ ଶାସନର ବିଲୟ ହେବା ସହିତ ଭାରତବର୍ଷର ଚତୁର୍ଦ୍ଦିଗରେ ଏକ ଏକ ନୂତନ ଶକ୍ତିର ଆବିର୍ଭାବ ଘଟିଥିଲା । ମହମ୍ମଦଙ୍କ ଉତ୍ତରାଧିକାରୀମାନେ ଫିରୋଜ ଶାହାଙ୍କ କ୍ରୀତଦାସ ପ୍ରଥା ସମେତ ଜାଗିର୍, ଜିଜିୟାକର ପ୍ରଭୃତିର ପ୍ରଚଳନ ଯୋଗୁ ସୁଲତାନୀ ଶାସନର ବିଲୟ କ୍ରିୟା ଅଧିକ ତ୍ୱରାନ୍ୱିତ ହୋଇଥିଲା । ମାତ୍ର ସୟଦ ଓ ଲୋଦୀ ବଂଶୀୟ ଶାସକମାନଙ୍କର ଦୁର୍ବଳ ଶାସନ ନୀତି ଏହାକୁ ସୁସଙ୍ଗଠିତ କରିପାରିନଥିଲା । ଫଳତଃ ସୁଲତାନୀ ଶାସନର ଭଗ୍ନ ସ୍ତୁପ ଉପରେ ସମଗ୍ର ଭାରତବର୍ଷରେ ବହୁ ଖଣ୍ଡ ବିଖଣ୍ଡିତ ସ୍ଵାଧୀନ ରାଜ୍ୟ ଗଢ଼ି ଉଠିଥିଲା ।

 

ଏହି ସମୟରେ ସମଗ୍ର ଭାରତବର୍ଷର ଶାସନ ପ୍ରଣାଳୀ, ସାମାଜିକ ପରିସ୍ଥିତି, ରାଜନୀତିକ ଅବସ୍ଥା, ଆର୍ଥିକ ପଟ୍ଟଭୂମି, ସାହିତ୍ୟିକ ପାଣିପାଗ ଏବଂ ଧାର୍ମିକ ବାତାବରଣ–ପ୍ରତ୍ୟେକ କ୍ଷେତ୍ରରେ ଏକ ଅସମ୍ଭାବିତ ପରିବର୍ତ୍ତନ ଆସିଥିଲା । ଭାରତବର୍ଷରେ ମୁସଲମାନୀ ଶାସନ ପ୍ରତିଷ୍ଠା ହେବା ଫଳରେ ଦେଶର ସାଂସ୍କୃତିକ ଅବସ୍ଥା କ୍ରମଶଃ ଭୁଶୁଡ଼ି ପଡ଼ିବା ସହିତ ଦେଶ କ୍ରମଶଃ ବିଲୟ ଆଡ଼କୁ ଗତି କରିଥିଲା । ଏହି କାଳରେ ସମଗ୍ର ଦେଶରେ ଅର୍ଥନୈତିକ ସମସ୍ୟା ଓ କଳା ସ୍ଥାପତ୍ୟର ବିକାଶ ବାଧାପ୍ରାପ୍ତ ହୋଇନଥିଲେ ମଧ୍ୟ ମୁସଲମାନ୍‍ ଶାସକମାନଙ୍କର ମନୋମୁଖୀ ଏକଛତ୍ର ଶାସନ ତଥା ସେମାନଙ୍କର ସ୍ୱେଚ୍ଛାଚାରିତାର ସୀମା ଅତିକ୍ରମ କରି ଥିଲା । ‘ଖରାଜ୍’ ବା ଭୂରାଜସ୍ୱ ଥିଲା ସୁଲତାନ୍‌ମାନଙ୍କର ପ୍ରଧାନ ଆୟର ପନ୍ଥା । ଏହି ରାଜସ୍ୱ ସାଧାରଣତଃ ହିନ୍ଦୁ ଜମିଦାରମାନଙ୍କଠାରୁ ଆଦାୟ କରାଯାଉଥିଲା । ପୁନଶ୍ଚ ଗୋଟିଏ ଗୋଷ୍ଠୀର ମୁସଲମାନ୍‍ଙ୍କ ଉପରେ ଏହି ଶାସକମାନେ ଜିଜିୟା କର ଧାର୍ଯ୍ୟ କରିଥିଲେ ।

 

ବାଣିଜ୍ୟ କ୍ଷେତ୍ରରେ ସମକାଳୀନ ଭାରତବର୍ଷର ଖୁବ୍ ସୁନାମ ରହିଥିଲା । ଏହି କାଳରେ କେନ୍ଦ୍ର-ଏସିଆ, ଆଫଗାନିସ୍ଥାନ, ପାରସ୍ୟ, ଚୀନ, ମାଳୟ ଏବଂ ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ଦେଶମାନଙ୍କ ସହିତ ଭାରତବର୍ଷର ବାଣିଜ୍ୟିକ ସଂପର୍କ ବେଶ୍ ଦୃଢ଼ ଥିଲା । ଏସବୁ ସତ୍ତ୍ୱେ ଏହି କାଳରେ ଶ୍ରେଣୀ ବୈଷମ୍ୟ ଖୁବ୍ ଉତ୍କଟ ଥିଲା । ସୁଲତାନ୍ ଓ ଚାଷୀ-ମୂଲିଆଙ୍କ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ରହିଥିଲା । ଏ ସଂପର୍କରେ ଭାରତବର୍ଷର ପ୍ରଖ୍ୟାତ କବି ଅମୀର ଖୁସ୍ରୁ କହନ୍ତି–‘‘ରାଜ ମୁକୁଟର ପ୍ରତ୍ୟେକ ମୁକ୍ତା ନିଃସ୍ୱ କୃଷକର ଲୋତକାପ୍ଳୁତ ନୟନରୁ ନିର୍ଝରିତ ଶୋଣିତ ବିନ୍ଦୁର ସ୍ପଟିକ ମାତ୍ର । ଭାରତବର୍ଷରେ ମୁସଲମାନ୍‍ ଶାସକମାନଙ୍କର କ୍ଷମତା ଅଧିକାର ପରେ ଦେଶରେ ଏକ ନୂତନ ଓ ଭିନ୍ନ ବାତାବରଣ ସୃଷ୍ଟି ହୋଇଥିଲା । ହିନ୍ଦୁ ରାଷ୍ଟ୍ରରେ ମୁସଲମାନ୍‍ ଶାସନ ଫଳରେ ହିନ୍ଦୁ-ମୁସଲମାନ୍‍ ସଂସ୍କୃତି ଓ ସାହିତ୍ୟର ପ୍ରସାର ସହିତ ଉଭୟ ଭାଷା ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା । ଭାରତୀୟ ରାଜନୈତିକ ପାଣିପାଗରେ ଉଭୟ ଗୋଷ୍ଠୀ ମଧ୍ୟରେ ମତଭେଦ ରହିଥିଲେ ହେଁ ଉଭୟ ସଂପ୍ରଦାୟର ସାହିତ୍ୟିକମାନେ ଉଦାର ହୃଦୟରେ ଉଭୟ ଭାଷା-ସାହିତ୍ୟକୁ ପ୍ରଶଂସା କରୁଥିଲେ । ସେତେବେଳେ ମୁସଲମାନ୍‍ କବି ଓ ଲେଖକ ହିନ୍ଦୁସ୍ଥାନର ଜୀବନ ଓ ଇତିହାସ ସମ୍ବନ୍ଧରେ ହିନ୍ଦୀରେ ବହୁ ପୁସ୍ତକ ପ୍ରଣୟନ କରିଥିଲେ ଏବଂ ସେହିପରି ହିନ୍ଦୁ କାବ୍ୟକାର ଓ ପଣ୍ଡିତମାନେ ଇସ୍‍ଲାମ ସଂସ୍କୃତି ଓ ସାହିତ୍ୟିକ ପରମ୍ପରା ସମ୍ବନ୍ଧରେ ଗବେଷଣା କରିବା ସଙ୍ଗେ ସଙ୍ଗେ ଉର୍ଦ୍ଦୁ ଭାଷାରେ ଅନେକ ଗ୍ରନ୍ଥ ରଚନା କରିଥିଲେ ।” (ଯୁଗେ ଯୁଗେ ଭାରତ)

 

'ପୁନଶ୍ଚ ଏହି ପର୍ଯ୍ୟାୟରେ ପାର୍ଶୀ, ଉର୍ଦ୍ଦୁ ଓ ସଂସ୍କୃତ ସାହିତ୍ୟରେ ସମଗ୍ର ଭାରତବର୍ଷରେ ବହୁ କବି ଓ ଲେଖକ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରିଥିଲେ । ଭାରତୀୟ ସଂସ୍କୃତି ଓ ସାହିତ୍ୟର ଇତିହାସରେ ଏହି କାଳରେ ବହୁ ପ୍ରସିଦ୍ଧ ମୂଲ୍ୟବାନ କାବ୍ୟ ନାଟକାଦି ରଚିତ ହୋଇ ସମଗ୍ର ବିଶ୍ୱରେ ଭାରତବର୍ଷର ଗୌରବ ବୃଦ୍ଧିରେ ସହାୟକ ହୋଇଥିଲା । ଦ୍ଵାଦଶ ଶତକରେ ଉତ୍କଳୀୟ ପ୍ରଖ୍ୟାତ ସଂସ୍କୃତକବି ଜୟଦେବ ‘ଗୀତଗୋବିନ୍ଦ’ କାବ୍ୟ ରଚନା କରି ସମଗ୍ର ପୃଥିବୀରେ ଜଣେ ଶ୍ରେଷ୍ଠ କବି ହେବାର ଗୌରବ ଅର୍ଜନ କରିଥିଲେ । ଏତଦ୍‍ବ୍ୟତୀତ ବିଦ୍ୟାନାଥଙ୍କର ‘ପ୍ରତାପରୁଦ୍ର କଲ୍ୟାଣ', କେରଳ ଯୁବରାଜ କବି ବର୍ମଣଙ୍କର ‘ପ୍ରଦ୍ୟୁମ୍ନ ଅଭ୍ୟୁଦୟ’, ବାମନ ଭଟ୍ଟଙ୍କର ‘ପାର୍ବତୀ ପରିଣୟ’, ଗଙ୍ଗାଧର ଦାସଙ୍କର ‘ପ୍ରତାପ ବିଳାସ’, ରୂପ ଗୋସ୍ୱାମୀଙ୍କର ‘ବିଦଗ୍‌ଧ ମାଧବ’ ପ୍ରଭୃତି କାବ୍ୟ ଏହି କାଳରେ ରଚିତ ହୋଇଥିଲା । ଏହି ସମୟରେ ସମଗ୍ର ଭାରତବର୍ଷରେ ପାର୍ଶୀ ଓ ଉର୍ଦ୍ଦୁ ସାହିତ୍ୟିକମାନେ ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଥିଲେ । ଏହି ସାହିତ୍ୟିକମାନଙ୍କ ମଧ୍ୟରେ ଶେଖ୍ ନାଜିମୁଦ୍ଦିନ ହସାନ୍, ନିଜିମୁଦ୍ଦିନ ଔଲିଆ, ମୌଲାନା, ମୁୟାନୁଦ୍ଦିନ ଭମ୍ରାଣୀ, କାଜି ଅବଦୁଲ୍, ମୁକ୍ତାଦିର ଶାହଣୀ, ମୌଲାନା ଖ୍ୱାଜଗୀ, ଅହମ୍ମଦ ଥାନେଶ୍ଵରୀ, ସୁଲତାନ ଫିରୋଜ ଶାହ, ସୁଲତାନ ସିକନ୍ଦର ଲୋଦୀ ପ୍ରଭୃତି ପ୍ରଧାନ ଥିଲେ ।

 

ସାହିତ୍ୟ ସହିତ କଳା, ସ୍ଥାପତ୍ୟ, ଧର୍ମ ଏବଂ ସଂସ୍କୃତି ସମକାଳୀନ ଭାରତୀୟ ଚେତନାକୁ ବହୁଭାବରେ ଆପ୍ଳୁତ କରି ରଖିଥିଲା । ବିଶିଷ୍ଟ ଐତିହାସିକ ସାର୍ ଜନ୍ ମାର୍ଶାଲ୍‌ଙ୍କ ଭାଷାରେ ଭାରତ-ଇସଲାମୀ କଳା କେବଳ ଆଞ୍ଚଳିକ ଇସଲାମୀ କଳାର ବିଭିନ୍ନତା ମଧ୍ୟରେ ଆବଦ୍ଧ ନଥିଲା କିମ୍ବା ତାହା ହିନ୍ଦୁ କଳାର ଏକ ପରିବର୍ତ୍ତିତ ରୂପ ମାତ୍ର ନଥିଲା । ସ୍କୂଳତଃ ପ୍ରକାଶ କଲେ, ତାହାର ସ୍ଵାତନ୍ତ୍ର୍ୟ ଥିଲା ଉଭୟ ସୂତ୍ରର ଆଧାର ।” ସୁତରାଂ ଦିଲ୍ଲୀର ସ୍ଥାପତ୍ୟ କଳାରେ ଇସଲାମୀ କଳାର ପ୍ରଭାବ ସର୍ବାଧିକ ରହିଥିଲା ବେଳେ ଜୋନପୁର, ବଙ୍ଗ, ଗୁଜୁରାଟ ପ୍ରଭୃତି ଅଞ୍ଚଳରେ ଶିଳ୍ପ ଓ କାରୁକୀର୍ତ୍ତିମାନଙ୍କରେ ହିନ୍ଦୁ ସଂସ୍କୃତିର ପ୍ରଭାବ ସ୍ପଷ୍ଟ ଭାବେ ଅନୁମିତ ହୋଇଥାଏ-। ସେତେବେଳେ ମୁସଲମାନ୍‍ କଳାଶିଳ୍ପୀଙ୍କ ସଂଖ୍ୟା ଊଣା ହେତୁ ମୁସଲମାନ୍‍ ଶାସକମାନେ ମସ୍‌ଜିଦ ବା ଅଟ୍ଟାଳିକା ନିର୍ମାଣ କାଳରେ ଉଭୟ ହିନ୍ଦୁ ଓ ମୁସଲମାନ୍‍ ଶିଳ୍ପୀଙ୍କୁ ନିଯୁକ୍ତି ଦେଇଥିଲେ । ଫଳତଃ ଉଭୟ ସଂପ୍ରଦାୟର ଶିଳ୍ପୀଙ୍କ ଉପରେ କଳା ରୀତିର ପ୍ରଭାବ ଥିଲା ଖୁବ୍ ବଳିଷ୍ଠ ଓ ଦୃଢ଼ । ପୁନଶ୍ଚ ଉଭୟ କଳା ଓ ଭାସ୍କର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଳଙ୍କରଣ ସଜ୍ଜା ଓ ଶୋଭାବର୍ଦ୍ଧନ । ସେଥିନିମିତ୍ତ ତତ୍କାଳୀନ ହିନ୍ଦୁ ମନ୍ଦିରମାନଙ୍କରେ ଇସ୍‍ଲାମୀ କଳାର ନମୁନା ସହିତ ମୁସଲମାନ୍‍ ସଂପ୍ରଦାୟର ମସ୍‍ଜିଦ୍, ମୀନାର ତଥା କବର ସ୍ଥାନମାନଙ୍କରେ ହିନ୍ଦୁ ସ୍ଥାପତ୍ୟର ଦୃଷ୍ଟାନ୍ତ ମଧ୍ୟ ଉପଲବ୍‌ଧ ହୋଇଥାଏ ।

 

ତ୍ରୟୋଦଶ ଶତାବ୍ଦୀଠାରୁ ଭାରତୀୟ ଜନମାନସ ଓ ସଂସ୍କୃତି ଯେଉଁ ଦୁଇଟି ମୁଖ୍ୟ ଧର୍ମକୁ କେନ୍ଦ୍ର କରି ବିକଶିତ ହୋଇଥିଲା ତାହା ହେଉଛି ହିନ୍ଦୁ ଧର୍ମ ଓ ଇସ୍‍ଲାମ ଧର୍ମ । ଏ ସମ୍ପର୍କରେ ବିଶିଷ୍ଟ ସମାଲୋଚକ D. S. Sharma ତାଙ୍କର 'Hinduism through the Ages' ପୁସ୍ତକରେ ଉଲ୍ଲେଖ କରିଅଛନ୍ତି–"From the thirteen century onwards the life of India flows in two distinct currents, which run side by side and touch each other at a few points, but do not unite to form a single stream." (Hinduism through the Ages-P.41) ଅର୍ଥାତ ତ୍ରୟୋଦଶ ଶତାବ୍ଦୀ ପରଠାରୁ ଦୁଇ ଭିନ୍ନ ଭାରତୀୟ ଜୀବନ ଓ ସଂସ୍କୃତି ଦୁଇଟି ଅଲଗା ସ୍ରୋତରେ ପାର୍ଶ୍ୱବର୍ତ୍ତୀ ହୋଇ ଧାବମାନ ହେଉଛନ୍ତି । ମାତ୍ର ଏହା ଏକ ଅବିଭକ୍ତ ପ୍ରବାହ ସୃଷ୍ଟି କରିବା ପାଇଁ ଏକୀଭୂତ ହୋଇନାହାନ୍ତି । ଏତିକିବେଳେ ହିନ୍ଦୁ ଓ ମୁସଲମାନ୍‍ ଉଭୟ ସଂପ୍ରଦାୟରେ କେତେକ ମହାପୁରୁଷ ସମଗ୍ର ଭାରତୀୟ ଜୀବନଧାରାରେ ଭକ୍ତିବାଦର ପ୍ରସାର ସହିତ ଉଭୟ ଧର୍ମ ମଧ୍ୟରେ ସାମ୍ୟ ଭାବ ଓ ଏକେଶ୍ୱର ଆଦର୍ଶର ମହତ୍‌ବାଣୀ ଶୁଣାଇଛନ୍ତି । ଭାରତବର୍ଷରେ ଏହି ସ୍ରଷ୍ଟାମାନଙ୍କ ମଧ୍ୟରେ ରାମାନନ୍ଦ, ଶ୍ରୀଚୈତନ୍ୟ, କବୀର, ନାନକ, ବଲ୍ଲଭାଚାର୍ଯ୍ୟ, ଜ୍ଞାନେଶ୍ୱର ପ୍ରଭୃତି ପ୍ରଧାନ ଥିଲେ । ଏହି କାଳରେ ମୁସଲମାନ୍‍ ଶାସକମାନେ ଦେଶରେ ସାମାଜିକ ଐକ୍ୟ ପ୍ରତିଷ୍ଠା ସହିତ ଇତିହାସଭିତ୍ତିକ ସାହିତ୍ୟ ରଚନା ଏବଂ ମାତୃଭାଷାରେ ସାହିତ୍ୟର ପ୍ରସାର ନିମିତ୍ତ ଉଦ୍ୟମ କରିଥିଲେ ।

 

ମାତ୍ର ଏସବୁ ସତ୍ତ୍ୱେ ଉଚ୍ଚକୋଟୀର ମୌଳିକ ସାହିତ୍ୟର ବିକାଶ ଦୃଷ୍ଟିରୁ ମୁସଲମାନ୍‍ ଯୁଗ ଥିଲା ସଂପୂର୍ଣ୍ଣ ଭାବେ ଅନ୍ଧକାରମୟ । ବିଶେଷ କରି ତ୍ରୟୋଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ସମଗ୍ର ଭାରତବର୍ଷରେ ଅସଂଖ୍ୟ ହିନ୍ଦୁ ପ୍ରତିଭା ସୁପ୍ତ ଓ ଅବଲୁପ୍ତ ଅବସ୍ଥାରେ ରହିଯାଇଥିଲେ ।

 

ସମକାଳୀନ ଓଡ଼ିଶା :

 

ସମଗ୍ର ଭାରତବର୍ଷର ଚତୁର୍ଦ୍ଦିଗରେ ଆଫଗାନ୍ ଓ ମୁସଲ୍‍ମାନୀ ରାଜତ୍ଵ ସତ୍ତ୍ୱେ ୧୫୬୮ ଖ୍ରୀ.ଅ. ପର୍ଯ୍ୟନ୍ତ ଓଡ଼ିଶା ଥିଲା ଏକ ସ୍ୱାଧୀନ ହିନ୍ଦୁ ରାଷ୍ଟ୍ର । ସମଗ୍ର ବଙ୍ଗ ରାଜ୍ୟ ଆଫଗାନ୍‍ ମାନଙ୍କର ଏକ ଅଭେଦ୍ୟ ଦୁର୍ଗ ଥିଲା । ଦ୍ଵାଦଶ ଶତାବ୍ଦୀର ପ୍ରାରମ୍ଭରୁ ବଙ୍ଗଦେଶରେ ଆଫଗାନ୍‍ ଶାସନ ପ୍ରତିଷ୍ଠିତ ହୋଇଥିଲା ଓ ସେଠାରୁ ଆଫଗାନ୍ ସୁଲତାନମାନେ ସମଗ୍ର ପୂର୍ବ ଭାରତରେ ନିଜର ଆଧିପତ୍ୟ ବିସ୍ତାର ପାଇଁ ପ୍ରବଳ ଉଦ୍ୟମ ଚଳାଇଥିଲେ ହେଁ ଓଡ଼ିଶାକୁ ସେମାନେ ଅଧିକାର କରିପାରିନଥିଲେ । ସେତେବେଳେ ଓଡ଼ିଶାରେ ଗଙ୍ଗ ଓ ସୂର୍ଯ୍ୟବଂଶୀ ରାଜାମାନେ ଏତେ ଶକ୍ତିଶାଳୀ ଥିଲେ ଯେ ଷୋଡ଼ଶ ଶତକର ମଧ୍ୟଭାଗ ପର୍ଯ୍ୟନ୍ତ ଆଫଗାନ୍‍ ମାନଙ୍କର ଓଡ଼ିଶା ଅଧିକାର ସମ୍ଭବପର ହୋଇପାରିନଥିଲେ । ଗୋବିନ୍ଦ ବିଦ୍ୟାଧରଙ୍କ ମୃତ୍ୟୁ (୧୫୪୫ ଖ୍ରୀ.ଅ.) ପରେ ପରେ ଓଡ଼ିଶାର ଆକସ୍ମିକ ଭାବେ ରାଜନୈତିକ ସଙ୍କଟ ଓ ଉତ୍କଳୀୟ ସାମାଜିକ ଜୀବନରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥିଲା । ମୁକୁନ୍ଦଦେବ ଓଡ଼ିଶାର ଶାସନଭାର ଗ୍ରହଣ କରିବା ପରେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ପୁନର୍ବାର ଶୃଙ୍ଖଳିତ କରିବା ପାଇଁ ପ୍ରୟାସୀ ହୋଇଥିଲେ । ତାଙ୍କ ସମୟରେ ଦିଲ୍ଲୀର ମୋଗଲ ସମ୍ରାଟ ଥିଲେ ଆକବର ଏବଂ ବଙ୍ଗ ଦେଶରେ ଆଫଗାନ୍ ସୁଲତାନ୍ ଥିଲେ ସୁଲେମାନ କରରାଣୀ । ଆକବର ବଙ୍ଗ ଅଧିକାର ପାଇଁ ପ୍ରଚେଷ୍ଟା କରି ସେଥିରେ ୧୫୬୭ ମସିହା ବେଳକୁ ସଫଳ ହୋଇଥିଲେ । ଫଳତଃ ସୁଲେମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିଲା ପଡ଼ୋଶୀ ତଥା ସ୍ୱାଧୀନ ରାଷ୍ଟ୍ର ଓଡ଼ିଶା ଭୂଖଣ୍ଡ ଉପରେ । ଏତିକିବେଳେ ସମଗ୍ର ଉତ୍କଳରେ ଏପରି ଏକ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା ଯେ, ଏହା ମୁକୁନ୍ଦଦେବଙ୍କୁ ବଙ୍ଗର ଆଫଗାନ୍ ଶାସକ ସୁଲେମାନଙ୍କ ବିରୁଦ୍ଧରେ ଆକବରଙ୍କ ସହାୟତାରେ ଏକ ସାମରିକ ମେଣ୍ଟ ପ୍ରସ୍ତୁତ କରିବାପାଇଁ ବାଧ୍ୟ କରିଥିଲା । ଫଳତଃ ବଙ୍ଗର ସୁଲତାନ୍ ମୁକୁନ୍ଦଦେବଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିପାରିନଥିଲେ । ମାତ୍ର ଏହାଦ୍ଵାରା ତାଙ୍କର ସମଗ୍ର ଓଡ଼ିଶା ଭୂଖଣ୍ଡ ଉପରେ କ୍ରୋଧ ବୃଦ୍ଧି ପାଇଥିଲା ଓ ସେ ଏକ ସୁଯୋଗ ଅପେକ୍ଷାରେ ରହିଥିଲେ । ୧୫୬୮ ଖ୍ରୀ.ଅ. ରେ ଆକବର ଚିତୋର ଆକ୍ରମଣରେ ବ୍ୟସ୍ତଥିବା କାଳରେ ତାହାର ସୁଯୋଗ ନେଇ ସୁଲେମାନ ମୁକୁନ୍ଦଦେବଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ସହିତ ଓଡ଼ିଶା ଆକ୍ରମଣ କରିଥିଲେ ଓ ଯୁଦ୍ଧରେ ମୁକୁନ୍ଦଦେବଙ୍କୁ ପରାସ୍ତ କରି ବଙ୍ଗ ସହିତ ଓଡ଼ିଶାକୁ ମିଶାଇ ଦେଇଥିଲେ । ଏହା ଫଳରେ ୧୫୬୮ ଖ୍ରୀ.ଅ.ରୁ ଓଡ଼ିଶା ପରାଧୀନତାର ଆତ୍ମଗ୍ଲାନି ମଧ୍ୟରେ ମୂହ୍ୟମାନ ହୋଇ ପଡ଼ିଥିଲା ।

 

ଓଡ଼ିଶା ଅଧିକାର କରିବା ପରେ ପରେ ଆପଣାର ଶକ୍ତିର ପରିଚୟ ଦେବା ସହିତ ନିଜ ଶାସନ ଦୃଢ଼ କରିବା ପାଇଁ ବଙ୍ଗ ଶାସକ ସୁଲେମାନ ଓଡ଼ିଶା ଆସିଥିଲେ । ଏହାପରେ ସେ ନିଜର ମନ୍ତ୍ରୀ ଉଜୀର ଖାଁ ଜାହାନ୍‍ଲୋଦୀଙ୍କୁ କଟକର ଏବଂ କଲେଖାଁ ନାମକ ଜଣେ ରାଜକର୍ମଚାରୀଙ୍କୁ ପୁରୀର ଶାସନ ଭାର ଅର୍ପଣ କରି ବଙ୍ଗ ଫେରି ଯାଇଥିଲେ । ମାତ୍ର ସୁଲେମାନଙ୍କର ଦୂରଦୃଷ୍ଟି ଏବଂ କଟକ ତଥା ପୁରୀର ଶାସକମାନଙ୍କର ଶାସନାନୁଭୂତିର ଅଭାବ ଯୋଗୁ ସମଗ୍ର ଉତ୍କଳରେ ହଠାତ୍ ଏକ ରାଜନୈତିକ ବିପ୍ଳବ ଆରମ୍ଭ ହୋଇ ଯାଇଥିଲା । ମାତ୍ର ସୁଲେମାନଙ୍କ ଦୃଢ଼ ହସ୍ତକ୍ଷେପ ଯୋଗୁ ପୁନଶ୍ଚ ଏହା ପଣ୍ଡ ହୋଇ ଯାଇଥିଲା ।

 

ମୁକୁନ୍ଦଦେବ ଥିଲେ ଉତ୍କଳର ଜଣେ ବିଚକ୍ଷଣ ସମ୍ରାଟ । ତାଙ୍କରି ଶାସନ କାଳରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ କରାଯାଇଥିଲା । ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ଜିଲ୍ଲାର ରାମଚନ୍ଦ୍ରପୁରମ୍ ପର୍ଯ୍ୟନ୍ତ ତାଙ୍କ ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା । ମୁକୁନ୍ଦଦେବ ଗଙ୍ଗା ତୀରରେ ତ୍ରିବେଣୀ ଘାଟ ନିର୍ମାଣ କରାଇଥିବା କଥା ମଧ୍ୟ ଲୋକମୁଖରୁ ଶୁଣାଯାଏ । ମାତ୍ର ସେ ବଙ୍ଗ ସମ୍ରାଟଙ୍କ ଦ୍ଵାରା ପରାସ୍ତ ହେଲାପରେ ଓଡ଼ିଶାର ଦକ୍ଷିଣାଂଶ ଗୋଲକୁଣ୍ଡା ସୁଲତାନଙ୍କ ଦ୍ୱାରା ଅଧିକୃତ ହୋଇଥିଲା । ଯେଉଁ ଉତ୍କଳ ଏକଦା ଏକ ବିଶାଳ ଅଖଣ୍ଡ ରାଷ୍ଟ୍ର ରୂପେ ଖ୍ୟାତି ଲାଭ କରିଥିଲା ତାହା କ୍ରମଶଃ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଏବଂ ଛୋଟ ଛୋଟ ସାମନ୍ତରାଜା ଓ ଜମିଦାରମାନେ ଆଫଗାନ୍‍ ଶାସକଙ୍କର ବଶତା ସ୍ୱୀକାର କରି ସେହି ସବୁ କ୍ଷୁଦ୍ର ଅଞ୍ଚଳର ଅଧିପତି ବୋଲାଇ ଥିଲେ । ମୁକୁନ୍ଦଦେବଙ୍କ ମୃତ୍ୟୁ ପରେ ରାଜମହେନ୍ଦ୍ରୀ ଅଞ୍ଚଳରେ ବନ୍ଦୀ ଥିବା ରାମଚନ୍ଦ୍ର ରାଉତରାୟ କାରାମୁକ୍ତ ହେଲେ । ସେତେବେଳେ ଉତ୍କଳର କ୍ଷୁଦ୍ର ଜମିଦାରମାନେ ତାଙ୍କୁ ରାଜା ଭାବରେ ଗ୍ରହଣ କରିନେଲେ । ଏ ସଂପର୍କରେ ଚକଡ଼ା ପୋଥିରେ ଉଲ୍ଲେଖ ଅଛି–‘‘ରମେଇ ରାଉତରା ରାମଚନ୍ଦ୍ର ଦେବ ନାମ ବହନ କରି ରାଜୁତି ଆରମ୍ଭ କଲେ ।’’ ତାଙ୍କ ରାଜୁତି ଠିକ୍ କେବେ ଆରମ୍ଭ ହୋଇଛି ସେ ବିଷୟରେ ଭିନ୍ନ ମତ ଦେଖାଯାଇଥାଏ ।

 

ଶ୍ରୀଜଙ୍ଗ ଶିଳାଲିପିରେ ଉଲ୍ଲେଖ ଅଛି–‘‘୧୫୧୭ ଶକାବ୍ଦ ବା ୧୫୯୫ ଖ୍ରୀଷ୍ଟାବ୍ଦରେ ଲିଖିତ ପ୍ରଥମ ଶ୍ରୀଜଙ୍ଗ ଶିଳାଲିପି ଚାଲୁକୀ ମୁକୁନ୍ଦଦେବ ଅନ୍ତେ ଜବନ ବରସ ୨୮ ଏକକର ପାତିସା ହୌରଜପୁର ମାନସୀଙ୍ଘ ରାଜା କଟକ ପଚ୍ଛୀମେ ପରଙ୍ଗ ଖୁରୀଦା ଥୀତ କଟକ । ସୂଦ୍ର ଗଜପତି ରାଜା ରାମଚନ୍ଦ୍ର ଦେବ ୩୪ ଅଙ୍କ ଶାହୀ । ଶ୍ରୀଜଙ୍ଗର ଦ୍ୱିତୀୟ ଶିଳାଲିପିରେ ଉଲ୍ଲେଖ ଅଛି–“ଚଲୁକି ମୁକୁନ୍ଦଦେବ ଅନ୍ତେ ଜବନ ଭୋଗ ବରସ ୩୦ ଡିଲିସ୍ୱର ଏକକର ପାତିସା ହୋଇ ମାନସିଂଘ ରାଜା ଆମଳ ଗଜପ୍ତି ରାମଚନ୍ଦ୍ର ଦେବ ୩୪ ଅଙ୍କ ।

 

୧୫୬୮ ଖ୍ରୀ.ଅ.ରୁ ଆରମ୍ଭ କରି ୧୫୯୨ ଖ୍ରୀ.ଅ. ପର୍ଯ୍ୟନ୍ତ ଓଡ଼ିଶା ଆଫଗାନ୍‍ ଶାସନର ଅନ୍ତର୍ଭୁକ୍ତ ଥିଲା । ୧୫୭୩ ଖ୍ରୀ.ଅ.ରେ ବଙ୍ଗର ସୁଲେମାନଙ୍କ ଜ୍ୟେଷ୍ଠ ପୁତ୍ର ବାଇଜିଦ୍‌ଙ୍କ ମୃତ୍ୟୁ ହେବାରୁ ତାଙ୍କର ଭ୍ରାତା ଦାଉଦ୍ ଓଡ଼ିଶାର ଶାସନକର୍ତ୍ତା ଭାବେ ନିଯୁକ୍ତି ପାଇଥିଲେ । ମାତ୍ର ଏହା ଫଳରେ ଦାଉଦ୍‍ଙ୍କ ଔଦ୍ଧତ୍ୟ ଏପରି ଭାବେ ବୃଦ୍ଧି ପାଇଥିଲା ଯେ, ବାଧ୍ୟ ହୋଇ ସମ୍ରାଟ ଆକବର ତାଙ୍କୁ ୧୫୭୪ ଖ୍ରୀ.ଅ. ରେ ପରାସ୍ତକରି ତୋଡ଼ରମଲ୍ଲଙ୍କୁ ବଙ୍ଗ ଓ ବିହାରର ଶାସନ ଭାର ଅର୍ପଣ କଲେ । ଦାଉଦ୍ ଅନନ୍ୟୋପାୟ ହୋଇ ଓଡ଼ିଶାରେ ଆତ୍ମଗୋପନ କଲେ । ତୋଡ଼ରମଲ୍ଲ ସୁବର୍ଣ୍ଣରେଖା ନଦୀ ନିକଟରେ ଦାଉଦ୍‍ଙ୍କୁ ପରାସ୍ତ କଲେ । ମାତ୍ର ପରବର୍ତ୍ତୀ କାଳରେ ଦାଉଦ୍ ତୋଡ଼ରମଲ୍ଲଙ୍କ ଶରଣାପନ୍ନ ହେବାରୁ ତାଙ୍କୁ କଟକର ସରକାର ଭାବେ ଅବସ୍ଥାପିତ କରାଯାଇଥିଲା । ପରେ ୧୫୭୬ ଖ୍ରୀ.ଅ.ରେ ମୋଗଲମାନଙ୍କ ସହିତ ଏକ ଯୁଦ୍ଧରେ ଦାଉଦ୍ ନିହତ ହେବା ଫଳରେ ଓଡ଼ିଶାରେ ଅନ୍ତର୍ବିବାଦ କିଛିକାଳ ଲାଗି ରହିଥିଲା । ତୋଡ଼ରମଲ୍ଲଙ୍କ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପରେ ମୁଜାଫର ଖାଁ ବଙ୍ଗ ଓ ଓଡ଼ିଶାର ସୁବାଦାର ଭାବେ ନିଯୁକ୍ତି ପାଇଥିଲେ ।

 

୧୫୮୦ ଖ୍ରୀ.ଅ. ରେ ଓଡ଼ିଶାର ଆଫଗାନ୍‍ ବିଦ୍ରୋହୀମାନେ କତୁଲୁ ଖାଁ ଲୋହାନୀଙ୍କର ନେତୃତ୍ୱରେ ଓଡ଼ିଶା ଆକ୍ରମଣ କରିବା କାଳରେ କଳାପାହାଡ଼ ଓଡ଼ିଶା ଆସିଥିବାର ଇତିହାସରୁ ଜଣାଯାଏ । ତୋଡ଼ରମଲ୍ଲ ଓଡ଼ିଶାର ଶାସନଭାର ଗ୍ରହଣ କରିବା ପରେ ଓଡ଼ିଶାର ସାମାଜିକ ବ୍ୟବସ୍ଥାରେ ଉନ୍ନତି ଦେଖା ଦେଇଥିଲା । ସେ ଯୁଦ୍ଧ ଅପେକ୍ଷା ଶାସନ ସଂସ୍କାର ଉପରେ ଗୁରୁତ୍ୱ ଦେଇଥିଲେ । ଆକବର ଯେଉଁ ହିନ୍ଦୁ ସେନାପତି ଓ ପାତ୍ର ମନ୍ତ୍ରୀଙ୍କ ଦ୍ୱାରା ନିଜ ଶାସନ ପରିଚାଳନା କରିଥିଲେ ସେମାନଙ୍କ ମଧ୍ୟରେ ରାଜା ତୋଡ଼ରମଲ୍ଲ ଥିଲେ ଅନ୍ୟତମ । ୧୫୮୨ ଖ୍ରୀ.ଅ.ରେ ସେ ଓଡ଼ିଶାର ଜମିଜମା ବନ୍ଦୋବସ୍ତ ଶେଷ କରାଇଥିଲେ । ରାଜସ୍ୱ ଆଦାୟ ଓ ପ୍ରଶାସନିକ ସୁବିଧା ପାଇଁ ସେ ଓଡ଼ିଶାକୁ ଜଳେଶ୍ଵର ସରକାର, ଭଦ୍ରକ ସରକାର, କଟକ ସରକାର, କଳିଙ୍ଗ ଦଣ୍ଡପାଟ ସରକାର ଏବଂ ରାଜମହେନ୍ଦ୍ରୀ ସରକାର ପ୍ରଭୃତି ପାଞ୍ଚ ଭାଗରେ ବିଭକ୍ତ କରାଇଥିଲେ । ମାତ୍ର ୧୫୮୨ ଖ୍ରୀ.ଅ.ରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପରେ ପରେ ଓଡ଼ିଶା ପଠାଣମାନଙ୍କ ଅଧିକୃତ ହୋଇଥିଲା । ବନ ପାହାଡ଼ ଘେରା ଉତ୍କଳର ବିଭିନ୍ନ ଅଞ୍ଚଳରୁ କତୁଲୁ ଖାଁଙ୍କ ନେତୃତ୍ୱରେ ପଠାଣମାନେ ବାହାରି ବିଦ୍ରୋହ ଆରମ୍ଭ କରିଥିଲେ । କତୁଲୁ ଖାଁ ତତ୍କାଳୀନ ଖୋରଧାର ରାଜା ରାମଚନ୍ଦ୍ର ଦେବଙ୍କୁ ପରାସ୍ତ କରି ପୁରୀକୁ ନିଜ ଅଧୀନକୁ ନେଇଥିଲେ । ଓଡ଼ିଶାର ଉତ୍ତରରେ ବିଦ୍ରୋହୀମାନେ ବଙ୍ଗଦେଶ ପର୍ଯ୍ୟନ୍ତ ଅଗ୍ରସର ହୋଇ ବଙ୍ଗର ମୋଗଲ ସୁବାଦାରଙ୍କୁ ପରାସ୍ତ କରିଥିଲେ । ଓଡ଼ିଶାରେ ଠିକ୍ ଏତିକିବେଳେ କଳାପାହାଡ଼ ମଧ୍ୟ ଏହି ବିଦ୍ରୋହରେ ଯୋଗ ଦେଇଥିଲେ ।

 

୧୫୮୬ ଖ୍ରୀ.ଅ.ରେ ସମ୍ରାଟ ଆକବରଙ୍କର ଅନ୍ୟତମ ବିଶ୍ୱାସୀ ହିନ୍ଦୁ ସେନାପତି ରାଜା ମାନସିଂହ ବଙ୍ଗର ସୁବାଦାର ଭାବେ ନିଯୁକ୍ତି ପାଇଲେ । ସେ ୧୫୯୦ ଖ୍ରୀ.ଅ.ରେ ଓଡ଼ିଶା ଆକ୍ରମଣ କରିଥିଲେ । ସେତେବେଳେ ତାଙ୍କର ପୁତ୍ର ଜଗତ୍‌ସିଂହଙ୍କ ସହିତ କତୁଲୁ ଖାଁଙ୍କର ଯୁଦ୍ଧ ହୋଇଥିଲା । ଏଥିରେ ଜଗତ୍‌ସିଂହ ପରାସ୍ତ ହୋଇଥିଲେ । ଫଳତଃ କତୁଲୁ ଗାଁ ଗର୍ବରେ ଫାଟି ପଡ଼ିଲେ । ମାତ୍ର ପରବର୍ତ୍ତୀ କାଳରେ ସେ ଯୁଦ୍ଧରେ ପରାଜିତ ହେବାରୁ ରାଜା ମାନସିଂହଙ୍କ ସହିତ ତାଙ୍କର ସନ୍ଧି ସ୍ଥାପିତ ହେଲା । ଏହି ସନ୍ଧି ଅନୁସାରେ କତୁଲୁ ଖାଁଙ୍କର ମନ୍ତ୍ରୀ ମିଆଁ ଇଷା ଖାଁ ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ଓଡ଼ିଶାକୁ ଶୃଙ୍ଖଳିତ ଭାବରେ ଶାସନ କଲେ । ୧୫୯୨ ଖ୍ରୀ.ଅ.ରେ ଯେତେବେଳେ ପଠାଣମାନେ ଜଗନ୍ନାଥଙ୍କ ସମ୍ପତ୍ତି ଆତ୍ମସାତ୍ କରିବାପାଇଁ ପୁରୀ ଆକ୍ରମଣ କରିଥିଲେ ସେତେବେଳେ ରାଜା ମାନସିଂହ ଆକବରଙ୍କ ଅନୁମତି କ୍ରମେ ପଠାଣମାନଙ୍କ ଦୌରାତ୍ମ୍ୟରୁ ଓଡ଼ିଶାକୁ ସୁରକ୍ଷା କରିବା ନିମିତ୍ତ ଯୁଦ୍ଧ ଘୋଷଣା କରିଥିଲେ । ଆଫଗାନ୍‍ମାନେ ଓଡ଼ିଶାରୁ ଅନ୍ତର୍ହିତ ହେବା ପରେ ଓଡ଼ିଶାବାସୀ କିଛିକାଳ ଆଶ୍ୱସ୍ତି ଲାଭ କରିଥିଲେ । ଏହାପରେ ମାନସିଂହ ଖୋରଧାର ୭୧ଟି ଦୁର୍ଗ ବା କିଲ୍ଲା ରାମଚନ୍ଦ୍ର ଦେବଙ୍କୁ ଛାଡ଼ିଦେବା ସହିତ ପୁରୀ ଜଗନ୍ନାଥ ମନ୍ଦିରର ସମସ୍ତ ପ୍ରକାର ଶାସନ ଭାର ରାମଚନ୍ଦ୍ର ଦେବଙ୍କ ହସ୍ତରେ ଅର୍ପଣ କରିଥିଲେ । ଏହା ଫଳରେ ରାଜା ମାନସିଂହ ଓଡ଼ିଶାବାସୀଙ୍କର ପ୍ରାତଃ ସ୍ମରଣୀୟ ହୋଇ ରହିଥିଲେ । ସମଗ୍ର ଭାରତବର୍ଷ ଓ ଉତ୍କଳରେ ଏହି ରାଜନୈତିକ ପାଣିପାଗରେ ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଆମ ଓଡ଼ିଆ ସାହିତ୍ୟରେ ସାଲବେଗଙ୍କ ଆତ୍ମପ୍ରକାଶ ବାସ୍ତବରେ କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ସମଗ୍ର ବିଶ୍ଵବାସୀଙ୍କ ପାଇଁ ଏକ ସ୍ମରଣୀୟ ଘଟଣା ।

 

ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ହିନ୍ଦୁ ସାମ୍ରାଜ୍ୟ :

 

ଜଗନ୍ନାଥ ଉତ୍କଳର ଗଣଦେବତା, ବିଶ୍ୱମୈତ୍ରୀ ଓ ମାନବିକତାର ମୂର୍ତ୍ତିମନ୍ତ ସାକାର ବିଗ୍ରହ । ସେ ହେଉଛନ୍ତି ଅବତାରୀ ପୁରୁଷ । ଯୁଗ ଯୁଗ ଧରି ସେ ସମଗ୍ର ବିଶ୍ଵମାନବକୁ ଶାନ୍ତି, ସଂହତି ଓ ସହନଶୀଳତାର ସନ୍ଦେଶ ବିତରଣ କରି ଚାଲିଛନ୍ତି । ଜଗନ୍ନାଥଙ୍କର ପ୍ରାତ୍ୟହିକ ଜୀବନଯାତ୍ରା ଓ ଦିନଚର୍ଯ୍ୟା ଆମ ସଂସ୍କୃତି, ସମାଜ ଓ ପରମ୍ପରାରେ ପ୍ରତିଫଳିତ ହେଉଛି । ବର୍ଷସାରା ପାଳିତ ତାଙ୍କର ଯାନିଯାତ୍ରା, ପର୍ବପର୍ବାଣି, ରୀତିନୀତି ଆମ ପରିବାରରେ ଅତ୍ୟନ୍ତ ଆନନ୍ଦର ସହିତ ଗୃହୀତ ହୋଇଛି । ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ସ୍ଵାଭିମାନ । ତାଙ୍କରି ନିମିତ୍ତ ଏ ଜାତି ସମଗ୍ର ପୃଥିବୀ ପୃଷ୍ଠରେ ଗର୍ବିତ । ଜଗନ୍ନାଥ ଦେଶର ସନ୍ତାନ ଭାବେ ଆମେ ଓ ଆମ ଜାତି ଗୌରବାନ୍ୱିତ । ଆମ ଦେଶର ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି ଏବଂ ଧର୍ମ ହେଉଛି ଜଗନ୍ନାଥ ଧର୍ମ ।

 

ଜଗନ୍ନାଥ ଜନଗଣଙ୍କର ଦେବତା, ଜଗତ୍‍ବାସୀଙ୍କର ଠାକୁର । ପତିତମାନଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ବରାଭୟ ପ୍ରଦାନ କରିବା ନିମିତ୍ତ ରତ୍ନ ସିଂହାସନର ସଂଭୋଗ ଓ ବିଳାସ ବ୍ୟସନର ମୋହ ପରିତ୍ୟାଗ କରି ସେ ପ୍ରତ୍ୟେକ ବର୍ଷ ଭକ୍ତମାନଙ୍କ ନିକଟକୁ ଧୂଳି ଧୂସରିତ ଦାଣ୍ଡକୁ ଘୋଷ ଯାତ୍ରା ଉଦ୍ଦେଶ୍ୟରେ ଓହ୍ଲାଇ ଆସନ୍ତି ଏବଂ ଦୁଃଖୀ ଦରିଦ୍ର ଜନସାଧାରଣଙ୍କ ସହିତ ଏକାକାର ହୋଇ ତାଙ୍କ ସୁଖ ଦୁଃଖରେ ମିଶିଯାନ୍ତି । ସେଥିପାଇଁ ତାଙ୍କର ଅନ୍ୟନାମ ହେଉଛି ପତିତପାବନ, ଜଗତ୍‌ବନ୍ଧୁ ଏବଂ ଦୀନବନ୍ଧୁ । ସେତେବେଳେ ଭକ୍ତ ଓ ଭଗବାନ ଏକ ହୋଇଯାନ୍ତି । ସୁତରାଂ ଜଗନ୍ନାଥ ଜଣର ଦେବତା ନୁହନ୍ତି, ସେ ଗଣର । ତାଙ୍କ ନିକଟରେ ଲୁପ୍ତ ହୋଇଯାଇଛି ସବୁ ବିଭେଦ, ଜାତିଭେଦ । ସେ ମଣିଷ ମନୋରାଜ୍ୟରୁ ସମସ୍ତ ପ୍ରକାର ସଂକୀର୍ଣ୍ଣତା ଓ କ୍ଷୁଦ୍ରତା ହଟାଇଦେଇ ସମସ୍ତଙ୍କୁ ଏକାକାର ହେବାପାଇଁ ଦେଇଛନ୍ତି ପ୍ରେରଣା । ସେଥିପାଇଁ ଜଗନ୍ନାଥଙ୍କ ବଡ଼ଦାଣ୍ଡରେ ରାଜା-ପ୍ରଜା, ବ୍ରାହ୍ମଣ-ଚଣ୍ଡାଳ, ହିନ୍ଦୁ-ମୁସଲମାନ୍‍, ଖ୍ରୀଷ୍ଟିୟାନ ସମସ୍ତଙ୍କର ଅପୂର୍ବ ମେଳଣ ହୋଇଥାଏ ।

 

ତତ୍ତ୍ୱଦର୍ଶୀମାନଙ୍କ ଦୃଷ୍ଟିରେ ଜଗନ୍ନାଥ ହେଉଛନ୍ତି ଶୂନ୍ୟ, ନିର୍ଗୁଣ ଓ ନିରାକାର ପୁରୁଷ । ମାତ୍ର ସାଧାରଣ ଭାବେ ସେ ସଗୁଣ, ସାକାର ପରମପୁରୁଷ, ପୁରୁଷୋତ୍ତମ, ପତିତପାବନ, ଦୟାନିଧି, ଭାବଗ୍ରାହୀ, କରୁଣାସାଗର ଏବଂ କୃପାସିନ୍ଧୁ । ସେ ପୁଣି ହେଉଛନ୍ତି ଅନାଥର ନାଥ, ଅଖିଳ ବ୍ରହ୍ମାଣ୍ଡର ପତି, ସମସ୍ତ ଶକ୍ତି, ଶୋର୍ଯ୍ୟ ଓ ମାଧୁର୍ଯ୍ୟର ଆଧାର । ସେ ହେଉଛନ୍ତି ସୃଷ୍ଟି ସ୍ଥିତି ଏବଂ ସଂହାରର କାରଣ ସ୍ଵୟଂ ନାରାୟଣ । ଜଗନ୍ନାଥ ଲୀଳାମୟ ପୁରୁଷ । ଯୁଗେ ଯୁଗେ ପୃଥିବୀର ଭିନ୍ନ ଭିନ୍ନ ରୂପରେ ସେ ଅବତୀର୍ଣ୍ଣ ହୋଇ ସଂସାରର ସଂକଟ ମୋଚନ କରିଛନ୍ତି ଓ ସାଧୁସନ୍ଥଙ୍କୁ ପରିତ୍ରାଣ ସହିତ ଦୁଷ୍ଟ ଜନଙ୍କୁ ସଂହାର କରିଛନ୍ତି । ଦୁଃଖୀ ଜନମାନସର ଦୁଃଖ ହରଣ କରି ସେମାନଙ୍କ ମୁଖରେ ହସର ଫଲଗୁ ଧାରା ପ୍ରବାହିତ କରାଇ ସେ ପାଇଛନ୍ତି ଅନାବିଳ ଆନନ୍ଦ । ପୁଣି ସେ ସତ୍ୟ ଯୁଗରେ ନୃସିଂହ ନାରାୟଣ, ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଏବଂ କଳି ଯୁଗରେ ଶ୍ରୀଜଗନ୍ନାଥ ରୂପରେ ଶ୍ରୀକ୍ଷେତ୍ରରେ ଅବସ୍ଥାନ ସହିତ ଅଲୌକିକ ଲୀଳା ଖେଳା କରି ବିଶ୍ଵମାନବକୁ ଅଭୟବାଣୀ ପ୍ରଦାନ କରିଛନ୍ତି ।

 

ଜଗନ୍ନାଥ ହେଉଛନ୍ତି ସମଗ୍ର ଉତ୍କଳୀୟ ସଂସ୍କୃତି ଓ ସଭ୍ୟତାର ମୂଳାଧାର । ଓଡ଼ିଶାର ଧର୍ମ ହେଉଛି ଜଗନ୍ନାଥ ଧର୍ମ, ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି । ପୁନଶ୍ଚ ଉତ୍କଳର ସାଂସ୍କୃତିକ ଇତିହାସ ଜଗନ୍ନାଥଙ୍କୁ କେନ୍ଦ୍ରକରି ପରିକଳ୍ପିତ । ଆମ ଭାରତବର୍ଷରେ ବିଭିନ୍ନ ସମୟରେ ଯେତେ ସବୁ ଧର୍ମର ବନ୍ୟା ପ୍ଳାବିତ ହୋଇଛି ସେହି ସବୁ ଧର୍ମ ଜଗନ୍ନାଥଙ୍କ ବିଶାଳତା ମଧ୍ୟରେ କେଉଁଠି ଲୀନ ହୋଇଯାଇଛି । ଜୈନ, ବୌଦ୍ଧ, ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବମାନେ ଯିଏ ଯେତେ ଚେଷ୍ଟା କଲେ ମଧ୍ୟ ଜଗନ୍ନାଥଙ୍କୁ ନିଜର କରିପାରି ନାହାନ୍ତି । ବରଂ ଦାରୁଭୂତ ମୁରାରି ହୋଇ ସେ କାଠଗଣ୍ଡି ମଧ୍ୟରେ ହିଁ ଲୀନ ହୋଇଯାଇଛନ୍ତି । ବିଶ୍ଵମାନବ ଉଦ୍ଦେଶ୍ୟରେ ନିଜର ଦୁଇ ଭୁଜ ପ୍ରସାରିତ କରି ସମଗ୍ର ବିଶ୍ୱର ସବୁ ଧର୍ମ, ଦର୍ଶନ ଓ ମତବାଦକୁ ସ୍ୱାଗତ କରିବା ସହିତ ନିଜ ମଧ୍ୟରେ ତାହାକୁ ଏକାକାର କରି ଦେଇଛନ୍ତି ଏବଂ ଶ୍ରୀକ୍ଷେତ୍ର ଧାମରେ ଅଟଳ ଓ ଅଚଳ ରହି ସମଗ୍ର ବିଶ୍ୱର ମାନବ ଉଦ୍ଦେଶ୍ୟରେ ନିଜର ପତିତପାବନ ବାନା ଉଡ୍‍ଡୟନ କରି ବିଶ୍ଵମାନବ ଉଦ୍ଦେଶ୍ୟରେ ମାନବ ବନ୍ଦନା ଗାନ କରିଛନ୍ତି । ସମ୍ବଲପୁରର ବଜ୍ରଯାନୀ ରାଜା ଇନ୍ଦ୍ରଭୂତି ତାଙ୍କ ରଚିତ “ଜ୍ଞାନସିଦ୍ଧି’ ଗ୍ରନ୍ଥରେ ଯଥାର୍ଥରେ ଉଲ୍ଲେଖ କରିଛନ୍ତି :

 

ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜୀନ ବରାର୍ଚ୍ଚିତମ୍ ।

ସର୍ବ ବୁଦ୍ଧମୟଂ ସିଦ୍ଧି, ବ୍ୟାପିନୋଗଗନୋପମମ୍ ।”

 

ପୁନଶ୍ଚ ହିନ୍ଦୁମାନଙ୍କର ଅମର ଗ୍ରନ୍ଥ ଶ୍ରୀମଦ୍ ଭଗବଦ୍ ଗୀତାର ଜ୍ଞାନ ଯୋଗରେ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଛନ୍ତି –

 

‘‘ଯେ ଯଥା ମାଂ ପ୍ରପଦ୍ୟନ୍ତେ

ସ୍ତାଂ ତଥୈବ ଭଜାମ୍ୟହମ୍

ମମ ବର୍ତ୍ମାନୁବର୍ତ୍ତନ୍ତେ

ମନୁଷ୍ୟ ପାର୍ଥ ସର୍ବଶଃ ।’’

 

ଅର୍ଥାତ୍ ମୋତେ ଯେ ଯେଉଁ ରୂପରେ ପରିକଳ୍ପନା କରିଥାଏ, ମୁଁ ସେହି ରୂପରେ ଆବିର୍ଭୂତ ହୋଇ ତା’ର ଅଭୀପ୍‌ସା ପୂରଣ କରିଥାଏ । ଏହା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବାସ୍ତବରେ ସଂପୂର୍ଣ୍ଣ ଭାବେ ପ୍ରଯୁଜ୍ୟ । ତେଣୁ ପୃଥିବୀର ଅଗଣିତ ଆବାଳ ବୃଦ୍ଧବନିତା ତାଙ୍କୁ ଯେଉଁ ରୂପରେ ଗ୍ରହଣ କରିଛନ୍ତି, ସେ ସେହି ରୂପରେ ତାଙ୍କ ସମ୍ମୁଖରେ ଉଦ୍‌ଭାସିତ ହୋଇଛନ୍ତି । ଜନ୍ମ, ମୃତ୍ୟୁ, ବିବାହ, ବ୍ରତ, ପୂଜାପାର୍ବଣ-ସବୁ କ୍ଷେତ୍ରରେ ସେ ମାନବର ଅତ୍ୟନ୍ତ ଆପଣାର ହୋଇଛନ୍ତି । ତାଙ୍କୁ ଯେଉଁ ଭକ୍ତ ଯେପରି ନୈବେଦ୍ୟ ସମର୍ପଣ କରି ସ୍ନେହ ଶ୍ରଦ୍ଧା ପ୍ରଦର୍ଶନ କରିଛନ୍ତି ସେହି ରୂପରେ ସେ ସେହି ଭକ୍ତଜନଙ୍କ ସମ୍ମୁଖରେ ଉଭା ହୋଇଛନ୍ତି । ଅନେକ ଭକ୍ତ ତାଙ୍କୁ ନାନା ଭାଷାରେ ତିରସ୍କାର କରିବା ସହିତ ନିନ୍ଦା ଓ ସମାଲୋଚନା କରିଛନ୍ତି । ମାତ୍ର ସେହି ସମାଲୋଚନା ଓ ବ୍ୟଙ୍ଗ ବିଦ୍ରୂପ ମଧ୍ୟରେ ଜଗନ୍ନାଥଙ୍କୁ ସେମାନେ ଆପଣାର ଘନିଷ୍ଠ ଓ ନିଜସ୍ୱ କରିଛନ୍ତି ।

 

ଜଗନ୍ନାଥଙ୍କୁ ନେଇ ଉତ୍କଳୀୟ ସାଂସ୍କୃତିକ ଓ ସାମାଜିକ ଜୀବନ ଭୂମିରେ ଗଢ଼ି ଉଠିଛି ସାମ୍ୟ ଓ ସମନ୍ୱୟର ସଂସ୍କୃତି । ତାଙ୍କର ପୀଠ ଶ୍ରୀକ୍ଷେତ୍ର ହୋଇଛି ଜାତୀୟ ସଂହତିର ମିଳନ ପୀଠ ଏବଂ ଏହା ହୋଇଛି ସଂପ୍ରୀତିର ମହାମନ୍ତ୍ରରେ ଅଭିମନ୍ତ୍ରିତ ଓ ଅନୁରଣିତ । ଶ୍ରୀମନ୍ଦିରରେ ସବୁ ଦେବଦେବୀଙ୍କର ସହାବସ୍ଥାନ ହୋଇଛି । ଗୁରୁ ନାନକଙ୍କ ଠାରୁ ଆରମ୍ଭ କରି ଶ୍ରୀଚୈତନ୍ୟଙ୍କ ପର୍ଯ୍ୟନ୍ତ ଭାରତବର୍ଷର ସବୁଧର୍ମର ସାଧୁସନ୍ଥମାନେ ସେଠାକୁ ଆସି ଉପଲବ୍‍ଧି କରିଛନ୍ତି ନିଜ ନିଜର ଉପାସ୍ୟ ଦେବତାର ପରମ ସତ୍ତା ଓ ସ୍ଵରୂପ । ତାଙ୍କ ନିକଟରେ ବିଲୁପ୍ତ ହୋଇଯାଇଛି ସବୁ କ୍ଷୁଦ୍ରତା ଓ ସଂକୀର୍ଣ୍ଣତା । ଜଗନ୍ନାଥଙ୍କ ଠାରେ ଭକ୍ତ ଅନୁଭବ କରିଛି ସମସ୍ତଙ୍କୁ ଆପଣାର କରିବାର ମହତପଣିଆ । ସୁତରାଂ ଗଭୀର ଅନ୍ଧକାର ଓ ଅଜ୍ଞାନ ମଧ୍ୟରେ ଥାଇ ସେ ଆଲୋକକୁ ହାତ ପାତିଛି, ଆଗକୁ ଚାଲି ଶିଖିବାର ପ୍ରେରଣା ପାଇଛି ।

 

ଉତ୍କଳର ଏହି ଜାତୀୟ ଦେବତା ଜଗନ୍ନାଥଙ୍କୁ ଅଧିକାର କରିଦେଲେ ସମଗ୍ର ଉତ୍କଳ ଅଧିକୃତ ହୋଇଯିବ ବୋଲି ବିଦେଶୀ ଶାସକମାନେ ଅନୁଭବ କରିଛନ୍ତି । ତେଣୁ ବହୁ ସମୟରେ ଆକସ୍ମିକ ଭାବରେ ଜଗନ୍ନାଥଙ୍କ ଉପରେ ବିଦେଶୀ ଶାସକ, ମୋଗଲ, ମରହଟ୍ଟାମାନଙ୍କର ଅତର୍କିତ ଆକ୍ରମଣ ଆରମ୍ଭ ହୋଇଛି । ଓଡ଼ିଶାକୁ ମୋଗଲମାନଙ୍କର ଘନ ଘନ ଆକ୍ରମଣ ଫଳରେ ଭକ୍ତମାନେ ଶ୍ରୀଜଗନ୍ନାଥଙ୍କୁ ବିଭିନ୍ନ ସ୍ଥାନରେ ନେଇ ଲୁଚାଇ ରଖିବାକୁ ବାଧ୍ୟ ହୋଇଛନ୍ତି । ଏ ସଂପର୍କରେ ମାଦଳାପାଞ୍ଜିରେ ବର୍ଣ୍ଣିତ ଅଛି–ସେଦିନୁ କଟକରେ କେହି ରାଜା ରହି ନପାରିଲେ । ମୋଗଲ ପୀଢ଼ କରି ମାଡ଼ି ରହିଲେ । ପରୀକ୍ଷା ଦିବ୍ୟସିଂଘ ପଟ୍ଟନାୟକ ଠାକୁରଙ୍କୁ ଘେନିଗଲେ । ଏ ଗୋଳରେ ପରମେଶ୍ୱରଙ୍କୁ ଛପଲୀ ହାତୀପଡ଼ାରେ ପାତାଳି କରିଥିଲେ । ତହିଁକି ବୋଲି କଳାପାହାଡ଼ ଯାଇ ଠାବ କଲା; ମୁହାଣ ପାର ହୋଇଗଲା । ଭେଉଁଆ କଢ଼ାଇ ଅଣ୍ଟାକ ପାଣିରେ ନେଲା । ବାନକୋଟି ଭଣ୍ଡାର ସେଠାରେ ଜୁର କଲା । ବଡ଼ଦେଉଳ ଅଏଁଳା ସରିଯାଏ ଭଙ୍ଗାଇଲା । ଯେତେ ଦେବତାମାନ, ପିତୁଳାମାନ ସବୁକୁ ହିଁ ଖୁଣ କଲା । କଳପବଟ ଖୋଳାଇ ପକାଇଲା । ଘୋଡ଼ାନଣ୍ଡି ପୁରୋଇ ନିଆଁ ଲଗାଗଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଗଙ୍ଗାକୂଳ ତଣ୍ଡାଯାଏ ନେଲା । କାଠ କୁଢ଼ାଇ ଅଗ୍ନିରେ ପୂରୋଇ ଜାଳିଦେଲା । ତେଣେ ପଠାଣର ଦେହ ଖଣ୍ଡ ଖଣ୍ଡ ହୋଇ ଫାଟିଲା-। କାଜି କହିଲା ଓଡ଼ିଶାର ଦେବତା ଜଳାଇ ଦେଲୁ ତେଣୁକରି ତୋହର ଦେହ ଫାଟିଲା । ଏହାଶୁଣି ତାହାର ପୁଅ ପରମେଶ୍ୱରଙ୍କୁ ଗଙ୍ଗାରେ ମେଲିଦେଲା । ସେ ଦାରୁ ଭାସିଆସନ୍ତେ ଅମୁରା ଗୋଟିଏ ଜାଳି କାଠ ବୋଲି ଧରି ତାହା ବାରିରେ ପକାଇଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନେବାବେଳେ ବିଶର ମହାନ୍ତି ଯାଇଥିଲା । ବୈଷ୍ଣବ ହୋଇ ସାଙ୍ଗେ ଗୋଡ଼ାଇଥିଲା । ଆଠମାସ ରହି ବାଦ୍ୟ ପଣକରି ଦାରୁ ମାଗିଲା । ବ୍ରହ୍ମ ଖୋଳ କରି ମୃଦଙ୍ଗେ ପୁରୋଇ ଘେନି ଅଇଲା । କୁଜଙ୍ଗ ଗଡ଼ରେ ଆଣି ପ୍ରବେଶ କଲା । ଖଣ୍ଡାଇତ ଓଳିଆ ଉପରେ ଦୁଇ ଠାକୁରେ ରହିଲେ ।

 

ପୁନଶ୍ଚ ମାଦଳା ପାଞ୍ଜିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି–“ଅ୯ଙ୍କ ରାଜା କୁଜଙ୍ଗ ଗଡ଼ରୁ ବ୍ରହ୍ମ ଅଣାଇଲେ । ଅ୧୧ଙ୍କେ କକଡ଼ା ଦି୧୮ନ ଶ୍ରାବଣ ଶୁକ୍ଳ ନବମୀ ଦିନ ଶ୍ରୀପୁରୁଷୋତ୍ତମ ବଡ଼ ଦେଉଳେ ରତ୍ନସିଂଘାସନେ ବିଜେ କରାଇଲେ ।

 

ଗଜପତି ମୁକୁନ୍ଦଦେବ (୧ମ)ଙ୍କ ପୁତ୍ର ହେଉଛନ୍ତି ଗଜପତି ଦିବ୍ୟସିଂହ ଦେବ (୧ମ) । ସେ ହେଉଛନ୍ତି ଖୋରଧା ରାଜବଂଶର ସପ୍ତଦଶ ଶତାବ୍ଦୀର ଶେଷ ସମ୍ରାଟ। ସେ ଖ୍ରୀ.ଅ. ୧୬୮୮-୧୭୧୬ ପର୍ଯ୍ୟନ୍ତ ଖୋରଧାର ରାଜ ସିଂହାସନ ଆରୋହଣ କରି ରାଜ୍ୟ ଶାସନଭାର ଗ୍ରହଣ କରିଥିଲେ । ୧୫୬୮ ଖ୍ରୀ.ଅ.କୁ ଗଜପତି ମୁକୁନ୍ଦଦେବଙ୍କ ରାଜତ୍ଵର ଶେଷ ଭାଗ ବେଳକୁ ଓଡ଼ିଶାର ଚତୁର୍ଦ୍ଦିଗରେ ଘୋର ଅରାଜକତା ଦେଖା ଦେଇଥିଲା । ଯବନମାନଙ୍କ ଅତ୍ୟାଚାରରେ ଓଡ଼ିଶାର ସାଧାରଣ ପ୍ରଜାକୁଳ ତ୍ରାହି ତ୍ରାହି ଡାକ ଦେଇଥିଲେ । ପୁନଶ୍ଚ ରାଜା ନରସିଂହ ଦେବ ଯେତେବେଳେ (୧୬୨୧-୧୬୪୭) ଖୋରଧାର ଶାସକ ଥିଲେ ସେତେବେଳେ ମୀର୍ଜା ଅହମ୍ମଦ ବେଗ୍‌ ଓଡ଼ିଶାର ସୁବେଦାର ରୂପେ ନିଯୁକ୍ତି ପାଇ ମାତ୍ର ଚାରିବର୍ଷ ପାଇଁ (୧୬୨୧-୧୬୨୪) ଓଡ଼ିଶାର ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ଦିଲ୍ଲୀର ବାଦ୍‍ଶାହାଙ୍କ ଆତ୍ମସନ୍ତୋଷ ତଥା ପରିତୁଷ୍ଟି ନିମିତ୍ତ ଶ୍ରୀଜଗନ୍ନାଥଙ୍କ ସମେତ ଓଡ଼ିଶାର ଦେବମନ୍ଦିର ଉପରେ ଆକ୍ରମଣ କରିଥିଲେ । ଏ ସଂପର୍କରେ ବଙ୍ଗଳାର କବି ରସିକାନନ୍ଦ ଗୋସ୍ୱାମୀ ତାଙ୍କ ରଚିତ “ରସିକ ମଙ୍ଗଳ’ କାବ୍ୟରେ ଉଲ୍ଲେଖ କରିଛନ୍ତି–

 

ତା’ର ବିବରନ କହି ଶୁନ ସର୍ବଜନ,

ଆହମ୍ମଦ ବେଗ ବଡ଼ ଦୁଷ୍ଟ ଯେ ଯବନ ।

ଉଡ଼ିଶ୍ୟା ଦେଶେତେ ଯତ ରାଜା ଭୁଞ୍ଜ୍ୟାବୈସେ,

ସବାକାର ଘରହାର ଭାଙ୍ଗିଲ ବିଶେଷେ ।

ଘରବାଡ଼ି ଭାଙ୍ଗିଲ କାଟିଲ ସବ ବନ,

ସବାକାର ସଙ୍ଗେ ଧରି ଲଇଲ ଯବନ ।

ବଡ଼ଇ ପ୍ରତାପୀ ଦୁଷ୍ଟ ଯବନ ରାଜନ,

ଥରହର କମ୍ପେ ସବ ଭୁଞ୍ଜ୍ୟା ରାଜାଗନ ।

ସବେ ସେବା କରେ ସେଇ ବାଣପୁର ସ୍ଥାନେ,

ଭୟେ ଏକ ଦିନ ଯାୟ ଯୁଗେର ସମାନେ ।

ପ୍ରତିଦିନ ଦୁଇଚାରି କରେ ସଂହାରଣ

ଅତିବଡ଼ ଦୁଷ୍ଟ କର୍ମ କରେ ସେ ଯବନ ।

 

(ରସିକ ମଙ୍ଗଳ, ପୃ-୧୨୦)

 

ଏତଦ୍‍ବ୍ୟତୀତ ଆଉରଙ୍ଗଜେବ ଜଣେ ହିନ୍ଦୁ ବିଦ୍ୱେଷୀ ସମ୍ରାଟ ଥିବାରୁ ହିନ୍ଦୁ ମନ୍ଦିର ଧ୍ୱଂସ ସାଧନ କରିବା ତା’ର ଏକ ସୌକ ଥିଲା । ନବାବ ଇକ୍‌ରାମ ଖାଁ ଥିଲେ ଆଉରଙ୍ଗଜେବଙ୍କର ଜଣେ ବିଶ୍ୱସ୍ତ କର୍ମଚାରୀ । ଆଉରଙ୍ଗଜେବଙ୍କ ନିର୍ଦ୍ଦେଶରେ ସେ ଓଡ଼ିଶାର ଅନ୍ୟାନ୍ୟ ଧର୍ମପୀଠ ସହିତ ଜଗନ୍ନାଥ ମନ୍ଦିରକୁ ଭାଙ୍ଗି ଛାରଖାର କରିଦେଇଥିଲେ । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟଥିଲା ଓଡ଼ିଶାକୁ ଜୟ କରିବା । ଏହି ଉଦ୍ଦେଶ୍ୟରେ ପ୍ରଥମେ ସେ ଉତ୍କଳୀୟ ଜନତାର ଜୀବନ୍ତ ବିଗ୍ରହ ଜଗନ୍ନାଥଙ୍କ ଉପରେ ଅତ୍ୟାଚାର କରି ଉତ୍କଳୀୟ ଜନତାର ମନୋବଳ ଭାଙ୍ଗିଦେବା ପରେ ତାଙ୍କ ପକ୍ଷରେ ଓଡ଼ିଶା ଅଧିକାର କରିବାକୁ ଖୁବ୍ ସହଜ ହୋଇପଡ଼ିଥିଲା । ଏ ସଂପର୍କରେ ମାଦଳାପାଞ୍ଜିରେ ଉଲ୍ଲେଖ ଅଛି–ଏ ମହାରାଜାଙ୍କ ଅ୭ଙ୍କ ଋଷଭ ଦି୧୮ନ ମୋଗଲ ଗୋଳରେ ଏ ଦିନ ପଳାଉଣୀ ନିମନ୍ତେ ରାତ୍ର ତିନିପ୍ରହର ଠାରେ ପରମେଶ୍ୱରରେ ଚତୁର୍ଦ୍ଧାମୂରତି ପହଣ୍ଡି ବିଜେ କଲେ । ଭିତର ବେଢ଼ାରେ ବିମ୍ବଳାଈଙ୍କ ପଛଆଡ଼ ବେଢ଼ାରେ ବିଜେକଲେ । ଦକ୍ଷିଣ ଘରୁ ଦେବତାମାନେ ପୋକଲ ଗଡ଼ (କୋକଲ ଗଡ଼) କୁ ବିଜେ କଲେ । ଏ ଦିନ ପାହାନ୍ତି ଅବକାଶେ ଦୁଇ ପ୍ରହର ଧୂପ ବଢ଼ିଲା ଉତ୍ତାରୁ, ବଡ଼ ଠାକୁରଙ୍କ ବାଡ଼ରୁ ଆଜ୍ଞାମାନ ହୋଇଲେ । ଋଷଭ ଦି୧୯ନେ ହରଣ ଏକାଦଶୀ ଦିନ ପାତିଶା ଆଉରଙ୍ଗଶାହାଙ୍କ ନବାବ ଏକରାମ ଖାଁ ଏହାଙ୍କଠାରୁ ଅଇଲା । ଏହା ଭାଇ ମରମସ୍ତ ଖାଁ ଜମାଉଲା ଏ ସଙ୍ଗତେ ଇମାମ ଖୋଲି ଅସୁଆର ୫୦ ଗୋଟା ଘେନି ରାଜା ଦିବ୍ୟସିଂହ ଦେବେ ଠାରୁ ଲାଗି ହୋଇ ଥାଇ ସିଂହଦ୍ଵାର ଗୁମୁଟ ଭାଙ୍ଗିଲେ । ଭୋଗମଣ୍ଡପରୁ ଚକ୍ର ନେଲେ । କାଠର ଜଗନ୍ନାଥ ପ୍ରତିମାକୁ ମୁଗେଲ ନେଲେ । ଦେଉଳ ସିଂହାସନ ଉପରକୁ ନବାବ ଭାଇ ଗଲା । ଦେଉଳ ସିଂହଦ୍ଵାର ଦକ୍ଷିଣ ଦ୍ଵାର ମଧ୍ୟ ମୁଦକଲା । ପୁନଶ୍ଚ ଆଉ ଜଣେ ମୋଗଲ ବୀର ତକିଖାଁ ଆହୁରି ହିନ୍ଦୁ ବିଦ୍ୱେଷୀ ହୋଇ ଶ୍ରୀମନ୍ଦିର ସମେତ ଓଡ଼ିଶାର ମନ୍ଦିରମାନଙ୍କର ଧ୍ୱଂସ ସାଧନ କରିଥିଲେ ।

 

ଓଡ଼ିଶାର ବିଶିଷ୍ଟ ଐତିହାସିକ ଶ୍ରୀ କେଦାରନାଥ ମହାପାତ୍ର ତାଙ୍କର ‘ଖୁରୁଧା ଇତିହାସ ଗ୍ରନ୍ଥରେ ଏକଥା ସ୍ୱୀକାର କରି କହନ୍ତି – “ଖୁରୁଧା ଦୁର୍ଗ ମଧ୍ୟରେ ବିଭିନ୍ନ କାରଣରୁ ନଜରବନ୍ଦୀ ଥିବାବେଳେ ଗଜପତି ରାମଚନ୍ଦ୍ର ଦେବ ସର୍ବଦା ଜଗନ୍ନାଥଙ୍କ କଥା ହିଁ ଚିନ୍ତା କରୁଥିଲେ । ଯବନମାନଙ୍କ ଆକ୍ରମଣରୁ ଓଡ଼ିଶାକୁ ରକ୍ଷା କରିବାକୁ ଯାଇ ସେ ବହୁ ଦୁଃସାଧ୍ୟ ପନ୍ଥା ଗ୍ରହଣ କରିଥିଲେ । ଶ୍ରୀମନ୍ଦିର ଉପରେ ଯବନମାନଙ୍କ ଆକ୍ରମଣର ଆଶଙ୍କାକରି ଜଗନ୍ନାଥଙ୍କୁ ଚିଲିକାର ଜଳମାର୍ଗରେ ନେଇ ବାଣପୁରରେ ଗୁପ୍ତରେ ରଖିଲେ । ମାତ୍ର ଦୁର୍ଦ୍ଧର୍ଷ ତକିଖାଁ ଯେତେବେଳେ ଏହି ସମ୍ବାଦ ପାଇଲା ସେତେବେଳେ ସେ ଖୋରଧା ଆକ୍ରମଣ କରିବା ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କ ମନ୍ଦିର ଘେରାଉ କରିଥିଲା । ତକିଖାଁ’ର ଆକ୍ରମଣ ଭୟରେ ରାମଚନ୍ଦ୍ର ଦେବ ଖୋରଧା ପରିତ୍ୟାଗ କରି ପ୍ରଥମେ ନୟାଗଡ଼ ଓ ପରେ ପରେ ଖଣ୍ଡପଡ଼ାରେ ଆଶ୍ରୟ ନେଇଥିଲେ । ଏତିକିବେଳେ ସେ ଓଡ଼ିଶାର ପ୍ରାଣପିଣ୍ଡ ଶ୍ରୀଜଗନ୍ନାଥଙ୍କୁ ପଣ୍ଡା ଓ ସେବାୟତମାନଙ୍କ ସହାୟତାରେ ବାଣପୁରରୁ ନେଇ ଖଲ୍ଲିକୋଟର ଏକ ନିରାପଦ ସ୍ଥାନ ‘ଟିକିଲି’ଠାରେ ରଖାଇଥିଲେ । ଏହାପରେ ସେହି ବିଜାତୀୟ ମୋଗଲ ଶାସକଙ୍କ ହାତରୁ ଜଗନ୍ନାଥଙ୍କୁ ରକ୍ଷା କରିବାପାଇଁ ସେବକମାନେ ତାଙ୍କୁ ବିଭିନ୍ନ ସମୟରେ ଗଞ୍ଜାମର ଆଠଗଡ଼, ମାରଦା, ମଥୁରା ପ୍ରଭୃତି ସ୍ଥାନରେ ରଖାଇଥିଲେ । ସେଦିନର ସେହି ଅଭୁଲା ସ୍ମୃତି ସ୍ଵରୂପ ଆଜି ବି ମଥୁରାରେ ଏକ ଜଗନ୍ନାଥ ମନ୍ଦିର ରହିଛି ।

 

ସାଲବେଗଙ୍କ ଜନ୍ମପୂର୍ବରୁ ଓଡ଼ିଶାରେ ଏକ ବିଶାଳ ହିନ୍ଦୁ ସାମ୍ରାଜ୍ୟ ଥିଲା । ଗଙ୍ଗବଂଶ ଓ ସୂର୍ଯ୍ୟବଂଶର ଶାସକମାନଙ୍କ ସମୟକୁ ଓଡ଼ିଶାର ସୀମା ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ଜିଲ୍ଲା ପର୍ଯ୍ୟନ୍ତ ବ୍ୟାପି ରହିଥିଲା । ସମଗ୍ର ଭାରତବର୍ଷରେ ଉତ୍କଳ ହିଁ ଏକମାତ୍ର ସ୍ୱାଧୀନ ହିନ୍ଦୁ ସାମ୍ରାଜ୍ୟ ଥିବାରୁ ପ୍ରଥମେ ଆଫଗାନ୍‍ ଓ ପରେ ପରେ ମୋଗଲ ଶାସକମାନଙ୍କ ବିଷଦୃଷ୍ଟି ଏହି ଭୂଖଣ୍ଡ ଉପରେ ପଡ଼ିଥିଲା । ପ୍ରତାପରୁଦ୍ର ଦେବ ଓଡ଼ିଶାର ଶାସନଭାର ଗ୍ରହଣ କରିବାର ଅଳ୍ପଦିନ ମଧ୍ୟରେ ପଠାଣମାନେ ବଙ୍ଗଦେଶରୁ ଅତର୍କିତ ଭାବରେ ଆସି ଓଡ଼ିଶାର ନୀରିହ ଜନତାଙ୍କୁ ନାନାଭାବରେ ହଇରାଣ କରିବା ସହିତ ଉତ୍କଳ ଆକ୍ରମଣ କରିଥିଲେ । ବଙ୍ଗର ସୁଲତାନ ହୋସେନ୍ ସାହଙ୍କ ସହିତ ଓଡ଼ିଶାର ଉତ୍ତରରେ ସୁବର୍ଣ୍ଣରେଖା ନିକଟରେ ତାଙ୍କର ପ୍ରବଳ ଯୁଦ୍ଧ ହୋଇଥିଲା । ଉତ୍ତରାଞ୍ଚଳରେ ଶାନ୍ତି ସ୍ଥାପନ ହେବା ପରେ ପରେ ଓଡ଼ିଶାର ଦକ୍ଷିଣରେ ଯେଉଁ ଅନ୍ତର୍ବିବାଦ ଦେଖା ଦେଇଥିଲା ତାହାକୁ ଦମନ କରିବାକୁ ଯାଇ ପ୍ରତାପରୁଦ୍ର ଦେବ ଦାକ୍ଷିଣାତ୍ୟ ଯାତ୍ରା କରିଥିଲେ । ଉତ୍କଳର ବିଭିନ୍ନ ଆଡୁ ଶତ୍ରୁମାନଙ୍କର ବାରମ୍ବାର ଆକ୍ରମଣ ସହିତ ନିଜଦେଶରେ ଦେଖାଦେଇଥିବା ଅନ୍ତର୍ବିବାଦ ଯୋଗୁ ପ୍ରତାପରୁଦ୍ର ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ଏତିକି ବେଳେ ପ୍ରାୟ ୧୫୧୦ ଖ୍ରୀ.ଅ.ରେ ଶ୍ରୀଚୈତନ୍ୟ ଶ୍ରୀଜଗନ୍ନାଥଙ୍କ ଦ୍ଵାର ଆକର୍ଷିତ ହୋଇ ସ୍ୱଧର୍ମ ପ୍ରଚାର କରିବା ପାଇଁ ବଙ୍ଗଦେଶରୁ ଓଡ଼ିଶା ଆସିଥିଲେ । ଶ୍ରୀଚୈତନ୍ୟଙ୍କ ଓଡ଼ିଶା ଆଗମନ ପୂର୍ବରୁ ଓଡ଼ିଶାରେ ଓଡ଼ିଶୀ ବୈଷ୍ଣବ ଧର୍ମର ଗଭୀର ପ୍ରଭାବ ରହିଥିଲା । ଓଡ଼ିଆ ଭାଗବତର ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସ ଓ ରାମାୟଣର ରଚୟିତା ଭକ୍ତକବି ବଳରାମ ଦାସ ପ୍ରଭୃତି ମହାମନୀଷୀମାନେ ଉତ୍କଳୀୟ ଗଣ ହୃଦୟରେ ବୈଷ୍ଣବ ଧର୍ମର ପ୍ରେମ ଓ ଭକ୍ତିରସ ପ୍ରବାହିତ କରାଇ ସମଗ୍ର ଉତ୍କଳ ଭୂମିକୁ ପୂତ ପବିତ୍ର କରିଦେଇଥିଲେ । ସେତେବେଳକୁ ଜଗନ୍ନାଥ ମନ୍ଦିରରେ ଉତ୍କଳର କବି ଜୟଦେବଙ୍କର ‘ଗୀତଗୋବିନ୍ଦ’ ନିତ୍ୟ ସେବା ଲାଗି ରହିଥିଲା । ଜଗନ୍ନାଥ ଦାସଙ୍କ ‘ଭାଗବତ’ ମଧ୍ୟ ଉତ୍କଳୀୟ ଗ୍ରାମ ଜନପଦ ଠାରୁ ଆରମ୍ଭ କରି ସମଗ୍ର ମାନବର ଅତ୍ୟନ୍ତ ପ୍ରିୟ ଥିଲା ।

 

ଶ୍ରୀଚୈତନ୍ୟଙ୍କ ଉତ୍କଳ ଆଗମନ ପରେ ପ୍ରତାପରୁଦ୍ର ଚୈତନ୍ୟଙ୍କ ମନ୍ତ୍ର ଓ ବାଣୀରେ ଅଭିମନ୍ତ୍ରିତ ହୋଇ ଯାଇଥିଲେ । ଫଳତଃ ତତ୍କାଳୀନ ରାଜଧର୍ମ ପ୍ରଜା ଧର୍ମରେ ରୂପାନ୍ତରିତ ହୋଇ ଯାଇଥିଲା । ଉତ୍କଳୀୟ ପରିବେଶ ମଧ୍ୟରେ ଶ୍ରୀଚୈତନ୍ୟଙ୍କୁ କିପରି ଅଭ୍ୟର୍ଥନା କରାଯାଇପାରିବ ଓ ରାଜା ପ୍ରତାପରୁଦ୍ର ଦେବ କିପରି ଶ୍ରୀଚୈତନ୍ୟଙ୍କ ମୁଖ ଦର୍ଶନ କରି ପାରିବେ ସେଥିପାଇଁ ପରାମର୍ଶ ଦେବାକୁ ଓ ଶ୍ରୀଚୈତନ୍ୟଙ୍କ ସାକ୍ଷାତର ସୁବିଧା ନିମିତ୍ତ ପ୍ରତାପରୁଦ୍ର ସୁଦୂର ରାଜମହେନ୍ଦ୍ରୀ ନଗରୀରୁ ଭକ୍ତପ୍ରାଣ ରାୟ ରାମାନନ୍ଦଙ୍କୁ ନିମନ୍ତ୍ରଣ କରି ଆଣିଥିଲେ । ରାୟ ରାମାନନ୍ଦଙ୍କ ସାହାଯ୍ୟରେ ଚୈତନ୍ୟଙ୍କ ସହ ରାଜା ପ୍ରତାପରୁଦ୍ରଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ସେହିଦିନ ଠାରୁ ରାଜା ନିଜେ ଚୈତନ୍ୟଙ୍କର ପରମଭକ୍ତ ହୋଇଯାଇଥିଲେ । ଫଳତଃ ଜଗନ୍ନାଥ ଦାସଙ୍କ ପ୍ରଭାବ ସହିତ ଶ୍ରୀଚୈତନ୍ୟଙ୍କ ଅଲୌକିକ ମାହାତ୍ମ୍ୟ ଓ ରାଜାନୁଗ୍ରହ ଫଳରେ ବୈଷ୍ଣବ ଧର୍ମର ପ୍ରେମଲହରୀ ସମଗ୍ର ଉତ୍କଳୀୟ ଜନ ଜୀବନକୁ ଗଭୀର ଭାବେ ଆପ୍ଳୁତ କରି ରଖିଥିଲା ।

 

ମାତ୍ର ପ୍ରତାପରୁଦ୍ରଙ୍କ ପରେ ପରେ ଉତ୍କଳର ରାଜନୈତିକ ଆକାଶରେ ଘୋର ଅନ୍ତର୍ବିବାଦର ସୂତ୍ରପାତ ହୋଇଥିଲା । ଉତ୍କଳର ଚତୁର୍ଦ୍ଦିଗରେ ପ୍ରବଳ ମୁସଲମାନ୍‍ ଶକ୍ତି ପ୍ରତି ମୁହୂର୍ତ୍ତରେ ହିନ୍ଦୁ ରାଷ୍ଟ୍ର ଉତ୍କଳକୁ ଗ୍ରାସ କରି ନିଜର ଆଧିପତ୍ୟ ବିସ୍ତାର କରିବାକୁ ପ୍ରୟାସୀ ହୋଇ ଉଠିଥିଲେ । ଠିକ୍ ଏତିକିବେଳେ ଉତ୍କଳରେ ଯଥାର୍ଥ ରାଜଶକ୍ତିର ଅଭାବ ହେତୁ କ୍ଷମତାଲୋଭୀ ପାତ୍ର ସାମନ୍ତମାନେ ଆପଣାର ଅଦମ୍ୟ ଉଚ୍ଚାକାଂକ୍ଷାର ବଶବର୍ତ୍ତୀ ହୋଇ ପରସ୍ପର ମଧ୍ୟରେ ବିପଦ ସୃଷ୍ଟି କରିଥିଲେ । ଫଳତଃ ଓଡ଼ିଶାର ସ୍ଵାଧୀନତା ରବି କ୍ରମଶଃ ଉତ୍କଳୀୟ ଆକାଶରୁ ନିଷ୍ପ୍ରଭ ହେବାରେ ଲାଗିଲା । ମୁସଲମାନ୍‍ମାନେ ଓଡ଼ିଶା ଅଧିକାର କରିବା ପରେ ପରେ ଓଡ଼ିଶାର ଶାସନ ବ୍ୟବସ୍ଥାରେ ଘୋର ଅରାଜକତା ବ୍ୟାପିଗଲା । ଦୀର୍ଘ ତିନିଶହ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ମୁସଲମାନ୍‍ମାନଙ୍କ ଶାସନ ଫଳରେ ଶାନ୍ତିପ୍ରିୟ ଉତ୍କଳୀୟମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ଶାସନକଳରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଲା । ଓଡ଼ିଶାର ବହୁ ଅଞ୍ଚଳ ବିଦେଶୀମାନଙ୍କ ଆକ୍ରମଣର ଶିକାର ହେଲେ । ହିନ୍ଦୁ ମନ୍ଦିରଗୁଡ଼ିକ ମୁସଲମାନ୍‍ ଶାସକଙ୍କର ଆକ୍ରମଣରୁ ମଧ୍ୟ ରକ୍ଷା ପାଇଲାନାହିଁ-

 

ମୁସଲମାନ୍‍ ଆକ୍ରମଣର ସେହି ଦୁଃଖ ଭୁଲିବା ନିମିତ୍ତ ଉତ୍କଳୀୟ ମାନବ ଜଗନ୍ନାଥ ଦାସଙ୍କ ଭାଗବତ ସମେତ ରାଧା ଓ କୃଷ୍ଣ ପ୍ରେମରେ ଆକୃଷ୍ଟ ରହି କାଳାତିପାତ କରିବାରେ ଲାଗିଲେ । ଗଙ୍ଗ ଓ ସୂର୍ଯ୍ୟବଂଶୀୟ ରାଜାମାନେ ଯୁଦ୍ଧରେ ବହୁକାଳ ଲିପ୍ତ ଥିଲେ ମଧ୍ୟ ତାଙ୍କ ଶାସନ କାଳରେ ଦେଶବାସୀ ଶାନ୍ତିରେ ଜୀବନ ବିତାଇଥିଲେ । ଉତ୍କଳୀୟ ଗ୍ରାମର ସ୍ଵତନ୍ତ୍ର ଶାସକ ହିଁ ଏହାର ପ୍ରଧାନ କାରଣ ଥିଲା । ତେଣୁ ଯୁଦ୍ଧାଦି ଦ୍ଵାରା ଆର୍ଥିକ କ୍ଳେଶ ମଧ୍ୟରେ ଥିଲେ ହେଁ ଉତ୍କଳୀୟ ଜନଜୀବନ ଜଗନ୍ନାଥଙ୍କ କୃପାରୁ ଶାନ୍ତିରେ ଜୀବିକା ନିର୍ବାହ କରୁଥିଲା ।

 

ସର୍ବଧର୍ମ ସମନ୍ୱୟର ପୀଠ ଉତ୍କଳ :

 

ଜଗନ୍ନାଥଙ୍କୁ କେନ୍ଦ୍ରକରି ଉତ୍କଳୀୟ ସଂସ୍କୃତିର ବିକାଶ ଘଟିଛି । ତାଙ୍କୁ ଭିତ୍ତିକରି ସେହି ପୀଠରେ ଗଢ଼ି ଉଠିଛି ସାମ୍ୟ ଓ ସମନ୍ୱୟର ଧାରା । ଜଗନ୍ନାଥଙ୍କ ଧାମରେ ସେଥିନିମିତ୍ତ ସବୁ ଦେବଦେବୀଙ୍କର ସହାବସ୍ଥାନ ହୋଇଛି । ସମଗ୍ର ବିଶ୍ୱର ସୃଷ୍ଟି ଯେପରି ରହସ୍ୟମୟ ଜଗନ୍ନାଥଙ୍କ ସର୍ଜନା ମଧ୍ୟ ସେହିପରି ରହସ୍ୟମୟ । ଜଗନ୍ନାଥଙ୍କ ମାହାତ୍ମ୍ୟ କେବଳ ରାଜ୍ୟ ମଧ୍ୟରେ ସୀମିତ ନୁହେଁ । ତାଙ୍କର ମାହାତ୍ମ୍ୟ ବିଶ୍ୱବ୍ୟାପୀ । ସେଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁସନ୍ଥ ଓ ଧର୍ମଗୁରୁମାନେ ଉତ୍କଳକୁ ଆସିଛନ୍ତି ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରି ନିଜକୁ ଧନ୍ୟ ମନେ କରିଛନ୍ତି-। ଜଗନ୍ନାଥ ହେଉଛନ୍ତି ସର୍ବଧର୍ମ ସମନ୍ୱୟର ପ୍ରତୀକ । ଉତ୍କଳର ଧର୍ମ ହେଉଛି ଜଗନ୍ନାଥ ଧର୍ମ । ତାଙ୍କରି ସଂସ୍କୃତି ହେଉଛି ଓଡ଼ିଆ ଜାତିର ସଂସ୍କୃତି । ଏହି ଧର୍ମ ଓ ସଂସ୍କୃତି ସାର୍ବଜନୀନ ଓ ସର୍ବକାଳୀନ । ସେଥିନିମିତ୍ତ ଜୈନ, ବୌଦ୍ଧ, ବୈଷ୍ଣବ, ସୌର, ଗାଣପତ୍ୟ, ଶାନ୍ତ, ଶିଖ ପ୍ରଭୃତି ବିଭିନ୍ନ ଧର୍ମର ସାଧୁ ଓ ସନ୍ଥମାନେ ଜଗନ୍ନାଥଙ୍କୁ ନିଜ ନିଜର ଦେବତାଭାବେ ଗ୍ରହଣ କରିଛନ୍ତି । ତ୍ରିମୂର୍ତ୍ତି ମଧ୍ୟରେ ବିଭିନ୍ନ ଧର୍ମର ସ୍ୱରୂପ ପରିକଳ୍ପନା କରାଯାଇଛି । ବ୍ରାହ୍ମଣ୍ୟ ଧର୍ମରେ ଜଗନ୍ନାଥଙ୍କୁ ଦାରୁବ୍ରହ୍ମ ଓ ବୁଦ୍ଧଙ୍କୁ ଦଶାବତାର ମଧ୍ୟରେ ସ୍ୱୀକୃତି ଦିଆଯାଇଛି । ରଥଯାତ୍ରା ହେଉଛି ଉତ୍କଳୀୟ ଗଣଯାତ୍ରାର ପ୍ରତୀକ, ଜାତୀୟ ସଂହତି ଓ ଐତିହ୍ୟର ସ୍ମାରକ । ପୁନଶ୍ଚ ସ୍ୱୟଂ ଗଜପତି ମହାରାଜା ରଥଯାତ୍ରା ସମୟରେ ରଥରେ ଛେରା ପହଁରା କରି ସମଗ୍ର ବିଶ୍ୱରେ ଶ୍ରମର ମର୍ଯ୍ୟାଦା ସହିତ ଉତ୍କଳୀୟ ପ୍ରାଣରେ ସାମ୍ୟ ଓ ସହୃଦୟତାର ସୂଚନା ଦେଇଛନ୍ତି ।

 

ଉତ୍କଳର ରାଜନେତା ହେଉଛନ୍ତି ସ୍ଵୟଂ ନାରାୟଣ ବା ଶ୍ରୀଜଗନ୍ନାଥ । ଅଚଳ ମହାମେରୁ ହେଲେ ମଧ୍ୟ ସେ ସର୍ବତ୍ର ବିଦ୍ୟମାନ, ଚିରଚଞ୍ଚଳ, ସର୍ବଦ୍ରଷ୍ଟା ଏବଂ ସର୍ବଜ୍ଞ । ତାଙ୍କୁ ଭକ୍ତ ପ୍ରଶାନ୍ତ ନିର୍ମଳ ଚିତ୍ତରେ ଯେଉଁ ରୂପରେ ପରିକଳ୍ପନା କରିଛନ୍ତି ସେହି ରୂପରେ ପାଇଛନ୍ତି । ହିନ୍ଦୁ ଧର୍ମରେ ଜଗନ୍ନାଥଙ୍କ ମଧ୍ୟରେ ଶ୍ରୀକୃଷ୍ଣଙ୍କୁ ପରିକଳ୍ପନା କରାଯାଇଛି । ଶ୍ରୀଚୈତନ୍ୟ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଭକ୍ତି ଗଦ୍‌ଗଦ୍ ଚିତ୍ତରେ ତନ୍ମୟ ହୋଇ ତାଙ୍କରି ମଧ୍ୟରେ ଶ୍ରୀକୃଷ୍ଣଙ୍କ ରୂପସତ୍ତାକୁ ପରିକଳ୍ପନା କରିଛନ୍ତି ।

 

ଜଗନ୍ନାଥ ଧାମ ହିଁ ଭାରତବର୍ଷର ଭୂସ୍ୱର୍ଗ ଭାବେ କଥିତ । ସେଥିନିମିତ୍ତ ଏହି ପୁରୁଷୋତ୍ତମ କ୍ଷେତ୍ରରେ ଭକ୍ତମାନଙ୍କୁ ଅଭୟ ପ୍ରଦାନ କରିବା ପାଇଁ ଦାରୁବ୍ରହ୍ମ ପୁରୁଷୋତ୍ତମ ଏଠାରେ ବିଦ୍ୟମାନ । ତାଙ୍କର ଦର୍ଶନ ଲାଭ ନିମିତ୍ତ ଲକ୍ଷ ଲକ୍ଷ ଭକ୍ତ ଭାରତ ଓ ଭାରତ ବାହାରୁ ସବୁବେଳେ ସେହି ପୀଠରେ ଆସି ଏକତ୍ରିତ ହୋଇଛନ୍ତି । ଏହି ଭକ୍ତି ଭାବନାରେ ଆକର୍ଷିତ ହୋଇ ଜ୍ଵର ପ୍ରପୀଡ଼ିତ ଜଗନ୍ନାଥଭକ୍ତ ସାଲବେଗ ତ ସେଦିନ ସୁଦୂର ଉତ୍ତର ଭାରତରୁ ନିଜର ରୋଗ ଶୋକ ଭୁଲି ରଥଯାତ୍ରା ଦେଖିବା ପାଇଁ ଆସିଥିଲେ । ସାଲବେଗ ଥିଲେ ଜଗନ୍ନାଥଙ୍କର ପରମ ଭକ୍ତ-। ନିଜର ଆସିବା ମାର୍ଗରେ ସେ ଯେତେବେଳେ ଅସୁସ୍ଥ ହୋଇପଡ଼ିଲେ ସ୍ଵୟଂ ଜଗନ୍ନାଥ ତାଙ୍କର ଦୁଃଖ ବୁଝିପାରି ବଡ଼ଦାଣ୍ଡରେ ସେ ଆସିବା ପର୍ଯ୍ୟନ୍ତ ତାଙ୍କ ପଥ ଚାହିଁ ନନ୍ଦିଘୋଷ ରଥରେ ଅପେକ୍ଷା କରି ରହିଲେ । ସାଲବେଗ ନ ଆସିବା ପର୍ଯ୍ୟନ୍ତ ନନ୍ଦିଘୋଷ ରଥର ଚକ ତିଳେ ମଧ୍ୟ ଘୁଞ୍ଚିଲା ନାହିଁ । ଏହି କଥା ସ୍ଵୟଂ ସାଲବେଗ ତାଙ୍କ ଭଜନରେ ନିମ୍ନଭାବରେ ବ୍ୟକ୍ତ କରିଛନ୍ତି ।

 

‘‘ଜଗବନ୍ଧୁ ହେ ଗୋସାଇଁ !

ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ ।।

ସାତଶ ପଞ୍ଚାଶ କୋଶ ଦିଗ ଦିଶୁନାହିଁ ।

ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି ।।

ରଥ ଚାରିପାଶେ ଲମ୍ବେ ମୁକୁତାର ଝରା ।।

ଝଲଝଲ ଦିଶୁଥାଇ ପ୍ରଭୁ ଚକାଡୋଳା ?

 

ସବୁକାଳରେ ଜଗନ୍ନାଥ ଭକ୍ତଜନଙ୍କୁ ରକ୍ଷା କରିବା ସହିତ ପାପୀଙ୍କୁ ବିନାଶ କରିବା ପାଇଁ ନିଜର ଶଙ୍ଖଚକ୍ରଧାରୀ ରୂପ ପ୍ରଦର୍ଶନ କରିଛନ୍ତି । ଏ କ୍ଷେତ୍ରରେ ସେ ଆମ ସମାଜରୁ ଛୁଆଁ ଅଛୁଆଁ ଭେଦଭାବକୁ ଦୂରେଇ ଦେବାକୁ ପ୍ରୟାସୀ ହୋଇଛନ୍ତି । ଭକ୍ତକବି ବଳରାମଙ୍କ ପ୍ରାର୍ଥନାରେ ଜଗନ୍ନାଥ ଯେପରି ବାଙ୍କୀ ମୁହାଣରେ ବଳରାମଙ୍କ ନିର୍ମିତ ବାଲି ରଥରେ ସ୍ଵୟଂ ବିଦ୍ୟମାନ ହୋଇଛନ୍ତି ସେହିପରି ବନ୍ଧୁ ମହାନ୍ତିଙ୍କୁ ଶ୍ରୀମନ୍ଦିରରେ ରତ୍ନ ଥାଳୀରେ ପ୍ରସାଦ ଦେଇଛନ୍ତି ଏବଂ ଅଚ୍ଛବ ଦାସିଆ ବାଉରୀଠାରୁ ସ୍ଵହସ୍ତରେ ନଡ଼ିଆ ଗ୍ରହଣ କରି ନିଜ ଉଦାର ମନୋବୃତ୍ତିର ପରିଚୟ ପ୍ରଦାନ କରିଛନ୍ତି । ତେଣୁ ଭକ୍ତ ଜଗନ୍ନାଥଙ୍କୁ କିଛି ନମାଗି କେବଳ ଭିକ୍ଷା କରିଛି –

 

‘‘ନ ଧନଂ ନ ଜନଂ ନ ସୁନ୍ଦରୀ,

କବିତାଂ ବା ଜଗଦୀଶ କାମୟେ

ମମ ଜନ୍ମନି ଜନ୍ମନି ଈଶ୍ଵର

ଭବତାମ୍ ଅହେତୁକୀ ଭକ୍ତିତ୍ଵୟି ।’’

 

ସୁତରାଂ ସ୍ଵୟଂ ଜଗନ୍ନାଥ ଓ ଜଗନ୍ନାଥ ଧାମ ଉତ୍କଳ ହେଉଛି ସର୍ବଧର୍ମ ସମନ୍ୱୟର ପୀଠ-। ଏହି ପୀଠରେ ସବୁ ଧର୍ମ ଓ ସକଳ ବିଶ୍ଵାସ କେନ୍ଦ୍ରୀଭୂତ । ସେଥିନିମିତ୍ତ ଜାତି, ଧର୍ମ, ବର୍ଣ୍ଣ ଓ ଦଳମତ ନିର୍ବିଶେଷରେ ସାଧୁ ସନ୍ଥମାନେ ଜଗନ୍ନାଥଙ୍କୁ ଆପଣାର ଦେବତାଭାବେ ଗ୍ରହଣ କରି ନେଇଛନ୍ତି । ସାଲବେଗଙ୍କ ପରି ମୁସଲମାନ୍‍ଙ୍କ ଠାରୁ ଆରମ୍ଭ କରି ଖ୍ରୀଷ୍ଟିୟାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ବକ୍ଷରେ ଧାରଣ କରି ଜଗନ୍ନାଥ ହୋଇଛନ୍ତି ଏ ଜାତି ଜନତାର ଯଥାର୍ଥ ପ୍ରତିନିଧ-ଜଗତର ନାଥ ଜଗନ୍ନାଥ ଏବଂ ବିଶ୍ୱମୈତ୍ରୀ ଓ ପ୍ରଗତିର ମୂଳାଧାର ।

 

ବିଭିନ୍ନ ଧର୍ମ ପ୍ରଚାରକଙ୍କ ଓଡ଼ିଶା ଆଗମନ :

 

ଉତ୍କଳର ଜଗନ୍ନାଥ ଧାମ ହେଉଛି ସର୍ବଧର୍ମ ସମନ୍ୱୟର ପୀଠ । ତେଣୁ ଏହି ପୀଠକୁ ବିଭିନ୍ନ ସମୟରେ ଭାରତବର୍ଷର ବିଭିନ୍ନ ଅଞ୍ଚଳରୁ ବହୁ ଧର୍ମ ପ୍ରଚାରକ ଓ ମୁନିଋଷିମାନେ ଆସି ସ୍ଵଧର୍ମ ପ୍ରଚାର କରିବା ସହିତ ସମଗ୍ର ଭାରତରେ ସାଂପ୍ରଦାୟିକ ସଦ୍ଭାବନା ପ୍ରତିଷ୍ଠା ପାଇଁ ଉଦ୍ୟମ କରିଛନ୍ତି । ଜଗନ୍ନାଥ ହେଉଛନ୍ତି ପରଂବ୍ରହ୍ମ । ସେ ଏକ ନିର୍ଦ୍ଦିଷ୍ଟ ଜାତି, ଗୋଷ୍ଠୀ ବା ଦେଶର ଦେବତା ନୁହନ୍ତି । ସେ ହେଉଛନ୍ତି ସମଗ୍ର ଜଗତର କର୍ତ୍ତା ଓ ନାଥ । ସେଥିନିମିତ୍ତ ତାଙ୍କର ନାମ ହେଉଛି ଜଗନ୍ନାଥ । ଜଗନ୍ନାଥଙ୍କ ଠାରେ ସର୍ବଧର୍ମର ସମନ୍ୱୟ ହୋଇଥିବାରୁ ସାମ୍ୟବାଦୀ ଓ ମାନବବାଦୀ ଉଦାର ଚେତନାର ଉନ୍ମେଷ ତାଙ୍କରିଠାରେ ହିଁ ଘଟିଛି । ସେ ଜଗତର ନାଥ ହୋଇଥିବାରୁ ବିଶ୍ୱର ସମସ୍ତ ଧର୍ମ ଓ ମାନବ ଜାତିକୁ ସମଦୃଷ୍ଟିରେ ଦେଖିଛନ୍ତି । ତାଙ୍କ ନିକଟରେ ବ୍ରାହ୍ମଣ ଠାରୁ ଆରମ୍ଭ କରି ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ସମାନ । ସେ ପୁନଶ୍ଚ ମାନବବାଦ ଓ ଆଧ୍ୟାତ୍ମବାଦର ଏକ ଅପୂର୍ବ ସମନ୍ୱୟ । କଳା, ଧଳା ଏବଂ ପୀତବର୍ଣ୍ଣ ଯୁକ୍ତ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ସବୁ ଜାତିର ପ୍ରତିନିଧିତ୍ୱ କରି ସମଗ୍ର ମାନବ ସମାଜର ଐକ୍ୟର ପ୍ରତୀକ ରୂପେ ବିଦ୍ୟମାନ । ଏହାହିଁ ଜଗନ୍ନାଥ ସଂସ୍କୃତି ଓ ସେହି ଧର୍ମର ଚରମ ନିଦର୍ଶନ । ଜଗନ୍ନାଥ ଧର୍ମ ଓ ଇସ୍‍ଲାମ ଧର୍ମ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ଏକଥା କବିମାନେ ସ୍ୱୀକାର କରି କହିଛନ୍ତି –

 

ସତ୍ୟପୀର ସାହେବର ମହିମା ବର୍ଣ୍ଣନ

ଇହାର ପିୟାର ଭାଇ ଶୁଣ ସର୍ବଜନ ।

 

ଜଗନ୍ନାଥ ରୂପେ ଆମି ଓଡ଼ିଶାତେ ଆର

ହିନ୍ଦୁ ମୁସଲମାନ୍‍ ସର୍ବ କରି ଏକାକାର ।”

 

ସୁତରାଂ ଜଗନ୍ନାଥ କେବଳ ଓଡ଼ିଶାର ନୁହନ୍ତି, ସେ ହେଉଛନ୍ତି ସମଗ୍ର ବିଶ୍ଵର ଦେବତା । ତାଙ୍କରିଠାରୁ ସବୁ ଧର୍ମର ଉତ୍ପତ୍ତି ହୋଇଛି ଓ ସେସବୁ ତାଙ୍କରିଠାରେ ହିଁ ଲୀନ ହୋଇଛି । ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଏହି ଧର୍ମର ସାର୍ବଜନୀନତା, ମହନୀୟତା ଓ ଉଦାରତା ପ୍ରକାଶ ପାଇଛି । ଏହି ଧର୍ମର ଅନୁସରଣରେ ମାନବ ଜୀବନରେ ଆସିଛି ପ୍ରେରଣା ଓ ପୂର୍ଣ୍ଣତା । ଏହି ଧର୍ମର ପ୍ରତିଷ୍ଠାରେ ବିଶ୍ଵରେ ଶାନ୍ତି ବିରାଜମାନ କରିଛି । ତେଣୁ ଭାରତବର୍ଷର ବିଭିନ୍ନ ଅଞ୍ଚଳରୁ ଯେଉଁ ଧର୍ମ ପ୍ରଚାରକମାନେ ଆସିଛନ୍ତି, ସେମାନେ ସ୍ଵଧର୍ମ ପ୍ରଚାର କରିବା ଅବସରରେ ଜଗନ୍ନାଥ ଓ ଜଗନ୍ନାଥ ଧର୍ମ ସହିତ ଓତପ୍ରୋତ ମିଶିଯାଇଛନ୍ତି ଏବଂ ଜଗନ୍ନାଥ ଧାମରୁ ପ୍ରତ୍ୟାବର୍ତ୍ତନ କଲାବେଳେ ଏକ ନୂତନ ସର୍ବଜନାଦୃତ ଦୃଷ୍ଟିଭଙ୍ଗୀ ନେଇ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପୁନଶ୍ଚ ଏହି ମନୀଷୀଗଣ ସମଗ୍ର ଭାରତବର୍ଷରେ ସାଂପ୍ରଦାୟିକ ସଦ୍ଭାବନା ପ୍ରତିଷ୍ଠା ଦିଗରେ ଜଗନ୍ନାଥ ଧାମରୁ ହିଁ ପ୍ରେରଣା ଲାଭ କରିଛନ୍ତି ।

 

ସମଗ୍ର ଭାରତବର୍ଷରେ ବିଭିନ୍ନ ସମୟରେ ବହୁ ମୁନି ଋଷି, ଭକ୍ତ, କବିମାନେ ଜନ୍ମଗ୍ରହଣ କରି ଭାରତୀୟ ସଂସ୍କୃତି ଓ ସଭ୍ୟତାର ପୁନରୁଦ୍ଧାର ସହିତ ବିଶ୍ଵବାସୀଙ୍କ ଉଦ୍ଦେଶ୍ୟରେ ମାନବବାଦର ବାର୍ତ୍ତା ପ୍ରଚାର କରିଛନ୍ତି । ପୁନଶ୍ଚ ଏହି ମହାମନୀଷୀମାନଙ୍କ ମଧ୍ୟରୁ ଅନେକ ପୁରୀ ଧାମକୁ ଆସି ଜଗନ୍ନାଥ ପୀଠରେ ନିଜକୁ ଏକାକାର କରି ଦେଇଛନ୍ତି । ଭାରତବର୍ଷର ଏହି ପରି ସାଧକମାନଙ୍କ ମଧ୍ୟରେ ଶଙ୍କରାଚାର୍ଯ୍ୟ, ଶ୍ରୀଚୈତନ୍ୟ, କବୀର, ନାନକ, ମାଧ୍ୱାଚାର୍ଯ୍ୟ ପ୍ରଭୃତି ପ୍ରଧାନ-

 

ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆବିର୍ଭାବ କାଳ ହେଉଛି ସମଗ୍ର ଭାରତବର୍ଷରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ । ଏହି ସମୟକୁ ଭାରତବର୍ଷରେ ମୂର୍ଖ, ନାସ୍ତିକ ଓ ମୁସଲମାନ୍‍ମାନଙ୍କ ଉତ୍ପାତ ବୃଦ୍ଧି ପାଇଥିଲା । ଫଳତଃ ବୈଦିକ ମାର୍ଗରେ ଦୁର୍ଗତି ଦେଖାଦେବା ସହିତ ଭଗବତ୍ ବିଦ୍ୱେଷୀ ଦାନବମାନେ ଭାରତୀୟ ସଂସ୍କୃତିକୁ ନାନା ଦିଗରୁ ପଙ୍କିଳ ଓ କଳୁଷିତ କରିଦେଇଥିଲେ । ପୁନଶ୍ଚ ମୋଗଲ ଶାସନକାଳରେ ଜଗତର ନାଥ ଜଗନ୍ନାଥ ମଧ୍ୟ ସେହିମାନଙ୍କ କୁଦୃଷ୍ଟିରୁ ନିଜକୁ ରକ୍ଷା କରିନପାରି ଶ୍ରୀକ୍ଷେତ୍ରରୁ ସୁଦୂର ସୋନପୁରକୁ ସ୍ଥାନାନ୍ତରିତ ହୋଇଥିଲେ । ସେହିଠାରେ ସେ ଭୂଗର୍ଭରେ ପାତାଳୀ ହୋଇ ରହିଥିଲେ । ଶଙ୍କରାଚାର୍ଯ୍ୟଙ୍କ ଦିବ୍ୟଲୀଳା କ୍ରମେ ଶ୍ରୀଜଗନ୍ନାଥ ମହାପ୍ରଭୁ ପୁନଶ୍ଚ ପୁରୁଷୋତ୍ତମ କ୍ଷେତ୍ରକୁ ଆସି ରତ୍ନବେଦୀରେ ପଟ୍ଟାଭିଷେକ ହୋଇଥିଲେ । ଏ ପ୍ରସଙ୍ଗରେ ମାଦଳାପାଞ୍ଜିରେ ନିମ୍ନମତେ ଉଲ୍ଲେଖ ଅଛି–“ଶୋଭନ ଦେବ ଭୋଗକଲେ ୯୬ ବର୍ଷ-। ଏହି ମହାରାଜାଙ୍କ ୨ ଅଙ୍କେ ଦିଲ୍ଲୀରୁ ରକ୍ତବାହୁ ଆସିବା ବାରତାକୁ ପରମେଶ୍ୱରଙ୍କୁ ସୁନୁପୁର ଗୋପଲୀ ଘେନିଗଲେ । ସେଠାରେ ମଣ୍ଡପ ଗୋଟିଏ କରି ବିଜେ କରାଇଲେ ୪୫ ବର୍ଷ । ଏଥି ଉତ୍ତାରେ ମୁଗଲେ ପ୍ରବଳ ହୋଇଲାକୁ ସେବକେ ସେଠାରେ ପରମେଶ୍ୱରଙ୍କୁ ପାତାଳି କରି ଉପରେ ଗଛ ଲଗାଇ ରାଜ୍ୟରୁ ଅନ୍ତର ହୋଇଗଲେ । ଶଙ୍କରାଚାର୍ଯ୍ୟଙ୍କ ଆଗମନରେ ପୁରୀଧାମ ଭାରତର ଧର୍ମ ଦର୍ଶନ ଇତିହାସରେ ଏକ ମୁଖ୍ୟ ସ୍ଥାନ ଗ୍ରହଣ କରିଛି । ସେ ଭକ୍ତି ଗଦ୍‌ଗଦ୍ କଣ୍ଠରେ ପ୍ରକାଶ କରିଛନ୍ତି–‘‘ଜଗନ୍ନାଥ ସ୍ଵାମୀ, ନୟନ ପଥଗାମୀ, ଭବତୁମେ ।’’

 

ଚୈତନ୍ୟଦେବ ତାଙ୍କ ଜୀବନର ଶେଷକାଳ ଏହି ଜଗନ୍ନାଥ ଧାମରେ ଅତିବାହିତ କରିଛନ୍ତି । ଗଜପତି ରାଜାଙ୍କର ଶାସନକାଳରେ ଓଡ଼ିଶା ବିଶେଷକରି ପୁରୀ ଏକ ହିନ୍ଦୁ ରାଜ୍ୟ ଥିବାରୁ ହିନ୍ଦୁଧର୍ମ ପ୍ରଚାର କରିବା ପାଇଁ ଶ୍ରୀଚୈତନ୍ୟ ପୁରୀକୁ ସମଗ୍ର ଭାରତବର୍ଷର ଶ୍ରେଷ୍ଠ କ୍ଷେତ୍ର ଭାବରେ ଗ୍ରହଣ କରିଥିଲେ । ପୁନଶ୍ଚ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ସେ କୌଣସି ଭେଦଭାବ ଲକ୍ଷ୍ୟ କରିନଥିଲେ । ତାଙ୍କ ଦୃଷ୍ଟିରେ ପୁରୀଧାମ ଥିଲା ନିତ୍ୟ ବୃନ୍ଦାବନ । ଜଗନ୍ନାଥଙ୍କ ମଧ୍ୟରେ ସେ କୃଷ୍ଣଙ୍କର ସତ୍ତା ଅନୁଭବ କରୁଥିଲେ । ନୀଳାଚଳକୁ ସେ ଦ୍ଵାରକା ଓ ଗୁଣ୍ଡିଚା ମନ୍ଦିରକୁ ବୃନ୍ଦାବନ ଭାବରେ ଗ୍ରହଣ କରିଥିଲେ । ପ୍ରତ୍ୟେକ ବର୍ଷ ରଥଯାତ୍ରା ସମୟରେ ଜଗନ୍ନାଥ ଗୋପୀ ବା ପରମ ଭକ୍ତମାନଙ୍କ ସହିତ ମିଳନ ପାଇଁ ପୁଷ୍କରିଣୀ, ଉପବନ ଓ ନାରୀକେଳ ଉଦ୍ୟାନ ସମନ୍ୱିତ ଗୁଣ୍ଡିଚାରୂପୀ ବୃନ୍ଦାବନକୁ ଯାତ୍ରା କରନ୍ତି । ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ମାତ୍ରେ ତାଙ୍କ ହୃଦୟରେ ଗଭୀର ଭାବାବେଗ ଜାତ ହୁଏ । ରଥଯାତ୍ରା ସଂପର୍କିତ ବିଶଦ ବିବରଣୀ ‘ଚୈତନ୍ୟ ଚରିତାମୃତ’ ପ୍ରଥମ ଖଣ୍ଡରୁ ହିଁ ଦୃଷ୍ଟିଗୋଚର ହୋଇଥାଏ । ଯେତେବେଳେ ସମଗ୍ର ଭାରତବର୍ଷରେ ମୁସଲମାନ୍‍ ରାଜା ଓ ନବାବମାନେ ଆବିର୍ଭୂତ ହୋଇ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କୁ ଧର୍ମାନ୍ତରିତ କରୁଥିଲେ ଶ୍ରୀଚୈତନ୍ୟଙ୍କର ଠିକ୍ ସେତିକିବେଳେ ଓଡ଼ିଶାରେ ଆବିର୍ଭାବ ଘଟିଥିଲା । ତାଙ୍କର ଓଡ଼ିଶା ଆଗମନ ପରେ ପରେ ସମାଜରୁ ଘୃଣ୍ୟ ଜାତିଗତ ବୈଷମ୍ୟ ଅନେକ ପରିମାଣରେ ହ୍ରାସପାଇବା ସହିତ ବୈଷ୍ଣବଧର୍ମର ପୁନରୁଦ୍ଧାର ଘଟିଥିଲା । ଚୈତନ୍ୟଙ୍କ କାଳରେ ବୈଷ୍ଣବ ଧର୍ମରେ ପ୍ରେମର ବନ୍ୟା କେବଳ ପୁରୀ ଧାମ ନୁହେଁ, ସାରା ଭାରତବର୍ଷରେ ପ୍ଳାବିତ ହୋଇଥିଲା । ଫଳତଃ ସେ ଏ ଜାତିର ଏକ ସନ୍ଧି କ୍ଷଣରେ ଆବିର୍ଭୂତ ହୋଇ ଆମ ଜାତିକୁ ପ୍ରେରଣା ଦେବା ସହିତ ପ୍ରେମମାର୍ଗରେ ସମଗ୍ର ଭାରତବର୍ଷରେ ଜାତୀୟତାର ବୀଜ ବପନ କରିଥିଲେ ।

 

ଏହି କାଳରେ କବୀର ମଧ୍ୟ ପୁରୀ ଧାମକୁ ଆସି ଜଗନ୍ନାଥଙ୍କଠାରେ ବିଶ୍ଵମୈତ୍ରୀ ଭାବ ଲକ୍ଷ୍ୟ କରିଥିଲେ । କବୀରଙ୍କ ଦୃଷ୍ଟିରେ ରାମ-ରହିମ୍ ଓ କୃଷ୍ଣ-କରିମ୍ ହେଉଛନ୍ତି ଏକ ଓ ଅଭିନ୍ନ । ସେଥିପାଇଁ ସେ ଉଭୟ ଆଲ୍ଲା ଓ ରାମଙ୍କୁ ପ୍ରାର୍ଥନା କରୁଥିଲେ । ମାନବ ହୃଦୟରେ ଦେବତାର ଆସନ ରହିଛି ବୋଲି ସେ ଅନୁଭବ କରୁଥିଲେ । ତେଣୁ ସେ ପ୍ରକାଶ କରୁଥିଲେ–ଦେବତାର ଆସନ ମାନବ ହୃଦୟରେ । ଜପତପ କଲେ, ଭଜନ ଗାନକଲେ ବା ମସ୍‍ଜିଦ୍‍ ରେ ନମାଜ ପଢ଼ିଲେ କି ଲାଭ । ମନ ମଧ୍ୟରେ ଯଦି କପଟତା ରହେ ହଜ୍ ବା କାଶୀ ଯାଇ ଲାଭ କ’ଣ ? ବ୍ରାହ୍ମଣ ଚବିଶ ଏକାଦଶୀ କରେ ଓ ମୁଲ୍ଲା ରମ୍‌ଜାନ କରେ । ଆଚ୍ଛା କହିଲ ଏଗାର ମାସ କାହିଁକି ଖାଲି ଗଲା, ବାକି ମାସକରେ ସବୁ ପୁଣ୍ୟ ହୋଇଗଲା କିପରି ? ଭାଇ ! ଖୁଦା ଯଦି ଖାଲି ମସ୍‍ଜିଦ୍‍ ରେ ଅଛନ୍ତି ତାହେଲେ ଅନ୍ୟ ସାରା ଦୁନିଆ ପୁଣି କାହାର ? ହିନ୍ଦୁମାନଙ୍କ ମତରେ ରାମ ତୀର୍ଥ ତଥା ମୂର୍ତ୍ତି ମଧ୍ୟରେ ବିରାଜମାନ । କିନ୍ତୁ ଏ ଦୁହିଁଙ୍କ ମଧ୍ୟରେ କେହି ତାଙ୍କୁ ଦେଖିନାହାନ୍ତି । ପୂର୍ବ ଦିଗରେ ଜଗନ୍ନାଥ ପୁରୀ ଭଗବାନଙ୍କର ନିବାସ ସ୍ଥାନ ବୋଲି ହିନ୍ଦୁମାନଙ୍କର ବିଶ୍ଵାସ ! ପଶ୍ଚିମରେ କାବାରେ ଆଲ୍ଲାଙ୍କର ବାସସ୍ଥାନ ବୋଲି ମୁସଲମାନ୍‍ମାନଙ୍କର ବିଶ୍ଵାସ । ହେ ଲୋକମାନେ ! ତୁମେ ନିଜ ହୃଦୟ ଖୋଜ । ଏହାର ମଧ୍ୟରେ ରାମ ଅଛନ୍ତି । ରହିମ ଅଛନ୍ତି । ପୂର୍ବ ବା ପଶ୍ଚିମରେ ନାହାନ୍ତି । ସ୍ତ୍ରୀ ପୁରୁଷ ଜନ୍ମ ହୋଇଛନ୍ତି । ସମସ୍ତେ ତୁମରି ସୃଷ୍ଟି । କବୀର ଆଲ୍ଲା ଓ ରାମଙ୍କର ସନ୍ତାନ ବୋଲି ସେ ତାଙ୍କ କବିତା ମଧ୍ୟରେ ବାରମ୍ବାର ଉଲ୍ଲେଖ କରିଛନ୍ତି ।

 

‘‘ଅଲ୍ଲହ ରାଂମଜିଉଁ ତେରେ ନାଂଈଂ ।

ବେ ବେ ଉପରି ମିହରି କରୌ ମେରେ ସାଂଈ ।।

କ୍ୟାଲେ ମୂଡ଼ୀ ଭୂଇଁ ସୌଂ ମାରେଂ କ୍ୟା ଜଲଦେହନ୍‌ହ ବାଏ ।

ଖୁବ୍ କରେ ମିସକିନ୍ କହାବେ ଗୁହୀ ରହେ ଛିପାଏ |

କ୍ୟା ଭଜୁ ଜପ ମଜନ କୀଏ କ୍ୟା ସମିତି ସିରୂନାଏ।

ଦିଲ ମହିଂ କପଟ ନିବାଜ ଗୁଜାରେ କ୍ୟା ହଜ କାବେ ଜାଏଂ ।।

ବ୍ରାଂହ୍ମନ ଗ୍ୟାରସି କରେ ଚୈବିସୌ କାଜୀ ମହଂ ରମଜାଂନାଂ ।

ଗ୍ୟାରହ ମାସ କହୌ କ୍ୟୁଂ ଖାଲିଏକହି ମାଂହିଂ ନାୟାଂନାଂ ।।

ଜୌରେ ଖୁଦାଇ ସମିତି ବସତୁ ହେ ଓ୍ୱାର ମୁଲକ ବିସ କେରା।

ତୀରଥି ମୂରତି ରାଂମ ନିବାସୀ ଦୁହୁ ମହିଂ କିନହୁଂ ନ ହେରା ।।

ପୁରବ ଦିସା ହରି କା ବାସା ପଚ୍ଛିମି ଅଲହ ମୁକାଂମା ।

ଦିଲ ମହିଂ ଖୋଜି ଦିଲେ ଦିଲି ଖୋଜହୁ ଇହଂଇ ରହୀମାଂ ରାଂମାଂ ।।

ଜେତେ ଔରତି ମରଦ ଉପାଦନଂ ସୋ ସଉରୂପ ତୁମ୍‌ହାରା ।

କବୀର ଫୁଗରା ଅଲହ ରାଂମ କା ସୋଇଗୁରୁ ପୀର ହମରା ??

(କବୀର ରଚନାବଳୀ)

 

ଧର୍ମରେ ରକ୍ଷଣଶୀଳତା କବୀରଙ୍କର ପସନ୍ଦ ନଥିଲା । ହିନ୍ଦୁ ଓ ମୁସଲମାନ୍‍ଙ୍କ ମଧ୍ୟରେ ସେ କୌଣସି ପ୍ରଭେଦ ଦେଖୁନଥିଲେ । ଜଗନ୍ନାଥ ଧର୍ମ ପରି ନିମ୍ନ ବର୍ଣ୍ଣ ଓ ଦଳିତ ଜାତିର ଲୋକେ ତାଙ୍କୁ ନିଜର ମିତ୍ର ବୋଲି ସ୍ୱୀକାର କରୁଥିଲେ । ତାଙ୍କ ଧର୍ମ ଥିଲା ସବୁ ଧର୍ମର ସାର ସଂଗ୍ରହ । ପୃଥିବୀର ସବୁ ମତବାଦର ଭଲ ଭଲ କଥାକୁ ସେ ନିଜର କରି ନେଇଥିଲେ । ତାଙ୍କ ଦୃଷ୍ଟିରେ ରାମ ଓ ରହିମ ହେଉଛନ୍ତି ଏକ । ଦୁହିଙ୍କର ଅର୍ଥ ହେଉଛି ପରମାତ୍ମା । ତାଙ୍କ ସମୟରେ ଭାରତବର୍ଷରେ ହିନ୍ଦୁ ଓ ମୁସଲମାନ୍‍ଙ୍କ ମଧ୍ୟରେ ଯେଉଁ ଏକତାର ଅଭାବ ଥିଲା ତାହାକୁ ଦୂର କରିବା ସହିତ ଉଭୟ ସଂପ୍ରଦାୟରେ ସେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିଲେ । ସେ ଉଦ୍‌ଘୋଷଣା କରୁଥିଲେ ଯେ ପ୍ରେମ ଓ ଦୟା ହିଁ ପ୍ରକୃତ ଧର୍ମ ଓ ସବୁ ଧର୍ମର ଈଶ୍ଵର ଏକ ।

 

ଏହି କାଳରେ ଅନ୍ୟ ଜଣେ ମହାମନୀଷୀ ନାନକ ଦେବ ମଧ୍ୟ ପୁରୀ ଆସି ସେଠାରେ ଭଗବାନଙ୍କ ବାଣୀ ପ୍ରଚାର କରିଥିଲେ । ସେ ଥିଲେ ଜଣେ ମହାନ ସମାଜ ସଂସ୍କାରକ । ଅସ୍ଫୃଶ୍ୟତା, ଅନ୍ଧବିଶ୍ୱାସ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ମାନବ ପ୍ରେମ ଗାନ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ହିନ୍ଦୁ ମୁସ୍‍ଲିମ ଏକତାର ସେ ଥିଲେ ଜଣେ ପ୍ରମୁଖ ସମର୍ଥକ । ତାଙ୍କ ଦୃଷ୍ଟିରେ ସମସ୍ତଙ୍କ ଈଶ୍ଵର ହେଉଛନ୍ତି ଏକ । ସେ ପୁଣି ଉଲ୍ଲେଖ କରୁଥିଲେ କେହି ହିନ୍ଦୁ ନୁହେଁ ବା କେହି ମୁସଲମାନ୍‍ ନୁହେଁ । ସମସ୍ତେ ହେଉଛନ୍ତି ସେହି ପରମପିତା ପରମେଶ୍ଵରଙ୍କ ସେବକ । ତାଙ୍କ ଦୃଷ୍ଟିରେ କେହି ଖରାପ ନୁହେଁ । ଅନ୍ୟର ମନ୍ଦ ଗୁଣ ଦେଖିବା ଛାଡ଼ି ଦେଇ ଆମ୍ଭେମାନେ ପ୍ରଥମେ ନିଜ ନିଜର ଦୋଷ ଦେଖିବା ଓ ତାହା ଦୂର କରିବା ଉଚିତ ।

 

ଗୁରୁ ନାନକଙ୍କର ଉପଦେଶର ଢଙ୍ଗ ଥିଲା ଅନନ୍ୟ ଓ ବିଚିତ୍ର । ସେ ଏକଦା ଆରବ ଦେଶରେ ଥିବା ବେଳେ ଥରେ ମକ୍‌କା ଆଡ଼କୁ ଗୋଡ଼ ଲମ୍ବାଇ ଶୋଇଥିଲେ । ସେଠାରେ ଥିବା ମୌଲାନା ଓ କାଜୀ ଲୋକେ ଏହା ଦେଖି ତାଙ୍କ ଉପରେ ଖୁବ୍ ବିଗିଡ଼ିଲେ ଏବଂ କହିଲେ–ଆଲ୍ଲାଙ୍କ ଘର ଆଡ଼କୁ ଗୋଡ ଲମ୍ବାଇ ଶୁଅ ନାହିଁ । ଗୁରୁ ନାନକ ଉତ୍ତର ଦେଲେ–‘‘କାଜୀ ମହୋଦୟ, ଯେଉଁଆଡ଼େ ଆଲ୍ଲାଙ୍କର ଘର ନୁହେଁ, ସେହି ଆଡ଼େ ମୋ ଗୋଡ଼ ବୁଲାଇଦିଅ ।” ତାଙ୍କ କଥା ଶୁଣି ସେଦିନ ସବୁଲୋକ ଚକିତ ହୋଇ ପରସ୍ପର ମୁହଁ ଚାହାଁ ଚାହିଁ ହେଲେ । ଗୁରୁ ନାନକ କେଉଁ ଆଡ଼କୁ ପାଦ ବୁଲାଇ ଶୋଇବେ ସେମାନେ ତାହା ଜାଣିପାରିଲେ ନାହିଁ ।

 

ଏତଦ୍ୱବ୍ୟତୀତ ଏହି ପର୍ଯ୍ୟାୟରେ ମାଧବାଚାର୍ଯ୍ୟ, ନିମ୍ବାର୍କ, ବଲ୍ଲଭାଚାର୍ଯ୍ୟ, ଶ୍ରୀ ଜୟଦେବ, ମୀରାବାଈ ପ୍ରମୁଖ ମହାମନୀଷୀମାନେ ପୁରୀଧାମକୁ ଆସି ସେଠାରୁ ଯଥେଷ୍ଟ ଭାବରେ ପ୍ରଭାବିତ ହୋଇଛନ୍ତି । ସଂପ୍ରତି ପୁରୀରେ ପ୍ରତିଷ୍ଠିତ ଗୋବର୍ଦ୍ଧନ ମଠ, ବଳଭଦ୍ର ଛତା ମଠ, ରାଧାକାନ୍ତ ମଠ, ରାଧାବଲ୍ଲଭ ମଠ, ମହାପ୍ରଭୁଜୀ ମଠ, କବୀର ଚୌରା ମଠ, ମଙ୍ଗୁ ମଠ, ଦଶବତାର ମଠ, ନନ୍ଦିନୀ ମଠ ପ୍ରଭୃତି ଅତୀତର ସେହି ସ୍ମୃତିର ବାହକ ହୋଇଛି ଏବଂ ପୁରୀର ଶ୍ରୀଜଗନ୍ନାଥ ପୀଠ ସାଂପ୍ରଦାୟିକ ସଦ୍ଭାବନା ପ୍ରତିଷ୍ଠା ଦିଗରେ ସହାୟକ ହୋଇଛି ।

Image

 

Unknown

ଦ୍ୱିତୀୟ ପରିଚ୍ଛେଦ

 

ଓଡ଼ିଶାରେ ମୋଗଲ ଶାସନର ଅୟମାରମ୍ଭ :

 

ସମଗ୍ର ଆରବ ଦେଶରେ ଖ୍ରୀ.ଅ. ୬୨୨ ବେଳକୁ ପୌତ୍ତଳିକ ଧର୍ମର ଅପ୍ରତିହତ ପ୍ରଭାବ ସହିତ ସ୍ଵଧର୍ମ ଅବମାନନାରେ ବ୍ୟଥିତ ହୋଇପଡ଼ି ମହାପୁରୁଷ ମହମ୍ମଦ ମୁସଲମାନ୍‍ ଧର୍ମ ପ୍ରଚାର କରିଥିଲେ । ଫଳ ସ୍ଵରୂପ ତାଙ୍କର ମୃତ୍ୟୁପରେ ମଧ୍ୟ ମୁସଲମାନ୍‍ ଧର୍ମ ଏସିଆ ମହାଦେଶର ଦକ୍ଷିଣ ପଶ୍ଚିମାଞ୍ଚଳ ସମେତ ଏସିଆ ମାଇନର, ସିରିଆ, ମେସୋପଟ୍ଟାମିଆ, ଆରବ, ପାରସ୍ୟ, ଆଫଗାନିସ୍ଥାନ, ବେଲୁଚିସ୍ଥାନ ପ୍ରଭୃତିକୁ ପରିବ୍ୟାପ୍ତ ହୋଇଥିଲା । ୧୨୦୬ ଖ୍ରୀ.ଅ.ରେ ଆଫଗାନ୍‍ମାନେ ଦିଲ୍ଲୀରେ ରାଜଧାନୀ ସ୍ଥାପନ କରି ଭାରତବର୍ଷରେ ରାଜପଣ ବିସ୍ତାର କରିଥିଲେ । ସେମାନେ ୧୫୦୬ ଖ୍ରୀ.ଅ. ପର୍ଯ୍ୟନ୍ତ ଭାରତବର୍ଷର ବିଭିନ୍ନ ଅଞ୍ଚଳ ଅଧିକାର କରି ଶାସନ କରିଥିଲେ । ମୋଗଲ ଅଧିପତି ବାବର ୧୫୨୬ ଖ୍ରୀ.ଅ. ରେ ଆଫଗାନିସ୍ଥାନ ଅଧିକାର କରିବା ସହିତ ଭାରତବର୍ଷ ଆକ୍ରମଣ କରିଥିଲେ । ଏଥିରେ ପଠାଣମାନେ ପାନିପଥ ଯୁଦ୍ଧରେ ପରାସ୍ତ ହୋଇଥିଲେ । ଫଳରେ ଭାରତବର୍ଷରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ହୋଇଥିଲା । ପଠାଣମାନେ ଦିଲ୍ଲୀ ସିଂହାସନରୁ ବିତାଡ଼ିତ ହେଲାପରେ ଭାରତର ବଙ୍ଗଦେଶ ସମେତ ଭିନ୍ନ ଭିନ୍ନ ପ୍ରଦେଶରେ ମୋଗଲ ସମ୍ରାଟଙ୍କ ଅଧୀନରେ ଶାସନକର୍ତ୍ତା ଭାବେ ରହିଥିଲେ । ଆଫଗାନ୍‍ମାନେ ପ୍ରାୟ ତିନିଶହ ବର୍ଷରୁ ଊର୍ଦ୍ଧ୍ୱକାଳ ଦିଲ୍ଲୀ ସମ୍ରାଟ ଥାଇ ସମଗ୍ର ଭାରତବର୍ଷରେ ପଠାଣ ସାମ୍ରାଜ୍ୟ ବିସ୍ତାର କରିଥିଲେ ସୁଦ୍ଧା ଉତ୍କଳକୁ ଅଧିକାର କରିବା ସେମାନଙ୍କ ପକ୍ଷେ ସମ୍ଭବପର ହୋଇପାରି ନଥିଲା ।

 

ଦେଶୀୟ ରାଜ୍ୟମାନଙ୍କ ସହିତ ଅନ୍ତର୍ବିବାଦ ହେତୁ ଉତ୍କଳ ହୀନବଳ ହୋଇଯିବା ବେଳେ ବଙ୍ଗର ସୁଲତାନ ସୁଲେମାନ କରରାନୀ ମୋଗଲ ରାଜତ୍ଵ ବିରୁଦ୍ଧରେ ନିଜକୁ ସ୍ଵାଧୀନ ସୁଲତାନ ଭାବେ ଘୋଷଣା କରି ୧୫୬୮ ଖ୍ରୀ.ଅ.ରେ ଓଡ଼ିଶା ଆକ୍ରମଣ କରିଥିଲେ ଓ ପରେ ପରେ ଓଡ଼ିଶା ଅଧିକାର କରିଥିଲେ । ସୁଲେମାନ କରରାନୀଙ୍କ ଏହି ଐତିହାସିକ ବିଜୟ ଫଳରେ ସମଗ୍ର ଭାରତବର୍ଷର ଏକମାତ୍ର ସ୍ଵାଧୀନ ହିନ୍ଦୁରାଷ୍ଟ୍ର ଓଡ଼ିଶା ସବୁଦିନ ପାଇଁ ତା’ର ସ୍ଵାଧୀନତା ହରାଇଥିଲା । ୧୫୬୮ ଖ୍ରୀ.ଅ. ରୁ ଏହା ସୁଲେମାନଙ୍କ ଶାସନାଧୀନ ହୋଇ ରହିଥିଲା । ଚତୁର ସୁଲେମାନ ଏତିକିବେଳେ ଆକବରଙ୍କ ଆନୁଗତ୍ୟ ସ୍ୱୀକାର କରି ନେଇଥିବାରୁ ତାଙ୍କର ଏହି ବିଜୟରେ ମୋଗଲ ସମ୍ରାଟ ଆକବର ହଠାତ୍ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ ।

 

ଓଡ଼ିଶା ଅଧିକାର ଓ ବିଜୟ ପରେ ପରେ ଆପଣାର ଦୃଢ଼ ଶାସନ କରିବା ନିମିତ୍ତ ସୁଲେମାନ ଓଡ଼ିଶା ଆସିଥିଲେ । ଓଡ଼ିଶାର ଶାସନଭାର ଗ୍ରହଣ କରିବା ପରେ ସେ ତାଙ୍କର ମନ୍ତ୍ରୀ ଉଜୀର ଖାଁ ଜାହାନ୍‍ଲୋଦୀଙ୍କୁ କଟକଠାରେ ଓ ଅନ୍ୟ ଜଣେ କର୍ମଚାରୀ କଲେଖାଁଙ୍କୁ ପୁରୀର ଶାସନକର୍ତ୍ତା ଭାବେ ନିଯୁକ୍ତିଦେଇ ବଙ୍ଗଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମାତ୍ର ସାଧାରଣ କର୍ମଚାରୀମାନେ ଯେତେବେଳେ ଶାସନକର୍ତ୍ତାର ଆସନରେ ଆସୀନ ହୋଇଗଲେ ସେତେବେଳେ ସେମାନେ ନିଜକୁ ସର୍ବେସର୍ବା ଜ୍ଞାନ କରିଥିଲେ । ଫଳତଃ ସୁଲେମାନ ବଙ୍ଗଦେଶକୁ ଫେରିଯିବା ମାତ୍ରେ ଓଡ଼ିଶାର ସାମାଜିକ ଓ ରାଜନୈତିକ ଆକାଶରେ ଏକ ଆକସ୍ମିକ ଝଡ଼ ସୃଷ୍ଟି ହୋଇଥିଲା । ୧୫୭୨ ଖ୍ରୀ.ଅ.ରେ ସୁଲେମାନ କରରାନୀଙ୍କ ମୃତ୍ୟୁ ହେବାରୁ ତାଙ୍କର ଜ୍ୟେଷ୍ଠପୁତ୍ର ବାୟାଜିଦ୍ ବଙ୍ଗର ସୁଲତାନ ହୋଇଥିଲେ । ମାତ୍ର ବାୟାଜିଦ୍‍ଙ୍କ ଔଦ୍ଧତ୍ୟ ଏତେ ଭୀଷଣ ଥିଲା ଯେ ତାହା ଅନ୍ୟମାନଙ୍କ ପାଇଁ ଖୁବ୍ ଅସହ୍ୟ ହୋଇପଡ଼ିଥିଲା । ଆଫଗାନ୍‍ ନେତୃମଣ୍ଡଳୀ ମଧ୍ୟ ତାଙ୍କ ଉପରେ ଭୀଷଣ କ୍ଷୁବ୍‌ଧ ହୋଇ ପଡ଼ିଥିଲେ । ଫଳତଃ ସେମାନଙ୍କ ମିଳିତ ଷଡ଼ଯନ୍ତ୍ର ଯୋଗୁ ବାୟାଜିଦ୍‍ଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସୁଲେମାନଙ୍କ ଦ୍ୱିତୀୟ ପୁତ୍ର ଦାଉଦ୍ ୧୫୭୩ ଖ୍ରୀ.ଅ.ରେ ବଙ୍ଗଦେଶର ସୁଲତାନ ହୋଇଥିଲେ । ମାତ୍ର ଦାଉଦ୍ ଥିଲେ ପ୍ରବଳ ଅହଂକାରୀ, ଉଦ୍ଦାମ ଓ ସ୍ୱାଧୀନଚେତା । ସେ କ୍ଷମତାସୀନ ହେବାପରେ କୌଣସି ମୋଗଲ ସମ୍ରାଟଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ ନ କରି ନିଜକୁ ସ୍ୱାଧୀନ ସମ୍ରାଟ ରୂପେ ଘୋଷଣା କରିଥିଲେ ।

 

ଦାଉଦ୍‍ଙ୍କ ଦୌରାତ୍ମ୍ୟ କ୍ରମଶଃ ବୃଦ୍ଧି ପାଇବାରୁ ନିଜ ସେନାପତି ମୁନିମ୍ ଖାଁ ଓ ମୋଗଲ ରାଜସ୍ୱ ମନ୍ତ୍ରୀ ତୋଡ଼ରମଲ୍ଲ ଦାଉଦ୍‍ଙ୍କ ବିରୁଦ୍ଧାଚରଣ କଲେ । ତୋଡ଼ରମଲ୍ଲ ଦାଉଦ୍‍ଙ୍କ ବିରୁଦ୍ଧରେ ଓଡ଼ିଶା ଅଭିମୁଖେ ଯାତ୍ରା କଲେ । ଦାଉଦ୍ ଉପାୟହୀନ ହୋଇ ତୋଡ଼ରମଲ୍ଲଙ୍କ ନିକଟରେ ଆତ୍ମ ସମର୍ପଣ କଲେ । ଏହା ଫଳରେ କଟକରେ ଦାଉଦ୍ ଓ ତୋଡ଼ରମଲ୍ଲଙ୍କ ମଧ୍ୟରେ ୧୫୭୬ ଖ୍ରୀ.ଅ. ରେ ସନ୍ଧି ସ୍ଥାପନ ହେଲା । ସେହି ସନ୍ଧି ଅନୁସାରେ ଦାଉଦ୍‍ ସମୁଦାୟ ବଙ୍ଗଦେଶ ମୋଗଲ ଶାସକଙ୍କ ଅଧିକାରରେ ଛାଡ଼ିଦେଇ ନିଜେ ଓଡ଼ିଶାର ସ୍ଵାଧୀନ ନବାବ ଭାବେ ରାଜତ୍ୱ କରିବା ପାଇଁ ସ୍ୱୀକୃତି ଦେଲେ ।

 

ମାତ୍ର ଦାଉଦ୍‌ କେତେକ ସର୍ତ୍ତରେ ବଙ୍ଗଦେଶ ହରାଇଥିଲେ ହେଁ ସେହି ପରାଭବମଧ୍ୟରେ ସେ ସନ୍ତୁଷ୍ଟ ନଥିଲେ । କଟକ ସନ୍ଧିର ଅଳ୍ପକାଳ ମଧ୍ୟରେ ବଙ୍ଗର ନବାବ ମୁନିମ ଖାଁଙ୍କର ମୃତ୍ୟୁ ଘଟିଥିଲା । ଦାଉଦ୍ ଏହି ଅବସରରେ ସ୍ୱାଧୀନତାର ପୁନଃ ପ୍ରତିଷ୍ଠା ନିମିତ୍ତ ଶେଷ ଉଦ୍ୟମ ସ୍ଵରୂପ ବଙ୍ଗଦେଶ ଆକ୍ରମଣ କରିଥିଲେ । ଏତିକିବେଳେ ସମ୍ରାଟ ଆକବର ହୋସେନ କୁଲି ଖାଁ ନାମକ ଜଣେ ପ୍ରଧାନ ସେନାପତିଙ୍କୁ ବଙ୍ଗଦେଶର ଶାସନକର୍ତ୍ତା ନିଯୁକ୍ତି କରିବା ସହିତ ଦାଉଦ୍‍ଙ୍କୁ ଦମନ କରିବା ପାଇଁ ତୋଡ଼ରମଲ୍ଲଙ୍କୁ ପ୍ରେରଣ କରିଥିଲେ । ଫଳରେ ୧୫୭୬ ଖ୍ରୀ.ଅ.ରେ ଉଭୟଙ୍କ ମଧ୍ୟରେ ଭୟାବହ ସଂଘର୍ଷର ସୂତ୍ରପାତ ହୋଇଥିଲା । ଏହି ସଂଘର୍ଷରେ ବହୁ ପଠାଣ ସୈନ୍ୟ ନିହତ ହୋଇଥିଲେ । ଦାଉଦ୍ ଖାଁ ଏଥିରେ ପ୍ରାଣ ଧରି ଖସି ଚାଲିଯିବା ଅବସ୍ଥାରେ ଧରାପଡ଼ି ମୋଗଲ ସେନାଙ୍କ ହସ୍ତରେ ପ୍ରାଣ ହରାଇଥିଲେ । ଦାଉଦ୍‍ଙ୍କ ମୃତ୍ୟୁପରେ ୧୫୭୮ ଖ୍ରୀ.ଅ.ରେ ଓଡ଼ିଶା ସଂପୂର୍ଣ୍ଣ ରୂପେ ମୋଗଲ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହୋଇଥିଲା ।

 

ଉତ୍କଳରେ ଭୋଇ ବଂଶର ପ୍ରତିଷ୍ଠା ନିମିତ୍ତ ତାଡ଼ରମଲ୍ଲଙ୍କର ଅନ୍ୟ ଏକ ମହନୀୟ ଅବଦାନ ରହିଥିଲା । ୧୫୬୮ ଖ୍ରୀ.ଅ. ରେ ମୁକୁଳଦେବଙ୍କ ମୃତ୍ୟୁ ପରେ ପରେ ଉତ୍କଳରେ ଯେତେବେଳେ ଗଜପତି ଆସନ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା ଏହି ଅବସରରେ ଜନାର୍ଦ୍ଦନ ବିଦ୍ୟାଧରଙ୍କର ପୁତ୍ର ରମାଇ ରାଉତରାୟ ନିଜକୁ ଗଜପତିଙ୍କର ଉତ୍ତରାଧିକାରୀ ବୋଲି ପରିଚୟ ଦେଇ ଆପଣାକୁ ଗଜପତି ରାମଚନ୍ଦ୍ର ଦେବ ଭାବେ ପରିଚିତ କରାଇଥିଲେ । ପୁନଶ୍ଚ ସେ ଖୋର୍ଦ୍ଧାର ବରୁଣେଇ ପାହାଡ଼ର ନିମ୍ନ ଦେଶରେ ନିଜର ରାଜଧାନୀ ପ୍ରତିଷ୍ଠା କରିଥିଲେ । ରାମଚନ୍ଦ୍ର ଦେବଙ୍କର ଏହି ବିଚକ୍ଷଣତା ଦେଖି ତୋଡ଼ରମଲ୍ଲ ତାଙ୍କୁ ଖୋର୍ଦ୍ଧା ସମେତ ବହୁ ଅଞ୍ଚଳ ଛାଡ଼ି ଦେଇଥିଲେ । ମାତ୍ର ତୋଡ଼ରମଲ୍ଲଙ୍କ ବିଦାୟ ପରେ ଆଫଗାନ୍‍ମାନେ ପୁନଶ୍ଚ ମୋଗଲ ଶାସନ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ । ଫଳତଃ କତୁଲୁ ଖାଁ ନାମକ ଜଣେ ସେନାପତି ରାମଚନ୍ଦ୍ର ଦେବଙ୍କୁ ପରାସ୍ତ କରି ପୁରୀ ଅଧିକାର କରିଥିଲେ । ମାତ୍ର ପରେ କତୁଲୁ ଖାଁ ପରାସ୍ତ ହୋଇ ବଙ୍ଗ ସୁବାଦାରଙ୍କ ସହିତ ସନ୍ଧି ସ୍ଥାପନ କରିଥିଲେ । ଏଥିରେ କତୁଲୁ ଖାଁ ଓଡ଼ିଶାର ସ୍ୱାଧୀନ ରାଜା ଭାବେ ରାଜତ୍ୱ କରିବେ ବୋଲି ସ୍ଥିର ହୋଇଥିଲା । ମାତ୍ର ସମ୍ରାଟ ଆକବର ଏହି ସନ୍ଧି ସ୍ୱୀକାର କଲେ ନାହିଁ । ଓଡ଼ିଶାରେ ସୃଷ୍ଟି ଏପରି ସଙ୍କଟର ସ୍ଥାୟୀ ସମାଧାନ କରିବା ନିମିତ୍ତ ସେ ତାଙ୍କର ସୁଦକ୍ଷ ସେନାପତି ମାନସିଂହଙ୍କୁ ବଙ୍ଗ ସେନାପତି ଭାବରେ ପ୍ରେରଣ କଲେ । ରାଜା ମାନସିଂହ ୧୫୯୦ ଖ୍ରୀ.ଅ.ରେ ଓଡ଼ିଶା ଆକ୍ରମଣ କଲେ । ମାନସିଂହଙ୍କ ଓଡ଼ିଶା ଆକ୍ରମଣ ଫଳରେ ରାଜା ରାମଚନ୍ଦ୍ର ନିଜର ସ୍ଥିତି ପ୍ରତି ଆତଙ୍କିତ ହୋଇପଡ଼ିଲେ । ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ନିଜ ହାତକୁ ନେବା ଫଳରେ ସେ କ୍ଷୂର୍ଣ୍ଣ ହୋଇଥିଲେ ।

 

ଏହା ସତ୍ତ୍ୱେ ମାନସିଂହଙ୍କ ଏକନିଷ୍ଠ ଉଦ୍ୟମ ଯୋଗୁ ଓଡ଼ିଶା ୧୫୯୨ ଖ୍ରୀ.ଅ.ରେ ମୋଗଲମାନଙ୍କ କର୍ତ୍ତୃତ୍ଵକୁ ଆସିଥିଲା । ମାନସିଂହ ୧୬୦୪ ଖ୍ରୀ.ଅ. ପର୍ଯ୍ୟନ୍ତ ବଙ୍ଗ, ବିହାର ଓ ଓଡ଼ିଶାର ପ୍ରଶାସକ ହୋଇ ରହିଥିଲେ । ଏହି ସମୟରେ ସମଗ୍ର ପୂର୍ବ ଭାରତରେ ଆଫଗାନ୍‍ ପ୍ରଭାବ ହ୍ରାସ ପାଇବା ସଙ୍ଗେ ସଙ୍ଗେ ମୋଗଲ ଆଫଗାନ୍ ସଂଘର୍ଷର ଅବସାନ ହୋଇଥିଲା ।

 

କଳାପାହାଡ଼ର ଅତ୍ୟାଚାର :

 

୧୫୬୮ ଖ୍ରୀ.ଅ.ରେ ମୁକୁନ୍ଦଦେବ ପରାସ୍ତ ହେଲାପରେ ଓଡ଼ିଶାରୁ ସ୍ୱାଧୀନତାର ଶେଷ ରବି ଅସ୍ତମିତ ହୋଇଯାଇଥିଲା । ଏତିକିବେଳେ ହିନ୍ଦୁ ବ୍ରାହ୍ମଣ କଳାପାହାଡ଼ ଜଣେ ଅପରୂପ ଲାବଣ୍ୟମୟୀ ମୁସଲମାନ୍‍ କନ୍ୟାର ପ୍ରଣୟ ଫାଶରେ ଆବଦ୍ଧ ହୋଇ ମୁସଲମାନ୍‍ ଧର୍ମ ଗ୍ରହଣ କରିଥିଲେ । ସେ ଆଉ ହିନ୍ଦୁଧର୍ମକୁ ଫେରି ନ ପାରିବାରୁ ତାଙ୍କର ସେହିଦିନଠାରୁ ହିନ୍ଦୁଧର୍ମ ପ୍ରତି ଘୋର ବିଦ୍ୱେଷ ଭାବ ଜାତ ହୋଇଥିଲା । ହିନ୍ଦୁମାନଙ୍କର ଜାତୀୟ ଦେବତା ଶ୍ରୀଜଗନ୍ନାଥଙ୍କୁ ଅପବିତ୍ର କରିବା ଓ ଜଗନ୍ନାଥ ମନ୍ଦିର ସମେତ ନାନା ହିନ୍ଦୁ ମନ୍ଦିର ଲୁଣ୍ଠନ ଓ ବିନଷ୍ଟ କରିବା ପାଇଁ କଳାପାହାଡ଼ ଶପଥ କରି ଯୁଦ୍ଧାଭିଯାନ ଆରମ୍ଭ କରିଥିଲା । ଉପାୟହୀନ ହୋଇ ଜଗନ୍ନାଥଙ୍କ ସେବକମାନେ ଜଗନ୍ନାଥଙ୍କୁ ନେଇଯାଇ ଚିଲିକା ତୀରବର୍ତ୍ତୀ ପାରିକୁଦରେ ଲୁଚାଇ ରଖିଥିଲେ । ଦୁର୍ଦ୍ଦାନ୍ତ କଳାପାହାଡ଼ ସେକଥା ଜାଣିପାରି ପାରିକୁଦ ଯାଇ ଜଗନ୍ନାଥଙ୍କୁ ସେହି ଅଞ୍ଚଳରୁ ଆଣି ହସ୍ତୀ ପିଠିରେ ଲଦି ଗଙ୍ଗା ତୀରକୁ ନେଇଯାଇଥିଲା ଓ ସେଠାରେ ଜଳୁଥିବା ଚିତାଗ୍ନିରେ ଜଗନ୍ନାଥଙ୍କୁ ନିକ୍ଷେପ କରିଦେଇଥିଲା ।

 

ମାତ୍ର ଏତିକି ମଧ୍ୟରେ ହିନ୍ଦୁ ବିଦ୍ୱେଷୀ କଳାପାହାଡ଼ର କୁପ୍ରବୃତ୍ତି ପ୍ରଶମିତ ହୋଇନଥିଲା । ବିଶ୍ୱର ସର୍ବଶ୍ରେଷ୍ଠ କୀର୍ତ୍ତି, ଉତ୍କଳୀୟ ଶିଳ୍ପକଳାର ଅମୂଲ୍ୟ ସଂପଦ ଓ ଚରମ ନିଦର୍ଶନ କୋଣାର୍କ ମନ୍ଦିର କଳାପାହାଡ଼ର ପାଶବିକ ପ୍ରବୃତ୍ତି ମଧ୍ୟରେ ଚିରକାଳ ଲାଗି ଅସ୍ତମିତ ହୋଇଯାଇଥିଲା । କୋଣାର୍କର ବିରାଟ ମନ୍ଦିରକୁ ଧରାଶାୟୀ କରିବା ଓ ସେଠାରେ ଥିବା ବହୁ ମୂର୍ତ୍ତିକୁ କ୍ଷତବିକ୍ଷତ କରିବାରେ କଳାପାହାଡ଼ର ଭୂମିକା ଥିଲା ଅତୀବ ଗୁରୁତ୍ଵପୂର୍ଣ୍ଣ । ପୁନଶ୍ଚ ସେ କଟକର ବାରବାଟୀ ଦୁର୍ଗରେ ଥିବା ଦୃଢ଼ ପ୍ରାଚୀରକୁ ଭାଙ୍ଗି ମୁକୁନ୍ଦଦେବଙ୍କ ରାଣୀଙ୍କୁ ବନ୍ଦିନୀ କରିବାକୁ ଯିବାବେଳେ ରାଣୀ ସେହି ଦୁର୍ଦ୍ଧର୍ଷ କଳାପାହାଡ଼କୁ ପୈଶାଚିକ ପ୍ରବୃତ୍ତିରୁ ନିବୃତ୍ତ କରିବାକୁ ଯାଇ ସୁବର୍ଣ୍ଣ, ହୀରକ ପ୍ରଭୃତି ବହୁ ମୂଲ୍ୟବାନ ରତ୍ନ ଉପହାର ଦେଇଥିଲେ । ଏ ସଂପର୍କରେ ଏବେ ମଧ୍ୟ ଜନମୁଖରେ ଶୁଣାଯାଏ –

 

‘‘ଅଇଲା କଳାପାହାଡ଼ ଭାଙ୍ଗିଲା ଲୁହାର ବାଡ଼ ।

ପିଇଲା ମହାନଦୀ ପାଣି,

ସୁବର୍ଣ୍ଣ ଥାଳୀରେ ହୀରା ପରଶିଲେ

ମୁକୁନ୍ଦ ଦେବଙ୍କ ରାଣୀ ।”

 

 

 

 

ଶ୍ରୀମନ୍ଦିର ଉପରେ ଯବନ ଆକ୍ରମଣ :

 

ଜଗନ୍ନାଥ ଜଗତର ନାଥ, ବିଶ୍ୱମୈତ୍ରୀର ପ୍ରତୀକ । ସମଗ୍ର ବିଶ୍ଵର ସର୍ବଧମ ସମନ୍ୱୟର ପୀଠ ହେଉଛି ଶ୍ରୀକ୍ଷେତ୍ର-ପୁରୀ । ସେଥି ନିମିତ୍ତ ସମଗ୍ର ବିଶ୍ୱର ବିଭିନ୍ନ ସଂପ୍ରଦାୟର ମୁନିଋଷି, ସାଧୁସନ୍ଥ ଓ ଭକ୍ତଗଣ ଏହି ପୀଠକୁ ଆସି ଜଗନ୍ନାଥଙ୍କଠାରେ ଏକୀଭୂତ ହୋଇ ନିଜ ନିଜର ଭକ୍ତି ସୁମନ ସେହି ବଡ଼ ଠାକୁରଙ୍କ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି । ଉତ୍ତର ଭାରତରେ କାଶୀର ବିଶ୍ଵନାଥ ଓ ବଦ୍ରିନାଥ, ପଶ୍ଚିମ ଭାରତରେ ସୋମନାଥ ଓ ଦ୍ୱାରିକାନାଥ, ଦକ୍ଷିଣ ଭାରତରେ ରାମନାଥ ଅଞ୍ଚଳ ଭେଦରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଜଗତର ନାଥ ଜଗନ୍ନାଥ ସମଗ୍ର ବିଶ୍ଵରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ସେଥିପାଇଁ ଭାଗବତକାର ଜଗନ୍ନାଥ ଦାସ ଶ୍ରୀଜଗନ୍ନାଥଙ୍କ ସଂପର୍କିତ ଲୋକବାଣୀଟିକୁ ଉଦ୍ଧାର କରି ତାଙ୍କର ଜନପ୍ରିୟ ପୁରାଣଗ୍ରନ୍ଥ ‘ଭାଗବତ’ ମଧ୍ୟରେ ଉଲ୍ଲେଖ କରିଛନ୍ତି –

 

ସକଳ ତୀର୍ଥ ତୋ ଚରଣେ ।

ବଦ୍ରିକା ଯିବି କି କାରଣେ ।।

 

ଜଗନ୍ନାଥ ହେଉଛନ୍ତି ଉତ୍କଳର ଜାତୀୟ ଦେବତା ଓ ଚଳନ୍ତି ବିଷ୍ଣୁ । ସୁତରାଂ ଜଗନ୍ନାଥଙ୍କ ମନ୍ଦିର ଆକ୍ରମଣ କରି ତାଙ୍କୁ ଅଧିକାର କରିନେଲେ ସମଗ୍ର ଉତ୍କଳୀୟ ଜନତା ପରାଧୀନତାର ଆତ୍ମଗ୍ଳାନି ମଧ୍ୟରେ ମୂହ୍ୟମାନ ହୋଇଯିବେ ବୋଲି ଅନେକ ସମୟରେ ବି ଜାତୀୟ ଅଣହିନ୍ଦୁ ଆଫଗାନ୍ ଓ ମୋଗଲ ସମେତ ବିଦେଶୀ ଶାସକମାନେ ଅନୁଭବ କରୁଥିଲେ ।

 

ଏହି ଉଦ୍ଦେଶ୍ୟରେ ୧୫୬୮ ଖ୍ରୀ.ଅ. ବେଳକୁ ମୁସଲମାନ୍‍ ଶାସକମାନେ ଭାରତବର୍ଷରେ ଏକ ପ୍ରଧାନ ଓ ପୁଣ୍ୟ ହିନ୍ଦୁ ପୀଠ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରବେଶ କରି ବିଗ୍ରହମାନଙ୍କୁ ଧ୍ୱଂସ କରି ଦେବାରୁ ସେମାନଙ୍କର ବହୁଦିନର ଆଶା ଓ ଆକାଂକ୍ଷା ପରିପୂର୍ଣ୍ଣ ହୋଇଥିଲା । ଏହା ଫଳରେ ଇସ୍‍ଲାମଧର୍ମର ବିପୁଳ ବିଜୟ ହୋଇଛି ବୋଲି ମୁସଲମାନ୍‍ ଶାସକମାନେ ଗର୍ବ ଅନୁଭବ କରୁଥିଲେ । ମାତ୍ର ଏହା ଦ୍ଵାରା ହିନ୍ଦୁମାନେ ସେମାନଙ୍କର ଅତ୍ୟନ୍ତ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ବିଗ୍ରହର ଧ୍ୱଂସ ଓ ମନ୍ଦିରର ଛାରଖାର ଯୋଗୁ ଖୁବ୍ ଦୁଃଖିତ ଓ ବ୍ୟଥିତ ହୋଇ ପଡ଼ିଥିଲେ । ହିନ୍ଦୁ ଦେବତା ଜଗନ୍ନାଥଙ୍କର ଏହି ଘୋର ଦୁର୍ଦ୍ଦିନରେ ଧର୍ମପ୍ରାଣ ଶ୍ରୀରାମଚନ୍ଦ୍ର ଦେବ ପ୍ରଥମେ ଖୋର୍ଦ୍ଧା ଚତୁଃପାର୍ଶ୍ୱ ଅଞ୍ଚଳରେ ଏକ ଶକ୍ତିଶାଳୀ ରାଜ୍ୟ ପ୍ରତିଷ୍ଠା ସହିତ ଜଗନ୍ନାଥ ମନ୍ଦିରର ପୁନଃ ପ୍ରତିଷ୍ଠାରେ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

 

ମାତ୍ର କେବଳ ଏତିକି ମଧ୍ୟରେ ଯବନମାନଙ୍କର ଶ୍ରୀଜଗନ୍ନାଥଙ୍କ ଉପରେ ଅତ୍ୟାଚାର ବନ୍ଦ ହୋଇନଥିଲା । ଗୁଣ୍ଡିଚା ଯାତ୍ରା କାଳରେ ଶ୍ରୀଜଗନ୍ନାଥଙ୍କ ସମେତ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଗୁଣ୍ଡିଚାଘରେ ଥିବାରୁ ଯବନ ଶାସକମାନଙ୍କର ଦୃଷ୍ଟି ମଧ୍ୟ ସେଠାରେ ନିବଦ୍ଧ ହୋଇ ରହିଥିଲା । ଏହି ସୁଯୋଗରେ ରାଜପୁତ ସେନାପତି କେଶୋ ଦାସ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ଛଳନାରେ ବହୁ ଛଦ୍ମବେଶୀ ରାଜପୁତ ସୈନ୍ୟ ସହ ଅତର୍କିତ ଭାବରେ ଶ୍ରୀମନ୍ଦିରରେ ପଶି ସମାଜର ଚିରପୂଜ୍ୟ ଓ ନମସ୍ୟ ତିନିରଥକୁ ଜାଳି ପୋଡ଼ି ଭସ୍ମିଭୂତ କରି ଦେଇଥିଲେ । ଏ ପ୍ରସଙ୍ଗ ଜାହାଙ୍ଗୀରଙ୍କର ଆତ୍ମଜୀବନୀରେ ନିମ୍ନ ଭାବେ ବର୍ଣ୍ଣିତ ହୋଇଛି । "Kesho Das Maru, who is a Rajput of the province of Mairtha and is greater in loyalty than his contemporaries. I promoted him to the rank of 1500."

 

ଆହୁରି ମଧ୍ୟ ଇତିହାସରୁ ଜଣାଯାଏ, ରାଜା ନରସିଂହ ଦେବ (୧୬୨୧-୧୬୪୭) ଖୋରଧାର ରାଜା ଥିଲାବେଳେ ବେଗମ୍ ନୁରଜିହାନଙ୍କ ଭ୍ରାତୃଷ୍ପୁତ୍ର ମୀର୍ଜା ଅହମ୍ମଦ ବେଗ୍‌ ଓଡ଼ିଶାର ସୁବେଦାର ଭାବେ ନିଯୁକ୍ତି ପାଇଥିଲେ । ସେ ବାଦ୍‍ଶାହାଙ୍କୁ ପରିତୁଷ୍ଟ କରିବା ଓ ତାଙ୍କର ପ୍ରିୟ ପାତ୍ର ହେବା ନିମିତ୍ତ ଓଡ଼ିଶାର ଦେବମନ୍ଦିର ଉପରେ ବାରମ୍ବାର ଆକ୍ରମଣ କରିଥିଲେ । ଏକଥା ବଙ୍ଗଳାର ବୈଷ୍ଣବ କବି ରସିକାନନ୍ଦ ଗୋସ୍ୱାମୀ ତାଙ୍କର ‘ରସିକ ମଙ୍ଗଳ କାବ୍ୟରେ ଯାହା ଉଲ୍ଲେଖ କରିଛନ୍ତି ତାହା ପୂର୍ବରୁ ସୂଚିତ ହୋଇଛି ।

 

ମହାରାଜା ନରସିଂହଦେବଙ୍କ ଶାସନ କାଳରେ ଯବନମାନେ ଶ୍ରୀମନ୍ଦିର ଓ ଶ୍ରୀଛାମୁଙ୍କ ଉପରେ କରିଥିବା ଆକ୍ରମଣ ସଂପର୍କରେ ମାଦଳାପାଞ୍ଜିରୁ ବହୁ ତଥ୍ୟ ମିଳିଥାଏ । ଏ ସଂପର୍କରେ ମାଦଳାପାଞ୍ଜିରେ ବର୍ଣ୍ଣିତ ଅଛି – ‘‘ଏଥି ଉତ୍ତାରେ ଏହାଙ୍କ ପୁଅ ନରସିଂହ ଦେବ ମହାରାଜା ହୋଇଲେ । ଏ ମହାରାଜାଙ୍କ ଚାରିଅଙ୍କେ ମହମ୍ମଦ ବେଗ୍ ବୋଇଲା କୁଟୁମ୍ବ ରାଜାଙ୍କର କଟକ ନେଅ । ଏଥକୁ ରଜା ଅନ୍ଧାରୀ ମହିମଠାରୁ ଭାଙ୍ଗି ମାଣିତ୍ରୀ କଟକକୁ ବିଜେ କରିଗଲେ । ତାଟି ଭିତରୁ ପରମେଶ୍ଵରଙ୍କଠାରୁ ବ୍ରହ୍ମମାନ ବାହାର କରି ଦଇତାପତି ଲୁଗାରେ ପୁରାଇ ମାଣିତିରୀ କଟକେ ଶ୍ରୀନଅରେ ବିଜେ କରାଇଥିଲେ । ଏ ମହାରାଜାଙ୍କ ଅ୩୨ଙ୍କ ମିଥୁନ ୭ଦିନ ରାତ୍ରି ପାହିବାକୁ ନବାବ ମତମତିଆର ଖାଁ ଆସି ଶ୍ରୀପୁରୁଷୋତ୍ତମ ଦକ୍ଷିଣ ପାରୁଶ ନଅରେ ରାଜାଙ୍କର ଅନିରୁଦ୍ଧ ରାୟେ ପିତାମହଙ୍କୁ ସାଙ୍ଗ କରି ରାଜା-ଠାକୁରଙ୍କ ମୁଣ୍ଡ କାଟିଦେଲା । ଶ୍ରୀନଅର ଦ୍ରବ୍ୟଯାକ ନେଲା । ପରମେଶ୍ଵରଙ୍କ ଭଣ୍ଡାରସବୁ ନେଲା ।

 

ଏହାପରେ ଦିବ୍ୟସିଂହଦେବଙ୍କ ସମୟରେ ହିନ୍ଦୁ ବିଦ୍ୱେଷୀ ଆଉରଙ୍ଗଜେବ ଶ୍ରୀମନ୍ଦିର ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବହୁ ହିନ୍ଦୁମନ୍ଦିର ଆକ୍ରମଣ କରି ଏଗୁଡ଼ିକୁ ଧ୍ୱଂସର ବଳୟ ମଧ୍ୟକୁ ଟାଣି ନେଇଥିଲେ । ଆଉରଙ୍ଗଜେବଙ୍କ ରାଜତ୍ଵ ଆରମ୍ଭରେ ଭାରତବର୍ଷର ଅନ୍ୟାନ୍ୟ ପ୍ରାନ୍ତରେ ଅବସ୍ଥିତ ବହୁ ପ୍ରସିଦ୍ଧ ଦେବାଳୟ ପରି ଓଡ଼ିଶାର ଅନେକ ଦେବମନ୍ଦିର ଯବନ ଶାସକଙ୍କ ଆକ୍ରମଣରେ ଧ୍ୱଂସ୍ତ ବିଧ୍ୱଂସ୍ତ ହୋଇ ଯାଇଥିଲା । ଗଜପତି ମୁକୁଦଦେବଙ୍କ ରାଜତ୍ଵ ସମୟରେ କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର, ଝଙ୍କଡ଼ର ବାଗ୍‌ଦେବୀ ଶାରଳା ମନ୍ଦିର, ଯାଜପୁରର ବିରଜା କ୍ଷେତ୍ରରେ ଅନେକ ମନ୍ଦିର ଧ୍ୱଂସ କରାଯାଇ ସେହି ମନ୍ଦିରରେ ବ୍ୟବହୃତ ବୃହତ୍ତକାୟ ପ୍ରସ୍ତରଗୁଡ଼ିକୁ ମସ୍‍ଜିଦ୍ ନିର୍ମାଣରେ ବ୍ୟବହାର କରାଯାଇଥିଲା । ଫଳତଃ ଏସବୁ ମନ୍ଦିରର ଅନତି ଦୂରରେ ଏକ ଏକ ବିରାଟ ମସ୍‍ଜିଦ୍ ସଂପ୍ରତି ଦୃଷ୍ଟିଗୋଚର ହୋଇଥାଏ ।

 

ଜଗନ୍ନାଥଙ୍କ ଉପରେ ଯବନ ଆକ୍ରମଣର ଦୁର୍ଦ୍ଦଶା ଏପରି ଅବସ୍ଥାରେ ପହଞ୍ଚିଲା ଯେ, କିଛିକାଳ ପୁରୀରେ ଜଗନ୍ନାଥଙ୍କ ଧୂପ ଓ ଘଣ୍ଟା ସମେତ ଚନ୍ଦନ ଯାତ୍ରା ମଧ୍ୟ ବନ୍ଦ ହୋଇ ଯାଇଥିଲା । ଏତିକିବେଳେ ମହାପ୍ରସାଦ ରନ୍ଧନ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଗଲା । ଜଗନ୍ନାଥଙ୍କ ଉପରେ ହୋଇଥିବା ଏପରି ଅକଥନୀୟ ଅତ୍ୟାଚାରର କରୁଣ ଚିତ୍ର ମାଦଳାପାଞ୍ଜିରେ ମଧ୍ୟ ପ୍ରକାଶ ପାଇଛି । ପାଞ୍ଜିରେ ଉଲ୍ଲେଖ ଅଛି – ‘‘ଏ ଦିନୁ ଚନ୍ଦନ ଯାତ୍ରା ନୋହିଲେ । ଏ ଦିନୁ ଋକ୍ମିଣୀ ହରଣ ନୋହିଲେ । ଏକାଦଶୀ ମହାଦୀପ ନୋହିଲେ । ବିଭାଜିତ ନୋହିଲେ । ଋଷଭ ଦି୩୧ନ (୨୧ ଦିନ ହେବ) ଭିତର ବେଢ଼ାରେ ଉତ୍ତର ବାଡ଼େ ଜନମ ଚକଡ଼ାରେ କାଠ ସିଂଘାସନରେ ଦେବସ୍ରାହାନ ଯାତ୍ରା ହୋଇଲେ । ଧୂପମାନଙ୍କରେ ଘଣ୍ଟା ନବାଜିଲା । ଗୁଣ୍ଡିଚାଯାତ୍ରା ଭୋଗ ମଣ୍ଡପରେ ହୋଇଲେ । ଚକଡ଼ା ବିବରଣ ଅନୁସାରେ ପୁରୀରେ ମହାପ୍ରସାଦ ଏକାବେଳକେ ବନ୍ଦ ହୋଇଗଲା । ଶ୍ରୀଗୁଣ୍ଡିଚା, ଦେବସ୍ନାନ, ଚନ୍ଦନଯାତ୍ରା, ଋକ୍ମିଣୀ ହରଣ, ବିବାହ ଯାତ୍ରା ପ୍ରଭୃତି ଜଗନ୍ନାଥ ମହାପ୍ରଭୁଙ୍କ ଯାତ୍ରା ଉପଯାତ୍ରା ପ୍ରଭୃତି ନହେବା ଫଳରେ ବିଭିନ୍ନ ପ୍ରାନ୍ତରୁ ଆଗତ ଯାତ୍ରୀମାନଙ୍କ ସମାଗମ ବନ୍ଦ ହୋଇଯାଇ ଶ୍ରୀକ୍ଷେତ୍ର ଶ୍ମଶାନକାର ଧାରଣ କରିଥିବ । ଧୂପମାନଙ୍କରେ ଘଣ୍ଟି ଘଣ୍ଟା ବାଜିବା ଓ ପ୍ରତି ଏକାଦଶୀରେ ମହାଦୀପ ଉଠିବା ବନ୍ଦ ହେବାରୁ ସହସ୍ର ସହସ୍ର ଭକ୍ତଙ୍କ ହୃଦୟରେ ଦାରୁଣ ଆଘାତ ଲାଗିଥିବ ।''

 

ମହମ୍ମଦ ତକିଖାଁ କଟକରେ କଦମ-ଇ-ରସୁଲ, ବାଲେଶ୍ୱରରେ କଦମ୍-ଇ ରସୁଲ, ଯାଜପୁର ଓ ରେମୁଣାରେ କେତେକ ମୁସଲମାନ୍‍ କୀର୍ତ୍ତି, ପିପିଲିରେ ଗୋଟିଏ ଦରଘା ନିର୍ମାଣ କରିଥିଲେ ହେଁ ଖୋରଧା ରାଜାଙ୍କୁ ଅସ୍ତବ୍ୟସ୍ତ କରିବା ସହିତ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରକୁ ସେ ବାରମ୍ବାର ଆକ୍ରମଣ କରିଥିଲେ । ତତ୍କାଳୀନ ଶାସକ ରାମଚନ୍ଦ୍ରଦେବ ତକିଖାଁଙ୍କ ଦ୍ଵାରା ନଜର ବନ୍ଦୀ ଥିବା ଅବସ୍ଥାରେ ମଧ୍ୟ ଜଗନ୍ନାଥ ମନ୍ଦିର ଉପରେ ସର୍ବଦା ଯବନମାନଙ୍କର ଆକ୍ରମଣର ଆଶଙ୍କା କରୁଥିଲେ । ଜଗନ୍ନାଥଙ୍କୁ ସେ ମୋଗଲମାନଙ୍କର ଆକ୍ରମଣରୁ ରକ୍ଷା କରିବାର ପ୍ରୟାସୀ ହୋଇ ପ୍ରଥମେ ତାଙ୍କର ବିଶ୍ୱସ୍ତ କର୍ମଚାରୀ ବଡ଼ ପରୀକ୍ଷା ପରମାନନ୍ଦ କୁଅଁର ମହାପାତ୍ର ଓ ସାନ ପରୀକ୍ଷା ବିଷ୍ଣୁ ପଶ୍ଚିମ କବାଟ ସିଂହଙ୍କର ସହାୟତାରେ ଚଉଦୋଳାରେ ବସାଇ ଦୋବନ୍ଧାକୁ ନେଇଯାଇଥିଲେ । ପୁନଶ୍ଚ ସେଠାରେ ଚାପରେ ବସାଇ ଚିଲିକା ପାର କରାଇ ଦେଇଥିଲେ । ପୁନଶ୍ଚ ବାଣପୁର ନଈରି ହରୀଶ୍ଵର ମଣ୍ଡପରେ ବିଜେ କରାଇଥିଲେ ।” “ଜଗନ୍ନାଥଙ୍କ ସ୍ଥାନାନ୍ତରୀକରଣ ସମ୍ବାଦ ପାଇ ତକିଖାଁ ପୁନର୍ବାର ଖୁରୁଧା ଆକ୍ରମଣ କରିବାରୁ (୧୦ ଅଙ୍କ କୁମ୍ଭ ୧୭ ଦିନ ବା ୧୭୭୩ରେ) ରାମଚନ୍ଦ୍ର ଦେବ ଖୁରୁଧାରୁ ପଳାଇ ଯାଇ ପ୍ରଥମେ ନୟାଗଡ଼ରେ, ପରେ ଖଣ୍ଡପଡ଼ା ଓ ବୋଲଗଡ଼ରେ ଆଶ୍ରୟ ନେଇଥିଲେ । ଜଗନ୍ନାଥ ମହାପ୍ରଭୁଙ୍କୁ ନିରାପଦରେ ରଖିବା ନିମିତ୍ତ ହରୀଶ୍ଵର ମଣ୍ଡପରୁ ଖଲିକୋଟ ସୀମା ଟିକିଲିଠାକୁ ପଠାଇ ଦିଆଗଲା । ତକିଖାଁ ଭାଗୀରଥି କୁମାରଙ୍କୁ ଦଶପଲ୍ଲାରୁ ଅଣାଇ ଖୁରୁଧାରେ ରାଜା କରି ଓ ନିଜର ଫୌଜ ରଖି କଟକ ଫେରିଗଲେ । ସେଠାରୁ ସେ ମୁର୍ଶିଦାବାଦ ଗଲେ ।” (ଖୁରୁଧା ଇତିହାସ, ପୃ-୧୮୫)

 

ସୁତରାଂ ଯବନମାନଙ୍କ ଦ୍ଵାରା ଆମ ଜାତି ପ୍ରୀତିର ପ୍ରତୀକ ଓ ଓଡ଼ିଶାର ଜାତୀୟ ଦେବତା ଶ୍ରୀଜଗନ୍ନାଥଙ୍କ ଉପରେ ଏକଦା ଯେଉଁ ଅକଥନୀୟ ଅତ୍ୟାଚାର ଓ ଆକ୍ରମଣ ହୋଇଥିଲା ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ ଓ ଅବର୍ଣ୍ଣନୀୟ । ଓଡ଼ିଶାର ସାଂସ୍କୃତିକ ଓ ଧାର୍ମିକ ଇତିହାସରେ ଏହା ଏକ କଳଙ୍କିତ ଅଧ୍ୟାୟ ।

 

ଲାଲ୍‍ବେଗର ଓଡ଼ିଶା ଆଗମନ :

 

ମୋଗଲ ସାମ୍ରାଜ୍ୟର ଇତିହାସରୁ ଜଣାଯାଏ ଜାହାଙ୍ଗୀର ରାଜତ୍ଵର ପ୍ରାରମ୍ଭିକ ପର୍ଯ୍ୟାୟରେ ଜାହାଙ୍ଗୀର ତାଙ୍କର ଅତ୍ୟନ୍ତ ପ୍ରିୟ କୁଲି ଖାଁ ବା ଲାଲ୍‌ବେଗଙ୍କୁ ଚାରିହଜାର ମନସବାଦାର ପଦ ଦେଇ ବିହାରର ସୁବାଦାର ରୂପେ ନିଯୁକ୍ତି ଦେଇଥିଲେ । ଏ ପ୍ରସଙ୍ଗ ଗୌହାଟୀର ସୁବାଦାର ମିର୍ଜାନାଥନ୍‌ଙ୍କ ରଚିତ ‘ବାହାରିସ୍ତାନ-ଇ-ଘାଇବି’ ପୁସ୍ତକରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ପୁସ୍ତକଟିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, କୁଲି ଖାଁ ବା ଲାଲ୍‌ବେଗଙ୍କ ପିତାଙ୍କ ନାମଥିଲା ନିଜାମ । ନିଜାମ ହୁମାୟୁନ୍ ବାଦଶାହଙ୍କ ସମୟରେ ତାଙ୍କ ଗ୍ରନ୍ଥାଗାରର ଜଣେ ଗ୍ରନ୍ଥ ସଂରକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ‘ଇକ୍‌ବଲ ନାମା ଜାହାଙ୍ଗୀର’ ର ବିବରଣୀରୁ ଜଣାଯାଏ ଯେ ବଙ୍ଗଳାର ସୁବାଦାର କୁତବୁଦ୍ଦିନଙ୍କୁ ଶେର ଆଫଗାନ୍ ହତ୍ୟା କରିବା ପରେ ଲାଲ୍‌ବେଗ ବଙ୍ଗଳାର ସୁବାଦାର ରୂପେ ୧୬୦୭ ମସିହା ମେ ମାସ ୩୦ ତାରିଖରେ ନିଯୁକ୍ତି ପାଇଥିଲେ । ୧୬୦୮ ମସିହା ଏପ୍ରିଲ ୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ୧୬୦୭ ମସିହା ପର୍ଯ୍ୟନ୍ତ ଓଡ଼ିଶା ବଙ୍ଗଳା ସୁବାର ଅନ୍ତର୍ଭୁକ୍ତ । ୧୬୦୭ ମସିହା ସେପ୍ଟେମ୍ବର ମାସ ୨୬ ତାରିଖରେ ଓଡ଼ିଶା ବଙ୍ଗଳା ଠାରୁ ପୃଥକ ହୋଇ ଏକ ସ୍ଵତନ୍ତ୍ର ସୁବା ଅନ୍ତର୍ଭୁକ୍ତ ହୋଇଥିଲା । ସୁତରାଂ ଲାଲ୍‌ବେଗ ବଙ୍ଗଳାର ସୁବାଦାର ଭାବେ ନିଯୁକ୍ତି ପାଇବା ପରେ ହିଁ ଓଡ଼ିଶା ଆକ୍ରମଣ କରିଥିବା ଖୁବ୍ ସମ୍ଭବ ମନେହୁଏ ।

 

ମାତ୍ର ବିଶିଷ୍ଟ ପୁରାଣକାର ଓ ପ୍ରାଚୀନ ଶାସ୍ତ୍ରବିତ୍ ରାମଦାସ ତାଙ୍କର ପ୍ରସିଦ୍ଧ “ଦାର୍ଢ଼୍ୟତା ଭକ୍ତି ରସାମୃତ’ ଗ୍ରନ୍ଥର ‘ଲାଲ୍‌ବେଗ ଓ ସାଲବେଗ ସମ୍ବାଦ’ରେ ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ଲାଲ୍‌ବେଗ ଅନ୍ୟ ସୈନ୍ୟମାନଙ୍କ ସହିତ ଶ୍ରୀକ୍ଷେତ୍ରରେ ଅଧିଷ୍ଠିତ ଶ୍ରୀଜଗନ୍ନାଥଙ୍କ ଆକ୍ରମଣ ଉଦ୍ଦେଶ୍ୟରେ ଅଭିଯାନ ଆରମ୍ଭ କରିଥିଲା ସେତିକିବେଳେ ଆକସ୍ମିକ ଭାବେ ପୁରୀର ଅନତିଦୂରରେ ଥିବା ଦାଣ୍ଡମୁକୁନ୍ଦପୁର ଗ୍ରାମର ଜନୈକା ବିଧବା ଯୁବତୀଙ୍କ ଉପରେ ତା’ର ଲୋଲୁପ ଦୃଷ୍ଟି ପଡ଼ିଥିଲା । ସେହି ଯୁବତୀକୁ ସେ ବଳପୂର୍ବକ କଟକରେ ଥିବା ନିଜ କୋଠିକୁ ଘୋଡ଼ାରେ ଘେନି ଆସିଥିଲା ।

 

ତହିଁ ଏକ ବିଧବା ନାରୀ ।

ଯାଉ ଯେ ଥିଲା ସ୍ନାନ କରି ।।

ଏକାକୀ ଜନ ଜଳ ଘଟେ ।

ସୈନ୍ୟ ତା ଦେଖିଲା ନିକଟେ ।।

ଡରେ ସେ ନ ପାରିଲା ଯାଇ ।

ରହିଲା ସ୍ତମ୍ଭୀଭୂତ ହୋଇ ।।

ଏକେ ବ୍ରାହ୍ମଣୀ ଦୁଜେ ଯୁବା ।

କେ କହିପାରେ ତା’ର ଶୋଭା ।।

ଚମ୍ପକ ପୁଷ୍ପ ପରା କାନ୍ତି ।

ମୁକୁତା ଶ୍ରେଣୀ ଦନ୍ତ ପନ୍ତି ।।

ସୁନାସା ସୁନ୍ଦର କପୋଳ ।

ବଦନ ଚନ୍ଦ୍ରମା ମଣ୍ଡଳ ।।

ନେତ୍ର କୁରଙ୍ଗ ଶୋଭା ଜିଣି ।

ଅପୂର୍ବ ଭଙ୍ଗିମା ଚାହାଣୀ ।।

ଅଞ୍ଜନୁ ବଳି କେଶ ଆଭା ।

ବାହୁ ଯୁଗଳ ଦିବ୍ୟ ଶୋଭା ।।

ହୃଦୟ ଭାଗ ଅତି ଉଚ୍ଚ ।

ଶ୍ରୀଫଳ ଜିଣି ବେନି କୁଚ ।।

କଟି କ୍ଷୀଣତା କହି ନୋହେ ।

ଶୋଭାରେ ଜନ ମନ ମୋହେ ।।

ଏମନ୍ତ ନାରୀ ନଦୀ କୂଳେ ।

ଉଭା ତା ଜୀବନ ବିକଳେ ।।

ଏମନ୍ତ ବେଳେ ଲାଲ୍‌ବେଗ ।

ଆସି ମିଳିଲା ତା’ର ଆଗ ।।

ଏକେ ସେ ଦୁଷ୍ଟ ବଳବନ୍ତ ।

ତା ସଙ୍ଗେ ବଳ ହିଁ ବହୁତ ।।

ଦେଖିଣ ଅତ୍ୟନ୍ତ ସୁନ୍ଦରୀ ।

ମଦନ ଶରେ ହେଲା ଘାରି ।।

ବଳେ ଧଇଲା ତା’ର ଭୁଜ ।

ମୃଗୀକୁ ଯେହ୍ନେ ମୃଗରାଜ ।।

ବସାଇ ଅଶ୍ଵର ଉପରେ ।

ସେ ନାରୀ ଦଇବ ସୁମରେ ।।

ଘେନିଣ ଚଳିଗଲା ବେଗେ ।

ସମସ୍ତ ସୈନ୍ୟଙ୍କର ଆଗେ ।।

(ଦାର୍ଢ଼୍ୟତା ଭକ୍ତି ରସାମୃତ, ଦ୍ୱିତୀୟ ଭାଗ, ପୃ-୨୧୦/୨୧୧)

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୫୯୦ ଖ୍ରୀଷ୍ଟାବ୍ଦ ବେଳକୁ ଆଫଗାନ୍‍ମାନେ ଓଡ଼ିଶାରେ ନିଜର ଆଧିପତ୍ୟ ବିସ୍ତାର କରିବା ନିମିତ୍ତ ପ୍ରବଳ ପ୍ରଚେଷ୍ଟା କରିଥିଲେ । ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ ସହିତ ଓଡ଼ିଶା ସଙ୍କଟର ସ୍ଥାୟୀ ସମାଧାନ କରିବା ନିମିତ୍ତ ସମ୍ରାଟ ଆକବର ତାଙ୍କର ସୁଦକ୍ଷ ସେନାପତି ମାନସିଂହଙ୍କୁ ଓଡ଼ିଶା ପ୍ରେରଣ କରିଥିଲେ । ମାନସିଂହ ପ୍ରଥମେ ଓଡ଼ିଶାର ଜାତୀୟ ଦେବତା ଜଗନ୍ନାଥଙ୍କୁ ସମ୍ମାନ ଜଣାଇ ଓ ଜଗନ୍ନାଥ ମନ୍ଦିରରୁ ଶତ୍ରୁମାନଙ୍କ କବଳରୁ କୌଶଳ କ୍ରମେ ବିପଦମୁକ୍ତ କରାଇ ଓଡ଼ିଶାବାସୀଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ । ମାତ୍ର ପରବର୍ତ୍ତୀ କାଳରେ ୧୫୯୨ ଖ୍ରୀ.ଅ. ବେଳକୁ ସେ ଭଦ୍ରକ ବାଟ ଦେଇ କଟକ ଅଧିକାର କରିଥିଲେ ଓ କଟକ ଅଧିକାର କରିବା ପରେ ଖୋର୍ଦ୍ଧାର ରାଜା ରାମଚନ୍ଦ୍ରଦେବଙ୍କ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଥିଲେ । ଏହି ସମୟରେ ସେ ତାଙ୍କର ସୈନ୍ୟ ସାମନ୍ତଙ୍କ ସହିତ ପିପିଲିଠାରେ ଅବସ୍ଥାନ କରୁଥିଲେ । ପିପିଲିଠାରେ ଅବସ୍ଥାନ କରିବା କାଳରେ ମାନସିଂହ ଖୋରଧାର ରାଜା ରାମଚନ୍ଦ୍ର ଦେବଙ୍କୁ ମୋଗଲ ସମ୍ରାଟଙ୍କର ଆନୁଗତ୍ୟ ସ୍ୱୀକାର କରିବା ପାଇଁ ଆହ୍ୱାନ ଦେଇଥିଲେ । ମାତ୍ର ରାଜା ରାମଚନ୍ଦ୍ର ଦେବ ମାନସିଂହଙ୍କ ନିର୍ଦ୍ଦେଶ ପ୍ରତ୍ୟାଖ୍ୟାନ କରି ଯୁଦ୍ଧ ପାଇଁ ମାନସିଂହଙ୍କୁ ଆହ୍ୱାନ ଦେଇଥିଲେ । କିନ୍ତୁ ଏତିକିବେଳେ ଆକବର ରାମଚନ୍ଦ୍ର ଦେବଙ୍କ ପରି ଜଣେ ଜନପ୍ରିୟ ରାଜାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ନଦେବାରୁ ମାନସିଂହଙ୍କୁ ଭଗ୍ନମନୋରଥରେ ପିପିଲି ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥିଲା । ଏହାପରେ ୧୫୯୨ ଖ୍ରୀ.ଅ.ରୁ ୧୬୦୯ ଖ୍ରୀ.ଅ. ପର୍ଯ୍ୟନ୍ତ ଖୋରଧାର ରାଜା ବା ଜଗନ୍ନାଥ ମନ୍ଦିର ଉପରେ ମୋଗଲମାନେ ଆକ୍ରମଣ କରିବା ପ୍ରସଙ୍ଗ ଇତିହାସରେ କେଉଁଠି ସୂଚନା ମିଳିନାହିଁ ।

 

ରାଜା ମାନସିଂହ ବିଦ୍ରୋହୀ ଆଫଗାନ୍‍ ସର୍ଦାରମାନଙ୍କ ବିରୁଦ୍ଧରେ ଯୁଦ୍ଧ ଚଳାଇବା ଉଦ୍ଦେଶ୍ୟରେ ୧୫୯୨ ଖ୍ରୀ.ଅ. ରେ ପ୍ରଥମେ ଭଦ୍ରକଠାରୁ କଟକକୁ ଆସିଥିଲେ । ଗଜପତି ରାମଚନ୍ଦ୍ର ଦେବ ଆଫଗାନ୍‍ ସର୍ଦାରମାନଙ୍କୁ ନିଜ ରାଜ୍ୟରେ ଅବସ୍ଥିତ ସାରଙ୍ଗଗଡ଼ ଠାରେ ଆଶ୍ରୟ ଦେବାରୁ ମାନସିଂହଙ୍କ ସହିତ ତାଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା । ଏ ସଂପର୍କରେ ‘ଆକବରନାମା’ରେ ଉଲ୍ଲେଖ ଅଛି–"In the town of Bhadrak, news was received that the sons of Qotlu and Khwaja Sulaiman, Dilawar Khan, Jalal Khan, Bahadur Kuruh, Ulugh Khan, Abdul-l-Ghafur, Malik Haibat, Malik Dand, Kaham Karn, Rajah Munu, Malik Sikandar and Purukhotam had collected in the fort of Cuttack with 300 elephants. That is at the end of the country and on the sea shore. It belonged to Rajah Ram Cand, who was a great land holder in that country. It was called Sarangarh. Rajah Man Singh left Sujan Singh and went off to attack the fort and the Afgans took refuge in the forest near the sea. The fort was taken without a contest."

 

ଏହି ଆକ୍ରମଣ ଫଳରେ ବିଦ୍ରୋହୀ ଆଫଗାନ୍‍ ସର୍ଦ୍ଦାରମାନଙ୍କୁ ରାଜା ମାନସିଂହ ଦମନ କରିବାକୁ ଅସମର୍ଥ ହୋଇଥିଲେ । ରାମଚନ୍ଦ୍ର ଦେବ ମୋଗଲ ଆକ୍ରମଣ ପ୍ରତି ଭ୍ରୂକ୍ଷେପ ନକରି ପୁନର୍ବାର ସେମାନଙ୍କୁ ଆଶ୍ରୟ ଦେଇଥିଲେ । ତେଣୁ ରାଜା ମାନସିଂହ ଇସୁଫ ଖାଁ ପ୍ରଭୃତିଙ୍କ ହସ୍ତରେ କଟକ ରକ୍ଷାର ଭାର ଅର୍ପଣ କରି ଛଳନା କରି ଜଗନ୍ନାଥ ଦର୍ଶନ କରିବାକୁ ଗଲେ । କିନ୍ତୁ ପ୍ରକୃତରେ ସେ ରାମଚନ୍ଦ୍ରଙ୍କୁ ଶାନ୍ତି ଦେବା ନିମିତ୍ତ ପିପିଲିଠାରେ ମୋଗଲ ସୈନ୍ୟ ସମାବେଶ କରି ସେଠାରୁ ଖୁରୁଧା ରାଜ୍ୟ ଆକ୍ରମଣ କଲେ । ଏଥିରେ ରାମଚନ୍ଦ୍ରଙ୍କ ସୁବୁଦ୍ଧି ଜାତ ହେଲା ଏବଂ ସେ ବଶତା ସ୍ୱୀକାର କରି ନିଜ ପୁତ୍ର ବୀରବଲଙ୍କ ହସ୍ତରେ ମାନସିଂହଙ୍କ ନିକଟକୁ ଉପହାର ପଠାଇଥିଲେ । ଏହାପରେ ମାନସିଂହ କଟକ ଫେରିଆସିଲେ ଏବଂ ସାରଙ୍ଗଗଡ଼ରେ ମୋଗଲ ଆଧିପତ୍ୟ ପ୍ରତିଷ୍ଠିତ ହୋଇଥିଲା ।

 

ସୁତରାଂ ଇତିହାସର ଏହି ଘଟଣାବଳୀ ଉପର ଗୁରୁତ୍ୱ ଦେଲେ ଏତିକି ଅନୁମାନ କରାଯାଇପାରେ ଯେ, ମାନସିଂହଙ୍କ ନେତୃତ୍ୱରେ ତାଙ୍କର ସୈନ୍ୟ ସାମନ୍ତମାନେ ଯେତେବେଳେ ଖୋରଧା ଆକ୍ରମଣ ଉଦ୍ଦେଶ୍ୟରେ ପିପିଲି ଠାରେ ଅବସ୍ଥାନ କରୁଥିଲେ ସେତିକିବେଳେ ତାଙ୍କ ଦଳରେ ଜାହାଙ୍ଗୀର କୁଲି ଖାଁ ନାମରେ ଜଣେ ବିଚକ୍ଷଣ ସୈନ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଦାଣ୍ଡ ମୁକୁନ୍ଦପୁର ଗ୍ରାମ ପିପିଲିର ଅନତି ଦୂରରେ ଅବସ୍ଥିତ । କୁଲି ଖାଁ ଓରଫ ଲାଲ୍‌ବେଗ ସେହି ଗ୍ରାମ ପଥରେ ଯିବା ମାର୍ଗରେ ଦାଣ୍ଡମୁକୁନ୍ଦପୁର ଗ୍ରାମ୍ୟ ପୁଷ୍କରିଣୀ ତଟରେ ସ୍ନାନରତା ଜନୈକା ବିଧବା ବ୍ରାହ୍ମଣୀଙ୍କ ଉପରେ ଆକସ୍ମିକ ଭାବରେ ତାଙ୍କର ଲୋଲୁପ ଦୃଷ୍ଟି ପଡ଼ିଥିବ । ସେତେବେଳେ ମୋଗଲ ସେନା ଓ ଶାସକମାନଙ୍କର ହିନ୍ଦୁ ରମଣୀମାନଙ୍କୁ ଅପହରଣ କରି ସେମାନଙ୍କୁ ଉପଭୋଗ କରିବା ଓ ସମୟ ସମୟରେ ସେମାନଙ୍କ ତନୁ ତୀର୍ଥରେ ସ୍ନାନ କରି ହିନ୍ଦୁ ସଂସ୍କୃତିକୁ ଲୋପ କରିବାରେ ପ୍ରବଳ ଆନନ୍ଦ ଥିଲା । ଏପରି କରିବା ଦ୍ଵାରା ସେମାନେ ଯେ କେବଳ ଦେଶକୁ ଲୁଣ୍ଠନ କରୁଥିଲେ ତାହା ନୁହେଁ, ଦେଶର ଧ୍ୱଂସ ସାଧନ କରିବା ସହିତ ଭାରତୀୟ ନାରୀକୁ ଅପହରଣ କରି ସେମାନଙ୍କ ପ୍ରତି ବଳତ୍କାର ସଦୃଶ ବର୍ବର ଓ ନିନ୍ଦନୀୟ କାର୍ଯ୍ୟ ମଧ୍ୟ କରୁଥିଲେ । ଏହି ପ୍ରସଙ୍ଗରେ ତତ୍କାଳୀନ ଉତ୍କଳର ସାମାଜିକ ଅବସ୍ଥାର ଚିତ୍ର ସାରଳା ଦାସ ତାଙ୍କ ‘ଚଣ୍ଡୀପୁରାଣ ଗ୍ରନ୍ଥରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ଯଥା :

 

‘‘ଏବେ ରେ ସୁନ୍ଦରୀରେ କହଇ ମୁହିଁତୋତେ ।

ହୋଇବୁ କି ଭାରିଜା ମୋର ଇଚ୍ଛା କଲେ ତୋତେ ।”

ଏହି ପ୍ରସଙ୍ଗକୁ ପୁରାଣକାର ରାମଦାସ ‘ଲାଲ୍‌ବେଗ ଓ ସାଲବେଗ ସମ୍ବାଦ’ ମଧ୍ୟରେ ଆହୁରି ସ୍ପଷ୍ଟ କରି ଉଲ୍ଲେଖ କରିଛନ୍ତି ।

ଏମନ୍ତ ନାରୀ ନଦୀ କୂଳେ ।

ଉଭା ତା ଜୀବନ ବିକଳେ ।।

ଏମନ୍ତ ବେଳେ ଲାଲ୍‌ବେଗ ।

ଆସି ମିଳିଲା ତା’ର ଆଗ ।।

ଏକେ ସେ ଦୁଷ୍ଟ ବଳବନ୍ତ ।

ତା ସଙ୍ଗେ ବଳ ହିଁ ବହୁତ ।।

ଦେଖୁଣ ଅତ୍ୟନ୍ତ ସୁନ୍ଦରୀ ।

ମଦନ ଶରେ ହେଲା ଘାରି ।।

ବଳେ ଧଇଲା ତା’ର ଭୁଜ ।

ମୃଗୀକୁ ଯେହ୍ନେ ମୃଗରାଜ ।।

(ଦାର୍ଢ଼ତା ଭକ୍ତି ରସାମୃତ, ଦ୍ୱିତୀୟ ଭାଗ, ପୃ-୨୧୦/୨୧୧)

 

ନାରୀ ଶକ୍ତିର ପ୍ରତୀକା । ସେ ସୃଷ୍ଟିକାରିଣୀ । ଲାଲ୍‌ବେଗ ଥିଲା ମାନସିଂହଙ୍କ ସୈନ୍ୟବାହିନୀର ଜଣେ ପ୍ରବୀଣ ଯୋଦ୍ଧା । ମାତ୍ର ଅପରୂପା ଲାବଣ୍ୟ ଲାସ୍ୟମୟୀ ସୁଶ୍ରୀ ତରୁଣୀ ନିକଟରେ ସେ ତା’ର ସେହି ପୌରୁଷ କେଉଁଠି ଲୋପ ପାଇଯିବା ପରି ଅନୁଭବ କଲା । ଲାଲ୍‌ବେଗ ଯୁବତୀଟିକୁ ଆଣି ତା’ର ଶିବିର କଟକରେ କିଛି କାଳ ଅବସ୍ଥାନ କଲା । ସେ ଜାତିରେ ଯବନ ହେଲେ ମଧ୍ୟ ସେତେବେଳେ ତା ଦେହର ଉଦ୍ଦାମତା କେଉଁଆଡ଼େ ଅପସରି ଗଲା ଓ ସେ ଅପହୃତା ରମଣୀର ଆକର୍ଷଣରେ ଆକର୍ଷିତ ହୋଇ ତା’ର ପାଦତଳେ ଲୋଟିଗଲା । ବିଧବା ବ୍ରାହ୍ମଣୀ ଯୁବତୀଟିର ରୂପ ଆକର୍ଷଣ ନିକଟରେ ତାପରି ଜଣେ ପରାକ୍ରମୀ ଯବନ ସୈନିକର ନିଷ୍ଠୁର ହୃଦୟ ତରଳିଗଲା । ଦୁର୍ଦ୍ଧର୍ଷ ଲାଲ୍‌ବେଗ ସେହି ଯୁବତୀର ରୂପ ଲାବଣ୍ୟରେ ମୁଗ୍ଧ ହୋଇ ତାକୁ ମୂଲ୍ୟବାନ ବସ୍ତ୍ର ଓ ଅଳଙ୍କାରରେ ସଜ୍ଜିତା କରି ନିଜର ପତ୍ନୀ ଭାବରେ ରଖିଲା । ଫଳ ସ୍ଵରୂପ ଏକଦା ନିଜ ଜୀବନ ହାରିବା ପାଇଁ କହୁଥିବା ଯୁବତୀଟି ସମୟକ୍ରମେ ନିଜ ଆତ୍ମୀୟ ସ୍ଵଜନ ଓ ପରିବାର କଥା ଭୁଲିଯାଇ ସେହି ପଠାଣ ସୈନିକ ସହିତ ରତିକ୍ରୀଡ଼ାରେ ମାତିଗଲା । କିଛିଦିନ ପରେ ଲାଲ୍‌ବେଗର ଔରସ ଓ ବ୍ରାହ୍ମଣୀର ଗର୍ଭରୁ ଏକ ଶିଶୁ ପୁତ୍ର ଜନ୍ମ ହେଲା । ଲାଲ୍‌ବେଗ ପୁତ୍ରକୁ ଦେଖି ଅତ୍ୟନ୍ତ ଆନନ୍ଦରେ ଆତ୍ମହରା ହୋଇ ତା’ର ନାମ ରଖିଲେ ସାଲବେଗ ।

 

ଏକଥା ‘ଦାର୍ଢ଼୍ୟତା ଭକ୍ତି ରସାମୃତ’ ରେ କବି ରାମଦାସ ନିମ୍ନ ଭାବରେ ବ୍ୟକ୍ତ କରିଛନ୍ତି ।

 

‘‘ତାପୁର ଦେଖି ସେ ଯୁବତୀ ।

ଅତି ସନ୍ତାପେ ମଥା ପୋତି ।।

ନୟନୁ ଅଶ୍ରୁ ଧାର ଗଳେ ।

କାନ୍ଦି ଗଡ଼ଇ ମହୀ ତଳେ ।।

ତା ନିଜ କୁଟୁମ୍ବ ସୁମରି ।

ବୋଲଇ ଦେବ ପ୍ରାଣ ହାରି ।।

ତାହା ଦେଖି ସେ ପଠାଣ ।

ସେ ନାରୀ ଚରଣ ଧରିଣ ।।

ଅନେକ ବିନୟେ କହିଲା ।

କୋଳେ ବସାଇ ଚୁମ୍ବ ଦେଲା ।।

ଅନେକ ଅଳଙ୍କାର ମାନ ।

ତା ଅଙ୍ଗେ କଲାକ ମଣ୍ଡନ ।।

ଝୀନ ବସନ ପିନ୍ଧାଇଲା ।

ନାନା କୁସୁମେ ବେଶ କଲା ।।

ସର୍ବାଙ୍ଗ ଗନ୍ଧସାର ବୋଳି ।

ତା ସଙ୍ଗେ କଲା କାମ କେଳି ।।

ନାନା ବିନୋଦେ ମନ ମୋହି ।

କୁଟୁମ୍ବ ଦେଲା ପଶୋରାଇ ।।

ଦଇବେ ଅବଳା ଶରୀର ।

ସଙ୍ଗ ହିଁ ସିନା ମୂଳ ତା’ର ।।

ତା’ଠାରୁ ରତି ସୁଖ ପାଇ ।

ରହିଲା ପତ୍ନୀ ପ୍ରାୟେ ହୋଇ ।।

ଏମନ୍ତ କେତେ ଦିନ ଗଲା ।

ସେ ନାରୀ ପୁତ୍ର ପ୍ରସବିଲା ।।

ପୁତ୍ରକୁ ଦେଖୁ ଲାଲ୍‍ବେଗ ।

ତା ନାମ ଦେଲେ ସାଲବେଗ ।।’’

(ଦାର୍ଢ଼୍ୟତା ଭକ୍ତି ରସାମୃତ, ୨ ୟ ଭାଗ ପୃ-୨୧୧)

ଏହାପରେ ଲାଲ୍‌ବେଗ ନିଜର ପୁତ୍ର ସାଲବେଗକୁ ଅତ୍ୟନ୍ତ ଶ୍ରଦ୍ଧା ଓ ସ୍ନେହରେ ପାଳନ କଲେ । ସେ ଯବନ ସୈନିକ ହୋଇଥିବାରୁ ପୁତ୍ରକୁ ଯୁବବସ୍ଥାରେ ଅଶ୍ୱ ଯୁଦ୍ଧାଦି ଶିକ୍ଷା ଦେଉଥିଲେ । ମାତ୍ର ରୂପ ଆକର୍ଷଣରେ ଆକର୍ଷିତ ହୋଇ ବିଧବା ବ୍ରାହ୍ମଣୀ ଯୁବତୀକୁ ଅପହରଣ କରିଥିବାରୁ ଯୁବତୀ ପରିଣତ ବୟସରେ ଉପନୀତ ହେବାରୁ ଲାଲ୍‌ବେଗ ତାକୁ ପରିତ୍ୟାଗ କରି ସବୁଦିନ ପାଇଁ ଅନ୍ୟଆଡ଼େ ଚାଲିଗଲା । ଏ ପ୍ରସଙ୍ଗ ରାମଦାସ ତାଙ୍କର ‘ଦାର୍ଢ଼୍ୟତା ଭକ୍ତି ରସାମୃତ’ ଗ୍ରନ୍ଥରେ ନିମ୍ନ ଭାବେ ଉଲ୍ଲେଖ କରିଛନ୍ତି ।

ମୋ ଯୁବା ବୟସ ସରିଲା ।

ତେଣୁ ସେ ମୋତେ ପାଶୋରିଲା ।।

ତୁ ହାଦେ ଦାସୀ ପୁତ୍ର ସିନା ।

ତାକୁ କି ଲାଗେ ତୋ ବେଦନା ।।

(ଦାର୍ଘ୍ୟତା ଭକ୍ତି ରସାମୃତ, ୨ ୟ ଭାଗ, ପୃ-୨୧୩)

 

ଲାଲ୍‌ବେଗ ୧୬୦୮ ଖ୍ରୀ.ଅ. ରେ ମୃତ୍ୟୁବରଣ କରିଥିଲେ । କଟକଠାରେ ସେ କିଛି ଦିନ ପାଇଁ ଯେଉଁ ସ୍ଥାନରେ ଅବସ୍ଥାନ କରିଥିଲେ ଲାଲ୍‌ବେଗଙ୍କ ସେହି ସ୍ମୃତିକୁ ବହନ କରି ସଂପ୍ରତି କଟକ ଚାନ୍ଦିନୀଚୌକର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଲାଲ୍‌ବାଗ ନାମରେ ନାମିତ ।

 

ସାଲବେଗର ଜୀବନ ଗାଥା :

 

ସାଲବେଗ ହିନ୍ଦୁ ଓ ମୁସଲମାନ୍‍ ସଂସ୍କୃତିର ଏକ ସମ୍ମିଳିତ କୀର୍ତ୍ତିସ୍ତମ୍ଭ । ତାଙ୍କର ଜନ୍ମ ହେଉଛି ଆକସ୍ମିକ, ଅସାମାଜିକ ମିଳନର ଏକ ବାସ୍ତବ ରୂପ । ସାଲବେଗଙ୍କ ପିତା ଲାଲ୍‌ବେଗ । ଖୋରଧା ରାଜା ରାମଚନ୍ଦ୍ର ଦେବଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା ଅବକାଶରେ ଦାଣ୍ଡମୁକୁନ୍ଦପୁରର ଅନତିଦୂରରେ ଥିବା ନଦୀ ତୀରରେ ସ୍ନାନରତା ଜନୈକା ସୁନ୍ଦରୀ ରୂପବତୀ ନାରୀର ଆକର୍ଷଣରେ ଆକର୍ଷିତ ହୋଇ ତାକୁ ବଳପୂର୍ବକ ଅପହରଣ ଓ ପରବର୍ତ୍ତୀ କାଳରେ ତା ସହିତ ସଙ୍ଗସୁଖରୁ ସାଲବେଗଙ୍କ ଜନ୍ମ । ସାଲବେଗ ତାଙ୍କ କାବ୍ୟ କବିତାରେ କୌଣସି ସ୍ଥାନରେ ନିଜ ପିତା ବା ମାତାଙ୍କ ନାମୋଲ୍ଲେଖ କରିନାହାନ୍ତି । ମାତ୍ର ଅନେକ ସ୍ଥାନରେ ପିତାମାତାଙ୍କର ଜାତି ଗୋତ୍ର ବିଷୟରେ ସେ ପାଠକକୁ ସଚେତନ କରି ଦେଇଛନ୍ତି । ଉଦାହରଣ ଭାବେ ଏଠାରେ ତାଙ୍କ କବିତାରୁ କେତୋଟି ପଂକ୍ତି ଉଦ୍ଧାର କରାଗଲା ।

 

‘‘ପିତା ମୋ ମୋଗଲ ବେଟା ମାତ ମୋ ବ୍ରାହ୍ମଣୀ,

ହୀନ କୂଳେ ଜାତ ମୁହିଁ ହିନ୍ଦୁ ନ ଛୁଏ ପାଣି ।’’

 

 

କିଂବା

‘‘ବାପ ମୋ ମୋଗଲ ପୁଅ ମାଆ ମୋ ବ୍ରାହ୍ମଣୀ,

ଏ କୁଳେ ଜନ୍ମିଲି ହିନ୍ଦୁ ନ ଖାଏ ମୋ ପାଣି।’’

କିଂବା

“କହେ ସାଲବେଗ ହୀନ ଜାତିରେ ମୁଁ ଯବନ

ଶ୍ରୀରଙ୍ଗା ଚରଣ ତଳେ ରଖ ମୋତେ ଶରଣ ।’’ ଇତ୍ୟାଦି ।

 

ଇତିହାସର ଅନୁଶୀଳନ ଅନୁଯାୟୀ ଲାଲ୍‌ବେଗର ଓଡ଼ିଶା ଆଗମନ ୧୫୯୨ ଖ୍ରୀ.ଅ. ବେଳକୁ ହୋଇଥିଲା । ସେ ଦାଣ୍ଡମୁକୁନ୍ଦପୁରରୁ ବିଧବା ନାରୀକୁ ସେହି ବର୍ଷ ଅପହରଣ କରିଥିବାରୁ ସେହି ଘଟଣାର ବର୍ଷେ ଦୁଇବର୍ଷ ମଧ୍ୟରେ ସାଲବେଗ ଜନ୍ମ ହୋଇଥିବା ଖୁବ୍ ସମ୍ଭବ ମନେହୁଏ । କାରଣ ଯଦି ୧୬୦୮ ଖ୍ରୀ.ଅ. ବେଳକୁ ଲାଲ୍‌ବେଗର ମୃତ୍ୟୁ ହୋଇଥିବା ଘଟଣାକୁ ସ୍ୱୀକାର କରାଯାଏ, ତେବେ ସେତେବେଳକୁ ସାଲବେଗକୁ ଅତିକମ୍‍ରେ ୧୪।୧୫ ବର୍ଷ ବୟସ ହୋଇଥିବ-। ଦାର୍ଢ଼୍ୟତା ଭକ୍ତି ରସାମୃତ’ ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ ପିତା ଲାଲ୍‌ବେଗ ଯୁଦ୍ଧକୁ ଯିବା କାଳରେ ସାଲବେଗ ମଧ୍ୟ ତା ସହିତ ଯୁଦ୍ଧକୁ ଗମନ କରି ଶତ୍ରୁର ସମ୍ମୁଖୀନ ହୋଇଥିଲା । ଏକଦା ଏହିପରି ଯୁଦ୍ଧରେ ଶତ୍ରୁର ସମ୍ମୁଖୀନ ହେବା କାଳରେ ଶତ୍ରୁପକ୍ଷର ଅସ୍ତ୍ରରେ ସାଲବେଗର ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ।

 

ଲାଲ୍‌ବେଗ ଅପହରଣ କରି ଆଣିଥିବା ବ୍ରାହ୍ମଣୀକୁ ତା’ର ରୂପର ଆକର୍ଷଣରେ ପତ୍ନୀର ସ୍ୱୀକୃତି ଦେଇଥିଲା । ତାଙ୍କରି ଗର୍ଭରୁ ଜନ୍ମ ହୋଇଥିବା ପୁତ୍ର ସନ୍ତାନର ନାମ ସାଲବେଗ ରଖିଥିଲା-। କିଛି କାଳ ପର୍ଯ୍ୟନ୍ତ ଉଭୟ ମାତା ଓ ପିତାର ସ୍ନେହ ପାଇ ଶିଶୁପୁତ୍ର ସାଲବେଗ ଶଶିକଳା ପରି ବଢ଼ିଲା । ତା’ର ବାଲ୍ୟକାଳ ଅତ୍ୟନ୍ତ ଆନନ୍ଦରେ ଅତିବାହିତ ହେଲା । ଯବନ କୁଳରେ ଜାତ ହୋଇଥିବାରୁ ତାଙ୍କର ବୃତ୍ତି ଅନୁଯାୟୀ କୈଶୋରବସ୍ଥାରେ ସାଲବେଗ ଅଶ୍ୱାଦି ଆରୋହଣ କରିବା ସହିତ ଯୁଦ୍ଧ ବିଦ୍ୟାରେ ମଧ୍ୟ ପାରଙ୍ଗମ ହୋଇଥିଲା । ଏହା କବି ରାମଦାସ ତାଙ୍କର ‘ଦାର୍ଢ଼୍ୟତା ଭକ୍ତି ରସାମୃତ’ ଗ୍ରନ୍ଥରେ ନିମ୍ନଭାବେ ବର୍ଣ୍ଣନା କରିଛନ୍ତି ।

 

‘‘ପୁତ୍ରକୁ ଦେଖି ଲାଲ୍‍ବେଗ ।

ତା ନାମ ଦେଲେ ସାଲବେଗ ।।

ମାତା ପିତାର ସ୍ନେହ ପାଇ ।

କ୍ଷୀର ପାନରେ ସୁସ୍ଥ ହୋଇ ।।

ଦିନକୁ ଦିନ ବର୍ଦ୍ଧମାନ ।

ହୋଇଲା ସେ ନବ ନନ୍ଦନ ।।

ପାଳିଲେ ବିଧି ମତ କରି ।

ଅନେକ ଅଳଙ୍କାର ଭରି ।।

ଏମନ୍ତେ କେତେକାଳ ଗଲା ।

ଯୁବା ଅବସ୍ଥା ଆସି ହେଲା ।।

ଶିଖିଲା କ୍ଷତ୍ରି ବୃତ୍ତି ଯେତେ ।

ଅଶ୍ଵାଦି ଚଢ଼ିବା ସହିତେ ।।

କାଣ୍ଡ ଖଣ୍ଡାରେ ବିଚକ୍ଷଣ ।

ଆଡ଼ ଉହାଡ଼ରେ ମାରଣ ।।

(ଦାର୍ଢ଼୍ୟତା ଭକ୍ତି ରସାମୃତ, ୨ ୟ ଭାଗ, ପୃ-୨୧୧)

 

ସାଲବେଗର ଦୁରାରୋଗ୍ୟ ବ୍ୟାଧି ଓ ରୋଗମୁକ୍ତି :

 

ଯୁବାବସ୍ଥାରେ ସାଲବେଗ ପିତା ଲାଲ୍‌ବେଗ ସହିତ ଯୁଦ୍ଧ ଅବସରରେ ନିଜ ଶରୀରରେ ଗଭୀର ଆଘାତ ପାଇଥିଲେ । ବହୁ ଚେଷ୍ଟା କରି ମଧ୍ୟ ସେ ସେଥିରୁ ଆରୋଗ୍ୟ ଲାଭ କରି ପାରିନଥିଲେ । ଏତିକିବେଳେ ତାଙ୍କର ପିତା ଲାଲ୍‌ବେଗ ତାଙ୍କୁ ଓ ତାଙ୍କ ମାତାଙ୍କୁ ପରିତ୍ୟାଗ କରି ଅନ୍ୟତ୍ର ଚାଲି ଯାଇଥିଲେ । ପ୍ରଥମେ ସାଲବେଗର ମାତା ପୁତ୍ର ସାଲବେଗକୁ ରୋଗମୁକ୍ତ କରିବାକୁ ପ୍ରୟାସୀ ହୋଇ ବହୁ ପ୍ରଚେଷ୍ଟାକରି ବିଫଳ ହୋଇଥିଲେ । ରୋଗରୁ ମୁକ୍ତି ପାଇ ନପାରି ଶେଷରେ ସାଲବେଗ ନିଜ ମାତାଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ –

 

‘‘ଅତି ଆରତେ ସାଲବେଗ ।

କହିଲା ଜନନୀର ଆଗ ।।

ଭୋ ମାତା ଶୁଣ ମୋ ବଚନ ।

ଏଥର ଗଲା ମୋ ଜୀବନ ।।

ମରିବି ଆତ୍ମଘାତି ହୋଇ ।

ଏ କଷ୍ଟ ନ ପାରିବି ସହି ।।

ଛାଡ଼ି ମୋହର ପ୍ରତି ଆଶା ।

ଆଜୁଁ ସରିଲା ମୋ ଭରସା ।।

(ଦାର୍ଢ଼୍ୟତା ଭକ୍ତି ରସାମୃତ, ୨ୟ ଭାଗ, ପୃ-୨୧୨)

ପିତା ଯବନ ହେଲେ ମଧ୍ୟ ସାଲବେଗର ମାତା ଥିଲେ ନୈଷ୍ଠିକ ହିନ୍ଦୁ ବାହ୍ମଣୀ । ସମାଜରେ ସାଧାରଣତଃ ଶିଶୁମାନେ ମାତାଙ୍କର ଉପଦେଶାନୁସାରେ ତାଙ୍କରି ଧର୍ମରେ ପରିଚାଳିତ ହେବାପରି ସାଲବେଗ ନିଜ ମାତାଙ୍କର ସ୍ଵଧର୍ମ ହିନ୍ଦୁଧର୍ମ ପ୍ରତି ଗଭୀର ଆସ୍ଥା ଓ ବିଶ୍ୱାସ ସ୍ଥାପନ କରିଥିଲେ । ତାଙ୍କର ମାତ ହିନ୍ଦୁ ହୋଇଥିବାରୁ ସାଲବେଗ ହିନ୍ଦୁ ଦେବୀ ଦେବତାଙ୍କ ସମ୍ପର୍କରେ ଅବହିତ ହୋଇଥିବା ଖୁବ୍ ସ୍ୱାଭାବିକ ମନେହୁଏ । ପୁନଶ୍ଚ ସାଲବେଗଙ୍କୁ ରୋଗ ମୁକ୍ତ କରିବାକୁ ଯାଇ ପ୍ରଥମେ ତାଙ୍କର ମାତା ତାଙ୍କୁ ଗଭୀର ଭକ୍ତି ସହକାରେ ଶ୍ରୀ ବୃନ୍ଦାବନ ଚନ୍ଦ୍ରଙ୍କ ପାଦପଦ୍ମରେ ଧ୍ୟାନ ପୂର୍ବକ ତାଙ୍କରି ନାମ ଭଜନ କରିବା ପାଇଁ ଉପଦେଶ ଦେଇଥିଲେ ।

‘ମାତା ବୋଲଇ ପୁତ୍ର ଶୁଣ ।

ତୋ ମନେ ବିଶ୍ୱାସ କରିଣ ।।

ଶ୍ରୀବୃନ୍ଦାବନ ଚନ୍ଦ୍ର ଭଜ ।

ସେ ଯେ ଅଶେଷ ଦେବ ରାଜ ।।

ଅଶେଷ ଔଷଧିର ଘର ।

ଭଜିଲେ ନିଶ୍ଚେ ହେବୁ ପାର ।।

(ଦାର୍ଢ଼୍ୟତା ଭକ୍ତି ରସାମୃତ, ୨ୟ ଭାଗ, ପୃ-୨୧୩)

 

ମାତ୍ର ସାଲବେଗ ବୃନ୍ଦାବନ ଚନ୍ଦ୍ରଙ୍କ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ଥିବାରୁ ପ୍ରଥମେ ତାଙ୍କ ପକ୍ଷରେ ବୃନ୍ଦାବନ ଚନ୍ଦ୍ରଙ୍କୁ ଭଜନ କରିବା ଆଦୌ ସମ୍ଭବପର ହୋଇପାରି ନଥିଲା । ଫଳତଃ ସାଲବେଗ ତାଙ୍କର ମାତାଙ୍କୁ ବୃନ୍ଦାବନ ଚନ୍ଦ୍ରଙ୍କର ପିତା ମାତାଙ୍କ ସମେତ ତାଙ୍କର ବଂଶ ଓ ଗୋତ୍ର ସମ୍ବନ୍ଧରେ ଜିଜ୍ଞାସା କରିଥିଲେ । ମାତା ସାଲବେଗଙ୍କର ଏହିସବୁ ପ୍ରଶ୍ନର ଉତ୍ତର ଦେବା ସହିତ ସେହି ବୃନ୍ଦାବନଚନ୍ଦ୍ରଙ୍କ ସଂପର୍କରେ କହିଥିଲେ ।

 

‘ମୋ ଛାର କେତେକ ମାତର ।

କହିବି ରୂପ ଗୁଣ ତା’ର ।।

ମୋହର ପିତା ମୁଖୁ ଯାହା ।

ଶୁଣିଛି କହିଲି ମୁଁ ତାହା ।।

ଏମନ୍ତ ଶୁଣି ତା’ର ସୁତ ।

ବୋଲିଲା ଶୁଣସି ଗୋ ମାତ ।।

ଏ ରୂପ ସ୍ୱରୂପକୁ ଭାବି ।

କହ ମୁଁ କେମନ୍ତେ ବଞ୍ଚିବି।।

ମାତା ବୋଲଇ ରେ ତନୁଜ ।

ବିଶ୍ଵାସ ସିନା ମୂଳ ବୀଜ ।।

(ଦାର୍ଢ଼୍ୟତା ଭକ୍ତି ରସାମୃତ, ୨ୟ ଭାଗ, ପୃ-୨୧୫)

 

ବୃନ୍ଦାବନଚନ୍ଦ୍ରଙ୍କ ସଂପର୍କରେ ନିଜ ମାତାଙ୍କ ଠାରୁ ଏପରି ଅଲୌକିକ ଘଟଣା ସବୁ ଶୁଣିବା ପରେ ଭକ୍ତି ଗଦ୍‌ଗଦ୍ ଚିତ୍ତରେ ସାଲବେଗଙ୍କ ମସ୍ତକ ସ୍ୱତଃ ସେହି ମହାନ ପୁରୁଷଙ୍କ ଉଦ୍ଦେଶ୍ୟରେ ନଇଁ ଯାଇଥିଲା । ତାଙ୍କ ନାମକୁ ଭଜନ, କୀର୍ତ୍ତନ ସହିତ ଯେତେ ପ୍ରକାର କୃଷ୍ଣ ସେବା ଅଛି ସେସବୁ ଦୃଢ଼ ଭାବେ କରିଲେ ଦ୍ଵାଦଶ ଦିବସରେ ରୋଗମୁକ୍ତି ହୋଇଯିବ ବୋଲି ମାତା ତାଙ୍କୁ ଆଶ୍ୱାସନା ଦେଇଥିଲେ । ଏହାପରେ ସାଲବେଗ କୃଷ୍ଣଙ୍କ ଭଜନ ଆରମ୍ଭ କରିଥିଲେ । ହୃଦୟ ମଧ୍ୟରେ କୃଷ୍ଣ ସ୍ଵରୂପ ଚିନ୍ତା କରିଥିଲେ । ତାଙ୍କରି ପାଦ ପଦ୍ମରେ ଧ୍ୟାନ କରିଥିଲେ । ନିଜେ ନୟନରେ କୃଷ୍ଣ ରୂପକୁ ସ୍ଥାପନ କରି ତାଙ୍କୁ ହିଁ କେବଳ ପ୍ରାର୍ଥନା କରିଥିଲେ । ଏତିକିବେଳେ ସେ କୃଷ୍ଣଙ୍କ କଥା ପ୍ରତି କର୍ଣ୍ଣ ଦେବା ସହିତ କେବଳ କୃଷ୍ଣ ନାମ ଉଚ୍ଚାରଣ କଲେ । ସାଲବେଗ ଏପରି ଅବସ୍ଥାରେ ଆସି ଉପନୀତ ହେଲେ ଯେ, ଚତୁର୍ଦ୍ଦିଗ ତାଙ୍କୁ କୃଷ୍ଣମୟ ଦେଖାଗଲା । ତାଙ୍କ ନୟନରୁ ଧାର ଧାର ଅଶ୍ରୁ ନିର୍ଗତ ହେଲା । ସେ ସ୍ତୁତି କରିବାକୁ ଲାଗିଲେ –

 

“ଜୟ ତୁ ବୃନ୍ଦାବନ ଚନ୍ଦ୍ର ।

ଜୟ ମୁକୁନ୍ଦ ଆଦିକନ୍ଦ ।।

ଜୟ ଯାମଳାର୍ଜ୍ଜୁନ ଭଞ୍ଜ ।

ତୃଣ ଶକଟା ଗର୍ବଗଞ୍ଜା ।।

ଜୟ ତୁ ଷଣ୍ଢା ବିନାଶନ ।

ଗୋକୁଳ ଶିରୀ ବରଧନ ।।

ଜୟ ତୁ ବକା ଥଣ୍ଟ ଚିରା ।

ଅଘା ପ୍ରଳମ୍ବା ପ୍ରାଣହରା ।।

ବତ୍ସା ପାଳନ ଦୈତ୍ୟକୁଳ ।

ଦହନେ ତୁ ପ୍ରଭୁ ଅନଳ I।

ଦୁଷ୍ଟ ନିବାରି ସନ୍ଥ ପାଳୁ ।

ତୁ ନାଥ ପରମ ଦୟାଳୁ ।।

(ଦାର୍ଢ଼୍ୟତା ଭକ୍ତି ରସାମୃତ, ୨ୟ ଭାଗ, ପୃ-୨୧୬)

 

ଦ୍ୱାଦଶ ଦିବସ ଆସି ଉପନୀତ ହେଲା । ମାତ୍ର ସାଲବେଗଙ୍କର ଶରୀରର ପୀଡ଼ା ଉପଶମ ହେଲା ନାହିଁ ବା ତାଙ୍କ ଶରୀରର କ୍ଷତ ଶୁଖିଲା ନାହିଁ । ବରଂ ତାଙ୍କ ଶରୀରର ବେଦନା କ୍ରମଶଃ ବୃଦ୍ଧି ପାଇ ତାଙ୍କୁ ବେଳକୁ ବେଳ ଅସ୍ତ ବ୍ୟସ୍ତ କରି ପକାଇଲା । ଶ୍ରୀକୃଷ୍ଣ ହେଉଛନ୍ତି ବଡ଼ କପଟୀ ପୁରୁଷ । ସେ ଯାହାଙ୍କୁ ଭଲପା’ନ୍ତି, ଆଦର କରନ୍ତି ପ୍ରଥମେ ତାଙ୍କୁ ନାନା ଭାବରେ ପରୀକ୍ଷା କରନ୍ତି । ପରୀକ୍ଷାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ତାଙ୍କୁ ଖୁବ୍ କଷ୍ଟ ଦିଅନ୍ତି; ଶେଷରେ ତାଙ୍କୁ କଠିନ ପରୀକ୍ଷାର ବୈତରଣୀ ପାର କରାଇ ଦିଅନ୍ତି । ଭକ୍ତ କବି ସାଲବେଗଙ୍କ ଜୀବନରେ ତାହାହିଁ ହୋଇଥିଲା । ମାତ୍ର ସାଲବେଗତ ରକ୍ତମାଂସଧାରୀ ମାନବ । ତାଙ୍କର ବା ଭଗବାନଙ୍କର ଏପରି ଲୀଳା ବୁଝିବାକୁ କ୍ଷମତା କାହିଁ ! ତେଣୁ ସାଧାରଣ ମାନବ ଭାବରେ ଦ୍ଵାଦଶ ଦିବସରେ ମଧ୍ୟ ଯେତେବେଳେ ତାଙ୍କର ଶରୀର ରୋଗମୁକ୍ତି ନହେଲା ସେ ନିଜର ମାତାଙ୍କୁ ପ୍ରଶ୍ନ କଲେ–

 

“ତୁ ଯାହା ବୋଇଲୁ ଗୋ ମାତ ।

ଭଲ ତ ନୋହିଲା ମୋ ଗାତ୍ର ।।

କଣ୍ଟ ତ ଆସି ପୂର୍ଣ୍ଣ ହେଲା ।

ଅଧିକେ ବେଦନା ବଢ଼ିଲା ।।

ନିଶ୍ଚୟ ହେବ ମୋ ମରଣ ।

ରହଇ ନାହିଁ ମୋର ପ୍ରାଣ ।।

(ଦାର୍ଢ଼୍ୟତା ଭକ୍ତି ରସାମୃତ, ୨ ୟ ଭାଗ, ପୃ-୨୧୭)

 

ଭଗବାନ ଶ୍ରୀକୃଷ୍ଣ ଅନାଦି ପୁରୁଷ, ସେ ସର୍ବଜ୍ଞ । ସମସ୍ତ ପୃଥିବୀ ପୃଷ୍ଠରେ ଅଣୁ ପରମାଣୁ ଠାରୁ ଆରମ୍ଭ କରି ମନୁଷ୍ୟ ସମାଜ ପର୍ଯ୍ୟନ୍ତ କେଉଁଠି କେତେବେଳେ କ’ଣ ଘଟଣା ଦୁର୍ଘଟଣା ଘଟୁଛି ସବୁ ବିଷୟରେ ସେ ସଚେତନ । ଗଭୀର ଦୁଃଖ ଓ ବିପଦରେ ପଡ଼ି ମାତା ଓ ପୁତ୍ର ସାଲବେଗ ଯେତେବେଳେ ତାଙ୍କୁ କାତରରେ ପ୍ରାର୍ଥନା କରିଛନ୍ତି ଭକ୍ତର ନିବେଦନ ଶ୍ରୀକୃଷ୍ଣଙ୍କ କର୍ଣ୍ଣ କୁହରକୁ ସ୍ପର୍ଶ କରିଛି । ମରଣ ମୁଖକୁ ଠେଲି ହୋଇ ଯାଉଥିବାବେଳେ ଦ୍ଵାଦଶ ଦିବସ ଶେଷରେ ଭକ୍ତବତ୍ସଳ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନ ତ୍ୟାଗକରି ସାଲବେଗ ନିକଟରେ ଉପନୀତ ହୋଇଛନ୍ତି । ସହାସ୍ୟ ବଦନରେ ସେ ସାଲବେଗଙ୍କ ନିକଟରେ ପହଞ୍ଚି ତାଙ୍କୁ ମୁଠାଏ ବିଭୂତି ଦେଇ ତାହାକୁ ନିଜ ଶରୀରରେ ଲେପନ କରିବା ନିମିତ୍ତ ନିର୍ଦ୍ଦେଶ ଦେଇ ପୁଣି ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି ।

 

ଏହାପରେ ଅତ୍ୟନ୍ତ ଆନନ୍ଦ ଓ ଭକ୍ତି ଗଦ୍‌ଗଦ୍ କଣ୍ଠରେ ଭକ୍ତ ସାଲବେଗ ଭଗବାନ ଶ୍ରୀକୃଷ୍ଣଙ୍କ ହାତରୁ ବିଭୂତି ନେଇ ସର୍ବାଙ୍ଗରେ ଲେପନ କରି ଦେଇଛନ୍ତି ଓ ଭଗବାନଙ୍କ ପାଦପଦ୍ମରେ ଧ୍ୟାନ କରୁ କରୁ ଜ୍ଞାନହୀନ ହୋଇ ଗଭୀର ନିଦ୍ରା ଚାଲି ଯାଇଛନ୍ତି । ପ୍ରଭାତରୁ ଉଠି ସେ ଦେଖିଛନ୍ତି ତାଙ୍କ ନିଜ ଶରୀରର ସମସ୍ତ କଷ୍ଟ ଓ କ୍ଳେଶ ସହିତ ଗଭୀର କ୍ଷତଗୁଡ଼ିକ କେଉଁଠି ଆଉ ଦୃଶ୍ୟମାନ ହେଉନାହିଁ । ଯାହା କ୍ଷତର ଚିହ୍ନ ହିଁ ଦେଖାଯାଉଛି । ସେ ହଠାତ୍ ଏହା ଦେଖି ନିଜକୁ ନିଜେ ବିଶ୍ୱାସ କରିପାରି ନାହାନ୍ତି । ତତ୍‍କ୍ଷଣାତ୍ ଧାଇଁ ଯାଇ ନିଜ ମାତାଙ୍କୁ ସବୁ ବିଷୟରେ କହିଛନ୍ତି । ଗତ ରାତ୍ରିରେ ଭଗବାନଙ୍କର ଅଲୌକିକ ଉପସ୍ଥିତି ବିଷୟରେ ତାଙ୍କର ଆଉ ସନ୍ଦେହ ରହିନାହିଁ । ତାପରେ ଯବନ କୁଳରେ ଜାତ ସାଲବେଗଙ୍କର ହିନ୍ଦୁ ଦେବତା ଶ୍ରୀବୃନ୍ଦାବନଚନ୍ଦ୍ରଙ୍କ ପ୍ରତି ଗଭୀର ପ୍ରେମବୋଧ ଓ ଭକ୍ତିଭାବ ପ୍ରକାଶ ପାଇଲା । ନନ୍ଦନନ୍ଦନ ଶ୍ରୀକୃଷ୍ଣଙ୍କ ବିଭୂତିର ପ୍ରସାଦରୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବାରୁ ସଂସାରର ସମସ୍ତ ପ୍ରକାର ବିଷୟ ବାସନା ତ୍ୟାଗ କରି ସେ ନିଜର ପରିଧାନ ତ୍ୟାଗ ପୂର୍ବକ ଡୋରୀ କୌପୁନୀ ଧାରଣ କରି ସେହି ଭଗବାନଙ୍କ ନାମ କୀର୍ତ୍ତନ କରିବା ନିମିତ୍ତ ସନ୍ନ୍ୟାସୀ ହୋଇଗଲେ । ଏ ପ୍ରସଙ୍ଗରେ ‘ଦାର୍ଢ଼୍ୟତା ଭକ୍ତି ରସାମୃତ’ ଗ୍ରନ୍ଥରେ ରାମଦାସ ଉଲ୍ଲେଖ କରିଛନ୍ତି –

 

ରଜନୀ ପ୍ରଭାତରୁ ଉଠି ।

ନିଜ ଦେହକୁ ଦେଲା ଦୃଷ୍ଟି ।।

ଦେହେ ତା ଘାଆ ନାହିଁ କିଛି ।

କେବଳ ଚିହ୍ନମାନ ଅଛି ।।

ଦେଖି ସେ ପରମ ଆନନ୍ଦ ।

ଚିତ୍ତେ ଚିନ୍ତଇ ବ୍ରଜାନନ୍ଦ ।।

ମାତାଙ୍କୁ ବୋଇଲା ଲୋ ଶୁଣ ।

ତୋ କଥା ହୋଇଲା ପ୍ରମାଣ ।।

ଶୁଣି ଜନନୀ ବେଗେ ଉଠି ।

ପୁତ୍ର ଦେହକୁ ଦେଲା ଦୃଷ୍ଟି ।।

ଦେଖିଲା ଶୁଭ କଥା ସବୁ ।

ବୋଲଇ ଦେଖିଲୁରେ ବାବୁ ।।

ସେ ହରି ମହିମା ସାଗର ।

ଅତ୍ରାହି ଭଞ୍ଜନ ଠାକୁର ।।

ପୁତ୍ର ବୋଇଲା ସତ୍ୟ ଏହି ।

ପବିତ୍ର କଲୁ ମୋର ଦେହୀ ।।

ମୁଁହି ସନ୍ନ୍ୟାସୀ ହୋଇବଇଁ ।

ସଂସାର ସୁଖ ତେଜିବଇଁ ।।

ଏମନ୍ତ କହି ବସ୍ତ୍ର ଚିରି ।

ଡୋର କୌପୁନୀ ଆଶ୍ରେ କରି ।।”

(ଦାର୍ଢ଼୍ୟତା ଭକ୍ତି ରସାମୃତ, ୨ୟ ଭାଗ, ପୃ-୨୧୮)

 

ସାଲବେଗ ସନ୍ନ୍ୟାସୀ ହୋଇ ସ୍ଵଗୃହ ପରିତ୍ୟାଗ କରିବା ସମୟରେ ସେ ନିଜ ମାତାଙ୍କୁ ଭକ୍ତିପୁତ ସାଷ୍ଟାଙ୍ଗ ପ୍ରଣାମ କରି କହିଥିଲେ–

 

‘‘ମାତାଙ୍କୁ ଦଣ୍ଡବତ କଲା ।

ଶୁଣ ଗୋ ଜନନୀ ବୋଇଲା ।।

ଏମନ୍ତ ପ୍ରଭୁ ଥାଉଁ ଥାଉଁ ।

ଯେ ଅନ୍ୟ ଆଶ୍ରେ କରେ ଆଉ ।।

ଧିକ ବୋଲିବା ତା ଜୀବନ ।

ଏ ଦେହେ କିସ ପ୍ରୟୋଜନ ।।

କେବଳ ଭଜୁଥାଅ ହରି ।

ତୋ ମନେ ସନ୍ଦେହ ନ କରି ।।

(ଦାର୍ଢ଼୍ୟତା ଭକ୍ତି ରସାମୃତ, ୨ୟ ଭାଗ, ପୃ-୨୧୮)

 

ସେହି ଘଟଣା ପରଠାରୁ ସାଲବେଗଙ୍କ ହୃଦୟରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ସ୍ଵତଃ ପ୍ରେମ ନିର୍ଝରିଣୀର ଏକ ମନ୍ଦାକିନୀ ଧାରା ପ୍ରବାହିତ ହୋଇଥିଲା । ସେ ତାଙ୍କର ସାନ୍ନିଧ୍ୟଲାଭ କରିବା ସହିତ ଏହାପରେ ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଗମନ କରିଥିଲେ ଏବଂ ସେଠାରେ ସାଧୁସନ୍ଥ ଓ ବୈଷ୍ଣବମାନଙ୍କ ସହିତ ପ୍ରଭୁ ଜଗନ୍ନାଥଙ୍କୁ ବନ୍ଦନା କରିଥିଲେ । ଏତିକିବେଳେ ଭକ୍ତ ସାଲବେଗଙ୍କ ହୃଦୟରେ ଭକ୍ତିରସର ଯେଉଁ ଚିର ପ୍ରବାହମାନ ଧାରା ସୃଷ୍ଟି ହେଲା ତାହାର ବାଣୀ ରୂପ ହେଉଛି ତାଙ୍କର ଭଜନ ଓ ଜଣାଣ । ସାଲବେଗଙ୍କ ଏହି ରଚନାଗୁଡ଼ିକ ଓଡ଼ିଆ ଭଜନ ଓ ଜଣାଣ ସାହିତ୍ୟକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ଭାରତୀୟ ଭକ୍ତି ସାହିତ୍ୟକୁ ବିଶ୍ଵଦରବାରରେ ଏକ ମର୍ଯ୍ୟାଦାବନ୍ତ ଆସନରେ ଆସୀନ କରିଛି ।

 

ସାଲବେଗଙ୍କ ଭକ୍ତିଭାବନା :

 

ସାଲବେଗ ଥିଲେ ଲାଲ୍‌ବେଗଙ୍କ ଔରସ ସଂଜାତ । ସେ ଜାତିରେ ଯବନ । ମାତ୍ର ସାଲବେଗଙ୍କ ମାତା ଥିଲେ ନୈଷ୍ଠିକା ହିନ୍ଦୁ ବ୍ରାହ୍ମଣୀ । ଲାଲ୍‌ବେଗ ସାଲବେଗଙ୍କର ପିତା ହେଲେ ମଧ୍ୟ ସବୁଦିନ ପାଇଁ ସେ ପୁତ୍ର ସାଲବେଗଙ୍କୁ ପରିତ୍ୟାଗ କରି ଚାଲି ଯାଇଥିଲେ । ସୁତରାଂ ଏପରି ଅବସ୍ଥାରେ ନିଜର ହିନ୍ଦୁ ମାତା ପୁତ୍ର ସାଲବେଗଙ୍କର ଶିକ୍ଷା ଦୀକ୍ଷାର ସମସ୍ତ ଭାର ଗ୍ରହଣ କରିଥିଲେ-। ମାତା ସାଲବେଗଙ୍କୁ ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥଙ୍କ ସମେତ ବିଭିନ୍ନ ହିନ୍ଦୁ ଦେବଦେବୀ, ବିଭିନ୍ନ ମଠ ମନ୍ଦିର ଏବଂ ହିନ୍ଦୁ ଧର୍ମ ପୁରାଣ ସହିତ ସୁପରିଚିତ କରାଇ ଦେଇଥିଲେ । ମାତ୍ର ଯବନ କୁଳରେ ଜାତ ହୋଇଥିବାରୁ ସାଲବେଗଙ୍କୁ ରକ୍ଷଣଶୀଳ ହିନ୍ଦୁ ସମାଜ ଶ୍ରୀମନ୍ଦିର ସମେତ ସମସ୍ତ ହିନ୍ଦୁଧର୍ମ ପୀଠକୁ ଯିବାକୁ ବାରଣ କରୁଥିବା ସ୍ଵାଭାବିକ । ଫଳତଃ ଗଭୀର ଦୁଃଖ ଓ କ୍ଷୋଭରେ ଫାଟିପଡ଼ି ସାଲବେଗ ଯେଉଁ ଭଜନ ଓ ଜଣାଣମାନ ରଚନା କରିଥିଲେ ତହିଁର ଶେଷ ଭାଗରେ ହୀନ ଯବନ, ଦୀନ ଯବନ, ମୂଢ଼ ମତି ଯବନ, ଅଜାତି ଯବନ, ପତିତ ଇତ୍ୟାଦି କହି ନିଜକୁ ନ୍ୟୁନ ମନେ କରିଛନ୍ତି-। ଏସବୁ ବର୍ଣ୍ଣନା ମଧ୍ୟରେ ଭକ୍ତକବି ସାଲବେଗ ତାଙ୍କ ପ୍ରତି ରକ୍ଷଣଶୀଳ ହିନ୍ଦୁ ସମାଜର ଯେଉଁ ହତାଦର ଓ ଅନାଦର ଭାବ ରହିଥିଲା ତାହା ସେ ପ୍ରକଟିତ କରିଛନ୍ତି । କବିଙ୍କ ଜନ୍ମଠାରୁ ମୁତ୍ୟୁ ପର୍ଯ୍ୟନ୍ତ ସେ ଯେତେବେଳେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଛନ୍ତି ସେତେବେଳେ ସେ ନାନା ଘାତ ପ୍ରତିଘାତର ଶିକାର ହୋଇଛନ୍ତି ।

 

ଶ୍ରୀ ସୁନ୍ଦରାନନ୍ଦ ବିଦ୍ୟାବିନୋଦ ତାଙ୍କର ‘ଶ୍ରୀକ୍ଷେତ୍ର’ ପୁସ୍ତକ ମଧ୍ୟରେ ଆହୁରି କହିଛନ୍ତି ଯେ ‘‘କେହି କେହି ବଲେନ, ସାଲବେଗ ନାମକ କୋନ୍ ଯବନକୁଳୋଦ୍ଭବ ଭକ୍ତକେ ଦର୍ଶନଦାନାର୍ଥ ପତିତପାବନ ଶ୍ରୀଜଗନ୍ନାଥ ସିଂହଦ୍ୱାରେ ଆତ୍ମପ୍ରକଟ କରେନ୍ । କଥିତ ହୟ ଜନୈକ ମୁସଲମାନ୍‍ ପଠାନ୍ ସେନାପତି ଉତ୍କଳଦେଶ ଆକ୍ରମଣ କାଲେ ଜନୈକା ଉତ୍କଲୀୟା ହିନ୍ଦୁ ରମଣୀକେ ହରଣ କରିୟା ଲଇୟା ଯାୟ । ତାହାରଇ ଗର୍ଭେ ସାଲବେଗ ଜନ୍ମଗ୍ରହନ୍ କରେନ୍ । ଶ୍ରୀଜଗନ୍ନାଥଦେବେର ଦେଶେଇ ତାହାର ପୂର୍ବଦେଶ, ତିନି ପତିତା ଏବଂ ଶ୍ରୀଜଗନ୍ନାଥ ଦେବ ପତିତପାବନ ଓ ତାହାଦେର ନିତ୍ୟ ଉପାସ୍ୟଇହା ମାତାର ନିକଟ ହଇତେ ଶୁନିୟା ସାଲବେଗେର ଶ୍ରୀଜଗନ୍ନାଥ ଦର୍ଶନେର ଜନ୍ୟ ଚିତ୍ତ ବ୍ୟାକୁଲ ହଇୟା ଉଠେ । ଶ୍ରୀଜଗନ୍ନାଥ କ୍ଷେତ୍ରେ ଆସିୟା ଶ୍ରୀଜଗନ୍ନାଥ ମନ୍ଦିରେର ଅଭ୍ୟନ୍ତରେ ପ୍ରବେଶ କରିତେ ନା ପାରିୟା ସିଂହଦ୍ୱାରେର ବାହିରେ ଥାକିୟାଇ ସାଲବେଗ ପତିତପାବନ ଶ୍ରୀଜଗନ୍ନାଥକେ ସକାତରେ ଡାକିତେ ଥାକେନ୍ । କଥିତ ହୟ, ତାଁହାର ଆର୍ତ୍ତିକ୍ରନ୍ଦନେ ଆକୃଷ୍ଟ ହଇୟା ଶ୍ରୀଜଗନ୍ନାଥ ଦେବ ବଡ଼ ଦେଉଲ ହଇତେ ସ୍ୱୟଂ ସିଂହଦ୍ୱାରେ ଉପନୀତ ହନ୍ ଏବଂ ତଦବଧି ପତିତଗଣକେ କୃପା ବିତରଣେର ଜନ୍ୟ ସିଂହଦ୍ୱାରେ ପତିତପାବନ ଅର୍ଚ୍ଚାମୂର୍ତ୍ତି ରୂପେ ଅଧିଷ୍ଠିତ ଆଚ୍ଛେନ୍ । ସାଲବେଗ ପତିତପାବନ ଜଗନ୍ନାଥ ଦେବେର ଉଦ୍ଦେଶ୍ୟ ‘ପତିତପାବନାଷ୍ଟକମ୍' ନାମକ ଏକ ଅଷ୍ଟକ ରଚନା କରିୟା ଚ୍ଛିଲେନ୍ ବଲିୟାଓ ଶୁନାଯାୟ । (ଶ୍ରୀକ୍ଷେତ୍ର-ପୃ୭୮/୭୯)

 

ସାଲବେଗଙ୍କ ଜୀବନରେ ଏସବୁ ଘଟଣା ତାଙ୍କର ବୃନ୍ଦାବନ ଯାତ୍ରା ପୂର୍ବରୁ ହୋଇଥିବା ସମ୍ଭବ । କାରଣ ସେ ବୃନ୍ଦାବନରେ ଅବସ୍ଥାନ କାଳରେ ଯେତେବେଳେ ରଥଯାତ୍ରା ସମୟ ଉପନୀତ ହୋଇଛି ହଠାତ୍ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ତାଙ୍କ ମନୋଭୂମିରେ ସ୍ଵତଃ ଉଦ୍‌ଭାସିତ ହୋଇ ଉଠିଛି । ମାତ୍ର ତାଙ୍କ ସମୟରେ ଭାରତବର୍ଷରେ ଉନ୍ନତ ସଡ଼କପଥର ବ୍ୟବସ୍ଥା ନଥିବାବେଳେ କିପରି ଏତେ କମ୍ ସମୟ ମଧ୍ୟରେ ବୃନ୍ଦାବନଠାରୁ ଶ୍ରୀକ୍ଷେତ୍ର ପ୍ରାୟ ସାତଶ ପଚାଶ କୋଶ ବାଟ ଅତିକ୍ରମ କରି ଜଗନ୍ନାଥଙ୍କ ନିକଟରେ ସେ ଉପନୀତ ହେବେ, କିଛି ଭାବି ପାରି ନାହାନ୍ତି ଭକ୍ତ ସାଲବେଗ । ତଥାପି ତାଙ୍କ ମନରେ ଗଭୀର ଆଶା, ରଥଯାତ୍ରା ପୂର୍ବରୁ ଜଗନ୍ନାଥଙ୍କ ନିକଟରେ ପହଞ୍ଚି ସେ ବଡ଼ଦାଣ୍ଡରେ ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ତରତରରେ ତାଙ୍କର ପାହୁଣ୍ଡ ପଡ଼ୁଥାଏ । ବେଳକୁ ବେଳ ତାଙ୍କର ଚାଲି ପ୍ରଖର ହେଉଥାଏ । ମାତ୍ର ଭଗବାନ ଜଗନ୍ନାଥଙ୍କ ଲୀଳା ବିଚିତ୍ର । ତାଙ୍କର ପରୀକ୍ଷା ସ୍ଵରୂପ ସେହି ଆସିବା ମାର୍ଗରେ ସେ ଅସୁସ୍ଥ ହୋଇପଡ଼ିଲେ । ତାଙ୍କର ପାଦ ଆଉ ଆଗକୁ ଚଳିଲା ନାହିଁ । ଦେହରେ ଖୁବ୍ ତାତି ଫୁଟି ଉଠିଲା । ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା । ଘଡ଼ଘଡ଼ି ବିଜୁଳିରେ ଚତୁର୍ଦ୍ଦିଗର ଆକାଶ ଫାଟିପଡ଼ିଲା । ଅସହାୟ ହୋଇ ପଡ଼ିଲେ ସାଲବେଗ । ଅବାଟରେ ଅଜଣା ସ୍ଥାନରେ କାହାର ବା ସାହାଯ୍ୟ ଲୋଡ଼ିବେ । ତଥାପି ଦୃଢ଼ ମନରେ ସ୍ଥିର ଚିତ୍ତରେ ନିଜର ଇଷ୍ଟଦେବ ପ୍ରଭୁ ଚକାଡୋଳା ପତିତପାବନଙ୍କୁ ପ୍ରାର୍ଥନା ସ୍ୱରୂପ ଆର୍ତ୍ତ କଣ୍ଠରେ ସେ ଡାକିଲେ –

 

‘‘ଜଗବନ୍ଧୁ ହେ ଗୋସାଇଁ !

ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ ।।

ସାତଶ ପଞ୍ଚାଶ କୋଶ ଦିଗ ଦିଶୁନାହିଁ ।

ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି ।।”

 

ଭକ୍ତର ହୃଦୟଭରା ଆକୁଳ ନିବେଦନରେ ଭଗବାନ ଜଗନ୍ନାଥଙ୍କର ହୃଦୟ ତରଳିଗଲା-। ସାଲବେଗଙ୍କର ସେଠାରେ ଆସି ଉପନୀତ ହେବା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଜଗନ୍ନାଥଙ୍କ ରଥ ଅଟକି ରହିଲା । ଗଭୀର ପରୀକ୍ଷାର ସମ୍ମୁଖୀନ କରାଇ ଭକ୍ତ ସାଲବେଗଙ୍କୁ ସେଥିରୁ ସେ ଉତ୍ତୀର୍ଣ୍ଣ କରାଇଲେ । ଭକ୍ତ ସାଲବେଗଙ୍କର ଆର୍ତ୍ତ ଚିତ୍କାରରେ ଭୀଷଣ ଝଡ଼ବର୍ଷା କେଉଁଆଡ଼େ ଥମିଗଲା । ଗଭୀର ଅନ୍ଧକାର ମଧ୍ୟରେ ଚତୁର୍ଦ୍ଦିଗ ପୁନର୍ବାର ଆଲୋକିତ ହୋଇଗଲା । ସାଲବେଗଙ୍କ ସମ୍ମୁଖରେ ଏକ ପ୍ରଶସ୍ତ ରାଜରାସ୍ତା ଉନ୍ମୁକ୍ତ ହୋଇଗଲା ପରି ସେ ଅନୁଭବ କଲେ । ତାଙ୍କ ଶରୀରରେ ଶତଗୁଣ ଶକ୍ତି ସଂଚରିତ ହେଲା । ଅପୂର୍ବ ପୁଲକ ଓ ସାହସରେ ସାଲବେଗ ଜଗନ୍ନାଥ ଧାମକୁ ଗମନ କଲେ । ସାଲବେଗ ବଡ଼ଦାଣ୍ଡରେ ଆସି ପହଞ୍ଚିବା ପରେ ହିଁ ପୁନର୍ବାର ରଥ ଚାଲିବାକୁ ଲାଗିଲା । ଏହି ହେଉଛି ଭକ୍ତ ପ୍ରତି ଭଗବାନଙ୍କର ଚରମ ପରୀକ୍ଷା ଓ ଭକ୍ତ ଭଗବାନଙ୍କ ମଧ୍ୟରେ ଥିବା ସଂପର୍କର ଡୋରୀ ।

 

ସାଲବେଗଙ୍କ ପିତା ଥିଲେ ମୁସଲମାନ୍‍ ଓ ମାତ। ବ୍ରାହ୍ମଣୀ । ତେଣୁ ସାଲବେଗଙ୍କର ହିନ୍ଦୀ, ଉର୍ଦ୍ଦୁ ଓ ଓଡ଼ିଆ ଭାଷାରେ ଗଭୀର ବ୍ୟୁତ୍ପତ୍ତି ରହିଥିଲା । ଶୁଣାଯାଏ ଯେ ସାଲବେଗଙ୍କର ବଙ୍ଗଳା ଓ ବ୍ରଜବୋଲି ଭାଷାରେ ମଧ୍ୟ ପ୍ରବେଶ ରହିଥିଲା । ଫଳତଃ ସେ ଓଡ଼ିଆ ସହିତ ହିନ୍ଦୀ, ବଙ୍ଗଳା ଓ ବ୍ରଜବୋଲି ଭାଷାରେ ବହୁ ଭଜନ ଓ ଜଣାଣ ରଚନା କରି ଜନ ସମାଜରେ ଖୁବ୍ ଲୋକପ୍ରିୟ ହୋଇଥିଲେ । ଦୁରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ହେବାକାଳରେ ସାଲବେଗ ମାତାଙ୍କ ଉପଦେଶରେ ଗଭୀର ଭକ୍ତିରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଆକର୍ଷିତ ହୋଇ ପଡ଼ିଥିଲେ । କିଛି ବର୍ଷ ପୁରୀରେ ଅବସ୍ଥାନ କରିବା ସମୟରେ ସାଲବେଗ ସେଠାରେ ଥିବା ସାଧୁ ସନ୍ଥମାନଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି ସାଧୁସନ୍ଥମାନଙ୍କଠାରୁ ରାଧାକୃଷ୍ଣଙ୍କ ସଂପର୍କରେ ନାନାକଥା ଶୁଣିବା ପରେ କବି ସାଲବେଗଙ୍କ ହୃଦୟରେ ବୃନ୍ଦାବନ ଯାତ୍ରା ନିମିତ୍ତ ଖୁବ୍ ଆଗ୍ରହ ପ୍ରକାଶ ପାଇଥିଲା । ବୃନ୍ଦାବନ ଧାମରେ ଅବସ୍ଥାନ କାଳରେ ସେ ରାଧାକୃଷ୍ଣଙ୍କ ଅଲୌକିକତା ସଂପର୍କରେ ଅଧିକରୁ ଅଧିକ ଜାଣିବାର ସୁଯୋଗ ପାଇଲେ । ଭଗବାନ କୃଷ୍ଣଙ୍କ ଅପ୍ରାକୃତ ପ୍ରେମ ଲୀଳା ସାଲବେଗଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ରାଧାକୃଷ୍ଣଙ୍କ ଅପ୍ରାକୃତ ପ୍ରେମ ଲୀଳାର ପ୍ରଭାବରେ ପ୍ରଭାବିତ ହୋଇ ବୃନ୍ଦାବନ ଧାମରେ ଅବସ୍ଥାନ କାଳରେ ସାଲବେଗ ସ୍ଵଧର୍ମ କଥା ଭୁଲିଯାଇ ରାଧାକୃଷ୍ଣ ପ୍ରେମମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ରାଶି ରାଶି ଭଜନ ଓ ଜଣାଣ ରଚନା କରି ଆମ ସାହିତ୍ୟରେ ଏକ ବିଶିଷ୍ଟ ଆସନରେ ଆସୀନ ହୋଇଥିଲେ ।

 

ସାଲବେଗ ଓ ଶ୍ରୀଜଗନ୍ନାଥ :

 

ଭାରତବର୍ଷ ହେଉଛି ନାନା ବର୍ଣ୍ଣ, ଧର୍ମ ଓ ଜାତିର ସମ୍ମିଶ୍ରଣରେ ଗଠିତ ଏକ ଉପମହାଦେଶ । ଏ ଦେଶର ସଂସ୍କୃତି ଓ ସଭ୍ୟତାରେ ନାନା ବିଭିନ୍ନତା ସତ୍ତ୍ୱେ ମଧ୍ୟ ଏକତା ପରିଲକ୍ଷିତ ହୁଏ । ବିଶେଷତଃ ଏହି ଏକତା ଶ୍ରୀକ୍ଷେତ୍ରରେ ହିଁ ସର୍ବାପେକ୍ଷା ଅଧିକ ଅନୁଭୂତ ହୋଇଥାଏ । ଭାରତବର୍ଷରେ ସନାତନ ହିନ୍ଦୁଧର୍ମରେ ନାନା ଦେବଦେବୀଙ୍କର ପରିକଳ୍ପନା କରାଯାଇଛି ଏବଂ ଏଥିନିମିତ୍ତ ବହୁ ଗୋଷ୍ଠୀଗତ ଚିନ୍ତାସହିତ ଦାର୍ଶନିକ ପଟ୍ଟଭୂମି ମଧ୍ୟ ସୃଷ୍ଟି ହୋଇଛି-। ସମୟ କ୍ରମେ ନାନା ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ଓ ମତବାଦ ମଧ୍ୟରେ ଚିତ୍ତ ସଂଘର୍ଷ ଦେଖାଯାଇଛି-। ମାତ୍ର ଜଗନ୍ନାଥ ଧାମରେ ଏସବୁ ଲୋପ ପାଇଯାଇଛି । ସେଥିନିମିତ୍ତ ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ବହୁ ମୁନିଋଷିମାନେ ଆସି ଶ୍ରୀକ୍ଷେତ୍ରରେ ସ୍ଵଧର୍ମ ପ୍ରଚାର ସହିତ ସବୁଧର୍ମକୁ ଜଗନ୍ନାଥ ଧର୍ମ ସହିତ ଏକାକାର କରି ଦେଇଛନ୍ତି । ଏହି ପୀଠରେ ବିଭିନ୍ନ ଆଚାର ବିଚାରରେ ଧର୍ମଗତ, ସଂସ୍କାରଗତ, ଗୋଷ୍ଠୀଗତ ଅନୁଚିନ୍ତାକୁ ଆଦୌ ପ୍ରାଧାନ୍ୟ ଦିଆଯାଇ ନାହିଁ । ସବୁ ଦେବଦେବୀ ଏଠାରେ ସମାନ ଅଧିକାର ଓ ପ୍ରାଧାନ୍ୟ ଲାଭକରି ସମସ୍ତେ ଜଗନ୍ନାଥଙ୍କ ଅନୁଷ୍ଠାନରେ ବିଲୀନ ହୋଇଯାଇଛନ୍ତି । ନୀଳାଚଳ ଧାମ ହେଉଛି ସକଳ ତୀର୍ଥର ଆଳୟ । ତେଣୁ ତୀର୍ଥାଟନ କାଳରେ ପ୍ରତ୍ୟେକ ହିନ୍ଦୁ ଭିନ୍ନ ଭିନ୍ନ ଦେଶ ଭ୍ରମଣ କରି ନୀଳାଚଳ ଧାମକୁ ଆସି କଳାଠାକୁରଙ୍କୁ ଦର୍ଶନ ନକଲାଯାଏ ତାଙ୍କର ତୀର୍ଥଯାତ୍ରା ପୂର୍ଣ୍ଣାଙ୍ଗ ହୁଏନାହିଁ । ସେଥିପାଇଁ ସବୁ ସଂପ୍ରଦାୟ, ମତବାଦ ଓ ଦର୍ଶନର ଲୋକ ତାଙ୍କୁ ନିଜର କରିବା ନିମିତ୍ତ ଯୁଗେ ଯୁଗେ ତାଙ୍କର ସାଧନା କରି ଆସିଛନ୍ତି । ପୁରୁଷୋତ୍ତମ ପୀଠରୁ ସ୍ୱୀକୃତି ଲାଭ କରିବା ପରେ ଭାରତୀୟ ଧର୍ମଧାରାରେ ଭକ୍ତ ନିଜ ଆସନ ଦୃଢ଼ କରିଛନ୍ତି ।

 

ଏହି ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଜାତିରେ ଯବନ ହୋଇଥିଲେ ହେଁ ସାଲବେଗ ଥିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ । ସାଲବେଗଙ୍କର ମାତା ଥିଲେ ହିନ୍ଦୁ, ପୁଣି ନୈଷ୍ଠିକ ବ୍ରାହ୍ମଣ କୁଳ ସଂଜାତା । ତାଙ୍କର ଗ୍ରାମ ପୁରୀ ପୁରୁଷୋତ୍ତମ ପୀଠର ଅନତି ଦୂରରେ ଜଗନ୍ନାଥ ସଡ଼କ କଡ଼ରେ ଥିବା ଦାଣ୍ଡମୁକୁନ୍ଦପୁର ଗ୍ରାମ । ସାଲବେଗଙ୍କ ପିତା କୌଣସି କାରଣରୁ ଉଭୟ ପତ୍ନୀ ଓ ପୁତ୍ର ସାଲବେଗଙ୍କୁ ପରିତ୍ୟାଗ କରି ଚାଲିଯିବାରୁ ପରବର୍ତ୍ତୀ କାଳରେ ମାତା ଓ ପୁତ୍ର ଉଭୟ ହିନ୍ଦୁଧର୍ମ ମତେ ସଂସାରରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ପ୍ରୟାସୀ ହୋଇଥିବେ । ଏଥିପାଇଁ ହୁଏତ ସମକାଳୀନ ସମାଜରେ କେତେକ ନୀଚମନା ସ୍ୱାର୍ଥାନ୍ଧ ବ୍ୟକ୍ତି ସାଲବେଗଙ୍କୁ ବିରୋଧ କରୁଥିବେ ଓ ତାଙ୍କୁ ଦେବମନ୍ଦିର ପ୍ରବେଶ କାଳରେ ନାନା ପ୍ରକାର ହଇରାଣ ହରକତ କରିବେ । ଏସବୁ ସତ୍ତ୍ୱେ ସାଲବେଗ ଥିଲେ ଜଗନ୍ନାଥଙ୍କର ପରମ ଭକ୍ତ । ତାଙ୍କର ହିନ୍ଦୁ ଦେବଦେବୀଙ୍କ ସମେତ ଜଗନ୍ନାଥଙ୍କ ଠାରେ ଏପରି ଅଖଣ୍ଡ ଭକ୍ତିର ପଶ୍ଚାଦ୍‌ଭାଗରେ ତାଙ୍କ ମାତାଙ୍କର ଭୂମିକା ଥିଲା ଖୁବ୍ ଗୁରୁତ୍ଵପୂର୍ଣ୍ଣ । ଶୈଶବରୁ ହିନ୍ଦୁ ଦେବଦେବୀଙ୍କ ସଂପର୍କରେ ଧାରଣା ଦେବା ସହିତ ସାଲବେଗଙ୍କୁ ତାଙ୍କର ମାତା ହିନ୍ଦୁ ଧର୍ମ ଦର୍ଶନ, ଭାଗବତ, ରାମାୟଣ, ମହାଭାରତ ପ୍ରଭୃତି ପୁରାଣ କଥା ହିଁ କହୁଥିଲେ । ତେଣୁ ଉତ୍କଳର ଜାତୀୟ ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତି ସାଲବେଗଙ୍କର ସ୍ୱତଃ ଭକ୍ତି ଜାଗ୍ରତ ହୋଇଥିଲା । ଭକ୍ତିର ଏହି ଡୋରୀ ଏତେ ଦୃଢ଼ ଥିଲା ଯେ ତାହା କୌଣସି ପରିସ୍ଥିତିରେ ଖଣ୍ଡିତ ହୋଇନଥିଲା । ବରଂ କବିଙ୍କ ସମାଧି ଲାଭ ପରେ ପୁରୀ ବଡ଼ଛତା ମଠଠାରେ ତାଙ୍କର ସମାଧି ମନ୍ଦିରେ ନିର୍ମିତ ହୋଇ ହିନ୍ଦୁ ମୁସଲମାନ୍‍ଙ୍କ ମଧ୍ୟରେ ଥିବା ଧର୍ମୀୟ ବିଭିନ୍ନତା ମଧ୍ୟରେ ଏକ ଦୃଢ଼ ସଂପର୍କ ସ୍ଥାପନ ପୂର୍ବକ ଭାରତବର୍ଷରେ ବିଭିନ୍ନ ଧର୍ମ ଓ ସଂସ୍କୃତି ମଧ୍ୟରେ ସାଂପ୍ରଦାୟିକ ଐକ୍ୟ ଓ ସଦ୍ଭାବନା ପ୍ରତିଷ୍ଠା ଦିଗରେ ସହାୟକ ହୋଇଥିଲା ।

 

ସାଲବେଗ ଥିଲେ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ । ତାଙ୍କର ଚରମ ଭକ୍ତିର ଶ୍ରେଷ୍ଠ ନିଦର୍ଶନ ସ୍ୱରୂପ ଶ୍ରୀକ୍ଷେତ୍ରରେ ଅବସ୍ଥାନ କାଳରେ ସେ ନିଜକୁ ଧନ୍ୟ ମନେକରିଛନ୍ତି ଓ ଜଗନ୍ନାଥଙ୍କ ଦାରୁମୂର୍ତ୍ତି ସଂଦର୍ଶନରେ ଆତ୍ମବିଭୋର ହୋଇ ତାଙ୍କରି ନାମ ଭଜନ କୀର୍ତ୍ତନ କରି ନିଜକୁ ଭୁଲି ଯାଇଛନ୍ତି । ତାଙ୍କ ମୁଖରୁ ସ୍ୱତଃ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରକଟିତ ହୋଇଛି –

 

‘ଚାଲ ସଖି ଆମ୍ଭେ ଦର୍ଶନ କରିବା

ନୀଳଗିରି କାଳିଆକୁ

କେଉଁ ସୁରପତି ବେଶ କରିଅଛି

ଗିରିବର ତୋଳିଆକୁ ।

 

ଶ୍ରୀପୁରୁଷୋତ୍ତମ ରହଣି କରିବା

ଖାଇବା ଛଡ଼ା ତୁଳସୀ

କହେ ସାଲବେଗ ସିଂହଦ୍ୱାର ଠାରେ

ହୋଇଥିବା କ୍ଷେତ୍ରବାସୀ ।’’

 

ମାତ୍ର ଯେତେବେଳେ ଅହମ୍ମଦ୍ ବେଗ୍‍ଙ୍କ ଅତର୍କିତ ଆକ୍ରମଣ ଫଳରେ ପୁରୀ ଶ୍ରୀମନ୍ଦିରର ପବିତ୍ରତା ଘେନି ସମସ୍ତ ଉତ୍କଳୀୟ ଭୟଭୀତ ହେବା ସହିତ ଆତଙ୍କିତ ହୋଇ ପଡ଼ିଛନ୍ତି ଏବଂ ଜଗନ୍ନାଥଙ୍କୁ ସୁରକ୍ଷା ଦେବା ନିମିତ୍ତ ପ୍ରୟାସୀ ହୋଇ ତତ୍କାଳୀନ ଗଜପତି ଶ୍ରୀମନ୍ଦିରରୁ ଜଗନ୍ନାଥଙ୍କୁ ଅନ୍ୟତ୍ର ନେଇ କେଉଁଠି ଗୋପନ ଭାବରେ ରଖିବାର ବ୍ୟବସ୍ଥା କରିଛନ୍ତି, ସାଲବେଗଙ୍କୁ ତାହା ଖୁବ୍ ବାଧିଛି । ଶ୍ରୀମନ୍ଦିର ତ୍ୟାଗ କରି ପରମ ପୁରୁଷ ଅନ୍ୟତ୍ର ଯିବେ ଓ ଶତ୍ରୁ ଦାଉରୁ ରକ୍ଷା ପାଇବା ପାଇଁ କେଉଁଠି ଅଜଣା ଭାବେ ଆତ୍ମଗୋପନ କରିବେ ଏହା ତାଙ୍କ ପକ୍ଷରେ ଖୁବ୍ ଅସହ୍ୟ ହୋଇଛି । ଜଗନ୍ନାଥଙ୍କର ଏପରି ଅବସ୍ଥା ପୁଣି ତାଙ୍କ ହୃଦୟରେ କଠୋର ଆଘାତ ଦେଇଛି । ତେଣୁ ଭକ୍ତି ଗଦ୍‌ଗଦ୍ ଚିତ୍ତରେ ତାଙ୍କ ମୁଖରୁ ନିଃସୃତ ହୋଇଛି –

 

‘‘କେଣେ ଘେନିଯାଉଛ ଜଗନ୍ନାଥଙ୍କୁ,

ଆମ୍ଭେ ଦର୍ଶନ କରିବୁ କାହାକୁ ?

ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ ହେଲେ

ବିଜୟ କର ପ୍ରଭୁ ଚାପକୁ, ଆମ୍ଭେ ଦର୍ଶନ....

କୁଳବଧୂଙ୍କ ରଡ଼ି ପଣ୍ଡାଏ ଗଡ଼ାଗଡ଼ି

ବିଧାତା ବାମ ହେଲା ଓଡ଼ିଶାକୁ, ଆମ୍ଭେ ....

ବଡ଼ଦେଉଳୁ ବାହାରି ଶଗଡ଼ିରେ ବିଜେ କରି

ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ,

କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ

ଧିକ ଧିକ ଆମ୍ଭ ଜୀବନକୁ, ଆମ୍ଭେ .... I’’

 

ଏହାହିଁ ହେଉଛି ଜଗନ୍ନାଥଙ୍କ ସହ ଭକ୍ତ ସାଲବେଗର ସଂପର୍କ ।

 

 

 

ଉତ୍କଳରେ ହିନ୍ଦୁ ଓ ମୁସଲମାନ୍‍ଙ୍କ ମଧ୍ୟରେ ସଂପର୍କ :

 

ଭାରତବର୍ଷରେ ନାନା ଧର୍ମ ଓ ବର୍ଣ୍ଣର ଜନସାଧାରଣ ବସବାସ କରୁଥିଲେ ହେଁ ହିନ୍ଦୁ ଓ ମୁସଲମାନ୍‍ଙ୍କ ସଂଖ୍ୟା ସର୍ବାଧିକ । ବିଭିନ୍ନ ସମୟରେ ଉଭୟ ଧର୍ମ ମଧ୍ୟରେ ବିଭେଦ ସୃଷ୍ଟି ହୋଇଛି ପୁଣି ଘନିଷ୍ଠ ସଂପର୍କ ପ୍ରତିଷ୍ଠା ହୋଇଛି । ଭାରତୀୟ ପୁରାଣ ସମେତ ଇତିହାସରୁ ଏ ସଂପର୍କରେ ବହୁ ଦୃଷ୍ଟାନ୍ତ ମିଳେ । ମୁସଲମାନ୍‍ କୁଳରେ ପ୍ରତିପାଳିତ କବୀରଙ୍କ ରାମଭକ୍ତିର ଉପମା ନାହିଁ । ଭଗିନୀ ନିବେଦିତାଙ୍କ ଠାରୁ ଆରମ୍ଭ କରି ଶ୍ରୀମାଙ୍କ ପର୍ଯ୍ୟନ୍ତ ମହାମାନବୀଗଣ ଏ ଜାତିର ଜନତାଙ୍କୁ ପଥ ପ୍ରଦର୍ଶନ କରିଛନ୍ତି । ଶିରିଡ଼ି ସାଇ ବାବା ମୁସଲମାନ୍‍ ଗୃହରେ ରହି ଭାରତର ଅଗଣିତ ହିନ୍ଦୁ ନରନାରୀଙ୍କ ଭକ୍ତିର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେଥି ନିମିତ୍ତ ତ ଆମର ଜାତିର ପିତା ମହାତ୍ମାଗାନ୍ଧୀ ଭଗବାନଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ କରିଛନ୍ତି–“ଈଶ୍ୱର ଆଲ୍ଲା ତେରେ ନାମ, ସବ୍‌କୋ ସନ୍‌ମତି ଦେ ଭଗବାନ ।’’ ତେଣୁ ଭଗବାନଙ୍କ ହୃଦୟରେ ଜାତି ଜାତି ମଧ୍ୟରେ ଭେଦଭାବ ନାହିଁ, ସଂପ୍ରଦାୟ ମଧ୍ୟରେ ପ୍ରତିବନ୍ଧକ ନାହିଁ । ତାଙ୍କ ନିକଟରେ ସମସ୍ତେ ସମାନ ।

 

ପୁରୀର ଜଗନ୍ନାଥ ଧାମ ହେଉଛି ସାଂପ୍ରଦାୟିକ ସଦ୍ଭାବନାର ଅନ୍ୟତମ ମୁଖ୍ୟ ପୀଠ । ଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ଵର ସବୁ ସଂପ୍ରଦାୟର ପ୍ରତୀକ । ତେଣୁ ବିଭିନ୍ନ ସମୟରେ ତାଙ୍କ ପୀଠରେ ନାନା ଜାତି, ଧର୍ମ ଓ ବର୍ଣ୍ଣର ମଣିଷମାନେ ଏକତ୍ରିତ ହୋଇ ତାଙ୍କରି ପାଦପଦ୍ମରେ ନିଜକୁ ସଂପୂର୍ଣ୍ଣ ରୂପେ ସମର୍ପଣ କରିଦିଅନ୍ତି । ମଧ୍ୟଯୁଗୀୟ ଶାସକମାନଙ୍କ ମଧ୍ୟରେ ସମ୍ରାଟ ଆକବର ଥିଲେ ଜଣେ ଉଦାରପନ୍ଥୀ ମୁସଲମାନ୍‍ । ତାଙ୍କ ସମୟରେ ଦିନ୍-ଇ-ଲାହି ଧର୍ମ ଉଭୟ ହିନ୍ଦୁ ଓ ମୁସଲମାନ୍‍ଙ୍କ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିଲା । ଐତିହାସିକ ବାଦାୟୁନି ଆକବରଙ୍କର ଏହି ଉଦାର ଧର୍ମନୀତିକୁ ସମାଲୋଚନା କରିଥିଲେ ହେଁ ଭାରତବର୍ଷ ପରି ଏକ ଧର୍ମ ନିରପେକ୍ଷ ସମାଜବାଦୀ ରାଷ୍ଟ୍ର ଗଠନରେ ଆକବରଙ୍କର ଏହି ନୀତିର ଆବଶ୍ୟକତା ଖୁବ୍ ଅଧିକ ବୋଲି ସେ ଅନୁଭବ କରିଥିଲେ । ଆକବରଙ୍କ ସମୟରେ ତାଙ୍କ ଶାସନର ଏହି ଉଦାର ଧର୍ମ ନୀତି ଫଳରେ ସମଗ୍ର ପୂର୍ବ ଭାରତରେ ହିନ୍ଦୁ ଓ ମୁସଲମାନ୍‍ଙ୍କ ମଧ୍ୟରେ ସତ୍ୟପୀର ପ୍ରତିଷ୍ଠା ହେବା ସହିତ ଏହି ପୂଜା ଲୋକପ୍ରିୟତା ଅର୍ଜନ କରିଥିଲା । ହିନ୍ଦୁ ଓ ମୁସଲମାନ୍‍ ସଂପ୍ରଦାୟ ମଧ୍ୟରେ ସଂହତି ସ୍ଥାପନ, ମୈତ୍ରୀବୋଧ ପ୍ରତିଷ୍ଠା ତଥା ସଦ୍‌ଭାବନାର ଏକ ସୁଉଚ୍ଚ ଆଦର୍ଶ ପରମ୍ପରା ସୃଷ୍ଟି ନିମିତ୍ତ ଏହା ଉଦ୍ଦିଷ୍ଟ ଥିଲା ।

 

ଷୋଡ଼ଶ-ଶତାବ୍ଦୀ ବେଳକୁ ଶ୍ୟାମାନନ୍ଦଙ୍କ ପ୍ରଭାବରେ ମେଦିନୀପୁରର ଧରେନ୍ଦ୍ର ଶେର ଖାଁ ନାମକ ଜଣେ ମୁସଲମାନ୍‍ ନିଜକୁ ଚୈତନ୍ୟ ଦାସ ଭାବରେ ପରିଚିତ କରାଇ ତା’ର ଜୀବନର ଉତ୍ତରାର୍ଦ୍ଧ ରାଧାକୃଷ୍ଣଙ୍କ ନାମ କୀର୍ତ୍ତନରେ ବିତାଇଥିଲା । ଶ୍ରୀଚୈତନ୍ୟଙ୍କ ପ୍ରଭାବରେ ବହୁ ମୁସଲମାନ୍‍ କୃଷ୍ଣ ନାମ କୀର୍ତ୍ତନ ଓ ଭଜନ କରି ଏହି ସଂସାର ବୈତରଣୀ ପାରି ହେବାର ପରିକଳ୍ପନା କରିଥିଲେ । ପୁନଶ୍ଚ ଶ୍ରୀଚୈତନ୍ୟଙ୍କ ପ୍ରଭାବରେ ପ୍ରଭାବିତ ହୋଇ ବହୁ ମୁସଲମାନ୍‍ ଜନସାଧାରଣ ନଦିଆ ନବଦ୍ୱୀପରୁ ଶ୍ରୀକ୍ଷେତ୍ର ଆସି ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିଲେ । ନବଦ୍ୱୀପରୁ ଜନୈକ ମୁସଲମାନ୍‍ ହରିଦାସ ନାମ ଧାରଣ ପୂର୍ବକ ପୁରୀ ଆସି କୃଷ୍ଣପ୍ରେମରେ ବିହ୍ୱଳ ହୋଇପଡ଼ିଥିଲେ । ସେ ତାଙ୍କର ଶେଷ ଜୀବନ ପୁରୀରେ ବିତାଇଥିଲେ । ମୁସଲମାନ୍‍ମାନଙ୍କର ଏପରି ଶ୍ରୀକୃଷ୍ଣ ଓ ଜଗନ୍ନାଥ ପ୍ରାଣତା ତତ୍କାଳୀନ ରକ୍ଷଣଶୀଳ ହିନ୍ଦୁ ସମାଜକୁ ଯଥେଷ୍ଟ ପ୍ରଭାବିତ କରିଥିଲା ।

 

ଏତଦ୍‍ବ୍ୟତୀତ ବହୁ ଉଦାରପନ୍ଥୀ ମୁସଲମାନ୍‍ ବ୍ୟକ୍ତି ଶ୍ରୀଜଗନ୍ନାଥ ପୀଠକୁ ତୀର୍ଥାଟନ ନିମିତ୍ତ ଯାଉଥିବା ହିନ୍ଦୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ସଡ଼କ କଡ଼େ କଡ଼େ ବହୁ କୂପ ଖନନ କରାଇ ଭକ୍ତଗଣଙ୍କ ତୃଷା ନିବାରଣରେ ସହାୟକ ହେଉଥିଲେ । ପୁନଶ୍ଚ ହିନ୍ଦୁ ଦେବଦେବୀଙ୍କ ଉଦ୍ଦେଶ୍ୟରେ ମୁସଲମାନ୍‍ ଧନୀକ ଶ୍ରେଣୀ ଓ ଜମିଦାରମାନେ କେତେକ ସ୍ଥାନରେ ପୁଷ୍କରିଣୀ ଖନନ ସହିତ ଜମିଜମାର ବ୍ୟବସ୍ଥା କରିଥିବା କଥା ଆମ ଶିଳାଲେଖ ବିବରଣୀରୁ ଜାଣିହୁଏ । କାଇପଦରରେ ମୁସଲମାନ୍‍ ଧର୍ମଯାଜକ ବୁଖାରୀବାବାଙ୍କୁ ସମାଧି ଦିଆଯାଇଥିବା ସ୍ଥାନକୁ ବୁଖାରୀବାବା ପୀଠ ଭାବେ ନାମିତ କରାଯାଇଥିଲେ ମଧ୍ୟ ସେଠାରେ ଉଭୟ ହିନ୍ଦୁ ଓ ମୁସଲମାନ୍‍ ସଂପ୍ରଦାୟର ଜନସାଧାରଣ ପୂଜାର୍ଚ୍ଚନା କରନ୍ତି । ଖୋର୍ଦ୍ଧା ଜିଲ୍ଲାର ମାଣିକଗୋଡ଼ା ଠାରେ ମୁସଲମାନ୍‍ ସଂପ୍ରଦାୟ ଦ୍ଵାରା ଅନୁଷ୍ଠିତ ଦୁର୍ଗା ପୂଜୋତ୍ସବ ହିନ୍ଦୁ ଓ ମୁସଲମାନ୍‍ ସଂସ୍କୃତିର ଐକ୍ୟ ବହନ କରେ ।

 

ପୁନଶ୍ଚ ଖୋର୍ଦ୍ଧାର ରାଜା ଦ୍ଵିତୀୟ ରାମଚନ୍ଦ୍ର ଦେବଙ୍କ ସହିତ ମର୍ସିଦ କୁଲିଖାଁଙ୍କର ଅନନ୍ୟା ରୂପବତୀ କନ୍ୟା ସୁଲତାନ ରେଜିଆଙ୍କର ବିବାହ ହିନ୍ଦୁ ମୁସଲମାନ୍‍ ମୈତ୍ରୀ ଭାବକୁ ବହୁଗୁଣିତ କରିଥାଏ । ମାଦଳାପାଞ୍ଜିରୁ ଜଣାଯାଏ ଯେ ରାମଚନ୍ଦ୍ରଦେବ କଟକରେ ଅବସ୍ଥାନ କାଳରେ ମୁସଲମାନ୍‍ ରାଜକୁମାରୀଙ୍କ ପ୍ରେମରେ ଲିପ୍ତ ହୋଇ ଜାତିଭ୍ରଷ୍ଟ ହୋଇଥିଲେ । ଏ ପ୍ରସଙ୍ଗ ‘ଖୁରୁଧା ଇତିହାସ’ରେ ନିମ୍ନମତେ ବର୍ଣ୍ଣିତ ହୋଇଛି । ଯଥା : ‘‘ରାମଚନ୍ଦ୍ର ଦେବ କଟକରେ ବନ୍ଦୀ ଥିବା ସମୟରେ ତାଙ୍କୁ ମୁସଲମାନ୍‍ ରାଜକନ୍ୟାଙ୍କ ସହିତ ଅବାଧ ମିଳନର ସୁଯୋଗ ଦେଇ ଇସ୍‍ଲାମ ଧର୍ମରେ ଦୀକ୍ଷିତ କରିବା ପାଇଁ ଚେଷ୍ଟା ହୋଇଥିବା ସଂପୂର୍ଣ୍ଣ ସମ୍ଭବପର । ଏହା ଫଳରେ ରକ୍ଷଣଶୀଳ ହିନ୍ଦୁମାନେ ତାଙ୍କୁ ନିଶ୍ଚୟ ଘୃଣା କରିଥିବେ । କିନ୍ତୁ ସେ ଇସ୍‍ଲାମ ଧର୍ମ ଗ୍ରହଣ କରିଥିବାର କୌଣସି ପ୍ରମାଣ ନାହିଁ । ପରନ୍ତୁ ସେ ୧୭୩୩ ରେ କଟକରୁ ମୁକ୍ତିଲାଭ କରି ହିନ୍ଦୁ ଜଗତର ପ୍ରଧାନ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ସୁରକ୍ଷା ପାଇଁ ମୃତ୍ୟୁ ପର୍ଯ୍ୟନ୍ତ ବାରମ୍ବାର ଯୁଦ୍ଧ ଓ ବିଦ୍ରୋହ କରି ଯେପରି ଅଶେଷ ନିର୍ଯ୍ୟାତନା ଭୋଗ କରିଥିଲେ ତାହା ତାହାଙ୍କର ପ୍ରଗାଢ଼ ସ୍ଵଧର୍ମ ନିଷ୍ଠାର ପରିଚାୟକ । ସେ ଅଗତ୍ୟା ଯବନୀ ପ୍ରେମ ଫାଶରେ ଆବଦ୍ଧ ହୋଇଥିଲେ ମଧ୍ୟ ମୁସଲମାନୀୟ ନାମ ମଧ୍ୟ ଗ୍ରହଣ କରିନଥିଲେ । କାରଣ କଟକରୁ ଆସିବା ପରେ ସେ ଆଠଗଡ଼ ରାଜାଙ୍କୁ ଦେଇଥିବା ପତ୍ର, ତାଙ୍କ ରାଜତ୍ଵର ଶେଷ ପର୍ଯ୍ୟନ୍ତ ପ୍ରଦତ୍ତ ସମସ୍ତ ଦାନପତ୍ର ଓ ସମସାମୟିକ ଓଡ଼ିଆ ଓ ସଂସ୍କୃତ ଗ୍ରନ୍ଥମାନଙ୍କରେ ସେ ରାମଚନ୍ଦ୍ର ଦେବ ନାମରେ ହିଁ ପରିଚିତ ଥିଲେ । ସେ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇ ସିଂହଦ୍ଵାରରେ ପ୍ରତିଷ୍ଠିତ ପତିତପାବନ ମୂର୍ତ୍ତି ଦର୍ଶନ ଦ୍ଵାରା ଶେଷ ଜୀବନ ଅତିବାହିତ କରିଥିବାର ଯେଉଁ କିମ୍ବଦନ୍ତୀ ପ୍ରଚଳିତ ତାହା ତାଙ୍କ ହିନ୍ଦୁତ୍ୱକୁ ସମର୍ଥନ କରିଥାଏ ।”

 

ସୁତରାଂ ବିଭିନ୍ନତା ଓ ଅନୈକ୍ୟ ମଧ୍ୟରେ ହିନ୍ଦୁ ଓ ମୁସଲମାନ୍‍ଙ୍କ ମଧ୍ୟରେ ଆମ ଉତ୍କଳୀୟ ସାମାଜିକ ଓ ସାଂସ୍କୃତିକ ଜୀବନରେ ଏକ ଦୃଢ଼ ସମ୍ପର୍କ ରହିଥିଲା । ଏହି ସଂପର୍କ ହିଁ ଉଭୟ ସଂପ୍ରଦାୟ ମଧ୍ୟରେ ମୈତ୍ରୀ ଓ ପ୍ରୀତିବୋଧ ପ୍ରତିଷ୍ଠା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଉଭୟ ସଂସ୍କୃତିର ସେହି ମୈତ୍ରୀ ଓ ପ୍ରୀତିବୋଧର ଜ୍ଵଳନ୍ତ ଦୃଷ୍ଟାନ୍ତ ଥିଲେ ଆମର ଆଲୋଚ୍ୟ ଯବନ ସୁତ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ କବି ସାଲବେଗ ।

 

ସାଲବେଗଙ୍କ ଶେଷଦିନ :

 

ସାଲବେଗଙ୍କ ଜୀବନର ଶେଷକାଳ ପୁରୀରେ ଅତିବାହିତ ହୋଇଥିଲା । ଜଣେ ମୁସଲମାନ୍‍ର ସନ୍ତାନ ହୋଇଥିଲେ ମଧ୍ୟ ପୁରୀର ଯେଉଁ ସ୍ଥାନରେ ନିଜ ଜୀବଦ୍ଦଶାରେ ସାଲବେଗ ଅଧିକାଂଶ ସମୟ ବସି ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅସଂଖ୍ୟ ଭଜନ ଜଣାଣ ରଚନା କରିଥିଲେ ସେହି ବଳଗଣ୍ଡି ଛତା ମଠଠାରେ ତାଙ୍କ ସମାଧି ମନ୍ଦିର ନିର୍ମାଣ ହେବା ଶ୍ରୀକ୍ଷେତ୍ରର ଇତିହାସରେ ପ୍ରଥମ ଘଟଣା । କାରଣ ସାଲବେଗଙ୍କ ସମୟରେ ସମଗ୍ର ଭାରତବର୍ଷରେ ପୁରୀର ଶ୍ରୀଜଗନ୍ନାଥ ହିଁ ଏକ ମହାନ ହିନ୍ଦୁ ଧର୍ମପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିଲା । ମୁସଲମାନ୍‍ର ସନ୍ତାନ ହୋଇଥିବାରୁ ସାଲବେଗଙ୍କ ଜୀବଦ୍ଦଶାରେ ସେ ବହୁବାର ପୁରୀ ପଣ୍ଡାଙ୍କ କ୍ରୋଧର ଶିକାର ହୋଇଥିଲେ । ଏପରିକି ରଥଯାତ୍ରା କାଳରେ ଯେତେବେଳେ ବୃନ୍ଦାବନରୁ ସାଲବେଗଙ୍କ ଆକୁଳ ପ୍ରାର୍ଥନାରେ ଜଗନ୍ନାଥଙ୍କ ରଥ ବଳଗଣ୍ଡି ଛତା ମଠ ନିକଟରେ ତାଙ୍କର ଆସିବା ପର୍ଯ୍ୟନ୍ତ ଅଟକି ଗଲା ଓ ସେଠାରୁ ଆଉ ପାଦେ ବି ଗଡ଼ିଲା ନାହିଁ ଜଗନ୍ନାଥଙ୍କ ପଣ୍ଡା ଓ ଖଳ ପ୍ରକୃତିର ଲୋକମାନେ ଗଜପତିଙ୍କୁ ହିଁ ଦୋଷାରୋପ କରିଥିଲେ । ‘‘ସେମାନେ କହିଲେ, ଗଜପତି ଜଣେ ଯବନକୁ ବଡ଼ଦାଣ୍ଡରେ ବସିବାକୁ ସ୍ଥାନ ଦେଇଥିବାରୁ ପ୍ରଭୁ ସେହି ସ୍ଥାନକୁ ବାରି ଆଉ ସେଠୁ ଘୁଞ୍ଚୁ ନାହାନ୍ତି । ସେମାନେ ଆହୁରି କହିଲେ ଯେ ସାଲବେଗ ଛତା ମଠ ଭାଙ୍ଗିଦେଲେ ଯାଇ ଜଗନ୍ନାଥଙ୍କ କୋପ ଉପଶମ ହେବ ଏବଂ ନନ୍ଦିଘୋଷ ଚାଲିବ । ଗଜପତି ଦ୍ୱନ୍ଦରେ ପଡ଼ିଲେ । ସାଲବେଗଙ୍କୁ ଡାକରା ହେଲା । ଗଜପତି ଯେତେବେଳେ ଜାଣିଲେ ଯେ ସାଲବେଗ ପଣ୍ଡାମାନଙ୍କ ଦୁର୍ବ୍ୟବହାରରେ ବଳଗଣ୍ଡି ଛାଡ଼ି ବୃନ୍ଦାବନ ଯାତ୍ରା କରିଛନ୍ତି ଏବଂ ସେଯାବତ୍ ପ୍ରତ୍ୟାବର୍ତ୍ତନ କରିନାହାନ୍ତି ତାଙ୍କର କ୍ରୋଧର ସୀମା ରହିଲା ନାହିଁ । ସାଲବେଗଙ୍କୁ ଦୁର୍ବ୍ୟବହାର କରିଥିବା ଲୋକମାନେ ହିଁ ଅପପ୍ରଚାର ଚଳାଇଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାଜସଭାରେ ସେହି ଅଭିଯୁକ୍ତ ପଣ୍ଡାମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଦେଶ ଦିଆଗଲା । ଚାରିଆଡ଼େ ଚହଳ ପଡ଼ିଗଲା ।” (ଜାତୀୟ ସଂହତିର ପ୍ରତୀକ ଭକ୍ତକବି ସାଲବେଗ... ଡଃ. ଅମୂଲ୍ୟ କୃଷ୍ଣ ମିଶ୍ର, ପୃ-୭୪)

 

ଯବନ ହୋଇ ମଧ୍ୟ ବୃନ୍ଦାବନରୁ ପ୍ରତ୍ୟାବର୍ତ୍ତନ କରିବାପରେ ଜୀବନର ଶେଷ ଦିନଗୁଡ଼ିକ ସାଲବେଗ ପୁରୀ ଛତା ମଠ ନିକଟରେ ଅବସ୍ଥାନ କରିଥିଲେ ଓ ସେହିଠାରେ ହିଁ ସମାଧିସ୍ଥ ହୋଇଥିଲେ । ଲୋକମୁଖରୁ ଶୁଣାଯାଏ “ଗଜପତି ଜଗନ୍ନାଥଙ୍କର ପରମ ଭକ୍ତ ସାଲବେଗକୁ ସମାଧିସ୍ଥ ଅବସ୍ଥାରେ ଦର୍ଶନ କରିବା ପାଇଁ ବଳଗଣ୍ଡି ଛତା ମଠକୁ ଧାଇଁ ଆସିଲେ ଏବଂ ଭକ୍ତଙ୍କ ସମାଧି ସ୍ଥଳରେ ଦେଖିବାକୁ ପାଇଲେ ସୁରଭିତ ପୁଷ୍ପରୁଚ୍ଛ । ସାଲବେଗଙ୍କ ଭଳିଆ ଜଣେ କ୍ଷଣଜନ୍ମ ଯୋଗାଧିପୁରୁଷ ତାଙ୍କ ରାଜତ୍ଵ କାଳରେ ଅବସ୍ଥାନ କରୁଥିବାରୁ ସେ ନିଜକୁ ଧନ୍ୟ ମଣିଲେ । ତାଙ୍କ ଆଦେଶରେ ବଡ଼ଦାଣ୍ଡରେ ଅବସ୍ଥିତ ସାଲବେଗଙ୍କ ଛତାମଠରେ ତାଙ୍କ ସମାଧି ନିର୍ମିତ ହେଲା ଏବଂ ସେହି ସ୍ଥାନରେ ପ୍ରତିବର୍ଷ ବାହୁଡ଼ା ବେଳେ ନନ୍ଦିଘୋଷ ଅଟକିବାର ବ୍ୟବସ୍ଥା କରାଗଲା । ଆଜିଯାଏ ଏ ବ୍ୟବସ୍ଥା ପ୍ରଚଳିତ ହୋଇ ଆସୁଛି ଏବଂ ପ୍ରତିବର୍ଷ ବାହୁଡ଼ା ଯାତ୍ରା ବେଳେ ଜଗନ୍ନାଥଙ୍କ ରଥ ସାଲବେଗଙ୍କ ସ୍ମୃତି ଉଦ୍ଦେଶ୍ୟରେ ବଳଗଣ୍ଡିଠାରେ କିଛି ସମୟ ଅଟକି ରହୁଛି ।’’ (ଜାତୀୟ ସଂହତିର ପ୍ରତୀକ ଭକ୍ତକବି ସାଲବେଗ.... ଡଃ.ଅମୂଲ୍ୟ କୃଷ୍ଣ ମିଶ୍ର, ପୃ-୭୯/୮୦)

 

ଏତଦ୍‍ବ୍ୟତୀତ ସାଲବେଗଙ୍କ ସମାଧି ସଂପର୍କରେ ତାଙ୍କ ସାହିତ୍ୟର ବିଶିଷ୍ଟ ଗବେଷକ ଓ ସମାଲୋଚକ ଡଃ. ଅମୂଲ୍ୟକୃଷ୍ଣ ମିଶ୍ର ଆମ ସମାଜରୁ ଲୋକପ୍ରଚଳିତ କେତୋଟି କିମ୍ବଦନ୍ତୀକୁ ଗ୍ରହଣ କରିଛନ୍ତି । ଏଥିରୁ ଗୋଟିଏ କିମ୍ବଦନ୍ତୀ ହେଉଛି ସାଲବେଗ ଯବନ ହୋଇଥିବାରୁ ତାଙ୍କୁ ପୁରୀ ବଡ଼ଦାଣ୍ଡରେ ସମାଧି ଦିଆଯିବା ଘଟଣା ଆଦୌ ସମ୍ଭବ ନୁହେଁ । ତେଣୁ ତାଙ୍କ ମୃତ ଶରୀର ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶମତେ ସଂପୂର୍ଣ୍ଣ ରୂପେ ପୁଷ୍ପରେ ରୂପାନ୍ତରିତ ହୋଇଯାଇଥିଲା । ଏହି କିମ୍ବଦନ୍ତୀ ସତ୍ୟ ବୋଲି ଅନେକ ବିବେଚନା କରିଥାନ୍ତି । ଏ ସଂପର୍କରେ ଅନ୍ୟ ଏକ କଥା ହେଉଛି ଯେ ସାଲବେଗଙ୍କର ମୃତ୍ୟୁ ପରେ ତାଙ୍କୁ ସ୍ୱର୍ଗଦ୍ୱାରରେ ସଂସ୍କାର କରି ତାଙ୍କର ଭସ୍ମ ଉପରେ ବଳଗଣ୍ଡିଠାରେ ସମାଧି ମନ୍ଦିର ନିର୍ମାଣ କରାଯାଇଥାଇପାରେ । ବଙ୍ଗଳା ଭାଷାରେ ରଚିତ ବିଶିଷ୍ଟ ସମାଲୋଚକ ଶ୍ରୀ ସୁନ୍ଦରାନନ୍ଦ ବିଦ୍ୟାବିନୋଦଙ୍କର ‘‘ଶ୍ରୀକ୍ଷେତ୍ର’’ ପୁସ୍ତକରୁ ଜଣାଯାଏ, ସାଲବେଗଙ୍କର ସମାଧି ପୀଠ ଉପରେ ପୂର୍ବରୁ କୌଣସି ମନ୍ଦିର ନଥିଲା । ବାଲେଶ୍ଵର ଜିଲ୍ଲାର ଭାସ୍କର ପାତ୍ର ନାମକ ଜନୈକ ଜମିଦାର ସେହି ସମାଧିପୀଠ ଉପରେ ବର୍ତ୍ତମାନ ଦୃଷ୍ଟିଗୋଚର ହେଉଥିବା ମନ୍ଦିରଟି ନିର୍ମାଣ କରିଛନ୍ତି । ଏ ସଂପର୍କରେ ବିଦ୍ୟାବିନୋଦଙ୍କ ଉକ୍ତିଟି ମଧ୍ୟ ଏଠାରେ ଉଲ୍ଲେଖଯୋଗ୍ୟ । ଯଥା : ‘‘ପୁରୀ ବଡ଼ ଦାଣ୍ଡେ ବଳଗଣ୍ଡି ସ୍ଥାନେ ‘ବଳଗଣ୍ଡି ଛତା’ ମଠେର ସଲଗ୍ନ ଏକ୍‌ଟି ପ୍ରାଚୀର ବେଷ୍ଟିତ ଭୂଖଣ୍ଡେ ଭକ୍ତବର ସାଲବେଗେର ମନ୍ଦିର ରହିୟାଛେ । ପୂର୍ବେ ସମାଧି ପୀଠେର ଉପର କୋନଓ ମନ୍ଦିର ଚ୍ଛିଲନା । ବାଲେଶ୍ୱରେର ଜମିଦାର ଭାସ୍କର ପାତ୍ର ଜୀର୍ଣ୍ଣୋଦ୍ଧାର ଓ ସମାଧି ମନ୍ଦିରାଦି ନିର୍ମାଣ କରାଇୟାଚ୍ଛେନ୍ ।’’ (ଶ୍ରୀକ୍ଷେତ୍ର, ପୃ-୩୩)

 

ତେବେ ସେ ଯାହା ଓ ଯେପରି ହେଉ, ତତ୍‌କାଳୀନ ରକ୍ଷଣଶୀଳ ସମାଜରେ ପୁରୀ ବଡ଼ଦାଣ୍ଡର ବଳଗଣ୍ଡିଠାରେ ସାଲବେଗଙ୍କର ସମାଧି ମନ୍ଦିର ନିର୍ମିତ ହେବା ଆମ ଉତ୍କଳୀୟ ସାଂସ୍କୃତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ଏହି ଘଟଣା ଆମ ଉତ୍କଳରେ ସାଂପ୍ରଦାୟିକ ସଦ୍ଭାବନା ପ୍ରତିଷ୍ଠା ଦିଗରେ ଅନେକାଂଶରେ ସହାୟକ ହୋଇପାରିଛି ।

Image

 

Unknown

ତୃତୀୟ ପରିଚ୍ଛେଦ

 

ସବୁ ଯୁଗ ଓ ସବୁ କାଳରେ ମାନବ ନିଜ ମନୋଭାବକୁ ବ୍ୟକ୍ତ କରିବା ନିମିତ୍ତ ଏକ ମାଧ୍ୟମର ଆବଶ୍ୟକତା ଅନୁଭବ କରିଛି । ଏହି ମନୋଭାବକୁ ବ୍ୟକ୍ତ କରିବାର ତା’ର ସର୍ବୋତ୍ତମ ମାଧ୍ୟମ ହେଉଛି ସଂଗୀତ । ସଂଗୀତର ମଧୁର ମୂର୍ଚ୍ଛନା ମଧ୍ୟରେ ମାନବ ନିଜର ଦୁଃଖ, ରୋଗ, ଶୋକ ଭୁଲିଯାଏ ଏବଂ ଭଗବାନଙ୍କ ସହିତ ଏକାକାର ହେବାର ସୁଯୋଗ ପାଏ । ନିଘଞ୍ଚ ବନଭୂମିରେ ଥିବା ଭୟଙ୍କର ବିଷଧର ସର୍ପ ସଂଗୀତ ଶ୍ରବଣ ମାତ୍ର ତା’ର ହିଂସ୍ର ପ୍ରବୃତ୍ତି ଭୁଲିଯାଏ । ମୃଗଟି ହଠାତ୍ କାନ ଡେରି ସଂଗୀତର ମଧୁର ମୂର୍ଚ୍ଛନା ଶ୍ରବଣ କରେ । ସଂଗୀତ ମାନବର ମନୋଭୂମିକୁ ସରସ, ସୁନ୍ଦର କରେ, ତା’ର ହୃଦୟରୁ ଯାବତୀୟ ଗ୍ଲାନି ଦୂର କରେ, ପୁଣି ତା ହୃଦୟରେ ଏକ ପ୍ରଶାନ୍ତ ଭାବନା ଉଦ୍ରେକ କରେ । ମାନବର ଜନ୍ମ ସହିତ ଏହି ସଂଗୀତର ସୃଷ୍ଟି । ଶବ୍ଦର ଆକାଶ ହେଉଛି ସଂଗୀତର ପ୍ରାଣଭୂମି । ଶବ୍ଦମାନେ ଆସନ୍ତି, ଭାଙ୍ଗନ୍ତି ପୁଣି ପରସ୍ପର ସହିତ ଯୋଡ଼ି ହୋଇ ଏକ ଅପୂର୍ବ ପୁଲକ ଓ ଆନନ୍ଦ ସୃଷ୍ଟି କରନ୍ତି । ଫଳତଃ ସଂଗୀତରେ ନାଦ ପ୍ରସ୍ଫୁଟିତ ହୁଏ, ଗୀତିମୟତା ଆପଣାଛାଏଁ ସୃଷ୍ଟି ହୋଇଯାଏ ଏବଂ ସାଂଗୀତିକତା ବନ୍ଧନ ମଧ୍ୟରେ ଶବ୍ଦ ଶବ୍ଦ ମିଶିଯାଏ ।

 

ଗୀତିଧର୍ମତା ହେଉଛି କବିତାର ଅନ୍ତଃସ୍ୱର । କବିତାର ଏହି ଭାବଧାରା କବିକୁ ଅଗଣିତ ଅପରିଚିତ ପାଠକ ନିକଟରେ ସୁପରିଚିତ ଓ ଜନପ୍ରିୟ କରାଏ । ସେଥିପାଇଁ ଭାରତୀୟ କାବ୍ୟ ସାହିତ୍ୟରେ କବିତାର ଗୀତିଧର୍ମିତା ସଂପର୍କରେ ବହୁ ଗବେଷକ ବହୁ ବର୍ଷ ନାନା ଗବେଷଣା କରି ଏହାର ଅନ୍ତରୂପକୁ ସ୍ୱୀକାର କରିବା ସହିତ ସ୍ୱୀକୃତି ମଧ୍ୟ ଦେଇଛନ୍ତି । ଆନନ୍ଦ ବର୍ଦ୍ଧନଙ୍କ ଠାରୁ ଆରମ୍ଭ କରି ବିଶ୍ଵନାଥ କବିରାଜଙ୍କ ପର୍ଯ୍ୟନ୍ତ ସମସ୍ତ ସ୍ରଷ୍ଟା କାବ୍ୟ-କବିତାରେ ଗୀତିମୟତା ସଂପର୍କରେ ସଚେତନ ହୋଇଛନ୍ତି ।

 

ଆମ ସାହିତ୍ୟରେ ମଧ୍ୟଯୁଗୀୟ କାବ୍ୟ-କବିତାରେ କାବ୍ୟ ଶୋଭା ପରିବର୍ଦ୍ଧନ ନିମିତ୍ତ ଏହାର ଆଙ୍ଗିକ ସୌଷ୍ଠବକୁ ଯେପରି ପ୍ରାଧାନ୍ୟ ଦିଆଯାଇଥିଲା । ଏହାର ସାଂଗୀତିକତା ଉପରେ ମଧ୍ୟ ସେହିପରି ଗୁରୁତ୍ୱଆରୋପ କରାଯାଉଥିଲା । ଲୋକ ଚିତ୍ତ ଜୟ କରିବା ନିମିତ୍ତ ଏହି ଯୁଗର ସ୍ରଷ୍ଟାମାନେ ସଂଗୀତକୁ ଅମୋଘ ଅସ୍ତ୍ର ଭାବରେ ବ୍ୟବହାର କରୁଥିଲେ । ପାଠକଗୋଷ୍ଠୀ ସହିତ ଭାବବିନିମୟର ଏକ ମୁଖ୍ୟ ମାଧ୍ୟମ ଭାବେ ସେମାନେ ସଂଗୀତକୁ ହିଁ ବ୍ୟବହାର କରୁଥିଲେ । ଆମ ସାହିତ୍ୟ ଆଲୋଚନାର ଏହି ପରିଧିରେ ଆମ ଦୃଷ୍ଟିକୁ ଆସନ୍ତି କବି ସାଲବେଗ । ଜାତିରେ ଯବନ ହେଲେ ହେଁ ହିନ୍ଦୁ ଦେବଦେବୀଙ୍କ ପ୍ରତି ତାଙ୍କର ଭକ୍ତିମତ୍ତାର ସୀମା ହୀନ ସ୍ଵରୂପରେ ସେ ସମଗ୍ର ଓଡ଼ିଆ ପ୍ରାଣକୁ ଜୟ କରିଛନ୍ତି । ଦୀର୍ଘ ଚାରିଶହ ବର୍ଷରୁ ଊର୍ଦ୍ଧ୍ୱକାଳ ଅତିକ୍ରାନ୍ତ ହୋଇଯାଇଥିଲେ ହେଁ ତାଙ୍କ କବିତା ଗାନମାତ୍ରେ ଶ୍ରଦ୍ଧାଳୁ ଭକ୍ତର ଦୁଇକର୍ଣ୍ଣ ଓ ମନ ସ୍ୱତଃ ଏକାଗ୍ରତାରେ ଭରି ଉଠେ, ରୋମ ପୁଲକିତ ହୋଇଯାଏ, ଚକ୍ଷୁ ଯୁଗଳରୁ ଲୋତକ ଭକ୍ତିରେ ଗଡ଼ିଯାଇ ଆମ ମନରୁ ଯେତେ ଆବିଳତା ସବୁ ଧୌତ କରିଦିଏ । ଫଳତଃ କବି ସାଲବେଗଙ୍କ ପ୍ରତି ସମଗ୍ର ଉତ୍କଳୀୟ ମାନବ ସମାଜର ସ୍ୱତଃ ଭକ୍ତି ଓ ଶ୍ରଦ୍ଧାର ନିବେଦନ ସ୍ୱରୂପ ସଂପ୍ରତି ମଧ୍ୟ ପ୍ରତ୍ୟେକ ଓଡ଼ିଆ ମୁଖରେ ଦୈନନ୍ଦିନ ଶୁଣିବାକୁ ମିଳେ–

 

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ।

ମୋ ଆରତ-ନଳିନୀ ବନକୁ କର ଦହନ ।।

ଗଜରାଜ ଡାକ ଦେଲା ଥାଇ ଘୋରଜଳେଣ ।

ଚକ୍ର ପେଷି ନକ୍ର ନାଶି କୃପା କଲ ଆପଣ ।।

ଦ୍ରୌପଦୀ ଯେ ଚିନ୍ତାକଲା କୁରୁସଭା ତଳେଣ ।

କୋଟି ବସ୍ତ୍ର ଦେଇ ତାଙ୍କ ଲଜ୍ଜା କଲ ବାରଣ ।।” ଇତ୍ୟାଦି

 

ଭାରତବର୍ଷରେ ଭକ୍ତି ସାହିତ୍ୟର ପରମ୍ପରା :

 

କେଉଁ ପ୍ରାଚୀନ କାଳରୁ ଭାରତବର୍ଷରେ ଭକ୍ତି ସାହିତ୍ୟର ଏକ ସୁଦୀର୍ଘ ପରମ୍ପରା ରହି ଆସିଥିଲେ ମଧ୍ୟ ପଞ୍ଚଦଶ ଶତକରୁ ଏହି ଧାରା ଅଧିକ ପରିପୁଷ୍ଟ ହୋଇଛି । ଏହି କାଳରେ ଭାରତୀୟ ସାଂସ୍କୃତିକ ଜୀବନଧାରାରେ ଯେଉଁ ଦୁଇଟି ମୁଖ୍ୟ ଦିଗ ଥିଲା ତାହା ହେଉଛି ଭୋଗ ଓ ତ୍ୟାଗ । ଏହି ଦୁଇଟି ଧାରାକୁ କେନ୍ଦ୍ର କରି ତତ୍କାଳୀନ ସାହିତ୍ୟର କ୍ରମବିକାଶ ସମ୍ଭବ ହୋଇଥିଲା । ଭୋଗ ବିଳାସ ମଧ୍ୟରେ ରାଜ ଦରବାରରେ ଯେଉଁ ସାହିତ୍ୟ ରଚିତ ହୋଇଥିଲା ତାହା ଥିଲା କାଳ୍ପନିକ, ସମ୍ଭୋଗ ଲୀଳାଯୁକ୍ତ ଏବଂ କୌତୁକ ଲୀଳାରେ ପରିପୂର୍ଣ୍ଣ । ଅନ୍ୟ ଧାରାଟି ଥିଲା ନିର୍ଲିପ୍ତ, ଅନାସକ୍ତ ଓ ବୈରାଗ୍ୟଦୀପ୍ତ । ଭାରତୀୟ ଭକ୍ତି ଧାରା ମୁଖ୍ୟତଃ ଏହାରି ଉପରେ ପର୍ଯ୍ୟବସିତ ଥିଲା-। ଭାରତୀୟ ସାହିତ୍ୟରେ ଏହି ଧାରା ଷୋଡ଼ଶ ଶତାବ୍ଦୀରୁ ବିକଶିତ ହୋଇ ଆମ ସାହିତ୍ୟକୁ ପଲ୍ଲବିତ ଓ ମଞ୍ଜୁଳ କରିଛି । ଅସମୀୟା ସାହିତ୍ୟରେ ଆଚାର୍ଯ୍ୟ ଶଙ୍କରଦେବ ସମକାଳୀନ ସମାଜରେ ଭକ୍ତିବାଦୀ ଆନ୍ଦୋଳନର ଜଣେ ପ୍ରମୁଖ ରୂପକାର ଥିଲେ । ନିଜର ଅପୂର୍ବ ପାଣ୍ଡିତ୍ୟ ଓ ବିଦ୍‌ବତ୍ତା ଯୋଗୁ ବେଦାନ୍ତର ପୁନରୁତ୍‌ଥାନ ସହିତ ସାମାଜିକ ଦୃଷ୍ଟିକୋଣରୁ ବୈଷ୍ଣବ ଧର୍ମର ପ୍ରସାର ପାଇଁ ସେ ପ୍ରବଳ ଉଦ୍ୟମ ଆରମ୍ଭ କରିଥିଲେ ।

 

ଶଙ୍କରାଚାର୍ଯ୍ୟଙ୍କ ପରେ ପରେ ରାମାନୁଜଙ୍କ ଭକ୍ତି ଦର୍ଶନ ଭାରତୀୟ ଜନମାନସ ପାଇଁ ଅଧିକ ପ୍ରେରଣା ସୃଷ୍ଟି କରିଥିଲା । ରାମାନୁଜ ପ୍ରଥମେ ବ୍ରହ୍ମ ଓ ମାୟା ମଧ୍ୟରେ ଥିବା ସଂପର୍କ ବିଚାର କରିବା ସହିତ ଜୀବ ଓ ଜଗତ୍‌ର ସଂପର୍କକୁ ମାନବ ଉଦ୍ଦେଶ୍ୟରେ ବ୍ୟାଖ୍ୟା କରିଥିଲେ । ଭଗବାନଙ୍କର ଅବତାର ଲୀଳାରେ ଭକ୍ତ ଅପାର ଆନନ୍ଦ ଲାଭ କରେ–ଏହା ରାମାନୁଜ ହିଁ ଅନୁଭବ କରିଥିଲେ । ତେଣୁ ଭଗବାନ ପ୍ରାପ୍ତି ନିମିତ୍ତ ଜ୍ଞାନ, ଭକ୍ତି ଓ କର୍ମ ପରି ତିନୋଟି ମାର୍ଗ ରହିଛି । ଭକ୍ତି ହିଁ ଶ୍ରେଷ୍ଠ ମାର୍ଗ ବୋଲି ସେ ହୃଦୟଙ୍ଗମ କରିଥିଲେ । ଭକ୍ତିର ଭାବାତ୍ମକ ସାଧନା ବଳରେ ଭକ୍ତ ଭଗବାନଙ୍କୁ ସାକ୍ଷାତ କରିବାକୁ ସକ୍ଷମ ହୁଏ ବୋଲି ସେ ଅନୁଭବ କରୁଥିଲେ ।

 

କର୍ଣ୍ଣାଟକରେ ଜନ୍ମ ଗ୍ରହଣ କରିଥିବା ମାଧ୍ୱ ସଂପ୍ରଦାୟର ଭକ୍ତ କବି ମାଧ୍ୱାଚାର୍ଯ୍ୟ ଜଗତ୍‌କୁ ଏକମାତ୍ର ସତ୍ୟ ଭାବେ ହୃଦୟଙ୍ଗମ କରିଥିଲେ । ତାଙ୍କ ମତରେ ସମସ୍ତ ଜୀବଶକ୍ତି କଲ୍ୟାଣ ନିମିତ୍ତ ଜଗତ୍‌ର ଅଧିନ ହୋଇଥାନ୍ତି । ମୁକ୍ତି ପାଇବା ନିମିତ୍ତ ଜୀବ ବିଭିନ୍ନ ଦେବତାର ପୂଜାର୍ଚ୍ଚନା କରେ, ନାନା ଦେବଦେବୀଙ୍କୁ ସ୍ତୁତି କରେ । ଏହି ସ୍ତୁତିର ଅନ୍ୟ ନାମ ହେଉଛି ଭକ୍ତି । ଭକ୍ତିର ମୂଳେ ଏ ଜଗତ । ଭକ୍ତି ରସରେ ବଶବର୍ତ୍ତୀ ହେଲେ ଭଗବାନ ବିଷ୍ଣୁ ଗୋଟିଏ ରୂପରୁ ବହୁ ରୂପରେ ବିଭକ୍ତ ହୁଅନ୍ତି, ନିମ୍ବାର୍କ ରାଧାକୃଷ୍ଣଙ୍କ ଉପାସନାରେ ଭକ୍ତଜନର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଅନୁଭବ କରିଛନ୍ତି । ତାଙ୍କ ମତରେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଉପାସ୍ୟ ଓ ତାଙ୍କର ହ୍ଲାଦିନୀ ଶକ୍ତି ହେଉଛନ୍ତି ଶ୍ରୀରାଧା । ରାଧା ଓ କୃଷ୍ଣ ତାଙ୍କ ଦୃଷ୍ଟିରେ ଏକ ଓ ଅଭିନ୍ନ ରୂପେ ପ୍ରତିପାଦିତ ହୋଇଛନ୍ତି । ରାଧାକୃଷ୍ଣଙ୍କ ଯୁଗଳ ଉପାସନା ଫଳରେ ଭକ୍ତ ଭଗବାନଙ୍କ ଆଶୀର୍ବାଦ ଲାଭ କରେ ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ ହୋଇଥାଏ । ଏତଦ୍‍ବ୍ୟତୀତ ଭାରତୀୟ ଭକ୍ତି ସାହିତ୍ୟ ଧାରାରେ ଜ୍ଞାନେଶ୍ୱର, ନାମଦେବ, ନରସି ମେହେତା, କବୀର, ନାନକ, ସୁରଦାସ, ଶ୍ରୀଚୈତନ୍ୟ, ମୀରାବାଇ, କୃଷ୍ଣଦେବ ରାୟ, ପୁରନ୍ଦର ଦାସ, ତୁଳସୀ ଦାସ ପ୍ରଭୃତି ସ୍ରଷ୍ଟାଗଣ ଏକ ଏକ ଗୁରୁତ୍ୱପୂର୍ଣ୍ଣ ଆସନରେ ଆସୀନ ହୋଇଛନ୍ତି ।

 

ଏହିସବୁ ଆଲୋଚନାରୁ ସ୍ପଷ୍ଟ ଭାବେ ଜାଣିହୁଏ ଯେ ଭାରତବର୍ଷରେ ଭକ୍ତିଧାରାର ସାହିତ୍ୟ ସ୍ରଷ୍ଟାମାନେ କର୍ମକାଣ୍ଡର ଶୁଷ୍କତା ବା ଜ୍ଞାନ ଭକ୍ତିର ଆତ୍ମବଡ଼ିମା ଠାରୁ ନିରାପଦ ଦୂରତ୍ୱରେ ରହି ଶୁଦ୍ଧା ପ୍ରେମଭକ୍ତିର ରସାଳମାର୍ଗକୁ ସ୍ଵାଗତ କରୁଥିଲେ । ଫଳତଃ ଏହି ସ୍ରଷ୍ଟାମାନଙ୍କୁ ଭଗବାନଙ୍କ କରୁଣା ପାଇବା ପାଇଁ ଇଚ୍ଛୁକ ସାଧାରଣ ଜନତାର ପୂର୍ଣ୍ଣ ସମର୍ଥନ ମିଳୁଥିଲା ଓ ସେହି ସାଧାରଣ ଜନତାଙ୍କୁ ଆଶ୍ରୟ କରି ଆଲୋଚ୍ୟ ସ୍ରଷ୍ଟାମାନେ ସମଗ୍ର ଭାରତବର୍ଷରେ ନିଜର ଭକ୍ତି ସାହିତ୍ୟ ସମ୍ଭାରକୁ ବିକଶିତ କରିବାରେ ସହାୟକ ହୋଇଥିଲେ । ପୁନଶ୍ଚ ଭାରତବର୍ଷରେ ଏହି ସହଜିଆ ଭକ୍ତିଧାରାକୁ ଆଶ୍ରୟ କରି ଦକ୍ଷିଣ ଭାରତରେ ଅଲୱାର ସଂପ୍ରଦାୟ ଓ ଉତ୍ତର ଭାରତରେ ଆଭୀରୀ ସଂପ୍ରଦାୟ ସୃଷ୍ଟି ହୋଇଥିଲେ । ଅଲଓ୍ୱାର ସଂପ୍ରଦାୟର ବ୍ୟକ୍ତିବର୍ଗ ମୁଖ୍ୟତଃ ବିଷ୍ଣୁ ଭକ୍ତ ଥିଲେ । ସୁତରାଂ ସେମାନେ ତାଙ୍କର ରଚିତ ଭଜନ ଓ ଜଣାଣରେ ବିଷ୍ଣୁଙ୍କ ନାମରେ ସଂଗୀତ ରଚନା କରୁଥିଲେ । ଅନ୍ୟପକ୍ଷରେ ଉତ୍ତର ଭାରତରେ ଥିବା ଆଭୀରୀ ସଂପ୍ରଦାୟର ଭକ୍ତଗଣ ତାଙ୍କ ରଚିତ ଭକ୍ତି ସଂଗୀତରେ କୃଷ୍ଣଙ୍କର ବନ୍ଦନା କରୁଥିଲେ ।

 

ଭାରତୀୟ ସାହିତ୍ୟରେ ଯବନ କବି :

 

ଏହି ପର୍ଯ୍ୟାୟରେ ସମଗ୍ର ଭାରତବର୍ଷରେ ଯେଉଁ କବିମାନେ ଭକ୍ତି ସଂଗୀତ ରଚନା କରି ଭାରତୀୟ ଭକ୍ତି ସଂଗୀତର ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଥିଲେ, ସେମାନଙ୍କ ମଧ୍ୟରେ ବହୁ ଯବନ କବି ଅନ୍ତର୍ଭୁକ୍ତ ଥିଲେ । ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟରେ ପ୍ରଥମ ମୁସଲମାନ୍‍ କବି ଥିଲେ ମାଲିକ ମହମ୍ମଦ ଜାୟସୀ । ଜାତିରେ ମୁସଲମାନ୍‍ ହୋଇଥିଲେ ହେଁ ଭାରତୀୟ ସନ୍ଥ ଓ ଭକ୍ତି ସାହିତ୍ୟର ପରମ୍ପରାକୁ ତାଙ୍କର ଦାନ ଥିଲା ଅତୁଳନୀୟ । ଭାରତବର୍ଷରେ ପ୍ରଚଳିତ ନାଥ, ସନ୍ଥ, ସହଜଯାନ, ବଜ୍ରଯାନ ଏବଂ ବେଦାନ୍ତର ତତ୍ତ୍ୱରାଜିକୁ ନିର୍ବିକାର ଭାବରେ ନିଜକାବ୍ୟରେ ବ୍ୟବହାର କରି ସେ ଭାରତୀୟ ଭକ୍ତି ସାହିତ୍ୟରେ ନୂତନ ପରମ୍ପରା ସୃଷ୍ଟି କରିଥିଲେ । ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟରେ ପ୍ରେମଧର୍ମର ପ୍ରାବଲ୍ୟ ରହିଥିବାରୁ ତାହା ତତ୍‌କାଳୀନ ଇସ୍‍ଲାମୀ ସୁଫୀ ଧର୍ମ ଓ ପରମ୍ପରାକୁ ମଧ୍ୟ ଅନୁପ୍ରାଣିତ କରିଥିଲା । ମୋଗଲ ଶାସନ କାଳରେ ଆଲ୍ଲୋପନିଷଦ ରଚିତ ହୋଇଥିଲା ବେଳେ ତାଙ୍କ ସମୟରେ ‘ମଦନାଷ୍ଟକ’ ନାମରେ ଏକ କୃଷ୍ଣଲୀଳା ଗ୍ରନ୍ଥ କବି ରହିମ୍ ଖାଁଙ୍କ ଦ୍ୱାରା ରଚିତ ହୋଇଥିଲା ।

 

ମୋଗଲମାନେ ଯେ କେବଳ ଏକଦା ଭାରତବର୍ଷର ଶାସକ ଓ ଶୋଷକ ଥିଲେ ତାହା ନୁହେଁ, ସେମାନଙ୍କ ମଧ୍ୟରେ ଥିବା ସାହିତ୍ୟ ପ୍ରାଣତା ସେମାନଙ୍କୁ ଜନଜୀବନ ଅନୁଧ୍ୟାନ ଓ ଅନୁଶୀଳନ ପାଇଁ ସୁଯୋଗ ଦେଇଥିଲା । ଏହିପରି ଜଣେ ମୁସଲମାନ୍‍ ସ୍ରଷ୍ଟା ଥିଲେ ଦିଲ୍ଲୀର ପଠାଣ ସର୍ଦ୍ଦାର ରସ୍‌ଖାନ୍ । କୃଷ୍ଣଙ୍କ ପ୍ରେମ ଲୀଳାର ଜୟଜୟକାର ତାଙ୍କ ଭକ୍ତି କବିତାର ପ୍ରଧାନ ଉପାଦାନ ଥିଲା ।

 

ସୁଫୀତତ୍ତ୍ୱରେ ଆତ୍ମା ଓ ପରମାତ୍ମାର ସଂପର୍କ ହେଉଛି ପ୍ରେମିକ (ଆଶିକ) ଓ ପ୍ରେମିକା (ମହେବୁବ୍) ର ସଂପର୍କ ପରି । ପରମାତ୍ମା ହେଉଛନ୍ତି ସୁପୀମତ ଦୃଷ୍ଟିରୁ ପ୍ରେମିକା ବା ମହେବୁବ୍ ଓ ଆତ୍ମା ହେଉଛି ପ୍ରେମିକ ବା ଆଶିକ୍ । ପରମାତ୍ମା ବା ପ୍ରେମିକାର ହୃଦୟ ଅତୀବ କଠିନ । ଏହା ପ୍ରେମିକ ବା ଆତ୍ମାକୁ ଶତବ୍ୟଞ୍ଜନା ମଧ୍ୟରେ ତିଳ ତିଳ କରି ଦଗ୍‌ଧ ଓ ଜର୍ଜରିତ କରିଥାଏ । ବ୍ୟଞ୍ଜନାମୟୀ ନାୟିକା ଉଦ୍ଦେଶ୍ୟରେ ପ୍ରେମିକ ଏକ ଦୁନିର୍ବାର ଆକର୍ଷଣରେ ଧାବିତ ହେବା ପରି ପରମାତ୍ମାଙ୍କ ପ୍ରାପ୍ତି ଦିଗରେ ଆତ୍ମା ଧାବିତ ହେବା ସୁପୀ ସାଧନାର ମର୍ମକଥା । ନମାଜ ବା ପ୍ରାର୍ଥନାରେ ନୁହେଁ, ଅଥବା ଇନ୍ଦ୍ରିୟ ନିଗ୍ରହ ଓ ସନ୍ୟାସ ମଧ୍ୟରେ ନୁହେଁ, କିମ୍ବା ଜ୍ଞାନ, ବିଚାର ଓ ବିତର୍କରେ ନୁହେଁ; ନୃତ୍ୟ, ସଂଗୀତ, ପ୍ରେମାନ୍ମାଦ ଓ ମଦ୍ୟ ମଧ୍ୟରେ କେବଳ ପ୍ରେମିକାରୂପିଣୀ ପରମାତ୍ମାଙ୍କର ସାନ୍ନିଦ୍ଧ ମିଳିଥାଏ । ଏ ପ୍ରେମ ପୁନଶ୍ଚ ନିଷିଦ୍ଧ ପରକୀୟା ପ୍ରେମ ହୋଇପାରିଲେ ଆହୁରି ଭଲ ବୋଲି ସୁଫୀବାଦୀ ସାଧକମାନେ ଅନୁଭବ କରନ୍ତି । ସେଥିନିମିତ୍ତ ସୁଫୀମାନଙ୍କର ‘ସାମ’ ବା ସଂକୀର୍ତ୍ତନରେ ସେହି ପରକୀୟା ଭାବବ୍ୟଞ୍ଜକ ସଂଗୀତ ହିଁ ସେମାନେ ଗାନ କରିଥାନ୍ତି ।

 

ବିଶେଷ କରି ଭାରତବର୍ଷରେ ସପ୍ତଦଶ ଶତାବ୍ଦୀରେ ଯେଉଁ ଯବନ କବିମାନେ କାବ୍ୟ କବିତା ରଚନାରେ ମନୋନିବେଶ କରିଛନ୍ତି ସେମାନେ ତାଙ୍କ ସୃଷ୍ଟି ମଧ୍ୟରେ ନିଜ ଇଷ୍ଟଦେବ ଆଲ୍ଲାଙ୍କ ସହିତ ଈଶ୍ୱର ଓ ରାଧାକୃଷ୍ଣଙ୍କୁ ମଧ୍ୟ ଭଜନ କରିବାକୁ ଭୁଲି ନାହାନ୍ତି । ଭାରତବର୍ଷରେ ଏହିପରି ଯବନ କବିମାନଙ୍କ ମଧ୍ୟରେ ପ୍ରଧାନ ହେଉଛନ୍ତି ଦରିଆ ସାହେବ, ମିଆଁ ନଜିର, ଶେଖ୍ ଫରୀଦଜୀ ପ୍ରଭୃତି । ଏହି ସ୍ରଷ୍ଟାମାନଙ୍କ ଆବିର୍ଭାବ ସମୟକୁ ଭାରତୀୟ ସାହିତ୍ୟରେ ପ୍ରେମଧର୍ମର ପ୍ରାବଲ୍ୟ ସୃଷ୍ଟି ହୋଇଥିଲା । ସୁତରାଂ ସେତେବେଳେ ସୁଫୀମତ ପରମ୍ପରା ଓ ସୁଫାବାଦୀ ଚେତନା ହିଁ ପ୍ରେମଧର୍ମକୁ ପ୍ରଭାବିତ କରିଥିଲା । ବୈଷ୍ଣବ ସହଜିଆ ପ୍ରେମଧର୍ମ ସହିତ ଯେତେବେଳେ ପ୍ରେମଧର୍ମ ସମନ୍ୱିତ ହୋଇଗଲା ବଙ୍ଗଳାରେ ଆଉଲ୍ ଓ ବାଉଲ୍ ନାମରେ ଦୁଇଟି ନୂତନ ସଂପ୍ରଦାୟ ସୃଷ୍ଟି ହୋଇଥିଲେ । ଏହି ସଂପ୍ରଦାୟର ଅଧିକାଂଶ ସ୍ରଷ୍ଟା ମୁସଲମାନ୍‍ ଥିଲେ ମଧ୍ୟ ତାଙ୍କ ସୃଷ୍ଟି ମୁଖ୍ୟତଃ କୀର୍ତ୍ତନ, ନାମୋଚାରଣ, ପ୍ରେମୋନ୍ମାଦ ଉପରେ ପର୍ଯ୍ୟବସିତ ଥିଲା । ଫଳତଃ ବଙ୍ଗଳା ସମେତ ସମଗ୍ର ଭାରତବର୍ଷରେ ହିନ୍ଦୁ ଧର୍ମ ଓ ଇସ୍‍ଲାମ ଧର୍ମ ମଧ୍ୟରେ ସେତେବେଳେ ଏକ ସୁଉଚ୍ଚ ସାଂସ୍କୃତିକ ପରମ୍ପରା ସୃଷ୍ଟି ହୋଇଥିଲା । ବାଉଲ୍ ସଂପ୍ରଦାୟର ହିନ୍ଦୁମାନେ ଥିଲେ ବୈଷ୍ଣବ ଧର୍ମାବଲମ୍ବୀ ଓ ମୁସଲମାନ୍‍ମାନେ ଥିଲେ ସୁଫା ଧର୍ମାବଲମ୍ବୀ। ଏ ସଂପର୍କରେ ଆମ ସାହିତ୍ୟର ବିଶିଷ୍ଟ ସମାଲୋଚକ ଶ୍ରୀ ସୁରେନ୍ଦ୍ର ମହାନ୍ତି ଯଥାର୍ଥରେ ଉଲ୍ଲେଖ କରିଛନ୍ତି – ‘‘ଉଭୟ ସଂପ୍ରଦାୟର ଧର୍ମ ଥିଲା ଏକ ଓ ଅଭିନ୍ନ । ପ୍ରେମଧର୍ମ ଉପରେ ସେମାନେ ପ୍ରାଧାନ୍ୟ ଦେଉଥିଲେ । ସେଥିନିମିତ୍ତ ଆଉଲ୍, ବାଉଲ୍, ଦରବେଶ ପ୍ରଭୃତି ଇସଲାମୀୟ ସଂପ୍ରଦାୟ ସ୍ମାର୍ତ୍ତ, ଅତିବଡ଼ୀ, ଚୂଡ଼ାଧାରୀ, କର୍ତ୍ତାଭାଜା, ସଖୀଭେକୀ, ଗୌରାଙ୍ଗ ନାଗରୀ, ନେଡ଼ାନେଡ଼ୀ, ସହଜିଆ ପ୍ରଭୃତି ସଂପ୍ରଦାୟ ସହିତ ବୈଷ୍ଣବ ଶ୍ରେଣୀଭୁକ୍ତ ହୋଇ ପାରିଛନ୍ତି ।

 

ଓଡ଼ିଶାରେ ଯବନ କବି :

 

ଓଡ଼ିଆ ସାହିତ୍ୟ ହେଉଛି ଭାରତୀୟ ସାହିତ୍ୟର ଏକ ଅଂଶ ବିଶେଷ । ଯେଉଁ କାଳରେ ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ ଯବନ କବିଗଣ ଭାରତୀୟ ଗୀତି କବିତାର ଧାରାକୁ ପରିପୁଷ୍ଟ କରିଥିଲେ, ଠିକ୍ ସେହି ପର୍ଯ୍ୟାୟରେ ଆମ ଓଡ଼ିଶାରେ ବହୁ ଯବନ କବିଙ୍କର ଆବିର୍ଭାବ ଘଟିଥିଲା । ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଯବନ କବିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ ଭକ୍ତକବି ସାଲବେଗ-। ତାଙ୍କ ବ୍ୟତୀତ ଓଡ଼ିଆ ଭଜନ, ଜଣାଣ, ଭକ୍ତି ସଂଗୀତ ପ୍ରଭୃତିକୁ ଯେଉଁ ଯବନ ସ୍ରଷ୍ଟାଗଣ ସମୃଦ୍ଧ କରିଥିଲେ ସେମାନଙ୍କ ମଧ୍ୟରେ ୟେର୍ଫାନ ଅଲ୍ଲି, ସୟଦ୍ ମୁର୍ତୁଜା, ବାକର ଅଲ୍ଲି, ଅସଦ ଅଲ୍ଲି, ରସ ଅଲ୍ଲି, ସେକ୍ ବାକ୍‌କର ମହମ୍ମଦ ପ୍ରଭୃତି ପ୍ରଧାନ ଥିଲେ । ଭକ୍ତକବି ସାଲବେଗଙ୍କ ପରି ଉପଯୁକ୍ତ ସ୍ରଷ୍ଟାମାନଙ୍କର କୃତି ଆମ ସାହିତ୍ୟରେ ପରିମାଣାତ୍ମକ ଦୃଷ୍ଟିରୁ ଅଧିକ ନ ହେଲେ ମଧ୍ୟ ଗୁଣାତ୍ମକ ଦୃଷ୍ଟିକୋଣରୁ ଥିଲା ଅତୀବ ଗୁରୁତ୍ୱପୂର୍ଣ୍ଣ । ୟେର୍ଫାନ ଅଲ୍ଲି ଥିଲେ ସେହି କବିମାନଙ୍କ ମଧ୍ୟରୁ ଅନ୍ୟତମ । ଓଡ଼ିଆ ସାହିତ୍ୟରେ ସେ ଯେଉଁ କାଳରେ ଆବିର୍ଭୂତ ହୋଇଥିଲେ ତାହା ସଠିକ ଭାବେ ଜାଣି ନ ହେଲେ ମଧ୍ୟ ସାଲବେଗ ସାହିତ୍ୟର ବିଶିଷ୍ଟ ଗବେଷକ ଡଃ. ଅମୂଲ୍ୟ କୃଷ୍ଣ ମିଶ୍ର ୟେର୍ଫାନ ଅଲ୍ଲିଙ୍କ ସମୟ ଅଷ୍ଟାଦଶ ବା ଊନବିଂଶ ଶତକ ଭାବେ ଗ୍ରହଣ କରିଛନ୍ତି । କବିଙ୍କର ଭଜନରେ ବ୍ୟବହୃତ ଭାଷା ଓ ଭଜନରେ ଥିବା ଧର୍ମୀୟ ପ୍ରଭାବକୁ ଅନୁଶୀଳନ କରି ସେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ୟେର୍ଫାନ ଅଲ୍ଲିଙ୍କ ଭଜନଗୁଡ଼ିକରେ ଗୌଡ଼ୀୟ ବୈଷ୍ଣବ ଧର୍ମର ପ୍ରଭାବ ଅତ୍ୟନ୍ତ ସୁସ୍ପଷ୍ଟ ଥିଲା । ଜାତିରେ ଯବନ ହୋଇ ସୁଦ୍ଧା ତାଙ୍କ ଭଜନ ଓ ଜଣାଣ ମଧ୍ୟରେ ସେ ଗୌଡ଼ୀୟ ବୈଷ୍ଣବ ଧର୍ମକୁ ପ୍ରାଧାନ୍ୟ ଦେବା ସହିତ ଶ୍ରୀକୃଷ୍ଣଙ୍କ ନାମ କୀର୍ତ୍ତନ କରି ତାଙ୍କୁ ଗିରିଧର, ଶ୍ୟାମନାଗର, ମୋହନ ପ୍ରଭୃତି ନାମରେ ସମ୍ବୋଧନ କରିଛନ୍ତି । ଯଥା :

 

‘‘ଉଠ ମଠ ନକର ହେ ଶ୍ୟାମ ନାଗର ।

ଲମ୍ପଟ ପୀରତି ଛାଡ଼ ବିମ୍ବ-ଅଧର ।

ତୁମ୍ଭଲାଗି ମୋହନ ଖୀବ ହେଲା ଯଉବନ

ଚାହିଁ ରଜନୀ ଶେଷ ହେଲା ଏଥର ।

କେଉଁ ନାଗରୀପୁର ରହିଲ ଗିରିଧର

ତୁମ୍ଭ ଚିତ୍ତକୁ ହେଲା ଏହା ସୁନ୍ଦର ।”

 

ଅଷ୍ଟାଦଶ ଶତକର ଅନ୍ୟ ଜଣେ ଯବନ କବି ହେଉଛନ୍ତି ଅସଦ ଅଲ୍ଲି । ସେ ତାଙ୍କ ଭଜନ ଓ ଜଣାଣରେ ରାଧାକୃଷ୍ଣଙ୍କ ମଧ୍ୟରେ ଥିବା ଅପ୍ରାକୃତ ପ୍ରେମ ଲୀଳାକୁ ବ୍ୟକ୍ତ କରିବା ପାଇଁ ପ୍ରୟାସୀ ହୋଇଛନ୍ତି । ଶ୍ରୀକୃଷ୍ଣଙ୍କ ଅନୁପସ୍ଥିତି ଫଳରେ ଶ୍ରୀରାଧାଙ୍କ ହୃଦୟରେ ସୃଷ୍ଟିହୋଇଛି ଏକ ବିରାଟ ଶୂନ୍ୟସ୍ଥାନ । ବିଦେଶକୁ ଗଲାବେଳେ ଶ୍ରୀକୃଷ୍ଣ ନିଜର ପ୍ରାଣ ପ୍ରିୟା ଶ୍ରୀରାଧାଙ୍କୁ ଯେଉଁ ପ୍ରତିଶ୍ରୁତି ଓ ଆଶ୍ୱାସନା ଦେଇଥିଲେ ତାହା ସେ ରକ୍ଷା କରିପାରି ନାହାନ୍ତି । ଫଳତଃ ବିରହ ଜ୍ୱାଳାରେ ଭାଙ୍ଗି ପଡ଼ିଛନ୍ତି ଶ୍ରୀରାଧା । ବସନ୍ତ କାଳ ତାଙ୍କ ବିରହ ଦଶାକୁ ବହୁଗୁଣିତ କରି ଦେଇଛି । ବସନ୍ତ କାଳରେ ଯେତେବେଳେ ସମଗ୍ର ପୃଥିବୀ ସୁରଭିତ, ପୁଷ୍ପରେ ପରିଶୋଭିତ, ସେତିକିବେଳେ ମହାନାୟକ ଶ୍ରୀକୃଷ୍ଣ ତାଙ୍କ ନିକଟରେ ଅନୁପସ୍ଥିତ । ଏହି ବ୍ୟଥା ଓ ବେଦନା ଶ୍ରୀରାଧାଙ୍କ ଦୁଃଖକୁ ବହୁଗୁଣିତ କରିଦେଇଛି । ଯବନ କବି ଅସଦ ଅଲ୍ଲି ଶ୍ରୀରାଧାଙ୍କର ଏହି ମାନସିକତାକୁ ନେଇ ପ୍ରକାଶ କରିଛନ୍ତି–

 

‘‘ବସନ୍ତ କାଳେ ବନ୍ଧୁ ମୋତେ ଯାହା କଲାରେ ।

ବିଦେଶକୁ ଗଲାବେଳେ ।

ପଡ଼ିଲି ଚରଣ ତଳେ

ଆସିବେ ବୋଲି ତତ୍କାଳେ

ମୋ ଦେହକୁ ଛୁଇଁ ଥିଲାରେ ।

କହିଣ ବେନି ମାସକୁ

ନଇଲେ କନ୍ୟ ତୁଳକୁ

କେ ନାରୀ ରଖିଲା ତାକୁ

ତା ପାଶେ କି ଜଡ଼ିଥିଲା ରେ ।’’

 

କବିଙ୍କର ଅନ୍ୟ ଏକ କବିତାରେ ରାଧାକୃଷ୍ଣଙ୍କ କଥୋପକଥନ ମଧ୍ୟରେ ସୁସ୍ଥ ସମାଜ ଗଠନ ପାଇଁ ରହିଛି ଉପଦେଶ । କୃଷ୍ଣ ନିଜର ପ୍ରାଣପ୍ରିୟା ରାଧାଙ୍କ ସହିତ ରତିକ୍ରୀଡ଼ାରେ ବ୍ୟସ୍ତଥିବା ସମୟରେ ରାତ୍ରି ପାହିଯାଇଛି । ଫଳତଃ ପୁରାଣର ଇନ୍ଦ୍ର ଅହଲ୍ୟା, ବନର ମୟୂର ମୟୂରୀ ପ୍ରଭୃତିଙ୍କ କଥା ସ୍ମରଣ କରି ସଚେତନ ହୋଇଯାଇଛନ୍ତି ଶ୍ରୀରାଧା ଏବଂ ତାଙ୍କୁ ଆଉ ରମଣ ନକରିବା ପାଇଁ ସେ କୃଷ୍ଣଙ୍କୁ ଉପଦେଶ ଦେଇ କହିଛନ୍ତି –

 

‘‘ପାହିଲା ରଜନୀ ଛାଡ଼ ବାସକାନି

ଦିବସେ ରମଣ କଲେ ପୁରୁଷକୁ ହାନି ।

ଇନ୍ଦ୍ର ଯେ ଅହଲ୍ୟା ତୁଲେ

ଦିବସରେ ରତିକଲେ

ଗୋଉତମେ ଶ୍ୟାପ ଦେଲେ ଅଙ୍ଗେ ସସ୍ର ଯୋନୀ ।”

 

ଏହି ପର୍ଯ୍ୟାୟର ଅନ୍ୟ ଜଣେ ଯବନ କବି ହେଉଛନ୍ତି ରସ ଅଲ୍ଲି । ଏ ପର୍ଯ୍ୟନ୍ତ ଆବିଷ୍କୃତ ତାଙ୍କର ଦୁଇଟି କବିତାରେ ସେ ଶ୍ରୀରାଧାଙ୍କ ରୂପ ଲାବଣ୍ୟ ସହିତ ଶ୍ରୀକୃଷ୍ଣଙ୍କ ଲମ୍ପଟ ଭାବନାକୁ ପ୍ରକାଶ କରିଛନ୍ତି । ଏ ସଂପର୍କରେ ସେ ‘ଚ’ ଓ ‘ଛ’ କୁ ଆଦ୍ୟ ଅକ୍ଷରରେ ରଖି କବିତା ରଚନା କରିଛନ୍ତି ।

 

ସେକ୍ ବାକ୍‌କର ମହମ୍ମଦ ନାମରେ ଅନ୍ୟ ଜଣେ ଯବନ କବି ବିଂଶ ଶତକର ତୃତୀୟ ଦଶକରେ ଆବିର୍ଭୂତ ହୋଇ ଆମ ଭଜନ ଓ ଜଣାଣ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ସେ ମୁଖ୍ୟତଃ ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କୁ ନେଇ ତାଙ୍କର ଏକାଧିକ କବିତା ରଚନା କରିଛନ୍ତି । କବିଙ୍କର ବାଲ୍ୟ କାଳରୁ ଆରମ୍ଭ କରି ତାଙ୍କର ସମଗ୍ର ଜୀବନ ଅତ୍ୟନ୍ତ ଦୁଃଖ ଓ ନୈରାଶ୍ୟ ମଧ୍ୟରେ ଅତିବାହିତ ହୋଇଛି । ତଥାପି ଦାରିଦ୍ର୍ୟର ଏହି କଷାଘାତ ତାଙ୍କୁ ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ସଂପର୍କିତ ଭଜନ ଓ ଜଣାଣ ରଚନା କରିବାରୁ ନିବୃତ୍ତ କରିପାରି ନାହିଁ । ତାଙ୍କ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ଭଗବାନଙ୍କ ଲୀଳା ପ୍ରଚାର କରିବା ପାଇଁ ସେ ବହୁ ସଂଗୀତ ରଚନା କରି ତାହାକୁ କ୍ଷୁଦ୍ର ପୁସ୍ତିକା ଆକାରରେ ଛପାଇଛନ୍ତି ଓ ତାହାର ବିକ୍ରୟ ଲବ୍‌ଧ ଅର୍ଥରେ ସେ ନିଜର ଗୁଜୁରାଣ ମେଣ୍ଟାଇଛନ୍ତି । ଏହି ଯବନ କବିଙ୍କର ସୃଷ୍ଟି ମଧ୍ୟରେ ପ୍ରଧାନ ହେଉଛି ତୁମେ ବଡ଼ କପଟି, ନୀଳ ଶଇଳ ନିବାସୀ, ବାରେ ଚକା ନୟନ, ଅଜାତିଆ ଜଗନ୍ନାଥ, ପ୍ରଭୁ ଦୟାଳୁ ହରି, ନନ୍ଦନନ୍ଦନ ହେ ଜଗାକାଳିଆ, ବଡ଼ ଦିଅଁ କେ କହେ କାହିଁକି, କିଏ ଦେଲା ଦୟାନିଧି ନାମଟି, ପୁରୀ ଦେଉଳ ମନ୍ଦିର ଭିତରେ ପ୍ରଭୃତି ।

 

ଦାରିଦ୍ର୍ୟର କଷାଘାତ ମଧ୍ୟରେ କବି ମହମ୍ମଦ ଯେତେବେଳେ ଆମ ସମାଜରେ ଧନୀ ଓ ନିର୍ଦ୍ଦନ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ଲକ୍ଷ୍ୟ କରିଛନ୍ତି ତାଙ୍କ କବିପ୍ରାଣ ସେଥିରେ ବଡ଼ ବ୍ୟଥିତ ହୋଇପଡ଼ିଛି । ଜଣେ ମାନବ ପ୍ରାଚୁର୍ଯ୍ୟର ସର୍ବୋଚ୍ଚ ଶିଖରରେ ଥାଇ ଘିଅ ମହୁରେ ଆବଗାହନ କରୁଥିବା ବେଳେ ଆଉ ଜଣେ ଏସବୁର ସ୍ଵପ୍ନ ବି ଦେଖିପାରୁ ନାହିଁ । ସମାଜର ଏପ୍ରକାର ଚଳଣିର ଦୃଢ଼ ପ୍ରତିବାଦ କରିଛନ୍ତି କବି ବାକ୍‌କର ମହମ୍ମଦ ତାଙ୍କର ‘ବାରେ ଚକାନୟନ’ ଜଣାଣ ମଧ୍ୟରେ । ସେ ଉଲ୍ଲେଖ କରିଛନ୍ତି –

 

‘‘ବାରେ ଚକାନୟନ ଦିଅ ଖୋଲି ହେ

ତୁମକୁ ପଚାରି ନେବି ନାହିଁକି ?

ସାରା ଦୁନିଆଁ ଗଢ଼ିଛି ପରମାତ୍ମା

ଏଠି ଏଡ଼େ ଅବିଚାର କାହିଁକି ?

ବୋହିଯାଏ କା’ର ଘିଅ ମହୁଭାର

ନ ପାଉଛି କିଏ ପେଟକୁ ଆହାର

ଆଉ ଜଣେ କିଏ ବୁଲି ବୁଲି ଧାଏଁ

ତାକୁ କେ କରିଲା ଦାଣ୍ଡର ଫକୀର ।”

 

ପୁନଶ୍ଚ ସେ ସେହି ବ୍ୟବଧାନ ଓ ବିଭେଦର କଥା ଉଲ୍ଲେଖ କରିଛନ୍ତି ତାଙ୍କର ଅନ୍ୟଏକ ଜଣାଣ ‘ତୁମେ ବଡ଼ କପଟି’ ମଧ୍ୟରେ । ଜଗନ୍ନାଥ ବଡ଼ ଦେଉଳରେ ଅବସ୍ଥାନ କରିଛନ୍ତି । ବହୁ କବି ଓ ଲେଖକ ତାଙ୍କୁ ପତିତପାବନର ଆଖ୍ୟା ଦେଇଛନ୍ତି । ମାତ୍ର କବି ତାଙ୍କ ହୃଦୟରେ ସେହି ଚେତନା ବା ଭାବନା ଆଦୌ ଲକ୍ଷ୍ୟ କରିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ଜଗନ୍ନାଥଙ୍କୁ ବଡ଼ କପଟି ପୁରୁଷ ଭାବେ ସମ୍ବୋଧନ କରି ତାଙ୍କରି ଉଦ୍ଦେଶ୍ୟରେ ନିଜର ବ୍ୟଥା ଓ ବେଦନାକୁ ପ୍ରକାଶ କରି କବି ଉଲ୍ଲେଖ କରିଛନ୍ତି –

 

‘‘ବଡ ଦିଅଁ ହେ, ତମେ ବଡ଼ କପଟି

ବଡ଼ ଦିଅଁ ହେ

କାହାକୁ ହସାଅ କାହାକୁ କନ୍ଦାଅ

କିଏ ଦେଲା ଦୟାନିଧି ନାମଟି ।

 

କେ ଖିରି ଖେଚଡ଼ି ଖାଉଛି ହାପୁଡ଼ି

କିଏ ଖାଇ କେତେ ଫିଙ୍ଗି ଦିଏଟି

ଉପବାସେ ନିଏ ପେଟକୁ ନପାଏ

କିଏ ଖାଉଅଛି ପତର ଚାଟି ।

ପାଟ ମଠା ଧୋତି କିଏ ପିନ୍ଧୁଥାନ୍ତି

ଜୋତା ମୋଜାରେ କା’ଲୁଚେ ଗୋଇଠି

କିଏ ବା ବିବସ୍ତ୍ର କିଏ ଚିରାବସ୍ତ୍ର

କେ ପିନ୍ଧେ ପକାଇ ସତର ଗଣ୍ଠି ।’’

 

 

କବି ଜାତିରେ ଯବନ ହୋଇଥିଲେ ମଧ୍ୟ ମନ ଓ ପ୍ରାଣରେ ଥିଲେ ସେ ଜଗନ୍ନାଥଙ୍କର ପରମ ଭକ୍ତ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସମ୍ପର୍କ ଅନାବିଳ, ନିରୁଦ୍ଦେଶ୍ୟ । ସେଥିପାଇଁ କାଳେ କାଳେ ଭକ୍ତ ଅଭିମାନରେ ଭଗବାନଙ୍କୁ ନାନା ଭାଷାରେ ଗାଳିଦିଏ, ତା ନିକଟରେ ଅଭିମାନଭରା କଣ୍ଠରେ ନିଜ ଦୁଃଖ ପ୍ରକାଶ କରେ । କବି ଦରିଦ୍ର ହୋଇଥିବାରୁ ତାଙ୍କ ମନୋଭୂମିରେ ତାଙ୍କର ଇଷ୍ଟଦେବ ଶ୍ରୀଜଗନ୍ନାଥଙ୍କ ପ୍ରତି ସେହି ଅଭିମାନ ସ୍ୱତଃ ପ୍ରକାଶ ପାଇବା ସ୍ଵାଭାବିକ । ସମାଜର ଚତୁର୍ଦ୍ଦିଗରେ ସେ ବହୁକାଳ ଧରି ଲକ୍ଷ୍ୟ କରିଛନ୍ତି ଅନାଚାର, ଅସଙ୍ଗତି, ଅନ୍ୟାୟ ଓ ଅସମତା । ଏସବୁ ଦେଖିବା ସତ୍ତ୍ୱେ ସେ ଜଗନ୍ନାଥଙ୍କ ଠାରେ କୌଣସି ପ୍ରତିକ୍ରିୟା ଲକ୍ଷ୍ୟ କରିନାହାନ୍ତି । ତେଣୁ ତାଙ୍କରି ଉଦ୍ଦେଶ୍ୟରେ କବି ମନ ସ୍ୱତଃ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଏହି ପ୍ରତିକ୍ରିୟା କବିଙ୍କର “ନୀଳ ଶଇଳ ନିବାସୀ’ କବିତା ମଧ୍ୟରେ ନିମ୍ନଭାବେ ପ୍ରକାଶ ପାଇଛି ।

 

“ନୀଳ ଶଇଳ ନିବାସୀ ଦେବ ଶ୍ରୀହରି

ଦୂରୁ ଶୁଭେନା ଏ କି ଗରିବ ଗୁହାରି

ବଡ଼ ପାଚେରି ଘେରାଇ ବଡ଼ ଦେଉଳ ତୋଳାଇ

ବସିଛ ମଉନେ ଦାରୁଭୂତ ମୁରାରି ।

ଆତଙ୍କରେ ପଡ଼ି ଗଜରାଜ ଡାକିଲା ରଖ ହେ ଚତୁର୍ଭୂଜ

ଥାଇଣ ଲକ୍ଷେ ଯୋଜନେ ତା’ଡାକ ଶୁଣିଲ କର୍ଣ୍ଣେ

ମୋ ବେଳକୁ କିମ୍ପା ହୁଅ ବଧିର ପରି ?

ଯେତେ କୀର୍ତ୍ତି ରଖିଛ ଜଗତେ

ହେଜି ହେଜି ବା କହିବି କେତେ

ନ ଦେଖି ପୋଥି ପୁରାଣ, ବାକର ମିଆଁ ଯବନ

ପ୍ରାଣ ଯାଉ ମୋର ମା' ଶାରଳା ସୁମରି ।’’

 

‘ଅଜାତିଆ ଜଗନ୍ନାଥ' କବିଙ୍କର କୋଡ଼ିଏ ପଦ ବିଶିଷ୍ଟ ଏକ ଦୀର୍ଘ କବିତା । ଏଥିରେ କବି ଜଗନ୍ନାଥଙ୍କୁ ହାତ ଖଣ୍ଡିଆ, ଅଜାତିଆ କହି ପଇସା ଲୋଭରେ ଭାତ ବିକାଳୀ ଭାବେ ସମ୍ବୋଧନ କରିଛନ୍ତି । ଏହି କବିତା ମଧ୍ୟରେ ଶ୍ରୀଜଗନ୍ନାଥଙ୍କର ବୌଦ୍ଧଠାରୁ ଆରମ୍ଭ କରି ନାନା ଅବତାର କଥା କହିଛନ୍ତି ; କୃଷ୍ଣ ଓ ଜଗନ୍ନାଥଙ୍କ ମଧ୍ୟରେ କବି ଏକାତ୍ମ ପରିକଳ୍ପନା କରିଛନ୍ତି ।

 

ଏତଦ୍‍ବ୍ୟତୀତ ବିଂଶ ଶତକରେ ବହୁ ଯବନ କବି ଅସଂଖ୍ୟ ଓଡ଼ିଆ ଭଜନ ଓ ଜଣାଣ ରଚନା କରି ଆମ ସଂଗୀତ ସାହିତ୍ୟର ଧାରା ଓ ପରମ୍ପରାକୁ ସମୃଦ୍ଧ କରିଛନ୍ତି ।

 

ସାଲବେଗଙ୍କ ସୃଷ୍ଟିମାନସ :

 

ସାଲବେଗ ଥିଲେ ମୁଖ୍ୟତଃ କବି । ପ୍ରାଚୀନ ଭଜନ ଓ ଜଣାଣ ରଚନା କ୍ଷେତ୍ରରେ ଓଡ଼ିଆ ସାହିତ୍ୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଆସନର ଅଧିକାରୀ ଥିଲେ । ଜାତିରେ ଯବନ ହୋଇଥିଲେ ହେଁ ଓଡ଼ିଆ କାବ୍ୟ କବିତାର ବିକାଶ ଦିଗରେ ତାଙ୍କର ଭୂମିକା ଥିଲା ଅତୀବ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସେ ଉଭୟ ଜଗନ୍ନାଥ ଓ କୃଷ୍ଣଙ୍କ କୃପା ଲାଭ କରିଥିଲେ । ତାଙ୍କର ମାତା ହିନ୍ଦୁ ହୋଇଥିବାରୁ ସାଲବେଗ ସ୍ୱାଭାବିକ ରୀତିରେ ଓଡ଼ିଆ ସାହିତ୍ୟ ସଂସ୍କୃତି ପ୍ରତି ଆକର୍ଷିତ ହୋଇଛନ୍ତି । ତତ୍‌କାଳୀନ ରକ୍ଷଣଶୀଳ ହିନ୍ଦୁ ସମାଜର ତାଙ୍କ ପ୍ରତି ଥିବା ଘୋର ବିରୋଧକୁ ସେ ତାଙ୍କ ଜୀବନରେ ଏକ ଆହ୍ୱାନ ଭାବରେ ଗ୍ରହଣ କରି ନିଜକୁ ହିନ୍ଦୁ ଦେବଦେବୀଙ୍କ ନିକଟରେ ସଂପୂର୍ଣ୍ଣଭାବେ ସମର୍ପଣ କରି ଦେଇଛନ୍ତି । ଇତିମଧ୍ୟରେ ଦୀର୍ଘ ଚାରିଶହ ବର୍ଷରୁ ଉର୍ଦ୍ଧ୍ୱକାଳ ଅତିବାହିତ ହୋଇଥିଲେ ମଧ୍ୟ ସାଲବେଗଙ୍କ ସମଗ୍ର ସୃଷ୍ଟି ସମ୍ଭାର ଲୋକଲୋଚନକୁ ଆସିପାରି ନଥିଲା । ଗତ କେତେ ବର୍ଷ ତଳେ ସାଲବେଗ ସାହିତ୍ୟର ଦୁଇ ବିଶିଷ୍ଟ ଗବେଷକ ଓ ଆଲୋଚକ ପଣ୍ଡିତ ନୀଳମଣି ମିଶ୍ର ଓ ଡଃ. ଅମୂଲ୍ୟ କୃଷ୍ଣ ମିଶ୍ର ଏ ଦିଗରେ କାର୍ଯ୍ୟାରମ୍ଭ କରିଥିଲେ । ସାଲବେଗଙ୍କ ଭଜନ, ଜଣାଣ ସମେତ ଅନ୍ୟାନ୍ୟ ସୃଷ୍ଟି ଲୋକଲୋଚନକୁ ଆଣିବାରେ ଏହି ଦୁଇ ଆଲୋଚକ ବହୁ ଶ୍ରମ ସ୍ୱୀକାର କରିଥିଲେ । ଫଳତଃ ପଣ୍ଡିତ ନୀଳମଣି ମିଶ୍ରଙ୍କଦ୍ୱାରା ‘‘ଭକ୍ତ କବି ସାଲବେଗ : ଜୀବନୀ ଓ ପଦ୍ୟାବଳୀ’’ ଏବଂ ଡଃ ଅମୂଲ୍ୟ କୃଷ୍ଣ ମିଶ୍ରଙ୍କ ଦ୍ଵାରା ‘‘ସାଲବେଗ ପଦ୍ୟାବଳୀ’ ପ୍ରକାଶ ପାଇଥିଲା । ଉଭୟ ଲେଖକଙ୍କ ଦ୍ଵାରା ସଂକଳିତ ଓ ସଂପାଦିତ ସାଲବେଗଙ୍କ ରଚନାବଳୀ ଯେ ପୂର୍ଣ୍ଣାଙ୍ଗ ଏ କଥା ଦୃଢ଼ତାର ସହିତ କହିହେବ ନାହିଁ । ତଥାପି ପୂର୍ବରୁ ଏଣେତେଣେ ବିପର୍ଯ୍ୟସ୍ତ ଅବସ୍ଥାରେ ଲୋକ ଲୋଚନର ଅଗୋଚରରେ ରହିଥିବା ସାଲବେଗଙ୍କର ବହୁ ପଦାବଳୀକୁ ଉଭୟ ସ୍ରଷ୍ଟା ଜନସମାଜ ସମ୍ମୁଖରେ ଉପସ୍ଥାପନ କରି ପ୍ରାଚୀନ ଓଡ଼ିଆ ସାହିତ୍ୟର ବିକାଶ ଦିଗରେ ଏକ ମହତ୍ ଉଦ୍ୟମ କରିଛନ୍ତି ।

 

ସାଲବେଗଙ୍କ ଜନ୍ମ ଓ ଜୀବନୀ ସଂପର୍କରେ ଇତିହାସରୁ କୌଣସି ଯୁକ୍ତିସିଦ୍ଧ ଦୃଷ୍ଟାନ୍ତ ମିଳୁ ନଥିବାରୁ ତାଙ୍କ ସାହିତ୍ୟ ସୃଷ୍ଟିର ନିର୍ଦ୍ଦିଷ୍ଟ ସମୟକାଳ ସଂପର୍କରେ ଅବଧାରଣା କରିବା ସମ୍ଭବପର ହୋଇପାରେ ନାହିଁ । ସାଲବେଗ ଜନ୍ମତଃ କବି ନଥିଲେ । ପରିସ୍ଥିତି ଓ ପରିବେଶ ହିଁ ତାଙ୍କୁ କବି ହେବାର ସୁଯୋଗ ଆଣି ଦେଇଥିଲା । ଯୁବକାବସ୍ଥାରେ ନିଜର ପିତା ଲାଲ୍‌ବେଗଙ୍କୁ ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ପ୍ରୟାସୀ ହୋଇ ଶତ୍ରୁ ପକ୍ଷ ସୈନ୍ୟଙ୍କ ଦ୍ଵାରା ସାଲବେଗ ଭୀଷଣଭାବେ ଆଘାତପ୍ରାପ୍ତ ହୋଇଥିଲେ । ଶତ ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ସାଲବେଗ ଯନ୍ତ୍ରଣାମୁକ୍ତ ହୋଇପାରି ନ ଥିଲେ । ଶେଷରେ ମାତାଙ୍କ ଉପଦେଶ କ୍ରମେ ସେ କୃଷ୍ଣଙ୍କ ଶରଣ ଭିକ୍ଷା କରିଥିଲେ-। ଏହାପରେ ସେହି ବାଳ ମୁକୁନ୍ଦ କୃଷ୍ଣଙ୍କ କୃପାରୁ ସାଲବେଗ ଆରୋଗ୍ୟ ଲାଭ କରିଥିଲେ । ଫଳତଃ ସାଲବେଗଙ୍କ ହୃଦୟରେ ଏହିଠାରୁ ହିଁ ବିରାଟ ପରିବର୍ତ୍ତନ ଆସିଥିଲା । ଏହା ଆନୁମାନିକ ୧୬୧୫-୧୬ ମସିହାର କଥା ହୋଇଥିବ । ଜୀବନ ମରଣ ସମସ୍ୟାରେ ଉପନୀତ ହୋଇ ସାଲବେଗ ନିଜର ଜାତି ଗୋତ୍ର ଭୁଲିଯାଇ ଶ୍ରୀକୃଷ୍ଣଙ୍କୁ ଆର୍ତ୍ତ କଣ୍ଠରେ ପ୍ରାର୍ଥନା କରିବାରୁ ଭକ୍ତର ପ୍ରାର୍ଥନାରେ ଭଗବାନଙ୍କ ଆସନ ପ୍ରକମ୍ପିତ ହୋଇଥିଲା ଓ ସେ ବାଳମୁକୁନ୍ଦ ରୂପରେ ଭକ୍ତ ସାଲବେଗ ନିକଟକୁ ଆସି ତାଙ୍କର ରୋଗ ନିବାରଣ କରିବା ସହିତ ତାଙ୍କୁ ଅଭୟ ପ୍ରଦାନ କରିଥିଲେ । ପୁରାଣକାର ରାମଦାସ ତାଙ୍କର ‘ଦାର୍ଢ଼୍ୟତା ଭକ୍ତି ରସାମୃତ’ ଗ୍ରନ୍ଥରେ ଏହି ପ୍ରସଙ୍ଗ ନିମ୍ନଭାବରେ ବର୍ଣ୍ଣନା କରିଛନ୍ତି ।

 

‘ବାଳମୁକୁନ୍ଦ ରୂପ ହୋଇ ।

ବିଜୟ କଲେ ଭାବଗ୍ରାହୀ ।।

ହୋଇଣ ଅତ୍ୟନ୍ତ ଉଦ୍‌ବେଗ ।

ଯହିଁ ଶୋଇଛି ସାଲବେଗ ।।

ତାହାର ସୀମ ସ୍ଥାନେ ବସି ।

କହିଲେ ମନ୍ଦେ ମନ୍ଦେ ହସି ।।

ବେଗେ ତୁ ଉଠରେ କୁମର ।

ଛାଡ଼ ସକଳ ଚିନ୍ତା ତୋର ।।

ଧର ଏ ବିଭୂତି ମୁଠାଏ ।

ଲଗାଇ ଦିଅ ତୋର ଘାଏ ।।

ସମସ୍ତ ହୋଇବ କୁଶଳ ।

ଆଜୁ ମୋ ନାମ କର ମୂଳ ।।

ତା ଶୁଣି ଅତି ତୋଷ ହୋଇ ।

ବିଭୂତି ତାଙ୍କ ହସ୍ତୁ ନେଇ ।।

ସର୍ବାଙ୍ଗଯାକ ଦେଲା ବୋଳି।

ଅର୍ଦ୍ଧେକ ଘେନିଲା ମଉଳି ।।

ପ୍ରଭୁଙ୍କୁ କଲା ଦରଶନ ।

ହରି ହୋଇଲେ ଅନ୍ତର୍ଦ୍ଧାନ ।।

ଦେହରେ ଦେହ ବୃଦ୍ଧି ନାହିଁ ।

ପୁଣି ସେ ପଡ଼ିଲାକ ଶୋଇ ।।

ରଜନୀ ପ୍ରଭାତରୁ ଉଠି ।

ନିଜ ଦେହକୁ ଦେଲା ଦୃଷ୍ଟି ।।

ଦେହେ ତା ଘାଆ ନାହିଁ କିଛି ।

କେବଳ ଚିହ୍ନମାନ ଅଛି ।।

ଦେଖିସେ ପରମ ଆନନ୍ଦ ।

ଚିତ୍ତେ ଚିନ୍ତଇ ବ୍ରଜାନନ୍ଦ ।।

 

ଏହିଠାରୁ ହିଁ ଯବନ ବୀର ସାଲବେଗ ଇସ୍‍ଲାମୀୟ ସଂସ୍କୃତିକୁ ସଂପୂର୍ଣ୍ଣ ରୂପେ ଭୁଲିଗଲେ । ନିଜର ହିନ୍ଦୁ ମାତାଙ୍କ ଉପଦେଶରେ ବାଳମୁକୁନ୍ଦ କୃଷ୍ଣଙ୍କ ସହିତ ଶ୍ରୀକ୍ଷେତ୍ର ନିବାସୀ ଶ୍ରୀଜଗନ୍ନାଥଙ୍କ ଠାରେ ନିଜର ଭକ୍ତି ଅର୍ଘ୍ୟ ନିବେଦନ ସ୍ୱରୂପ ସନ୍ନ୍ୟାସ ବ୍ରତ ଗ୍ରହଣ କରି ସର୍ଜନା କରିଥିଲେ ଅସଂଖ୍ୟ ଭଜନ ଓ ଜଣାଣ ।

 

ସାଲବେଗଙ୍କ ରଚନାକୁ ଆଲୋଚନାର ସୌଷ୍ଠବ ଦୃଷ୍ଟିରୁ ମୁଖ୍ୟତଃ ନିମ୍ନଭାବରେ ବିଭକ୍ତ କରାଯାଇପାରେ । ଯଥା :

 

କ)

ରାଧା କୃଷ୍ଣ ଲୀଳାଭିତ୍ତିକ ପଦାବଳୀ ।

ଖ)

ଶ୍ରୀଜଗନ୍ନାଥ ଭଜନ ଓ ଜଣାଣ ।

ଗ)

ଶିବ ଭଜନ ।

ଘ)

ଦେବୀ ଭଜନ ।

ଡ)

ରାମ ଭଜନ ।

ଚ)

ଭକ୍ତି ଭାବନା ସମ୍ବଳିତ ପଦାବଳୀ ।

ଛି)

ବ୍ରଜବୋଲି ପଦାବଳୀ ।

ଜ)

କଳିଭାରତ ।

 

ରାଧାକୃଷ୍ଣ ଲୀଳାଭିତ୍ତିକ ପଦାବଳୀ :

 

ଯୁବାବସ୍ଥାରେ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ହେବା ପରେ ସାଲବେଗଙ୍କ ହୃଦୟରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଆସିଥିଲା । ନିଜ ମାତାଙ୍କ ଉପଦେଶକୁ ପାଥେୟ କରି କବି ନିଜକୁ ବ୍ରଜବିହାରୀ ଶ୍ରୀକୃଷ୍ଣଙ୍କ ଠାରେ ସଂପୂର୍ଣ୍ଣ ରୂପେ ଉତ୍ସର୍ଗ କରି ଦେଇଥିଲେ । ସୁସ୍ଥାବସ୍ଥାକୁ ଫେରିଲା ପରେ ସାଲବେଗ ତାଙ୍କର ଆରାଧ୍ୟ ଦେବତାଙ୍କ ଲୀଳାଭୂମି ଉତ୍ତର ଭାରତର ବୃନ୍ଦାବନକୁ ଗମନ କରିଥିଲେ । ସେଠାରେ ସେହି ତୀର୍ଥ ଭୂଇଁରେ ଅବସ୍ଥାନ କାଳରେ ଭକ୍ତ ସାଲବେଗଙ୍କ ହୃଦୟରେ ଶ୍ରୀକୃଷ୍ଣଙ୍କ ରୂପ ସଂଦର୍ଶନରେ ଯେଉଁ ଭକ୍ତି ଭାବନା ସଂଚରିତ ହୋଇଥିଲା ତାହାରି କାବ୍ୟ ରୂପ ହେଉଛି ‘ଅତି ଯତନରେ ବଂଶୀ ଗଢ଼ାଇଲି, ‘ଆହେ କୃଷ୍ଣ ମୁରଲୀଧର’, ‘କଳା କାହ୍ନୁ ନାମକୁ ବହି, ‘କାହିଁଗଲେ ମୁରଲୀ ଫୁଙ୍କା', ‘କାହ୍ନୁ ହେ, ବଂଶୀ କେ ଦେଲା ତୋତେ’, ‘କୁଞ୍ଜେ ଗମେ ବିନୋଦିଆ’, ‘ତରୁ ତଳେ କେ ବଂଶୀ ବଜାଇଲା’, ‘ଦୂତ ହେ, କହିବ କୃଷ୍ଣଙ୍କୁ’, ‘ଦୂତୀ ଗୋ, ବଂଶୀ କାହୁଁ ଆଣିଲେ’, ‘ବୃନ୍ଦାବନେ କେ ବଂଶୀ ବଜାଇଲା’, ‘ବଂଶୀ କଲା ପ୍ରମାଦ ଗୋ’, ‘ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି’ ଇତ୍ୟାଦି ପଦାବଳୀ ।

 

ଭାରତୀୟ ସାହିତ୍ୟରେ ଭଗବାନ ଶ୍ରୀକୃଷ୍ଣ ଏକ ଗୁରୁତ୍ଵପୂର୍ଣ୍ଣ ଆସନରେ ଆସୀନ । ସେ ହେଉଛନ୍ତି ରସିକରାଜ, ଶ୍ରେଷ୍ଠ ନାୟକ, ହଟନାଗର ପୁଣି ପରଂବ୍ରହ୍ମ । ମାତ୍ର ଜଗତ୍‍ବାସୀଙ୍କ ମଙ୍ଗଳ ବିଧାନ ନିମିତ୍ତ ସେ ଏହି ଧରାଧାମରେ ଜନ୍ମଗ୍ରହଣ କରି ନାନାପ୍ରକାର ଲୀଳା ଖେଳା କରିଛନ୍ତି । ତାଙ୍କର ମାନବୀୟ ରୂପରେ ଅଲୌକିକ ବିଭୂତି ସର୍ବଦା ପ୍ରକଟିତ ହୋଇଛି । ଯମୁନା ତୀରରେ ତାଙ୍କର ଲୀଳାଖେଳା, ଶ୍ରୀରାଧାଙ୍କ ସମେତ ଷୋଳ ସହସ୍ର ଗୋପାଙ୍ଗନାମାନଙ୍କ ସହିତ ତାଙ୍କର ପ୍ରେମକେଳି, ମାତା ଯଶୋଦାଙ୍କ ନିକଟରେ ଶିଶୁ ସୁଲଭ ଦୃଷ୍ଟିକୋଣ ତାଙ୍କ ମହିମାକୁ ମ୍ଳାନ କରି ପାରି ନାହିଁ । ବରଂ ସେଥିରେ ତାଙ୍କର ପୌରୁଷ ଅଧିକ ବିକଶିତ ହୋଇଛି । ଯୁଗେ ଯୁଗେ ମୁନିଋଷିମାନଙ୍କଠାରୁ ଆରମ୍ଭ କରି ଭକ୍ତମାନେ ତାଙ୍କୁ ନାନା ଭାବରେ ନାନା ରୂପରେ ପ୍ରାର୍ଥନା କରିଛନ୍ତି । ସେଥିନିମିତ୍ତ ଏକଦା ସେହି ଲୀଳାମୟ ପୁରୁଷଙ୍କ ଉଦ୍ଦେଶ୍ୟରେ କବି ଉଲ୍ଲେଖ କରିଛନ୍ତି–‘‘ହେ ଭଗବାନ ! ମୋର ଧନ ଦ୍ରବ୍ୟ ପ୍ରଭୃତି ସଂସାରୀ ଦ୍ରବ୍ୟ କିଛି ଲୋଡ଼ା ନାହିଁ । ମୁଁ ଉଚ୍ଚ ଆଶା କରୁନାହିଁ ବା କବି ହେବାର ବୃଥା ପ୍ରୟାସ ମଧ୍ୟ କରୁନାହିଁ । ମୁଁ କେବଳ ଏତିକି ଆଶା କରୁଛି କିପରି ପରଂବ୍ରହ୍ମଙ୍କ ହୃଦୟ କନ୍ଦରରେ ଏକାନ୍ତଭାବେ ମନୋନିବେଶ କରିପାରିବି ।”

 

ପୁନଶ୍ଚ ଶ୍ରୀକୃଷ୍ଣ ମହାମହିମ, ଯୋଗେଶ୍ୱର । ସେ ସମଗ୍ର ପୃଥିବୀବାସୀଙ୍କର ମନସ୍କାମନା ପୂରଣ କରିବାରେ କେବେ କାର୍ପଣ୍ୟ ପ୍ରଦର୍ଶନ କରିନାହାନ୍ତି । ତାଙ୍କ ନିକଟରେ ଦୋଷ ଗୁଣର ଭେଦଭାବ ନଥାଏ । ସେ କେବଳ ଦେହ ମଧ୍ୟରେ ସୀମିତ ନୁହନ୍ତି । ଭକ୍ତମାନଙ୍କୁ ତାରିବା ସହିତ ସେମାନଙ୍କୁ ବିପଥରୁ ଆଣି ମୁକ୍ତି ଦେବା ନିମିତ୍ତ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିଛନ୍ତି । ତେଣୁ ସେ ହେଉଛନ୍ତି ଦରିଦ୍ର-ନିଃସହାୟ ଓ ଭକ୍ତ ଜନର ପରମ ବନ୍ଧୁ–ନିର୍ଗୁଣ ଓ ସଗୁଣ, ଆଦି ଓ ଅନାଦି ପୁରୁଷ । ଏହି ଅନାଦି ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତକବି ସାଲବେଗ ଯୁବାବସ୍ଥାରେ ନିଜର ଅତ୍ୟନ୍ତ ପ୍ରିୟ ଭାବରେ ଭଲ ପାଇଛନ୍ତି । ତାଙ୍କର ସେହି ପ୍ରେମବୋଧ ମଧ୍ୟରେ ଯେତେ ଦୁଃଖ ଦୁର୍ଦ୍ଦଶା ଓ ଅହଂକାର ସବୁକୁ ସେ ଦୂରେଇ ଦେଇଛନ୍ତି–ନିଜ ମଧ୍ୟରେ ଥିବା ଅଭିମାନବୋଧକୁ ତ୍ୟାଗ କରି ନିଜକୁ ଭଗବାନଙ୍କ ଠାରେ ସଂପୂର୍ଣ୍ଣ ଭାବେ ସେ ସମର୍ପଣ କରି ଦେଇଛନ୍ତି । ଏତିକିବେଳେ କବି ସାଲବେଗଙ୍କ ଅନୁଭବକୁ ଆସିଛି ଯେ, ଶ୍ରୀକୃଷ୍ଣଙ୍କୁ ଯେଉଁ ଭକ୍ତମାନେ ଅନ୍ତର ଦେଇ ଭକ୍ତି କରନ୍ତି ଓ ଏକାଗ୍ର ଚିତ୍ତରେ ପ୍ରାର୍ଥନା କରନ୍ତି ସେହିମାନଙ୍କୁ ଭଗବାନ ନାନା ଭାବରେ ପରୀକ୍ଷା କରନ୍ତି । ପ୍ରଥମେ ଭଗବାନ ସେହି ଭକ୍ତମାନଙ୍କଠାରୁ ଦୂରେଇ ଯାଇ ସେମାନଙ୍କର ଭକ୍ତିର ପରାକାଷ୍ଟା କଳନା କରନ୍ତି ଓ ଶେଷରେ ତାଙ୍କୁ ସଂପୂର୍ଣ୍ଣ ଭାବେ ଆପଣାର କରିଦିଅନ୍ତି ।

 

ଭକ୍ତ ସାଲବେଗଙ୍କ ଜୀବନରେ ଠିକ୍ ତାହାହିଁ ହୋଇଛି । ନିଜ ମାତାଙ୍କ ଉପଦେଶ ଅନୁସାରେ ବ୍ରଜବିହାରୀ ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ ନିଜକୁ ସଂପୂର୍ଣ୍ଣ ଭାବେ ସମର୍ପଣ କରି ବ୍ୟାଧିରୁ ଆରୋଗ୍ୟ ଲାଭ କଲା ପରେ ସାଲବେଗ ଭକ୍ତବତ୍ସଳ ଶ୍ରୀକୃଷ୍ଣଙ୍କୁ ହିଁ ନିଜର ଅତ୍ୟନ୍ତ ପ୍ରିୟତମ ଭାବେ ଗ୍ରହଣ କରିଛନ୍ତି । ଶ୍ରୀକୃଷ୍ଣଙ୍କର ଦାସାନୁଦାସ ଭାବେ ବର୍ଣ୍ଣନା କରି କବି ତାଙ୍କର ପାଦ ସେବାକୁ ହିଁ ସର୍ବଶ୍ରେଷ୍ଠ କର୍ମ ଭାବରେ ଗ୍ରହଣ କରିଛନ୍ତି । ‘ଆହେକୃଷ୍ଣ ମୁରଲୀଧର’ କବିତା ମଧ୍ୟରେ କବି ନିଜକୁ ଶ୍ରୀରାଧା ଭୂମିକାରେ ଅବତୀର୍ଣ୍ଣ କରାଇଛନ୍ତି, ଗୋପପୁରରେ ଶ୍ରୀକୃଷ୍ଣ ତାଙ୍କର କୈଶୋରାବସ୍ଥାରେ ନାନାପ୍ରକାର ଦୁଷ୍ଟାମି କରିଛନ୍ତି । ମାତା ଯଶୋଦା ତାଙ୍କର ଏହି ଅମାନିଆ ମନୋଭାବ ପାଇଁ ତାଙ୍କୁ ଛାଟ ଧରି ପିଟିବା ବେଳେ ଶ୍ରୀକୃଷ୍ଣ ଶ୍ରୀରାଧାଙ୍କ କୋଳରେ ଲୁଚିଯା’ନ୍ତି । ଏଥିପାଇଁ ସମାଜର ନାନା ସ୍ତରରୁ ଶ୍ରୀରାଧାଙ୍କୁ ବହୁକଥା ସହିତ ଦୋଚାରୁଣୀ ପଦ ବି ଶୁଣିବାକୁ ପଡ଼େ । ତାଙ୍କର ମନ ଏଥିରେ ଅସହ୍ୟ ହୋଇଉଠେ । କବି ସାଲବେଗ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କର ଏହି ଦେହାତୀତ ସଂପର୍କକୁ ନେଇ ଉଲ୍ଲେଖ କରିଛନ୍ତି –

 

‘‘ଗୋପେ କେତେ ସ୍ତିରୀ ନାହାନ୍ତି ମୋପରି

ମାଇଁ ବୋଲି ମିଚ୍ଛେ ଡାକୁଛ ପରା,

ମାତା ଯେତେବେଳେ ଛାଟ ଧରିଥାଏ

ମୋହ କୋଳେ ଲୁଚିଥାଅ ତ ପରା ।

ସମସ୍ତେ ବୋଲନ୍ତି ରାଧା ନାଶ କଲା,

କୃଷ୍ଣ ତାକୁ ବାଇ କରିଛି ପରା ।

ଏକା ରାଧା ରାଧା ବୋଲି ବେଣୁ ବାଇ

ଗୋପେ କେତେ ସ୍ତିରୀ ନାହାନ୍ତି ପରା ।

ଷୋଳସସ୍ର ଗୋପୀ ଗୋପପୁରେ ଲେଖି

ରାଧାଟା ଦୋଚାରୀ ହୋଇଲା ପରା ।

ନିନ୍ଦା ଅପନିନ୍ଦାମାନ ନ ସହଇ,

ତୋ ଲାଗି ଖାଇବି ବିଷ ମହୁରା ।’’

 

ସାଲବେଗ ତାଙ୍କର ଅନ୍ୟ ଏକ ଭଜନ ‘କଳା କାହ୍ନୁ ନାମକୁ ବହି’ ମଧ୍ୟରେ ଉଲ୍ଲେଖ କରିଛନ୍ତି କଳାକାହ୍ନୁ ଭଗବାନ ଶ୍ରୀକୃଷ୍ଣ ହିଁ ଶ୍ରୀରାଧାଙ୍କର ଜୀବନ-। ଶ୍ରୀକୃଷ୍ଣଙ୍କର ହ୍ଲାଦିନୀ ଶକ୍ତି ହେଉଛନ୍ତି ଶ୍ରୀରାଧା । ଶ୍ରୀକୃଷ୍ଣ ହେଉଛନ୍ତି ପ୍ରେମ ସ୍ଵରୂପ ଓ ଶ୍ରୀରାଧା ହେଉଛନ୍ତି ମହାଭାବ ସ୍ଵରୂପିଣୀ-। ଶ୍ରୀକୃଷ୍ଣ ପ୍ରେମମୟ ଓ ମଧୁମୟ । ଶ୍ରୀକୃଷ୍ଣଙ୍କର ମଧୁମୟ ରୂପ ପ୍ରତି ଶ୍ରୀରାଧା ପ୍ରତି ମୁହୂର୍ତ୍ତରେ ଆକର୍ଷିତା ହୋଇଛନ୍ତି । ଉଭୟଙ୍କର ପ୍ରେମ ଅପ୍ରାକୃତ । ଲୌକିକ ସ୍ତରରେ ଏହି ପ୍ରେମକୁ ଉପଲବ୍‍ଧି କରାଯାଇପାରେ ନାହିଁ । ମାତ୍ର ପୃଥିବୀ ପୃଷ୍ଠରେ ଅବତାର ଗ୍ରହଣ କରିଥିବାରୁ ଅନେକ ସମୟରେ ଉଭୟ ରାଧା ଓ କୃଷ୍ଣଙ୍କ ମଧ୍ୟରେ ମାନବୀୟ ଚେତନା ପ୍ରକଟିତ ହୋଇଥାଏ । ଶ୍ରୀରାଧା ଶ୍ରୀକୃଷ୍ଣଙ୍କର କ୍ରିୟା କଳାପରେ ଅଭିମାନ କରିଛନ୍ତି । ସାଲବେଗ ଏହି କଥାକୁ ନେଇ ପ୍ରକାଶ କରିଛନ୍ତି–

 

‘‘ବୃଷଭାନୁ ଜେମା ମାନ କରିଛନ୍ତି

ନ ଦେଖିବେ ସେହି କଳା କହ୍ନାଇ ।”

 

ଶ୍ରୀରାଧାଙ୍କର ଏହି ମାନବୀୟ ଚେତନାର ସଫଳ ରୂପଚିତ୍ର ସାଲବେଗଙ୍କ ‘ନବୀନ ନଟବର ମୂରତି’ ଭଜନ ମଧ୍ୟରେ ଅଧିକ ସ୍ପଷ୍ଟ ହୋଇଛି । ଏହି ଭଜନ ମଧ୍ୟରେ ଶ୍ରୀରାଧାଙ୍କର କୃଷ୍ଣଙ୍କ ପ୍ରତି ରହିଥିବା ମାନବୀୟ ପ୍ରେମବୋଧ ଅଧିକ ରସସିକ୍ତ ଓ ଦୃଢ଼ ହୋଇଛି । ସେଠାରେ ଶ୍ରୀକୃଷ୍ଣଙ୍କର ମୋହନବଂଶୀ, ତାଙ୍କ ପାଦର ରତ୍ନ କଠାଉ ପୁଣି କଟିର ପୀତବସନ ଶ୍ରୀରାଧାଙ୍କ ମନୋଭୂମିକୁ ଚହଲାଇ ଦେଇଛି । ଫଳତଃ ତାଙ୍କ ଚତୁର୍ଦ୍ଦିଗରେ ଥିବା ସମାଜ, ଆଇନ୍‌କାନୁନ୍ ପ୍ରତି ସେ ତିଳେମାତ୍ର ଭୃକ୍ଷେପ କରିନାହାନ୍ତି ।

 

ବରଂ ନିଜକୁ ସଂପୂର୍ଣ୍ଣଭାବେ କୃଷ୍ଣଙ୍କ ହୃଦୟରେ ଅର୍ପଣ କରି ଦେଇଛନ୍ତି । ଶ୍ରୀରାଧାଙ୍କର ଏହି ଭାବାନ୍ତରକୁ ନେଇ ସାଲବେଗ ପ୍ରକାଶ କରିଛନ୍ତି–

 

“ନବୀନ ନଟବର ମୂରତି ।

କୃଷ୍ଣଙ୍କୁ ଦେଖି ମୋ ବଳିଲା ମତି ।।

କଦମ୍ବ ମୂଳରେ ହୋଇଛି ଉଭା ।

ଅଧରେ ମୂରଲୀ ପାଉଛି ଶୋଭା ।।

କାଳିଆ ଅଙ୍ଗରେ ଟୋପି ଚନ୍ଦନ ।

କଳାମେଘେ ଯେହ୍ନେ ପୂର୍ଣ୍ଣମୀ ଜହ୍ନ ।।

ଶ୍ରୀକୃଷ୍ଣ ପୟରେ ରତ୍ନ କଠାଉ ।

ବାଙ୍କ ଚାଲିକି ଦିଶେ ଦାଉ ଦାଉ ।।

କଟି ତତେ ଶୋହେ ପୀତବସନ ।

ନବଘନ କୋଳେ ବିଜୁଳି ଯେସନ ।।’’

 

ପ୍ରେମ ପାଗଳିନୀ ଶ୍ରୀରାଧା କୃଷ୍ଣଙ୍କ ପ୍ରେମ ନିମିତ୍ତ ବେଳେ ବେଳେ ଅସ୍ଥିର ହୋଇ ଉଠିଛନ୍ତି । ଦେହ ଓ ପ୍ରାଣରେ ସେ ଯେତେବେଳେ ଶ୍ରୀକୃଷ୍ଣଙ୍କ କଥା ଚିନ୍ତା କରିଛନ୍ତି ତାଙ୍କ ହୃଦୟରେ ଶତ କଦମ୍ବର ରୋମାଞ୍ଚ ଓ ବେପଥୁ ସୃଷ୍ଟି ହୋଇଛି; ତାଙ୍କର ମତି ଭ୍ରମ ହୋଇଛି ଏବଂ ଶ୍ରୀକୃଷ୍ଣଙ୍କର ମୋହନ ବଂଶୀ ତାଙ୍କୁ ପାଗଳିନୀ କରିଦେଇଛି । କୃଷ୍ଣଙ୍କୁ ପାଇବା ନିମିତ୍ତ ସେ କ’ଣ କରିବେ କିଛି ଉପାୟ ସ୍ଥିର କରିପାରି ନାହାନ୍ତି । ଉଭୟଙ୍କ ମଧ୍ୟରେ ଥିବା ଅଭିମାନ ହିଁ ରାଧାକୃଷ୍ଣ ପ୍ରେମକୁ ଆହୁରି ଦୃଢ଼ୀଭୂତ କରିଦେଇଛି । କୃଷ୍ଣଙ୍କ ଏକ ନିର୍ଦ୍ଦିଷ୍ଟ ପରିଧାନ ଶ୍ରୀରାଧାଙ୍କ ପ୍ରାଣକୁ ବ୍ୟଥିତ କରିଥିବାରୁ ସେ କୃଷ୍ଣଙ୍କୁ ସେପରି ପୋଷାକ ପରିଧାନ ନକରିବା ପାଇଁ ବାରମ୍ବାର ଅନୁରୋଧ କରିଛନ୍ତି । ଏହି ଅବସରରେ କବି ସାଲବେଗ ପ୍ରକାଶ କରିଛନ୍ତି ।

 

“ଯାଅ ତୁମ୍ଭେ ନନ୍ଦ କହ୍ନାଇ !

ମୋ ନାମେ ମୁରଲୀ ବାଜିବ ନାହିଁ ।

ଶିରରେ ତୁମ୍ଭର ମୟୂର ପିଚ୍ଛ

ବାମେ ଆଉଜାଇ ବାନ୍ଧିବ ନାହିଁ ।

ବାମେ ଆଉଜାଇ ବାନ୍ଧିବ ଯେମନ୍ତେ

ପୁଞ୍ଜା ପୁଞ୍ଜା ମଲ୍ଲୀ ଖଞ୍ଜିବ ନାହିଁ ।।

କଟୀରେ ତୁମର କ୍ଷୁଦ୍ର ଘଣ୍ଟିକା

ବେଗ ବେଗ ହୋଇ ଚାଲିବ ନାହିଁ ।

ପୟରେ ତୁମ୍ଭର ରତ୍ନ କଠାଉ ।

ଧୀର ଧୀର ହୋଇ ଚାଲିବ ନାହିଁ ।।”

 

ଅନ୍ୟ ଏକ ଭଜନ ‘ବାଟ ଛାଡ଼ ସୁଘଟ ନାଗର’ ମଧ୍ୟରେ ପ୍ରେମପୁରୁଷ ଶ୍ରୀକୃଷ୍ଣ ଗୃହିଣୀ ସାଜିଥିବା ବୃଷଭାନୁ ନୃପତିର କନ୍ୟା ତଥା ଚନ୍ଦ୍ରସେଣାଙ୍କ ପତ୍ନୀ ଶ୍ରୀରାଧାଙ୍କୁ ବିଭିନ୍ନ ଭାବରେ ହଇରାଣ ହେବା ପ୍ରସଙ୍ଗ କବି ବର୍ଣ୍ଣନା କରିଛନ୍ତି । ଶ୍ରୀରାଧା ଯମୁନା ତୀରକୁ ଜଳ ଆଣି ଯିବା ବାଟରେ ଏହି ଅସୁବିଧାର ସମ୍ମୁଖୀନ ହୋଇଛି । ସେତେବେଳେ ରାଧାଙ୍କ ହୃଦୟରେ ଦେବୀ ଭାବଟି କେଉଁଠି ଅବଲୁପ୍ତ ହୋଇଯାଇ ମାନବୀ ଭାବଟି ଏକ ଜୀବନ୍ତ ବିଗ୍ରହ ହୋଇ କବି ସାଲବେଗଙ୍କ ସମ୍ମୁଖରେ ଆବିର୍ଭୂତ ହୋଇଛି । ତେଣୁ ଶ୍ରୀକୃଷ୍ଣଙ୍କର ଶ୍ରୀରାଧାଙ୍କ ସହିତ ଯମୁନା କୂଳରେ ପ୍ରେମପୂର୍ଣ୍ଣ ଭାବରେ କ୍ରୀଡ଼ା ଓ ଆମୋଦପୂର୍ଣ୍ଣ ବାକ୍ୟାଳାପକୁ ଲକ୍ଷ୍ୟ କରି କବି ସାଲବେଗ ପ୍ରକାଶ କରିଛନ୍ତି –

 

‘‘ମଥାରେ ମନ୍ଥନ ପଥରେ ଗମନ

ବାଟ ଓଗାଳୁଛ କାହିଁପାଇଁ କି ?

ଶାଶୁ ଗାଳିଦେବ ନଣନ୍ଦ ଚଳିବ ।

ବୋଲିବେ ମୋ ବହୂ ଦୋଚାରୁଣୀ କି ।।

 

ମୁହିଁ ବୃଷଭାନୁ ନୃପତିର ସୂତା

ତୋହ ପରି ମୋତେ ମଣିଅଛୁ କି ?

ଧରିଛୁ ଅଞ୍ଚଳ କରୁଛୁ ଜଞ୍ଜାଳ

ଡର ନାହିଁ ପର ଭୁଆସୁଣୀ କି ।।’’

 

ଅନ୍ୟପକ୍ଷରେ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ମଧ୍ୟରେ ଏହି ପ୍ରେମବୋଧ ଆହୁରି ଅଧିକ ଦୃଢ଼ଭାବେ ପ୍ରକଟିତ ହୋଇଛି କବିବର ‘ନିରାଶ ନକର ରାଧେ’ କବିତା ମଧ୍ୟରେ । ଭକ୍ତକବି ସାଲବେଗ କୃଷ୍ଣ ଓ ରାଧାଙ୍କ ଚରିତ୍ରର ମହତ୍ତ୍ୱ ପ୍ରତିପାଦନ କରିବାକୁ ଯାଇ ଉଭୟଙ୍କ ହୃଦୟରେ ମାନ ଓ ତହିଁରୁ ଅଭିମାନ ସୃଷ୍ଟି କରିଛନ୍ତି । ସ୍ଥାନ ବିଶେଷରେ ରାଧିକା କୁଳ ବଧୂ ହୋଇଥିବାରୁ କୃଷ୍ଣଙ୍କ ସହିତ ମିଳିତ ହେବାକୁ ସଙ୍କୋଚବୋଧ କରିଛି । ମାତ୍ର ପରିଶେଷରେ ସଂସାରର ନୀତି ନିୟମ ବିରୁଦ୍ଧରେ ଯାଇ ଶ୍ରୀରାଧା କେଉଁଠି କିପରି ତାଙ୍କ ସହିତ ଏକାତ୍ମ୍ୟ ହୋଇଥିଲେ ସେହି ଗୋପନୀୟ କଥାକୁ କୃଷ୍ଣ ପ୍ରକଟିତ କରି ସର୍ବଜନ ସମ୍ମୁଖରେ ଶ୍ରୀରାଧାଙ୍କୁ ଲଜ୍ଜିତା କରିଛନ୍ତି । ପୁନଶ୍ଚ ସେ ଶ୍ରୀରାଧାଙ୍କୁ ପାଇବାପାଇଁ ପ୍ରୟାସୀ ହୋଇ ତାଙ୍କୁ ପ୍ରେମ ନିବେଦନ କରି କହିଛନ୍ତି–

 

‘‘ନିରାଶ ନକର ରାଧେ,

ଅଳପ ଅନାଇ ଯାଅ ଏଣିକି !!

ସାନ ସାନ କାଳେ ଗୋପ ସୁତ ମେଳେ

ତୁହି ମୋତେ ରାଧେ ବରି ନାହୁଁ କି ?

ତୋ ମନେ ନଥିଲେ ପାସୋର ତା ଗଲେ

ପଚାର ତୋ ସଙ୍ଗ ସହରୀ କି ।”

 

ଶୈଶବ କାଳରେ କୃଷ୍ଣ ଥିଲେ ଅତ୍ୟନ୍ତ ଦୁଷ୍ଟ, ଜିଦ୍‌ଖୋର । ପୁନଶ୍ଚ ସେ ସମଗ୍ର ଗୋପପୁରର ଥିଲେ ଆକର୍ଷଣ ଏବଂ ନୟନ ପିତୁଳା । କାହା ଘରେ ପଶି ସର ଲବଣି ଖାଇବା, ସୁନା ତାଟିଆରେ ଗୋଟିକା ଧରିବା, ଗୋପୀମାନଙ୍କ ନିକଟରେ ନାନା ଅର୍ଦ୍ଦଳି କରି ସେମାନଙ୍କୁ ଅସୁବିଧାରେ ପକାଇବା, ତୁଚ୍ଛା କଥାରେ ଧୂଳିରେ ଗଡ଼ିବା ପ୍ରଭୃତି ତାଙ୍କର ପ୍ରକୃତି ଥିଲା । ଶ୍ରୀକୃଷ୍ଣଙ୍କର ଶୈଶବର ସେହି ସ୍ମୃତିକୁ ସାଲବେଗ ତାଙ୍କର କୃଷ୍ଣ ପଦାବଳୀ ମଧ୍ୟରେ ଧରି ରଖିବାର ପ୍ରୟାସ କରିଛନ୍ତି । ମାତା ଯଶୋଦାଙ୍କ ଦୃଷ୍ଟିରେ ତାଙ୍କର ଏକମାତ୍ର ପୁତ୍ର ଶ୍ରୀକୃଷ୍ଣ ହେଉଛି ସୁନା ପୁଅ-। ସେ ସୁନ୍ଦର ଓ ଗୋପପୁରର ଶ୍ରେଷ୍ଠ ନାଗର । ସେହି ନନ୍ଦନନ୍ଦନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଭକ୍ତକବି ସାଲବେଗଙ୍କ କବିପ୍ରାଣ ବ୍ୟଥିତ ହୋଇପଡ଼ିଛି । ତାଙ୍କ ହୃଦୟରୁ ଭକ୍ତି ଗଦ୍‌ଗଦ୍ କଣ୍ଠରେ ପ୍ରକଟିତ ହୋଇଛି :

 

‘‘ସୁନା ପୁଅ ନାଚଇରେ ଖାଇବ ଲବଣୀ ସର ।

ନାହିଁ ନାହିଁ ବୋଲି ଶ୍ରୀମୁଖ ହଲାଇ କହନ୍ତି କରୁଣାକର ।।

 

ସୁନା ତାଟିଆରେ ଗୋଟିକା ଅଧାମ ସାଚିନି ନବାତ କ୍ଷୀର

ଖାଅ ବୋଲି ମାୟେ ସରପୁଳି ନେଇ ଦିଅନ୍ତି ରଙ୍ଗା ଅଧର ।।

 

ଏମନ୍ତ ସମୟେ ସର୍ବ ଗୋପୀ ଯାଇ ମିଳିଲେ ନନ୍ଦ ମନ୍ଦିର

ତାହାକୁ ଅନାଇ ଯଶୋଦେ କହନ୍ତି କୃଷ୍ଣ ମୋ ବଡ଼ ସୁନ୍ଦର ।।”

 

ସାଲବେଗଙ୍କ କବିତାରେ ରାଧାଭାବ :

 

ସାଲବେଗ ତାଙ୍କର ‘ନବୀନ ନଟବର ମୂରତି' କବିତା ମଧ୍ୟରେ ନିଜକୁ ରାଧିକା ଆସନରେ ଆସୀନ କରିଛନ୍ତି । ନିଜ ମାତାଙ୍କ ଉପଦେଶାନୁସାରେ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରୁ ଆରୋଗ୍ୟ ଲାଭ କରିଥିବାରୁ କବି ସାଲବେଗ ନିଜ ମନପ୍ରାଣରେ କୃଷ୍ଣଙ୍କୁ ହିଁ ନିଜର ଆରାଧ୍ୟ ଦେବ ଭାବରେ ଗ୍ରହଣ କରିଛନ୍ତି । ଅଣୁ ପରମାଣୁ ଠାରୁ ଆରମ୍ଭ କରି ନିଜ ଚତୁର୍ଦ୍ଦିଗରେ ସେ ତାଙ୍କରି ଛାୟା ମୂର୍ତ୍ତିକୁ ହିଁ ଉପଲବ୍‍ଧି କରିଛନ୍ତି । କୃଷ୍ଣଙ୍କ ନଟବର ମୂର୍ତ୍ତିଟି ତାଙ୍କୁ ସର୍ବଦା ନିତ୍ୟ ନୂତନ ମନେ ହୋଇଛି । ବିଶ୍ଵ ବନ୍ଦନୀୟ ଏହି ବିଗ୍ରହ ପ୍ରତି କବିଙ୍କର ଭକ୍ତି ଓ ଶ୍ରଦ୍ଧା ଭାବ ସ୍ଵତଃ ପ୍ରକଟିତ ହୋଇଛି-। ତେଣୁ ସେ ନିଜକୁ ରାଧା ଭାବରେ କୃଷ୍ଣଙ୍କ ନିକଟରେ ସଂପୂର୍ଣ୍ଣ ଭାବେ ସମର୍ପଣ କରି ନିଜ ଭକ୍ତି ଭାବନାକୁ ବ୍ୟକ୍ତ କରିଛନ୍ତି । କବିଙ୍କର ଏହି ଭକ୍ତିମତ୍ତାର ରସୋତ୍ତୀର୍ଣ୍ଣ ପ୍ରତିଧ୍ୱନି ହେଉଛି ତାଙ୍କ ରଚିତ “ନବୀନ ନଟବର ମୂରତି’ ଭକ୍ତି ଗୀତ । ଏହି ଗୀତରେ କବି ଉଲ୍ଲେଖ କରିଛନ୍ତି–

 

“ନବୀନ ନଟବର ମୂରତି ।

କୃଷ୍ଣଙ୍କୁ ଦେଖି ମୋ ବଳିଲା ମତି ।।

 

କଦମ୍ବ ମୂଳରେ ହୋଇଛି ଉଭା ।

ଅଧରେ ମୁରଲୀ ପାଉଛି ଶୋଭା ।।

 

କାଳିଆ ଅଙ୍ଗରେ ଟୋପି ଚନ୍ଦନ ।,

କଳା ମେଘେ ଯେହ୍ନେ ପୂର୍ଣ୍ଣମୀ ଜହ୍ନ ।।

 

ଶ୍ରୀକୃଷ୍ଣ ପୟରେ ରତ୍ନ କଠାଉ ।

ବାଙ୍କ ଚାଲି କି ଦିଶେ ଦାଉ ଦାଉ ।।”

 

‘ପାଦ ଛାଡ଼ିବୁରେ ନାହିଁ’ ଭଜନ ମଧ୍ୟରେ କବି ନିଜ ମାତାଙ୍କ ଉପଦେଶକୁ କିପରି ସର୍ବାନ୍ତଃକରଣରେ ପାଳନ କରିଥିଲେ ତାହା ବର୍ଣ୍ଣନା କରିବା ସହିତ ସେ କୃଷ୍ଣଙ୍କ ପଦାରବିନ୍ଦରେ ସର୍ବଦା ନିଜ ଅନ୍ତରର ଭକ୍ତି ସୁମନ ନିବେଦନ କରିଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ମୁକ୍ତି ଲାଭ କରିବା ପରେ କବିଙ୍କ ମାତା କୃଷ୍ଣଙ୍କ ପାଦପଦ୍ମକୁ ସର୍ବଦା ଧ୍ୟାନ କରିବା ସହିତ ତାଙ୍କ ପଦାରବିନ୍ଦରେ ନିଜ ମଥାନତ କରିବା ପାଇଁ ସାଲବେଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସାଲବେଗ ଭକ୍ତ । ପୁଣି ପରମପୁରୁଷ ଶ୍ରୀକୃଷ୍ଣଙ୍କର ସେ ପରମ ଭକ୍ତ । ଯବନ କୁଳରେ ଜାତ ହୋଇ ଷୋଡ଼ଶ ଶତାବ୍ଦୀର ଜଣେ ସାଧାରଣ ମାନବ ଭାବେ ସେ ହିନ୍ଦୁ ଦେବତାଙ୍କୁ ପୂଜାର୍ଚ୍ଚନା କରିବା ତତ୍‌କାଳୀନ ଉତ୍କଳୀୟ ସାମାଜିକ ଓ ସାଂସ୍କୃତିକ ଇତିହାସରେ ଥିଲା ପ୍ରଥମ ଓ ଅଭୂତପୂର୍ଣ୍ଣ ଘଟଣା । ଏଥିପାଇଁ କବିଙ୍କୁ ତତ୍କାଳୀନ ରକ୍ଷଣଶୀଳ ହିନ୍ଦୁ ସମାଜ ଦ୍ୱାରା ନାନା ଭାବରେ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିବ, ନିର୍ଯ୍ୟାତିତ, ଲାଞ୍ଛିତ ଓ ଅପମାନିତ ହେବାକୁ ହୋଇଥିବ । ଏତିକିବେଳେ କବିଙ୍କର ମନେପଡ଼ିଛି ପୁରାଣ ବର୍ଣ୍ଣିତ ଶ୍ରୀରାଧାଙ୍କ କଥା । ଶ୍ରୀରାଧା ଏହି ପୃଥିବୀ ପୃଷ୍ଠରେ ହ୍ଲାଦିନୀ ଶକ୍ତି ରୂପେ ଅଧିଷ୍ଠିତ । ସେ ଶକ୍ତିର ପ୍ରତୀକା; ତେଜ ସ୍ଵରୂପା ଓ କୀର୍ତ୍ତିଦାଙ୍କ ଗର୍ଭ ସଂଜାତ ତଥା ବୃଷଭାନୁଙ୍କ କନ୍ୟା । ସେ ଅପରୂପ ଲାବଣ୍ୟମୟୀ ଓ ପ୍ରେମ ସ୍ଵରୂପିଣୀ । କୃଷ୍ଣଙ୍କ ସହିତ ପରିଚିତ ହେବା ପରଠାରୁ ତାଙ୍କ ହୃଦୟରେ କୃଷ୍ଣ ପ୍ରୀତି କ୍ରମଶଃ ଗଭୀର ହୋଇଛି । ସେ ବିବାହିତା ନାରୀ ହୋଇଥିଲେ ହେଁ କୃଷ୍ଣ ପ୍ରେମରେ ପ୍ରମତ୍ତ ହୋଇ ନିଜର କୁଳ ଗୋତ୍ର ଭୁଲିଛନ୍ତି, ଲୋକ ଲଜ୍ଜା ତ୍ୟାଗ କରିଛନ୍ତି । କୃଷ୍ଣ ନାମ ଉଚ୍ଚାରଣ କରି ସମଗ୍ର ବିଶ୍ୱ ପରିଭ୍ରମଣ କରିବାକୁ ସେ କୁଣ୍ଠାବୋଧ କରିନାହାନ୍ତି । କୃଷ୍ଣଙ୍କ ଚିତ୍ରପଟ ଦର୍ଶନ ଫଳରେ ରାଧାଙ୍କ ହୃଦୟରେ ସୃଷ୍ଟି ହୋଇଛି ଗଭୀର ପ୍ରେମାନୁରାଗ । ଅନୁରୂପ ଭାବେ ନିଜ ମାତାଙ୍କ ଠାରୁ ଅଲୌକିକ ପୁରୁଷ କୃଷ୍ଣଙ୍କ ସଂପର୍କରେ ସବିଶେଷ ତଥ୍ୟ ପାଇବା ପରେ କବି ସାଲବେଗଙ୍କ ମଥା ବିଶ୍ଵର ସେହି ମହାନାୟକଙ୍କ ଉଦ୍ଦେଶ୍ୟରେ ସ୍ଵତଃ ନଇଁ ଯାଇଛି । ସ୍ୱଧର୍ମ ପରିତ୍ୟାଗ କରି କବିକଣ୍ଠରୁ ଏହି ଉଦ୍ଦେଶ୍ୟରେ ନିର୍ଗତ ହୋଇଛି–

 

‘‘ପାଦ ଛାଡ଼ିବୁରେ ନାହିଁ,

ଛାଡ଼ିଲେ ଶ୍ରୀକୃଷ୍ଣ ନାମ ଆଉ ପାଇବୁ କାହିଁ ।

ପୋଖରୀର ଚାରିପାଖେ ଲଗାଇଲି ଚମ୍ପା ।

ଡାଳ ଭାଙ୍ଗି ପୁଷ୍ପ ତୋଳେ ଚତୁରୀ ରାଧିକା ।

ଏକ ହସ୍ତେ ପାନବଟା ଆନି ହସ୍ତେ ଝରୀ ।

ଧୀରେ ଧୀରେ ପଥ ଚାଲେ ରାଧିକା ସୁନ୍ଦରୀ ।”

 

କବିଙ୍କ ରଚିତ ଏହି ଗୀତିକା ମଧ୍ୟରେ ସେ ତାଙ୍କ ଜୀବନ ଓ ତାଙ୍କ ଚତୁର୍ଦ୍ଦିଗ ପରିବେଶର ଦୁଃଖ ଓ ଯାତନାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି । ତାଙ୍କର ସେ ଦୁଃଖ ଓ ଦୁର୍ଦ୍ଦିନ ମୁହୂର୍ତ୍ତର ଘଟଣାକୁ ପ୍ରକାଶ କରି ସେ କହିଛନ୍ତି ।

 

‘‘ପିତା ତ ମୋଗଲ ବେଟା ମାତା ଯେ ବ୍ରାହ୍ମଣୀ,

ହୀନକୁଳେ ଜନ୍ମ ହେଲି ହିନ୍ଦୁ ନ ଖାଏ ପାଣି ।

ପିତା ଦେଲେ ଜୀବଦାନ ମାତା ଦେଲେ କ୍ଷୀର ।

କହେ ସାଲବେଗ ହୀନ ଜାତିରେ ଫକୀର ।

 

ସାଲବେଗଙ୍କ କବିତାରେ ମୋହନବଂଶୀ :

 

ରାଧାକୃଷ୍ଣଙ୍କ ପ୍ରେମଲୀଳାରେ କୃଷ୍ଣଙ୍କ ବେଣୁର ପ୍ରଭାବ ଅଧିକ । ମୋହନ ବେଣୁର ଯାଦୁକରୀ ସଂପର୍କରେ କେହି ଅଗୋଚର ନୁହନ୍ତି । କୃଷ୍ଣ ନିଜର ପ୍ରେମ ଲୀଳା ଚରିତାର୍ଥ କରିବା ପାଇଁ ଏହି ଧରାଧାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଅବ୍ୟକ୍ତ ପ୍ରେମ ଲୀଳାର ମୁଖ୍ୟ ମାଧ୍ୟମ ଥିଲା ବଂଶୀର ମଧୁର ମୂର୍ଚ୍ଛନା । ସୃଷ୍ଟିକର୍ତ୍ତା ସ୍ଵୟଂ ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ଏଥିପାଇଁ ଉପାୟ ବତାଇ ଦେଇଥିଲେ । ବ୍ରହ୍ମାଙ୍କ ପରାମର୍ଶ ଅନୁଯାୟୀ କୃଷ୍ଣ ବାଞ୍ଛାବଟର ଆଶ୍ରୟ ଗ୍ରହଣ କରି ତାଙ୍କର କୃପାରୁ ମୋହନ ବଂଶୀ ଲାଭ କରିଛନ୍ତି । ଏହି ବଂଶୀର ବାଦନରେ ସମଗ୍ର ଗୋପପୁର ଚହଲି ଉଠିଥିଲା । ଗୋପାଙ୍ଗନାମାନେ ବଂଶୀର ମଧୁର ମୂର୍ଚ୍ଛନାରେ କୃଷ୍ଣଙ୍କ ପ୍ରତି ଆକର୍ଷିତ ହୋଇ ପଡ଼ିଥିଲେ । ବ୍ରହ୍ମା ମୋହନ ବଂଶୀର ତନ୍ତ୍ର ମନ୍ତ୍ର ଓ ଯନ୍ତ୍ର କୃଷ୍ଣଙ୍କୁ ଚେତାଇ ଦେଇଥିଲେ । ପୌର୍ଣ୍ଣମାସୀ ବଂଶୀକୁ କାମ ବୀଜ ମନ୍ତ୍ରରେ ମନ୍ତ୍ରିତ କରି ବଂଶୀରେ ଏକ ଅଦ୍ଭୁତ ଶକ୍ତି ପ୍ରଦାନ କରିଥିଲେ । ଫଳତଃ ଯେତେବେଳେ ଶ୍ରୀକୃଷ୍ଣ ନିଜର ବଂଶୀ ଖଣ୍ଡିକ ଧରି ବାଦନ କଲେ, ସେତେବେଳେ ତାଙ୍କ ଚତୁର୍ଦ୍ଦିଗରେ କନ୍ଦର୍ପର ଶର ବୃଷ୍ଟି ହେଲା ପରି ଅନୁଭୂତ ହେଲା । ସମଗ୍ର ଗୋପପୁର ଚଳଚଞ୍ଚଳ ହୋଇ ଉଠିଲା ଓ ସମଗ୍ର ଅଞ୍ଚଳରେ ନାନା ଅସମ୍ଭବ କଥା ଘଟିବାକୁ ଲାଗିଲା ।

 

ଏହି ବଂଶୀର ମଧୁର ଧ୍ୱନି ଶ୍ରବଣ କରି ଗୋପପୁରରେ ଥାଇ ଶ୍ରୀରାଧା ଅତ୍ୟନ୍ତ ପ୍ରେମାକୁଳ ହୋଇପଡ଼ିଲେ । ସେ ଅନୁଭବ କଲେ ସତେଯେପରି ଶ୍ରୀକୃଷ୍ଣ ବଂଶୀ ବାଦନ କରି କେବଳ ତାଙ୍କର ନାମ ଉଚ୍ଚାରଣ କରିବାରେ ଲାଗିଛନ୍ତି । ଗୋପପୁରରେ ନନ୍ଦ ସୁତଙ୍କର ଏହି ବଂଶୀବାଦନ ଯୋଗୁ ଗୋପାଙ୍ଗନାଙ୍କ ସମେତ ଶ୍ରୀରାଧାଙ୍କ ଗୃହକର୍ମରେ ମନ ରହିଲା ନାହିଁ । ସେମାନଙ୍କ ଦେହ ଓ ମନରେ ସୃଷ୍ଟିହେଲା ବ୍ୟାକୁଳତା ଓ ଶୂନ୍ୟତା । ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନିର କରୁଣ ମୂର୍ଚ୍ଛନାରେ ଗୋପୀ ହୃଦୟ ବିଚଳିତ ହୋଇଉଠିଲା । ସେମାନଙ୍କର ସର୍ବାଙ୍ଗରେ ଦେଖାଦେଲା ପୁଲକ ଓ ବେପଥୁ । ସେମାନେ ଅନୁଭବ କଲେ ଏହି ବଂଶୀର ଧ୍ୱନି ବଡ଼ ଅଦ୍ଭୁତ । ଅଦ୍ଭୁତ ତା’ର ଆକର୍ଷଣ । କୃଷ୍ଣଙ୍କ ହାତରେ ବଂଶୀଟି ଖୁବ୍ ସୁନ୍ଦର ଦେଖାଯାଉଛି । କୃଷ୍ଣଙ୍କର ଅଧରରେ ବଂଶୀର ସ୍ଵର ଖୁବ୍ ମଧୁର ଅନୁଭୂତ ହେଉଛି । ବଂଶୀ ଧ୍ୱନିର ଶ୍ରବଣରେ ଶ୍ରୀରାଧା ସଂପୂର୍ଣ୍ଣ ରୂପେ ନିଜକୁ ହଜାଇ ଦେଇଛନ୍ତି ; ଗୋପାଙ୍ଗନାମାନେ ନିଜକୁ ଭୁଲି ଯାଇଛନ୍ତି । ଫଳତଃ ପ୍ରତ୍ୟେକେ ପ୍ରତ୍ୟେକଙ୍କୁ ଲୁଚି ଲୁଚି ଅସମ୍ଭାଳ ଅବସ୍ଥାରେ କୃଷ୍ଣଙ୍କ ସହିତ ମିଳିତ ହେବା ପାଇଁ ତାଙ୍କର ଉଦ୍ଦେଶ୍ୟରେ ପ୍ରଧାବିତ ହୋଇଛନ୍ତି । ସେତେବେଳକୁ ସେମାନଙ୍କ ହୃଦୟରେ ଗଭୀର ଉତ୍‌କଣ୍ଠା, ସାଂସାରିକ ପ୍ରତିଷ୍ଠା ଓ ସମସ୍ତ ଐଶ୍ଵର୍ଯ୍ୟକୁ ସେମାନେ ତ୍ୟାଗ କରିଛନ୍ତି । ବଂଶୀର ମଧୁର ଧ୍ୱନି ଶ୍ରବଣ କରିବା ପରେ ସେମାନେ ଅନୁଭବ କରିଛନ୍ତି ଏହି ଧ୍ୱନି ଶ୍ରବଣ କରି କୃଷ୍ଣଙ୍କ ନିକଟକୁ ନଗଲେ ତାଙ୍କର ଜୀବନ ରହିବ ନାହିଁ । ତେଣୁ ଯିଏ ଯାହା କରୁଥିଲା ସେହି ଅବସ୍ଥାରେ ସବୁ କାର୍ଯ୍ୟରୁ ଅବ୍ୟାହତି ନେଇ ସେମାନେ ମୋହନ ବେଣୁର ମାଧୁର୍ଯ୍ୟରେ ଆକୃଷ୍ଟ ହୋଇ ଧାଇଁଛନ୍ତି । ମୁରଲୀର ଘନ ଘନ ଆହ୍ୱାନ ହିଁ ଗୋପାଙ୍ଗନାମାନଙ୍କୁ ରାସସ୍ଥଳୀକୁ ଆକୃଷ୍ଟ କରିଛି । ତେଣୁ ଶ୍ରୀକୃଷ୍ଣଙ୍କ ବଂଶୀ ଏକ ସାଧାରଣ ବଂଶୀ ଦଣ୍ଡ ନୁହେଁ, ଏହା କୃଷ୍ଣ ଓ ରାଧାଙ୍କୁ ଏକତ୍ରିତ କରିବାର ଏକ ମୁଖ୍ୟ ମାଧ୍ୟମ, ସଂଯୋଗ ସେତୁ ।

 

ସେଥିନିମିତ୍ତ ଭକ୍ତକବି ସାଲବେଗଙ୍କର ବହୁ ଗୀତିକା କୃଷ୍ଣଙ୍କ ବଂଶୀକୁ ଭିତ୍ତି କରି ସୃଷ୍ଟି ହୋଇଛି । କବିଙ୍କ ରଚିତ ଏପରି ଗୀତିକା ମଧ୍ୟରେ ପ୍ରଧାନ ହେଉଛି ‘କାହିଁ ଗଲେ ମୁରଲୀ ଫୁଙ୍କା', ‘କାହ୍ନୁ, ହେ, ବଂଶୀ କେ ଦେଲା ତୋତେ’, ‘ଦୂତୀ ଗୋ ବଂଶୀ କାହୁଁ ଆଣିଲେ’, ‘କାଳିଆ କାହ୍ନୁ ମୋହନ ବେଣୁ’ ‘ତରୁତଳେ କେ ବଂଶୀ ବଜାଇଲା’, ‘ବୃନ୍ଦାବନେ ବଂଶୀ କେ ବଜାଇଲା', ‘ବଂଶୀ କଲା ପ୍ରମାଦ ଗୋ’, ‘ବଂଶୀ ଗୋ’, ‘କୃଷ୍ଣ କାହୁଁ ଆଣିଲେ ସଖୀ ଗୋ’, ‘ବଂଶୀ କାହୁଁ ଆଣିଲା’, ‘ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି’ ପ୍ରଭୃତି ।

 

‘ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି’ କବିତା ମଧ୍ୟରେ କବି ସାଲବେଗ କୃଷ୍ଣଙ୍କ ବଂଶୀ ଧ୍ୱନିରେ ଉଜାଣି ଯମୁନାର ଚଳଚଞ୍ଚଳ ତରଙ୍ଗ କିପରି ସ୍ତମ୍ଭୀଭୂତ ହୋଇଯାଇଛି ତାହା ବର୍ଣ୍ଣନା କରିଛନ୍ତି । କେବଳ ସେତିକି ନୁହେଁ, ଯମୁନାର ଜଳ ସହିତ ମୃଗମାନେ ବନଭୂମିରେ ତୃଣ ଭକ୍ଷଣ କରୁଥିବାବେଳେ ବଂଶୀର ମଧୁର ରାଗିଣୀ ଶ୍ରବଣ କରି ବାଙ୍କ ଚାହାଣିରେ ପରସ୍ପରକୁ ଚାହାଁ ଚାହିଁ ହୋଇଛନ୍ତି । ତାଙ୍କ ମୁଖ ଗହ୍ୱରରେ ତୃଣ ସେହିପରି ଲାଖି ରହିଛି । ବଂଶୀ ଧ୍ୱନିର ମାଦକତାରେ ତ୍ରିଭୁବନରେ ନବ ତରଙ୍ଗ ସୃଷ୍ଟି ହୋଇଛି, ପ୍ରସ୍ତର ଖଣ୍ଡଗୁଡ଼ିକ ତରଳିବା ଆରମ୍ଭ କରିଛି, ଯୋଗାସନରେ ଉପବେଶନ କରିଥିବା ଯୋଗ ପୁରୁଷର ଆସନ ଥରହର ହୋଇ ଉଠିଛି, ମୀନମାନେ ଗଭୀର ଜଳ ତ୍ୟାଗ କରି କୂଳକୁ ଡେଇଁ ପଡ଼ିଛନ୍ତି; ବୃକ୍ଷମାନେ ପତ୍ରଝଡ଼ା ଦେଇଛନ୍ତି । ଶୁଷ୍କ ତରୁଗୁଡ଼ିକ ପଲ୍ଲବିତ ହୋଇ ଉଠିଛନ୍ତି, କୁଳବଧୂ ଲାଜ ସଙ୍କୋଚ ତ୍ୟାଗ କରି କୃଷ୍ଣଙ୍କ ଉଦ୍ଦେଶ୍ୟରେ ଗମନ କରିଛନ୍ତି, ସେତେବେଳେ ସେମାନେ ଆଉ ଶାଶୁ ବା ନଣନ୍ଦଙ୍କ ଆକଟ ଗ୍ରହଣ କରିନାହାନ୍ତି ।

 

ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ଏହି ବଂଶୀବାଦନ ଫଳରେ ଶ୍ରୀରାଧାଙ୍କ ଶରୀରରେ ଶତ କଦମ୍ବର ରୋମାଞ୍ଚ ସୃଷ୍ଟି ହୋଇଛି । କବି ସାଲବେଗ ତାଙ୍କର ‘ବୃନ୍ଦାବନେ ବଂଶୀ କେ ବଜାଇଲା' କବିତା ମଧ୍ୟରେ ନିଜକୁ ପ୍ରେମିକା ଶିରୋମଣି ଶ୍ରୀରାଧା ଭୂମିକାରେ ଉପନୀତ କରାଇ ନିଜର ବାନ୍ଧବୀକୁ ‘ଗୋ ମିତ !’ ଭାବରେ ସମ୍ବୋଧନ କରି କହିଛନ୍ତି ।

 

‘‘ବୃନ୍ଦାବନେ ବଂଶୀ କେ ବଜାଇଲା, ଗୋ ମିତ !

ଏକା ରାଧା ରାଧା ନାମ ରାଇଲା ଗୋ !

 

ଛିଡ଼ିଲା ସେ ଛିଦ୍ର ଗଣ୍ଠି ନୀବି ବନ୍ଧ ଗଲା ଫିଟି

ବସନ ପିନ୍ଧନ୍ତେ ତର ନୋହିଲା, ଗୋ ମିତ !

ପାଷାଣ ହୋଇଲା ପାଣି ଯମୁନା ବହେ ଉଜାଣି

ଝରଝର ମକରନ୍ଦ ବହିଲା, ଗୋ ମିତ !

ମୁନିଙ୍କ ଆସନ ଟଳି ରସରେ ପଡ଼ିଲେ ମିଳି

ବ୍ୟାଘ୍ର ପଛେ କୁରଙ୍ଗୀ ଗୋଡ଼ାଇଲା, ଗୋ ମିତ !

 

ଏହି ବଂଶୀ ଧ୍ୱନି ରାଧାଙ୍କ କର୍ଣ୍ଣ କୁହରରେ ବାଜିବା ବେଳେ ସେ ଅନୁଭବ କରିଛନ୍ତି ଅଦୂରରେ ତାଙ୍କୁ ସତେ ଯେପରି କେହି ରାଧା ରାଧା ବୋଲି ଡାକୁଛି ଓ ସେହି ଡାକରାରେ ରାଧାଙ୍କର ପାଦ ଇତସ୍ତତଃ ପଡ଼ୁଛି । ତାଙ୍କର ନିବିବନ୍ଧ ଗଣ୍ଠି ଫିଟି ଯାଇଥିଲେ ହେଁ ତାକୁ ବାନ୍ଧିବାକୁ ତାଙ୍କର ତର ନଥିଲା । ରାଧାଙ୍କର ଏହି ଅବସ୍ଥାକୁ ସାଲବେଗ ଠିକ୍‍ଭାବେ ବର୍ଣ୍ଣନା କରିବାକୁ ସକ୍ଷମ ହୋଇପାରି ନଥିଲେ ।

 

କବିଙ୍କର ଅନ୍ୟ ଏକ କବିତା ‘କାହିଁ ଗଲେ ମୁରଲୀ ଫୁଙ୍କା’ ମଧ୍ୟରେ କବି ଶ୍ରୀକୃଷ୍ଣଙ୍କୁ ଯୁବତୀ-ରସିକ-କାମିନୀ-ରଙ୍କା ଭାବରେ ସମ୍ବୋଧନ କରିଛନ୍ତି । କୃଷ୍ଣଙ୍କ ପ୍ରେମ ଅପ୍ରାକୃତ । ମୁରଲୀ ବାଦନ କରୁଥିବା ବେଳେ ବଂଶୀର ତାନ ମଧ୍ୟରେ ସେ ରାଧାଙ୍କୁ ଆକର୍ଷିତ କରିଛନ୍ତି । ଯମୁନା ନଦୀରେ ସ୍ନାନ କରୁଥିବା ବେଳେ ସେ ରାଧାଙ୍କର ଅଙ୍ଗ ବସ୍ତ୍ର ଲୁଚାଇ ନେଇ କେଳି କଦମ୍ବ ବୃକ୍ଷରେ ବାନା କରି ଉଡ଼ାଇଛନ୍ତି ଓ ଅଦୂରରେ ରହି ଶ୍ରୀରାଧାଙ୍କର ବ୍ୟସ୍ତତା ଉପଭୋଗ କରିଛନ୍ତି । ଏହି ପ୍ରସଙ୍ଗ କବି ସାଲବେଗ ତାଙ୍କ କବିତାରେ ନିମ୍ନଭାବେ ବ୍ୟକ୍ତ କରିଛନ୍ତି ।

 

‘‘କାହିଁ ଗଲେ ମୁରଲୀଫୁଙ୍କା

ଯୁବତୀ-ରସିକ-କାମିନୀ-ରଙ୍କା

ପଦ ପାଣି ବଙ୍କା ନୟନ ବଙ୍କା ଅଧର ବଙ୍କା

ବାଙ୍କ ଶ୍ରୀଅଧରେ ମୁରଲୀ ବଜାଇ ଡାକୁଛନ୍ତି ଆସ ଆସ ରାଧିକା

ବସ୍ତ୍ର ଚୋରିକରି କେଳିକଦମ୍ବରେ ବାନ୍ଧି ପତାକା ।

 

ବଂଶୀର ଧ୍ୱନି ଶ୍ରୀରାଧାଙ୍କୁ ବଡ଼ ଅସ୍ତ ବ୍ୟସ୍ତ କରି ପକାଇଛି । ଏପରିକି ବ୍ରଜପୁରର ନରନାରୀମାନେ ମୋହନ ବେଣୁର ଆକର୍ଷଣରେ ନିଜର ଦୈନନ୍ଦିନ ଜୀବନଚର୍ଯ୍ୟା କରିବାକୁ ସକ୍ଷମ ହୋଇପାରି ନାହାନ୍ତି । ଏଥିପାଇଁ ରାଧାଙ୍କ ସମେତ ସମଗ୍ର ଗୋପନାରୀମାନଙ୍କୁ ବହୁ ନିନ୍ଦା ଓ ଅପମାନ ସହ୍ୟ କରିବାକୁ ପଡ଼ିଛି । କବି ସାଲବେଗ ଶ୍ରୀରାଧାଙ୍କ ସମେତ ସମଗ୍ର ବ୍ରଜବାସୀଙ୍କର ଏହି ଦୁଃଖ ଓ ଦୈନ୍ୟ ବେଶ୍ ଭଲଭାବରେ ହୃଦୟଙ୍ଗମ କରିଛନ୍ତି । ପୁରନାରୀଙ୍କ ପ୍ରତି ହେଉଥିବା ଅପନିନ୍ଦା ଓ ଅପଯଶ ପ୍ରତି ସେ ସଚେତନ ରହିଛନ୍ତି । ଫଳତଃ ଶ୍ରୀରାଧାଙ୍କ ଭୂମିକାରେ ଉପନୀତ ହୋଇ ସେ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଭକ୍ତି ଗଦ୍‌ଗଦ୍ ଓ ଅଭିମାନ ଭରା କଣ୍ଠରେ କିଏ କୃଷ୍ଣଙ୍କୁ ବଂଶୀ ଦେଲା ବୋଲି ପ୍ରଶ୍ନ କରିଛନ୍ତି ଓ ଯଦି ରାଧାଙ୍କ ହସ୍ତରେ ବଂଶୀ ଥାଆନ୍ତା ତେବେ ତାକୁ ଯମୁନା ଜଳରେ ଭସାଇ ଦିଅନ୍ତେ ବୋଲି କହିଛନ୍ତି । ରାଧାଙ୍କ ଦୃଷ୍ଟିରେ ଏହି ବଂଶୀ ହେଉଛି କୁଳଛଡ଼ା । ଜାତି ଗୋତ୍ର ଏହା କିଛି ମାନୁନାହିଁ । ଗୋପପୁରରେ ତ ଅନେକ ନାରୀ ଅଛନ୍ତି, ଷୋଳ ସହସ୍ର ଗୋପାଙ୍ଗନା ବି ଅଛନ୍ତି । ମାତ୍ର ବଂଶୀ କିପରି ମୋତେ ଚିହ୍ନିପାରିଲା ! ଏହି ବଂଶୀ ହିଁ କୃଷ୍ଣଙ୍କ ସହିତ ରାଧାଙ୍କର ପ୍ରୀତି ବହୁଗୁଣିତ କରିଛି, ତାଙ୍କୁ ଖୋଜି ଲୋଡ଼ି ଶ୍ରୀକୃଷ୍ଣଙ୍କ ନିକଟରେ ଆଣି ପହଞ୍ଚାଇଛି । ବଂଶୀଟି କଣ୍ଟା ବଂଶରୁ ଜାତ ହୋଇଥିଲେ ମଧ୍ୟ ତାହା ମଧ୍ୟରେ ଯେଉଁ କୁହୁକ ବିଦ୍ୟା ରହିଛି ତାକୁ ସେ ସ୍ୱୀକାର କରିଛନ୍ତି । ସେହି କୁହୁକ ମନ୍ତ୍ର ହିଁ କୃଷ୍ଣଙ୍କ ପ୍ରତି ତାଙ୍କୁ ଆକର୍ଷିତ କରାଇବାର ମୁଖ୍ୟ କାରଣ ହୋଇଛି । କୃଷ୍ଣଙ୍କର ବଂଶୀ ପ୍ରୀତି ଓ ଶ୍ରୀରାଧାଙ୍କର ବଂଶୀ ପ୍ରତି ଏହି ମନୋଭାବ କବିଙ୍କର “କାହିଁ ଗଲେ ମୁରଲୀ ଫୁଙ୍କା’ କବିତା ମଧ୍ୟରେ ପ୍ରକଟିତ ହୋଇଛି ।

 

ମୋହନ ବଂଶୀ ଶ୍ରୀରାଧାଙ୍କୁ ବେଳୁବେଳ ଏତେ ଅସ୍ତବ୍ୟସ୍ତ କରି ପକାଇଛି ଯେ, ସେ ଅଭିମନ୍ତ୍ରିତ ହେଉଥିବା ସେହି ବଂଶୀର ଇତିହାସ ଓ କିମ୍ବଦନ୍ତୀ ସଂପର୍କରେ ଅଧିକ ଜାଣିବା ପାଇଁ କଳାକାହ୍ନୁ, ନିଜର ଦୂତିକା, ସଖୀ ପ୍ରଭୃତିଙ୍କୁ ବଂଶୀ ସଂପର୍କରେ ବାରମ୍ବାର ପ୍ରଶ୍ନ ପଚାରିଛନ୍ତି । ବାସ୍ତବରେ ଭକ୍ତକବି ସାଲବେଗଙ୍କ ହୃଦୟରେ କୃଷ୍ଣଙ୍କ ବଂଶୀ ସଂପର୍କରେ ଜାଣିବା ନିମନ୍ତେ ଏକଦା ଯେଉଁ ଜିଜ୍ଞାସାବୋଧ ସୃଷ୍ଟି ହୋଇଥିଲା ତାହାର ପରିପୂର୍ଣ୍ଣ କାବ୍ୟ ରୂପ ହେଉଛି ‘କାହ୍ନୁ ହେ, ବଂଶୀ କେ ଦେଲା ତୋତେ', ‘ଦୂତୀ ଗୋ, ବଂଶୀ କାହ୍ନୁ ଆଣିଲେ', ‘ସଖୀ ଗୋ, ବଂଶୀ କାହ୍ନୁଁ ଆଣିଲା’ ପ୍ରଭୃତି ଗୀତିକାଗୁଡ଼ିକ । ସାଲବେଗ ହେଉଛନ୍ତି ମହାପ୍ରଭୁ କୃଷ୍ଣଙ୍କର ପରମ ଭକ୍ତ । ତାଙ୍କରି ଆଶୀର୍ବାଦରୁ ସାଲବେଗ ଦୁରାରୋଗ୍ୟରୁ ମୁକ୍ତି ପାଇଛନ୍ତି । ରୋଗମୁକ୍ତ ହେବା ପରଠାରୁ ସେହି ପରମ ପ୍ରିୟଙ୍କଠାରେ ତାଙ୍କର ମନ ଲାଖିଯାଇଛି । ତେଣୁ ରାଧାଙ୍କ ଆତ୍ମାରେ ଆତ୍ମା ମିଶାଇ ଏକାତ୍ମ ହୋଇ କବି କଣ୍ଠରୁ ନିର୍ଗତ ହୋଇଛି–

 

“ସଖି ଗୋ, ବଂଶୀ କାହୁଁ ଆଣିଲା

ଯଶୋଦା ନନ୍ଦନ ମୋ ପ୍ରାଣ ନେଲା ।

ଆଜର ସପନ ଦେଖିଲି ନିଶି

ବିଜୟେ କଲେ ଗୋ ଶ୍ରୀ ବ୍ରହ୍ମରାଶି ।

ପଲଙ୍କ ପରେ ଧଇଲେ କୋଳରେ,

ଚାହିଁ ଚମକି ପଡ଼ିଲି ଭୂମିରେ ।

ଯେଉଁ ଦିନ ତାରେ ହୋଇଲି ଦାସୀ

ଲଗାଇଲା ମୋତେ ଅନଙ୍ଗ-ଫାଶୀ ।

କି ଅବା କିଜାଣି ମନ୍ତର କଲା ।

ନିରବଧି ଶ୍ୟାମ ମନୁ ନଗଲା ।’’

 

ବଂଶୀ ଧ୍ୱନିର ନିନାଦରେ ସମଗ୍ର ବୃନ୍ଦାବନ ଅସ୍ତ ବ୍ୟସ୍ତ ହୋଇ ଉଠିଛି, ପାଷାଣ ତରଳି ବହିଯାଇଛି ଓ ଯମୁନାର ସ୍ଥିର ଜଳରାଶିରେ ଘନ ଘନ ତରଙ୍ଗ ସୃଷ୍ଟି ହୋଇଛି । ତା'ପରେ ଆରମ୍ଭ ହୋଇଛି ରାସକ୍ରୀଡ଼ା । ବୃନ୍ଦାବନର କୁଞ୍ଜକାନନ ଘେରା ସୁବାସିତ ପରିବେଶ ଶରତ ପୂର୍ଣ୍ଣିମାର ଜ୍ୟୋସ୍ନା ବିଧୌତ ରଜନୀରେ ଚଳଚଞ୍ଚଳ ହୋଇଗଲା । କଦମ୍ବ ତରୁ ଉପରେ ତ୍ରିଭଙ୍ଗ ଠାଣିରେ ଦଣ୍ଡାୟମାନ ହେଲେ ନନ୍ଦନନ୍ଦନ ଶ୍ରୀକୃଷ୍ଣ । ଅଧରରେ ତାଙ୍କର ମୋହନ ବେଣୁ । ସେହି ବେଣୁରୁ ବହି ଆସୁଛି ସୁମଧୁର ସଂଗୀତର ଆବହ ଧ୍ୱନି ଓ ତହିଁରେ ଶ୍ରୀରାଧାଙ୍କ ସମେତ ବ୍ରଜପୁରର ସମସ୍ତ ଗୋପାଙ୍ଗନା ବିମୋହିତ ହୋଇପଡ଼ିଛନ୍ତି । ବ୍ରଜପୁର ନାରୀଙ୍କ ପଥରୋଧ କରୁଛନ୍ତି ତାଙ୍କର ସ୍ୱାମୀ-ପୁତ୍ର-ବନ୍ଧୁ ବାନ୍ଧବ ଓ ଆତ୍ମୀୟ ସ୍ୱଜନମାନେ । ଶ୍ରୀରାଧା ଓ ବ୍ରଜପୁରର ନାରୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କୁଳବଧୂ । କୁଳବଧୂ ଭାବରେ ସମାଜରେ ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ନୀତି ନିୟମ ରହିଛି । ମାତ୍ର କୃଷ୍ଣଙ୍କ ସହିତ ମିଳିତ ହେବା ମଧ୍ୟରେ ସମାଜର ସମସ୍ତ ନୀତି ନିୟମ ଲଂଘନ ହୋଇଛି । ଯେତେବେଳେ ଶ୍ରୀରାଧାଙ୍କ ସମେତ ସମଗ୍ର ଗୋପାଙ୍ଗନାମାନେ ନିଘଞ୍ଚ ବନଭୂମିରେ ଶ୍ରୀକୃଷ୍ଣଙ୍କୁ ଅନ୍ୱେଷଣ କରିଛନ୍ତି ସେତେବେଳେ ଯଶୋଦା ନନ୍ଦନ ଶ୍ରୀକୃଷ୍ଣଙ୍କର ଆକସ୍ମିକ ଆବିର୍ଭାବରେ ସମସ୍ତେ ସ୍ତମ୍ଭୀଭୂତ ହୋଇ ପଡ଼ିଛନ୍ତି । ଗୋପାଙ୍ଗନାମାନେ ଶ୍ରୀକୃଷ୍ଣଙ୍କୁ ନିଜ ଆଢ଼ୁଆଳରେ ରଖିଛନ୍ତି, ତାଙ୍କୁ ପ୍ରେମରେ ଆଲିଙ୍ଗନ କରିଛନ୍ତି ଏବଂ ଚୁମ୍ବନ ଦେଇଛନ୍ତି । ଫଳତଃ ଶ୍ରୀକୃଷ୍ଣ ସମସ୍ତ ଷୋଳ ସହସ୍ର ଗୋପାଙ୍ଗନାଙ୍କ ସହିତ ଷୋଳ ସହସ୍ର ରୂପ ଧାରଣ କରି ରାସକ୍ରୀଡ଼ାରେ ମାତିଛନ୍ତି । କବି ସାଲବେଗ ଶ୍ରୀକୃଷ୍ଣଙ୍କର ଏହି ଅପ୍ରାକୃତ ପ୍ରେମ ଲୀଳା ଶ୍ରବଣ କରି ସଂପୂର୍ଣ୍ଣଭାବେ ଭାବ ବିହ୍ୱଳ ହୋଇପଡ଼ିଛନ୍ତି । ଏହି ପ୍ରସଙ୍ଗ ପ୍ରକାଶ କରିବାକୁ ଯାଇ ସେ ଉଲ୍ଲେଖ କରିଛନ୍ତି–

 

‘‘ବୃନ୍ଦାବନେ ରାହସ ଲୀଳା,

ଦେଖି ମୋ ଚିତ୍ତ ହୋଇଲା ଭେବଳା ।

ବେଣୁ ବୀଣା ତାଳ ମୃଦଙ୍ଗ ଶବଦେ

ରାହାସ ଉତ୍ସବ ସୁବେଶ ତ୍ୱରା ।

ଗାୟନ ବାୟନ ଶୁଭେ ଶଙ୍ଖଧ୍ୱନି

ବୃନ୍ଦାବନେ ପଶି ହୋଇଲି ଭେଳା।

ଷୋଳସସ୍ର ବୃନ୍ଦ ମଧ୍ୟରେ ଗୋବିନ୍ଦ

ମଦନମୋହନ ବେଶ ଚତୁରା ।

ବାମରେ ରାଧିକା ଦକ୍ଷିଣେ ଦୂତିକା

ମଧ୍ୟରେ ନାଚନ୍ତି ନନ୍ଦର ବଳା ।।’’

 

କୃଷ୍ଣଙ୍କ ବଂଶୀ ସଂପର୍କିତ ଅନ୍ୟ ଏକ ରସାଳ ଓ ଭକ୍ତି ରସାତ୍ମକ ଭଜନ ହେଉଛି ‘ଅତି ଯତନରେ ବଂଶୀ ଗଢ଼ାଇଲି ସୁନାର ବେଣ୍ଟ ଲଗାଇ’ । ଶ୍ରୀକୃଷ୍ଣ ଯମୁନା ନଦୀ ତୀରସ୍ଥ କଦମ୍ବ ମୂଳରେ ଶୟନରତ ଥିବା କାଳରେ ତାଙ୍କର ଅତି ପ୍ରିୟ ବଂଶୀଟିକୁ ଚତୁରୀ ରାଧା ଅତ୍ୟନ୍ତ ଗୋପନୀୟ ଭାବରେ ଲୁଚାଇ ନେଇ ଯାଇଥିଲେ । କୃଷ୍ଣଙ୍କ ବଂଶୀଟି ବଂଶ ଦଣ୍ଡରେ ପ୍ରସ୍ତୁତ ଏକ ସାଧାରଣ ବଂଶୀ ନଥିଲା । ସ୍ୱର୍ଗ ମର୍ତ୍ତ୍ୟ ଓ ପାତାଳ–ତିନିପୁରକୁ ସଂଯୋଗ କରିବାର ଏକ ମୁଖ୍ୟ ସୂତ୍ର ଏହି ବଂଶୀଟି ମଧ୍ୟରେ ହିଁ ନିହିତ ଥିଲା । ତେଣୁ ଯେତେବେଳେ ରାଧା କୃଷ୍ଣଙ୍କ ବଂଶୀଟିକୁ ଲୁଚାଇ ନେଇ ତାଙ୍କର ବଂଶୀ ନେବା କଥା ଅସ୍ୱୀକାର କରିଛନ୍ତି ସେତେବେଳେ କୃଷ୍ଣଙ୍କୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଯାଇଛି । ମାତ୍ର ସେ ପରକାଳରେ ଶ୍ରୀରାଧାଙ୍କର ଚଞ୍ଚକତା ଜାଣିପାରି ନିଜେ ପିନ୍ଧିଥିବା ହସ୍ତର କଙ୍କଣ, ଗଳାମୋତିହାର ନେଇ ତାଙ୍କର ବଂଶୀଟି ଫେରାଇ ଦେବାକୁ ଶ୍ରୀରାଧାଙ୍କୁ ଅନୁରୋଧ କରିଛନ୍ତି । ରାଧା ଓ କୃଷ୍ଣଙ୍କ ଉକ୍ତି ପ୍ରତ୍ୟୁକ୍ତି ମଧ୍ୟରେ ଏହି ଭଜନରେ ଭକ୍ତକବି ସାଲବେଗ ସ୍ଵର୍ଗୀୟ ପ୍ରେମର ଏକ ଅନ୍ତଃସଲୀଳା ଫଲ୍‌ଗୁ ପ୍ରବାହିତ କରି ଓଡ଼ିଆ ଭଜନ ସାହିତ୍ୟକୁ ରସସିକ୍ତ କରିଛନ୍ତି । ଏହି ଭଜନଟି ହେଉଛି–

 

 

‘‘ଅତି ଯତନରେ ବଂଶୀ ଗଢ଼ାଇଲି ସୁନାର ବେଣ୍ଟ ଲଗାଇ,

କେ ଯାଇ କହିବ ମାତା ଯଶୋଦାକୁ

ମୋ ବଂଶୀ ନେଲେ ଚୋରାଇ,

ଚତୁରୀ ରାଧେ, ମୁରଲୀ ଆମ୍ଭର ଦିଅ

ହସ୍ତର କଙ୍କଣ ଗଳା ମୋତିହାର

ଯାହା ଇଚ୍ଛା ତାହା ନିଆ ।’’

 

କୃଷ୍ଣଙ୍କ ବଂଶୀର ରାଗିଣୀ ବେଳକୁ ବେଳ ଗୋପାଙ୍ଗନାମାନଙ୍କୁ ବ୍ୟଥିତ କରି ପକାଇଛି-। କ୍ରମଶଃ ସେମାନେ ଅଧୀରା ହୋଇ ଉଠିଛନ୍ତି । ବଂଶୀର ତ୍ରିଲୋକ ମୋହିନୀ ସ୍ୱର ନିକଟରେ କ’ଣ କରିବେ ସେମାନେ ଚିନ୍ତା କରିପାରି ନାହାନ୍ତି । ମାତ୍ର ରକ୍ତ ମାଂସର ଦେହ ଧାରଣ କରିଥିବାରୁ କୃଷ୍ଣଙ୍କ ବେଣୁର ମୂର୍ଚ୍ଛନାରେ ଅପ୍ରସ୍ତୁତ ହୋଇ ତାଙ୍କୁ ଓ ତାଙ୍କ ବଂଶୀକୁ ସେମାନେ ନିନ୍ଦା କରିଛନ୍ତି । ସେଥିରୁ ରକ୍ଷା ପାଇବା ଲାଗି ଉପାୟ ଚିନ୍ତା କରିଛନ୍ତି । ମାତ୍ର ଗୋପାଙ୍ଗନାମାନଙ୍କର ସବୁ ଚେଷ୍ଟା ବ୍ୟର୍ଥ ହେବାପରେ ଉପାୟ ଶୂନ୍ୟ ହୋଇ ସେମାନେ ସେହି ବଂଶୀରେ ହିଁ ଆଶ୍ରୟ ନେଇଛନ୍ତି । ଅନୁରୂପ ଭାବ ଶ୍ରୀରାଧା ତାହାହିଁ କରିଛନ୍ତି । ସାଲବେଗ ଏହି ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ଶ୍ରୀରାଧାଙ୍କୁ ସମର୍ପଣ ପୂର୍ବକ ଗାନ କରିଛନ୍ତି ।

 

‘ମୁରଲୀ,

ତୋର ଶରଣ ଗଲିରେ ମୁରଲୀ !

ଆଉ ନ ଡାକିବୁ ରାଧିକା ବୋଲି, ରେ ମୁରଲୀ !

ଜାତି ତୋର କଣ୍ଟା ବାଉଁଶ ସିନା ।

ଗୋପସ୍ତିରୀଙ୍କର ପରାଣଘେନା ।।

ଜାତି ତୋର କଣ୍ଟା ବାଉଁଶ ଖଣ୍ଡ ।

ହସ୍ତରେ ଧରିଛି କୁସୁମକାଣ୍ଡ ।।

ଯମୁନାର ପାଣି ବହେ ଉଜାଣି ।

ପାଷାଣ ତରଳ ଶୁଣି ଯା ଧୁନି ।।

ମୁରଲୀ କେ ଆଣି ଦିଅନ୍ତା ମୋତେ

ଭସାଇ ଦିଅନ୍ତି ଯମୁନା ସ୍ରୋତେ ।”

 

ସୁତରାଂ ଶ୍ରୀକୃଷ୍ଣ ଅନନ୍ତ, ଅନ୍ତର୍ଯ୍ୟାମୀ ଓ ପରମପୁରୁଷ । ସେ ଅନାଦି, ଅବ୍ୟକ୍ତ ଓ ନିର୍ଗୁଣ । ବ୍ରହ୍ମାଣ୍ଡର ଏହି ମହାନାୟକଙ୍କୁ ଭକ୍ତକବି ସାଲବେଗ ତାଙ୍କ ଯୌବନରେ ଭଲପାଇ ବସିଛନ୍ତି । କୃଷ୍ଣ ପ୍ରୀତିର ନିଦର୍ଶନ ସ୍ୱରୂପ ପରବର୍ତ୍ତୀ ସନ୍ନ୍ୟାସ ଜୀବନ ଯାପନ କାଳରେ କବି କଣ୍ଠରୁ ସ୍ୱତଃ ଝରିଆସିଛି ଏହି ମହାମାନବଙ୍କ ଉଦ୍ଦେଶ୍ୟରେ ରାଶି ରାଶି ଭକ୍ତି ସଂଗୀତ । ଏହି ସଂଗୀତ କେବଳ କବି କର୍ମକୁ ସମୃଦ୍ଧ କରିନାହିଁ, ଏହା ସମଗ୍ର ଓଡ଼ିଆ ଭକ୍ତି ସଂଗୀତ ସାହିତ୍ୟକୁ କରିଛି ସମୃଦ୍ଧ, ପ୍ରାଣବନ୍ତ ଓ ରସୋତ୍ତୀର୍ଣ୍ଣ ।

 

ସାଲବେଗଙ୍କ ଭଜନ ଓ ଜଣାଣରେ ଶ୍ରୀଜଗନ୍ନାଥ :

 

ଜଗନ୍ନାଥ ପୁରୁଷୋତ୍ତମ, ବିଶ୍ୱମୈତ୍ରୀର ପ୍ରତୀକ । ପୁରୀର ଶ୍ରୀଜଗନ୍ନାଥ ପୀଠ ହେଉଛି ସମଗ୍ର ଭାରତୀୟ ସଂସ୍କୃତିର ମହାସାଗର । ଭାରତୀୟ ସଂସ୍କୃତିର ଏହି ମହାସ୍ରୋତରେ ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ କ୍ଷୀଣ ଜଳରାଶି ଆସି ଜଗନ୍ନାଥ ସଂସ୍କୃତିକୁ କରିଛି ମହାନ, ପବିତ୍ର ଓ ଉଦାର । ସମଗ୍ର ପୃଥିବୀର ସବୁ ଧର୍ମ, ଦର୍ଶନ ଓ ମତବାଦ ପ୍ରତ୍ୟେକ ଯୁଗରେ ନିଜର ବଳିଷ୍ଠ ଭାବନା ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରି ଶେଷରେ ଏହି ପୁରୁଷୋତ୍ତମ ପୀଠରେ ହିଁ ଲୀନ ହୋଇଛି । ଜଗନ୍ନାଥଙ୍କ ସହିତ ଉତ୍କଳୀୟ ଜୀବନଧାରା ଓତପ୍ରୋତ ଭାବେ ମିଶିଯାଇଛି । ଫଳତଃ ଜଗନ୍ନାଥ ହୋଇଛନ୍ତି ପ୍ରତ୍ୟେକ ଉତ୍କଳୀୟ ମାନବର ସୁଖ ଦୁଃଖର ସାଥୀ, ତାହାର ସାହାଭରସା ଓ ମୁକ୍ତିଦାତା । ଉତ୍କଳର ଗଜପତି ଏହି ମହାପ୍ରଭୁଙ୍କର ହେଉଛନ୍ତି ପରମ ସେବକ ।

 

ପୁରୁଷୋତ୍ତମ ଜଗନ୍ନାଥ ସମସ୍ତଙ୍କର । ସେ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ! ଜଗତ୍ ସୃଷ୍ଟି କରିବା ପାଇଁ ସେ ବ୍ରହ୍ମା ରୂପରେ, ଜଗତ୍ ପାଳନ କରିବା ପାଇଁ ସେ ବିଷ୍ଣୁ ରୂପରେ ଏବଂ ଜଗତ୍‌ର ବିନାଶ ସାଧନ କରିବା ପାଇଁ ସେ ରୁଦ୍ର ରୂପରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଆମେ ଦେବତା ଜ୍ଞାନ କଲେ ହେଁ ସେ ହେଉଛନ୍ତି ଆମ ପରି ମାନବ । ତେଣୁ ପ୍ରତ୍ୟେକ ଉତ୍କଳୀୟ ମାନବର ତାଙ୍କ ନିକଟରେ ଆତ୍ମୀୟତା ଅଧିକ । ସେହି ଆତ୍ମୀୟତା ଓ ଅନ୍ତରଙ୍ଗତାର ଅନ୍ୟ ନାମ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥ ସର୍ବଶକ୍ତିମାନ, ଅରୂପ, ଅବର୍ଣ୍ଣନୀୟ ଓ ଅପରିସୀମ । ଜଗନ୍ନାଥଙ୍କ ନିକଟରେ କୌଣସି ଧର୍ମର ଆଧିପତ୍ୟ ନାହିଁ । କୌଣସି ଆଚାର୍ଯ୍ୟଙ୍କର ପ୍ରଭୃତ୍ୱକୁ ଏହି ଧର୍ମ ସ୍ଵୀକାର କରେ ନାହିଁ । କୌଣସି ଅନ୍ଧ ଅବିଚାରରେ ଏହି ଧର୍ମ ବାନ୍ଧି ହୋଇ ରହେନାହିଁ । କାରଣ ଜଗନ୍ନାଥ ଏକ ନିର୍ଦ୍ଦିଷ୍ଟ ଧର୍ମର ନୁହନ୍ତି ପୁନଶ୍ଚ ସବୁଧର୍ମର ।

 

ଗଭୀର ମାନବ ପ୍ରେମ ହେଉଛି ଜଗନ୍ନାଥ ସଂସ୍କୃତିର ମୂଳ ମନ୍ତ୍ର । ମାନବ ସେବା ହେଉଛି ବାସ୍ତବରେ ମାଧବ ସେବା । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ବିଭେଦକୁ ମୂଳପୋଛ କରି ସମଗ୍ର ମାନବ ଜାତିକୁ ଏକାକାର କରିବାର ଭାବ ମାନବ ଏହି ଜଗନ୍ନାଥଙ୍କ ପୀଠରୁ ହିଁ ଶିକ୍ଷା ଲାଭ କରିଛି । ସେଥିପାଇଁ ଗୀତାରେ କୁହାଯାଇଛି–

 

‘‘ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ,

ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ ।’’

 

Unknown

ଜଗନ୍ନାଥ ପତିତପାବନ । ଜଗନ୍ନାଥ ମନ୍ଦିରରେ ବ୍ରାହ୍ମଣଠାରୁ ଆରମ୍ଭ କରି ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ସମାନ । ସାନ ବଡ଼ ଜାତି ଅଜାତିର ଭେଦଭାବ ଓ ବିଚାର ସେଠାରେ ନାହିଁ । ସେଥିପାଇଁ କବି ବଳରାମ ଦାସ ଉଲ୍ଲେଖ କରିଛନ୍ତି –

 

‘‘କାହୁଁ ଭିଆଇଲୁ କ୍ଷେତ୍ର ତୋହର,

ଚଉଦ ଭୁବନ ମଧ୍ୟୁ ବାହାର ।

ନାଥ ତୋ କ୍ଷେତ୍ରେ ସାନ ବଡ଼ ନାହିଁ ।

ବ୍ରାହ୍ମଣ ଚଣ୍ଡାଳ ଯେ ସରି ଦୁଇ ।’’

 

ଜଗନ୍ନାଥ ମନ୍ଦିର ପରିସରରେ ଅବସ୍ଥିତ ଆନନ୍ଦ ବଜାର । ସେଠାରେ ଆନନ୍ଦ ମନରେ ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରବେଶାଧିକାର ରହିଛି । ସେଥିପାଇଁ ଜଗନ୍ନାଥଙ୍କ ବାନା ହେଉଛି ପତିତପାବନ ବାନା । ତାଙ୍କର ପତାକା ତଳେ ସମସ୍ତେ ସମାନ । ସେଠି ଜାତି ଅଜାତିର ଭେଦ ଭାବ ନାହିଁ–ଭେଦଭାବ ଖାଲି ମଣିଷ ଭିତରେ, ତା’ର ଅହଂ ଚେତନା ମଧ୍ୟରେ । ଏହି ଚେତନା ମଣିଷକୁ ବଡ଼ କରେ ନାହିଁ, କରେ ଅମଣିଷ, ସ୍ଵାର୍ଥପର ଓ ନ୍ୟୁନ ।

 

ତେଣୁ ଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ୱ ମାନବର ଏକ ବିସ୍ମୟ ଦେବତା । ତାଙ୍କର ଦାରୁ ପିଣ୍ଡ ମଧ୍ୟରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ପରିକଳ୍ପନା । ସେ ଅନନ୍ତ ଓ ଅବ୍ୟାପାର । ସେ ପୁଣି ମୁକ୍ତିଦାତା, ତାଙ୍କର ଲୀଳାର ଅନ୍ତନାହିଁ । ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁ ଜନତାର ଶ୍ରେଷ୍ଠ ଦେବତା ଏବଂ ପୁରୁଷୋତ୍ତମ ପୀଠ ହେଉଛି ତା’ର ପରମାରାଧ୍ୟ ତୀର୍ଥ କ୍ଷେତ୍ର । ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଓଡ଼ିଆ ଜାତି ନିଜ ସଂସ୍କୃତିକୁ ବିକଶିତ କରିବା ପାଇଁ ପ୍ରୟାସୀ ହୋଇଛି । ଶ୍ରୀକ୍ଷେତ୍ର ହେଉଛି ସମଗ୍ର ପୃଥିବୀ ମଧ୍ୟରେ ସର୍ବଶ୍ରେଷ୍ଠ ତୀର୍ଥଭୂମି । ତେଣୁ ପରିଣତ ବୟସରେ ମାନବ ଏହି କ୍ଷେତ୍ର ପ୍ରତି ଆକର୍ଷିତ ହୋଇ ଶେଷ ଜୀବନ ବିତାଇବା ପାଇଁ ଆଶାୟୀ ହୋଇଥାଏ ।

 

ଜଗନ୍ନାଥ ପତିତପାବନ । ସେ ହେଉଛନ୍ତି ସର୍ବଧର୍ମ ସମନ୍ୱୟର ପ୍ରତୀକ । ପୃଥିବୀର ସବୁ ଧର୍ମ, ନାନା ବର୍ଣ୍ଣ ଓ ବିଭିନ୍ନ ଆଦର୍ଶ ତଥା ବହୁ ଦର୍ଶନ ତାଙ୍କରିଠାରେ ଏକୀଭୂତ ହୋଇଛି । ଜଗନ୍ନାଥଙ୍କୁ ଯିଏ ଯେଉଁ ଭାବରେ ଦେଖିଛି ତାଙ୍କୁ ସେ ସେହି ଭାବରେ ଦେଖା ଦେଇଛନ୍ତି । ଆଦିକବି ସାରଳା ଦାସ ତାଙ୍କୁ ରାମ କୃଷ୍ଣ ସୁଭଦ୍ରା ଭାବେ ପରିକଳ୍ପନା କରି ଉଲ୍ଲେଖ କରିଛନ୍ତି–

 

‘‘ରାମ କୃଷ୍ଣ ସୁଭଦ୍ରା ଯେ ଏ ତିନି ପ୍ରତିମା

ଶ୍ରୀ ପୁରୁଷୋତ୍ତମ ବିଜେ ହଳୀ ହରି ବ୍ରହ୍ମା ।

 

ଜଗନ୍ନାଥ ହେଉଛନ୍ତି କ୍ଷମା ପ୍ରେମ ଓ କରୁଣାର ମୂର୍ତ୍ତିମନ୍ତ ଅବତାର । ତେଣୁ ପୃଥିବୀର ପ୍ରତ୍ୟେକ ଧର୍ମାବଲମ୍ବୀ ଭକ୍ତ ଜଗନ୍ନାଥ ଧାମକୁ ଆସି ତାଙ୍କୁ ଆରାଧନା କରିବାରେ ଆଦୌ ଅସୁବିଧା ହୁଏ ନାହିଁ । ଭାରତବର୍ଷର ବହୁ କବି ଓ ଲେଖକମାନେ ଏଥିପାଇଁ ତାଙ୍କୁ କେନ୍ଦ୍ର କରି ବହୁ ଭଜନ ଜଣାଣ ରଚନା କରିଛନ୍ତି । ହିନ୍ଦୀ ସାହିତ୍ୟର ମହାନ ସନ୍ଥ କବି କବୀର ଦାସ ପ୍ରଭୁ ଜଗନ୍ନାଥ ଓ ଜଗନ୍ନାଥ ଚେତନାରେ ଉଦ୍‍ବୁଦ୍ଧ ହୋଇ ବହୁ ଭଜନ ଓ ଜଣାଣ ରଚନା କରିଛନ୍ତି । ତାଙ୍କର ଏହି ସୃଷ୍ଟି ମଧ୍ୟରେ ଜଗନ୍ନାଥଙ୍କ ପ୍ରତି ଗଭୀର ଭକ୍ତି ଭାବନା ପ୍ରତିଫଳିତ ହୋଇଛି । କବୀରଙ୍କ ପରି ସୁରଦାସ ମଧ୍ୟ ଭାରତୀୟ ସାହିତ୍ୟରେ ଥିଲେ ଅନ୍ୟ ଜଣେ ସନ୍ଥ କବି । ଅନ୍ୟାନ୍ୟ ଉତ୍କଳୀୟ କବିଙ୍କ ପରି ସେ ତାଙ୍କ ଭଜନ ସାହିତ୍ୟ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ସତ୍ତା ଉପଲବ୍‍ଧି କରିଥିଲେ । ଅନ୍ଧ କବି ହୋଇଥିଲେ ହେଁ ସେ ତାଙ୍କର ଦିବ୍ୟ ଦୃଷ୍ଟି ବଳରେ ଭଗବାନ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିଥିଲେ । ନିମ୍ନୋକ୍ତ ଗୋଟିଏ ପଦରୁ ତାଙ୍କର ଜଗନ୍ନାଥଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଆନ୍ତରିକତା କଳନା କରାଯାଇପାରେ ।

 

‘‘ଆରତି ଶ୍ରୀଜଗନ୍ନାଥ କୀ ମଙ୍ଗଲକାରୀ ।

ବରସତ ଚରଣାରବିନ୍ଦ ଆପଦା-ହାରୀ ।।

 

ଘନନ ଘନନ ଘଣ୍ଟା ବାଜେ ବେନ ବାଂସୁରୀ ।

ବାଜତ ମୃଦଙ୍ଗ ଢାଲ ନାଦ କୀନେ ହରି ।।’’

 

ପଞ୍ଜାବୀ ଭକ୍ତି ସାହିତ୍ୟର ସ୍ରଷ୍ଟା ଗୁରୁ ନାନକ ଶ୍ରୀଜଗନ୍ନାଥଙ୍କ ମହନୀୟତାରେ ଆକୃଷ୍ଟ ହୋଇ ତାଙ୍କର ଶିଷ୍ୟମାନଙ୍କ ସହିତ ଏକଦା ପୁରୀ ଆସିଥିଲେ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅବସରରେ ସେହି ମହାନାୟକଙ୍କ ଉଦ୍ଦେଶ୍ୟରେ କବି ଯେଉଁ ଭକ୍ତି ସଂଗୀତ ଗାନ କରିଥିଲେ ତା’ର ତୁଳନା ନାହିଁ । ତାଙ୍କର ଏହି ସଂଗୀତ ମଧ୍ୟରେ କବି ଅସୀମ ଓ ଅନନ୍ତର ଉପଲବ୍‍ଧିରୁ ମୁକ୍ତି ପାଇଁ ଅନ୍ୟ ଏକ ଭାବ ରାଜ୍ୟରେ ପହଞ୍ଚି ଯାଇଥିଲେ । ଯେଉଁଠାରେ ସେ ଦିବ୍ୟ ଜୀବନର ସ୍ଵରୂପ ଉପଲବ୍‍ଧି କରୁଥିଲେ ।

 

ଅନୁରୂପ ଭାବେ ଆମ ପଡ଼ୋଶୀ ବଙ୍ଗଳା ସାହିତ୍ୟରେ ଜଗନ୍ନାଥଙ୍କ ଚେତନା ବହୁଳ ଭାବେ ପରିଦୃଷ୍ଟ ହୋଇଥାଏ । ଶ୍ରୀଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ ପରେ ଓଡ଼ିଶା ଓ ବଙ୍ଗଦେଶ ମଧ୍ୟରେ ଯେଉଁ ସାଂସ୍କୃତିକ ସଦ୍ଭାବ ପ୍ରତିଷ୍ଠା ହୋଇଥିଲା ତାହାର ଫଳଶ୍ରୁତି ସ୍ଵରୂପ ବଙ୍ଗଳାର କବି କୃଷ୍ଣଦାସ କବିରାଜଙ୍କ ଚୈତନ୍ୟ ଚରିତାମୃତ, ବୃନ୍ଦାବନ ଦାସଙ୍କ ‘ଚୈତନ୍ୟ ଭାଗବତ’, ରଙ୍ଗ ଲାଲ ବନ୍ଦୋପାଧ୍ୟାୟଙ୍କ ‘କାଞ୍ଚିକାବେରୀ’, ଗୁରୁଦାସ ସରକାରଙ୍କର ‘ମନ୍ଦିରର କଥା’, ସୁନ୍ଦରାନନ୍ଦ ବିଦ୍ୟାବିନୋଙ୍କ ‘ଶ୍ରୀକ୍ଷେତ୍ର, ବିଶ୍ୱମ୍ବର ଦାସଙ୍କର ‘ଜଗନ୍ନାଥ ମଙ୍ଗଳ’, ଚୁନିଲାଲ ବସୁଙ୍କର ‘ନୀଳାଚଳ’, ବିଶ୍ୱକବି ରବୀନ୍ଦ୍ରନାଥଙ୍କର ‘ଭକ୍ତି ଭାଜନ’ ପ୍ରଭୃତି ଗ୍ରନ୍ଥ ସୃଷ୍ଟି ହୋଇ ଜଗନ୍ନାଥ ସାହିତ୍ୟ ସଂସ୍କୃତିକୁ ସମୃଦ୍ଧ କରିଛି ।

 

ସେହିପରି ଅସମୀୟା ସାହିତ୍ୟ ସଂସ୍କୃତି ସହିତ ଉତ୍କଳୀୟ ସାହିତ୍ୟ ଓ ସଂସ୍କୃତିର ସଂପର୍କର ମୂଳରେ ରହିଛନ୍ତି ଶ୍ରୀଜଗନ୍ନାଥ । ଅସମୀୟ ଭକ୍ତି ସାହିତ୍ୟର ସାଧକ କବି ଶଙ୍କର ଦେବ ଶ୍ରୀକ୍ଷେତ୍ରରେ ବହୁକାଳ ଅତିବାହିତ କରି ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ରଚନା କରିଥିଲେ ‘ଅଜାମିଳ ଉପାଖ୍ୟାନ’, ‘ଅନାଦି ପାତକ’, ‘ସଂସାର ଚକ୍ର’ ପ୍ରଭୃତି । ଅସମୀୟା ସାହିତ୍ୟର ଅନ୍ୟତମ ସନ୍ଥକବି ଶ୍ରୀଧର କନ୍ଦଳି ଶ୍ରୀଜଗନ୍ନାଥ ଚେତନାକୁ କେନ୍ଦ୍ର କରି ସୃଷ୍ଟି କରିଥିଲେ ଗୁଣ୍ଡିଚା କୀର୍ତ୍ତନ । ଏତଦ୍‍ବ୍ୟତୀତ ଦକ୍ଷିଣ ଭାରତର ନରସିଂହ ମୂର୍ତ୍ତି, ଭେଙ୍କଟରମଣ ପ୍ରଭୃତି ବହୁ ସ୍ରଷ୍ଟାଙ୍କ ସାହିତ୍ୟ ଜଗନ୍ନାଥ ଭାବନା ଓ ଚେତନାରେ ସମୃଦ୍ଧ ହୋଇଥିଲା । ନରସିଂହ ମୂର୍ତ୍ତିଙ୍କ ‘ଉତ୍କଳ ଶ୍ରୀଜଗନାଥନ୍ ଏବଂ ଭେଙ୍କଟରମଣଙ୍କ ‘ଶ୍ରୀଜଗନ୍ନାଥ କମଳକମ’ ପ୍ରଭୃତି କୃତିଗୁଡ଼ିକ ଏଥି ମଧ୍ୟରେ ପ୍ରଧାନ ଥିଲା ।

 

ସୁତରାଂ ଏହିଠାରେ ହିଁ ପ୍ରତିପାଦିତ ହୋଇଛି ଜଗନ୍ନାଥଙ୍କ ମହାନତା । ଏହି ଉଦ୍ଦେଶ୍ୟରେ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଭାରତବର୍ଷରେ ଜଣେ ମହାନ ସନ୍ଥ ଓ ଯୋଗପୁରୁଷ ଶ୍ରୀ ଅରବିନ୍ଦ ତାଙ୍କର 'Essay on the Geeta' ପୁସ୍ତକରେ ଉଲ୍ଲେଖ କରିଛନ୍ତି–The Purushottama is in the heart of every creature and is manifested in his countless Vibhutis. The Purushottam is the cosmic spirit in time and it is he that given the command to the devine action of the liberated human spirit and yet he is other because he is more and greater than either of these opposites. He is a supreme mysterious. All, are ineffable positive. Absolute of all things here. He is the lord in the kshara. Purushottam not only there but here in the heart of every creature iswara."

 

ଆମ ଓଡ଼ିଆ ସାହିତ୍ୟରେ ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ବହୁ ଭଜନ ଜଣାଣ ରଚିତ ହୋଇଛି । ପ୍ରାଚୀନ କାଳରେ ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଦେବ ଦୁର୍ଲଭ ଦାସ, ଧନଞ୍ଜୟ ଭଞ୍ଜ ପ୍ରଭୃତି କବିଙ୍କ ଜଗନ୍ନାଥଭିତ୍ତିକ ଭଜନ ଓ ଜଣାଣରେ ଓଡ଼ିଆ ସନ୍ଥ ସାହିତ୍ୟ ସମୃଦ୍ଧ ହୋଇଛି । ମାତ୍ର ଜଗନ୍ନାଥଙ୍କୁ ଭକ୍ତକବି ସାଲବେଗ ଏକ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ତାଙ୍କର ସେହି ଦୃଷ୍ଟି ହେଉଛି କାବ୍ୟ ଦୃଷ୍ଟି ଓ ଦିବ୍ୟ ଦୃଷ୍ଟି । ସାଧାରଣ ଜନତାଙ୍କ ଠାରୁ ଏହି ଦୃଷ୍ଟି ହେଉଛି ଭିନ୍ନ ଓ ସ୍ୱତନ୍ତ୍ର । ଯୁବାବସ୍ଥାରେ କବି ସାଲବେଗ ତାଙ୍କର ଆରାଧ୍ୟ ଦେବତା ଶ୍ରୀକୃଷ୍ଣଙ୍କ ଠାରେ ନିଜକୁ ସମର୍ପଣ କରି ଦେଇଥିଲେ । ଏତିକିବେଳେ ନିଜର ମାତାଙ୍କ ଠାରୁ ସେ ଜଗନ୍ନାଥଙ୍କ ସଂପର୍କରେ ବହୁକଥା ଶୁଣିଥିଲେ । ଜଗନ୍ନାଥଙ୍କ ରଥଯାତ୍ରା ଦେଖ କବି ଭାବବିହ୍ୱଳ ହୋଇ ପଡ଼ୁଥିଲେ । ପୁନଶ୍ଚ ସେ ବଡ଼ ଦେଉଳର ଅନତିଦୂରରେ ରହିଥିବାରୁ ଜୀବନରେ ଏକାଧିକ ବାର ଜଗନ୍ନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ । ସୁତରାଂ ରାଧାକୃଷ୍ଣ ଭଜନ ସହିତ କବି ଜଗନ୍ନାଥଙ୍କ ସଂପର୍କିତ ଏକାଧିକ ଭଜନ ରଚନା କରି ଆମ ଭଜନ ସାହିତ୍ୟର ଧାରାକୁ ପୁଷ୍ଟ କରିଛନ୍ତି । ସାଲବେଗଙ୍କ ରଚିତ ଏପରି ଭଜନ ମଧ୍ୟରେ ପ୍ରଧାନ ହେଉଛି ‘ଆହେ ନୀଳ ଶଇଳ’, ଆହେ ନୀଳଗିରି, ‘ବାଛି କେ ନାମ ଦେଲା ଦୟାନିଧି', ‘ଜଗମୋହନ ରୂପ ଧରିଛ’, ‘ଆହେ ନୀଳାଚଳ ବାସୀ’, ‘କାଳିଆ ଧନ’, କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’, ‘ଚାଲ ସଖୀ ଆମେ ଦ୍ରଶନ କରିବା', ଏକା ତୋ ଭକତ ଜୀବନ’, ଜଗବନ୍ଧୁ ହେ ଗୋସାଇଁ, ‘ଜଗନ୍ନାଥ ହେ କିଛି ମାଗୁ ନାହିଁ’, ‘ଥକାମନ ଚାଲ ଯିବା’, ‘ରାମହରି, ପ୍ରଭୁ ବିଜେ କରିଅଛି’, ‘ଶ୍ରୀ ପୁରୁଷୋତ୍ତମ ଯିବା ମନ’, ‘ହେ ଚକାଡୋଳା ମହାପ୍ରଭୁ’, ‘ନୀଳଗିରି ପତି’, ‘ଏକା ତୋ ଭକତ ଜୀବନ’ ଇତ୍ୟାଦି ।

 

ସମଗ୍ର ଓଡ଼ିଆ ଭଜନ ସାହିତ୍ୟରେ ଜଗନ୍ନାଥ ଭିତ୍ତିକ ଏକ ଜନପ୍ରିୟ ଭଜନ ଭାବେ ସାଲବେଗଙ୍କ ‘ଆହେ ନୀଳ ଶଇଳ’ ଖୁବ୍ ଆଦୃତ । ଜଗନ୍ନାଥଙ୍କ ମଧ୍ୟରେ ପୃଥିବୀର ସମସ୍ତ ଦେବଦେବୀ ଅବସ୍ଥାନ କରିଛନ୍ତି । ଏହି ବିଶ୍ୱ ବ୍ରହ୍ମାଣ୍ଡରେ ଯେଉଁଠି ଯାହା ଭଲ ମନ୍ଦ ଘଟଣା ଘଟୁଛି ସବୁ ତାଙ୍କରି କୃପା ଓ କରୁଣାରୁ । ଗଭୀର ଜଳ ମଧ୍ୟରେ ଯେତେବେଳେ ନିରୀହ ହସ୍ତୀଟି କୁମ୍ଭୀର ଦ୍ଵାରା କ୍ଷତାକ୍ତ ହୋଇ ଭଗବାନ ଶ୍ରୀଜଗନ୍ନାଥଙ୍କୁ ଏକାଗ୍ର ଚିତ୍ତରେ ଧ୍ୟାନ କରିଥିଲା ସେତେବେଳେ ସେ ତାଙ୍କର ସୁଦର୍ଶନ ଚକ୍ର ନିକ୍ଷେପ କରି ସେହି ଗଭୀର ଜଳରାଶି ମଧ୍ୟରେ ଶତ୍ରୁ ଦାଉରୁ ହସ୍ତୀକୁ ରକ୍ଷା କରିଥିଲେ । ନିଘଞ୍ଚ ବନ ଭୂମିରେ ମୃଗୁଣୀ ବିପଦର ସମ୍ମୁଖୀନ ହୋଇଥିବାବେଳେ ଆକସ୍ମିକ ବାତ୍ୟା ଓ ହିଲ୍ଲୋଳ ସୃଷ୍ଟିକରି ଜଗନ୍ନାଥ ଭିନ୍ନ ରୂପରେ ସେହି ମହାବିପଦରୁ ତାକୁ ତାରଣ କରିଥିଲେ-। କୁରୁସଭାରେ ସର୍ବଜନ ସମକ୍ଷରେ ଯେତେବେଳେ ଦୁଃଶାସନ ପାଞ୍ଚାଳୀ ପ୍ରତି ଦୁର୍ବ୍ୟବହାର କରି ତାଙ୍କୁ ବିବସନା କରିଥିଲା ଶ୍ରୀଜଗନ୍ନାଥ ପାଣ୍ଡବ ଭ୍ରାତାଙ୍କ ସଖା କୃଷ୍ଣ ରୂପରେ ଆବିର୍ଭାବ ହୋଇ ତାଙ୍କୁ ଅମାପ ବସ୍ତ୍ର ପ୍ରଦାନ କରି ତାଙ୍କର ଲଜ୍ଜା ଅପହରଣ କରିଥିଲେ । ରାମଚନ୍ଦ୍ର ରାବଣର ପରମ ଶତ୍ରୁ ହୋଇଥିଲେ ହେଁ ଯେତେବେଳେ ରାବଣର ଭ୍ରାତା ବିଭୀଷଣ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଶରଣାପନ୍ନ ହୋଇଥିଲେ ସେ ତାଙ୍କୁ ଲଙ୍କାଗଡ଼ର ରାଜମୁକୁଟ ପିନ୍ଧାଇ ଦେଇଥିଲେ । ପ୍ରହ୍ଲାଦ ପିତାଙ୍କର ଅକଥନୀୟ ଅତ୍ୟାଚାରରେ ଜଗନ୍ନାଥ ତାକୁ ବିଦୀର୍ଣ୍ଣ କରି ତାଙ୍କର ସଂହାର ଲୀଳା ସୃଷ୍ଟି କରିଥିଲେ । ସୁତରାଂ ଜଗନ୍ନାଥ ହେଉଛନ୍ତି ବହୁରୂପୀ । ସେ ନିଜର ଇଚ୍ଛାନୁସାରେ ପୃଥିବୀରେ ଦୁଷ୍ଟ ଓ ପାପୀମାନଙ୍କୁ ବିନାଶ କରିବା ସହିତ ଶାନ୍ତି ସ୍ଥାପନ ପାଇଁ ବିଭିନ୍ନ ଅବତାର ଗ୍ରହଣ କରନ୍ତି, ନିଜ ଇଚ୍ଛାନୁସାରେ ଲୀଳା ଖେଳା କରନ୍ତି । ସାଧୁଜନମାନଙ୍କୁ ନାନା ଭାବରେ ସାହାଯ୍ୟ କରି ପୃଥିବୀବାସୀଙ୍କ ମଙ୍ଗଳ କାମନା କରନ୍ତି । ଭଗବାନ ଲୀଳାମୟ ପୁରୁଷ ଶ୍ରୀଜଗନ୍ନାଥଙ୍କର ଏହି ଲୀଳା ଖେଳାକୁ କବି ‘ଆହେ ନୀଳ ଶଇଳ’ ଭଜନ ମଧ୍ୟରେ ବ୍ୟକ୍ତ କରିଛନ୍ତି-

 

‘ଆହେ ନୀଳଗିରି’ ଭଜନ ମଧ୍ୟରେ କବି ସାଲବେଗ ଶ୍ରୀଜଗନ୍ନାଥଙ୍କ ମହିମା ଗାନ କରିଛନ୍ତି । ଜଗନ୍ନାଥ ପୀଠକୁ ଆକର୍ଷିତ ହୋଇ ଭାରତବର୍ଷର ବହୁ ମୁନିଋଷି ଆସି ନିଜ ନିଜର ଧର୍ମ ପ୍ରଚାର କରିଛନ୍ତି । ମାତ୍ର ସେମାନଙ୍କ ବାଣୀ ଶ୍ରୀକ୍ଷେତ୍ରରେ ବେଶୀ କାଳ ତିଷ୍ଠି ରହିପାରି ନାହିଁ । ସେ ସମସ୍ତ ଜଗନ୍ନାଥଙ୍କଠାରେ ଲୀନ ହୋଇଯାଇଛି ଓ ଜଗନ୍ନାଥ ଧର୍ମ ହିଁ ସେଠାରେ ମୁଖ୍ୟ ସ୍ଥାନ ଅଧିକାର କରିଛି । ଭକ୍ତକବି ସାଲବେଗ ଜଗନ୍ନାଥ ଧାମକୁ ଯାତ୍ରା କାଳରେ ବହୁ ମୁନିଋଷି ଓ ଯୋଗୀଜନ ଜଗନ୍ନାଥଙ୍କ ନିକଟରେ ଧ୍ୟାନ କରିବାର ଲକ୍ଷ୍ୟ କରିଛନ୍ତି । ପୃଥିବୀର ଯେତେ ଧର୍ମ ସେସବୁ ଜଗନ୍ନାଥ ପୀଠରେ ଲୀନ ହୋଇଯାଇଛି । ଜଗନ୍ନାଥ ପୀଠ ବଡ଼ ଦାଣ୍ଡରେ ଉପନୀତ ହେଲାପରେ କବି ଭାବ ବିହ୍ୱଳ ହୋଇପଡ଼ିଛନ୍ତି । ବଡ଼ ଦାଣ୍ଡର ଧୂଳି ଆଣି ସେ ନିଜ ମସ୍ତକରେ ଲଗାଇଛନ୍ତି । ଅମୃତରୂପୀ ଖିରି ଖେଚେଡ଼ିର ମୋହ ତ୍ୟାଗ କରି ସେ ଜଗନ୍ନାଥଙ୍କ ଟଙ୍କ ତୋରାଣିରେ ମନ ବଳାଇଛନ୍ତି । ପୁଣି କବି ଲକ୍ଷ୍ୟ କରିଛନ୍ତି ଭକ୍ତମାନେ ବେତବାଡ଼ି ଖାଇ ପାପମୋଚନ କରିବା ନିମିତ୍ତ ସିଂହଦ୍ଵାରରେ ଧାଡ଼ି ଲମ୍ବାଇଛନ୍ତି । ଆନନ୍ଦ ବଜାରରେ ବ୍ରାହ୍ମଣଠାରୁ ଆରମ୍ଭ କରି ଚଣ୍ଡାଳ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ଏକାଠି ବସି କୈବଲ୍ୟ ସେବନ କରୁଛନ୍ତି । ଏହି ପ୍ରସଙ୍ଗକୁ କବି ନିମ୍ନୋକ୍ତ କବିତାରେ ଅତ୍ୟନ୍ତ ଚମତ୍କାର ଭାବେ ବ୍ୟକ୍ତ କରିଛନ୍ତି । ଯଥା–

 

‘‘ଆହେ ନୀଳଗିରି !

ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି

ତୁଳସୀ ଚଉରା ପାଶେ ଜଗି

ବସି ଧ୍ୟାଉଛନ୍ତି କେତେ ଯୋଗୀ,

ବ୍ୟାଘ୍ର ଚର୍ମ ପାରି ସ୍ତୁତି କରୁଛନ୍ତି, ଜପୁଛନ୍ତି ନାମ ସଂଖ୍ୟା କରି।

ବଡ଼ ଦାଣ୍ଡ ଦେଖି ହେଲି ତୋଷ

ରେଣୁମାତ୍ର ତେଣୁ କଲି ଗ୍ରାସ,

କ୍ଷୀରି ଖେଚଡ଼ିରେ ମନ ନ ବୋଧଇ ଟଙ୍କ ତୋରାଣିରେ ମନ ତୋଷ ।’’

 

କବିଙ୍କର ଅନ୍ୟ ଏକ ଭଜନ ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’ ମଧ୍ୟରେ କବି ସମକାଳୀନ ସମାଜରେ ବିଶେଷ ଭାବରେ ହିନ୍ଦୁ ଦେବମନ୍ଦିରମାନଙ୍କରେ ହେଉଥିବା ମୁସଲମାନ୍‍ଙ୍କ ଅମାନୁଷିକ ଆକ୍ରମଣକୁ ଦୃଢ଼ କଣ୍ଠରେ ନିନ୍ଦା କରିବା ସହିତ ଏପରି ଏକ ହୀନ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି । ମିର୍ଜା ଅହମ୍ମଦ୍ ବେଗ୍ ଓଡ଼ିଶାରେ ସୁବାଦାର ଥିବା କାଳରେ ସେ ପୁରୀ ଆକ୍ରମଣ ସହିତ ଶ୍ରୀମନ୍ଦିର ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ । ଫଳତଃ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ନିମିତ୍ତ ପୁରୀ ପଣ୍ଡାମାନେ ତାଙ୍କ ବିଗ୍ରହକୁ ରାତାରାତି ଶଗଡ଼ରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରି ଦେଇଥିଲେ । କେବଳ ସେତିକି ନୁହେଁ, ମୁସଲମାନ୍‍ ଶାସନ କାଳରେ ଉତ୍କଳର ସାମାଜିକ ଆକାଶରେ କଳାହାଣ୍ଡିଆ ବାଦଲ ଢାଙ୍କି ଦେଇଥିଲା । ମୁସଲମାନ୍‍ ଶାସକ ବର୍ଗ ହିନ୍ଦୁ ରମଣୀଙ୍କ ଉପରେ ଏତିକିବେଳେ ଲୋଲୁପ ଦୃଷ୍ଟି ପକାଇଥିଲେ । ଫଳତଃ ଏହି କାଳରେ ସମାଜରେ ନାରୀ ଧର୍ଷଣ ଓ ନାରୀ ଅପହରଣ ବୃଦ୍ଧି ପାଇଥିଲା । ସାଲବେଗ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସି ଯେତେବେଳେ ଶ୍ରୀମନ୍ଦିରରେ ତାଙ୍କ ବିଗ୍ରହ ପାଇନଥିଲେ ଓ ଜଗନ୍ନାଥଙ୍କ ଦୟନୀୟ ଅବସ୍ଥା ସଂପର୍କରେ ଜାଣିଥିଲେ ସେ ନିଜ ସଂପ୍ରଦାୟର ସେହି ଶୋଷକ ଯବନମାନଙ୍କ ଉଦ୍ଦେଶ୍ୟରେ ନିଜର ହୃଦୟର ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ସେହି କାର୍ଯ୍ୟକୁ ନିନ୍ଦା କରିଥିଲେ ।

 

କବିଙ୍କର ଶତ ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ସେ ଯେତେବେଳେ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ସେତେବେଳେ ତାଙ୍କର ମନରେ ଗଭୀର ବ୍ୟଥା ଓ ବେଦନା ସୃଷ୍ଟି ହୋଇଛି । ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କବିଙ୍କ ହୃଦୟ କନ୍ଦରରୁ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ସମଗ୍ର ପୃଥିବୀ ପୃଷ୍ଠରେ ଦ୍ରୌପଦୀଙ୍କ ଠାରୁ ଆରମ୍ଭ କରି କଂସାସୁର ପର୍ଯ୍ୟନ୍ତ ପାପୀକୁ ବିନାଶ କରିବାକୁ ଜଗନ୍ନାଥ ଯତ୍ନବାନ ହୋଇଛନ୍ତି । ସେଥି ନିମିତ୍ତ ତାଙ୍କର ନାମ ହେଉଛି କୃପାସିନ୍ଧୁ ଓ ଦୀନ ଦରିଦ୍ରର ବନ୍ଧୁ । ଅଥଚ କବି ସାଲବେଗଙ୍କ ପରି ଦୀନ ଦରିଦ୍ର ଭକ୍ତର କଥା ସେ ତିଳେ ମାତ୍ର ଶୁଣିନାହାନ୍ତି କାହିଁକି ? ଏହି ପ୍ରଶ୍ନ ବାରମ୍ବାର କବି ମନକୁ ଆନ୍ଦୋଳିତ କରି ପକାଇଛି । ତେଣୁ ସେ ଅସ୍ଥିର ହୋଇ ସେହି ମହାନାୟକଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଛନ୍ତି–

 

‘‘ଦୀନବନ୍ଧୁ ହୋ, ତୁମ୍ଭେ ଡାକିଲେ ନଶୁଣ କାହିଁକି !

କୃପାସିନ୍ଧୁ ହୋ, ତୁମ୍ଭେ ଡାକିଲେ ନଶୁଣ କାହିଁକି !!

ଆହେ, ଦ୍ରୋପଦୀ ଆତଙ୍ଗ ବିବସନ କାଳେ ।

ବସ୍ତ୍ର ଦେଲ ପଠିଆଇ କି ।’’

 

‘‘ଏକା ତୋ ଭକତ ଜୀବନ’ ଭଜନ ମଧ୍ୟରେ କବି ସାଲବେଗ ପ୍ରଭୁ ଜଗନ୍ନାଥଙ୍କୁ ସମଗ୍ର ବିଶ୍ୱ ମାନବର ଅତ୍ୟନ୍ତ ଆପଣାର ଦେବତା ଭାବେ ପରିକଳ୍ପନା କରି ସେହି ଦରିଦ୍ର ଜନତାଙ୍କୁ ତାଙ୍କର ପରମ ଭକ୍ତ ଭାବେ ସ୍ୱୀକାର କରିଛନ୍ତି । ବଡ଼ ଦେଉଳର ସ୍ୱର୍ଣ୍ଣ ସିଂହାସନରେ ଜଗନ୍ନାଥ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି । ମାତ୍ର ଏସବୁ ଏହି ସଂସାରରୁ ପାପୀମାନଙ୍କୁ ବିନାଶ କରିବା ନିମିତ୍ତ ଅଭିପ୍ରେତ । ଜଗନ୍ନାଥ ତାଙ୍କର ପରମ ଭକ୍ତମାନଙ୍କ ନିକଟରେ ଆଦୌ ବ୍ୟବଧାନ ରଖନ୍ତି ନାହିଁ । ଏକ ବୀଜ ବେନି ଫାଳ ପରି ଭକ୍ତ ଓ ଜଗନ୍ନାଥଙ୍କ ମଧ୍ୟରେ ଥିବା ସଂପର୍କର ଡୋରୀ ଖୁବ୍ ନିବିଡ଼ । ତେଣୁ ଆଲୋଗ୍ୟ ଭଜନ ମଧ୍ୟରେ କବି ଜଗନ୍ନାଥଙ୍କ ପରମ ଭକ୍ତମାନଙ୍କୁ ତାଙ୍କର ପିତାମାତା ଓ ବନ୍ଧୁ ଭାବରେ ସମର୍ଥନ କରି କହିଛନ୍ତି ଭକ୍ତମାନଙ୍କ ହିତ ନିମିତ୍ତ ଜଗନ୍ନାଥ କୃପାସିନ୍ଧୁ ନାମ ଧାରଣ କରିଛନ୍ତି । ଭକ୍ତ ଓ ତାଙ୍କ ମଧ୍ୟରେ ସଂପର୍କ ହେଉଛି ବତ୍ସା ଓ ଧେନୁର ସଂପର୍କ, କ୍ଷୀର ଓ ନୀରର ସଂପର୍କ । ଏଥିରୁ ଗୋଟିକର ପୃଥକରେ ଅନ୍ୟଟିର ଜୀବନ ଯେପରି ନିରର୍ଥକ । ଅନୁରୂପ ଭାବେ ଜଗନ୍ନାଥ ଓ ଭକ୍ତଙ୍କ ମଧ୍ୟରେ ଜଣଙ୍କର ପୃଥକୀକରଣରେ ଅନ୍ୟଟିର ସଂପର୍କ ସେହିପରି ଅର୍ଥହୀନ ଓ ଅମୂଳକ । ସାଲବେଗ ଜାତିରେ ଯବନ । ମାତ୍ର ସେ ଜଗନ୍ନାଥଙ୍କର ଜଣେ ପରମ ପ୍ରିୟ ଭକ୍ତ ଭାବରେ ସମାଜରେ ତା’ର ଆତ୍ମିକ ପରିଚୟ ଦେଇଛି । ଯବନ କୁଳରେ ଜାତ ହୋଇଥିବାରୁ ଜଗନ୍ନାଥ ମନ୍ଦିର ତା ପାଇଁ ମନା ହୋଇଛି । ମାତ୍ର ତା’ର ହୃଦୟ ମଧ୍ୟରେ ଥିବା ଆନ୍ତରିକ ଭକ୍ତି ଭାବନା ଜଗନ୍ନାଥଙ୍କ ଠାରେ ସମର୍ପିତ ହୋଇଛି । କବି ତାଙ୍କରି ପଦାରବିନ୍ଦରେ ଧ୍ୟାନ କରି ନିଜ ଜୀବନକୁ ବିତାଇ ଦେଇଛନ୍ତି । ତେଣୁ ସେହି ଭକ୍ତବତ୍ସଳ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କବି ସାଲବେଗଙ୍କ କଣ୍ଠରୁ ସ୍ୱତଃ ଝରିଆସିଛି

 

‘‘ଏକା ତୋ ଭକତ ଜୀବନ,

ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ ।।

 

ଭକତ ତୋ ପିତାମାତା ଭକତ ତୋ ବନ୍ଧୁ,

ଭକତ ହିତରେ ତୋର ନାମ କୃପାସିନ୍ଧୁ ।।

 

ଧେନୁ ପଛେ ପଛେ ବତ୍ସା ଗମେ କ୍ଷୀର ଲୋଭେ,

ଭକତ ପଛରେ ତୁହି ଥାଉ ସେହି ଭାବେ ।।’’

 

ରାଧାକୃଷ୍ଣଙ୍କ ସହିତ ଜୀବନର ଶେଷକାଳ ଯାଏ କବି ଉତ୍କଳୀୟ ଜାତି ପ୍ରୀତିର ପ୍ରତୀକ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ନିଜ ଦୁଃଖ ଦୁର୍ଦ୍ଦଶା କଥା କହିଛନ୍ତି । ମାତ୍ର ତାଙ୍କ ଜୀବଦ୍ଦଶାରେ ସେ ଏସବୁ ଦୁଃଖ ଦୁର୍ଦ୍ଦଶା ମଧ୍ୟରୁ ଅବ୍ୟାହତି ନେଇପାରି ନାହାନ୍ତି । ଫଳତଃ ‘ବନ୍ଧୁ ହୋ’, ‘ମହାପ୍ରଭୁ’ ପ୍ରଭୃତି କେତେଗୁଡ଼ିଏ ଜଣାଣ ମଧ୍ୟରେ କବି ନିଜ ଜୀବନର ଦୁଃଖ ପ୍ରକାଶ କରି ସେହି ଦୁଃଖଦ ଯାତ୍ରାପଥରୁ କିପରି ମୁକ୍ତି ପାଇବେ ସେଥିପାଇଁ ପ୍ରାର୍ଥନା କରିଛନ୍ତି । ଏପରି ପରିସ୍ଥିତିରେ ଉପନୀତ ହୋଇ କବି ‘ଦୀନବନ୍ଧୁ ହୋ’ ଜଣାଣ ମଧ୍ୟରେ ଦ୍ରୌପଦୀ, କୃଷ୍ଣ ପ୍ରଭୃତିଙ୍କ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ଅନ୍ୟ ଏକ ଜଣାଣ ‘ମହାପ୍ରଭୁ’ ମଧ୍ୟରେ କବି ନିଜକୁ ଅରକ୍ଷିତ ଆସନରେ ଆସୀନ କରି ଜଗନ୍ନାଥଙ୍କୁ ଦୀନ ଦରିଦ୍ରର ବନ୍ଧୁ, ଆର୍ତ୍ତତ୍ରାଣ ଓ ପଦ୍ମଲୋଚନ ଭାବେ ଗ୍ରହଣ କରିଛନ୍ତି । ଦୀନ ଜନଙ୍କର ବନ୍ଧୁଭାବେ ଜଗନ୍ନାଥ ଦରିଦ୍ର ମାନବର ଦୁଃଖ ମୋଚନ କରନ୍ତି । ସେହି ନିଃସହାୟ ଜନତାଙ୍କୁ ବରାଭୟ ପ୍ରଦାନ କରନ୍ତି । ପୂର୍ଣ୍ଣ ବ୍ରହ୍ମ ସନାତନ ବିଗ୍ରହ ଦୁଷ୍ଟମାନଙ୍କର ଦର୍ପ ନାଶ କରନ୍ତି । ବିପଦରେ ପଡ଼ି କବି ସାଲବେଗ ସେହି ଦୟାମୟ ଭକ୍ତବତ୍ସଳ ଭଗବାନ ଶ୍ରୀଜଗନ୍ନାଥଙ୍କୁ ତାଙ୍କଠାରେ କୃପଣ ନହୋଇ କୃପାଭାବ ପୋଷଣ କରିବାକୁ ନିବେଦନ କରି ଗାଇଛନ୍ତି–

 

 

‘‘ମହାପ୍ରଭୁ ! ମୋଠାରେ ନୁହ

ହୀନ ଅରକ୍ଷିତ ଅଟଇ ମୁହିଁତ ନ ଜାଣେ ସେବକ ପଣ ।

ତୁମ୍ଭେ ଦୀନବନ୍ଧୁ ଦୁଃଖୀଙ୍କ ସୋଦର

ଅଶରଣ ଜନଙ୍କର ଶରଣ

ପାପ ତାପ-ହର କମଳା ବର ଦରଧର ଭବଭୟ ବାରଣ ।।’’

 

କବିଙ୍କର ଅନ୍ୟ ଏକ ଜଣାଣ ‘ଆହେ ପ୍ରଭୁ ରଙ୍ଗା ଅଧର’ ମଧ୍ୟରେ କବିଙ୍କ ହୃଦ କନ୍ଦରରୁ ଫାଟି ପଡ଼ୁଥିବା ବ୍ୟଥା ଓ ବେଦନାବୋଧକୁ ସେ ଜଗନ୍ନାଥଙ୍କ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି । କବିଙ୍କ ଦୃଷ୍ଟିରେ ରାଧାକୃଷ୍ଣଙ୍କ ସହିତ ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ଵର ତ୍ରାଣକର୍ତ୍ତା । ସାଲବେଗଙ୍କର ସାମାଜିକ ସ୍ଥିତି ଅତ୍ୟନ୍ତ ହୀନ, ହେୟ ଓ ଉଦ୍‌ବେଗଜନକ । ପିତା ଯବନ ଓ ମାତା ହିନ୍ଦୁ ହୋଇଥିବାରୁ ସମାଜରେ କବିଙ୍କ ପ୍ରତି ସମସ୍ତଙ୍କର ଏକ ହେୟ ଓ ଘୃଣ୍ୟ ମନୋଭାବ ରହିଥିଲା-। ଏହି ଅବସରରେ ସେ ସଂସାର ରୂପକ ଦଦରା ନାବରେ ଭାସୁଥିବା ବେଳେ ସେଥିରୁ ଉଦ୍ଧାର କରିବାକୁ ଜଗନ୍ନାଥଙ୍କୁ ନିବେଦନ କରିଥିଲେ ଓ ସେହି ଉଦ୍ଦେଶ୍ୟରେ ଗାନ କରିଥିଲେ–

 

“ଆହେ ପ୍ରଭୁ ରଙ୍ଗ ଅଧର

ବହନ ମୋ ଦୁଃଖ ଦହନ କର ।

ତୁମ୍ଭେ ମହାପ୍ରଭୁ ମୋ ଦୁଃଖ ନ ନେଲେ

ବିପତ୍ତି କହିବି କାହା ଆଗର ?

ଦଦରା ନାବରେ ଗୋଡ଼ ଦେଇଅଛି

ଦିନେ ବୁଡ଼ିଯିବ ଘର ମୋହର ।”

 

ମାତ୍ର ଶେଷ ଜୀବନ ପର୍ଯ୍ୟନ୍ତ ଯେତେବେଳେ କବି ସାଲବେଗ ସଂସାରର ସବୁ ସୁଖରୁ ବଞ୍ଚିତ ହୋଇଛନ୍ତି, ଭକ୍ତକବିର ଅନ୍ତରାତ୍ମା ଭଗବାନ ଜଗନ୍ନାଥଙ୍କ ପ୍ରତି ଅଭିମାନରେ ଫାଟି ପଡ଼ିଛି । କବି ଏକଦା ଜଗନ୍ନାଥ ଓ ତାଙ୍କ ମଧ୍ୟରେ ଯେଉଁ ଆତ୍ମୀୟତା ଲକ୍ଷ୍ୟ କରୁଥିଲେ ସେଥିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । କବି ଲକ୍ଷ୍ୟ କରିଛନ୍ତି ପ୍ରଭୁ ଜଗନ୍ନାଥ ଦୈତ୍ୟମାନଙ୍କର ଅରି ଭାବରେ ଶତ୍ରୁମାନଙ୍କୁ ବିନାଶ କରି ଦୈତ୍ୟାରି ନାମ ବହନ କରିଥିଲେ ମଧ୍ୟ ତାଙ୍କ ପ୍ରତି ନିରବଧି କାଳ ନିର୍ଦ୍ଦୟ ହୋଇ ପଡ଼ିଛନ୍ତି । କବିଙ୍କର ଦୁଃଖ ବାରମ୍ବାର ବୃଦ୍ଧି ପାଇ ବହୁଗୁଣିତ ହୋଇଛି । ମାତ୍ର ଶେଷ କାଳ ଯାଏ ସେ କବିଙ୍କ ପ୍ରତି ନିର୍ଦ୍ଦୟ ଭାବ ପୋଷଣ କରିଛନ୍ତି । ଏହି ଭାବନାରେ କବି ବେଳୁବେଳ ବ୍ୟଥିତ ହୋଇପଡ଼ିଛନ୍ତି । ତେଣୁ ଜଣେ ପରମ ଓ ପ୍ରିୟ ଭକ୍ତ ଭାବରେ ଜଗନ୍ନାଥଙ୍କୁ ସେ ତାତ୍ସଲ୍ୟ ଭରା କଣ୍ଠରେ ବ୍ୟଙ୍ଗାତ୍ମକ ଭାବରେ ପ୍ରକାଶ କରିଛନ୍ତି–

 

‘‘ବାଛି କେ ନାମ ଦେଲା ଦଇତ୍ୟାରି, ଦୟାନିଧି !

ଦଇତ୍ୟାରି ଦୟାନିଧି ଦୟାକୁ ରାମହରି,

ନିର୍ଦ୍ଦୟ କିମ୍ପା ହେଲ ନିରବଧି ।

ଭଜିଣ ସେ ପଦାମ୍ବୁଜ,

ଶ୍ରୀଘ୍ରେ ତରିଗଲା ଗଜ,

କାହୁଁ ସ୍ଫୁରିଲା ତା’ର ବଳ ବୁଦ୍ଧି ।

ଚିନ୍ତିଲା ପ୍ରହଲାଦ,

ଭକ୍ତ ପାଇଁ ବିଷାଦ,

ସ୍ତମ୍ଭରୁ ବାହାରି ତା ପିତା ବଧି ।”

 

କବି ନିଜ ଜୀବନର ଶେଷ କାଳ ଶ୍ରୀକ୍ଷେତ୍ରରେ ଅତିବାହିତ କରିଥିଲେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଦୟା ଓ କରୁଣାରୁ ବଞ୍ଚିତ ଥିଲେ । ମାତ୍ର ସଂସାରୀ ମାନବ ପରି ସେ ଜଗନ୍ନାଥଙ୍କୁ ତାଙ୍କ ପ୍ରତି ସମ୍ବେଦନ ହୋଇ କିଛି ବରଦାନ ନିମିତ୍ତ ହାରି ଗୁହାରି କରୁନଥିଲେ । ଜଗନ୍ନାଥଙ୍କ ଭଜନ ଜଣାଣ ବ୍ୟତୀତ ତାଙ୍କ କର୍ଣ୍ଣ ଅନ୍ୟ କିଛି ଶୁଣିବାକୁ ଆଗ୍ରହ ପ୍ରକାଶ କରୁନଥିଲା । ତାଙ୍କ ମୁଖରୁ ସର୍ବଦା ଜଗନ୍ନାଥଙ୍କ ଭଜନ ହିଁ ନିର୍ଗତ ହେଉଥିଲା । କବି ଜଗନ୍ନାଥ ନାମାବଳୀକୁ ନିଜ ଅଙ୍ଗରେ ପରିଧାନ କରିଥିଲେ । ପୁନଶ୍ଚ ତାଙ୍କର ନାସା ଜଗନ୍ନାଥଙ୍କ ବ୍ୟତୀତ ଅନ୍ୟର ସୁବାସରେ ପରିତୃପ୍ତି ଲାଭ କରୁ ନଥିଲା । ଜଗନ୍ନାଥଙ୍କ ଛଡ଼ା ତୁଳସୀ କୁସୁମ ଚନ୍ଦନ ଓ କର୍ପୂର ମାଳ ହିଁ କବିଙ୍କର ଥିଲା ଅତ୍ୟନ୍ତ ପ୍ରିୟ । ତେଣୁ ସେ ତାଙ୍କ ଶେଷ ଜୀବନ ପୁରୀରେ ବିତାଇବା ନିମିତ୍ତ ଜଗନ୍ନାଥଙ୍କଠାରେ ଗୁହାରୀ କରି ଶରଧା ବାଲିରୁ ମାତ୍ର ଗୋଟିଏ ହାତ ସ୍ଥାନ ନିମିତ୍ତ ଭକ୍ତି ଗଦ୍ ଗଦ୍ କଣ୍ଠରେ ପ୍ରାର୍ଥନା କରି ଗାଇଛନ୍ତି–

 

“ଜଗନ୍ନାଥ ହେ, କିଛି ମାଗୁନାହିଁ ମୁଁ ତୋତେ ।

ମାଗୁନାହିଁ ଧନ ମାଗୁନାହିଁ ଜନ

ମାଗୁଛି ଶରଧା ବାଲିରୁ ହାତେ ।।

ଆନ ଦରଶନ ନ ଲୋଡ଼େ ନୟନ

ଏକା ତୁମ୍ଭ ଦେଖା ବିନା ।।

ଶୁଣିବାକୁ କାନ ନ ଇଚ୍ଛଇ ଆନ

ତମ୍ଭ ଚରିତେ କାମନା ।।

ଜିହ୍ୱା ନ ବାଞ୍ଛଇ ଗ୍ରାମ୍ୟ ଗୀତ ଗାଇ -

ବାକୁ ରଜନୀ ଦିବସ ।

ତୁମ୍ଭ ନାମାବଳୀ କେବଳ ସଙ୍ଖାଳି

ହୋଇଥାଉ ପୀତବାସ ।।

ନାସା ମୋର ତୃପ୍ତି ଲଭଇ ଆନ

ସୁବାସ ଦ୍ରବ୍ୟ ଆଘ୍ରାଣେ ।

ତାବ ଛଡ଼ାମାଳ ତୁଳସୀ କୁସୁମ

ଚନ୍ଦନ କର୍ପୂର ଧ୍ୟାନେ ।।’’

 

ଅନ୍ୟ ଏକ ଭଜନ ମଧ୍ୟରେ କବି ପ୍ରଭୁ ଜଗନ୍ନାଥଙ୍କୁ ବିଧିମତେ ସେବା ପୂଜା କରି ପାରିନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଏହି ପ୍ରସଙ୍ଗରେ ସେ ପ୍ରକାଶ କରିଛନ୍ତି ବାସ୍ତବରେ ତାଙ୍କୁ ଜଗନ୍ନାଥଙ୍କୁ ସେବା ପୂଜା କରିବାର ବିଧି ଜଣାନାହିଁ । ସେ ଦୀନ ହୀନ ଓ ଅରକ୍ଷିତ ହୋଇପାରନ୍ତି ମାତ୍ର ତାଙ୍କ ପରି ଜଣେ ନିରହଙ୍କାରୀ, ନିଃସ୍ୱାର୍ଥପର ଦୀନ ଅରକ୍ଷିତ ପାଇଁ ଜଗନ୍ନାଥ ଆଦୌ କୃପଣ ହେବା ଉଚିତ ନୁହେଁ ବୋଲି ‘ମହାପ୍ରଭୁ ମୋଠାରେ ନୁହ ନୃପଣ’ କବିତାରେ କବି ପ୍ରଭୁ ଜଗନ୍ନାଥଙ୍କୁ ନିବେଦନ କରିଛନ୍ତି ।

 

ସାଲବେଗଙ୍କ ସାହିତ୍ୟର ବିଶିଷ୍ଟ ଆଲୋଚକ ଓ ଗବେଷକ ଡଃ. ଅମୂଲ୍ୟକୃଷ୍ଣ ମିଶ୍ର ତାଙ୍କର ଗବେଷଣା ଗ୍ରନ୍ଥ ‘ଜାତୀୟ ସଂହତିର ପ୍ରତୀକ ଭକ୍ତକବି ସାଲବେଗ ଏକ ଅନ୍ତରଙ୍ଗ ପର୍ଯ୍ୟାଲୋଚନା’ ପୁସ୍ତକରେ ସାଲବେଗଙ୍କ ସଂପର୍କିତ ଏକ କିମ୍ବଦନ୍ତୀକୁ ଭର୍ତ୍ତିକରି ଉଲ୍ଲେଖ କରିଛନ୍ତି–“ଛତା ମଠରେ ଅବସ୍ଥାନ କାଳରେ ସାଲବେଗ ତାଙ୍କ ଭକ୍ତମାନଙ୍କ ଗହଣରେ ଶ୍ରୀକୃଷ୍ଣ, ଶ୍ରୀରାମ, ଶ୍ରୀଜଗନ୍ନାଥ ତଥା ଅନ୍ୟାନ୍ୟ ଦେବଦେବୀଙ୍କ ଉଦ୍ଦେଶ୍ୟରେ ଭଜନାବଳୀ ରଚନା କରିଥିଲେ । ‘‘ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ / ମୋ ଆରତ ନଳିନୀ ବନକୁ କର ଦଳନ’’ ଜଣାଣଟି ବଳଗଣ୍ଠି ସ୍ଥିତ ଛତା ମଠରେ ଭଗବାନଙ୍କୁ ଆଳତି କରିବା ସମୟରେ ଭକ୍ତମାନଙ୍କ ଗହଣରେ ସାଲବେଗ ସମବେତ କଣ୍ଠରେ ଗାନ କରୁଥିଲେ ବୋଲି ଅନେକଙ୍କ ମୁଖରୁ ଶୁଣାଯାଏ-।’’

 

ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଓ ଆପଣାର ହେଉଛନ୍ତି ସାଲବେଗଙ୍କ ପରି ତାଙ୍କର ପରମ ଭକ୍ତ । ତେଣୁ ଜଗନ୍ନାଥ ସାଲବେଗଙ୍କୁ ତାଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ନାନା ପରୀକ୍ଷାର ସମ୍ମୁଖୀନ କରାଇଛନ୍ତି ଓ ଶେଷରେ ସୁଦୂର ବୃନ୍ଦାବନରେ ଯେତେବେଳେ ଅସୁସ୍ଥତା ହେତୁ ଭକ୍ତ ସାଲବେଗ ଜଗନ୍ନାଥଙ୍କ ଘୋଷ ଯାତ୍ରାରେ ଯୋଗ ଦେଇ ନପାରି ବାଟରେ ଅଟକି ଯାଇଛନ୍ତି, ତାଙ୍କରି ଆସିବା ବାଟକୁ ଚାହିଁ ବଡ଼ଦାଣ୍ଡରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକିଯାଇଛି । ସାଲବେଗ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିବା ପରେ ପୁନଶ୍ଚ ରଥଚକ ଗଡ଼ିବାକୁ ଲାଗିଛି-। ଏହା ହିଁ ତ ହେଉଛି ଭଗବାନ ଓ ଭକ୍ତଙ୍କ ମଧ୍ୟରେ ଥିବା ସଂପର୍କର ଡୋରୀ ।

 

ସୁତରାଂ ସାଲବେଗ ଥିଲେ ପ୍ରଭୁ ଜଗନ୍ନାଥଙ୍କର ଅଦ୍ୱିତୀୟ ଓ ପରମ ଭକ୍ତ । କବି ଜଗନ୍ନାଥଙ୍କୁ ସେ ଖୁବ୍ ଆତ୍ମୀୟତାର ସହିତ ଭଲ ପାଉଥିଲେ ଓ ଭକ୍ତି କରୁଥିଲେ । ବିପଦରେ ପଡ଼ି ଆର୍ତ୍ତକଣ୍ଠରେ ତାଙ୍କୁ ପ୍ରାର୍ଥନା କରୁଥିଲେ । ପୁଣି ନିଜ ଜୀବନପଥରୁ ଦୁଃଖ ଦୂରକରିବା ନିମିତ୍ତ ତାଙ୍କରି ସାହାଯ୍ୟ ନେଉଥିଲେ । ଏହି ଉଦ୍ଦେଶ୍ୟରେ ଉତ୍କଳର ଜାତି ପ୍ରୀତିର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସେ ରଚନା କରିଥିଲେ ଅସଂଖ୍ୟ ଭଜନ ଓ ଜଣାଣ ।

 

 

ସାଲବେଗଙ୍କ ରାମ ଭଜନ :

 

ସାଲବେଗ ଥିଲେ ବୃନ୍ଦାବନବିହାରୀ ଶ୍ରୀକୃଷ୍ଣ ଓ ଶ୍ରୀକ୍ଷେତ୍ର ନିବାସୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ । ମାତ୍ର ଏହା ସତ୍ତ୍ୱେ ବି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ତାଙ୍କ ହୃଦୟରେ ଗଭୀର ଭକ୍ତି ଭାବନା ଭରି ରହିଥିଲା । ସାଲବେଗଙ୍କ ସେହି ଭକ୍ତି ଅର୍ଘ୍ୟର ଫଳଶ୍ରୁତି ହେଉଛି ତାଙ୍କ ରଚିତ ‘ନ ଯା’ ତୁ ବନବାସ କରିଲେ’, “ସେ ଯେଉଁ ରାମ', ‘ପରଂବ୍ରହ୍ମ ନାରାୟଣ’ ପ୍ରଭୃତି ଭଜନାବଳୀ । ‘ନ ଯା’ତୁ ବନବାସ କରିଲେ’ ଗୀତିକା ମଧ୍ୟରେ ପ୍ରଭୁ ରାମଚନ୍ଦ୍ର ଯେତେବେଳେ ପିତୃସତ୍ୟ ପାଳନ କରି ବନବାସ ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ରାମଚନ୍ଦ୍ରଙ୍କର ମାତା କୌଶଲ୍ୟାଙ୍କର ହୃଦୟ ପୁତ୍ର ରାମଚନ୍ଦ୍ରଙ୍କର ଅନୁପସ୍ଥିତରେ ବ୍ୟଥିତ ହୋଇପଡ଼ିଛି । ଦୀର୍ଘ ଚଉଦବର୍ଷ ନିଘଞ୍ଚ ବନଭୂମିର ପର୍ଣ୍ଣ କୁଟୀରରେ କିପରି ତାଙ୍କର ପୁତ୍ର ଜୀବନଯାପନ କରିବେ ସେଥିନିମିତ୍ତ ତାଙ୍କର ପ୍ରାଣ କାନ୍ଦି ଉଠିଛି । ରାମଚନ୍ଦ୍ର ଏକ ବିରାଟ ପରୀକ୍ଷା ସ୍ଵରୂପ ଶିବଧନୁ ଭଗ୍ନ କରି ଦେବୀ ସୀତାଙ୍କୁ ବିବାହ କରିଥିଲେ । ରାତ୍ରି ପାହି ପ୍ରଭାତ ହୋଇଥିଲେ ସେ ହୋଇଥାନ୍ତେ ଅଯୋଧ୍ୟାର ମହାମହିମ–ସମ୍ରାଟ ଶ୍ରୀରାମଚନ୍ଦ୍ର । ମାତ୍ର ବିଧିର ବିଧାନ ବଡ଼ ବିଚିତ୍ର । ସେଥିପାଇଁ ସେ ଭରତଙ୍କୁ ସିଂହାସନ ଅର୍ପଣ କରି ବନକୁ ଗମନ କଲେ । କିନ୍ତୁ ରକ୍ତ ମାଂସଧାରୀ ମାନବୀ କୌଶଲ୍ୟା ପୁତ୍ର ଶ୍ରୀରାମଙ୍କର ଏହି ଦୁଃଖ ବା ସହ୍ୟ କରିପାରନ୍ତେ କିପରି । ସୁତରାଂ କବି ସାଲବେଗ କୌଶଲ୍ୟାଙ୍କ ପରି ଜଣେ ଦରଦୀ ଓ ବ୍ୟଥିତ ମାତାର ହୃଦୟର ଭାବାବେଗକୁ ହୃଦୟଙ୍ଗମ କରି ପ୍ରକାଶ କରିଥିଲେ–

 

‘‘ନ ଯା’ତୁ ବନବାସ କରିରେ, କୋଦଣ୍ଡଧାରୀ !

ବନବାସ କରିଗଲେ ଭ୍ରଥ ନେବ ଶିରିରେ ।।

ଭ୍ରଥ ପଛେ ରାଜା ହେଉ ନଗରରେ ବସ ।

ଭିକ୍ଷାପାତ୍ରେ ମାଗି ଖା’ତୁ ନ ଯା ବନବାସରେ ।।

ପାଟ ପୀତାମ୍ବର କାହ୍ନୁ ନ ରୁଚଇ ତୋତେ ।

ପତ୍ର କୁଡ଼ିଆରେ ଦିନ ବଞ୍ଚିବୁ କେମନ୍ତେ ରେ ।।

ଶିବଧନୁ ଭାଙ୍ଗି ତୋତେ କରାଇଲି ବିଭା ।

ତା’ମୁଖ ତୋ ମୁଖ କାହ୍ନୁ ପାଇନାହିଁ ଶୋଭାରେ ।।’’

 

ପ୍ରଭୁ ରାମଚନ୍ଦ୍ରଙ୍କ ସଂପର୍କିତ ସାଲବେଗଙ୍କ ରଚିତ ଅନ୍ୟ ଏକ ଭଜନ ହେଉଛି ‘ସେ ଯେଉଁ ରାମ, ପରଂବ୍ରହ୍ମ ନାରାୟଣ’ । ଏଥିରେ କବି ସାଲବେଗ ରାମଚନ୍ଦ୍ରଙ୍କର ଅଲୌକିକ ଗୁଣ କୀର୍ତ୍ତନ କରି ପୃଥିବୀର ଜଣେ ଶ୍ରେଷ୍ଠ ବୀର ପୁରୁଷ ଭାବେ ତାଙ୍କୁ ଚିତ୍ରଣ କରିଛନ୍ତି । ଅନ୍ୟ ପକ୍ଷରେ ରାବଣପରି ଜଣେ ଅହଂକାରୀ ରାକ୍ଷସର ନିନ୍ଦା କରାଯାଇ ତା ପ୍ରତି ସମଗ୍ର ବିଶ୍ଵରେ ନ୍ୟୂନ ମନୋଭାବ ପୋଷଣ କରାଯାଇଛି । ଏହି ଭଜନ ମଧ୍ୟରେ କବି ହନୁମାନ ମୁଖରେ ରାବଣକୁ ଉଚିତ ମାର୍ଗରେ ଯିବାପାଇଁ ବହୁ ଉପଦେଶ ଦେଇଛନ୍ତି । ରାକ୍ଷସ ରାଜା ରାବଣର ଭାଇ ବିଭୀଷଣ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଶରଣାପନ୍ନ ହେବାରୁ ରାମଚନ୍ଦ୍ର ତାକୁ ଦୟା କରିଛନ୍ତି । ମାତ୍ର ମାୟା ମୃଗ ରୂପ ଧାରଣ କରି ରାମଚନ୍ଦ୍ରଙ୍କର ପ୍ରାଣପ୍ରିୟା ପତ୍ନୀ ଦେବୀ ସୀତାଙ୍କୁ ଅପହରଣ କରିଥିବାରୁ ଭକ୍ତ ହନୁମାନ ରାବଣ ପରି ବୁଦ୍ଧିହୀନକୁ ଉପଦେଶ ଦେବା ଛଳରେ ସେପରି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ତାକୁ ସତର୍କ କରାଇ ଦେଇଛି ଏବଂ ସମଗ୍ର ବିଶ୍ୱରେ ଶ୍ରୀରାମଚନ୍ଦ୍ରଙ୍କର ମହିମା ଗାନ କରି ଉଲ୍ଲେଖ କରିଛି–

 

 

“କହେ ହନୁମାନ ଶୁଣରେ ରାବଣ,

ଯେହୁ ଦେଲା ତୋତେ ବର

ତୁ ଯାଇ ପଚାର ସେ ବିଷ୍ଣୁନାଥଙ୍କୁ,

ସେ ନାମେ ଜପେ ଶଙ୍କର ।

ଭାଇ ବିଭୀଷଣ ପଶିଲା ଶରଣ,

ରାମ କଲେ ତାକୁ ଦୟା ।

ସେତୁ ବନ୍ଧ ବାନ୍ଧି ସିନ୍ଧୁ ପାରି ହୋଇ ଗଡ଼ କଲେ ସୁବଳୟା ।’’

 

ସାଲବେଗ ରାମଚନ୍ଦ୍ର ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ କୌଣସି ଭେଦଭାବ ଲକ୍ଷ୍ୟ କରିନାହାନ୍ତି । ସେ ଅନୁଭବ କରିଛନ୍ତି ଯିଏ ହେଉଛନ୍ତି ରାମଚନ୍ଦ୍ର ସେହି ହେଉଛନ୍ତି କୃଷ୍ଣ । ଅବଲୀଳା କ୍ରମେ ଏହି ଦେବତାମାନେ ନାନା ରୂପରେ ଆମ ସମ୍ମୁଖରେ ଅବତୀର୍ଣ୍ଣ ହୋଇଛନ୍ତି । ତେଣୁ କବି ତାଙ୍କର କେତେକ ନିର୍ଦ୍ଦିଷ୍ଟ ଭଜନ ମଧ୍ୟରେ ଉଭୟ ରାମ ଓ କୃଷ୍ଣଙ୍କୁ ଏକତ୍ର ଭାବେ ପ୍ରାର୍ଥନା କରି ତାଙ୍କରି ଭଜନ ରଚନା କରିଛନ୍ତି । କବିଙ୍କ ରଚିତ ଏପରି ଭଜନ ମଧ୍ୟରେ ପ୍ରଧାନ ହେଉଛି ‘ରାମ ହରି, ପ୍ରଭୁ ବିଜେ କରିଅଛୁ', ‘ରାମ ନାମ ବୋଲ ଭାଇ, କୃଷ୍ଣ ନାମ ବୋଲ’ ପ୍ରଭୃତି ।

 

ଶିବ ଜଣାଣ :

 

ମହାଦେବ ଶିବଙ୍କ ବିଭିନ୍ନ କାର୍ଯ୍ୟ କଳାପକୁ ଭିତ୍ତିକରି ଆମ ସାହିତ୍ୟରେ ବହୁ ଭଜନ ଓ ଜଣାଣ ରଚନା କରାଯାଇଛି । ଏସବୁ ମଧ୍ୟରେ ଶିବଙ୍କର ନାମ କୀର୍ତ୍ତନ ସହିତ ତାଙ୍କର ମହତ୍ତ୍ୱ ସଂପର୍କରେ ବିଚାର ଆଲୋଚନା ହୋଇଛି । ଶିବଙ୍କର ବହୁ ନାମ ରହିଛି । ଭକ୍ତମାନେ ଶିବଙ୍କ କୃପା ଲାଭ କରିବା ନିମିତ୍ତ ତାଙ୍କୁ ବହୁନାମରେ ପ୍ରାର୍ଥନା କରିଛନ୍ତି । ତାଙ୍କ ଉଦ୍ଦେଶ୍ୟରେ ନିଜର ଭକ୍ତି ଅର୍ଘ୍ୟ ନିବେଦନ କରିଛନ୍ତି । ଏହି ଉଦ୍ଦେଶ୍ୟରେ କବିମାନେ ଶିବ ଭଜନ ଓ ଜଣାଣମାନ ରଚନା କରନ୍ତି । ଏହି ଭଜନ ଓ ଜଣାଣ ମଧ୍ୟରେ ଭକ୍ତକବିମାନେ ଭଗବାନ ଶିବଙ୍କୁ ନିଜ ହୃଦୟରୁ ଝରି ଆସୁଥିବା ଅନ୍ତର୍ବେଦନା ଓ ଅଭିମାନ ହିଁ ବ୍ୟକ୍ତ କରିଥାନ୍ତି । ଏହି ଭକ୍ତି ଗୀତିକାଗୁଡ଼ିକ ପାଠକ ପ୍ରାଣରେ ଆଧ୍ୟାତ୍ମିକତାର ମନ୍ଦାକିନୀ ଧାରା ପ୍ରବାହିତ କରିଥାଏ ।

 

ଆମ ସାହିତ୍ୟରେ ଶିବ ଜଣାଣର ଜଣେ ସଫଳ ସ୍ରଷ୍ଟା ହେଉଛନ୍ତି କବି ସାଲବେଗ । ସେ ଭଗବାନ ଶିବଙ୍କୁ ନେଇ ମାତ୍ର ଦୁଇଗୋଟି ଜଣାଣ ‘ଶିବ ହେ ବାରେ ଜଣାଣ ଘେନ’ ଓ ‘ଶିବ ହେ ମୋର ଘେନ ଜଣାଣ’ ରଚନା କରିଛନ୍ତି । ଏ ସଂପର୍କରେ ସାଲବେଗ ସାହିତ୍ୟର ଆଲୋଚକ ଡଃ. ଅମୂଲ୍ୟ କୃଷ୍ଣ ମିଶ୍ର କହନ୍ତି–“ପୁରୀ ରହଣି କାଳରେ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର ଏବଂ ବଡ଼ଦେଉଳ ପରିବେଷ୍ଟନୀ ମଧ୍ୟରେ କାଶୀ ବିଶ୍ୱନାଥଙ୍କ ବିଷୟରେ ବିଭିନ୍ନ ଭକ୍ତମାନଙ୍କଠାରୁ ଶୁଣି ସାଲବେଗ ଶିବଙ୍କ ପ୍ରତି ଭକ୍ତି ନିବେଦନ କରିଥିବା ସମ୍ଭବପର । ଶିବବନ୍ଦନା ବିଷୟକ ସାଲବେଗଙ୍କ ଦୁଇଟି ଭଜନ ଏଯାବତ୍ ସଂଗୃହୀତ ହୋଇଛି । ଶିବ ହେଉଛନ୍ତି ଆଶୁତୋଷ । ତାଙ୍କୁ ଆରାଧନା କରି ଆଶୀର୍ବାଦ ପ୍ରାପ୍ତ ହେଲେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଭ ହୋଇପାରେ ବୋଲି ହୁଏତ ସାଲବେଗଙ୍କ ମନରେ ଭାବନା ଜାଗ୍ରତ ହୋଇଥାଇପାରେ ।’’ (ଜାତୀୟ ସଂହତିର ପ୍ରତୀକ ଭକ୍ତକବି ସାଲବେଗ-ଏକ ଅନ୍ତରଙ୍ଗ ପ୍ରଯ୍ୟାଲୋଚନା, ପୃ-୧୫୬) ତେବେ ସେ ଯାହା ହେଉନା କାହିଁକି, ଯବନ ହୋଇ ମଧ୍ୟ କବି ସାଲବେଗ ନିଜ ମାତାଙ୍କ ପ୍ରରୋଚନା ଓ ପ୍ରେରଣାରେ ହିନ୍ଦୁ ଦେବଦେବୀଙ୍କ ପ୍ରତି ଆକର୍ଷିତ ହୋଇପଡ଼ିଛନ୍ତି । ବୃନ୍ଦାବନ ବିହାରୀ କୃଷ୍ଣଙ୍କର ଅପାର ମହିମାରୁ ସେ ମହାବ୍ୟାଧିରୁ ମୁକ୍ତିପାଇ ନବ ଜନ୍ମ ଲାଭ କରିଥିବାରୁ ହିନ୍ଦୁ ଦେବଦେବୀଙ୍କ ପ୍ରତି ସେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି । ଶିବ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ମୂଳ କାରଣ ଓ ତାଙ୍କ ବ୍ୟତିରେକ ଏହି ସୃଷ୍ଟି ଧ୍ୱଂସ ପାଇଯିବ ବୋଲି ଜାଣିବା ପରେ କବି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରୟାସୀ ହୋଇ ତାଙ୍କର କୃପା ପ୍ରାର୍ଥୀ ହୋଇଛନ୍ତି ।

 

କେତେକ ମୁଷ୍ଟିମେୟ ନ୍ୟସ୍ତସ୍ଵାର୍ଥ ହୀନ ଜଗନ୍ନାଥ ପଣ୍ଡାଙ୍କ ଯୋଗୁ ବାରମ୍ବାର ଜଗନ୍ନାଥ ଦର୍ଶନରୁ ବଂଚିତ ହୋଇ ମନ୍ଦିର ସମ୍ମୁଖରୁ ପ୍ରତ୍ୟାବର୍ତ୍ତନ କରିବା ପରେ କବି ସାଲବେଗ ପୁନଶ୍ଚ ଜଗନ୍ନାଥଙ୍କ ଦର୍ଶନ ନିମିତ୍ତ ଭଗବାନ ଶିବଙ୍କ ଆଶୀର୍ବାଦ କାମନା କରିଛନ୍ତି । ଏହି ଅବସରରେ ସେ ଶିବଙ୍କ ନାମ କୀର୍ତ୍ତନ ସହିତ ତାଙ୍କର ନାମାବଳୀ ନିଜ କଣ୍ଠରେ ପରିଧାନ କରିଛନ୍ତି । ଶିବ ନାମ ଭଜନ ଓ ଗାନରେ ତାଙ୍କର ଜୀବନ ଚାଲିଯିବାକୁ ସେ କାମନା କରିଛନ୍ତି । ଶିବ ଜଣାଣ ମଧ୍ୟରେ କବି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ପର୍ବତରେ ଈଶ୍ଵର ଶିବଙ୍କର ନିତ୍ୟ, ତାଙ୍କର ଗ୍ରୀବା ଦେଶରେ ବୃଦ୍ଧା ଅଜଗର ସର୍ପର ମାଳା, ଶିରରେ ସପ୍ତଫେଣୀ, ସାଥୀରେ ବାସୁଆ ବଳଦ, ବାମକରେ ଶିଙ୍ଘା, ମସ୍ତକରେ ଭକ୍ତ ଜନମାନଙ୍କର ଚମ୍ପା ବେଲପତ୍ରି ପ୍ରଭୃତି କିପରି ପରିଶୋଭିତ ହୁଏ ତାହା ବର୍ଣ୍ଣନା କରିଛନ୍ତି । ଏହି ପ୍ରସଙ୍ଗ ସେ ତାଙ୍କ ଜଣାଣରେ ନିମ୍ନ ଭାବେ ବ୍ୟକ୍ତ କରିଛନ୍ତି ।

 

‘‘ଶିବ ହେ ବାରେ ଜଣାଣ ଘେନ ।

ଶିବ ଶିବ ବୋଲି ଯାଉ ଜୀବନ ।।

କୋଟି ପରବତ ଘାଘଡ଼ି ମାଳୀ ।

ଈଶ୍ୱର ନାଚନ୍ତି ବଜାଇ ତାଳି ।।

ବୁଢ଼ା ଅଜଗର ମାଳ କାଛେଣି ।

ଶିରେ ବହିଅଛି ସପତଫଣୀ ।।

ବାସୁଆ ବଳଦ ତୁମ୍ଭ ବାହନ ।

ବାମକରେ ଶିଙ୍ଘା ଡାକଇ ରାମ ।।

ଈଶ୍ଵର ମୁଣ୍ଡରେ ଢାଳନ୍ତି ପାଣି ।

ଚମ୍ପା ବେଲପତ୍ରି ଗଇଶ ଘେନି ।।”

 

କବିଙ୍କର ଅନ୍ୟ ଏକ ଜଣାଣ ‘ଶିବ ହେ ମୋର ଘେନ ଜଣାଣ’ ମଧ୍ୟରେ କବି ଠିକ୍ ସେହି କଥା ପ୍ରକାଶ କରିବା ସହିତ କାଳୀନାଗକୁ ସେ ନିଜ ଶରୀରରେ ଧାରଣ କରିବା, ଶ୍ୱେତ ନାଗକୁ ଶିରରେ ଛତା କରିବା, ଭସ୍ମ ବିଭୂତିକୁ ନିଜ ଶରୀରରେ ଲେପନ କରିବା, ଏକ ହସ୍ତରେ ଡମ୍ବରୁ ଓ ଅନ୍ୟ ହସ୍ତରେ ତ୍ରିଶୂଳ ଧାରଣ କରିବା ପ୍ରସଙ୍ଗ ବର୍ଣନା କରିଛନ୍ତି । ଶିବଙ୍କର ଏତେ ମହିମା ପ୍ରଖ୍ୟାପନ ମଧ୍ୟରେ କବି ନିଜ ହୃଦୟ ମଧ୍ୟରେ ଫାଟି ପଡ଼ୁଥିବା ଦୁଃଖ ସେହି ଭଗବାନ ଶିବଙ୍କୁ ନିମ୍ନୋକ୍ତ ଜଣାଣ ମଧ୍ୟରେ ଜଣାଇଛନ୍ତି ।

 

‘‘ଶିବ ହେ ମୋର ଘେନ ଜଣାଣ

ବାରେ ମାତ୍ର ମୋର ଗୁହାରି ଶୁଣ ।।

 

କୋଟିୟେ ପର୍ବତ ଘାଘୁଡ଼ିମାଳୀ ।

ବ୍ରହ୍ମା ଆଦି ସୁର ଦେବେ ଅର୍ଦ୍ଦଳୀ ।।

 

କାଳୀ ନାଗ କଲେ କନ୍ଧେ ପଇତା ।

ଶେତ ନାଗ କଲେ ଶିରରେ ଛତା ।।

 

ଡିବି ଡିବି ବାଜେ ଡମ୍ବରୁ କର ।

ଗଙ୍ଗାଦେବୀ ଅଛି ଜଟା ଭିତର ।।

 

ବୁଢ଼ା ଅଜଗର କଟି କାଚ୍ଛେଣି ।

ଶ୍ଵେତ ନାଗ କଲ ଶିରେ ମଣ୍ଡଣି ।।”

 

ଏହାହିଁ ହେଉଛି ଭକ୍ତକବି ସାଲବେଗଙ୍କ ଶିବ ଭଜନ ।

 

ଦେବୀ ଭଜନ :

 

ଶକ୍ତିର ଅନ୍ୟନାମ ଦେବୀ । ନାନା ରୂପରେ ବହୁ ଭାବରେ ତାଙ୍କର ସାହିତ୍ୟରେ ଆବିର୍ଭାବ । ଏହି ପୃଥିବୀ ଓ ଧରିତ୍ରୀ ମାନବକୁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଧାରଣ କରି ତା’ର ସବୁ ଝଡ଼ ଝଞ୍ଜା ସହ୍ୟ କରୁଥିବାରୁ ସେ କବି ଦୃଷ୍ଟିରେ ହେଉଛନ୍ତି ପୃଥିବୀବାସୀଙ୍କର ମାତା । ପୁଣି ସମୁଦ୍ର ଠାରୁ ଆରମ୍ଭ କରି ନଦନଦୀ ପର୍ଯ୍ୟନ୍ତ ଜଗତ୍‍ବାସୀଙ୍କ ମଙ୍ଗଳ ନିମିତ୍ତ ଅଭିପ୍ରେତ ହୋଇ କୀଟ ଠାରୁ ଆରମ୍ଭ କରି ପଶୁପକ୍ଷୀ, ବୃକ୍ଷ ଲତା ସର୍ବୋପରି ମାନବ ସମାଜକୁ ଜଳଦାନ କରୁଥିବାରୁ ଏମାନେ ସମସ୍ତେ ସମାଜର ଅତ୍ୟନ୍ତ ଆରାଧ୍ୟ ଓ ପୂଜ୍ୟ । ତେଣୁ ଯୁଗେ ଯୁଗେ ମାନବ ସମୁଦ୍ରକୁ ପୂଜାକରେ, ନଦୀକୁ ବନ୍ଦନା କରି ଜଗତ୍ ମଙ୍ଗଳ କାମନା କରେ । କବି ଓ ଭାବୁକମାନେ ନଦୀ ଓ ମାତାଙ୍କ ମଧ୍ୟରେ କିଛି ପ୍ରଭେଦ ଦେଖନ୍ତି ନାହିଁ । ତାଙ୍କ ଦୃଷ୍ଟିରେ ଜଣେ ମାତା ତା’ର ସନ୍ତାନ ସନ୍ତତିର ଯେପରି ନାନା ଅର୍ଦ୍ଦଳି ସହ୍ୟ କରି ତାକୁ ଜୀବନ ଧାରଣ କରିବାକୁ କ୍ଷୀର ଦାନ କରେ ନଦୀ ସମଗ୍ର ମାନବ ଜାତିକୁ ଶାନ୍ତିରେ ସହାବସ୍ଥାନ ନିମିତ୍ତ ସେହିପରି ନୀର ଦାନ କରେ । ବୃନ୍ଦାବନ ଭ୍ରମଣ କରିବା ଅବସରରେ କବି ସାଲବେଗ ତାହାହିଁ ଲକ୍ଷ୍ୟ କରିଛନ୍ତି । ସେ ଅନୁଭବ କରିଛନ୍ତି ବୃନ୍ଦାବନ ଧାମର ଅନତିଦୂରରେ ପ୍ରବାହିତ ପୁଣ୍ୟତୋୟା ଗଙ୍ଗାନଦୀ ସମଗ୍ର ଭାରତବାସୀଙ୍କ ମଙ୍ଗଳ ବିଧାନ ନିମିତ୍ତ ହିମାଳୟରୁ ପ୍ରବାହିତ ହୋଇ ନାନା ଝଡ଼ଝଞ୍ଜା ମଧ୍ୟ ଦେଇ ବହୁ ପଥ ଅତିକ୍ରମ କରି ଶେଷରେ ସମୁଦ୍ର ଗର୍ଭରେ ଲୀନ ହୋଇଛି । ତା’ର ଦୀର୍ଘ ଯାତ୍ରାପଥରେ ସେ ସମଗ୍ର ସମାଜର ନାନା ଅର୍ଦ୍ଦଳି ସହ୍ୟକରି ଜଗତ୍‍ବାସୀଙ୍କ ନିମିତ୍ତ ଜନନୀ ପାଲଟି ଯାଇଛି ।

 

ସୁତରାଂ କବି ସାଲବେଗଙ୍କ ଦୃଷ୍ଟିରେ ସେହି ଗଙ୍ଗାନଦୀ ହୋଇଛି ଦେବୀ ବା ମାତା । ମାତା ସନ୍ତାନ ସନ୍ତତିର ଯେତେ ଅଳି ଅର୍ଦ୍ଦଳି ସହ୍ୟ କଲେ ମଧ୍ୟ କିଛି ପ୍ରତିକ୍ରିୟା ପ୍ରକାଶ କରେ ନାହିଁ-। ପୃଥିବୀ ସମଗ୍ର ଜଗତ୍‍ବାସୀଙ୍କର ସବୁ ଦୌରାତ୍ମ୍ୟ ସହ୍ୟ କରି ସ୍ଥିର ରହିଥାଏ । ପୁତ ପବିତ୍ର ଗଙ୍ଗାନଦୀ କ୍ଷେତ୍ରରେ କବି ସାଲବେଗ ତାହାହିଁ ଲକ୍ଷ୍ୟ କରିଛନ୍ତି । ବୃନ୍ଦାବନ ଯାତ୍ରା ଅବସରରେ କବି ଗଙ୍ଗାନଦୀ ସଂପର୍କରେ ବହୁକଥା ଶୁଣିଛନ୍ତି । ଏହି ନଦୀ ସମଗ୍ର ଭାରତବର୍ଷର ଏକ ପୁଣ୍ୟତମ ନଦୀ । କେଉଁ ପାତାଳପୁରରୁ ବାହାରି ଶିବଙ୍କ ମସ୍ତକ ଦେଇ ଏହା ପ୍ରବାହିତ ହୋଇଛି । ଏହି ନଦୀ ସହିତ ଯୁମନା ଓ ସରସ୍ୱତୀ ନଦୀଦ୍ୱୟ ମିଳିତ ହୋଇ ତ୍ରିବେଣୀଠାରେ ସଙ୍ଗମ ସୃଷ୍ଟି କରିଛନ୍ତି । ପୁଣ୍ୟ ଅର୍ଜନ ନିମିତ୍ତ ଉତ୍କଳର ଗଜପତି ମୁକୁନ୍ଦଦେବ ତ୍ରିବେଣୀଠାରେ ଘାଟବାନ୍ଧି ସେଠାରେ ସ୍ନାନ କରି ମୁକ୍ତିଲାଭ କରିଛନ୍ତି । ମାତ୍ର କବି ଅନୁଭବ କରିଛନ୍ତି ସେ ଜଣେ ହେୟ ନଗଣ୍ୟ ମାନବ ହେତୁ ଥରେ ମାତ୍ର ସେହି ତ୍ରିବେଣୀ ଘାଟରେ ସ୍ନାନ କରିପାରି ନାହାନ୍ତି । ଅପରପକ୍ଷେ ସେ ଦୁଃଖ, ଆତ୍ମଗ୍ଲାନି ଓ ପାପର ଜଳରାଶି ମଧ୍ୟରେ ଭାସୁଛନ୍ତି । ତେଣୁ ତାଙ୍କ ରଚିତ ‘ମାଗୋ, ଭାଗ୍ୟ ରାଣୀ ଗଙ୍ଗା !’ ଭଜନ ମଧ୍ୟରେ ସେହି ଦୁଃଖରୁ ଉଦ୍ଧାର ପାଇବା ପାଇଁ କବି ନିବେଦନ କରିବା ସହିତ ଗାନ କରିଛନ୍ତି ।

 

‘‘ମାଗୋ ଭାଗ୍ୟରଥୀ ଗଙ୍ଗା !

ଭାସୁଅଛି ଭବଜଳେ କୂଳେ ନେଇ ଲଗା ।।

ଭାଗ୍ୟରଥୀ ଗଙ୍ଗା ତୁମେ ମା’ ପୁଣ୍ୟବନ୍ତ ନଦୀ ।

ସପତ ପାତାଳପୁର ବହୁଅଛି ଭେଦି ।।

ମହା ମହାବାରେଣୀ ଯେ ଗଙ୍ଗାରେ ପଡ଼ିଲା ।

ଗଙ୍ଗା ନାରାୟଣ ବୋଲି ମା’ ସମସ୍ତେ ବୋଲନ୍ତି ।।

କାହିଁର ଜନମ ଗଙ୍ଗା କେହି ନ ଜାଣନ୍ତି ।

ତ୍ରିବେଣୀ ବହୁଅଛ ମା’, ତିନିଧାର ହୋଇ ।।

ସ୍ଵର୍ଗ ମଞ୍ଚ ପାତାଳ ଯେ ଉଦ୍ଧାରିବା ପାଇଁ ।

ରାଜା ଯେ ମୁକୁନ୍ଦ ଦେବ ମା’ ଘାଟ ବନ୍ଧାଇଲେ ।

ତ୍ରିବେଣୀରେ ସ୍ନାନ ସାରି ମୁକତି ଲଭିଲେ ।।

 

‘ଜୟ ଜୟ ଦେବୀ ମଙ୍ଗଳା’ ହେଉଛି କବିଙ୍କର ଅନ୍ୟ ଏକ ଦେବୀ ଭଜନ । ଦେବୀ ମଙ୍ଗଳା ହେଉଛନ୍ତି ଆମ ଉତ୍କଳୀୟ ଓ ଭାରତୀୟ ସଂସ୍କୃତିକ ତଥା ଧାର୍ମିକ ପାଣିପାଗରେ ମଙ୍ଗଳ ପ୍ରଦାୟିନୀ ଦେବୀ ଦୁର୍ଗା । ସେ ଚତୁର୍ଭୁଜା । ଶ୍ରୀକ୍ଷେତ୍ରର ଅନତି ଦୂରରେ କାକଟପୁରରେ ତାଙ୍କର ବିଜେସ୍ଥଳୀ । କବି ନିଜର ଇଷ୍ଟଦେବ ଶ୍ରୀକୃଷ୍ଣଙ୍କ ନିକଟରେ ପହଞ୍ଚିବା ନିମିତ୍ତ ବ୍ୟାକୁଳ ଭାବରେ ଦେବୀ ମଙ୍ଗଳାକୁ ପ୍ରାର୍ଥନା କରିଛନ୍ତି । ଏହି ଉଦ୍ଦେଶ୍ୟରେ ସେ ତାଙ୍କର ଜୀବନକୁ ଶୁଦ୍ଧ ପୂତ କରିବା ନିମିତ୍ତ ମଙ୍ଗଳ ଭଜନ ଗାନ କରିଛନ୍ତି । ଏହି ପ୍ରସଙ୍ଗରେ ସେ ଦେବୀ ମଙ୍ଗଳାଙ୍କୁ ଚତୁର୍ଭୁଜା, ଚନ୍ଦ୍ରକଳା, କମଳା, ମୃଣାଳ, ଜପାମାଳା ଧାରିଣୀ ପ୍ରଭୃତି ଭାବେ ବର୍ଣ୍ଣନା କରି ଶେଷରେ କିପରି ରସିକ ନନ୍ଦବଳା ଶ୍ରୀକୃଷ୍ଣଙ୍କର ନିକଟତର ହେବେ ଓ ତାଙ୍କ ପାଖରେ ପହଞ୍ଚିବେ ସେଥିନିମିତ୍ତ ଦେବୀ ମଙ୍ଗଳାଙ୍କର ଶରଣାପନ୍ନ ହୋଇଛନ୍ତି । ସେହି ଉଦ୍ଦେଶ୍ୟରେ ନିମ୍ନ ଭଜନ ମଧ୍ୟରେ ତାଙ୍କ ଗୁଣ କୀର୍ତ୍ତନ କରିଛନ୍ତି ।

 

‘‘ଜୟ ଜୟ ଦେବୀ ମଙ୍ଗଳା ।

ରୂପ ଲାବଣ୍ୟ ଅତି ଚତୁର୍ଭୁଜ ମୂରତି;

ସେତ ଅଙ୍ଗ ବରନ କାଲା ।

ପଙ୍କଜ ଚରନ ପଙ୍କଜ ଆସନ,

ୟେକ କରେ ଚନ୍ଦ୍ର ଛଡ଼ଦଶ କଳା ।।

ଏକ କରେ କମଲ ୟେକ କରେ ମୃନାଲ,

ୟେକ କରେ ଜିତ ଜପାମାଳୀ ।”

 

ଅନ୍ୟାନ୍ୟ ଭଜନ :

 

ଭକ୍ତକବି ସାଲବେଗ ଥିଲେ ବହୁଭାଷୀ ! ଯବନ କୁଳରେ ଜାତ ହୋଇଥିବାରୁ ଶୈଶବ କାଳରେ ତାଙ୍କର ପିତା ତାଙ୍କୁ ଉର୍ଦ୍ଦୁ ଭାଷା ଶିକ୍ଷା ଦେବା ନିମିତ୍ତ ପ୍ରଯତ୍ନ କରିଥିବା ଅନୁମାନ କରାଯାଇପାରେ । ମାତ୍ର କବିଙ୍କର ଶିକ୍ଷା କ୍ଷେତ୍ର ଥିଲା ଓଡ଼ିଶା ଓ ତାଙ୍କ ମାତା ଥିଲେ ଓଡ଼ିଆ ହିନ୍ଦୁ କୁଳର ରମଣୀ । ତେଣୁ ସାଲବେଗଙ୍କ ଚାଲି ଚଳଣି ଓ ଆଚାର ବିଚାରରେ ଶୁଦ୍ଧ ଉତ୍କଳୀୟତା ପ୍ରତିପାଦିତ ହେଉଥିଲା । ବଙ୍ଗଳା ଥିଲା ଓଡ଼ିଶାର ଏକ ପଡ଼ୋଶୀ ରାଜ୍ୟ । ପୁରୀର ଶ୍ରୀଜଗନ୍ନାଥ ଥିଲେ ବଙ୍ଗବାସୀଙ୍କର ଅତ୍ୟନ୍ତ ଆରାଧ୍ୟ ଓ ଆତ୍ମୀୟ । ତେଣୁ ପ୍ରତ୍ୟହ ପୁରୀର ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ସଂଖ୍ୟାଧିକ ବଙ୍ଗବାସୀ ଆସିବା ଅବସରରେ ସାଲବେଗ ତାଙ୍କ ସଂସ୍ପର୍ଶରେ ଆସି ବଙ୍ଗଳା ଭାଷା ଶିକ୍ଷା ଲାଭ କରିବାର ସୁଯୋଗ ପାଇଥିଲେ । ପୁନଶ୍ଚ ବହୁ ବଙ୍ଗୀୟ ଭକ୍ତ କବିଙ୍କ ସଂସ୍ପର୍ଶରେ ଆସିବା ଫଳରେ କବିଙ୍କର ବଙ୍ଗଳା ଭାଷା ପ୍ରତି ଆଗ୍ରହ ସୃଷ୍ଟି ହୋଇଥିବ । ଏତଦ୍‍ବ୍ୟତୀତ ଏକାଧିକବାର ବୃନ୍ଦାବନ ଯାତ୍ରା ଫଳରେ କବି ବ୍ରଜବୋଲି ଭାଷା ସହିତ ପରିଚିତ ହୋଇ ସେହି ଭାଷାକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିବେ । ସୁତରାଂ କବିଙ୍କର ଏକାଧିକ ଭାଷାରେ ବ୍ୟୁତ୍ପତ୍ତି ହିଁ ତାଙ୍କୁ ଓଡ଼ିଆ ସମେତ ବଙ୍ଗଳା ଓ ବ୍ରଜବୋଲି ଭାଷାରେ ଭଜନ ଓ ଜଣାଣ ଲେଖିବାକୁ ସୁଯୋଗ ଦେଇଥିବ ବୋଲି ଅନୁମାନ କରାଯାଇପାରେ ।

 

କବିଙ୍କ ରଚିତ ବଙ୍ଗଳା ଭଜନ ମଧ୍ୟରେ ‘ନବଘନ କାଲିଆ', 'ଜୟ ଜୟ ରାଧେ ଗୋପାଲ’, “ନାଗରୀ ନାଗରୀ ନାଗରୀ’, ମୁରଲୀ ତୋ ନିଲ ପ୍ରାନ ହାରିୟାରେ, ‘ହେଉ ହୋ ନୀଳଗିରି ପତି ରାଜ ହି’ ପ୍ରଭୃତି ପ୍ରଧାନ । ‘ନବଘନ କାଲିଆ’ ଭଜନ ମଧ୍ୟରେ କବି ସାଲବେଗ କୃଷ୍ଣ ନାମ କୀର୍ତ୍ତନ କରିଛନ୍ତି । ନିଜକୁ ରାଧା ଭାବରେ ସମ୍ବୋଧନ କରି ନବଘନଙ୍କ ନିମିତ୍ତ ତାଙ୍କର ଜାତି ପତି କୁଳ ଗୋତ୍ର ସବୁ ନଷ୍ଟ ହୋଇଛି ବୋଲି ଭଜନ ମଧ୍ୟରେ କବି ବର୍ଣ୍ଣନା କରିଛନ୍ତି । ଭଜନର ମଧ୍ୟଭାଗରେ ବର୍ଣ୍ଣିତ ‘‘ଲେମ୍ବୁ ମୂଲେ କୃଷ୍ଣ ଛିଲ / ଏକଟା ଲେମ୍ବୁ ଚାଖିଆ ଗେଲ’ ବର୍ଣ୍ଣନା ମଧ୍ୟରେ ସେପରି କିଛି ଅର୍ଥ ସ୍ପଷ୍ଟ ଜଣାପଡ଼ୁ ନଥିଲେ ମଧ୍ୟ ଏହି ଭଜନର ପରବର୍ତ୍ତୀ ଅଂଶରେ ‘‘ରାଧା ଦୂତୀ ଜଲକେ ଗେଲ / କଦମ ତଳେ କୃଷ୍ଣ ଛିଲ’ ମଧ୍ୟରେ କବି ସାଲବେଗ ତାଙ୍କ ଭଜନର ଅର୍ଥ ସ୍ପଷ୍ଟ ଓ ପୂର୍ଣ୍ଣାଙ୍ଗ କରିଦେଇଛନ୍ତି । ଭଜନଟି ହେଉଛି ଏହିପରି :

 

‘‘ନବ ଘନ କାଲିଆ;

ତୋର ଲାଗି ମୋର ଜାତି ଗେଲ ।

ତୋର ଲାଗି ମୋର ଜାତି ଗେଲ;

ପତି ଗେଲ, କୁଲ ଗେଲ ।

ଲାଜ ଲୟା ଗେଲ,

ଲେମ୍ବୁମୂଳେ କୃଷ୍ଣ ଛିଲ,

ଏକଟା ଲେମ୍ବୁ ଚାଖିଆ ଗେଲ,

ଫେକିୟା ଗେଲ ।

ଗଲେ ଲେମ୍ବୁର ଗାଛ ତଲେ

ଗୁପତ ଲୀଳା ହଲ।”

 

କବିଙ୍କର ବଙ୍ଗଳା ଭାଷାରେ ରଚିତ ଆଉ ଏକ ବଙ୍ଗଳା କବିତା ହେଉଛି ‘ନାଗରୀ ନାଗରୀ ନାଗରୀ !’ ଏହି ଭଜନ ମଧ୍ୟରେ କବି ଶ୍ରୀରାଧାଙ୍କର ଅପରୂପ ଲାବଣ୍ୟ ବର୍ଣ୍ଣନା କରି ତାଙ୍କୁ ସମଗ୍ର ଗୋପପୁରର ଶ୍ରେଷ୍ଠ ନାଗରୀ ଭାବେ ଜନମାନସରେ ଉପସ୍ଥାପିତ କରିଛନ୍ତି । ତାଙ୍କ ସଂପର୍କରେ ବହୁ ଆଲୋଚନା ହୋଇ ଯେତେ ଅଧିକରୁ ଅଧିକ ଚର୍ଚ୍ଚା ହୋଇଥିଲେ ମଧ୍ୟ ସେ ହେଉଛନ୍ତି କବି ସାଲବେଗଙ୍କ ଦୃଷ୍ଟିରେ ନବନାଗରୀ । ତାଙ୍କ ରୂପ ଲାବଣ୍ୟରେ ମୁଗ୍‌ଧ ହୋଇ ତାଙ୍କ ଶରୀରର ରଙ୍ଗକୁ କେତକୀ ଚମ୍ପା, ନୟନକୁ ମୀନ ନୟନ, ନାସାକୁ ତିଳଫୁଲ ସହିତ ତୁଳନା କରିଛନ୍ତି । ମାତ୍ର ଏତିକି ବର୍ଣ୍ଣନା ମଧ୍ୟରେ କବି ତାଙ୍କ ରୂପ ଲାବଣ୍ୟର ବର୍ଣ୍ଣନା ଶେଷ କରିବାକୁ ସକ୍ଷମ ହୋଇପାରି ନାହାନ୍ତି । ତାଙ୍କର ମଥାର ସିନ୍ଦୁର, କେଶରାଶିର ଶୋଭା ପ୍ରଭୃତି କବି ମନକୁ ଆହୁରି ଭାବ ବିହ୍ୱଳ କରି ଦେଇଛି । ତେଣୁ କବି ପ୍ରକାଶ କରିଛନ୍ତି–

 

 

‘‘କନକ କେତକୀ ଚମ୍ପା ତଡ଼ିତବରନୀ

ଇନ୍ଦୀବର ନୀଲମଣି ଜଳଦିବସନୀ ।।

ଭାଲେ ସେ ସିନ୍ଦୂର ବିନ୍ଦୁ ଶୋଭେ କେଶ ଶୋଭା ।

ଜିନି ଇନ୍ଦୀବର ବାହୁ ତମାଲେର ଆଭା ।।

ଭାଲେ ବିରାଜିତ ଭରେ ମୋତିମୟ ହାରା ।

ହଂସ ବକଶ୍ରେଣୀ ଗଙ୍ଗାଜଲ ଦୁଗ୍‌ଧଧାରା ।।’’

 

ଏହି ପର୍ଯ୍ୟାୟଭୁକ୍ତ କବିଙ୍କର ଆଉ ଏକ ବଙ୍ଗଳା କବିତା ହେଉଛି ‘ମୁରଲୀ ତେ ନୀଲ ପ୍ରାନ ହାରିୟା ତର !’ । ଏହି ଭଜନ ମଧ୍ୟରେ କବି କୃଷ୍ଣଙ୍କର ନଟବର ମୂର୍ତ୍ତି ଦେଖି ରାଧା ଭାବରେ ନିଜ ହୃଦୟର ଅଭିବ୍ୟକ୍ତି ତାଙ୍କ ସମ୍ମୁଖରେ ପ୍ରତିପାଦନ କରିଛନ୍ତି । ରାଧାକୃଷ୍ଣଙ୍କ ଅଧରରେ ମୋହନବେଣୁ ସଂଦର୍ଶନ କରି ଭକ୍ତ ଯେପରି ଅଲୌକିକ ପ୍ରେମରେ ଅନ୍ଧ ହୋଇଯାନ୍ତି, କବି ସାଲବେଗ କୃଷ୍ଣଙ୍କର ସେହିପରି ରୂପ ସଂଦର୍ଶନରେ ନିଜକୁ ସଂପୂର୍ଣ୍ଣରୂପେ କୃଷ୍ଣଙ୍କଠାରେ ହଜାଇ ଦେଇଛନ୍ତି । କବିଙ୍କ ହୃଦୟରେ କୃଷ୍ଣ ରୂପ ଭାବନା ମଧ୍ୟରେ ତାଙ୍କ ଚତୁର୍ଦ୍ଦିଗରେ ଅଗୁରୁ ଓ ଚନ୍ଦନର ସୁଗନ୍ଧ ମହକିତ ହୋଇଉଠିଛି । ତାଙ୍କ କର୍ଣ୍ଣ କୁହରକୁ ନୁପୂର ନିକୂଣ ଧ୍ୱନି ସ୍ପର୍ଶ କରିଛି । ସେ ଅନୁଭବ କରିଛନ୍ତି ସତେ ଯେପରି ଯମୁନା ତୀରରେ ଅଦୂରରେ କଦମ୍ବ ବୃକ୍ଷ ନିକଟରେ ନଟବର କୃଷ୍ଣ ଅପୂର୍ବ ରୂପରେ ଦଣ୍ଡାୟମାନ ହୋଇଛନ୍ତି । କବିଙ୍କର ନିଜ ହୃଦୟ ମଧ୍ୟରେ ଅନୁଭୂତ ହେଉଥିବା ଏହି ଭାବନା ତାଙ୍କୁ ବାରମ୍ବାର ଆନ୍ଦୋଳିତ କରିଦେଇଛି । ତେଣୁ ସେ ରାଧାରୂପରେ ସେହି ନଟନାଗର କୃଷ୍ଣଙ୍କ ସହିତ ନିଜ ଆତ୍ମାକୁ ମିଶାଇଦେଇ ତାଙ୍କରିଠାରେ ଏକାତ୍ମ୍ୟ ହୋଇଯାଇଛନ୍ତି । କବିଙ୍କ ହୃଦ କନ୍ଦରରୁ ଏହି ଉଦ୍ଦେଶ୍ୟରେ ଭାସି ଆସିଛି–

‘ମୁରଲୀ ତେ ନିଲ ପ୍ରାନ ହାରିୟାରେ !

କାଲିଆ !

ୟେକେତେ କାଲିଆ କାହ୍ନୁ,

'ଅଧରେ ମୋହନ ବେନୁ

ଯୁଡ଼ାଟା ବେନ୍ଧେଚ୍ଛେ ବାମେ ଟାଲିୟାରେ ।’’

କବିଙ୍କର ଅନ୍ୟ ଏକ ବଙ୍ଗଳା ଭଜନ ହେଉଛି ‘ହେର ହୋ ନୀଳଗିରି ପତି ରାଜ ହି ’। ଏହି ଭଜନର ଭାଷା ଯେତିକି ପରିମାଣରେ ବଙ୍ଗ ମିଶ୍ରିତ ତତୋଧିକ ପରିମାଣ ଓଡ଼ିଆ । ଭଜନର ପ୍ରାରମ୍ଭରେ କବି ନୀଳଗିରି ପତିଙ୍କୁ ସମ୍ବୋଧନ କରିବା ସହିତ ପର ପଦ ମଧ୍ୟରେ ସୁଭଦ୍ରା, ବଳରାମ ଓ ଶ୍ରୀଜଗନ୍ନାଥଙ୍କ କଥା ଉଲ୍ଲେଖ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ସ୍ନାନ ମଣ୍ଡପ ପ୍ରସଙ୍ଗ ଉଲ୍ଲେଖ କରି ଶଙ୍ଖ, ଘଣ୍ଟା, କାଂସୀ, ବେଣୁ, ବୀଣା, ବଂଶୀ, ଦୁନ୍ଦଭି ପ୍ରଭୃତି ବାଦ୍ୟର ନମୋଲ୍ଲେଖ କରିଛନ୍ତି । ଭଜନ ମଧ୍ୟରେ କବି କୃଷ୍ଣ ଓ ଜଗନ୍ନାଥଙ୍କୁ ଏକ ଏବଂ ଅଭିନ୍ନ ଭାବେ ପ୍ରତିପାଦନ କରି ତାଙ୍କ ମଧ୍ୟରେ ସମନ୍ୱୟ ଭାବ ସ୍ଥାପନ କରିଛନ୍ତି । ମାତ୍ର ଭଜନଟିରେ ବଙ୍ଗଳା ଅପେକ୍ଷା ଅଧିକ ପରିମାଣରେ ଓଡ଼ିଆ ଶବ୍ଦାବଳୀ ବ୍ୟବହୃତ ହୋଇଥିବାରୁ ଏହାକୁ ଏକ ମିଶ୍ର ଭଜନ ଭାବେ ଚିହ୍ନିତ କରାଯାଇପାରେ ।

 

ସାଲବେଗଙ୍କ ବ୍ରଜବୋଲି ଭାଷାରେ ପାରଦର୍ଶିତା ରହିଥିବାରୁ ଏହି ଭାଷାରେ ମଧ୍ୟ ସେ ଏକାଧିକ ଭଜନ ରଚନା କରିଛନ୍ତି । କବିଙ୍କର ଏହିପରି ଭଜନ ମଧ୍ୟରେ ପ୍ରଧାନ ହେଉଛି ‘ଭଲା ସେ ନବଘନ’, ‘ବାହେ ସଖୀ ଗଣ’ ପ୍ରଭୃତି । ପ୍ରଥମ ଗୀତ ‘ଭଲା ସେ ନବଘନ କାଳିଆ’ ମଧ୍ୟରେ କବି ରାଧା ଭାବରେ କୃଷ୍ଣଙ୍କ ସହିତ ମିଳିତ ହେବାକୁ ପ୍ରୟାସୀ ହୋଇଛନ୍ତି । ରାଧା କୃଷ୍ଣଙ୍କ ଉଦ୍ଦେଶ୍ୟରେ ଯେପରି ନିଜ ହୃଦୟର ଅଭିବ୍ୟକ୍ତି ପ୍ରକାଶ କରିଥାନ୍ତି, କବି ସାଲବେଗ ସେହିପରି କୃଷ୍ଣଙ୍କ ଉଦ୍ଦେଶ୍ୟରେ ନିଜ ମନୋଭାବ ବ୍ୟକ୍ତ କରିଛନ୍ତି । ଏହି ପଦଟିରେ ବ୍ରଜ ବୋଲି ଶବ୍ଦ ‘ଦୁଲାରିଆ’ ଓ ବଙ୍ଗଳା ଶବ୍ଦ ‘ବୋଲିଆ’ ରହିଥିବାରୁ ଏହି ଭଜନଟିକୁ ଯେତେ ପରିମାଣରେ ବ୍ରଜବୋଲି ଭଜନ କୁହାଯାଏ। ତତୋଧିକ ପରିମାଣରେ ଓଡ଼ିଆ ଭଜନ ଭାବେ ଗ୍ରହଣ କରାଯାଇଥାଏ । ଭଜନଟି ହେଉଛି ଏହିପରି

 

‘‘ଭଲା ସେ ନବଘନ କାଳିଆ ।।

ତ୍ରିଭଙ୍ଗୀ ଛନ୍ଦେ ଉଭା,

କରେ ମୁରଲୀ ଶୋଭା,

ଜୁଡ଼ାଟି ବାନ୍ଧିଅଛି ଟାଲିଆ ।।

ହସି ହସି ସେ ଆସି,

ମୋ ମନ ନେଲେ ତୋଷ,

ନାଗର ନନ୍ଦଦୁଲାରିଆ ।।’’

 

ଏହି ମିଶ୍ର ଭାଷାରେ ରଚିତ କବିଙ୍କର ଅନ୍ୟ ଏକ ଭଜନ ହେଉଛି ‘ବାୟେ ସଖୀଗଣ ବିବିଧ ବାଜଣ’ । ଆଲୋଚ୍ୟ ଭଜନରେ ରାଧାଙ୍କର ସଖୀମାନେ ମୃଦଙ୍ଗ, ଚାଙ୍କୁ ପ୍ରଭୃତି ନାନା ପ୍ରକାର ବାଦ୍ୟଯନ୍ତ୍ର ଧରି କୃଷ୍ଣ ନାମ କୀର୍ତ୍ତନ କରୁଥିବାର ଦୃଶ୍ୟ ବର୍ଣ୍ଣିତ ।

 

‘‘ବାୟେ ସଖିଗଣ ବିବିଧ ବାଜଣ

ବାୟେ ଅତି ଅନୁପମରେ ।

ମୃଦଙ୍ଗ ଚଙ୍ଗ ଉପାଙ୍ଗ ସୁମଧୁର

ସପ୍ତସ୍ଵର ତିନି ଗ୍ରାମରେ ।।

କୋଇ ନାଚତ ତାଲ ବଜାୟତ

ନାଚତ ଶ୍ୟାମା ଶ୍ୟାମରେ

ଆନନ୍ଦେ ତରଙ୍ଗିତ ବହୁତ ଯମୁନା

ଏ ରୂପ ସଖି ସୁଖଧାମରେ ।’’

ମୋଟାମୋଟି ଭାବରେ ବ୍ରଜବୋଲି ଓ ବଙ୍ଗଳା ଭାଷାରେ ରଚିତ ମିଶ୍ର ଭଜନରେ କବି ସାଲବେଗ ନିଜ ହୃଦୟର ଭାବାବେଗ ବର୍ଣ୍ଣନା ସହିତ ବଙ୍ଗଳା ଓ ହିନ୍ଦୀ ଭାଷାରେ ମଧ୍ୟ ଉଚ୍ଚାଙ୍ଗ ଭାଷା ଜ୍ଞାନର ପରିଚୟ ଦେଇଛନ୍ତି ।

 

କଳି ଭାରତ :

‘କଳି ଭାରତ’ ହେଉଛି ଭକ୍ତକବି ସାଲବେଗଙ୍କର ଆଗତ ଭବିଷ୍ୟ ସଂପର୍କିତ ଏକ କ୍ଷୁଦ୍ର ମାଳିକା । ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପୋଥି ବିଭାଗରେ ସଂରକ୍ଷିତ କଳିଭାରତ ପୋଥିଟି ସାତଗୋଟି ଅଧ୍ୟାୟରେ ପରିସମାପ୍ତ ହୋଇଛି । ମାତ୍ର ଏହି ସାତଗୋଟି ଅଧ୍ୟାୟରୁ ସାଲବେଗ ସାହିତ୍ୟର ସଂଗ୍ରାହକ ଓ ବିଶିଷ୍ଟ ଗବେଷକ ପଣ୍ଡିତ ନୀଳମଣି ମିଶ୍ର ତାଙ୍କର ‘ଭକ୍ତକବି ସାଲବେଗ : ଜୀବନୀ ଓ ପଦ୍ୟାବଳୀ’ ପୁସ୍ତକରେ ସାଲବେଗଙ୍କ ନାମ ଭଣିତା ଥିବା କଳିଭାରତ ପୋଥିର ପ୍ରଥମ ଓ ଷଷ୍ଠ ଦୁଇଗୋଟି ଅଧ୍ୟାୟ ସଂଗ୍ରହ କରିଛନ୍ତି । ‘କଳିଭାରତ’ ର ପ୍ରଥମ ଅଧ୍ୟାୟରେ ବର୍ଣ୍ଣିତ ଅଛି–

‘କହୁଅଛନ୍ତି ସାଲବେଗ ।

କଳି ପୁରାଣର ଚରିତ ।।

ଶୁଣ ହେ ସୁଜ୍ଞଜନ ମାନ ।

ଯେ କିଛି କଳିର ଭିଆଣ ।।

ୟେକ ଯେ ଦିନ ଜାଣ ମୁହିଁ ।

ବଳଗଣ୍ଡିର ପାଶେ ଥାଇ ।।

ବଡ଼ ଦେଉଳେ ମୁହଁ ଗଲି ।

ପ୍ରଭୁଙ୍କୁ ଦର୍ଶନ ଯେ କଲି ।।

ଲେଉଟି ବଳଗଣ୍ଡିଠାରେ ।

ପ୍ରବେଶ ହୋଇଲି ରାତ୍ରରେ ।।

ମୋତେ ବୋଇଲେ ନାରାୟଣ ।

ହେ ସାଲବେଗ ଏବେ ଶୁଣ ।।

ଯେ କିଛି କଳିର ପୁରାଣ ।

ଲେଖକ କର ଏବେ ପୁଣ ।।”

 

ସେହିପରି ‘କଳିପୁରାଣ’ର ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ଅଛି

 

“କହେ ସାଲବେଗ ହୀନ,

ସଂସାର ଜନେ ହେ ସମସ୍ତେ ଶୁଣ ହେ !

ରାଧାକୃଷ୍ଣ ପାଦେ କର ଧ୍ୟାନ,

ମୋ ରାମ ଯେ !!’’

 

ଆମ ସାହିତ୍ୟରେ ଭବିଷ୍ୟ ମାଳିକା ରଚନାର ପରମ୍ପରା ପୁରାଣ ପଞ୍ଚସଖା ଯୁଗରୁ ଆରମ୍ଭ ହୋଇଥିଲା । ସେହି ସମୟରେ ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ଜଗନ୍ନାଥ ଦାସ, ବଳରାମ ଦାସ ପ୍ରଭୃତି କବିମାନେ ମାଳିକା ରଚନା କରି ଆମ ସମାଜର ଭବିଷ୍ୟତ ସଂପର୍କରେ ସମ୍ୟକ ସୂଚନା ଦେବା ସହିତ ମାନବ ଜାତିକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ପାଇଁ ପ୍ରଯତ୍ନ କରିଥିଲେ । ସେହି ପରମ୍ପରାର ପରବର୍ତ୍ତୀ ସ୍ରଷ୍ଟା ଥିଲେ ଭକ୍ତକବି ସାଲବେଗ । ଅସଂଖ୍ୟ ଓ ଅଗଣିତ ଭଜନ ଜଣାଣ ଲେଖିବା ସହିତ ଓଡ଼ିଆ ଜାତିର ଭବିଷ୍ୟତ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ସହିତ ସତର୍କ ଦୃଷ୍ଟି ଦେବାପାଇଁ ସେ ‘କଳିଭାରତ’ ରଚନା କରିଥିବା ଅନୁମାନ କରାଯାଇପାରେ ।

 

ସାଲବେଗଙ୍କ ‘କଳିଭାରତ’ର ପ୍ରଥମାଂଶରେ ଉଲ୍ଲେଖ ଅଛି ସାଲବେଗ ପୁରୀ ବଳଗଣ୍ଡିରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନାର୍ଥେ ବଡ଼ଦେଉଳକୁ ଯାଇଥିଲେ । ସେଠାରୁ ପୁନଶ୍ଚ ବଳଗଣ୍ଡିକୁ ପ୍ରତ୍ୟାଗମନ କରିବାପରେ ଚକ୍ରଧର ଯଦୁପତି ତାଙ୍କୁ କଳିଭାରତ ଲେଖିବାକୁ ଯାହା ନିର୍ଦ୍ଦେଶ ଦେଇଥିଲେ ତାହା ହେଲା ଏହିପରି :

 

‘‘ମୁହିଁ ବୋଲଇ ଯଦୁସାଇଁ ।

କିବା ଲେଖକ କରିବଇଁ ।।

ମୋତେ ବୋଇଲେ ଚକ୍ରଧର ।

ଯାହା କାଟିବୁ ମନେ ଗାର ।।

ସେ ଭାଗବତ ହେବ ସାର ।

କହିଦେବି ମୁଁ ତୋ ହୃଦର ।।

ସେ ଆଜ୍ଞା ପାଇ ଲେଖିଲଇଁ ।

ଶୁଣ ସୁଜନେ ମନ ଦେଇ ।।’’

 

ଯଦୁପତିଙ୍କ ନିର୍ଦ୍ଦେଶମତେ ସାଲବେଗ କଳିଭାରତ ଲେଖା ଆରମ୍ଭ କରିଥିଲେ । ଗ୍ରନ୍ଥଟିର ପ୍ରଥମାଂଶରେ ସାଲବେଗ ପ୍ରଭୁ ଜଗନ୍ନାଥଙ୍କ ସଂପର୍କିତ କେତେକ ଭବିଷ୍ୟବାଣୀ କରିଥିଲେ । କବି ଉଲ୍ଲେଖ କରିଥିଲେ ଯେ, ବୈତରଣୀ ନଦୀ ତୀରସ୍ଥ ଯାଜପୁର ନଗରର ଅନତି ଦୂରରେ ରାମଚନ୍ଦ୍ର ଦେବଙ୍କ ଆଠ ଅଙ୍କରେ ବିପ୍ର ମିଶ୍ର ନାମକ ଜନୈକ ବ୍ରାହ୍ମଣ ଘରେ ଭଗବାନ କୃଷ୍ଣ ଓ ତାଙ୍କର ଅଗ୍ରଜ ବଳରାମ ଭ୍ରାତାଦ୍ୱୟ ଜନ୍ମଗ୍ରହଣ କରିବେ ।

 

ଦୁଇ ଭ୍ରାତାଙ୍କ ଜନ୍ମ ସଙ୍ଗେ ସଙ୍ଗେ ତାଙ୍କର ପିତାମାତା ସ୍ୱର୍ଗପ୍ରାପ୍ତି ହେବେ । ସେମାନେ ବୈକୁଣ୍ଠ ଗମନ କରି ସେଠାରେ ପୁଷ୍ପକ ବିମାନରେ ବିଜେ କରିବେ । ପିତାମାନଙ୍କର ସ୍ୱର୍ଗ ପ୍ରାପ୍ତି ପରେ ଭାତୃଦ୍ଵୟ ବୃନ୍ଦାବନ ଯିବା ପାଇଁ ପ୍ରୟାସୀ ହେବେ ଓ ଦୁଇଟି ଅଶ୍ୱରେ ବୃନ୍ଦାବନ ଗମନ କରିବେ । ବାଟରେ ଚନ୍ଦନ ବୃଷ୍ଟି ହେବ । ଏଥିରେ ଦେବତାମାନେ ଆନନ୍ଦିତ ହେବେ । କୈବର୍ତ୍ତମାନେ ଭ୍ରାତୃଦ୍ଵୟଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବେ । ଶେଷରେ କୃଷ୍ଣ ଓ ବଳରାମ ଭ୍ରାତୃଦ୍ଵୟ ବୃନ୍ଦାବନରେ ପହଞ୍ଚିବେ । ତା'ପରେ ଆରମ୍ଭ ହେବ ନଅ ଅଙ୍କ ।

 

ନଅ ଅଙ୍କରେ ସମଗ୍ର ଉତ୍କଳ ଭୂଖଣ୍ଡରେ ଯବନମାନଙ୍କର ଉତ୍ପାତ ବୃଦ୍ଧି ପାଇବ । ସେମାନେ ପ୍ରଥମେ ଖୋରଧା ଓ ସେଠାରୁ କଟକକୁ ଯିବେ । କ୍ରମଶଃ ସେମାନଙ୍କର ଅତ୍ୟାଚାରରେ ରାମଚନ୍ଦ୍ର ଦେବଙ୍କ ସୈନ୍ୟ ସାମନ୍ତ ପାତ୍ରମନ୍ତ୍ରୀଙ୍କୁ ହାଣକାଟ କରି ରକ୍ତପାତ କରିବେ । ଯବନମାନଙ୍କ ଅତ୍ୟାଚାରରେ ସମଗ୍ର ଉତ୍କଳର ଚତୁର୍ଦ୍ଦିଗ ତ୍ରାହି ତ୍ରାହି ଡାକିବ । ଏଥି ଉତ୍ତାରେ ସେମାନେ ଉତ୍ତର ଦିଗକୁ ଗମନ କରିବେ । ସେଠାରେ ରାଜାଘରେ ମଣିମୁକ୍ତା ଦେଖି ତାକୁ ଅପହରଣ କରିବାକୁ ଯୁଦ୍ଧ କରିବେ । ଫଳତଃ ପ୍ରଭୁଙ୍କୁ ନେଇ ଅନ୍ୟତ୍ର ସ୍ଥାପନ କରିବାକୁ ପଡ଼ିବ ।

 

ରାଜାଙ୍କର ଦଶ ଅଙ୍କରେ ପୁନଶ୍ଚ ସେହି ଯବନମାନଙ୍କ ଆକ୍ରମଣ ହେତୁ ଦେଶରେ ଅରାଜକତା ଓ ଅଚଳାବସ୍ଥା ସୃଷ୍ଟି ହେବ । ରାଜା ଜଗନ୍ନାଥଙ୍କୁ ଘେନି ଆସିବେ । ଏଗାର ଅଙ୍କରେ ପୁଣି ଜଗନ୍ନାଥଙ୍କୁ ନେଇ ପଳାୟନ କରିବେ । ଏହି ସମୟରେ ଉତ୍ତର ଦିଗକୁ ତୁର୍କିମାନେ ଗମନ କରିବେ ଏବଂ ସେଠାରେ ସେମାନଙ୍କର ବିଲୟ ଘଟିବ । ବାର ଅଙ୍କର ଆଶ୍ୱିନ ମାସରେ କୁମାରର ବିନାଶ ଘଟିବ । ତେର ଅଙ୍କରେ ପ୍ରଭୁ ନାରାୟଣ ବୃନ୍ଦାବନ ତ୍ୟାଗ କରିବେ ଓ ଆଦିମୂଳ ଆସିବେ । ଆଦିମୂଳ ହିଁ ବ୍ରାହ୍ମଣ ବାଳକ ନାରାୟଣ । ମାତ୍ର ତାଙ୍କୁ କେହି ସହଜରେ ଚିହ୍ନିପାରିବେ ନାହିଁ । ପ୍ରଭୁ ନାରାୟଣ ଗଙ୍ଗା ଘାଟରେ ମିଳିତ ହେବେ । ସେହି ଘାଟରେ ସେ ସିଠ ନାମକ ଜଣେ ଭକ୍ତଙ୍କୁ ଦର୍ଶନ ଦେବେ । ମାତ୍ର ସେଠାରେ ମଧ୍ୟ ତାଙ୍କୁ କେହି ଚିହ୍ନିପାରିବେ ନାହିଁ । ସେଠାରୁ ପ୍ରଭୁ ଯାଜନଗ୍ରକୁ ଆସିବେ ଓ ସେଠାରେ ସେ ବ୍ରହ୍ମରାଶିଙ୍କ ସହିତ ମିଳିତ ହେବେ । ଯାଜନଗ୍ରର ପଶ୍ଚିମ ଭାଗରେ ଥିବା ହ୍ରଦ ନିକଟସ୍ଥ ଏକ ବଟବୃକ୍ଷ ତଳେ ସେ ବିଜେ କରିବେ । ସେଠାରେ ଦୁଇଦିନ ରହି ସେଠାରୁ ସେ କଟକ ଭୁବନକୁ ଯିବେ ଓ ସେଠାରୁ ପୁରୁଷୋତ୍ତମ ପୀଠକୁ ଗମନ କରିବେ । ପୁରୁଷୋତ୍ତମ କ୍ଷେତ୍ରରେ ବଡ଼ ଦେଉଳର ଦକ୍ଷିଣ ପାର୍ଶ୍ଵରେ ହରି ପଣ୍ଡା ନାମକ ଜଣେ ବ୍ରାହ୍ମଣ ଘରେ ଭଗବାନ ପଞ୍ଚୁପାଣ୍ଡବ ହୋଇ ଜନ୍ମଗ୍ରହଣ କରିବେ । ପାଣ୍ଡବ ପାଞ୍ଚଭାଇ ବଳଗଣ୍ଡି ଯାଇ ସେଠାରେ ପେଣ୍ଡୁ ଖେଳିବେ ଓ ଶ୍ରାବଣ ମାସ ପର୍ଯ୍ୟନ୍ତ ପୀତବାସ ହୋଇ ସେଠାରେ ରହିବେ ।

 

ତେର ଅଙ୍କର ସେହି ମାସରେ ନୃପତିଙ୍କର ପିତୃଶ୍ରାଦ୍ଧ ପଡ଼ିବ । ମୃଗୟା ନିମିତ୍ତ ସେ ବନସ୍ତକୁ ଗମନ କରିବେ । ବନସ୍ତରୁ ପ୍ରତ୍ୟାବର୍ତ୍ତନ କାଳରେ ନୃପବର ରାମ ଗୋପୀନାଥଙ୍କୁ ଦର୍ଶନ କରିବେ ଓ ତାଙ୍କୁ ନିଜ ପୁରକୁ ଘେନିଯିବେ । ପାତ୍ରମନ୍ତ୍ରୀଙ୍କୁ ସେ ନିର୍ଦ୍ଦେଶ ଦେବେ ଏହି ଦୁଇ ଦ୍ୱିଜଙ୍କୁ କେହି କିଛି କହିବେ ନାହିଁ । ବରଂ ଯାହା ଦୋଷ ହେବ ତାହା ଗଜପତିଙ୍କର ହେବ । ତେର ଅଙ୍କ ଶେଷରେ ପ୍ରଭୁ ରାଣୀ ହଂସପୁରରେ ପ୍ରବେଶ କରିବେ । ମାତ୍ର ରାଣୀମାନେ ପ୍ରଭୁ ଚକ୍ରଧରଙ୍କ ହସ ବୁଝିପାରିବେ ନାହିଁ । ଅନ୍ୟ ପକ୍ଷରେ ନୃପତି ଏପରି ଭିକ୍ଷୁକ ବ୍ରାହ୍ମଣ କେଉଁଠୁ ଆସିଲେ କହି କଟୂକ୍ତି କରିବେ । ଏହା କହି ସେମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରହାର କରିବେ । ଏହାପରେ ନାରାୟଣ ଅନ୍ତର୍ଦ୍ଧାନ ହୋଇଯିବେ । ପ୍ରଭୁଙ୍କର ଅନ୍ତର୍ଦ୍ଧାନ ପରେ ରାଣୀମାନଙ୍କର ଚୈତନ୍ୟୋଦୟ ହେବ । ଗଜପତି ପ୍ରଭୁଙ୍କୁ ଝୁରିହେବେ ।

 

‘‘ଏମନ୍ତ ବୋଲି ବିଚାରିବେ ।

ରାଣୀ ହଂସପୁରରେ ପଶିବେ ।।

ହାସ୍ୟ ରଚିବେ ଚକ୍ରଧର ।

କୋପିବେ ରାଣୀମାନେ ତା’ର ।।

କାହିଁର ଭିକ୍ଷୁକ ବ୍ରାହ୍ମଣ ।

କାଲି ଆସିବେ ନୃପରାଣ ।।

ଏମନ୍ତ ବୋଲିଣ ବୋଲିବେ ।

ଶ୍ରୀକୃଷ୍ଣ ଅଙ୍ଗରେ ପିଟିବେ ।।

ଅନ୍ତର୍ଦ୍ଧାନ ଯେ ନାରାୟଣ ।

କାହୁଁ ପାଇବେ ରାଣୀଗଣ ।।

ନ ଦେଖି ରାମ-ନୃପନାଥ ।

ଝୁରିବେ ରାମ ଗୋପୀନାଥ ।।”

 

ଚଉଦ ଅଙ୍କରେ ରାଜାଙ୍କର ଆକସ୍ମିକ ମୃତ୍ୟୁ ପରେ ପରେ ନରନାଥ ବୈକୁଣ୍ଠ ଗମନ କରିବେ । ଏହାପରେ କିଏ ରାଜା ହେବେ, ସେଥିପାଇଁ ପାତ୍ରମନ୍ତ୍ରୀଙ୍କ ମଧ୍ୟରେ ଭାଳେଣି ପଡ଼ିଯିବ । ହସ୍ତୀ ସୁବର୍ଣ୍ଣ କଳସୀ ଧରି ସମଗ୍ର ଖୋରଧା ରାଜ୍ୟ ପରିକ୍ରମା କରିବେ । ପ୍ରାୟ ଚଉଦ ଦିନ କାଳ ଦିବାରାତ୍ରୀ ଭ୍ରମି ଭ୍ରମି ଶେଷରେ ବଳଗଣ୍ଡିଠାରେ ପ୍ରଭୁଙ୍କୁ ସାକ୍ଷାତ କରିବେ । ହସ୍ତୀ ତାଙ୍କ ଉପରେ ସୁନା କଳସ ଢାଳିବ ଓ ସେ ହେବେ ଉତ୍କଳର ନରପତି । ସେ ବଳରାମ ଓ ଯୁଧୁଷ୍ଠିରଙ୍କ ସହିତ ରାଜକାର୍ଯ୍ୟ ପରିଚାଳନା କରିବେ । ଭୀମ ହେବେ ଦ୍ଵାରପାଳ, ଅର୍ଜ୍ଜୁନ ହେବେ ପାତ୍ର, ନକୁଳ ହେବେ ସେନାପତି, ସହଦେବ ହେବେ ମନ୍ତ୍ରୀ ।

 

‘‘ସୁବର୍ଣ୍ଣ ହସ୍ତୀ ଯେ ମଣ୍ଡାଅ ।

ତା ପରେ କଳସ ଦିଆଅ ।।

ଯାପରେ ଢାଳିବ କଳସ ।

ସେ ରାଜା ହେବ ଖୃଧା ଦେଶ ।।

ରାତ୍ର ଦିବସ ଏବେ ଜାଣ ।

ଚଉଦ ଦିନ ପରମାଣ ।।

ପ୍ରଭୁଙ୍କୁ ଭେଟିବେ ସେ ଯାଇ ।

ବଳଗଣ୍ଡିର ପାଶେ ରହି ।।

 

ଏହିପରି ଭାବରେ ପ୍ରଭୁ ଚକ୍ରଧର ସଂସାର ପାଳନ କରିବେ । ହିନ୍ଦୁ ଜାତିରେ ଯେତେ ଦୁଷ୍ଟ ଥିଲେ ସେ ସମସ୍ତଙ୍କୁ ସଂହାର କରିବେ ।

 

‘‘ହିନ୍ଦୁ ଜାତିରେ ଦୃଷ୍ଟ ଯେତେ ।

ମାରିବେ ଆପେ ଗୋପୀନାଥେ ।।

ପଛେ ମେଖଳ ନିବାରଣ ।

କରିବେ ପ୍ରଭୁ ନାରାୟଣ ।।

ଶୁଣ ସୁଜନ ଜନମାନ ।

ଆଉ ଭଜିବେ ନାହିଁ ଦିନ ।।

 

ଏହି ହେଉଛି ‘କଳିଭାରତ’ର ପ୍ରଥମାଂଶରେ ବର୍ଣ୍ଣିତ ଭକ୍ତକବି ସାଲବେଗଙ୍କର ଆଗତ ଭବିଷ୍ୟ ସଂପର୍କିତ ମାଳିକା । ଏହି ମାଳିକାରେ ବିଭିନ୍ନ ନାମରେ ଯେଉଁ ପ୍ରଭୁଙ୍କର କଥା ଉଲ୍ଲେଖ କରାଯାଇଛି ସେ ସ୍ଵୟଂ ପ୍ରଭୁ ଜଗନ୍ନାଥଙ୍କ ବ୍ୟତୀତ ଅନ୍ୟ କେହି ନୁହନ୍ତି । ରାମଚନ୍ଦ୍ର ଦେବଙ୍କ ଆଠ ଅଙ୍କରୁ ଆରମ୍ଭ କରି ସମଗ୍ର ଓଡ଼ିଶାର ଚତୁର୍ଦ୍ଦିଗରେ ମୋଗଲମାନଙ୍କର ଅତ୍ୟାଚାର ଏକଦା ଭୀଷଣାକାର ଧାରଣ କରିଥିଲା । ଫଳତଃ ବଡ଼ ଦେଉଳର ପ୍ରଭୁ ଶ୍ରୀଜଗନ୍ନାଥ ନିରାପଦରେ ରହିନପାରି ପ୍ରଥମେ ଯାଜପୁର ଓ ସେଠାରୁ ନିଜର ସୁରକ୍ଷା ନିମିତ୍ତ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଗମନ କରିଥିଲେ । ଉତ୍କଳୀୟମାନଙ୍କର ଆତ୍ମାପୁରୁଷ ଜଗନ୍ନାଥଙ୍କୁ କବଳିତ କରିଦେଲେ ସମଗ୍ର ଓଡ଼ିଆ ଜାତିର ସ୍ଵାଭିମାନ ଧୂଳିସାତ୍ ହୋଇଯିବ ଓ ଏହି ଜାତି ସବୁଦିନ ପାଇଁ ପରାସ୍ତ ହୋଇଯିବ ବୋଲି ମୋଗଲମାନେ ବିଚାରୁଥିଲେ । ତେଣୁ ସେମାନେ ଏ ଜାତିର ହୃତ୍‍ପିଣ୍ଡ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ଆରମ୍ଭ କରିବା ସହିତ ତାଙ୍କ ବଡ଼ ଦେଉଳକୁ ବାରମ୍ବାର ଆକ୍ରମଣ କରିଥିଲେ । ଫଳତଃ ତତ୍କାଳୀନ ଗଜପତିଙ୍କୁ ଜଗନ୍ନାଥ ଦାରୁ ବିଗ୍ରହକୁ ବହୁବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ନେଇ ଲୁଚାଇ ରଖିବାକୁ ପଡ଼ିଥିଲା । ଏ ପ୍ରସଙ୍ଗ କବି ସାଲବେଗ ତାଙ୍କର ‘କଳିଭାରତ’ର ପ୍ରଥମାଶଂରେ ନିମ୍ନଭାବରେ ବର୍ଣ୍ଣନା କରିଛନ୍ତି ।

 

‘‘ଦଶ ଅଙ୍କେଣ ନୃପନାଥ ।

ଘେନି ଆସିବେ ଜଗନ୍ନାଥ ।।

ଏଗାର ଅଙ୍କେ ଏବେ ଜାଣ ।

ପୁଣି ଯେ ଘେନି ଯିବେ ରାମ ।।

ପ୍ରଭୁଙ୍କୁ ଘେନି କରି ଯିବ ।

ନିଶ୍ଚଳ ଭାବେ ସେ ରହିବ ।।

ଏଗାର ଅଙ୍କଠାରେ ଜାଣ ।

ଉତ୍ତରେ ତର୍କିର ଗମନ ।।

 

‘କଳିଭାରତ’ର ଷଷ୍ଠ ଅଧ୍ୟାୟରେ ଭକ୍ତକବି ସାଲବେଗ ପ୍ରଭୁ ଜଗନ୍ନାଥ ନୀଳଗିରି ପରିତ୍ୟାଗ କରି ଦରିଆରେ ରହିବା କଥା ବର୍ଣ୍ଣନା କରିଛନ୍ତି । ବ୍ରାହ୍ମଣମାନେ ଅନ୍ୟାୟ କରିବେ, ଧର୍ମ ଅଧର୍ମ ମାନିବେ ନାହିଁ । ଫଳତଃ ପ୍ରଭୁ ନୀଳଗିରିର ସିଂହାସନ ତ୍ୟାଗ କରିବାକୁ ବାଧ୍ୟ ହେବେ ବୋଲି ଏହି ପ୍ରସଙ୍ଗରେ ସେ ଉଲ୍ଲେଖ କରିଛନ୍ତି । ଏତିକିବେଳେ ତାଙ୍କ ବ୍ରହ୍ମକୁ ଆଠଗଡ଼ରେ ଲୁଚାଇବାକୁ ପଡ଼ିବ । ତାଙ୍କର ବଡ଼ ଭାଇ ଗୋଦାବରୀ ତୀରରେ ଜନ୍ମନେବେ । ନନ୍ଦୀପୁରଠାରେ ଭଗବାନ ଜନ୍ମ ଗ୍ରହଣ କରିବେ । ହିନ୍ଦୁମାନଙ୍କର ତ୍ରେତିଶକୋଟି ଦେବତା ଭଗବାନ ଭକତଙ୍କର ରକ୍ଷାକର୍ତ୍ତା ହୋଇ ପଶ୍ଚିମ କୂଳରେ ଜନ୍ମଗ୍ରହଣ କରିବେ । ସେ ଚଉଦକୋଟି କାନ୍ତାନୀ, ଚଉଷଠୀ ଯୋଗ୍ନୀଙ୍କ ସହିତ ବ୍ରହ୍ମର୍ଷି ଉତ୍ତରରେ, ଶ୍ରୀଜଗନ୍ନାଥ ପୂର୍ବଭାଗରେ ଏବଂ ଦକ୍ଷିଣରେ ବଳରାମ ଜନ୍ମ ଗ୍ରହଣ କରିବେ । ଏକଥା କବି ନିମ୍ନ ଭାବେ ବ୍ୟକ୍ତ କରିଛନ୍ତି ।

 

“ଆଜ୍ଞା ଦେଲେ ଭଗବାନ,

ବ୍ରହ୍ମା ମହେଶ୍ଵର ସକଳ ଜନ ଯେ ।

ଉତ୍ତର ଖଣ୍ଡେ ଜନମ, ମୋ ରାମ ଯେ ।।

ବ୍ରହ୍ମାଋଷି ଉତ୍ତରରେ,

ଶ୍ରୀଜଗନ୍ନାଥଟି ପୂର୍ବଭାଗରେ ଯେ !

ଦକ୍ଷିଣରେ କଳେବରେ, ମୋ ରାମ ଯେ !!'’

 

ଭଗବାନଙ୍କ ଆଜ୍ଞାରେ ରାଜାଙ୍କ ଚଉଦ ଅଙ୍କରେ ଦେବଦେବୀ ସମଗ୍ର ଦେଶ ଭ୍ରମଣ କରି ବିଶ୍ଵଳିପାଡ଼ିଆମାନଙ୍କୁ ନିଧନ କରିବେ ଓ ଭକ୍ତଗଣଙ୍କୁ ରକ୍ଷା କରିବେ । ହିଂସା, ବିଦ୍ୱେଷ ଓ କପଟଚାରୀମାନେ ପୃଥିବୀରୁ ଲୋପ ପାଇବେ । ଘରବୁଡ଼ା ଲୋକଙ୍କୁ ଦୁର୍ଗାଦେବୀ ବିନାଶ କରିବେ-। ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି ସେମାନେ ଦୈବୀ କ୍ରୋଧର ଶିକାର ହେବେ ନାହିଁ । ସେମାନେ ହରି ପାଦରେ ଶରଣ ପଶିବେ । ଯାଜପୁରରେ ତେର ଅଙ୍କରେ କେହି ରହିବେ ନାହିଁ । ସେତେବେଳକୁ ସମସ୍ତେ ରେଣୁରେ ପରିଣତ ହେବେ । ଭଗବାନଙ୍କ ଆଜ୍ଞାରେ ପାତକ ପାତକୀ ଓ ମ୍ଳେଚ୍ଛମାନେ ମରିବେ । ଚଉଦ ଅଙ୍କରେ ଭଗବାନ ରାଜା ହୋଇ ପୃଥିବୀର ନୀଳଗିରିରେ ଅବସ୍ଥାନ କରିବେ ଓ ପ୍ରଜାମାନଙ୍କୁ ଅତ୍ୟନ୍ତ ଆନନ୍ଦ ଚିତ୍ତରେ ପାଳନ କରିବେ । ସେତେବେଳେ ସମଗ୍ର ପୃଥିବୀରେ ସତ୍ୟ ଓ ଶାନ୍ତି ପ୍ରତିଷ୍ଠା ହେବ । ଶ୍ରୀମନ୍ଦିରରେ କୈବଲ୍ୟପୁର ପସରା ବସିବ । ପଞ୍ଚଦଶ ଅଙ୍କରେ ନନ୍ଦିଘୋଷ ରଥକୁ ଜଗନ୍ନାଥ ଓହ୍ଲାଇ ଆସିବେ ଓ ସେଠାରୁ ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ଅବସ୍ଥାନ କରିବେ । ଏହିକଥାକୁ କବି ନିମ୍ନମତେ ବ୍ୟକ୍ତ କରିଛନ୍ତି ।

 

ଯାଜପୁର ସ୍ଥାନ ସେହି,

ତେର ଅଙ୍କମାନେ ନଥିବେ କେହି ଯେ !

ଥୋକେ ଯିବେ ରେଣୁ ହୋଇ, ମୋ ରାମ ଯେ !!

ଆଜ୍ଞା ଦେଲେ ଭଗବାନ,

ମରିବେ ପାତେକୀ ମେଳଖ ଜନ ଯେ !

ତୁମ୍ଭେ ଥିବ ମୋର ସନ୍ନିଧାନ, ମୋ ରାମ ଯେ !!’’

 

ଅଷ୍ଟାଦଶ ଶତକରେ ପ୍ରଭୁ ଜଗନ୍ନାଥ ନାନା ବିପତ୍ତିର ସମ୍ମୁଖୀନ ହୋଇଥିଲେ । ବିଦ୍ୱେଷୀ ଯବନମାନଙ୍କ ଅତ୍ୟାଚାର ହେତୁ ଏକ ନିରାପଦ ସ୍ଥାନ ଚିଲିକା ଗର୍ଭରେ ତାଙ୍କୁ କିଛିଦିନ ଲୁକ୍‌କାୟିତ ଅବସ୍ଥାରେ ରଖା ଯାଇଥିଲା । ସେତେବେଳେ ଓଡ଼ିଶାର ରାଜାଥିଲେ ଦ୍ୱିତୀୟ ରାମଚନ୍ଦ୍ରଦେବ । ମାତ୍ର ତାଙ୍କର ରାଜତ୍ୱ ସମୟ ହେଉଛି ସାଲବେଗଙ୍କ ସମୟର ପ୍ରାୟ ଏକଶତ ବର୍ଷ ପରର କଥା । ତେଣୁ ‘କଳିଭାରତ’ ଗ୍ରନ୍ଥରେ ସାଲବେଗ ତାଙ୍କର ଏକ ଶତବର୍ଷ ପରବର୍ତ୍ତୀ ଜଣେ ଶାସକ ଓ ତାଙ୍କ ସମକାଳୀନ ଓଡ଼ିଶାର ସାମାଜିକ, ରାଜନୀତିକ ତଥା ସଂସ୍କୃତିକ ଇତିହାସର କଥା କିପରି କହିଥିବେ ହୁଏତ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ । ମାତ୍ର ଏଠାରେ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇପାରେ ଯେ, ‘କଳିଭାରତ’ ହେଉଛି ସାଲବେଗଙ୍କ ରଚିତ ଏକ ଆଗତ ଭବିଷ୍ୟ ମାଳିକା । ପୁରାଣ ପଞ୍ଚସଖା ଯୁଗର କବି ଓ ଦ୍ରଷ୍ଟା ଅଚ୍ୟୁତାନନ୍ଦ ଦାସ ଯେପରି ‘ଭବିଷ୍ୟ ମାଳିକା’ରେ ଭବିଷ୍ୟତ ଉତ୍କଳର କଥା ଉଲ୍ଲେଖ କରିଥିଲେ କବି ସାଲବେଗ ଜଣେ ଦିବ୍ୟ ଦ୍ରଷ୍ଟା ଭାବରେ ସେହିପରି ଭବିଷ୍ୟତ ଉତ୍କଳର ଶାସକ ଦ୍ୱିତୀୟ ରାମଚନ୍ଦ୍ର ଦେବ, ଓଡ଼ିଶାର ସଂସ୍କୃତିର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥ ଓ ତାଙ୍କ ଉପରେ ଯବନମାନଙ୍କ ଦ୍ଵାରା ହେବାକୁ ଥିବା ଅତ୍ୟାଚାରର କଥା ପ୍ରକାଶ କରିଛନ୍ତି । ଏ ପ୍ରସଙ୍ଗରେ ପଣ୍ଡିତ ନୀଳମଣି ମିଶ୍ରଙ୍କ ‘ଭକ୍ତକବି ସାଲବେଗ : ଜୀବନୀ ଓ ପଦ୍ୟାବଳୀ’ ଗ୍ରନ୍ଥରେ ବର୍ଣ୍ଣିତ ଅଭିମତକୁ ସ୍ୱୀକାର କରାଯାଇପାରେ । ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ‘‘ରାମଚନ୍ଦ୍ର ଦେବଙ୍କ ଆଠଅଙ୍କ ଠାରୁ ଦେଶରେ ଯେଉଁ ‘ମୋଗଲଗୋଳ’ ହୋଇଥିଲା, ସେଥିରେ ଅତିଷ୍ଠ ହୋଇ ପ୍ରଭୁ ନୀଳାଚଳରୁ ଅନ୍ତର୍ଦ୍ଧାନ ହୋଇଯାଇ ଯାଜପୁରର ବିରଜା ଶାସନ’ର ବିପ୍ର ମିଶ୍ରଙ୍କ ଗୃହରେ ଜନ୍ମ ଗ୍ରହଣ କରିଥିଲେ । ମାଦଳାପାଞ୍ଜି ଓ ସମସାମୟିକ ଇତିହାସରୁ ମଧ୍ୟ ସୂଚନାମିଳେ ଯେ, ରାମଚନ୍ଦ୍ରଦେବ ଯବନ ଆକ୍ରମଣରୁ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କୁ ରକ୍ଷା କରିବାକୁ ଜୀବନର ଶେଷ ଉଦ୍ୟମ କରିଥିଲେ ଏବଂ ପରିଶେଷରେ ଇସ୍‌ଲାମ୍ ଧର୍ମରେ ଦୀକ୍ଷିତ ହୋଇଥିଲେ । କବି ସାଲବେଗ ରାମଚନ୍ଦ୍ରଦେବଙ୍କ ଇସ୍‍ଲାମ ଧର୍ମରେ ଦୀକ୍ଷିତ ହେବା ଘଟଣା ଲେଖି ନଥିଲେ ମଧ୍ୟ ଚଉଦ ଅଙ୍କଠାରେ ଜାଣି ସେଠାରେ ନୃପତି ମରଣ ହୋଇଥିବାର ବର୍ଣ୍ଣନା କରିଛନ୍ତି; ଅର୍ଥାତ୍ ସାଲବେଗ ଖ୍ରୀ.ଅ. ୧୭୬୩ ସାଲ ପର୍ଯ୍ୟନ୍ତ ଘଟଣା ଉଲ୍ଲେଖ କରିଛନ୍ତି । ସେଥିରୁ ଏତିକି ଅନୁମାନ କରିହୁଏ ଯେ, କବି ସାଲବେଗ ସେହି ପର୍ଯ୍ୟନ୍ତ ଜୀବିତ ଥିଲେ । ତାପରେ ଭାଗୀରଥି କୁମାର ବୀରକିଶୋରୀ ଦେବ ନାମରେ ରାଜା ହେବା ପରେ ଦେଶରେ ସୁଶାସନ ପ୍ରତିଷ୍ଠିତ ହୋଇଥିଲା । ଏହି ଘଟଣାକୁ କବି ସାଲବେଗ ଜନୈକ ଅନନ୍ୟ ଭକ୍ତ ଭାବରେ ପ୍ରଭୁଙ୍କ କରୁଣା ଅର୍ଥାତ୍ ପ୍ରଭୁ ନିଜେ ଦେଶର ଶାସନ ଭାର ଗ୍ରହଣ କରିଥିବାର ବର୍ଣ୍ଣନା କରିଛନ୍ତି । କବି ସାଲବେଗ ନିଜେ ଜଣେ ଭକ୍ତ ହୋଇଥିବାରୁ ଭାକ୍ତିକ କଳ୍ପନା ବ୍ୟତୀତ ତାଙ୍କର ଭକ୍ତି ଭାବନା ପୂର୍ଣ୍ଣ ମନକୁ ଅନ୍ୟ କୌଣସି ଘଟଣା ସ୍ପର୍ଶ କରି ନଥିବା ସ୍ଵାଭାବିକ ! ତେଣୁ ବୀରକେଶରୀ ଦେବଙ୍କ ସୁଶାସନକୁ ସେ ଜଗନ୍ନାଥଙ୍କ ଶାସନ ବୋଲି ବର୍ଣ୍ଣନା କରିଥିବାର ମନେହୁଏ ।

 

ମହର୍ଷି ବାଲ୍ମୀକି ତାଙ୍କର ରାମୟଣ ଗ୍ରନ୍ଥରେ ନୀଳକନ୍ଦର ନିବାସୀ ଜଗନ୍ନାଥଙ୍କୁ ରାମ ବୋଲି ସ୍ୱୀକାର କରିଛନ୍ତି । ଜଗନ୍ନାଥଙ୍କ ସ୍ୱରୂପ ମଧ୍ୟରେ ରହିଛି ସବୁଧର୍ମର ଅପୂର୍ବ ସମନ୍ୱୟ । ପୃଥିବୀର ବିଭିନ୍ନ ଧର୍ମକୁ ନିଜ ମଧ୍ୟରେ ଧାରଣ କରି ପ୍ରଭୁ ଜଗନ୍ନାଥ ସମନ୍ୱୟର ଭାବନା ସ୍ଵରୂପ ବିଶ୍ୱର ପ୍ରତ୍ୟେକ ମାନବ ଉଦ୍ଦେଶ୍ୟରେ ତାଙ୍କର ପତିତପାବନ ବାନା ଉଡ଼ାଇଛନ୍ତି । ଫଳତଃ ଜଗନ୍ନାଥଙ୍କୁ କେନ୍ଦ୍ରକରି ଭାରତ ସମେତ ଉତ୍କଳ ଭୂମିରେ ବହୁ ଭଜନ ଓ ଜଣାଣ ରଚିତ ହୋଇ ଭାରତୀୟ ଭକ୍ତି ସାହିତ୍ୟର ଧାରାକୁ ପୁଷ୍ଟ ଓ ପ୍ଳାବିତ କରିଛି ।

Image

 

Unknown

ଚତୁର୍ଥ ପରିଚ୍ଛେଦ

 

ସମକାଳୀନ ଧର୍ମ ଓ ସାଲବେଗଙ୍କ ଭଜନାବଳୀ :

 

ପବିତ୍ର ଧର୍ମ ଭୂମି ଓଡ଼ିଶା । ଏହି ଭୂମିରେ ବିଭିନ୍ନ ସମୟରେ ବହୁ ଧର୍ମ ସୃଷ୍ଟି ହୋଇ ବିକାଶ ଲାଭ କରିଛି ପୁଣି ସମୟକ୍ରମେ ବିଲୀନ ହୋଇଯାଇଛି । ଓଡ଼ିଶାରେ ଏହି ଉଦ୍ଦେଶ୍ୟରେ କେତେ ଭକ୍ତି ସ୍ରୋତର ପ୍ରାବଲ୍ୟ ସୃଷ୍ଟି ହୋଇଛି ତା’ର ଇୟତା ନାହିଁ । ଆମ ପ୍ରାଚୀନ ଓଡ଼ିଆ ସାହିତ୍ୟ ଥିଲା ଧର୍ମାନୁସାରୀ । କବି ଓ ଲେଖକମାନେ ସାଧାରଣତଃ ନିଜ ନିଜର ଧର୍ମକୁ ପ୍ରତ୍ୟକ୍ଷଭାବରେ ହେଉ ବା ପରୋକ୍ଷ ଭାବରେ ହେଉ–ତାଙ୍କର କାବ୍ୟ କବିତାରେ ରୂପାୟିତ କରୁଥିଲେ । ସେମାନେ ନିଜ ନିଜର ଆରାଧ୍ୟ ଦେବଦେବୀଙ୍କୁ ଘେନି ତାଙ୍କର ସାରସ୍ୱତ ସୃଷ୍ଟି ସର୍ଜନା କରୁଥିଲେ । ତେଣୁ ସନାତନ ହିନ୍ଦୁଧର୍ମ ଠାରୁ ଆରମ୍ଭ କରି ବୌଦ୍ଧଧର୍ମ, ଜୈନଧର୍ମ, ଶାକ୍ତଧର୍ମ, ଗାଣପତ୍ୟ ଧର୍ମ, ବୈଷ୍ଣବଧର୍ମ ପ୍ରଭୃତିର ପ୍ରବାହରେ ଓଡ଼ିଆ ସାହିତ୍ୟ ସମୃଦ୍ଧ ହୋଇଛି । ସମଗ୍ର ଭାରତବର୍ଷର ବିଭିନ୍ନ ସ୍ଥାନରେ ମୀରାବାଈ, ତୁଳସୀ ଦାସ, ସୁରଦାସ, ବିଦ୍ୟାପତି, କବୀର, ଚଣ୍ଡୀଦାସ ପ୍ରଭୃତି ଭାରତୀୟ ସାହିତ୍ୟକୁ ନିଜସ୍ୱ ପ୍ରଚାରିତ ଧର୍ମରେ ଯେପରି ଦୀର୍ଘଦିନ ଧରି ଆପ୍ଳୁତ କରି ରଖିଛନ୍ତି ଆମ ଓଡ଼ିଆ ସାହିତ୍ୟର ପ୍ରାରମ୍ଭିକ ପର୍ଯ୍ୟାୟରୁ ଏ ପର୍ଯ୍ୟନ୍ତ ତାହାହିଁ ହୋଇଛି ।

 

ଓଡ଼ିଆ ସାହିତ୍ୟର ଆଦିକାଳରେ କବି ସାରଳା ଦାସ ତାଙ୍କ ମହାଭାରତ ସମେତ ବିଭିନ୍ନ ଗ୍ରନ୍ଥରେ ନାନା ଧର୍ମ ଓ ମତବାଦ ସଂପର୍କରେ ଆଲୋଚନା କରିଥିଲେ ହେଁ ଶାକ୍ତଧର୍ମ ପ୍ରତି ଅଧିକ ଆକର୍ଷିତ ହୋଇ ପଡ଼ିଛନ୍ତି । ମାତ୍ର ସମାଜରେ ସାଂପ୍ରଦାୟିକ ସଦ୍ଭାବନା ପ୍ରତିଷ୍ଠା କରିବା ନିମିତ୍ତ ସେ ଲୋକଧର୍ମ ଉପରେ ଗୁରୁତ୍ୱ ଦେଇଛନ୍ତି । ଅନ୍ୟ ପକ୍ଷରେ ପୁରାଣ ପଞ୍ଚସଖା ଯୁଗର ମୁଖ୍ୟ ବର୍ଣ୍ଣିତ ଧର୍ମ ହେଉଛି ଜଗନ୍ନାଥ କୈନ୍ଦ୍ରିକ ବୈଷ୍ଣବ ଧର୍ମ । ପଞ୍ଚସଖାମାନଙ୍କର ଆବିର୍ଭାବ କାଳକୁ ବୈଷ୍ଣବ ଧର୍ମ ଦର୍ଶନର ବିଭିନ୍ନ ମତବାଦ ଓଡ଼ିଶାରେ ପ୍ରସାରିତ ଓ ପ୍ରଚାରିତ ହୋଇସାରିଥାଏ ଏବଂ ଓଡ଼ିଶୀ ବୈଷ୍ଣବ ଧର୍ମର ଏକ ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ରୂପ ଏଥିରେ ପ୍ରକଟିତ ହୋଇଥାଏ । ଏତିକିବେଳେ ବୈଷ୍ଣବଧର୍ମରେ ନାନା ବିରୋଧାଭାସ ସତ୍ତ୍ୱେ ମଧ୍ୟ ସମକାଳୀନ କବିମାନେ ଶ୍ରୀଚୈତନ୍ୟଙ୍କର ପଟ୍ଟଶିଷ୍ୟ ହୋଇ ତାଙ୍କ ସୃଷ୍ଟିରେ ବୈଷ୍ଣବ ଧର୍ମ ଓ ଦର୍ଶନକୁ ଅଧିକ ଗୁରୁତ୍ୱ ଦେଉଥିଲେ । ଏହି ସ୍ରଷ୍ଟାମାନେ ସମକାଳୀନ ଓଡ଼ିଶାରେ ପ୍ରଚଳିତ ବୈଷ୍ଣବଧର୍ମ ଓ ଦର୍ଶନକୁ ଭିତ୍ତିକରି ନିଜ ସୃଷ୍ଟିକୁ ମାର୍ଜିତ କରିଥିଲେ । ତତ୍ ସହିତ ଏହି ଧର୍ମକୁ ତାଙ୍କ ସୃଷ୍ଟି ମଧ୍ୟରେ ଗ୍ରହଣ କରି ପଞ୍ଚସଖା ସାହିତ୍ୟର ସ୍ଵାତନ୍ତ୍ର୍ୟ ଓ ମୌଳିକତା ପ୍ରତିପାଦନ କରିଥିଲେ ।

 

ଶ୍ରୀଚୈତନ୍ୟଙ୍କ ଓଡ଼ିଶା ଆଗମନ ପରେ ପରେ ଓଡ଼ିଶାରେ ରାଧାକୃଷ୍ଣ ପ୍ରେମଲୀଳା ସହିତ ଗୋପୀକୃଷ୍ଣଙ୍କର ପ୍ରେମଲୀଳା ପ୍ରାଧାନ୍ୟ ଲାଭ କରିଥିଲା । ଏହା ରାଗାନୁଗା-ରାଗାତ୍ମିକା-ପ୍ରେମଭକ୍ତି ନାମରେ ଏକ ନୂତନ ଧାରା ପ୍ରବର୍ତ୍ତନ କରିଥିଲା । ଏଥିରେ ପ୍ରଥମେ ଶ୍ରୀଜଗନ୍ନାଥ ଓ ପରେ ପରେ ଶ୍ରୀକୃଷ୍ଣ ତଥା ବିଷ୍ଣୁଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଜ୍ଞାନ ଓ ପ୍ରେମର ମିଶ୍ରଣ କରାଯାଇଥିଲା । ଏହି ପର୍ଯ୍ୟାୟରେ କବିମାନେ ପ୍ରେମର ସ୍ୱରୂପକୁ ତାଙ୍କର ବିଭିନ୍ନ କାବ୍ୟ କବିତାରେ ପ୍ରଚାର କରିଥିଲେ । ଓଡ଼ିଶାରେ ପ୍ରଥମେ ଏହି ଜ୍ଞାନ ମିଶ୍ରା ଯୋଗ ପଣ୍ଡିତ ଭକ୍ତି ତତ୍ତ୍ୱ କାବ୍ୟ-ଗୁଣ ଠାରୁ ବହୁ ଦୂରରେ ଥିବାରୁ ତାହା ଉତ୍କଳୀୟ କାବ୍ୟାମୋଦୀ ସୁଧୀ ଜନଗଣ ଓ ତାଙ୍କ ଚିତ୍ତକୁ ଏତେ ସହଜରେ ଆକୃଷ୍ଟ କରିପାରି ନଥିଲା । ମାତ୍ର ଅନ୍ୟ ପକ୍ଷରେ ଶ୍ରୀଚୈତନ୍ୟଙ୍କ ପ୍ରବର୍ତ୍ତିତ ପ୍ରେମର ମାର୍ଗ ରସସ୍ନିଗ୍‍ଧ ଓ କାବ୍ୟ ଗୁଣ ଯୁକ୍ତ ହୋଇ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଏତିକିବେଳେ ବୌଦ୍ଧ ସହଜିଆମାନଙ୍କର ମହାସୁଖ ବୈଷ୍ଣବ ସହଜିଆମାନଙ୍କର ମହାଭାବରେ ରୂପାନ୍ତରିତ ହୋଇ ବୈଷ୍ଣବ ଧର୍ମକୁ ସମଗ୍ର ଭାରତୀୟ ଧର୍ମୀୟ ଦିଗନ୍ତ ଦୃଷ୍ଟିରୁ ଏକ ନୂତନ ମୋଡ଼ ବା ଚେତନା ଆଣି ଦେଇଥିଲା । ଏହା ଫଳରେ ଆମ ସମାଜରେ ରାସଲୀଳା ଆରମ୍ଭ ହୋଇଥିଲା । ଏହାକୁ ନେଇ ସମଗ୍ର ଭାରତୀୟ ସାହିତ୍ୟରେ ବହୁ କାବ୍ୟ କବିତା ଭଜନ ଜଣାଣ ରଚିତ ହୋଇଥିଲା । ଆମ ଓଡ଼ିଆ ସାହିତ୍ୟରେ ମଧ୍ୟ ଅନୁରୂପ ଭାବରେ ରାସ ଲୀଳାକୁ କେନ୍ଦ୍ର କରି ବହୁ ସୃଷ୍ଟି ସର୍ଜନା ହୋଇଥିଲା ।

 

ପଞ୍ଚସଖା ସାଧକମାନେ ଥିଲେ ଜ୍ଞାନମିଶ୍ରା ଭକ୍ତିର ଉପାସକ । ଏହା ସତ୍ତ୍ୱେ ସେମାନେ ବିଶୁଦ୍ଧ ଗୋପୀଭକ୍ତିର ଉପାସନା ସହିତ ଗୋପୀ ମାହାତ୍ମ୍ୟକୁ ଅନୁସରଣ କରି ରାଧା ଲୀଳା ସହିତ ଗୋପୀକୃଷ୍ଣ ଲୀଳା ଉପଲବ୍‍ଧି କରୁଥିଲେ । ଏହି ସାଧକମାନେ ସେମାନଙ୍କ ସୃଷ୍ଟି ମଧ୍ୟରେ ଯୋଗ, ତନ୍ତ୍ର, ମନ୍ତ୍ର, ଲୟ, ସମାଧି ପ୍ରଭୃତିକୁ ପ୍ରାଧାନ୍ୟ ଦେଉଥିଲେ ହେଁ ଜ୍ଞାନ ଭକ୍ତି ସହିତ ପ୍ରେମ ଭକ୍ତି ସଂପର୍କରେ ସେମାନେ ଥିଲେ ଖୁବ୍ ସଚେତନ । ଶ୍ରୀଜଗନ୍ନାଥ ଥିଲେ ଏହି କବିମାନଙ୍କର ପ୍ରଧାନ ଉପାସ୍ୟ ଦେବତା । ଜଗନ୍ନାଥଙ୍କ ଠାରେ ସବୁ ଧର୍ମର ସମନ୍ୱୟ ହୋଇଛି । ଇତିହାସର ବିବର୍ତ୍ତନ ଅନୁସାରେ ନାନା ଧର୍ମ ମତବାଦକୁ ତାଙ୍କଠାରେ ଆରୋପଣ କରାଯାଇଛି । ଫଳତଃ ଜଗନ୍ନାଥ ହୋଇଛନ୍ତି ମହାବୈଷ୍ଣବ ଓ ମହାବୁଦ୍ଧ । ପୁନଶ୍ଚ ପଞ୍ଚସଖା କବିମାନଙ୍କ ସାଧନ ପ୍ରଣାଳୀରେ ଜଗନ୍ନାଥ ହୋଇଛନ୍ତି ଶୂନ୍ୟରୂପ ପରଂବ୍ରହ୍ମ । ଓଡ଼ିଶୀ ବୈଷ୍ଣବ ଧର୍ମ ଓ ଦର୍ଶନ ଶ୍ରୀଚୈତନ୍ୟଙ୍କ ଓଡ଼ିଶା ଆଗମନ ପୂର୍ବରୁ ବିଭିନ୍ନ ଭାବରେ ଗତି କରି ଆସି ବଳରାମ, ଜଗନ୍ନାଥ, ଅଚ୍ୟୁତାନନ୍ଦ ପ୍ରଭୃତିଙ୍କ ସମୟରେ ଏକ ନୂତନ ରୂପ ଗ୍ରହଣ କରିଥିଲା । ତେଣୁ ଏମାନଙ୍କ ଧର୍ମ ଓ ଦର୍ଶନକୁ ସେହି ଅର୍ଥରେ ପଞ୍ଚସଖା ଜ୍ଞାନାଶ୍ରୟୀ ବୈଷ୍ଣବ ଧର୍ମ ବା ଜଗନ୍ନାଥ ଓଡ଼ିଶୀ ଧର୍ମ ଭାବରେ ଗ୍ରହଣ କରାଯାଇଥିଲା ।

 

ଶ୍ରୀଚୈତନ୍ୟଙ୍କ ଓଡ଼ିଶା ଆଗମନ ପରେ ପ୍ରତାପରୁଦ୍ରଦେବଙ୍କ ପ୍ରଧାନ ସେବାଧ୍ୟକ୍ଷ ରାୟ ରାମାନନ୍ଦଙ୍କ ସହିତ ତାଙ୍କର ସଂପର୍କ ସ୍ଥାପନ ହୋଇଥିଲା । ଏହି ସାକ୍ଷାତ ଅବସରରେ ଶ୍ରୀଚୈତନ୍ୟଙ୍କ ପ୍ରଚାରିତ ଧର୍ମ ରାଜ ପୃଷ୍ଠପୋଷକତା ଲାଭ କରିଥିଲା । ଏହାପରେ ପରେ ଷୋଡ଼ଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଜ୍ଞାନ ମିଶ୍ରା ଭକ୍ତି ଓ ପ୍ରେମମିଶ୍ରା ଭକ୍ତିଧାରାରେ ଏକ ସମନ୍ୱୟ ସ୍ଥାପିତ ହୋଇ ଓଡ଼ିଶାରେ ପ୍ରଚାରିତ ବୈଷ୍ଣବ ଧର୍ମରେ ଏକ ନୂତନ ଧାରା ସୃଷ୍ଟି ହୋଇଥିଲା । ପ୍ରତାପରୁଦ୍ରଙ୍କ ଓଡ଼ିଶା ଆଗମନ ପରେ ପରେ ଓଡ଼ିଶାରେ ପ୍ରଥମ କରି ଗୌଡ଼ୀୟ ବୈଷ୍ଣବ ଧର୍ମର ପ୍ରଭାବ ପରିଲକ୍ଷିତ ହୋଇଥିଲା । ଏହି କାଳରେ ପ୍ରଥମେ ତାଙ୍କୁ ରାଗାନୁଗା ପ୍ରେମଧର୍ମର ପ୍ରଚାର ନିମିତ୍ତ ଯଥେଷ୍ଟ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଓଡ଼ିଶାରେ ତାଙ୍କ ପ୍ରଚାରିତ ରାଗାନୁଗା ପ୍ରେମଧର୍ମର ଅନୁକୂଳ ବାତାବରଣ ଅଭାବ ପରିଲକ୍ଷିତ ହେବାରୁ ସେ ଆଲୱାରମାନଙ୍କର ପ୍ରେମଭକ୍ତି ବହୁଳ ଅଞ୍ଚଳ ଦାକ୍ଷିଣାତ୍ୟକୁ ଗମନ କରିଥିଲେ । ସେଠାରେ ତାଙ୍କର ଗୋଦାବରୀ ନଦୀ ତୀରରେ ରାୟ ରାମାନନ୍ଦଙ୍କ ସହିତ ସାକ୍ଷାତ ଆଲୋଚନା ହୋଇଥିଲା ଓ ସେ ଏହି ଧର୍ମ ସଂପର୍କରେ ଆଲୋଚନା କରିଥିଲେ ଏହି ଆଲୋଚନା ପ୍ରସଙ୍ଗରେ ରାଧାଭାବରେ ପ୍ରେମ କରିବା ହିଁ ଭକ୍ତି ଏବଂ ରାଧା ଭାବ ହିଁ ଶ୍ରେଷ୍ଠ ବୋଲି ଚୈତନ୍ୟ - ରାମାନନ୍ଦ ଏକସ୍ୱରରେ ଉଲ୍ଲେଖ କରିଥିଲେ । ଆଲଓ୍ୱାର ସଂପ୍ରଦାୟର ବୈଷ୍ଣବ କବି ‘ତିରୁପ୍‌ପାଭାଇ’ ନିଜକୁ ଗୋପୀ ସ୍ଥାନରେ ରଖି ସର୍ବଦା ଶ୍ରୀକୃଷ୍ଣଙ୍କ ସାନ୍ନିଦ୍ଧ କାମନା କରିଥିଲେ । ଫଳତଃ ଷୋଡ଼ଶ ଶତାବ୍ଦୀରେ ବୈଷ୍ଣବ ସାହିତ୍ୟକୁ କେନ୍ଦ୍ରକରି ଯେଉଁ ଦୁଇଟି ଧାରା ଆମ ସାହିତ୍ୟରେ ପ୍ରାଧାନ୍ୟ ଲାଭ କରିଥିଲା ତାହା ହେଉଛି ଓଡ଼ିଶୀ ବୈଷ୍ଣବ ଧର୍ମ ଓ ଗୌଡୀୟ ବୈଷ୍ଣବ ଧର୍ମ । ପ୍ରେମାଶ୍ରିତ ଗୌଡୀୟ ବୈଷ୍ଣବ ଧର୍ମରେ ଭଜନ ଓ କୀର୍ତ୍ତନ ଓଡ଼ିଶାରେ ଏହି କାଳରୁ ଜନପ୍ରିୟ ହେବାରେ ଲାଗିଲା ଓ ଏହା ସମଗ୍ର ଉତ୍କଳୀୟ ଜନତାଙ୍କୁ ସ୍ପର୍ଶ କରିବା ସହିତ ସେମାନଙ୍କ ହୃଦୟରେ ସ୍ଵତଃ ପ୍ରବୃତ୍ତ ଭାବରେ ଅନାବିଳ ଭକ୍ତିଧାରା ସୃଷ୍ଟି କରିଥିଲା ।

 

ଜ୍ଞାନ ଓ ଭକ୍ତି ମଧ୍ୟରେ ଭକ୍ତି ହେଉଛି ଶ୍ରେଷ୍ଠ । ଭଗବାନଙ୍କ ପ୍ରାପ୍ତି ନିମିତ୍ତ ଜ୍ଞାନ ଅପେକ୍ଷା ଭକ୍ତି ମାର୍ଗ ଅଧିକ ସହଜ ଓ ସରଳ । ମାନବ ଭକ୍ତି ଭାବନାରେ ଆପ୍ଳୁତ ହୋଇଗଲେ ତା ହୃଦୟରୁ ଜ୍ଞାନର ସତ୍ତା ଲୋପ ପାଇଯାଏ । ଏ ପର୍ଯ୍ୟାୟରେ ସ୍ୱୟଂ ଭଗବାନ ଉଲ୍ଲେଖ କରିଛନ୍ତି

 

‘‘ନ ସାଧୟତି ମାଂ ଯୋଗୋ ନ ସାଂଖ୍ୟଂ ଧର୍ମ ଉଦ୍ଧବ ।”

 

ଏହାର ଅର୍ଥ ହେଉଛି ଯୋଗ, ତପସ୍ୟା, ବେଦ ଅଧ୍ୟୟନ ପ୍ରଭୃତି ଦ୍ଵାରା ମୋତେ ପ୍ରାପ୍ତ ହେବା ବା ଲାଭ କରିବା ଏତେ ସହଜ ବ୍ୟାପାର ନୁହେଁ । ବରଂ କେବଳ ଭକ୍ତି ମାର୍ଗରେ ପ୍ରାର୍ଥନା କଲେ ଭକ୍ତ ମୋତେ ସହଜରେ ଲାଭ କରିପାରିବ । ପୁଣି ଏହି ଭକ୍ତି ହେଉଛି ପ୍ରେମ ଭକ୍ତି । ସେଥିନିମିତ୍ତ କବି ଦେବଦୁର୍ଲଭ ଦାସ ତାଙ୍କର ‘ରହସ୍ୟମଂଜରୀ’ କାବ୍ୟରେ ଏହି ପ୍ରେମ ଭକ୍ତିର ମାହାତ୍ମ୍ୟ ପ୍ରତିପାଦନ କରି ଉଲ୍ଲେଖ କରିଛନ୍ତି–

 

‘‘ଚାରି ଭକ୍ତି ମଧ୍ୟେ ପ୍ରେମ ଭକ୍ତି ଅଟେ ସାର,

ସେ ଭକ୍ତି ଅଟଇ କୋଠ ଗୋପୀମାନଙ୍କର ଗୋ ।

ଗୋପୀଙ୍କି ଭଜିଲା ଭକ୍ତ ପ୍ରେମ ଭକ୍ତି ପାଇ,

ବିନା ପ୍ରେମ ଭକ୍ତିରେ ଦର୍ଶନ ମୋତେ ନାହିଁ ଗୋ ।’’

(ଷଷ୍ଠ ଛାନ୍ଦ, ୨୩-୨୫ ପଦ)

 

ଗୋପୀମାନେ ଏହି ମାର୍ଗରେ କୃଷ୍ଣଙ୍କ ପ୍ରତି ସଂପୂର୍ଣ୍ଣ ଭାବେ ଅନୁରକ୍ତ । ଏପରି ଅନୁରକ୍ତି ଭାବ ନଆସିଲେ କୃଷ୍ଣଙ୍କୁ ଲାଭ କରିବା ଏତେ ସହଜ ନୁହେଁ । ଏହି ମାର୍ଗ ସର୍ବତୋଭାବରେ ଗୋପାଙ୍ଗନାମାନଙ୍କଠାରେ ହିଁ ସୀମିତ । ଏହି ମାର୍ଗରେ ପାଦ ଦେଲେ ଅନୁରକ୍ତି ବା ଅନୁରାଗରେ ପ୍ରଥମେ ପରମ ପ୍ରେମମୟ ପୁରୁଷ ଶ୍ରୀକୃଷ୍ଣଙ୍କଠାରେ ସଂପୂର୍ଣ୍ଣ ଆତ୍ମ ସମର୍ପଣ କରିବାକୁ ପଡ଼େ । ଏହା ଫଳରେ ମନ ଓ ଚିତ୍ତ ମଧ୍ୟରେ ଯେତେ ଯାହା ଆବିଳତା ଥାଏ ସମସ୍ତ ଦୂରିଭୂତ ହୁଏ । ଏହା ହେଉଛି ଶୁଦ୍ଧା ରାଗାନୁଗା ଓ ପ୍ରେମ ଭକ୍ତିର ପ୍ରଥମ ପାବଚ୍ଛ । ତେଣୁ ସାଲବେଗ ତାଙ୍କର ଭଜନ ଓ ଜଣାଣ ମଧ୍ୟରେ ଜ୍ଞାନ ଅପେକ୍ଷା ପ୍ରେମ ଭକ୍ତିକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ବ୍ରଜଶ୍ରେଷ୍ଠ ଶ୍ରୀକୃଷ୍ଣଙ୍କ ସହିତ ଗୋପାଙ୍ଗନା ଓ ଶ୍ରୀରାଧାଙ୍କ ମଧ୍ୟରେ ସେ ଦୃଢ଼ ସଂପର୍କ ସ୍ଥାପନ କରିଛନ୍ତି । ସାଲବେଗଙ୍କ ଭଜନ ଓ ଜଣାଣ ମଧ୍ୟରେ ପ୍ରେମର ଶାନ୍ତ ସ୍ନିଗ୍‌ଧ ଧାରା ହିଁ ପ୍ରାଧାନ୍ୟ ଲାଭ କରିଛି । ପ୍ରେମ ଭକ୍ତି କବି ସାଲବେଗଙ୍କ ଦୃଷ୍ଟିରେ ହେଉଛି କୃଷ୍ଣ ପ୍ରୀତିର ଏକ ଶ୍ରେଷ୍ଠ ଓ ଦୃଢ଼ ଧାରା । ଏହି ଧାରା ଏକ ପରିପୂର୍ଣ୍ଣ ଅବସ୍ଥା ମଧ୍ୟ ଦେଇ ପ୍ରେମ ଭକ୍ତିରେ ରୂପାନ୍ତରିତ ହୁଏ । ଏହି ଧାରାରେ ଗୋପାଙ୍ଗନାଙ୍କ ଠାରୁ ଆରମ୍ଭ କରି ଶ୍ରୀରାଧାଙ୍କ ପର୍ଯ୍ୟନ୍ତ କିଏ କେତେବେଳେ ସଂସାରର ନାନା କାର୍ଯ୍ୟରୁ ଓ ମୋହ ବନ୍ଧନ ଠାରୁ ଦୂରେଇଯାଇ କୃଷ୍ଣଙ୍କ ସହିତ ମିଳିତ ହେବାପାଇଁ ଉତ୍କଣ୍ଠିତ ହୋଇ ଜ୍ୟୋସ୍ନା ବିଧୌତ ମଧୁ ଯାମିନୀର ଅପେକ୍ଷାରେ ଥାଆନ୍ତି । ଏହି ମାଙ୍ଗଳିକ ମୁହୂର୍ତ୍ତରେ ସେମାନେ ନିଜ ନିଜର ଧର୍ମ କର୍ମ କିଛି ନମାନି ବ୍ୟସ୍ତ ହୋଇ ଯମୁନା ତୀରକୁ ଧାଆଁନ୍ତି । କୃଷାନୁରାଗରେ ସେମାନଙ୍କ ମଧ୍ୟରେ କି ଉତ୍କଣ୍ଠିତ ଭାବ ! କୃଷ୍ଣ ରତିରେ କି ଗଭୀରତା ! ଶ୍ରୀକୃଷ୍ଣଙ୍କର ବଂଶୀର ମଧୁର ମୂର୍ଚ୍ଛନାରେ ସେମାନେ ପୁଲକିତ ହୁଅନ୍ତି । ରାଧା ମଧ୍ୟ ବଂଶୀର ମଧୁର ଧ୍ୱନିରେ ଉଚ୍ଚାଟିତ ହୋଇ ନିଜ ବସନ ଭୂଷଣ ପିନ୍ଧିବାକୁ ସମୟ ପାଇପାରି ନାହାନ୍ତି । କବି ଏହି କଥାକୁ ତାଙ୍କର ନିମ୍ନ କବିତା ମଧ୍ୟରେ ବ୍ୟକ୍ତ କରିଛନ୍ତି । ଯଥା–

 

‘‘ବୃନ୍ଦାବନେ ବଂଶୀ କେ ବଜାଇଲା, ଗୋ ମିତ !

ଏକା ରାଧା ରାଧା ନାମ ରାଇଲା ଗୋ !

ପଡ଼ିଲା ସେ ଛିଦ୍ର ଗଣ୍ଠି ନୀବିବନ୍ଧ ଗଲା ଫିଟି

ବସନ ପିନ୍ଧନ୍ତେ ତର ନୋହିଲା, ଗୋ ମିତ !

ପାଷାଣ ହୋଇଲା ପାଣି ଯମୁନା ବହେ ଉଜାଣି

ଝରଝର ମକରନ୍ଦ ବହିଲା, ଗୋ ମିତ !”

 

ଅନ୍ୟପକ୍ଷରେ ସାଲବେଗ କିଛିକାଳ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିବା ଅବସରରେ ନିଜ ବ୍ରାହ୍ମଣୀ ମାତାଙ୍କ ପ୍ରଭାବରେ ଜଗନ୍ନାଥଙ୍କ ପ୍ରତି ସ୍ୱତଃ ଆକୃଷ୍ଟ ହୋଇ ପଡ଼ିଥିଲେ । ସେ ଅନୁଭବ କରିଥିଲେ, ଜଗନ୍ନାଥ ହେଉଛନ୍ତି ସାରା ବିଶ୍ଵର ଦେବତା । ସମଗ୍ର ପୃଥିବୀର ସବୁ ଧର୍ମ ଓ ସବୁ ସଂପ୍ରଦାୟ ତାଙ୍କରିଠାରେ ଲୀନ ହୋଇଛନ୍ତି । ବହୁ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ ଏବଂ ସଂପ୍ରଦାୟ ମଧ୍ୟରେ ଶତଧା ବିଭକ୍ତ ଭାରତବର୍ଷକୁ ଶ୍ରୀଜଗନ୍ନାଥ ପୀଠ ହିଁ ଏକ ସୂତ୍ରରେ ଦୃଢ଼ ଭାବେ ବାନ୍ଧି ରଖିଛି । ତାଙ୍କରି ଦୃଷ୍ଟିରେ ଓ ତାଙ୍କ ନିକଟରେ ବ୍ରାହ୍ମଣଠାରୁ ଆରମ୍ଭ କରି ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ସମାନ । ତେଣୁ ସମଗ୍ର ତ୍ରିଲୋକରେ ଏପରି ତୀର୍ଥ ଦୁର୍ଲଭ ବୋଲି ମାନବର ଚେତନା ମଧ୍ୟରେ ଦୃଢ଼ ବିଶ୍ୱାସ ରହିଛି ।

 

ଭାରତବର୍ଷରେ ହିନ୍ଦୁଧର୍ମରେ ଅନେକ ସମୟରେ ନାନା ହୀନ ମନୋଭାବ ଓ ଚକ୍ରାନ୍ତ ରାଜପଣ ବିସ୍ତାର କରିଅଛି । ଫଳରେ ଧର୍ମ ଓ ସଂପ୍ରଦାୟ ଘେନି ସମାଜରେ ଦେଖାଦେଇଛି ନାନା ବିଦ୍ରୋହ ଓ ଅନାଚାର । ଧର୍ମରେ ଯେତେବେଳେ ଅନ୍ୟାୟ ଓ ଅନାଚାର ପ୍ରବେଶ କରିଛି, ଏହାକୁ ପଙ୍କିଳ ତଥା କଳୁଷିତ କରିଦେଇଛି, ସେତେବେଳେ ସମାଜରେ ଦେଖାଦେଇଛି ବିଦ୍ରୋହ । ଏହି ବିଦ୍ରୋହର ନେତୃତ୍ୱ ନେଇଛନ୍ତି ଭାରତବର୍ଷର ବହୁ ଜ୍ଞାନୀ ଜନ, ମୁନିଋଷିଗଣ । ସେମାନେ ଜଗତ୍‍ବାସୀଙ୍କର ମଙ୍ଗଳ କାମନା କରି ସମଗ୍ର ମାନବ ଜାତି ଉଦ୍ଦେଶ୍ୟରେ ପ୍ରେମ ଧର୍ମର ବାର୍ତ୍ତା ପ୍ରଚାର କରିବା ସହିତ ସବୁ ଧର୍ମ ସଂପ୍ରଦାୟ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରୟାସୀ ହୋଇଛନ୍ତି ।

 

ମାର୍କଣ୍ଡେୟ ପୁରାଣରେ ଉଲ୍ଲେଖ ଅଛି –

 

‘‘ନନ୍ଦନ୍ତୁ ସର୍ବଭୂତାନି ସ୍ନିହ୍ୟନ୍ତୁ ବିଜନେଷ୍ୱପି

ସ୍ଵସ୍ତ୍ୟସ୍ତୁ ସର୍ବଭୂତେଷୁ ନିଗତଂ କାନି ସନ୍ତୁ ଚ ।

ମା ବ୍ୟାଧିରସ୍ତୁ ଭୂତାନା ମାଧୟୋ ନ ଭବନ୍ତୁ ଚ

ମୈତ୍ରୀମଣେଷ ଭୂତାନି ପୁଷ୍ୟନ୍ତୁ ସକଳେ ଜନେ ।

ଶବମସ୍ତୁ ଦ୍ୱିଜାତୀନାଂ ପ୍ରୀତିରସ୍ତୁ ପରସ୍ପରଂ

ସମୃଦ୍ଧିଃ ସର୍ବବର୍ଣ୍ଣାନାଂ ସିଦ୍ଧିରସ୍ତୁ ତ କର୍ମଣାମ୍ ।”

 

ଅର୍ଥାତ୍ ଏହି ପୃଥିବୀ ପୃଷ୍ଠରେ ବସବାସ କରୁଥିବା ସମସ୍ତ ପ୍ରାଣୀ ଆନନ୍ଦରେ ବସବାସ କରନ୍ତୁ । ଜନମାନବ ଶୂନ୍ୟସ୍ଥାନ ଆନନ୍ଦରେ ଭରିଉଠୁ । ସମସ୍ତ ପ୍ରାଣୀ ଆନନ୍ଦରେ କାଳାତୀପାତ କରନ୍ତୁ ଓ ନିରାପଦରେ ଜୀବନଯାପନ କରନ୍ତୁ । ଜୀବମାନେ ନିରୋଗ ରୁହନ୍ତୁ । କାହାରି ହୃଦୟରେ ପୀଡ଼ା ଭାବ ଜାତ ନ ହେଉ । ସମସ୍ତ ଜୀବ ସଂସାରରେ ପରସ୍ପର ପ୍ରତି ପ୍ରୀତି ମନୋଭାବ ପୋଷଣ କରନ୍ତୁ । ବ୍ରାହ୍ମଣମାନଙ୍କ ସହିତ ସବୁ ବର୍ଣ୍ଣରେ ସଂପ୍ରୀତି ସ୍ଥାପିତ ହେଉ ଏବଂ ସକଳ କର୍ମରେ ସିଦ୍ଧି ଲାଭ ହେଉ ଇତ୍ୟାଦି । ଏହିକଥା ବାରମ୍ବାର ବିଶ୍ୱର ପ୍ରତ୍ୟେକ ଦାର୍ଶନିକ ଓ ଭାବୁକ ତାଙ୍କ ସୃଷ୍ଟି ମଧ୍ୟରେ ଚିନ୍ତାକରି ସମଗ୍ର ବିଶ୍ଵବାସୀଙ୍କୁ ଏହି ଚିନ୍ତାରେ ଏକାକାର ହେବାପାଇଁ ପ୍ରେରଣା ଦେଇଛନ୍ତି-

 

ଅନୁରୂପ ଭାବେ କବି ସାଲବେଗ ତାଙ୍କ ଭଜନ ଓ ଜଣାଣ ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ସେହି ମନୋଭାବ ପୋଷଣ କରିଛନ୍ତି । ଜଗନ୍ନାଥ ହେଉଛନ୍ତି କବି ସାଲବେଗଙ୍କ ଦୃଷ୍ଟିରେ ବିଶ୍ଵର ଦେବତା । ବିଶ୍ଵବାସୀଙ୍କ ସୁଖ ଦୁଃଖରେ ସେ ଦୁଃଖୀ ଓ ସୁଖୀ । ତେଣୁ ନୀଳାଚଳ ଧାମରେ ଅବସ୍ଥାନ କାଳରେ ସେହି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ମଧ୍ୟରେ ନିଜ ଜୀବନ ଆରପାରିକୁ ଚାଲିଯିବା ପାଇଁ କବି କାମନା କରିଛନ୍ତି । ପୁନଶ୍ଚ ଅନେକ ସମୟରେ ଭାରତବର୍ଷର ବିଭିନ୍ନ ତୀର୍ଥ ସ୍ଥାନକୁ ଯାଇ ଠିକ ରଥଯାତ୍ରା ବେଳକୁ ଶ୍ରୀକ୍ଷେତ୍ରକୁ ଫେରି ପାରିନଥିବାରୁ କବିଙ୍କ ମନରେ ଯେପରି ଦୁଃଖ ଓ ଅନୁଶୋଚନା ଜାତ ହୋଇଛି ତାହା ଭକ୍ତ ଜନଙ୍କ ପ୍ରାଣକୁ ଗଭୀରଭାବେ ଆନ୍ଦୋଳିତ କରିଦେଇଛି । ଅନେକ ସମୟରେ ସେ ଜଗନ୍ନାଥଙ୍କୁ ବିଭିନ୍ନ କାରଣରୁ (ଜାତିରେ ଯବନ ହୋଇଥିବାରୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯିବାବେଳେ ପଣ୍ଡା ଓ ପୁରୋହିତଙ୍କ ଆଡ଼ୁ ବାଧା ସୃଷ୍ଟି କରିବା ହେଉଛି ଗୋଟିଏ କାରଣ) ଦର୍ଶନ କରିପାରି ନାହାନ୍ତି । ଭକ୍ତକବି ସାଲବେଗଙ୍କ ହୃଦୟ ଦୁଃଖ ଓ ବେଦନାବୋଧ ମଧ୍ୟରେ ଫାଟିପଡ଼ିଛି । ତେଣୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସେ ଅଭିମାନଭରା କଣ୍ଠରେ ଗାନ କରିଛନ୍ତି–

 

“କାଳିଆ ଧନ ! ତୋ ଲାଗି ଯାଉ ଏ ଜୀବନ !

ବାରେ ନ ଦେଲୁ ଦରଶନ !

କାଳିଆ କାଳିଆ ତ୍ରିପଣ୍ଡ କାଳିଆ ପିନ୍ଧିଛି ଝୀନ ପତନି ।

କାଳିଆ ଅଙ୍ଗରୁ ବହେ ଶ୍ରମ ଝାଳ କାଳିନ୍ଦୀ ନଦୀର ପାଣି ।।

ନନ୍ଦିଘୋଷ ରଥେ ବସିଛି କାଳିଆ ଜଗତ୍ର ମୋହିବା ପାଇଁ,

ହରି ହରି ବୋଲି ଶବଦ ଶୁଭୁଛି ମନରେ ଆନନ୍ଦ ହୋଇ ।।’’

ଏହାହିଁ ହେଉଛି ସାଲବେଗଙ୍କ ସମକାଳୀନ ଉତ୍କଳୀୟ ଧର୍ମଧାରା ।

 

ସାଲବେଗଙ୍କ ଜୀବନ ଦର୍ଶନ :

 

କାବ୍ୟ କବିତା ହେଉଛି କବି ଜୀବନର ଅନ୍ତଃରୂପ, ତା’ର ମାନସ ମୁକୁର । ସୃଷ୍ଟି ମଧ୍ୟରେ କବି ଜୀବନର ସକଳ ଅନୁଭୂତି ଅନୁରଣିତ ହୁଏ, ତା’ର ହସ କାନ୍ଦ ଠାରୁ ଆରମ୍ଭ କରି ଜୀବନର ସକଳ ଭାବ ସେଥିରେ ପ୍ରକଟିତ ହୁଏ, ତା’ର ଜୀବନର ଚିତ୍ର ଫୁଟି ଉଠି କାବ୍ୟକୁ କରେ ରସଘନ, ସମୃଦ୍ଧ ଓ ଭାସ୍ୱର । ତେଣୁ ଯୁଗେ ଯୁଗେ ପାଠକ ସୃଷ୍ଟିକୁ ଅନୁଶୀଳନ କଲାବେଳେ ସ୍ରଷ୍ଟାର ଚତୁର୍ଦ୍ଦିଗରେ ଥିବା ଭାବ ସତ୍ତାକୁ ଉପଲବ୍‍ଧି କରେ । ଆଲୋଚ୍ୟ କବି ସାଲବେଗଙ୍କ ଜୀବନ ଦର୍ଶନ ଏହି ଦୃଷ୍ଟିକୋଣରୁ ବିଚାର ବିଶ୍ଳେଷଣ କରାଯାଇପାରେ । କବି ଜୀବନର ଦୁଃଖ, ଦୈନ୍ୟ ଓ ଦାରିଦ୍ର୍ୟର ଚିତ୍ର ଯେପରି ତାଙ୍କର ଭଜନ ଓ ଜଣାଣ ମଧ୍ୟରେ ଫୁଟି ଉଠିଛି ତା’ର ତୁଳନା ନାହିଁ । ନାନା ଦୁଃଖ, ଅଭାବ, ଅନାଟନ, ଅସୂୟା ଏବଂ ପରଶ୍ରୀକାତରତା ମଧ୍ୟରେ କବିଙ୍କର ବ୍ୟକ୍ତିତ୍ୱର ଏହି ଦିଗଟି ଉଜ୍ଜ୍ୱଳ ହୋଇଉଠିଛି । କୃଷ୍ଣ ଭକ୍ତିରେ ଭାବ ବିହ୍ୱଳ ହୋଇ ତାଙ୍କୁ ଆର୍ତ୍ତ କଣ୍ଠରେ କବି ଯେପରି ନିଜର ଭଜନ ଓ ଜଣାଣ ମଧ୍ୟରେ ଭକ୍ତି ଗଦ୍‌ଗଦ ଚିତ୍ତରେ ଡାକିଛନ୍ତି ତହିଁରୁ ତାଙ୍କ ଜୀବନର ଦାର୍ଶନିକ ଦିଗଟିକୁ ହୃଦୟଙ୍ଗମ କରିହୁଏ । ଏହି ଉଦ୍ଦେଶ୍ୟରେ କବି ପ୍ରାୟ ଶତାଧିକ କବିତା ରଚନା କରିଛନ୍ତି । କବିଙ୍କର ଏହିପରି କବିତା ମଧ୍ୟରେ ପ୍ରଧାନ ହେଉଛି ‘ଆହେ ନୀଳଗିରି’, ‘ଆହେ ନୀଳଶଇଳ’, ‘କଳାକାହ୍ନୁ ନାମକୁ ବହି’, ‘କହ ଗୋ କି ବୁଦ୍ଧି କରିବି’, ‘କାଳିଆ ଧନ, ବାରେ ନ ଦେଲୁ ଦରଶନ’, ‘କାଳିଆ ଧନ, ତୋ ଲାଗି ଯାଉ ଏ ଜୀବନ’ ପ୍ରଭୃତି ଜଗନ୍ନାଥ କୈନ୍ଦ୍ରିକ ରଚନାବଳୀ ।

 

‘ଆହେ ନୀଳଗିରି’ ଭଜନ ମଧ୍ୟରେ କବି ପ୍ରଭୁ ଜଗନ୍ନାଥଙ୍କର ଗୁଣ କୀର୍ତ୍ତନ କରିଛନ୍ତି । ସେ ଲକ୍ଷ୍ୟ କରିଛନ୍ତି ପ୍ରତ୍ୟହ ଶ୍ରୀକ୍ଷେତ୍ର ଧାମକୁ ବହୁ ମୁନିଋଷି ଠାରୁ ଆରମ୍ଭ କରି ଯୋଗୀଜନ ପର୍ଯ୍ୟନ୍ତ ଅସଂଖ୍ୟ ତୀର୍ଥ ଯାତ୍ରୀ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ କିଏ ବ୍ୟାଘ୍ର ଚର୍ମ ଉପରେ ବସି ଶ୍ରୀଜଗନ୍ନାଥଙ୍କୁ ଆରାଧନା କରୁଛନ୍ତି ତ କିଏ ମାଳା ଗଡ଼ାଉଛନ୍ତି । ମାତ୍ର କବି ସାଲବେଗ ବଡ଼ଦାଣ୍ଡରେ ପାଦ ଦେଇ ଖୁବ୍ ଗର୍ବ ଅନୁଭବ କରିଛନ୍ତି । ସେ ଅନ୍ୟାନ୍ୟ ଭକ୍ତଜନଙ୍କ ପରି ଜଗନ୍ନାଥଙ୍କୁ ହାତ ପାତି କିଛି ମାଗିନାହାନ୍ତି । ବଡ଼ଦାଣ୍ଡର ଧୂଳିକଣା ମସ୍ତକରେ ଧାରଣକରି ସାଲବେଗ ଆତ୍ମତୃପ୍ତି ଲାଭ କରିଛନ୍ତି । ଖୀରି ଖେଚୁଡ଼ି କଥା ଚିନ୍ତା ନକରି ଜଗନ୍ନାଥଙ୍କର ଆମ୍ବିଳା ବାସି ତୋରାଣିରେ ସେ ମନ ଦେଇଛନ୍ତି ।

 

ଅନ୍ୟ ଏକ କବିତା ‘ଆହେ ନୀଳାଚଳବାସୀ’ ମଧ୍ୟରେ କବି ଦୁଃଖରେ ଭାଙ୍ଗିପଡ଼ି ପ୍ରଭୁ ଜଗନ୍ନାଥଙ୍କର ଆଶିଷ କାମନା କରିଛନ୍ତି । ସେ ଜଗନ୍ନାଥଙ୍କ ସଂପର୍କିତ ନାନା ଆଲୋଚନାରୁ ଜାଣିଛନ୍ତି ଯେ ଜଗନ୍ନାଥ ହେଉଛନ୍ତି ଆରତ ନାଶକ ଓ ଖଳ ବିନାଶକ । ଏହି ଉଦ୍ଦେଶ୍ୟରେ ସମଗ୍ର ଜଗତରେ ତାଙ୍କ ମହିମାକୁ ପ୍ରକାଶ କରିବା ନିମିତ୍ତ ଡିଣ୍ଡିମ ବଜାଯାଉଛି; ଶ୍ରୀମନ୍ଦିର ଚୂଳରେ ବାନା ଫର ଫର ହୋଇ ଉଡ଼ୁଛି ଓ ଏହି ବାନାର ନାମ ପତିତପାବନ ବାନା ରଖାଯାଇଛି । ଜଗନ୍ନାଥ ବିଭିନ୍ନ ସମୟରେ ଆପଦ ବିପଦରେ ପଡ଼ିଥିବା ପ୍ରାଣୀ ଜଗତକୁ ସେହି ଦୁଃଖରୁ ଉଦ୍ଧାର କରିଛନ୍ତି, ମୃଗୁଣୀର ଦୁଃଖ ହରଣ କରି ତାକୁ ବିପଦରୁ ଉଦ୍ଧାର କରିଛନ୍ତି । ସେଥିପାଇଁ ଜଗନ୍ନାଥଙ୍କର ଅନ୍ୟ ନାମ କଳ୍ପତରୁ, ପତିତ ଭୟ ଭଞ୍ଜନ । କିନ୍ତୁ କବି ସାଲବେଗଙ୍କ କ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥ ଖୁବ୍ ନିଷ୍ଠୁର ହୋଇପଡ଼ିଥିବା ପରି ସେ ଅନୁଭବ କରିଛନ୍ତି । ଦୀର୍ଘକାଳ ଧରି ଅରୁଣସ୍ତମ୍ଭ ନିକଟରେ ଆଶ୍ରା କରି ସେହି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବାରମ୍ବାର ଆକୁଳ ନିବେଦନ କରିଥିଲେ ମଧ୍ୟ କବିଙ୍କ ପ୍ରତି ପ୍ରଭୁ ଜଗନ୍ନାଥ ବହୁକାଳ ପର୍ଯ୍ୟନ୍ତ ନିର୍ଦ୍ଦୟ ହୋଇଛନ୍ତି । ସାଲବେଗତ ଏହି ଧରା ବକ୍ଷର ରକ୍ତମାଂସଧାରୀ ମାନବ । ସେ’ ବା କିପରି ପ୍ରଭୁ ଜଗନ୍ନାଥଙ୍କର ତାଙ୍କ ପରି ଭକ୍ତଠାରେ ରହିଥିବା ପ୍ରୀତିଭାବ ବୁଝିପାରନ୍ତେ ! ତେଣୁ ସେ ତାଙ୍କର ଦୀର୍ଘ କାଳର ପ୍ରତୀକ୍ଷା ପରେ କବି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଛନ୍ତି :

 

“ଆହେ ନୀଳାଚଳ ବାସୀ,

ଶୋକ ଜଳଧିରେ ଗଲି ଭାସି ।।

ବାରଣ ଭୟକୁ କାରଣ କର ହେ

ଶରଣ ପଞ୍ଜର – ବାନା

ଆରତ ନାଶନ ଖଳ ବିନାଶନ

ବାରେ ହୁଅ ବଜ୍ର ସେହ୍ନା ।

ଜଗତଯାକରେ ଡିଣ୍ଡିମ ବାଜୁଛି

ଉଡ଼େ ଅବଧୂତ ବାନା

ମୃଗୁଣୀ ଆରତ ଖଣ୍ଡିଲ ହେ ନାଥ

ପତିତ ଭୟ ଭଞ୍ଜନା ।

 

ମୁଁ ଅବା ଅପ୍ରାଧୀ ହେ କୃପାବାରିଧି

ଥରେ ନୋହିଲା କରୁଣା,

କହେ ସାଲବେଗ ପ୍ରଭୁପଣକୁ ଏ

ଦିଶିବ ବହୁତ ଊଣା ।’’

 

କବି ସାଲବେଗଙ୍କର ମାତ ହିନ୍ଦୁ ରମଣୀ ଓ ପିତା ଲାଲ୍‍ବେଗ ଜାତିରେ ଯବନ । ଏଥିପାଇଁ କବିଙ୍କ ହୃଦୟରେ ଗଭୀର ଦୁଃଖ ଓ ନୈରାଶ୍ୟ । ଜାତିରେ ଯବନ ହୋଇଥିଲେ ହେଁ ସେ ମାତାଙ୍କ ଦ୍ୱାରା ବହୁ ଭାବରେ ପ୍ରଭାବିତ । ତାଙ୍କର ମାତା ହିନ୍ଦୁ ରମଣୀ ହୋଇଥିବାରୁ ସେ ପୁତ୍ର ସାଲବେଗକୁ ଓଡ଼ିଶାର ବିଭିନ୍ନ ହିନ୍ଦୁ ମନ୍ଦିରମାନଙ୍କୁ ଦେବ ଦର୍ଶନ ନିମିତ୍ତ ନେଇଥିବା ଖୁବ୍ ସମ୍ଭବ । କେବଳ ସେତିକି ନୁହେଁ, ଏହି ଅବସରରେ ସାଲବେଗ ବହୁ ପବିତ୍ର ହିନ୍ଦୁ ପୁରାଣ ଶାସ୍ତ୍ର ମଧ୍ୟ ଅଧ୍ୟୟନ କରିବେ । ମାତ୍ର ଏସବୁ ସତ୍ତ୍ୱେ ସେ ଲାଲ୍‍ବେଗଙ୍କ ପରି ଜଣେ ଯବନ ପିତାଙ୍କ ଔରସରୁ ଜନ୍ମ ହୋଇଥିବାରୁ ହିନ୍ଦୁ ସମାଜ ତାଙ୍କୁ ଘୃଣିତ ଚକ୍ଷୁରେ ଦେଖିଥିଲା । ଫଳତଃ ଭକ୍ତକବି ସାଲବେଗଙ୍କ ଅନ୍ତରାତ୍ମା ଏଥିରେ ବିଳାପ କରି ଉଠିଥିଲା । ସାଲବେଗ ତାଙ୍କ ହୃଦୟର ଏହି ବ୍ୟଥାତୁର ବୁକୁଫଟା ଦୁଃଖ ଓ ଗଭୀର ଅନୁଶୋଚନାକୁ ତାଙ୍କର ବିଭିନ୍ନ କବିତା ମଧ୍ୟରେ ବ୍ୟକ୍ତ କରି ନିଜକୁ ହୀନ ଯବନ ଭାବରେ ସମାଜରେ ପରିଚିତ କରାଇଛନ୍ତି । ଉଦାହରଣ ସ୍ଵରୂପ ତାଙ୍କର ରଚିତ ଏହିପରି କବିତାର କେତେକ ପଂକ୍ତି ଏଠାରେ ଉଦାହରଣ ସ୍ଵରୂପ ଗ୍ରହଣ କରାଯାଇପାରେ ।

‘‘କହେ ସାଲବେଗ ହୀନ ଷାଠିଏ ପଉଟି ଅନ୍ନ

ଭୋଗବେଳେ ବଡ଼ପଣ୍ଡା ବଜାଏ ଘଣ୍ଟି ।।

ଅନ୍ୟ ଏକ ଭଜନରେ ଉଲ୍ଲେଖ ଅଛି–

‘‘ପିତା ତ ମୋଗଲ ବେଟା ମାତା ଯେ ବ୍ରାହ୍ମଣୀ,

ହୀନ କୁଳେ ଜନ୍ମ ହେଲି ହିନ୍ଦୁ ନଖାଏ ପାଣି ।

ପିତା ଦେଲେ ଜୀବ ଦାନ ମାତା ଦେଲେ କ୍ଷୀର ।

କହେ ସାଲବେଗ ହୀନ ଜାତିରେ ଫକିର ।”

 

କବି ଜୀବନରେ ଏହିଠାରେ ହିଁ ଆସିଛି ଗଭୀର ଦୁଃଖ ଓ ଅନୁଶୋଚନା । ତାଙ୍କର ମନେପଡ଼ିଛି ପୁରୀକୁ ଆସିଥିବା ବିଭିନ୍ନ ସାଧୁ ସନ୍ଥ ଓ ଯୋଗୀଜନମାନଙ୍କ କଥା । ମାତ୍ର ଏସବୁ ବୃଥା ହୋଇଛି କବିଙ୍କର ସାମାଜିକ ସଂପର୍କ ଏବଂ ଆଚରଣ ମଧ୍ୟରେ । ଏହାହିଁ ତ କବି ଜୀବନର ଦାର୍ଶନିକ ଦିଗ ।

ସାଲବେଗଙ୍କ ଜୀବନର ଦାର୍ଶନିକ ଦିଗଟି ଆହୁରି ସ୍ପଷ୍ଟ ହୋଇଛି ତାଙ୍କର ବୃନ୍ଦାବନରୁ ପୁରୀକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ । କବି ରୋଗ ପୀଡ଼ିତ ହେବା ବେଳଠାରୁ ବୃନ୍ଦାବନବିହାରୀ ଶ୍ରୀକୃଷ୍ଣଙ୍କ ଠାରେ ନିଜକୁ ସଂପୂର୍ଣ୍ଣରୂପେ ସମର୍ପଣ କରିଦେଇଛନ୍ତି । ସେହିଦିନଠାରୁ ତାଙ୍କର କୃଷ୍ଣଙ୍କଠାରେ ଗଭୀର ଭକ୍ତିଭାବ ପ୍ରକଟିତ ହୋଇଛି । ଅନେକ ସମୟରେ ଜଗନ୍ନାଥଙ୍କ ମହିମା ଗାନ କରିବା କାଳରେ ତାଙ୍କ ପ୍ରାଣକୁ ସ୍ଵତଃ କୃଷ୍ଣଚେତନା ପୁଲକିତ କରିଛି । ଜଗନ୍ନାଥଙ୍କଠାରେ କୃଷ୍ଣ ମଧ୍ୟ ଏକାକାର ହୋଇଥିବାର ସେ ଅନୁଭବ କରିଛନ୍ତି । ତେଣୁ ଅନେକ ସମୟରେ କବି ତାଙ୍କ ସୃଷ୍ଟି ମଧ୍ୟରେ ନୀଳାଚଳ ଓ ଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିବା ସମୟରେ କୃଷ୍ଣ କଥାର ଲଳିତ ମଧୁର ରୂପାୟନ ହିଁ ହୋଇଥାଏ । ତେଣୁ କବି ଜଗନ୍ନାଥ ମହିମା ଓ କୃଷ୍ଣ କଥା ମଧ୍ୟରେ ଅଭେଦତ୍ୱ ପରିକଳ୍ପନା କରିବା ସହିତ ଜ୍ଞାନ ଓ ପ୍ରେମ ମଧ୍ୟରେ ଏକ ସୁମଧୁର ସମନ୍ୱୟ ସ୍ଥାପନ କରିଛନ୍ତି ।

କବି ସାଲବେଗ ନିଜ ହୃଦୟର ଭାବାବେଗକୁ ରୂପଦେବାକୁ ଯାଇ କୃଷ୍ଣଙ୍କୁ ନାୟକ କରି ତାଙ୍କର ଉଦ୍ଦେଶ୍ୟରେ ରାଶି ରାଶି ଭଜନ ଓ ଜଣାଣ ରଚନା କରିଛନ୍ତି । କୃଷ୍ଣ ନାମରେ ଆକର୍ଷିତ ହୋଇ ସେ ଉତ୍କଳରୁ ସୁଦୂର ଉତ୍ତର ଭାରତରେ ଅବସ୍ଥିତ ବୃନ୍ଦାବନ ଧାମକୁ ଯାତ୍ରା କରି ସେହି ଧାମର ପୂତ ପବିତ୍ର ଧୂଳିକୁ ନିଜ ମସ୍ତକରେ ଧାରଣ କରି ନିଜକୁ କୃତାର୍ଥ ମଣିଛନ୍ତି । ବୃନ୍ଦାବନ ଧାମରେ ଉପସ୍ଥିତ ହେଲା ପରେ କବି ନିଜକୁ ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ଠାରେ ଏକାକାର କରି ଦେଇଛନ୍ତି । ପୁଣି ତାଙ୍କ ବଂଶୀର ମଧୁର ମୂର୍ଚ୍ଛନା କବି ପ୍ରାଣକୁ ବାରମ୍ବାର ବ୍ୟଥିତ କରିଦେଇଛି । ଏ ପ୍ରସଙ୍ଗ ନିଜକୁ ରାଧା ଭୂମିକାରେ ଉପନୀତ କରାଇ କବି ସାଲବେଗ ପ୍ରକାଶ କରିଛନ୍ତି । ମାତ୍ର ସେହି ବୃନ୍ଦାବନ ଧାମରେ ଥିବା ଅବସ୍ଥାରେ ତାଙ୍କର ଯେତେବେଳେ ପ୍ରଭୁ ଜଗନ୍ନାଥ ଓ ତାଙ୍କର ଘୋଷଯାତ୍ରା କଥା ମନେ ପଡ଼ିଯାଇଛି, ସେ ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି । ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କବି ସେହି ସୁଦୂର ବୃନ୍ଦାବନ ଧାମରୁ ପ୍ରାର୍ଥନା କରିଛନ୍ତି କିପରି ରଥଯାତ୍ରା ବେଳକୁ ସେ ପୁରୀଧାମରେ ଉପନୀତ ହୋଇ ପାରିବେ । ମାତ୍ର ପ୍ରଭୁ ଜଗନ୍ନାଥ ତାଙ୍କର ପରମ ଭକ୍ତକୁ ପରୀକ୍ଷା କରିବାକୁ ଯାଇ ସେତିକି ବେଳେ ରୋଗରେ ପୀଡ଼ିତ କରାଇଛନ୍ତି । ଜଗନ୍ନାଥଙ୍କର ପ୍ରିୟ ଭକ୍ତ ପ୍ରତିଥିବା ଏହି ମନୋଭାବକୁ ବୁଝିପାରିନାହାନ୍ତି କବି ସାଲବେଗ । ପ୍ରଭୁଙ୍କର ଏ କି ଅଲୌକିକ ଲୀଳା ସତେ ! ବ୍ୟସ୍ତ ହୋଇପଡ଼ିଛନ୍ତି ସାଲବେଗ । ସତେ କ’ଣ ସେ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ପୁରୀ ବଡ଼ଦାଣ୍ଡରେ ବସିଥିବା ଅବସ୍ଥାରେ ଦେଖିପାରିବେ ! ତାଙ୍କ ଚକ୍ଷୁରୁ ଧାର ଧାର ହୋଇ ଅଶ୍ରୁ ବହିଯାଇଛି । ଭକ୍ତ ଓ ଭଗବାନଙ୍କର ଆତ୍ମା ଏକାକାର ହୋଇ ମିଶିଯାଇଛି । ସେହି ମିଳନ ମଧ୍ୟରେ ଆଉ ଜାତି ଅଜାତିର ଭେଦଭାବ ରହିନାହିଁ, ଯବନ ବ୍ରାହ୍ମଣ ମଧ୍ୟରେ ଲକ୍ଷ୍ମଣରେଖା ଟଣା ହୋଇପାରି ନାହିଁ । ଭକ୍ତ ଓ ଭଗବାନ ସେଠାରେ ଏକ ହୋଇ ଯାଇଛନ୍ତି । ପ୍ରଭୁ ଜଗନ୍ନାଥ ନିଜର ପ୍ରିୟ ଭକ୍ତ ସାଲବେଗଙ୍କ ଆସିବା ବାଟକୁ ସେଠାରେ ସେହି ନନ୍ଦିଘୋଷ ରଥରେ ଥାଇ ଅଧବାଟରେ ଅପେକ୍ଷା କରି ରହିଛନ୍ତି । କବି ସାଲବେଗଙ୍କର ଏହି ପର୍ଯ୍ୟାୟର କବିତା ହେଉଛି–

‘‘ଜଗବନ୍ଧୁ ହେ ଗୋସାଇଁ !

ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ ।।

 

ସାତଶ ପଞ୍ଚାଶ କୋଶ ଦିଗ ଦିଶୁନାହିଁ ।

ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି ।।’’

 

କବିଙ୍କର ଜଗନ୍ନାଥଙ୍କ ପ୍ରତି ଏହି ମନୋଭାବ କାମନାହୀନ, ନିଷ୍କପଟ ଓ ସ୍ଵାର୍ଥରହିତ । କବି କେବଳ ନିଜପାଇଁ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଶରଧା ବାଲିରୁ ଗୋଟିଏ ହାତ ଜାଗା ସହିତ ତାଙ୍କର ଚତୁର୍ଦ୍ଧା ମୂରତି ଦର୍ଶନ ଓ ତାଙ୍କ ଚରିତ ଶ୍ରବଣ କରିବା ପାଇଁ କାମନା ପୋଷଣ କରିଛନ୍ତି ।

 

ଏତଦ୍ଭିନ୍ନ ଭଗବାନ ଶ୍ରୀଜଗନ୍ନାଥଙ୍କ ରୂପ ସଂଦର୍ଶନ ଓ ତାଙ୍କର ଚରିତ ଶ୍ରବଣ ମଧ୍ୟରେ କବି ମୋକ୍ଷ ପ୍ରାପ୍ତି ହିଁ କାମନା କରିଛନ୍ତି । ପୁନଶ୍ଚ କବିଙ୍କ ନାସା ଜଗନ୍ନାଥଙ୍କ ସୁବାସରେ ମହକିତ ହୋଇଯାଇଛି । ସୁତରାଂ ଶ୍ରୀକୃଷ୍ଣ ଓ ଜଗନ୍ନାଥ କବି ସାଲବେଗଙ୍କ ଦୃଷ୍ଟିରେ ଏକ ଓ ଅଭିନ୍ନ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ କବି ଏକ ସମନ୍ୱୟ ଭାବନା ହିଁ ଲକ୍ଷ୍ୟ କରିଛନ୍ତି ଏବଂ ତାହାରି ମଧ୍ୟରେ କବିଙ୍କର ଜୀବନ ଦର୍ଶନ ସଂପୂର୍ଣ୍ଣ ରୂପେ ପ୍ରତିବିମ୍ବିତ ହୋଇଛି ।

 

ମାନବିକ ମୂଲ୍ୟବୋଧ :

 

ସ୍ରଷ୍ଟା ଯୁଗେ ଯୁଗେ ତା’ର ସୃଷ୍ଟିରେ ମାନବ ବନ୍ଦନା କରିଥାଏ ଓ ମାନବକୁ ପ୍ରାଧାନ୍ୟ ଦେଇଥାଏ । ଏପରି କରିବାର ମୁଖ୍ୟ କାରଣ ହେଉଛି ପୃଥିବୀ ରୂପୀ ରଙ୍ଗମଞ୍ଚରେ ନାୟକ ଓ ନାୟିକାମାନେ ହେଉଛନ୍ତି ମଣିଷ । ତାହା ବ୍ୟତିରେକ ସାହିତ୍ୟର ସ୍ଥିତି କଳନା କରାଯାଇପାରେ ନାହିଁ । ତେଣୁ କେଉଁ ଅନାଦି କାଳରୁ ସାହିତ୍ୟରେ ମଣିଷ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ମାନବ ପ୍ରୀତି ନିମିତ୍ତ କବି ବିଭିନ୍ନ ନାମରେ ଭଗବାନଙ୍କୁ ପ୍ରାର୍ଥନା କରିଛି ଓ ତାଙ୍କରି ଆଶୀର୍ବାଦ କାମନା କରିଛି । ଆଲୋଚ୍ୟ ପୁସ୍ତିକା ମଧ୍ୟରେ କବି ସାଲବେଗଙ୍କ ସୃଷ୍ଟିମାନସକୁ ପ୍ରାବନ୍ଧିକ ସେହି ଦୃଷ୍ଟିକୋଣରୁ ବିଚାର କରିଛନ୍ତି । ସାଲବେଗଙ୍କ ଭଜନ ଜଣାଣ ଠାରୁ ଆରମ୍ଭ କରି କଳିଭାରତ ପର୍ଯ୍ୟନ୍ତ ସମସ୍ତ ସୃଷ୍ଟି ମଧ୍ୟରେ ମାନବ ହିଁ ମୁଖ୍ୟ ହୋଇଛନ୍ତି । ନିଜ ପିତାଙ୍କ ନିର୍ଦ୍ଦେଶରେ ଶତ୍ରୁ ସହିତ ସଂଗ୍ରାମରତ କାଳରେ ବ୍ୟାଧି ପୀଡ଼ିତ ହୋଇ କବି ନିଜ ମାତାଙ୍କ ଉପଦେଶ କ୍ରମେ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରି ତାଙ୍କରି ପାଦପଦ୍ମରେ ନିଜକୁ ସଂପୂର୍ଣ୍ଣ ରୂପେ ସମର୍ପଣ କରି ଦେଇଛନ୍ତି । କବି କୃଷ୍ଣଙ୍କ ନାମ ଯେତିକି ଅଧିକ ଅଧିକ ସ୍ମରଣ କରିଥିଲେ ତାଙ୍କ ଚକ୍ଷୁରୁ ସେତିକି ଅଧିକ ଅଶ୍ରୁ ନିର୍ଗତ ହୋଇଥିଲା, ତାଙ୍କ ଅନ୍ତର୍ଲୋକରୁ ସେତିକି ପ୍ରେମବୋଧ ଓ କଣ୍ଠରୁ ସେତିକି କାବ୍ୟାମୃତ ଝରି ଚତୁର୍ଦ୍ଦିଗକୁ ପ୍ଳାବିତ କରିଥିଲା ।

 

ମଧ୍ୟ ଯୁଗରେ ମିର୍ଜା ମହମ୍ମଦ ବେଗ୍‍ଙ୍କ ସମୟରେ ଯେତେବେଳେ ଯବନମାନେ ପୁରୀ ମନ୍ଦିର ଉପରେ ଆତର୍କିତ ଆକ୍ରମଣ କରି ଜଗନ୍ନାଥ ବିଗ୍ରହକୁ ଅପବିତ୍ର କରିବାକୁ ଚେଷ୍ଟା କରିଥିଲେ ସେତିକିବେଳେ ପୁରୀ ମନ୍ଦିରର ପଣ୍ଡା ଓ ଅନ୍ୟମାନେ ଉତ୍କଳୀୟ ଜନତାର ଆତ୍ମା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶଗଡ଼ରେ ବସାଇ ପ୍ରଥମେ ଚିଲିକା ଓ ପରେ ପରେ ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳକୁ ଘେନି ଯାଇଥିଲେ । ଏଥିରେ କବି ସାଲବେଗଙ୍କ ହୃଦୟ କେବଳ ନିଜ ପାଇଁ ନୁହେଁ, ଉତ୍କଳର ଜଗନ୍ନାଥ ପ୍ରେମୀଙ୍କ ପାଇଁ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଥିଲା । ଫଳତଃ ତାଙ୍କ ହୃଦୟରୁ ସ୍ୱତଃ ପ୍ରକଟିତ ହୋଇଥିଲା ।

 

‘‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ,

ଆମେ ଦର୍ଶନ କରିବୁ କାହାକୁ ?

ବଡ଼ଦେଉଳୁ ବାହାରି ଶଗଡ଼ିରେ ବିଜେ କରି

ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ ।”

 

କବି ଅନୁଭବ କରିଥିଲେ ଜଗନ୍ନାଥ କେବଳ ଶ୍ରୀକ୍ଷେତ୍ର ବା ଉତ୍କଳର ଦେବତା ନୁହନ୍ତି, ସେ ହେଉଛନ୍ତି ସମଗ୍ର ମାନବ ଜାତିର ଦେବତା । ପୁଣି ଦରିଦ୍ର ଜନତାର ବନ୍ଧୁ – ତାଙ୍କର ସୁଖ ଦୁଃଖର ସାଥୀ । ଯେତେବେଳେ ଜଗନ୍ନାଥ ଶ୍ରୀମନ୍ଦିର ପରିତ୍ୟାଗ କରିଛନ୍ତି ଉତ୍କଳରେ ଯଥାର୍ଥରେ ନେତା ଓ ମୁରବୀର ଅଭାବବୋଧ ପରିଲକ୍ଷିତ ହୋଇଛି । ସୁତରାଂ ପୃଥିବୀବାସୀଙ୍କର ମଙ୍ଗଳ ନିମିତ୍ତ କବି ସାଲବେଗଙ୍କ ହୃଦୟ ଦୁଃଖରେ ବ୍ୟଥିତ ହୋଇପଡ଼ିଛି । ଗଭୀର ନୈରାଶ୍ୟ ଓ ଅନୁଶୋଚନାରେ ତାଙ୍କ ଅନ୍ତରାତ୍ମା ବିଳପି ଉଠିଛି ।

 

ଜଗନ୍ନାଥଙ୍କର ଅନ୍ୟନାମ ହେଉଛି ପତିତପାବନ । ଘୋର ଦାରିଦ୍ର୍ୟ ସହିତ ନାନା ନିର୍ଯ୍ୟାତନାର ସମ୍ମୁଖୀନ ହୋଇ କବି ସାଲବେଗ ଜୀବନର ଶେଷକାଳ ପର୍ଯ୍ୟନ୍ତ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜଗନ୍ନାଥ ଧାମରେ ମଧ୍ୟ କବି ଜୀବନର ଦୁଃଖ ପ୍ରଶମିତ ହୋଇନାହିଁ । ବରଂ ତାହା କ୍ରମଶଃ ବୃଦ୍ଧି ପାଇବାର ସେ ଅନୁଭବ କରିଛନ୍ତି । ବେଳକୁ ବେଳ କବିପ୍ରାଣ ଏଥିପାଇଁ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଛି । ତେଣୁ ବିଶ୍ୱବାସୀଙ୍କ ମଙ୍ଗଳ କାମନା କରୁଥିବା ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କବି କଣ୍ଠରୁ ଅଭିମାନ ଭରା କବିତା ପ୍ରକାଶିତ ହୋଇଛି ।

 

‘‘ତୁମ୍ଭ ପତିତପାବନ ନାମ ଭେଳା ହୋ ଚକାଡୋଳା !

ତୁମ୍ଭେ ଥାଉଁ ଥାଉଁ ମୋ ବୁଡ଼ିଲା ଭେଳା ହୋ ଚକାଡୋଳା !'’

 

ମାତ୍ର କବି ହୃଦୟର ଏହି ଅଭିମାନ କ୍ଷଣିକ ଓ ସାମୟିକ । ସେହି ସମୟ ଅତିକ୍ରାନ୍ତ ହେଲାପରେ କବି ପୁନଶ୍ଚ ଅନ୍ୟାନ୍ୟ ସମଧର୍ମା ସତୀର୍ଥ ସାଧକଙ୍କ ସହିତ ଏକତ୍ରିତ ହୋଇ ଜଗନ୍ନାଥ ଧାମକୁ ଗମନ କରିବା ନିମିତ୍ତ ଉଦ୍ୟତ ହୋଇଛନ୍ତି ଓ ଜଗନ୍ନାଥ ପୀଠରେ ରହି ସିଂହଦ୍ଵାରର ଭିଡ଼ ସହ୍ୟ କରିଛନ୍ତି । ସେଠାରେ ବେତବାଡ଼ି ଖାଇଛନ୍ତି ଏବଂ ଅନ୍ୟମାନଙ୍କ ସହିତ ଏକତ୍ରିତ ହୋଇ ଶ୍ରୀମନ୍ଦିରରେ ବିକ୍ରି ହେଉଥିବା କୈବଲ୍ୟ ଆହାର କରି ମାନବ ହୃଦୟରୁ ଜାତି ବର୍ଣ୍ଣର ବିଚାର ଭେଦ ଦୂରେଇ ଦେବାକୁ ଚିନ୍ତା କରି ଗାନ କରିଛନ୍ତି–

 

‘‘ସିଂହଦ୍ୱାରେ ଭିଡ଼ାଭିଡ଼ି

ବାଜୁଅଛି ବେତବାଡ଼ି ।

ଠେଲି ଦେଇ ଯିବା ମାଡ଼ି ଧକ୍‌କା ବାଜିଲେ ସହିବା ।।

ବାଇଶି ପାବଚ୍ଛେ ବିକା

ହେଉଛି କୈବଲ୍ୟ ଚୋଖା

ହାଣ୍ଡିକ ପଡ଼େ ସିଉକା ମନରଙ୍କା ଛଡ଼ାଇବା ।।''

 

ସାଲବେଗଙ୍କ ପରି ଜଣେ ଅତ୍ୟନ୍ତ ପ୍ରିୟ ଭକ୍ତଙ୍କ ଦୃଷ୍ଟିରେ ଭଗବାନ ଶ୍ରୀଜଗନ୍ନାଥ ଆଉ ରତ୍ନ ସିଂହାସନର ଅନ୍ଧକାର ଗହ୍ୱର ମଧ୍ୟରେ ସୀମିତ ହୋଇ ରହିପାରି ନାହାନ୍ତି । କବି ତାଙ୍କ ନିକଟରେ ମଣିଷର ଦୈନନ୍ଦିନ ସେବା ପୂଜା, ଆହାର ବିହାର ପ୍ରଭୃତି ସମସ୍ତ କଥା ଲକ୍ଷ୍ୟ କରିଛନ୍ତି-। ତେଣୁ ଭକ୍ତ ସାଲବେଗଙ୍କ ଦୃଷ୍ଟିରେ ଜଗନ୍ନାଥ ନାନା ରୂପରେ ଆବିର୍ଭୁତ ହୋଇଛନ୍ତି । ଜଗନ୍ନାଥ ଯେ କେବଳ ମହାପ୍ରସାଦ ଖାଆନ୍ତି ସେକଥା ନୁହେଁ । ମହାପ୍ରସାଦ ବ୍ୟତୀତ ଓଡ଼ିଆର ଦୈନନ୍ଦିନ ଜୀବନର ଖାଦ୍ୟ ଓ ପିଠାପଣା ହିଁ ତାଙ୍କର ଅତ୍ୟନ୍ତ ପ୍ରିୟ । ଓଡ଼ିଶାରେ ବାରମାସରେ ଯେତେସବୁ ପର୍ବ ପାଳନ କରାଯାଏ, ତାହା ମୁଖ୍ୟତଃ କୃଷିଭିତ୍ତିକ । କୃଷିଭିତ୍ତିକ ଉତ୍କଳର ଜନସାଧାରଣଙ୍କର ପ୍ରଧାନ ଖାଦ୍ୟ ହେଉଛି ଭାତ । ଏହା ଜଗନ୍ନାଥଙ୍କର ପ୍ରିୟ ମହାପ୍ରସାଦ । ପ୍ରତ୍ୟହ ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ନିମିତ୍ତ ଷାଠିଏ ପଉଟି ମହାପ୍ରସାଦ ସ୍ଵୟଂ କମଳା ସ୍ଵହସ୍ତରେ ରନ୍ଧନ କରିଥାନ୍ତି ବୋଲି ଆମ ଜନସାଧାରଣରେ ବିଶ୍ୱାସ ଥାଏ । ଏପରି ମହାପ୍ରସାଦ ବାସି ହୋଇଗଲେ ସେଥିରେ ପାଣି ଦେଇ ପଖାଳ କରାଯାଏ ଓ ଇତସ୍ତତଃ ପଡ଼ିଥିବା ଭାତଗୁଡ଼ିକୁ ଗୋଟାଇ ଆଣି ଖରାରେ ଶୁଖାଯାଇ ତାହାକୁ ନିର୍ମାଲ୍ୟ ଭାବେ ଗ୍ରହଣ କରାଯାଇଥାଏ । ଭକ୍ତକବି ସାଲବେଗ ଜଗନ୍ନାଥଙ୍କର ଏହି ମହାନୁଭବତା ଓ ମାନବିକ ମୂଲ୍ୟବୋଧକୁ ତାଙ୍କର ‘ଆହେ ନୀଳଗିରି’ କବିତା ମଧ୍ୟରେ ଯେପରି ପ୍ରକାଶ କରିଛନ୍ତି ତହିଁରୁ କବିଙ୍କ ସୃଷ୍ଟିର ମହତ୍ତ୍ୱ ପ୍ରକଟିତ ହୋଇଥାଏ । ଜାତିରେ ଯବନ ହୋଇ ମଧ୍ୟ ଆମ ସମାଜରେ ସାଂପ୍ରଦାୟିକ ସଦ୍ଭାବନା ପ୍ରତିଷ୍ଠା କରିବା ନିମିତ୍ତ କବି ସାଲବେଗ ଜଗନ୍ନାଥଙ୍କ ବାସି ମହାପ୍ରସାଦରୁ ପ୍ରସ୍ତୁତ ଟଙ୍କ ତୋରାଣି ପିଇ ମନ ଶାନ୍ତି କରିବା ନିମିତ୍ତ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ତେଣୁ ତାଙ୍କର ଆହେ ନୀଳଗିରି କବିତା ମଧ୍ୟରେ ସେ ଉଲ୍ଲେଖ କରିଛନ୍ତି ।

 

‘‘ବଡ ଦାଣ୍ଡ ଦେଖି ହେଲି ତୋଷ,

ରେଣୁ ମାତ୍ର ତେଣୁ କଲି ଗ୍ରାସ,

କ୍ଷୀରି ଖେଚଡ଼ିରେ ମନ ନ ବୋଧଇ ଟଙ୍କ ତୋରାଣିରେ ମନ ତୋଷ ।’’

 

ପୁନଶ୍ଚ ଆମ ସାମାଜିକ ଜୀବନରେ ଉତ୍କଳୀୟ ଜନତାର ଦୈନନ୍ଦିନ ଜୀବନଚର୍ଯ୍ୟା ମଧ୍ୟରେ ଜଗନ୍ନାଥଙ୍କ ଚିନ୍ତା ଓ ଚେତନା କ୍ଷୀର ନୀର ଭଳି ମିଶିଯାଇଛି । ଏବେ ମଧ୍ୟ ଆମ ଗ୍ରାମାଞ୍ଚଳରେ ପ୍ରାୟ ପ୍ରତ୍ୟେକ ଓଡ଼ିଆ ନାରୀ ସ୍ନାନ ଶେଷରେ ନିର୍ମାଲ୍ୟ ସେବନ କରିବାର ଏକ ସୁସ୍ଥ ପରମ୍ପରା ରହିଛି । ଅଣୁ ପ୍ରାୟ କ୍ଷୁଦ୍ର ନିର୍ମାଲ୍ୟ କଣିକା ତା’ର ଆତ୍ମାକୁ ପରମାତ୍ମା ସହିତ ବାନ୍ଧିଦିଏ ବୋଲି ସେ ବିଶ୍ୱାସ କରିଥାଏ । ଶିଶୁ ଜନ୍ମ ପରେ, ତା’ର ବିଦ୍ୟାରମ୍ଭ କାଳରେ, ବ୍ରତ ନିର୍ବନ୍ଧାଦି ସମୟରେ, ବନ୍ଧୁ ସ୍ଥାପନ କାଳରେ ଏପରିକି ମନୁଷ୍ୟର ମୃତ୍ୟୁ କାଳରେ ଏହି ପବିତ୍ର ନିର୍ମାଲ୍ୟର ଆବଶ୍ୟକତା ଅନୁଭୂତ ହୋଇଥାଏ । ଏହାଦ୍ୱାରା ମାନବ ସ୍ୱର୍ଗ ପ୍ରାପ୍ତି ହୁଏ ବୋଲି ଲୋକମୁଖରେ ବିଶ୍ୱାସ ଥାଏ । ଏହି ନିର୍ମାଲ୍ୟର ଅନ୍ୟ ନାମ ହେଉଛି ମହାକୈବଲ୍ୟ । ମହାକୈବଲ୍ୟ ପ୍ରାପ୍ତି ନିମିତ୍ତ ଭକ୍ତକବି ସାଲବେଗଙ୍କ ମଧ୍ୟରେ କି ଆକୁଳତା ! ଏହି ଆକୁଳତା ପ୍ରକଟିତ ହୋଇଛି ତାଙ୍କର ‘ନବୀନ ଘନ ବରନା’ କବିତା ମଧ୍ୟରେ । ଭକ୍ତକବି ଜଗନ୍ନାଥଙ୍କୁ ଜଣେ ସାଧାରଣ ମାନବ ଆସନରେ ଆସୀନ କରି ଉଲ୍ଲେଖ କରିଛନ୍ତି–

 

‘‘ନବୀନ-ଘନ-ବନ ପ୍ରଭୁ ଚକାଆଖି ।

ମୋର ହୃଦ-ବେଦନାକୁ ତୁମ୍ଭେ ସିନା ସାକ୍ଷୀ ।।

 

ତୁଳସୀ ଚଉରାଠାରେ ବିକାଯାଏ ଭାତ ।

ଦ୍ରଶନ ତେଣିକି ଥାଉ କୈବଲ୍ୟ ମୁକତ ।।’’

 

ଅନ୍ୟ ପକ୍ଷରେ ମାୟାବୀ ପୁରୁଷ ଶ୍ରୀକୃଷ୍ଣ ଜଗତ୍‍ବାସୀଙ୍କ ମଙ୍ଗଳ ବିଧାନ ନିମିତ୍ତ ପୃଥିବୀ ପୃଷ୍ଠରେ ଅବତାର ଗ୍ରହଣ କରିଛନ୍ତି । ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ବିଭିନ୍ନ ମାନବ ଲୀଳା ମଧ୍ୟରେ ଦୁଷ୍ଟମାନଙ୍କୁ ନିଧନ କରି ସେ ପୃଥିବୀର ମଙ୍ଗଳ ନିମିତ୍ତ କଳା କାହ୍ନୁଙ୍କୁ କାମନା କରିଛନ୍ତି । ତେଣୁ ଭକ୍ତକବି ସାଲବେଗ ବିଶ୍ଵବାସୀଙ୍କ ମଙ୍ଗଳ ନିମିତ୍ତ କଳାକାହ୍ନୁଙ୍କୁ କାମନା କରିଛନ୍ତି । ଗଣ ଦୃଷ୍ଟିରେ କାହ୍ନୁ, ରାଧିକାଙ୍କ ଜୀବନଧନ ଓ ଗୋପାଙ୍ଗନାମାନଙ୍କର ପରମାତ୍ମା ହୋଇଥିଲେ ହେଁ ସାଲବେଗଙ୍କ ପରି ଗଣ ହୃଦୟର କବି ଦୃଷ୍ଟିରେ ସେ ହେଉଛନ୍ତି ବିଶ୍ୱ ଜୀବନର ପ୍ରତୀକ, ଜଗତ୍‍ବାସୀଙ୍କ ଆତ୍ମାର ସ୍ୱରୂପ ଏବଂ ସେହି ବିଶ୍ଵବାସୀଙ୍କ ମଙ୍ଗଳ ନିମିତ୍ତ ତାଙ୍କର ଜୀବନ ଅଭିପ୍ରେତ । କାରଣ ଭାବରେ ସାଲବେଗ ତାଙ୍କ କବିତାରେ ଶ୍ରୀକୃଷ୍ଣଙ୍କର ବକା, ଅଘା, ଷଣ୍ଢା ପ୍ରଭୃତି ଦୁଷ୍ଟମାନଙ୍କୁ ନାଶନ ପ୍ରସଙ୍ଗ ବର୍ଣ୍ଣନା କରିଛନ୍ତି ।

 

‘‘ବକା ଷଣ୍ଢା ଅଘାକୁ ନାଶି

ଧରିଅଛ ମୋହନ ବଂଶୀ

ଅକ୍ରୂର ଆସିଛି ରଥ ଆଣି କରି

କୃଷ୍ଣ ବଳରାମ ଯିବାର ପାଇଁ ।”

 

ପୁଣି ବିଶ୍ୱରେ ଯେତେ ଅନ୍ୟାୟ, ଅନାଚାର ଓ ଅସୂୟା ଭାବ ରହିଥିଲା ତାହା ଦୂର କରିବା ପାଇଁ କବି କୃଷ୍ଣ ମାଧ୍ୟମରେ କଂସକୁ ନିଧନ କରିଛନ୍ତି । ତ୍ରେତୟା ଯୁଗରେ ସେ ରାମ ଅବତାର ଗ୍ରହଣ କରି ପତ୍ନୀ ସୀତାଙ୍କ ନିମିତ୍ତ ଲଙ୍କା ଗଡ଼କୁ ପୋଡ଼ି ଜାଳି ଛାରଖାର କରି ଦେଇଛନ୍ତି ଏବଂ ରାବଣ ନିଧନର ମୁଖ୍ୟ କାରଣ ହୋଇଛନ୍ତି । ଏହି ପ୍ରସଙ୍ଗ କବିଙ୍କର ନିମ୍ନୋକ୍ତ କବିତା ମଧ୍ୟରେ ବ୍ୟକ୍ତ ହୋଇଛି । ଯଥା–

 

“କଂସକୁ କହିବୁ ଛାଟ ମରାଇବୁ

କାଲି ତଣ୍ଡାଇବୁ ଷାଠିଏ ଟଙ୍କା ।

ତ୍ରେତୟା ଯୁଗରେ ରାମ ଅବତାରେ,

ଜାନକୀ ଛଳେ ଯା ବିନ୍ଧିଲେ ଲଙ୍କା ।”

 

ଏତଦ୍‍ବ୍ୟତୀତ କୃଷ୍ଣ ଗୋପପୁରରେ ଗୋପାଙ୍ଗନା ଓ ଶ୍ରୀରାଧାଙ୍କ ମଧ୍ୟରେ ଯେଉଁ ସଂପର୍କ ସ୍ଥାପନ କରିଥିଲେ ତାହା ଥିଲା ସଂପୂର୍ଣ୍ଣ ଲୌକିକ ଓ ମାନବିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ । ଯମୁନାକୁ ଜଳ ଆଣିବାକୁ ଯିବାବେଳେ କୃଷ୍ଣ ରାଧିକା ଓ ଅନେକ ସମୟରେ ଗୋପାଙ୍ଗନାମାନଙ୍କୁ ନାନା ଭାବରେ ହଇରାଣ ହରକତ କରିଛନ୍ତି । ଏଥିପାଇଁ ରାଧିକାଙ୍କୁ ବହୁ ଅପମାନର ଶରବ୍ୟ ହେବାକୁ ପଡ଼ିଛି । ଅଲୌକିକତା ମଧ୍ୟରେ ଶ୍ରୀକୃଷ୍ଣ ରାଧିକାଙ୍କ ନିକଟରେ ଲୌକିକ ଆଚାର ଚଳଣି ଯେପରି ଦେଖାଇଛନ୍ତି ତହିଁରୁ ତାଙ୍କର ମାନବିକ ଗୁଣାବଳୀର ସ୍ୱରୂପ ସ୍ପଷ୍ଟ ବାରିହୋଇଥାଏ । ଜଣେ ଯୁବକ ସୁଶ୍ରୀ ରୂପଶ୍ରୀ ତରୁଣୀକୁ ଦେଖି ତା’ର ରୂପ ଆକର୍ଷଣରେ ଯେପରି ଆକର୍ଷିତ ହୋଇଥାଏ, କବି ସାଲବେଗ ତାଙ୍କ କବିତା ମଧ୍ୟରେ ଶ୍ରୀକୃଷ୍ଣଙ୍କ ହୃଦୟରେ ସେହି ଭାବନା ସୃଷ୍ଟି କରିଛନ୍ତି । ଶ୍ରୀକୃଷ୍ଣ ଶ୍ରୀରାଧାଙ୍କ ରୂପର ଆକର୍ଷଣରେ ଆକର୍ଷିତ ହୋଇ ତାଙ୍କ ସଙ୍ଗ ସୁଖ ପାଇବା ପାଇଁ କାମନା କରିଛନ୍ତି । ମାତ୍ର ଶ୍ରୀରାଧା ବିବାହିତା ଓ ସଂସାରୀ ହୋଇଥିବାରୁ ଶ୍ରୀକୃଷ୍ଣଙ୍କ ଏପରି ବ୍ୟବହାରରେ ଖୁବ୍ ଅତିଷ୍ଠ ହୋଇ ପଡ଼ିଛନ୍ତି । ଶ୍ରୀରାଧାଙ୍କର ଏହି ଅନ୍ତର୍ବେଦନାକୁ ସ୍ୱୀକାର କରିବା ସହିତ ସ୍ୱୀକୃତି ଜଣାଇ କବି ସାଲବେଗ ଉଲ୍ଲେଖ କରିଛନ୍ତି–

 

‘‘ବାଟ ଛାଡ଼ ସୁଘଟ ନାଗର,

ଯମୁନାକୁ ମୁହିଁ ଯିବି ପାଣିକି ।

ବାଟ ପାଇଁ ଯେବେ ଲଟ ଲଗାଇଛ

ପ୍ରତିବନ୍ଧା ଦେବି ମଥାମଣିକି ।।

ମଥାରେ ମନ୍ଥନ ପଥରେ ଗମନ,

ବାଟ ଓଗାଳୁଛି କାହିଁ ପାଇଁକି ?

ଶାଶୁ ଗାଳିଦେବ ନଣନ୍ଦ ଚଳିବ

ବୋଲିବେ ମୋ ବୋହୂ ଦୋଚାରୁଣୀ କି ।।”

 

ବୃନ୍ଦାବନରେ ରାସ ଲୀଳା କାଳରେ କୃଷ୍ଣଙ୍କ ବଂଶୀର ମଧୁର ମୂର୍ଚ୍ଛନାରେ ଗୋପୀମାନେ ଆକର୍ଷିତ ହେବା ସଂପୂର୍ଣ୍ଣଭାବେ ଲୌକିକ ଓ ମାନବୀୟ । କୃଷ୍ଣଙ୍କର ଗୋପୀମାନଙ୍କ ପ୍ରତି ମନୋଭାବ ଓ ଗୋପାଙ୍ଗନାମାନଙ୍କର କୃଷ୍ଣଙ୍କ ପ୍ରତି ଏହି ଆକର୍ଷଣ ମଧ୍ୟରେ ଥିଲା ବାତ୍ସଲ୍ୟ ପ୍ରୀତିର ଉତ୍ତାଳ ତରଙ୍ଗ । ସେହି ତରଙ୍ଗରେ ଅନେକ ଗୋପାଙ୍ଗନା କୃଷ୍ଣଙ୍କ ନିକଟକୁ ଆକର୍ଷିତ ହୋଇ ଆସିଥିଲେ ତାଙ୍କ ସହିତ ମିଳିତ ହେବା ପାଇଁ, କୃଷ୍ଣଙ୍କ ମନ କଥା ବୁଝି ତାଙ୍କୁ ସୁସଜ୍ଜିତ କରିବା ପାଇଁ-। ଏହି ପ୍ରସଙ୍ଗ କବି ନିମ୍ନଭାବେ ଉଲ୍ଲେଖ କରିଛନ୍ତି-

 

“ଷୋଳସସ୍ର ବୃନ୍ଦ ମଧ୍ୟରେ ଗୋବିନ୍ଦ,

ମଦନ ମୋହନ ବେଶ ଚତୁରା ।

ବାମରେ ରାଧିକା ଦକ୍ଷିଣେ ଦୂତିକା

ମଧ୍ୟରେ ନାଚନ୍ତି ନନ୍ଦର ବଳା ।।’’

 

ସୁତରାଂ ଏହାହିଁ ହେଉଛି କବି ସାଲବେଗଙ୍କ ଭଜନ ଓ ଜଣାଣରେ ବର୍ଣ୍ଣିତ ମାନବିକ ମୂଲ୍ୟବୋଧର ଏକ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ।

 

ଭକ୍ତି ଭାବନା :

 

ଭଗବାନଙ୍କ ସତ୍ତା ଉପଲବ୍‍ଧି ଓ ତାଙ୍କ ସ୍ୱରୂପ ପ୍ରାପ୍ତି ନିମିତ୍ତ ମନୁଷ୍ୟ ସମ୍ମୁଖରେ ଯେଉଁ ତିନୋଟି ମାର୍ଗ ରହିଛି ତାହା ମଧ୍ୟରେ ଭକ୍ତି ହିଁ ଶ୍ରେଷ୍ଠ । ଭଗବାନଙ୍କୁ ନିଜ ହୃଦୟରେ ଉପଲବ୍‍ଧି କରିବାର ସର୍ବଶ୍ରେଷ୍ଠ ମାର୍ଗ ହେଉଛି ଭକ୍ତି । ଭକ୍ତିର ଅନ୍ୟ ନାମ ହେଉଛି ସେବା ଓ ପୂଜା । ନିଜର ଆରାଧ୍ୟ ଦେବତାଙ୍କ ପ୍ରତି ଅଟଳ ବିଶ୍ଵାସ, ତାଙ୍କ ପ୍ରତି ଗଭୀର ପ୍ରେମବୋଧ, ତାଙ୍କ ସେବା ନିମିତ୍ତ ନିଜକୁ ସଂପୂର୍ଣ୍ଣ ରୂପେ ସମର୍ପଣ ତଥା ନିଜକୁ ମୁକ୍ତି କରିବା ହେଉଛି ଭକ୍ତିର ଲକ୍ଷଣ । ମାନବ ଧର୍ମୀୟ ଭାବନାରେ ନିଜକୁ ଅଭିଭୂତ କରିବା ହେଉଛି ଭକ୍ତି । ଆମ ଓଡ଼ିଆ ସାହିତ୍ୟରେ ପ୍ରାଚୀନ କାଳରୁ ଏହି ଧାରର ଏକ ଅପ୍ରତିହତ ପ୍ରଭାବ ରହିଆସିଛି । କାରଣ ଓଡ଼ିଶା ହେଉଛି ସମଗ୍ର ଭାରତବର୍ଷରେ ଏକମାତ୍ର ପବିତ୍ର ଲୀଳାଭୂମି । ଏହି ଭୂମିକୁ ବିଭିନ୍ନ କାଳରେ ଅଗଣିତ ମୁନିଋଷିମାନେ ଆସି ଆପଣା ଆପଣାର ଧର୍ମ ପ୍ରଚାର କରିଛନ୍ତି । ଏହି ସୁଯୋଗରେ ବହୁ ଓଡ଼ିଆ କବି ଶ୍ରୀକ୍ଷେତ୍ରକୁ ଆସି ଉତ୍କଳର ଗଣଦେବତା ଶ୍ରୀଜଗନ୍ନାଥଙ୍କଠାରେ ନିଜକୁ ସଂପୂର୍ଣ୍ଣ ଭାବେ ସମର୍ପଣ କରି ଭକ୍ତି ଗଦ୍‌ଗଦ ଚିତ୍ତରେ ତାଙ୍କର ଆଶୀର୍ବାଦ କାମନା କରିଛନ୍ତି । ବହୁ ଭକ୍ତ ଓ ସାଧକ ଏହି ପୀଠରେ ବିହାର କରିଛନ୍ତି ତ କେତେକ ଭକ୍ତ ଆପଣାର ଧର୍ମମତକୁ ଜଗନ୍ନାଥଙ୍କ ଚେତନା ମଧ୍ୟରେ ହଜାଇ ଦେଇଛନ୍ତି । ଏଥିନିମିତ୍ତ ଆମ ସାହିତ୍ୟରେ ଭକ୍ତି କବିତାର ଏକ ଅମନ୍ଦଗାମିନୀ ଧାରା ପ୍ରାଚୀନ ସାହିତ୍ୟରୁ ପ୍ରବାହିତ ହୋଇ ଆସି ଆମ ସାହିତ୍ୟର ଏକ ବିଶିଷ୍ଟ ସଂପଦ ଭାବେ ଗୃହୀତ ହୋଇଛି ।

 

‘‘ଭଗବତ୍-ଭାବନା ମାନବ ଜୀବନର ଏକ ଶାଶ୍ୱତ ତଥା ସୁମହତ ଅଭିଳାଷ । ସମ୍ଭବତଃ ଏହା ଏକ ଅନିର୍ବଚନୀୟ ମଧୁର ଉପଲବ୍‍ଧି । କେଉଁ ପ୍ରାଚୀନ କାଳରୁ ଏହା ମନୁଷ୍ୟର ମନୋଭୂମିରେ ପ୍ରେରଣା ସଂଚାର କରିଛି ତାହା ନିର୍ଣ୍ଣୟ କରିବା ଏକାନ୍ତ କଷ୍ଟକର । ପୃଥିବୀର ସବୁଦେଶର ସାହିତ୍ୟରେ ଭକ୍ତି ପ୍ରଧାନ ରଚନା କଥା ସଂଗୀତର ବହୁଳ ନିଦର୍ଶନ ଦେଖିବାକୁ ମିଳିଥାଏ । ବିରାଟ ବିଶ୍ଵର ବିଚିତ୍ର ଲୀଳାକୁ ଅନୁଧ୍ୟାନ କରି ମନୁଷ୍ୟ କେବେ ବିସ୍ମୟାବିଭୂତ, କେବେ ବା ଭୀତତ୍ରସ୍ତ ପୁଣି କେବେ ଆନନ୍ଦାପ୍ଳୁତ ହୋଇଛି । ଏହି ସୃଷ୍ଟିଲୀଳା ମନୁଷ୍ୟ ମନରେ ଯେଉଁ ଆସ୍ତିକ୍ୟ ବୃଦ୍ଧି ଜାଗ୍ରତ କରାଇଛି, ତାହାହିଁ ଭକ୍ତି କବିତା ସୃଷ୍ଟିର ମୂଳ ଉତ୍ସ ସ୍ଵରୂପ ।’’ (ଓଡ଼ିଆ ଗୀତିକାବ୍ୟ,ପୃ-୮୨) ମାନବର ଈଶ୍ଵରଙ୍କ ସଂପର୍କିତ ଏହି ଭାବ ସ୍ୱତଃ ସ୍ଫୁର୍ତ୍ତ । ଅସୀମ ସତ୍ତା ପ୍ରତି ମାନବର ଆକର୍ଷଣ ହେଉଛି ସ୍ୱାଭାବିକ ଓ ଦୁର୍ବାର । ମାନବ ଯେତେବେଳେ କୌଣସି କାର୍ଯ୍ୟରେ ପରାଜୟ ବରଣ କରେ ବା କରିବାର ସମ୍ଭାବନା ଥାଏ, ସେଠାରେ ସେ ସେହି ସର୍ବଶକ୍ତିମାନ ଓ ସର୍ବବିଦ୍ୟମାନ ଶକ୍ତି ଉପରେ ସଂପୂର୍ଣ୍ଣ ନିର୍ଭର କରେ, ପୁଣି ସେହି ବିଶ୍ଵମାନବଙ୍କ ନିକଟରେ ନିଜର ମନପ୍ରାଣ ଢାଳିଦିଏ । ମାନବର ଏହି ଭାବନା ଚିନ୍ତା ଓ ଚେତନା, ଯାହା ମାଧ୍ୟମରେ ସମାଜର ସାଧାରଣ ମାନବ ନିଜକୁ ପ୍ରକଟିତ କରିଥାଏ ତାହା ହେଉଛି ଭକ୍ତି ସଂଗୀତ ।

 

ପଞ୍ଚଦଶ ଶତାବ୍ଦୀର ବହୁ ପୂର୍ବରୁ ଓଡ଼ିଶାରେ ଜଗନ୍ନାଥଙ୍କୁ କେନ୍ଦ୍ର କରି ଭକ୍ତି ସାହିତ୍ୟର ପ୍ରାବଲ୍ୟ ସୃଷ୍ଟି ହୋଇଥିଲା । ପଞ୍ଚଦଶ ଶତାବ୍ଦୀ ବେଳକୁ ସାରଳା ଦାସ ତାଙ୍କର ମହାଭାରତ, ରାମାୟଣ ଓ ଚଣ୍ଡୀପୁରାଣ ଗ୍ରନ୍ଥ ମାଧ୍ୟମରେ ଏହି ଧାରାର ଜଣେ ଯଶସ୍ୱୀ ପ୍ରବକ୍ତା ଥିଲେ । ସେ ଥିଲେ ଝଙ୍କଡ଼ବାସିନୀ ବାଗ୍‍ଦେବୀ ଶାରଳାଙ୍କର ଜଣେ ପରମ ଉପାସକ । ଦେବୀ ଉପାସନା ମଧ୍ୟରେ ବି ସେ ଜଗନ୍ନାଥଙ୍କୁ ବହୁ ସ୍ଥାନରେ ବନ୍ଦନା କରିଥିଲେ । ସାରଳା ଦାସଙ୍କ ପରେ ପଞ୍ଚସଖା ଯୁଗ ବେଳକୁ ଆମ ଓଡ଼ିଶା ସମେତ ଭାରତବର୍ଷର ପୂର୍ବାଞ୍ଚଳୀୟ ଭୂଖଣ୍ଡରେ ବୈଷ୍ଣବ ଧର୍ମର ଏକ ଅପ୍ରତିହତ ପ୍ରଭାବ ପରିଲକ୍ଷିତ ହୋଇଥିଲା ଓ ଓଡ଼ିଶା, ବଙ୍ଗଳା, ଅସମୀୟା ପ୍ରଭୃତି ଭାଷାର ସାହିତ୍ୟ ବୈଷ୍ଣବ ଧର୍ମ ଭିତ୍ତିରେ ଗଢ଼ି ଉଠିଥିଲା । ଏହି ସମୟରେ ଆଲୋଚ୍ୟ ଭୂଖଣ୍ଡରେ ସନ୍ଥ କବିମାନଙ୍କ ଆବିର୍ଭାବ ହେତୁ ବୈଷ୍ଣବ ଧର୍ମରେ ନବ ଜାଗରଣ ସୃଷ୍ଟି ହୋଇଥିଲା । ଫଳତଃ ଓଡ଼ିଆ ସାହିତ୍ୟରେ ଏତିକିବେଳେ ହିଁ ଯଥାର୍ଥରେ ଜଣାଣ, ଭଜନ, ଚଉତିଶା, ଚଉପଦୀ ପ୍ରଭୃତି ଭକ୍ତି ଗୀତିକାଗୁଡ଼ିକ ସୃଷ୍ଟି ହୋଇ ଉତ୍କଳୀୟ ସାଂସ୍କୃତିକ ବାୟୁମଣ୍ଡଳକୁ ପରିବ୍ୟାପ୍ତ ହୋଇଥିଲା । ଆମ ସାହିତ୍ୟରେ ପୁରାଣ ପଞ୍ଚସଖା ସ୍ରଷ୍ଟାମାନେ ତାଙ୍କ ସୃଷ୍ଟିରେ ଭକ୍ତି ଚେତନା ଓ ଭାବନାର ଯେଉଁ ଧାରାଟିକୁ ପୁଷ୍ଟ କରିଥିଲେ ତାହା ଦୀର୍ଘ ଦିନ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟକୁ ରସସିକ୍ତ କରି ରଖିଥିଲା । ଏହି ଧାରାରେ ପ୍ରଭାବିତ ହୋଇ ଉପେନ୍ଦ୍ର ଭଂଜ, ଅଭିମନ୍ୟୁ ସାମନ୍ତସିଂହାର, କବି ବନମାଳୀ, କବିସୂର୍ଯ୍ୟ ବଳଦେବ, କବି ଦୀନକୃଷ୍ଣ, ଭକ୍ତଚରଣ, ସାଲବେଗ ପ୍ରଭୃତି ସ୍ରଷ୍ଟାଗଣ ବହୁ ଭଜନ ଓ ଜଣାଣ ରଚନା କରିଥିଲେ ।

 

ପ୍ରାଚୀନ ଓଡ଼ିଆ ସାହିତ୍ୟଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଆ ସାହିତ୍ୟ ପର୍ଯ୍ୟନ୍ତ ଅନୁଶୀଳନ କଲେ ଜଣାଯାଏ, ଓଡ଼ିଶାରେ ଭକ୍ତି ସଂଗୀତର ଧାରା ହେଉଛି ଖୁବ୍ ପ୍ରାଚୀନ । ଏହି ଧାରା ମୁଖ୍ୟତଃ ଶ୍ରୀଜଗନ୍ନାଥ ଓ କୃଷ୍ଣଙ୍କୁ କେନ୍ଦ୍ର କରି ସୃଷ୍ଟି ହୋଇଛି । ଆମ ସାହିତ୍ୟରେ ଏହି ଦୃଷ୍ଟିରୁ ସାଲବେଗ ଜଣେ ପ୍ରଥିତ ଯଶା ସ୍ରଷ୍ଟା । ସାଲବେଗ ସ୍ୱଭାବତଃ ଜଣେ ଭକ୍ତ କବି । ଭକ୍ତ କବି ଭାବରେ ତାଙ୍କ ଯୁବକାବସ୍ଥାରେ ବୃନ୍ଦାବନ ବିହାରୀ ଶ୍ରୀକୃଷ୍ଣଙ୍କଠାରେ ସେ ନିଜର ଭକ୍ତି ଅର୍ଘ୍ୟ ନିବେଦନ କରିଛନ୍ତି । କୃଷ୍ଣ ଚେତନା ମଧ୍ୟରେ ସେ ସଂପୂର୍ଣ୍ଣ ଭାବେ ନିମଜ୍ଜିତ ହୋଇପଡ଼ିଛନ୍ତି । ଏହା ଫଳରେ ସେ ଯେତେବେଳେ ଯେଉଁ କାର୍ଯ୍ୟ କରିଛନ୍ତି ସମସ୍ତ ପଦାର୍ଥ ମଧ୍ୟରେ କୃଷ୍ଣ ରୂପ ହିଁ ସଂଦର୍ଶନ କରିଛନ୍ତି । ଫଳତଃ ସେ ତାଙ୍କ କାବ୍ୟକବିତା ମଧ୍ୟରେ କୃଷ୍ଣଙ୍କର ଦିବ୍ୟ ଗୁଣ ଓ ତାଙ୍କର ଅସାଧାରଣ କାର୍ଯ୍ୟକଳାପ, ସ୍ମିତ, ହାସ୍ୟ, ବଂଶୀ, ନୁପୂର, ଶଙ୍ଖ ଠାରୁ ଆରମ୍ଭ କରି ବୃନ୍ଦାବନ ଲୀଳା ପର୍ଯ୍ୟନ୍ତ ସମସ୍ତ କଥା ବର୍ଣ୍ଣନା କରିଛନ୍ତି । ଅନ୍ୟ ପକ୍ଷରେ ଜଗନ୍ନାଥଙ୍କୁ କବି ସାଲବେଗ ଆପଣାର ଶ୍ରେଷ୍ଠ ଠାକୁର ଭାବେ ସମ୍ବୋଧନ କରି ଜୀବନର ଶେଷ ପର୍ଯ୍ୟାୟରେ ତାଙ୍କରିଠାରେ ଆଶ୍ରୟ ନେଇଛନ୍ତି । ଦୁରିତ ନିବାରଣ, ପତିତପାବନ ଏବଂ ଜଗତର ନାଥ ଭାବେ ଗ୍ରହଣ କରି ସମଗ୍ର ବିଶ୍ଵବାସୀଙ୍କ ମଙ୍ଗଳ ନିମିତ୍ତ ତାଙ୍କର ରଥଯାତ୍ରା ହୁଏ ବୋଲି କେତେକ ଭକ୍ତି ଗୀତିକା ମଧ୍ୟରେ ସେ ଉଲ୍ଲେଖ କରିଛନ୍ତି । ଜଗନ୍ନାଥଙ୍କୁ ତାଙ୍କ ଗୀତିକା ମଧ୍ୟରେ ଜଗବନ୍ଧୁ, ଦୀନବନ୍ଧୁ, ପତିତପାବନ, ଦୃଷ୍ଟନାଶନ ଭାବେ ସମ୍ବୋଧନ କରି କବି ସେହି ମହାମାନବଙ୍କୁ ଆର୍ତ୍ତକଣ୍ଠରେ ପ୍ରାର୍ଥନା କରିଛନ୍ତି ।

 

ଭକ୍ତକବି ସାଲବେଗ ଜଗନ୍ନାଥ ଓ କୃଷ୍ଣଙ୍କ ମଧ୍ୟରେ କୌଣସି ଭେଦାଭେଦ ଲକ୍ଷ୍ୟ କରିନାହାନ୍ତି । ଜଗନ୍ନାଥଙ୍କୁ ଅବତାରୀ ପୁରୁଷ ଭାବେ ଗ୍ରହଣ କରି ଲୀଳା ପ୍ରକଟନ ନିମିତ୍ତ ସେ ଅବତାର ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । କଂସାସୁର ପ୍ରଭୃତି ଅସୁରମାନଙ୍କର ନିଧନ ପାଇଁ ସେ ଅବତାର ଗ୍ରହଣ କରିଥିଲେ । ତେଣୁ ସେ ଜଗନ୍ନାଥରୁ କୃଷ୍ଣ ଭାବରେ ପରିବର୍ତ୍ତିତ ହୋଇଥିଲେ । କୃଷ୍ଣ ରୂପ ଗ୍ରହଣ କରି ସେ ପୁତନା, ଶକଟା, ତୃଣା, ବକାସୁର ପ୍ରଭୃତିଙ୍କୁ ନିଧନ କରିଥିଲେ । ଯାମଳାର୍ଜ୍ଜୁନ ବୃକ୍ଷ ଉତ୍ପାଟନ କରିବା ସହିତ ସେ କୁବେର ପୁତ୍ରକୁ ଉଦ୍ଧାର କରିଥିଲେ । କେବଳ ଏତିକି ନୁହେଁ, ବୃନ୍ଦାବନର ଅଲୌକିକ ଲୀଳା ମଧ୍ୟରେ ସେ ବ୍ରହ୍ମାଙ୍କର ଗର୍ବ ହରଣ କରିବା ସହିତ ଜଗତ୍‍ବାସୀଙ୍କ ମଙ୍ଗଳ ନିମିତ୍ତ ଗୋବର୍ଦ୍ଧନ ଗିରି ଧାରଣ କରିଥିଲେ ଓ କାଳୀୟ ଦଳନ କରିଥିଲେ । ଗୋପନାରୀଗଣ ଯମୁନା ଜଳରେ ସ୍ନାନ କରିବା କାଳରେ ଶ୍ରୀକୃଷ୍ଣ ଯେପରି ତାଙ୍କର ବସ୍ତ୍ରଗୁଡ଼ିକୁ ନେଇ କଦମ୍ବ ବୃକ୍ଷରେ ରଖି ଦେଇଥିଲେ ତହିଁରୁ ତାଙ୍କର ଅଲୌକିକ ଲୀଳାର ପରିଚୟ ମିଳିଥାଏ । ଏହି କଥାକୁ କବି ଭକ୍ତି ଗଦ୍‌ଗଦ ଚିତ୍ତରେ ତାଙ୍କର ଭଜନ ଓ ଜଣାଣ ମଧ୍ୟରେ ନିମ୍ନଭାବେ ବ୍ୟକ୍ତ କରିଛନ୍ତି ।

 

‘‘ଦୀନବନ୍ଧୁ ହୋ, ତୁମ୍ଭେ ଡାକିଲେ ନଶୁଣ କାହିଁକି !

କୃପାସିନ୍ଧୁ ହୋ, ତୁମ୍ଭେ ଡାକିଲେ ନଶୁଣ କାହିଁକି !!

ଆହେ, ଦ୍ରୌପଦୀ ଆତଙ୍କ ବିବସନ କାଳେ

ବସ୍ତ୍ର ଦେଲ ପଠିଆଇକି ।

ଲକ୍ଷେ ଯୋଜନରେ ଗଜ ଡାକ ଦେଲା

କର୍ଣ୍ଣ ଡେରିଥିଲ ତହିଁକି ।।”

 

ଶ୍ରୀକୃଷ୍ଣ ପୁଣି ଭକ୍ତର ବତ୍ସଳ, ତା’ର ଅତ୍ୟନ୍ତ ପ୍ରିୟ, ଅରକ୍ଷିତ ଓ ଅସହାୟ ଜନତାର ସହାୟ । ତାଙ୍କର ଲୀଳା ଅଲୌକିକ । ତାଙ୍କର ଆଶୀର୍ବାଦରେ ସାତ ତାଳ ରୁଧିର ନଦୀ ମଧ୍ୟରେ ଭରତିଆ ପକ୍ଷୀ ମଧ୍ୟ ନିର୍ଭୟରେ ବଞ୍ଚି ରହିପାରେ । ଧନଞ୍ଜୟ ନିଜ ଶରରେ ଗଭୀର ସମୁଦ୍ରରେ ବନ୍ଧ ବାନ୍ଧି ପାରନ୍ତି, ହନୁମାନ ସମଗ୍ର ପର୍ବତକୁ ଟେକି ନେଇଯାଇ ପାରେ । ଏହି କଥାକୁ କବି ନିମ୍ନ କବିତାରେ ଉଲ୍ଲେଖ କରିଛନ୍ତି ।

 

‘‘ସମୁଦ୍ର ତଟରେ ପକ୍ଷୀ ବସାକଲା

ଡିମ୍ବ ନେଲା ରତ୍ନାକର,

ସାତ ଦିନ ଡିମ୍ବ ଜଳରେ ବୁଡ଼ିଲା ।

ଉଦ୍ଧାରିଲ ଚକ୍ରଧର ।।

ଶରରେ ସାଗର ବାନ୍ଧେ ଧନଞ୍ଜୟ

ମୀନ ରୂପେ ଜଳେ ରହି,

ଗିରି ଘେନି ହନୁ ଝମକି ଚାଲନ୍ତେ

ଅଧରୁ ରୁଧିର ବହି ।।

ଅଧାରେକ ଘେନି ଗରୁଡ଼ ଉଠିଲା,

ଭରା ନ ସହିଲା ମହୀ,

ଯୋଜନ ଯାଏ ଭୁଜ ବିସ୍ତାରିଲ,

ପକ୍ଷୀ ବିଶ୍ରମିଲା ତହିଁ ।”

 

ଭକ୍ତିର ମୁଖ୍ୟ କଥା ହେଉଛି ଶ୍ରବଣ, କୀର୍ତ୍ତନ, ସ୍ମରଣ, ପାଦସେବନ, ଅର୍ଚ୍ଚନ, ବଦନ, ଦାସ୍ୟ, ସଖ୍ୟ ଏବଂ ଆତ୍ମନିବେଦନ । ଏହା ହେଉଛି ଭକ୍ତିଧାରାର ନଅଗୋଟି ମାର୍ଗ । ଏହି ଭକ୍ତିଧାରା ସଂପର୍କରେ ଶ୍ରୀମଦ୍ ଭଗବତ୍‍ ଗୀତାରେ କୁହାଯାଇଛି–

 

“ଶ୍ରବଣଂ କୀର୍ତ୍ତନଂ ଚୈବ ସ୍ମରଣଂ ପଦସେବନମ୍

ଅର୍ଚ୍ଚନଂ ବନ୍ଦନଂ ଦାସ୍ୟଂ ସଖ୍ୟାମାତ୍ମ ନିବେଦନମ୍ ।”

 

ଭଜନ ଓ ଜଣାଣ ରଚନା କାଳରେ ଭକ୍ତି ଚେତନାର ଏହି ଧାରାଗୁଡ଼ିକ କବି ସାଲବେଗଙ୍କ ମନକୁ ସ୍ୱତଃ ଦୃଢ଼ୀଭୂତ କରିଦେଇଛି । ଫଳତଃ କେଉଁଠି ସେ କୃଷ୍ଣଭକ୍ତିରେ ବିହ୍ୱଳ ହୋଇ ଭଜନ ରଚନା କରିଛନ୍ତି ତ ପୁଣି କେଉଁଠି ପୁରୀ ଜଗନ୍ନାଥଙ୍କ ବଡ଼ଦାଣ୍ଡର ଧୂଳିକୁ ନେଇ ମଥାରେ ଗ୍ରହଣ କରିଛନ୍ତି । କୃଷ୍ଣ ଭକ୍ତିରେ ବିଭୋର ହୋଇ ଭକ୍ତକବି ବୃନ୍ଦାବନ ବିହାରୀ ଶ୍ରୀକୃଷ୍ଣଙ୍କ ଲୀଳାସ୍ଥଳୀ ବୃନ୍ଦାବନକୁ ଗମନ କରିଛନ୍ତି । ସେଠାରେ ଉପସ୍ଥିତ ସାଧୁମାନଙ୍କଠାରୁ କୃଷ୍ଣ ଚରିତ ଓ କୃଷ୍ଣ ଲୀଳା ଶ୍ରବଣ କରିଛନ୍ତି । କୃଷ୍ଣ ଲୀଳା ଶ୍ରବଣ ମଧ୍ୟରେ କବି ସଂପୂର୍ଣ୍ଣ ଭାବେ କୃଷ୍ଣ ଭାବନାରେ ତନ୍ମୟ ହୋଇ ରାଧାକୁଣ୍ଡ ଓ ଶ୍ୟାମକୁଣ୍ଡରେ ସ୍ନାନ କରିବା ସହିତ ଯମୁନାର ଜଳରେ ଅବଗାହନ କରିବା ନିମିତ୍ତ ମନ ବଳାଇଛନ୍ତି । ତେଣୁ ତାଙ୍କ ମୁଖରୁ ସ୍ୱତଃ ପ୍ରକଟିତ ହୋଇଛି–

 

‘‘ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ,

ଦର୍ଶନ କରିବି ଯାଇ ଶ୍ରୀମଧୁସୂଦନ ।।

ରାଧାକୁଣ୍ଡେ ଶ୍ୟାମକୁଣ୍ଡେ କରିବି ସ୍ନାହାନ,

ପରିକ୍ରମା କରୁଥିବି ଗିରି-ଗୋବର୍ଦ୍ଧନ ।।

ଆନନ୍ଦେ ଯମୁନା ଜଳ କରିବି ମୁଁ ପାନ,

ମୁଁ ନିକି ଭଜିବି ଯେହୁ ମୁକତି ଭାଜନ ।।

ରାହାସର ଧୂଳି ଅଙ୍ଗେ କରିବି ଲେପନ,

କୁଞ୍ଜେ କୁଞ୍ଜେ ତରୁମୂଳେ କରିବି ଶୟନ ।।’’

 

କବି ମହା ବିପଦର ସମ୍ମୁଖୀନ ହୋଇଥିବା ବେଳେ ନିଜ ମାତାଙ୍କଠାରୁ କୃଷ୍ଣ ନାମ ଶ୍ରବଣ କରିଥିଲେ । ଏହି ନାମ ଶ୍ରବଣ ମଧ୍ୟରେ କୃଷ୍ଣଙ୍କ ପ୍ରତି ତାଙ୍କ ହୃଦୟରେ ଗଭୀର ଭକ୍ତି ଭାବ ଜାତ ହୋଇଥିଲା । ନବୀନ ନଟବର ମୂର୍ତ୍ତି ସଂଦର୍ଶନ ମଧ୍ୟରେ ତାଙ୍କ ମନ ଆହୁରି ବ୍ୟାକୁଳ ହୋଇ ପଡ଼ିଥିଲା ଓ ସେ ଭାବପ୍ରବଣ ହୋଇ ପଡ଼ିଥିଲେ । କୃଷ୍ଣଙ୍କ ବଂଶୀର ମୃଦୁମନ୍ଦ ରାଗିଣୀ କବି ମନରେ ଭକ୍ତି ଭାବନା ସୃଷ୍ଟି କରିଥିଲା । ତେଣୁ ସେ ନିଜର ରୂପ ସତ୍ତା ଓ ଅସ୍ତିତ୍ୱ ଭୁଲିଯାଇ ମଦନମୋହନଙ୍କ ବଂଶୀ ଧ୍ୱନିରେ ନିଜକୁ ସମର୍ପଣ କରି ଗୋପୀମାନଙ୍କ ସହିତ ଏକାକାର ହୋଇ ଯାଇଥିଲେ । ତାଙ୍କ କଣ୍ଠରୁ ଭକ୍ତିରସର ଅମନ୍ଦଗାମିନୀ ଧାରା ପ୍ରବାହିତ ହୋଇ ପ୍ରକଟିତ ହୋଇଥିଲା–

‘‘ମୋ ଚିତ୍ତ ହରି ମେଲା କହ୍ନାଇ ବଂଶୀ ବଜାଇ,

ଅଙ୍ଗେ ଚନ୍ଦନ ଶୋଭା ଶିରେ ମାଳତୀ ଗଭା,

ଭଲା ସେ ଢଳି ଢଳି ନାଚଇ ।’’

କବି ସାଲବେଗଙ୍କ ଜଗନ୍ନାଥ କୈନ୍ଦ୍ରିକ ଭଜନ ଓ ଜଣାଣ ମଧ୍ୟରେ ଏହି ସ୍ୱରୂପ ହିଁ ପ୍ରକଟିତ ହୋଇଛି । ନନ୍ଦିଘୋଷ ରଥରେ ଅବସ୍ଥାନ କାଳରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ କବି ଅଭିଳାଷ ପୋଷଣ କରିଛନ୍ତି । କାରଣ ଯବନ କୁଳରେ ଜାତ ହୋଇଥିବାରୁ ତାଙ୍କୁ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ ମନା ହୋଇଛି । ଗଭୀର ବ୍ୟଥା ଓ ବେଦନାର ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ କବି ଫାଟି ପଡ଼ିଛନ୍ତି । ନୈରାଶ୍ୟ ମଧ୍ୟରେ ତାଙ୍କ କଣ୍ଠରୁ ନିର୍ଗତ ହୋଇଛି–

‘‘କାଳିଆ ଧନ, ବାରେ ନ ଦେଲୁ ଦରଶନ

ବାରେ ତୋ ଲାଗି ଯାଉ ଜୀବନ ।।

ଅଣ୍ଟା ଗୋଟି ତୋର ଡମ୍ବରୁ ଆକାର

ଗଢ଼ିଛି କେଉଁ ବିନ୍ଧାଣି ।

ଚାଲି ଗୋଟି ତୋର ଛୁଆ ସିଂହ ପ୍ରାୟେ

ମତ୍ତଗଜ ପରି ଠାଣି ।।’’

ଭକ୍ତି ଭାବନାରେ ନିମଜ୍ଜିତ ହୋଇ ତାଙ୍କର ଶେଷ ଜୀବନରେ କବି ଶ୍ରୀକ୍ଷେତ୍ରର ଶରଧାବାଲିରେ କାଳାତିପାତ କରିବା ପାଇଁ ଅଭିଳାଷ ପୋଷଣ କରି ଜଗନ୍ନାଥଙ୍କ ଟଙ୍କ ତୋରାଣିକୁ ହିଁ ଆଶା କରିଥିଲେ ।

“ତୁଳସୀ ଚଉରା ପାଶେ ଜଗି

ବସି ଧ୍ୟାଉଛନ୍ତି କେତେ ଯୋଗୀ,

ବ୍ୟାଘ୍ର ଚର୍ମ ପରି ସ୍ମୃତି କରୁଛନ୍ତି, ଜପୁଛନ୍ତି ନାମ ସଂଖ୍ୟା କରି ।।

ବଡ଼ ଦାଣ୍ଡ ଦେଖି ହେଲି ତୋଷ,

ରେଣୁ ମାତ୍ର ତେଣୁ କଲି ଗ୍ରାସ,

କ୍ଷୀରୀ ଖେଚଡ଼ିରେ ମନ ନ ବୋଧଇ ଟଙ୍କ ତୋରାଣିରେ ମନ ତୋଷ ।।’’

 

ସାଲବେଗଙ୍କ ଭକ୍ତି ଭାବନାର ଅନ୍ୟତମ ନିଦର୍ଶନ ହେଉଛି ତାଙ୍କ କାବ୍ୟ ବର୍ଣ୍ଣିତ ପଦସେବନ । କବିଙ୍କର ସହସ୍ରାଧିକ ଭଜନ ଓ ଜଣାଣ ମଧ୍ୟରେ ଏହି ବର୍ଣ୍ଣନା ରହିଛି । କୃଷ୍ଣଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥ ଓ ଶ୍ରୀରାମଙ୍କ ପର୍ଯ୍ୟନ୍ତ ସେ ସବୁଠାରେ ନିଜର ପରମାରାଧ୍ୟ ଦେବତାଙ୍କ ପାଦପଦ୍ମରେ ନିଜକୁ ସମର୍ପଣ କରି ନିଜ ଭଜନ ଓ ଜଣାଣ ମଧ୍ୟରେ ତାଙ୍କର ଆଶୀର୍ବାଦ କାମନା କରିଛନ୍ତି । କବି ଅନୁଭବ କରିଛନ୍ତି, ଯେଉଁମାନେ କୃଚ୍ଛ୍ରସାଧନା କରନ୍ତି ସେମାନେ ଭଗବାନଙ୍କ ସେବାରେ ନିଯୁକ୍ତି ହେବାର ସୁଯୋଗ ହରାଇଥାନ୍ତି । ମାତ୍ର ଭଗବାନଙ୍କ ସେବାରେ ଲାଗିବା ପରି କୌଣସି ବସ୍ତୁ ବା ବିଷୟକୁ ଏଡ଼େଇଯିବା ଆଦୌ ଯୁକ୍ତିଯୁକ୍ତ ନୁହେଁ । ମନ ଓ ଧ୍ୟାନରେ ତାଙ୍କୁ ଆଶ୍ରୟ କଲେ ଭକ୍ତ ତାଙ୍କର ନିକଟବର୍ତ୍ତୀ ହୋଇପାରେ । କବି ସାଲବେଗ ତାଙ୍କର ପ୍ରାୟ ପ୍ରତ୍ୟେକ ଭଜନ ମଧ୍ୟରେ ସେହି ମହାନାୟକ ଶ୍ରୀଜଗନ୍ନାଥ ବା ଶ୍ରୀକୃଷ୍ଣଙ୍କଠାରେ ନିଜକୁ ଉତ୍ସର୍ଗ କରିଛନ୍ତି । ତେଣୁ ତାଙ୍କର ଗୀତିକା ମଧ୍ୟରେ ସେ କେଉଁଠି ଚକା-ଚରଣେ ତ କେଉଁଠି ଶ୍ରୀରଙ୍ଗ ଚରଣେ, ଆଉ କେଉଁଠି ପାଦ ପଦ୍ମରେ, ଶ୍ରୀପଦରେ, ଚରଣରେ, ରାଧାକୃଷ୍ଣ ପାଦରେ ଧ୍ୟାନ କରି ଭଗବାନଙ୍କ ସହିତ ଏକାକାର ହେବାର ପରିକଳ୍ପନା କରିଛନ୍ତି । ଏହି ପ୍ରସଙ୍ଗକୁ କବି ନିମ୍ନଭାବେ ବ୍ୟକ୍ତ କରିଛନ୍ତି-

 

“କହେ ସାଲବେଗ ହୀନ ଜାତି

ଶ୍ରୀରଙ୍ଗା ଚରଣେ ରହୁ ମତି,

ଶ୍ରୀଜଗନ୍ନାଥଙ୍କୁ ଜଣାଣ କରୁଛି, ବାରେ ଦୟାକର ଲକ୍ଷ୍ମୀପତି ।’’

 

କିମ୍ବା

 

“କହେ ସାଲବେଗ ହୀନ ଜାତିରେ ମୁଁ ଯବନ

ଶ୍ରୀରଙ୍ଗା ଚରଣ ତଳେ ରଖ ମୋତେ ଶରଣ ।’’

 

କିମ୍ବା

“କହେ ସାଲବେଗ ହୀନ ଜାତିରେ ଯବନ ।

ରାଧାକୃଷ୍ଣ ପାଦ ବିନୁ ଅନ୍ୟେ ନାହିଁ ମନ ।” - ଇତ୍ୟାଦି ।

 

ଭକ୍ତି ଭାବନାର ଅନ୍ୟ ଏକ ରୂପ ହେଉଛି ଭଜନ ଓ କୀର୍ତ୍ତନ । କବି ସାଲବେଗ ତାଙ୍କର ଇଷ୍ଟ ଦେବତାଙ୍କୁ ନିଜ ରଚିତ ଗୀତିକା ମଧ୍ୟରେ ବହୁ ସ୍ଥାନରେ ଜଣାଣ ଗାନ କରିଛନ୍ତି ଓ ସେହି ଜଣାଣ ମଧ୍ୟରେ ନିଜ ଦୁଃଖ ଜଣାଇ ସେଥିରୁ ମୁକ୍ତି ପାଇଁ ବିନୀତ ଅନୁରୋଧ କରିଛନ୍ତି । ଉକ୍ତିଟିର ସାର୍ଥକତା ପାଇଁ ଏଠାରେ ସାଲବେଗଙ୍କ କବିତାରୁ ଗୋଟିଏ ଦୁଇଟି ପଦ ଉଦ୍ଧାର କରାଯାଇଛି ।

 

ଯଥା :

“କହେ ସାଲବେଗ ହୀନ ଜାତିରେ ଯବନ,

 

ରାଧାକୃଷ୍ଣ ଭଜୁ ଭଜୁ ଯାଉ ଓ ଜୀବନ ।’’

 

 

 

‘‘ଆନନ୍ଦେ ଯମୁନା ଜଳ କରିବି ମୁଁ ପାନ,

 

ମୁଁ ନିକି ଭଜିବି ଯେହୁ ମୁକତି ଭାଜନ ।’’ ପ୍ରଭୃତି

 

ସୁତରାଂ ଭକ୍ତି ଭାବନା ଓ ଚେତନାରେ ଆମ ସାହିତ୍ୟରେ ଭକ୍ତକବି ସାଲବେଗଙ୍କ ସ୍ଥାନ ଅଦ୍ୱିତୀୟ ।

 

ବିଭୁପ୍ରୀତି ଓ ଅମୃତ ଚେତନା :

 

ଆଶ୍ରୟହୀନ ହୋଇପଡ଼ିଲେ ଓ ଦୁରାରୋଗ୍ୟ ପରି ମହାବିପଦର ସମ୍ମୁଖୀନ ହେଲେ ମନୁଷ୍ୟ ଗଭୀର ନଦୀର ମଧ୍ୟଭାଗରେ ଥାଇ କୁଟାଖିଅକୁ ଆଶ୍ରା କଲାପରି ବିଭୁ ଆଶ୍ରିତ ହୁଏ, ବିପଦରୁ ଉଦ୍ଧାର ପାଇବା ପାଇଁ ମୁକ୍ତିର ମାର୍ଗ ଅନ୍ୱେଷଣ କରେ । ମାନବ ଯେତେବେଳେ ଭଗବାନଙ୍କ ସ୍ଥିତି ସଂପର୍କରେ ସଚେତନ ହୋଇଯାଏ ସେତିକିବେଳେ ତା ମଧ୍ୟରେ ବିଭୁ ପ୍ରୀତି ଗଭୀର ଓ ଜୀବନ୍ତ ହୁଏ । ଏଥି ନିମିତ୍ତ କେଉଁ ଅନାଦି କାଳରୁ କବି ଓ ଲେଖକମାନେ ସମାଜରୁ ବାସନ୍ଦ ହୋଇ ମଧ୍ୟ ବିଭୁ ଆଶୀର୍ବାଦ କାମନା କରିଛନ୍ତି । ସମାଜର ନାନା ସୁଖ ସୁବିଧାରୁ ବଞ୍ଚିତ ହୋଇ ନିଜର ପରମାରାଧ୍ୟ ଦେବଦେବୀଙ୍କ ପାଦ ପଦ୍ମରେ ସେମାନେ ଆଶ୍ରୟ ନେଇଛନ୍ତି । ଆମ ସାହିତ୍ୟର ମଧ୍ୟଯୁଗୀୟ କବି ଦୀନକୃଷ୍ଣଙ୍କ ଭାଗ୍ୟରେ ଏହିପରି ଦୁର୍ଦ୍ଦିନ ଆସିଛି । ସେ ଥିଲେ ସଂସାର ପ୍ରତି ଅନାସକ୍ତ । ଭକ୍ତି ଥିଲା ତାଙ୍କର ଭଗବତ୍ ପ୍ରାପ୍ତିର ପ୍ରଧାନ ମାର୍ଗ । ନିଜ ଜୀବନର ବ୍ୟଥା ଓ ବେଦନାକୁ ସେ ‘ରସକଲ୍ଲୋଳ' କାବ୍ୟର ଷୋଡ଼ଶ ଛାନ୍ଦରେ ବର୍ଣ୍ଣନା କରିଥିଲେ ।

 

ଅନ୍ୟପକ୍ଷରେ ଆଲୋଚ୍ୟ କବି ସାଲବେଗ ହେଉଛନ୍ତି ଉଭୟ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଓ ତାଙ୍କର ପଦାଶ୍ରିତ । ଧନର ପ୍ରାଚୁର୍ଯ୍ୟ ମଧ୍ୟରେ ଥାଇ ମଧ୍ୟ ସେ ନିଃସ୍ୱ । ଧନ ସଂପଦ ପାଇଁ ସେ ବ୍ୟାକୁଳ ହୋଇନାହାନ୍ତି ବା ଏଥିନିମିତ୍ତ କାହାର ଅନୁଗ୍ରହ ପ୍ରାର୍ଥୀ ହେବାପାଇଁ ସେ ମଧ୍ୟ ଆଶାପୋଷଣ କରିନାହାନ୍ତି । ପିତା ଲାଲ୍‍ବେଗଙ୍କ ସହିତ ଯୁଦ୍ଧକୁ ଯିବା ଅବସରରେ ଯେତେବେଳେ ସେ ଭୀଷଣ ଭାବରେ କ୍ଷତାକ୍ତ ହୋଇଛନ୍ତି ଓ ନାନା ପ୍ରକାର ଚିକିତ୍ସା ସତ୍ତ୍ୱେ ତହିଁରୁ ମୁକ୍ତିଲାଭ କରିପାରି ନାହାନ୍ତି । ନିଜର ମାତାଙ୍କ ଉପଦେଶ ଅନୁସାରେ ସେ ବୃନ୍ଦାବନ ବିହାରୀ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ।

 

‘‘ଏବେ ମୁଁ ଭଜୁଅଛି ହରି ।

କଣ୍ଟ ବଳିଲେ ଦୁହେଁ ମରି ।।

ଏମନ୍ତ କହି ସେ ନନ୍ଦନ ।

କୃଷ୍ଣ ଭଜନେ ଦେଲା ମନ ।।

କୃଷ୍ଣ ସ୍ଵରୂପ ଚିହ୍ନି ହୃଦେ ।

ମନ ନିବେଶି ପଦ୍ମପାଦେ ।।

କର ଯୁଗଳ ଶିରେ ଦେଇ ।

ନୟନେ କୃଷ୍ଣ ରୂପ ଥୋଇ ।।

କୃଷ୍ଣ କଥାରେ କର୍ଣ୍ଣ ଡେରି ।

ବଦନେ କୃଷ୍ଣ ନାମ ଧରି ।।’’

(ଦାର୍ଢ଼୍ୟତା ଭକ୍ତି ରସାମୃତ, ୨ୟ ଭାଗ, ପୃ-୨୧୫/୨୧୬)

 

କଠିନ ପରୀକ୍ଷାର ସମ୍ମୁଖୀନ କରାଇବା ପରେ ଶ୍ରୀକୃଷ୍ଣ ତାଙ୍କର ପ୍ରିୟ ଭକ୍ତ ସାଲବେଗଙ୍କ ପ୍ରତି ଆସକ୍ତ ହୋଇ ପଡ଼ିଥିଲେ ଓ ତାଙ୍କ ନିକଟକୁ ଆସି ତାଙ୍କର ଶରୀରରେ ମୁଠାଏ ବିଭୂତି ଲେପନ କରି ଦେଇଥିଲେ । ସାଲବେଗ ସେହିଦିନ ସେହିଠାରୁ ହିଁ ପୁନର୍ଜନ୍ମ ଲାଭ କରିଥିଲେ । ଏହା ଫଳରେ ତାଙ୍କ ହୃଦୟରେ ସେହି ବିଶ୍ୱମୋହନ ପ୍ରଭୁଙ୍କ ପ୍ରତି ଅହେତୁକ ଭକ୍ତି ଓ ଶ୍ରଦ୍ଧା ଜାତ ହୋଇଥିଲା । ସେହିଠାରୁ ହିଁ ସେ ସନ୍ନ୍ୟାସ ଧର୍ମ ଗ୍ରହଣ କରି ନିଜ ଜନନୀଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଥିଲେ–

 

‘‘ମାତାଙ୍କୁ ବୋଇଲା ଲୋ ଶୁଣ ।

ତୋ କଥା ହୋଇଲା ପ୍ରମାଣ ।।

ଶୁଣି ଜନନୀ ବେଗେ ଉଠି ।

ପୁତ୍ର ଦେହକୁ ଦେଲା ଦୃଷ୍ଟି ।।

ଦେଖିଲା ଶୁଭ କଥା ସବୁ ।

ବୋଲଇ ଦେଖିଲୁରେ ବାବୁ ।।

ସେ ହରି ମହିଳା ସାଗର ।

ଅତ୍ରାହି ଭଞ୍ଜନ ଠାକୁର ।।

ପୁତ୍ର ବୋଇଲା ସତ୍ୟ ଏହି ।

ପବିତ୍ର କଲୁ ମୋର ଦେହୀ ।।

ମୁହିଁ ସନ୍ନ୍ୟାସୀ ହୋଇବଇଁ ।

ସଂସାର ସୁଖ ତେଜିବଇଁ ।।

(ଦାର୍ଢ଼୍ୟତା ଭକ୍ତି ରସାମୃତ, ୨ ୟ ଭାଗ, ପୃ-୨୧୮)

 

ଏହିଠାରୁ କବି ସାଲବେଗଙ୍କ ହୃଦୟରେ ଭଗବାନଙ୍କ ପ୍ରତି ଗଭୀର ଭକ୍ତିଭାବନା ସୃଷ୍ଟି ହୋଇଥିଲା । ସେ ଅନୁଭବ କରିଥିଲେ ଏହି ସଂସାରରେ ପ୍ରତ୍ୟେକ ମୁହୂର୍ତ୍ତରେ ଯେଉଁଠି ଯାହା ଘଟଣା ବା ଦୁର୍ଘଟଣା ଘଟୁଛି ସବୁ ସେହି ପରମପୁରୁଷ ଶ୍ରୀକୃଷ୍ଣ ବା ପ୍ରଭୁ ଜଗନ୍ନାଥଙ୍କ ଯୋଗୁ ହିଁ ସମ୍ଭବ ହେଉଛି । ବିଭୁ ପ୍ରୀତି ଲାଭ କରିବା ପରେ କବି ଜୀବନର ଦୁଃଖ, ଦୈନ୍ୟ, ଅଭାବ ବା ଅନଟନ ତାଙ୍କୁ ବାଧିନାହିଁ । ତାଙ୍କ କାବ୍ୟକବିତା ମଧ୍ୟରେ ସେହି ଅଭାବ ଅସୁବିଧା ତଥା ଜାତି ଧର୍ମର କଥା ବାରମ୍ବାର ଉଚ୍ଚାରଣ କରିଥିଲେ ହେଁ ଭଗବାନ ଶ୍ରୀକୃଷ୍ଣଙ୍କ ଯୋଗୁ ତାଙ୍କ ବ୍ୟକ୍ତିତ୍ୱ ସୁବର୍ଣ୍ଣ ପରି ଶୁଦ୍ଧ ଓ ଶୁଭ୍ର ହୋଇ ବିକଶିତ ହୋଇଛି । ତାଙ୍କର ବ୍ୟକ୍ତିତ୍ୱ କୃଷ୍ଣ ଜଗନ୍ନାଥ ଭକ୍ତିରେ ଊର୍ଜ୍ଜସ୍ୱଳ ହୋଇ ପ୍ରକାଶିତ ହୋଇଛି । ତାଙ୍କ ହୃଦୟରେ ଯେତେ ଯାହା ଅହଂବୋଧ ଥିଲା ତାହା କ୍ରମଶଃ ତାଙ୍କଠାରୁ କେଉଁଆଡ଼େ ଅପସରି ଯାଇଛି । ସେ କରୁଣା ହୃଦୟ ହୋଇ ଜଗନ୍ନାଥ ଓ କୃଷ୍ଣଙ୍କ ଭଜନ ତଥା ଜଣାଣ ଗାନରେ ମନୋନିବେଶ କରିଛନ୍ତି । ସାଧୁମାନଙ୍କ ସହିତ ଏକତ୍ର ବାସ କରି ସଂସାରର ସକଳ ଅନ୍ୟାୟ ଭୁଲିବାକୁ ପ୍ରୟାସୀ ହୋଇଛନ୍ତି । ଫଳତଃ କବିଙ୍କର ପ୍ରତ୍ୟେକ କବିତା ମଧ୍ୟରେ ସେହି ଆର୍ତ୍ତତ୍ରାଣ ପରମ ପୁରୁଷଙ୍କ ଲୀଳା ହିଁ ପ୍ରକାଶ ପାଇଛି । ବିଭୁପ୍ରେମ ଓ ବିଭୁଚେତନାରେ ଉଦ୍‍ବୁଦ୍ଧ ହୋଇ କବି ସେହି ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କୁ ସମ୍ବୋଧନ କରି ପ୍ରକାଶ କରିଛନ୍ତି ‘ଆହେ ନୀଳ ଶଇଳ’, ‘ଆହେ ମଦନ ମୋହନ !’ ‘କଳା ହାତୀ କଳା ଶ୍ରୀମୁଖ’, ‘ଆହେ ନୀଳଗିରି !’ ‘ଆହେ ନୀଳାଚଳବାସୀ’, ‘ଜଗନ୍ନାଥ', ‘ଦୀନବନ୍ଧୁ’, ‘ପତିତପାବନ’, ‘ଚକାନୟନ', ‘ଚକାଡୋଳା’, ‘ଜଗନ୍ନାଥ', ‘ଶ୍ରୀପୁରୁଷୋତ୍ତମ’, ‘କଳାଚାନ୍ଦ', ‘କାଳିଆ କାହ୍ନୁ’, ‘କାଳିଆ ଧନ’, ‘ମୁରଲୀ ଫୁଙ୍କା’, ‘ବନ ବିନୋଦିଆ’, ‘ଶ୍ରୀମଧୁସୂଦନ’, ‘ଦଇତ୍ୟାରି’, ‘ଭାବଗ୍ରାହୀ’ ପ୍ରଭୃତି । ଉଭୟ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କୁ ଏହି ସମ୍ବୋଧନ ମଧ୍ୟରେ କବି ହୃଦୟର ଗଭୀର ବିଭୁପ୍ରୀତି ପ୍ରକାଶ ପାଇଛି । ତେଣୁ କବିଙ୍କ ଜୀବଦ୍ଦଶାରେ ଯେଉଁଠି ଯେତେବେଳେ ତାଙ୍କ ପ୍ରତି ଅନ୍ୟାୟ ଦେଖାଦେଇଛି ତାହାକୁ ସେ କବିତା ମଧ୍ୟରେ କାବ୍ୟରୂପ ଦେଇଛନ୍ତି । ଉଦାହରଣ ଭାବେ ଏଠାରେ ଦୁଇ ତିନୋଟି ପଦ ଉଦ୍ଧାର କରାଯାଇପାରେ ।

 

“ଆହେ ନୀଳଗିରି ବାସୀ,

ଶୋକ-ଜଳଧିରେ ଗଲି ଭାସି ।

କିମ୍ବା

କାଳିଆ ଧନ, ବାରେ ନଦେଲୁ ଦରଶନ,

ବାରେ ତୋ ଲାଗି ଯାଉ ଜୀବନ ।

କିମ୍ବା

ତୁମ୍ଭ ପତିତପାବନ ନାମ ଭେଳା ହୋ ଚକାଡୋଳା !

ତୁମ୍ଭେ ଥାଉଁ ଥାଉଁ ମୋ ବୁଡ଼ିଲା ଭେଳା ହୋ ଚକାଡୋଳା !'’

ଇତ୍ୟାଦି ।

 

ଏହି ସବୁ କବିତା ମଧ୍ୟରେ କବି ତାଙ୍କ ଜୀବନର ଦୁଃଖ ପ୍ରକାଶ କରିଛନ୍ତି । କବି ଜାତିରେ ଯବନ । ମାତ୍ର ଜଗନ୍ନାଥ ହେଉଛନ୍ତି ହିନ୍ଦୁମାନଙ୍କର ପ୍ରତ୍ୟକ୍ଷ ଦେବତା । ଜଗନ୍ନାଥଙ୍କ ହୃଦୟରେ ଜାତି ଅଜାତିର ଭେଦଭାବ ନଥିଲେ ହେଁ ତାଙ୍କୁ ସେବା ପୂଜା କରୁଥିବା ଲୋକମାନେ ଅନ୍ୟ ଜାତିର ମଣିଷମାନଙ୍କୁ ଶ୍ରୀମନ୍ଦିର ପ୍ରବେଶକୁ ବାରଣ କରିଛନ୍ତି । ଯବନ କବି ସାଲବେଗ ଏହାର ଶିକାର ହୋଇଛନ୍ତି । ତାଙ୍କ ହୃଦୟରେ ଜଗନ୍ନାଥଙ୍କ ପ୍ରତି ଥିବା ଅହେତୁକ ଆକର୍ଷଣକୁ ନ୍ୟସ୍ତସ୍ଵାର୍ଥ ଶ୍ରୀକ୍ଷେତ୍ରର ସେବାୟତମାନେ ବୁଝିପାରି ନାହାନ୍ତି । ଏଥି ନିମିତ୍ତ କବି ସେହି ମୁଷ୍ଟିମେୟ ବ୍ରାହ୍ମଣ ପଣ୍ଡାମାନଙ୍କୁ ଦୋଷ ଦେଇନାହାନ୍ତି । ବରଂ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅଭିମାନ ଭରା କଣ୍ଠରେ କବି ପ୍ରକାଶ କରିଛନ୍ତି–

 

“ଜଗନ୍ନାଥ ହେ, କିଛି ମାଗୁନାହିଁ ମୁଁ ତୋତେ ।

ମାଗୁନାହିଁ ଧନ ମାଗୁନାହିଁ ଜନ

ମାଗୁଛି ଶରଧା ବାଲିରୁ ହାତେ ।।

 

ଏହାହିଁ ହେଉଛି ଭକ୍ତ କବି ସାଲବେଗ ଓ ଭଗବାନଙ୍କ ମଧ୍ୟରେ ସଂପର୍କ । ଏହି ସଂପର୍କର ଡୋରୀ ଆହୁରି ଦୃଢ଼ୀଭୂତ ହୋଇଛି ତାଙ୍କର କୃଷ୍ଣ ଚେତନା ଭିତ୍ତିକ କାବ୍ୟକବିତା ମଧ୍ୟରେ-। ସେଥିପାଇଁ କବି ଯେତେବେଳେ ଅସୁବିଧାରେ ପଡ଼ିଛନ୍ତି ଓ ବୃନ୍ଦାବନ ଯାଇ କୃଷ୍ଣଙ୍କୁ ଦର୍ଶନ କରିବାର ସମସ୍ତ ଆଶା ନିଜ ହୃଦୟରୁ ହରାଇ ଦେଇଛନ୍ତି, ସେତେବେଳେ ସେ ଖୁବ୍ ବ୍ୟସ୍ତ ଓ ବିବ୍ରତ ହୋଇ ପଡ଼ିଛନ୍ତି । ଘୋର ସଙ୍କଟ ଓ ନୈରାଶ୍ୟ ମଧ୍ୟରେ ତଥାପି ଆଶାର କ୍ଷୀଣ ରେଖାଟିଏ ତାଙ୍କ ହୃଦୟରେ ପ୍ରକଟିତ ହୋଇଛି । ବିଶ୍ୱର ଯେଉଁ ମହାନାୟକଙ୍କ ଯୋଗୁ ସେ ଏ ପର୍ଯ୍ୟନ୍ତ ଏହି ସଂସାରରେ ରହି ପାରିଛନ୍ତି, ତାଙ୍କୁ ତାଙ୍କ ଜୀବଦ୍ଦଶାରେ ଦର୍ଶନ କରିବାର ଆଶା ପୋଷଣ କରିବା ସହିତ ସେହି ବୃନ୍ଦାବନ ଧାମରେ ଥିବା ରାଧାକୁଣ୍ଡ ଓ ଶ୍ୟାମକୁଣ୍ଡରେ ସ୍ନାନ କରିବାକୁ ପ୍ରୟାସୀ ହୋଇ କବି ଗାନ କରିଛନ୍ତି–

 

‘‘ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ,

ଦର୍ଶନ କରିବି ଯାଇ ଶ୍ରୀମଧୁସୂଦନ ।।

ରାଧାକୁଣ୍ଡେ ଶ୍ୟାମକୁଣ୍ଡେ କରିବି ସ୍ନାହାନ,

ପରିକ୍ରମା କରୁଥିବି ଗିରି-ଗୋବର୍ଦ୍ଧନ ।।

ଆନନ୍ଦେ ଯମୁନା ଜଳ କରିବି ମୁଁ ପାନ,

ମୁଁ ନିକି ଭଜିବି ଯେହୁ ମୁକତି ଭାଜନ ।।’’

 

ନିଜ ମାତାଙ୍କ ପ୍ରଭାବରେ ପ୍ରଭାବିତ ହୋଇଥିବାରୁ କୈଶୋରାବସ୍ଥାରୁ କବିଙ୍କ ହୃଦୟରେ ଭଗବତ୍ ଚିନ୍ତାର ଉଦ୍ରେକ ହୋଇଥିଲା । ବାଲ୍ୟ ଜୀବନରୁ ସତ୍ୟ ଓ ଧର୍ମ ପ୍ରତି ତାଙ୍କର ଆସିଥିଲା ଗଭୀର ବିଶ୍ଵାସବୋଧ । ତେଣୁ ଯେତେ ଦୁଃଖ ଓ ଜଞ୍ଜାଳ ମଧ୍ୟରେ ରହିଲେ ମଧ୍ୟ ଜୀବନର ଶେଷ କାଳ ପର୍ଯ୍ୟନ୍ତ ସେ ସେହି ଆଦର୍ଶରୁ ତିଳେ ମାତ୍ର ବିଚ୍ୟୁତ ହୋଇନଥିଲେ । ସତ୍ୟ ପଥରେ ଗମନ କରି ଭଗବତ୍ ପ୍ରାପ୍ତି ହେବା ଥିଲା ତାଙ୍କରି ଆଦର୍ଶ ଓ ସେହି ଭାବରେ ପଥିବୀର ସମସ୍ତ ଧର୍ମ ପ୍ରତି ସେ ଗଭୀର ଆସ୍ଥା ସ୍ଥାପନ କରିଥିଲେ । ଫଳତଃ ତାଙ୍କ ଚତୁର୍ଦ୍ଦିଗରେ ବିଭିନ୍ନ କାଳରେ ଯେତେ ଦୁଃଖ ଆସିଲେ ମଧ୍ୟ ସମସ୍ତ ଦୁଃଖ ଓ ଯନ୍ତ୍ରଣାକୁ ସେ ନୀଳକଣ୍ଠ ପରି ପାନ କରି ବିଶ୍ଵନିୟନ୍ତ୍ରାଙ୍କ ନିକଟକୁ ଯିବାପାଇଁ ପ୍ରୟାସୀ ହୋଇ ଜୀବନକୁ ମଧୁମୟ କରିବାକୁ ଚେଷ୍ଟା କରିଥିଲେ । ତେଣୁ ସେ ସୀମା ଭିତରେ ଅସୀମର ଓ ରୂପ ମଧ୍ୟରେ ଅରୂପର କଳ୍ପନା କରିଛନ୍ତି । ଅନେକ ସମୟରେ ନୀଳାଦ୍ରି ବିହାରୀ ପ୍ରଭୁ ଜଗନ୍ନାଥ ଓ ବୃନ୍ଦାବନ ନିବାସୀ ଶ୍ରୀକୃଷ୍ଣଙ୍କ ରୂପ ତଥା ଗୁଣ ବର୍ଣ୍ଣନା ମଧ୍ୟରେ ଜୀବନ ଓ ଜଗତ୍‌କୁ ଉପଲବ୍‍ଧି କରିଛନ୍ତି । ତାଙ୍କ ଦୃଷ୍ଟିରେ ସେ ଯାହାକୁ ଦେଖିଛନ୍ତି ସବୁ ସୁନ୍ଦର ଦେଖାଯାଇଛି । ସଂସାରର ସଂକୀର୍ଣ୍ଣ ମନୋଭାବ, କ୍ଷୁଦ୍ର ଦୃଷ୍ଟିକୋଣ ବା କୌଣସି ପାର୍ଥିବ ବିଳାସ ତାଙ୍କୁ ବିମୋହିତ କରିପାରି ନାହିଁ । ମୃତ୍ୟୁ ତାଙ୍କ ନିକଟକୁ ଆସି ମଧ୍ୟ ଆସି ପାରିନାହିଁ । ଏହି ମୃତ୍ୟୁ ସଂସାର ମଧ୍ୟରେ ଥାଇ ସେ ଦେଖିଛନ୍ତି ଅମୃତର ଅନିର୍ବାଣ ରୂପସତ୍ତାକୁ । ତେଣୁ ତାଙ୍କ କବିତା ମଧ୍ୟରେ ପ୍ରତିଧ୍ୱନିତ ହୋଇଛି–

 

‘‘ବିବିଧ କଉତୁକେ

ବର୍ଣ୍ଣିତ ସାଲବେଗ

ନିରେଖି ପୁଲକିତ ଅଙ୍ଗରେ ।।

 

କିମ୍ବା। “କହେ ସାଲବେଗ ହୀନ ଏହି ମୋର ନିବେଦନ

କୃଷ୍ଣ ଚରଣେ ରହୁ ମତିକି !”

ପୁନଶ୍ଚ “କହେ ସାଲବେଗ ହୀନ ।

ଏ ଅଟେ ମୋ ନିବେଦନ,

ସେ ପାଦେ ଚିତ୍ତ ରହୁ ନିରବଧି।’’ଇତ୍ୟାଦି ।

 

ସାଲବେଗ ଭକ୍ତକବି । ଭକ୍ତି ରସରେ ତାଙ୍କ ପ୍ରାଣ ସର୍ବଦା ପରିପୂର୍ଣ୍ଣ । ଏହି ଭାବନା ଓ ଅମୃତ ଚେତନା ତାଙ୍କର ରଚିତ ପ୍ରାୟ ପ୍ରତ୍ୟେକ କବିତା ମଧ୍ୟରେ ହୃଦ୍ୟ । କବି ଯେତେବେଳେ ଗଭୀର ଦୁଃଖ ସାଗର ମଧ୍ୟରେ ବୁଡ଼ିଯାଇଛନ୍ତି, ସେଥିରୁ ନିସ୍ତାର ପାଇବା ପାଇଁ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ପାଦ ପଦ୍ମରେ ଶରଣାପନ୍ନ ହୋଇଛନ୍ତି । ବିଷୟ ଜଞ୍ଜାଳର ସଂଘର୍ଷ ମଧ୍ୟରେ ଲିପ୍ତ ହୋଇ ପ୍ରଭୁ ଜଗନ୍ନାଥଙ୍କୁ ସେଥିରୁ ପରିତ୍ରାଣ ଲୋଡ଼ିବା ନିମିତ୍ତ ସେ ପ୍ରାର୍ଥନା କରି ଉଲ୍ଲେଖ କରିଛନ୍ତି–

 

‘‘ନବୀନ-ଘନ-ବଚନ ପ୍ରଭୁ ଚକାଆଖି ।

ମୋର ହୃଦ–ବେଦନାକୁ ତୁମ୍ଭେ ସିନା ସାକ୍ଷୀ ।

ଡାହାଣେ ଶ୍ରୀବଳଭଦ୍ର ମଧ୍ୟରେ ବହେଣୀ ।

ବସିଛନ୍ତି ଜଗନ୍ନାଥ ଶଙ୍ଖ ଚକ୍ର ଘେନି ।।”

 

ଏହି ଦୁଃଖ ସାଗରରୁ ପାରି ହେବା ପାଇଁ କବି ଖୁବ୍ ବ୍ୟସ୍ତ ହୋଇ ପଡ଼ିଛନ୍ତି । ଶ୍ରୀକ୍ଷେତ୍ରରେ ଅବସ୍ଥାନ କାଳରେ ଏହି ଦୁଃଖରୁ ମୁକ୍ତି ପାଇଁ ସେ ଜଗନ୍ନାଥ ଭଜନ ଗାନରେ ମନ ଦେଇଛନ୍ତି । ପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ କବି ଲେଖନୀରେ ନିମ୍ନ ଭାବେ ପ୍ରକାଶ ପାଇଛି ।

 

‘‘ହି ଗରୁଡ଼ ପଛରେ ଦେଖ

କି ଶୋଭା ପାଉଛି ପଦ୍ମମୁଖ,

ହୀରା ନୀଳା ମୋତି ମାଣିକ୍ୟ ଜଳୁଛି ହୃଦେ ଲମ୍ବିଅଛି ହୀରାନେକ ।’’

 

କବି ସାଲବେଗଙ୍କ ବର୍ଣ୍ଣିତ ଏହିସବୁ କବିତା ମଧ୍ୟରେ ତାଙ୍କ ହୃଦୟରେ ବିଭୁପ୍ରୀତି ଓ ଅମୃତ ଚେତନା ପ୍ରକାଶ ପାଇଛି ।

 

ରସ ଚେତନା :

 

ରସ କାବ୍ୟର ପ୍ରାଣ, ଏହାର ଅନ୍ତଃ ରୂପ । ରସ ପାଠକର ଦିବ୍ୟ ଚେତନା ଓ ତା’ର ଭାବାନୁଭୂତିକୁ ଉଜ୍ଜୀବିତ କରେ, ତା’ର ଚିତ୍ତବୃତ୍ତିକୁ ଆପ୍ଳୁତ କରି ରଖେ । ରସ କାବ୍ୟ କବିତାକୁ କରେ ମାର୍ମିକ, କମନୀୟ ଓ ଚମତ୍କାର । ରସଯୁକ୍ତ ହେଲେ କାବ୍ୟ କବିତା ମଧ୍ୟରେ ଆନନ୍ଦବୋଧ ପ୍ରକଟିତ ହୁଏ । ଏହି ଆନନ୍ଦ ହେଉଛି ବିଷୟାନନ୍ଦ, ରସାନନ୍ଦ ଓ ବ୍ରହ୍ମାନନ୍ଦ । ଏସବୁର ସଂଯୋଜନାରେ କବି ତା’ର ସୃଷ୍ଟି ମଧ୍ୟରେ ପାଠକ ହୃଦୟରେ ଶୁଷ୍କ ନିରସ କାଷ୍ଠ ଖଣ୍ଡରେ ମଧ୍ୟ କଳ୍ପନାର ମନ୍ଦାକିନୀ ଧାରା ପ୍ରବାହିତ କରିବାକୁ ଚେଷ୍ଟା କରେ । ଫଳତଃ ତା’ର ସୃଷ୍ଟି ହୁଏ ସରସ, ସୁନ୍ଦର ଓ ଚିରନ୍ତନ । ଏହି ଦୃଷ୍ଟିକୋଣରୁ ସାଲବେଗଙ୍କ କୃତିକୁ ଆକଳନ କଲେ ଜଣାଯାଏ କବି ରସ ଦୃଷ୍ଟିରୁ ଖୁବ୍ ସଚେତନ ଥିଲେ । ତାଙ୍କ ରଚିତ ଭଜନ ଓ ଜଣାଣଗୁଡ଼ିକ ରସଯୁକ୍ତ ହୋଇଥିବାରୁ ତାହା ପାଠକ ପ୍ରାଣକୁ ଗଭୀର ଭାବେ ସ୍ପର୍ଶ କରିବା ସହିତ ପାଠକ ହୃଦୟରେ ଭାବାନ୍ତର ସୃଷ୍ଟି କରିପାରିଥିଲା । କବି ଅନୁଭବ କରିଥିଲେ ସମକାଳୀନ ପାଠକଙ୍କ ପ୍ରାଣରେ ରସଭାବନା ସୃଷ୍ଟି କରିବାକୁ ହେଲେ ପାଠକ ମନଲାଖି ଭଜନ ଓ ଜଣାଣ ରଚନା କରିବାକୁ ପଡ଼ିବ । ପୁନଶ୍ଚ ତାହା ପାଠକୀୟ ସ୍ୱୀକୃତି ଲଭିବା ମଧ୍ୟ ଏକାନ୍ତ ଭାବେ ଆବଶ୍ୟକ । ସେଥିପାଇଁ କବି ତାଙ୍କ କବିତା ମଧ୍ୟରେ ମଧ୍ୟଯୁଗୀୟ ସାହିତ୍ୟିକ ପରମ୍ପରା ଅନୁଯାୟୀ ଶୃଙ୍ଗାର ବା ଆଦି ରସ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଏତଦ୍‍ବ୍ୟତୀତ ତାଙ୍କ ସୃଷ୍ଟିରେ ବାତ୍ସଲ୍ୟ ରସ ଓ ବୀର ରସର ମନ୍ଦାକିନୀ ଧାରା ମଧ୍ୟ ପ୍ରବାହିତ ହୋଇଛି ।

 

ସାଲବେଗଙ୍କ ଭଜନାବଳୀରେ ବର୍ଣ୍ଣିତ ଦୁଇ ମୁଖ୍ୟ ଚରିତ୍ର ହେଉଛନ୍ତି ଶ୍ରୀରାଧା ଓ ଶ୍ରୀକୃଷ୍ଣ । ଉଭୟ ଅଲୌକିକ ଗୁଣାବଳୀରେ ଭୂଷିତ ହୋଇଥିଲେ ହେଁ କବି ଦୃଷ୍ଟିରେ ସେମାନେ ବିଭିନ୍ନ ଭୂମିକାରେ ଉପନୀତ ହୋଇଛନ୍ତି । ଅନେକ କ୍ଷେତ୍ରରେ ଏହି ଚରିତ୍ର ଦ୍ୱୟଙ୍କୁ କବି ଆମ ଧୂଳି ଧୂସର ସମାଜରେ ଏକାକାର କରି ସେମାନଙ୍କ ମଧ୍ୟରେ ଥିବା ମାନବିକ ସ୍ୱରୂପଟିକୁ ପ୍ରକଟିତ କରିଛନ୍ତି । ରାଧା ଓ କୃଷ୍ଣଙ୍କର ବିଭିନ୍ନ ଲୌକିକ ଲୀଳା ସହିତ ଅଲୌକିକ ଲୀଳା ସଂପର୍କରେ ବର୍ଣ୍ଣନା କଲାବେଳେ କବି ଶୃଙ୍ଗାର ବା ଆଦି ରସକୁ ହିଁ ପ୍ରାଧାନ୍ୟ ଦେଇଛନ୍ତି ।

 

ଶୃଙ୍ଗାର ରସ ମାନବର ହୃଦୟ ଓ ଆତ୍ମାକୁ ଏକାକାର କରିଦିଏ । ଏହା ତା’ର ଗଭୀରତମ ପ୍ରଦେଶକୁ ପ୍ରବେଶ କରି ତାକୁ ଦିବ୍ୟ ଆନନ୍ଦ ପ୍ରଦାନ କରେ । ଦିବ୍ୟ ଆନନ୍ଦ ପ୍ରାଣକୁ ଅଭିଭୂତ କରିଥାଏ । ଏହି ଭାବ ଆସିଲେ ନାୟକ ନାୟିକା ମଧ୍ୟରେ ଅନୁରାଗ ସୃଷ୍ଟି ହୁଏ । ଅନୁରାଗର ମୁଖ୍ୟ ମାଧ୍ୟମ ହେଉଛି ରତି । ଏହା ହେଉଛି ଶୃଙ୍ଗାର ରସର ମୁଖ୍ୟ ସ୍ଥାୟୀ ଭାବ । ଏହା ନାୟକ ନାୟିକାଙ୍କୁ ଆଲମ୍ବନ କରି ସୃଷ୍ଟି ହୋଇଥାଏ । କବି ସାଲବେଗଙ୍କର ଆଲୋଚ୍ୟ କବିତା ମଧ୍ୟରେ ଯେଉଁ ସ୍ଥଳରେ ରାଧା ଓ କୃଷ୍ଣଙ୍କ କଥା ବର୍ଣ୍ଣିତ ହୋଇଛି ସେଠାରେ ସ୍ଵତଃ ରତି ଭାବ ଆସି ନାୟକ ନାୟିକାଙ୍କ ମଧ୍ୟରେ ଅନୁରାଗ ଭାବ ସୃଷ୍ଟି କରିଛି । ଉଦ୍ଦୀପନ ବିଭାବ ଭାବରେ ନାୟକ ନାୟିକା ମଧ୍ୟରେ କେତେକ ସ୍ଥଳରେ ସଖା, ସଖୀ, ଦୂତୀ, ଚନ୍ଦ୍ର, ବନ, ଉପବନ, ପୁଷ୍ପ, ସମୀର, ବଂଶୀ ପ୍ରଭୃତି ପ୍ରସଙ୍ଗ ଉଲ୍ଲେଖ କରାଯାଇଛି । ସାଲବେଗଙ୍କ ଭଜନରୁ ଏଠାରେ ଗୋଟିଏ ଦୁଇଟି ପଂକ୍ତି ଉଦ୍ଧାର କଲେ ଏହା ଅଧିକ ସ୍ପଷ୍ଟ ହେବ ।

 

‘‘ଦୂତି ଗୋ, ବଂଶୀ କାହୁଁ ଆଣିଲେ,

ନନ୍ଦେର ନନ୍ଦନ ମୋ ପ୍ରାଣ ନେଲେ ।।

ଛାର ଲତାକାଠ ବାଉଁଶ ଖଣ୍ଡେ,

ପ୍ରମାଦ କଲାଣି ଏ ଗୋପଦାଣ୍ଡେ ।।

କୃଷ୍ଣ ହସ୍ତୁ ବଂଶୀ କେ ଦ୍ୟନ୍ତା ମୋତେ ।

ପକାଥ ଦିଅନ୍ତ ଯମୁନା ପଥେ।।

ଯେଡ଼ିକି ମୁରଲୀ ତେଡ଼ିକି ଟାଣ,

ଯାର ପବେ ଥିଲେ ନିଅନ୍ତା ପ୍ରାଣ ।।”

 

ଏହି ଗୀତିକା ମଧ୍ୟରେ କବି ଦୂତି, ବଂଶୀ, ଯମୁନା, ନଦୀ ପ୍ରଭୃତିକୁ ନେଇ ନାୟକ ନୟିକା ମାଧ୍ୟମରେ ଉଦ୍ଦୀପନା ସୃଷ୍ଟି ପାଇଁ ପ୍ରୟାସୀ ହୋଇଛନ୍ତି ।

 

ସେହିପରି ଅନ୍ୟ ଏକ ଗୀତିକା ହେଉଛି ‘‘କୋକିଳ, କାନ୍ତ ବିଦେଶେ ମୋର ରେ ।’’ ଏହି ଗୀତିକା ମଧ୍ୟରେ ଶ୍ରୀକୃଷ୍ଣଙ୍କର ଅନୁପସ୍ଥିତିରେ ରାଧା ବିରହରେ ଫାଟି ପଡ଼ିଛନ୍ତି । ସେ ବେଶି କାଳ ନିଜର ବିରହ ଜ୍ୱାଳାକୁ ସହ୍ୟ କରି ପାରିନାହାନ୍ତି । ତାଙ୍କର ପ୍ରାଣ ପ୍ରିୟ ବିଦେଶରେ ଥିବାବେଳେ ତାଙ୍କ ହୃଦୟରେ ଗଭୀର ବ୍ୟଥା ଭାବ ସୃଷ୍ଟି ହୋଇଛି । ବର୍ଷା ଋତୁର ମେଘ ମେଦୁରିତ ଆକାଶ କବି ସାଲବେଗଙ୍କ ହୃଦୟରେ ଆଣିଛି ଭ୍ରାନ୍ତି । ତାଙ୍କ ହୃଦୟ ବର୍ଷାର ଆଗମନରେ ବନଭୂମିରେ ଥିବା ପକ୍ଷୀମାନଙ୍କ କାକଳୀ ମଧ୍ୟରେ ଏକାକୀ ରାଧାଙ୍କ କଥା ଚିନ୍ତାକରି ଫାଟିପଡ଼ିଛି । ରାଧା ଓ କୃଷ୍ଣଙ୍କ ମଧ୍ୟରେ ଗଭୀର ପ୍ରେମବୋଧ ରହିଥିଲେ ହେଁ ସାମୟିକ ବିଚ୍ଛେଦ ପ୍ରେମ ପାଗଳିନୀ ରାଧାଙ୍କ ହୃଦୟରେ ସୃଷ୍ଟି କରିଛି ବିପ୍ରଲମ୍ଭ ଶୃଙ୍ଗାର ମନୋଭାବ । ବର୍ଷାଋତୁ ହେଉଛି ଉଦ୍ଦୀପନ ବିଭବ । ଏହି କାଳରେ ନାୟିକା ରାଧା ତା’ର ପ୍ରାଣପ୍ରିୟ ଶ୍ରୀକୃଷ୍ଣଙ୍କ ଅନ୍ୱେଷଣ କରିଛି । ମାତ୍ର କାନ୍ତ ବିଦେଶରେ ଥିବା ହେତୁ ସେ ଠିକ୍ ସମୟରେ ରାଧିକାଙ୍କ ନିକଟରେ ପହଞ୍ଚି ପାରି ନାହାନ୍ତି । ଏଥିଯୋଗୁ ରାଧିକାଙ୍କ ହୃଦୟ ବ୍ୟଥା ଓ ବେଦନାରେ ଫାଟି ପଡ଼ିଛି । ନାୟିକା ଶ୍ରୀରାଧାଙ୍କର ଏହି ମନୋଭାବକୁ ଲକ୍ଷ୍ୟ କରି କବି ଉଲ୍ଲେଖ କରିଛନ୍ତି ।

 

‘‘କୋକିଳ, କାନ୍ତ ବିଦେଶେ ମୋର ରେ !

ହିଆ ଜରଜର ତନୁ ଅଧୀର, ରେ କୋକିଳ !

ଯେଉଁ ଦେଶେ କାନ୍ତ ରହିଲେ ଯାଇ,

ସେ ଦେଶେ ବରଷା ଋତୁ କି ନାହିଁ, ରେ କୋକିଳ !

ଯେଉଁ ଦେଶେ କାନ୍ତ ରହିଲେ ଯାଇ,

ସେ ଦେଶେ ଆଉ କି ରସିକ ନାହିଁ, ରେ କୋକିଳ !

ବଣ ଜନ୍ତୁ ତୁ ତ ବଣରେ ଥାଉ,

ରାତ୍ର ନ ପାହୁଣୁ କି ରାବ ଦେଉ, ରେ କୋକିଳ !

ଏ ନବ ଯୌବନ ବସନ ଭାରି,

କେତେ ମୁଁ ସହିବି ଅବଳା ନାରୀ, ରେ କୋକିଳ !”

 

ରାଧା କୃଷ୍ଣ ଅଲୌକିକ ପ୍ରେମ ଲୀଳା ବର୍ଣ୍ଣନା ମଧ୍ୟରେ ସାଲବେଗ ତାଙ୍କର ବହୁ ଭଜନରେ ନାୟକ ନାୟିକାଙ୍କର ସମ୍ଭୋଗ ଚିତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଯଥା :

 

‘‘ବିମ୍ବାଧରି !

 

ତୋ ରୂପକୁ ଚାନ୍ଦ ନୁହେଁ ସରି, ରେ ବିମ୍ବାଧରି !

କାଲି ଦେଖିଥିଲି ସ୍ନାନବେଳେ

ତନୁ ଜରଜର କାମଭୋଳେ ।

ଝୀନ ବାସ ଫୁଟି କୁଚ ଦିଶୁଥିଲା ମୂର୍ଚ୍ଛାଗତ ଗଲି ତେତେବେଳେ ।”

 

ଏବଂ

 

‘‘ବାଟ ଛାଡ଼ ସୁଘଟ ନାଗର,

ଯମୁନାକୁ ମୁହିଁ ଯିବି ପାଣିକି ।

ବାଟ ପାଇଁ ଯେବେ ଲଟ ଲଗାଇଛ

ପ୍ରତିବନ୍ଧା ଦେବି ମଥାମଣିକି ।।’’

 

ସମ୍ଭୋଗ ଶୃଙ୍ଗାର ବର୍ଣ୍ଣନା ମଧ୍ୟରେ ଶ୍ରୀକୃଷ୍ଣଙ୍କର ରୂପ ସୌନ୍ଦର୍ଯ୍ୟ ଏବଂ ତାଙ୍କର ବିଭିନ୍ନ ଅଲୌକିକ କାର୍ଯ୍ୟକଳାପ ଶ୍ରୀରାଧା ଓ ଗୋପାଙ୍ଗନାମାନଙ୍କୁ ଖୁବ୍ ଆକର୍ଷିତ କରିଛି । ଫଳତଃ ଅନେକ ସ୍ଥଳରେ ଶ୍ରୀରାଧା ଓ ଗୋପାଙ୍ଗନାମାନେ ଶ୍ରୀକୃଷ୍ଣଙ୍କ ସହିତ ଏକାକାର ହୋଇ ତାଙ୍କରି ଆତ୍ମାରେ ମିଶିଯିବା ନିମିତ୍ତ ବ୍ୟଥିତ ହୋଇପଡ଼ିଛନ୍ତି । ଶ୍ରୀକୃଷ୍ଣ ମଧ୍ୟ ଶ୍ରୀରାଧାଙ୍କ ରୂପ ଚେତନାରେ ବିମୋହିତ ହୋଇ ପଡ଼ିଛନ୍ତି । ମାତ୍ର ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାର ବର୍ଣ୍ଣନା ମଧ୍ୟରେ କବି ସମସ୍ତ ପ୍ରକାର ଶାଳିନତା ଓ ସାମାଜିକତା ତାଙ୍କ କବିତାରେ ରକ୍ଷା କରିବାକୁ ପ୍ରୟାସୀ ହୋଇଛନ୍ତି ।

 

ସାଲବେଗ ତାଙ୍କ କବିତାର କେତେକ ସ୍ଥଳରେ ମଧ୍ୟ ବାତ୍ସଲ୍ୟ ରସର ଧାରା ପ୍ରବାହିତ କରିଛନ୍ତି । କବିଙ୍କର ବାତ୍ସଲ୍ୟ ରସଯୁକ୍ତ ଏହିପରି କବିତା ହେଉଛି ‘ସୁନାପୁଅ ନାଚଇରେ’ ଓ ‘ମୁଁ ତୋତେ କି ବୋଇଲି କି’ ।

 

ମୁଁ ତୋତେ କି ବୋଇଲି କି’ କବିତା ମଧ୍ୟରେ କବି ଯଶୋଦାର ମନ କଥା ପ୍ରତିପାଦନ କରିଛନ୍ତି । ମାତା ଯଶୋଦାଙ୍କର ପୁତ୍ର ଶ୍ରୀକୃଷ୍ଣ । ପିଲାକାଳରେ ଦୁଷ୍ଟ ହେତୁ ସେ ତାକୁ ଆକଟିଛନ୍ତି । ଏଥିରେ ପୁତ୍ର ଶ୍ରୀକୃଷ୍ଣଙ୍କର କ୍ରୋଧର ସୀମା ନାହିଁ । ମାତ୍ର ସେ’ତ ଯଶୋଦାଙ୍କର ଏକମାତ୍ର ପୁତ୍ର । ମୁହଁରେ ଖୁବ୍ ଜୋର୍‍ରେ ଏଣୁ ତେଣୁ କହିଲେ ମଧ୍ୟ ହୃଦୟରେ ସେ କୃଷ୍ଣଙ୍କୁ ଖୁବ୍ ଭଲ ପାଆନ୍ତି । ତାଙ୍କ ଆଖି ଆଗରୁ କୃଷ୍ଣ ନିମିଷେ ପାଇଁ କେଉଁଆଡ଼େ ଚାଲିଗଲେ ସେ ଖୁବ୍ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ନ୍ତି । ସେଦିନ ଯେତେବେଳେ କୃଷ୍ଣଙ୍କର ଦୁଷ୍ଟାମୀ ପାଇଁ ଯଶୋଦା ତାଙ୍କୁ ଗାଳିଗୁଲଜ କଲେ, କୃଷ୍ଣ ମାତା ଯଶୋଦାଙ୍କୁ ରୁଷି ବସିଲା । ତା ମୁଖମଣ୍ଡଳରୁ ହସର ଧାରା କିଏ ଯେପରି ଚୋରାଇ ନେଇଛି, ଅନୁଭୂତ ହେଲା । କୃଷ୍ଣଙ୍କର ଏପରି ମନୋଭାବ ଯଶୋଦାଙ୍କୁ ଅଦୌ ଭଲ ଲାଗିଲା ନାହିଁ । ତେଣୁ ସେ ରୁଷି ବସିଥିବା ଅଝଟ ପୁଅକୁ ନିଜ କୋଳକୁ ଆଣି ତା ଦେହକୁ ନିଜ ପଣତରେ ଝାଡ଼ି ଦେଇଛନ୍ତି । ଅତ୍ୟନ୍ତ ଭାବବିହ୍ୱଳ ହୋଇ ତାକୁ ବାରମ୍ବାର ଚୁମ୍ବନ ଦେଇଛନ୍ତି ଏବଂ ସେ ଖୁବ୍ ଭଲ ପାଉଥିବା ଅଧାମ, ସର, ଲବଣୀ ଆହୁରି ଅଧିକ ଦେବେ ବୋଲି ଦୃଢ଼ ଆଶ୍ୱାସନା ଦେଇଛନ୍ତି । କବି ସାଲବେଗ ମାତା ଯଶୋଦାଙ୍କର ପୁତ୍ର କୃଷ୍ଣଙ୍କ ପ୍ରତି ଥିବା ଏହିପରି ମାନସିକତାକୁ ତାଙ୍କ କବିତାରେ ନିମ୍ନଭାବେ ବ୍ୟକ୍ତ କରିଛନ୍ତି ।

 

‘‘ମୁଁ ତୋତେ କି ବୋଇଲି କି

ତୁ ବସିଅଛୁ ରୁଷି ।

ଚନ୍ଦ୍ରମାବଦନ ଟେକି ଚାହୁଁ କି ନା ହସି ।।

ବୋଲେ ନନ୍ଦରାଣୀ ତୋର ପରି ମୁଣ୍ଡା ଯାଇ ରେ ।

କମଳ ନୟନୁ ନୀର ସ୍ରବାଉ କିମ୍ପାଇଁରେ ।।

ଆସ ଆସ ବାବୁ ମୋର ଦୀନ ପ୍ରାଣ ମଣିରେ ।

ଦେବି ମୁଁ ଅଧାମ ସର ଅଧିକ ଲବଣିରେ ।

ଧୂଳିରୁ ଝାଡ଼ିଣ ମାୟେ ପୋଛେ ପଣତରେ ।

ଚୁମ୍ବନ ଦିଅନ୍ତି ମାୟେ ଅତି ସ୍ନେହଭରେ ।। ’’

 

‘ସୁନା ପୁଅ ନାଚଇରେ’ କବିତା ମଧ୍ୟରେ କବି ଶ୍ରୀକୃଷ୍ଣଙ୍କ ପ୍ରତି ମାତା ଯଶୋଦାଙ୍କ ମନୋଭାବନା ଅତ୍ୟନ୍ତ ଚମତ୍କାର ଭାବେ ପ୍ରକାଶ କରିଛନ୍ତି । ମାତା ଯଶୋଦାଙ୍କ ଦୃଷ୍ଟିରେ କୃଷ୍ଣ ହେଉଛି ସୁନାପୁଅ । ସେ ପୁଣି ଗୋପପୁରର ସମସ୍ତ ଗୋପାଙ୍ଗନାମାନଙ୍କର ପ୍ରିୟ । ଗୋଟିକା, ଅଧାମ, ଲବଣି, ସର, ନବାତ, କ୍ଷୀର ପ୍ରଭୃତି ଦୁଗ୍‌ଧଜାତ ଦ୍ରବ୍ୟରେ ତା’ର ଆଦର । ଗୋପାଙ୍ଗନାମାନେ କୃଷ୍ଣଙ୍କୁ ଦେଖିବା ନିମିତ୍ତ ଯେତେବେଳେ ନନ୍ଦ ଘରକୁ ଯାଆନ୍ତି ମାତା ଯଶୋଦା ସେହି ଗୋପାଙ୍ଗନାଙ୍କ ସମ୍ମୁଖରେ ପୁତ୍ର କୃଷ୍ଣଙ୍କର ସୁଗୁଣ ଗୁଡ଼ିକ ବଖାଣି କହନ୍ତି ତାଙ୍କ କୃଷ୍ଣ ହେଉଛି ସବୁଠାରୁ ସୁନ୍ଦର । ସେଥିପାଇଁ ଅତ୍ୟନ୍ତ ଆଗ୍ରହ ଓ ଶ୍ରଦ୍ଧାରେ ସେ ପୁତ୍ର କୃଷ୍ଣଙ୍କୁ ସୁନା ତାଟିଆରେ ଗୋଟିକା ଅଧାମ ଆଦି ଖାଇବାକୁ ଦିଅନ୍ତି ।

 

‘‘ସୁନା ତାଟିଆରେ ଗୋଟିକା ଅଧାମ,

ସାଚିନି ନବାତ କ୍ଷୀର ।

ଖାଅ ବୋଲି ମାୟେ ସରପୁଳି ନେଇ

ଦିଅନ୍ତି ରଙ୍ଗ ଅଧର ।’’

 

ଏତ୍‌ବ୍ୟତୀତ ସାଲବେଗଙ୍କ କବିତାରେ କେତେକ ସ୍ଥଳରେ ବୀର ରସର ପ୍ରବାହ ମଧ୍ୟ ଲକ୍ଷ୍ୟ କରାଯାଏ । ରସ ବିଚାର ଦୃଷ୍ଟିରୁ ଏହାର ସ୍ଥାୟୀ ଭାବ ଉତ୍ସାହ ଉପରେ କବି ଗୁରୁତ୍ୱଆରୋପ କରିନଥିଲେ ମଧ୍ୟ ସ୍ୱାଭାବିକ ଭାବରେ ମହାମାନବ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥ ଚରିତ୍ର ବର୍ଣ୍ଣନା କ୍ରମରେ ସେ ବୀର ରସର ପ୍ରାବଲ୍ୟ ସୃଷ୍ଟି କରିଛନ୍ତି । ଗଭୀର ଜଳମଧ୍ୟରେ ଗଜରାଜ ଠାରୁ ଆରମ୍ଭ କରି କୁରୁ ସଭାରେ ଦ୍ରୋପଦୀ, ନିଘଞ୍ଚ ବନଭୂମିରେ ହରିଣୀ, ରାବଣର ଭ୍ରାତା ବିଭୀଷଣ, ପାପୀ ଅଜାମିଳ ପ୍ରଭୃତିଙ୍କୁ ସାହାଯ୍ୟ କରିବା କାଳରେ ଶ୍ରୀକୃଷ୍ଣ ନିଜର ବୀରତ୍ୱ ପ୍ରଦର୍ଶନ କରିଛନ୍ତି । ପୁନଶ୍ଚ ଶୈଶବ କାଳରେ ଅଘା, ବକା, ଷଣ୍ଢା ଏବଂ କଂସଙ୍କୁ ଯେଉଁ ଭାବରେ ଶ୍ରୀକୃଷ୍ଣ ବଧ କରିଥିଲେ ତହିଁରୁ ତାଙ୍କର ବୀରତ୍ଵର ପରିଚୟ ମିଳିଥାଏ । ଉଦାହରଣ ଭାବେ କବିଙ୍କର ନିମ୍ନ ପଦଟିକୁ ଗ୍ରହଣ କରାଯାଇପାରେ ।

 

 

 

‘ବକା ଷଣ୍ଢା ଅଘାକୁ ନାଶି,

ଧରିଅଛ ମୋହନ ବଂଶୀ ।

ଅକ୍ରୂର ଆସିଛି ରଥ ଆଣିକରି ।

କୃଷ୍ଣ ବଳରାମ ଯିବାର ପାଇଁ ।''

 

ପୁନଶ୍ଚ

 

‘‘ଗଜରାଜ ଡାକ ଦେଲା ଗ୍ରାହଯୁଦ୍ଧ ବେଳେଣ,

ଚକ୍ର ପେଷି ନକ୍ର ନାଶି କୃପା କଲ ଆପଣ ।।

 

ଦ୍ରୋପଦୀ ଯେ ଚିନ୍ତାକଲା କୁରୁସଭା ତଳେଣ,

କୋଟି ବସ୍ତ୍ର ଦେଇ ତାଙ୍କ ଲଜ୍ଜା କଲ ବାରଣ ।।’’

 

ବୀର ରସର ସ୍ଥାୟୀ ଭାବ ଉତ୍ସାହ ପରୋକ୍ଷ ଭାବରେ ସାଲବେଗଙ୍କ ଅଧିକାଂଶ କବିତା ମଧ୍ୟରେ ପ୍ରତିଫଳିତ ହୋଇଛି । ଏସବୁ କବିତାରେ ଆଲମ୍ବନ ବିଭାବ ହେଉଛନ୍ତି କଂସଙ୍କଠାରୁ ଆରମ୍ଭ କରି ଅଘା, ବକା, ଷଣ୍ଢା, ପୁତନା ପ୍ରଭୃତି ଚରିତ୍ରମାନେ । ଉଦ୍ଦୀପନ ସ୍ୱରୂପ ସେମାନେ ନିଜ ନିଜର ବୀରତ୍ୱ ପ୍ରଦର୍ଶନ କରିଛନ୍ତି ।

 

ସୁତରାଂ କବି ସାଲବେଗ ତାଙ୍କ କାବ୍ୟ କବିତା ମଧ୍ୟରେ ଭକ୍ତି ରସର ପ୍ରାବଲ୍ୟ ସୃଷ୍ଟି କରିଥିଲେ ହେଁ ସେହି ପ୍ରାବଲ୍ୟ ମଧ୍ୟରେ ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ପରମ୍ପରାର ଥିଲେ ଯଥାର୍ଥ ଦାୟାଦ । ଫଳତଃ ସେହି ପରମ୍ପରାର ପ୍ରତିଧ୍ୱନି ସ୍ୱରୂପ ତାଙ୍କ କାବ୍ୟ କବିତାରେ ନାନା ରସର ଏକ ଅପୂର୍ବ ଓ ସୁମଧୁର ସମାବେଶ ଘଟିଥିଲା ।

 

ଓଡ଼ିଶୀ ସଂଗୀତ ଓ ସାଲବେଗଙ୍କ ଭଜନାବଳୀ :

 

ଓଡ଼ିଶା ହେଉଛି ଉତ୍କୃଷ୍ଟ କଳାର ଦେଶ । ଏହି ଦେଶର ପ୍ରାଚୀନ ନାମ ହେଉଛି ‘ଉଡ଼୍ର ଦେଶ’ । ପ୍ରାଚୀନ ଭାରତୀୟ ସାହିତ୍ୟ, ସଂସ୍କୃତି ଓ ସଭ୍ୟତାର ବିକାଶ ଦିଗରେ ଉଡ଼୍ର ଦେଶର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ । ଭାରତବର୍ଷର ପ୍ରାଚୀନ ସଂଗୀତଜ୍ଞ ଓ ଗୀତିକାରମାନେ ହେଉଛନ୍ତି ଆର୍ଯ୍ୟ ମୁନିରୁଷିଗଣ । ପ୍ରାଚୀନ ସାମବେଦର ବହୁ ଶ୍ଳୋକ ସଂଗୀତ ଉପରେ ପର୍ଯ୍ୟବସିତ । ବ୍ୟାସଦେବଙ୍କର ମହାଭାରତ ଠାରୁ ଆରମ୍ଭ କରି ବାଲ୍ମୀକିଙ୍କ ରାମାୟଣ ପର୍ଯ୍ୟନ୍ତ ବିଭିନ୍ନ ଭାରତୀୟ ପୁରାଣ ଶାସ୍ତ୍ରରେ ସେଥିନିମିତ୍ତ ସଂଗୀତର ଚର୍ଚ୍ଚା ହୋଇଛି । ସଂଗୀତ ଚର୍ଚ୍ଚା ନିମିତ୍ତ ବିଭିନ୍ନ ବାଦ୍ୟଯନ୍ତ୍ର ସଂପର୍କରେ ଆଲୋଚନା କରାଯାଇଛି । ସଂଗୀତ ରତ୍ନାକର ଗ୍ରନ୍ଥରେ ଉଲ୍ଲେଖ ଅଛି–“ଗୀତଂ ବାଦ୍ୟଂ ତଥା ନୃତ୍ୟଂ ତ୍ରୟଂ ସଂଗୀତ ମୁଚ୍ୟତେ ।” ଅର୍ଥାତ୍ ଗୀତ, ବାଦ୍ୟ ଓ ନୃତ୍ୟ–ଏହି ତିନି କଳାର ସମିଶ୍ରଣରେ ସଂଗୀତର ସୃଷ୍ଟି । ଛନ୍ଦୋବଦ୍ଧ ଅଭିବ୍ୟକ୍ତିର ନାମ ହେଉଛି ନୃତ୍ୟ । ନୃତ୍ୟ ମାନବର ହୃଦୟ ସହିତ ଭାବ ସଂପର୍କ ରକ୍ଷା କରି ଜୀବନକୁ ଶରୀରର ବିଭିନ୍ନ ଭଙ୍ଗୀ ମାଧ୍ୟମରେ ପ୍ରତିଫଳିତ କରେ । ତାଳ ଓ ଛନ୍ଦ ଶରୀରର ଏହି ପ୍ରତିଫଳନ ନିମିତ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ନୃତ୍ୟ ହେଉଛି ଆନନ୍ଦର ଏକ ଅଭିବ୍ୟକ୍ତି ଓ ରୂପ ସୌନ୍ଦର୍ଯ୍ୟର ଏକ ଅସାଧାରଣ ପରିପ୍ରକାଶ । ଧ୍ୱନିତତ୍ୱବିତ୍ ଓ ଦାର୍ଶନିକଙ୍କ ମତରେ ନୃତ୍ୟ ହେଉଛି ମାନବର ଯୋଗ ସାଧନାର ଏକ ମାଧ୍ୟମ–ଈଶ୍ଵର ପ୍ରାପ୍ତିର ମୂଳଭିତ୍ତି । ତେଣୁ ପ୍ରାଚୀନ କାଳରୁ ମାନବ ଈଶ୍ଵର ପ୍ରାପ୍ତି ଓ ତାଙ୍କର ସାନ୍ନିଧ୍ୟ ନିମିତ୍ତ ଗୀତ, ବାଦ୍ୟ ଓ ନୃତ୍ୟ ମାଧ୍ୟମରେ ସେହି ଈଶ୍ଵରଙ୍କୁ ପ୍ରାର୍ଥନା କରୁଥିଲା ଏବଂ ତାଙ୍କରି ଆଶୀର୍ବାଦ କାମନା କରୁଥିଲା । ସୁତରାଂ ଅନୁଶୀଳନରୁ ଜଣାଯାଏ, ପୃଥିବୀରେ ବସବାସ କରୁଥିବା ଆଦିମ ବର୍ବର ଅଧିବାସୀଙ୍କ ଠାରୁ ଆରମ୍ଭ କରି ସାଂପ୍ରତିକ ସଭ୍ୟ ସଂସ୍କୃତ ମାନବ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ଗୀତ, ନୃତ୍ୟ ଓ ବାଦ୍ୟ ଏକ ବିଶିଷ୍ଟ ଆସନ ଅଧିକାର କରିଅଛି ।

 

ନୃତ୍ୟ, ଗୀତ ଓ ବାଦ୍ୟ ସଂପର୍କରେ ପ୍ରାଚୀନ ଭାରତବର୍ଷରେ ଯେତେ ସବୁ ଗ୍ରନ୍ଥ ପ୍ରଣୟନ ହୋଇଥିଲା ସେସବୁ ମଧ୍ୟରେ ଅତ୍ୟନ୍ତ ଜନପ୍ରିୟ ଓ ପ୍ରସିଦ୍ଧ ଗ୍ରନ୍ଥ ଥିଲା ଭରତମୁନିଙ୍କ ‘ନାଟ୍ୟଶାସ୍ତ୍ର’ । ଦ୍ଵାଦଶ ଶତାବ୍ଦୀର ଉତ୍କଳୀୟ କବି ଜୟଦେବ ତାଙ୍କର ବିଶ୍ୱପ୍ରସିଦ୍ଧ ଗ୍ରନ୍ଥ ‘ଗୀତଗୋବିନ୍ଦ’ କାବ୍ୟ ମଧ୍ୟରେ ଯେପରି ସଂଗୀତର ଧାରା ସୃଷ୍ଟି କରିଛନ୍ତି ତାହା ସଂପୂର୍ଣ୍ଣ ଭାବେ ଉତ୍କଳୀୟ ପାଣିପାଗ ଉପରେ ପର୍ଯ୍ୟବସିତ । ରାଧାକୃଷ୍ଣଙ୍କର ଅମର ପ୍ରେମର ଏକ ସୁଲଳିତ ପଦ ସଂଯୋଜନା ହେଉଛି ଏହାର ସମଗ୍ର ସର୍ଗ । କବି ଜୟଦେବ ସମଗ୍ର କାବ୍ୟ ମଧ୍ୟରେ ଥିବା ବିଭିନ୍ନ ସର୍ଗରେ ରାଗ ଓ ସଂଗୀତର ସମନ୍ୱୟ ରକ୍ଷା କରିଛନ୍ତି ଏବଂ ଗୋପୀମାନଙ୍କ ସହିତ ଶ୍ରୀକୃଷ୍ଣଙ୍କ ରାସଲୀଳା ଯେପରି ବର୍ଣ୍ଣନା କରିଛନ୍ତି ତାହା ସମକାଳୀନ ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଅନନ୍ୟ ଓ ଅନୁପମ ।

 

ଗୀତଗୋବିନ୍ଦ ବହୁକାଳ ଧରି ଭାରତୀୟ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ପାଣିପାଗକୁ ପ୍ରଭାବିତ କରିଥିଲା । ଏହାର କାନ୍ତ କୋମଳ ପଦାବଳୀ ତଥା ସାଙ୍ଗୀତିକ ରାଗ ରାଗିଣୀ ଯୁକ୍ତ ଗୀତିକାଗୁଡ଼ିକ ପରବର୍ତ୍ତୀ କାଳରେ ଓଡ଼ିଆ ସାହିତ୍ୟର ବହୁ ପ୍ରତିଭାଧର ସ୍ରଷ୍ଟାଙ୍କ ନିମିତ୍ତ ପ୍ରେରଣାର ଭୂମି ହୋଇଥିଲା । ଫଳତଃ ଉପେନ୍ଦ୍ର ଭଂଜଙ୍କଠାରୁ ଆରମ୍ଭ କରି ଅଭିମନ୍ୟୁ ସାମନ୍ତ ସିଂହାର, ଦୀନକୃଷ୍ଣ ଦାସ, ବନମାଳୀ, କବିସୂର୍ଯ୍ୟ ବଳଦେବ, ସାଲବେଗ ପ୍ରଭୃତିଙ୍କ ପର୍ଯ୍ୟନ୍ତ ମଧ୍ୟଯୁଗୀୟ ଓଡ଼ିଆ କବିମାନେ ତାଙ୍କ ସଂଗୀତର ପ୍ରଭାବରେ ପ୍ରଭାବିତ ହୋଇ ନିଜ ନିଜର ସୃଷ୍ଟି ମାନସକୁ ସୁରଭିତ କରିଥିଲେ ଓ ସେମାଙ୍କ ସୃଷ୍ଟିରେ ସାଂଗୀତିକ ମାଧୁର୍ଯ୍ୟ ସୃଷ୍ଟି କରିଥିଲେ । ଏହି ଦୃଷ୍ଟିରୁ ଆଲୋଚନା କଲେ ଜଣାଯାଏ କବି ସାଲବେଗ ଥିଲେ ଓଡ଼ିଶୀ ସଂଗୀତ ସୃଷ୍ଟିର ଜଣେ ପ୍ରମୁଖ ଓ ପ୍ରଥିତଯଶା କାବ୍ୟ ପୁରୁଷ । ସେ ତାଙ୍କ କାବ୍ୟ କବିତାକୁ ଓଡ଼ିଶୀ ସଂଗୀତରେ ପରିବର୍ତ୍ତିତ କରିବା କାଳରେ ଉତ୍କଳର ପ୍ରଖ୍ୟାତ କବି ଜୟଦେବଙ୍କୁ ସ୍ମରଣ କରିଥିବା ଖୁବ୍ ସମ୍ଭବ ମନେ ହୋଇଥାଏ ।

 

ପୁନଶ୍ଚ ତ୍ରୟୋଦଶ ଶତାବ୍ଦୀରେ ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ ଏ ଜାତିର ଅମୂଲ୍ୟ କୀର୍ତ୍ତି ଚନ୍ଦ୍ରଭାଗା ନଦୀ ଓ ସମୁଦ୍ରର ଅନତି ଦୂରରେ ଗଙ୍ଗବଂଶୀୟ ନରପତି ଲାଙ୍ଗୁଳା ନରସିଂହଦେବଙ୍କଦ୍ୱାରା ନିର୍ମିତ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ହେଉଛି ଉତ୍କଳର ସ୍ଥାପତ୍ୟ କଳା, ନୃତ୍ୟ ଓ ସଂଗୀତର ଜ୍ଵଳନ୍ତ ନମୁନା । ମନ୍ଦିରର ସମ୍ମୁଖ ଭାଗରେ ଅବସ୍ଥିତ ‘ନାଟ୍ୟମଣ୍ଡପ’ ରେ ଦେବଦାସୀମାନେ ନୃତ୍ୟ ଗୀତର ବିଭିନ୍ନ ଭଙ୍ଗୀ ମଧ୍ୟରେ ସୂର୍ଯ୍ୟଦେବଙ୍କୁ ପରିତୁଷ୍ଟି କରିବାର ଚିତ୍ର ଏଥିରେ ଚିତ୍ରିତ । କୋଣାର୍କ ନାଟ୍ୟ ମଣ୍ଡପର ସ୍ତମ୍ଭଗୁଡ଼ିକରେ ଖୋଦିତ ହୋଇଛି ନର୍ତ୍ତକୀମାନଙ୍କର ଅସଂଖ୍ୟ ନୃତ୍ୟ ଭଙ୍ଗୀର ଦୃଶ୍ୟ । ମୃଦଙ୍ଗ, ମର୍ଦ୍ଦଳ, ବୀଣା, ବେଣୁ, ତୂରୀ ପ୍ରଭୃତି ଲୋକ ବାଦ୍ୟରେ ପ୍ରସ୍ତର ଗାତ୍ରରେ ନର୍ତ୍ତକୀମାନେ ସଜ୍ଜିତା ହୋଇ ସେ କାଳର ଉନ୍ନତ କଳା କୌଶଳପୂର୍ଣ୍ଣ ନୃତ୍ୟ ପ୍ରଦର୍ଶନ କରିଛନ୍ତି । “କୋଣାର୍କ ଜଗମୋହନର ଉର୍ଦ୍ଧ୍ୱ ଦେଶରେ ମୂର୍ତ୍ତିମନ୍ତ ହୋଇଛି ବାଦନରତା ନୃତ୍ୟଶୀଳା ନର୍ତ୍ତକୀମାନଙ୍କର ମନୁଷ୍ୟକୃତିର ମନୋହର ନୃତ୍ୟଭଙ୍ଗୀ । ଏହାର ତିନି ପାର୍ଶ୍ଵରେ ଦୁଇଟି ଲେଖାଏଁ ଛଅଟି ନୃତ୍ୟଶୀଳା ଭୈରବୀର ଚିତ୍ର ରହିଛି । କୋଣାର୍କ ମନ୍ଦିରର ଚତୁପାର୍ଶ୍ଵରେ ଏବଂ କାରୁକାର୍ଯ୍ୟ ଖଚିତ ଚକ୍ରଗୁଡ଼ିକର ଅର ଓ ନେମୀରେ ଅସଂଖ୍ୟ ବାଦ୍ୟରତା ନଟୀମାନଙ୍କର ମୂର୍ତ୍ତି ପରିଶୋଭିତ ହୋଇଛି । ପୁଣି ଏସବୁ ଦୃଶ୍ୟ ମଧ୍ୟରେ ପରିଶୋଭିତ ହୋଇଛନ୍ତି ପୁରୁଷ ନୃତ୍ୟଶିଳ୍ପୀ, ନଟରାଜ, ଲୋକନୃତ୍ୟ ଶିଳ୍ପୀ ଓ ଯୁଦ୍ଧ ନୃତ୍ୟକାରୀ ।’’ (ଭାରତୀୟ ନୃତ୍ୟକଳା, ପୃ-୬୬) ସାଲବେଗ ତାଙ୍କ ଜୀବନର ବହୁ କାଳ ପୁରୀରେ ଅତିବାହିତ କରିଥିଲେ । ପୁରୀଠାରୁ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ଦୂରତା ଖୁବ୍ କମ୍ ଥିଲା ଓ ସେତେବେଳେ ସେଠାକୁ ଆସିବା ନିମିତ୍ତ ନଦୀପଥ ତଥା ସମୁଦ୍ର ପଥରେ ଗମନାଗମନର ଖୁବ୍ ସୁବିଧା ଥିଲା । ଫଳତଃ ଓଡ଼ିଶୀ ସଂଗୀତ ରଚନା କାଳରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ଥିବା ଉତ୍କଳୀୟ କଳା କୀର୍ତ୍ତି, ଭାସ୍କର୍ଯ୍ୟ ତଥା ସ୍ଥାପତ୍ୟର ପ୍ରଭାବ ନିଶ୍ଚିତ ଭାବେ ତାଙ୍କୁ ପ୍ରଭାବିତ କରିଥିବା ଅନୁମାନ କରାଯାଇପାରେ ।

 

ଏତଦ୍‍ବ୍ୟତୀତ ଉତ୍କଳ ଥିଲା ଏକ ମନ୍ଦିରମାଳିନୀ ଦେଶ । ପୁରୀ, ଭୁବନେଶ୍ୱର, କୋଣାର୍କ ଠାରୁ ଆରମ୍ଭ କରି ବୌଦ ଫୁଲବାଣୀ ପର୍ଯ୍ୟନ୍ତ ଉତ୍କଳର ଚତୁର୍ଦ୍ଦିଗରେ କେଉଁ ପ୍ରାଚୀନ କାଳରୁ ବହୁ ମନ୍ଦିର ନିର୍ମିତ ହୋଇଥିଲା । ଏସବୁ ମନ୍ଦିରମାନଙ୍କରେ ନୃତ୍ୟ, ଗୀତ, ନାଟକ, ସାହିତ୍ୟ, ଚିତ୍ରକଳା ପ୍ରଭୃତି ବିଭିନ୍ନ ପ୍ରସଙ୍ଗ ଚର୍ଚ୍ଚା ହେଉଥିଲା । ବିଭିନ୍ନ ମନ୍ଦିରରେ ଅଞ୍ଚଳ ଭେଦରେ ନର୍ତ୍ତକୀ, ଗାୟିକା, ବୀଣାକାର ପ୍ରଭୃତି ପ୍ରସ୍ତର ଗାତ୍ରରେ ଚିତ୍ରିତ କରାଯାଇ ତାଙ୍କରି ମାଧ୍ୟମରେ ନୃତ୍ୟଗୀତର ଚିତ୍ର ପ୍ରଦାନ କରାଯାଇଥିଲା । ଏହି ଉଦ୍ଦେଶ୍ୟରେ ପୁରୀ ଶ୍ରୀମନ୍ଦିରରେ ନର୍ତ୍ତକୀ ଓ ଗାୟିକାମାନେ ରହିଥିଲେ । ସେମାନେ ‘ଦେବଦାସୀ’ ବା “ମାହାରୀ’ ଭାବେ ପରିଚିତ ଥିଲେ ।

 

ଓଡ଼ିଶାକୁ ଶ୍ରୀଚୈତନ୍ୟଙ୍କ ଆଗମନ ପରେ ପରେ ପୁରୀର ଜଗନ୍ନାଥ ପୀଠ ସମଗ୍ର ଭାରତବର୍ଷରେ ଧାର୍ମିକ ପଟ୍ଟଭୂମି ଦୃଷ୍ଟିରୁ ଏକ ପ୍ରମୁଖ ସ୍ଥାନ ଭାବେ ବିବେଚିତ ହୋଇଥିଲା । ଚୈତନ୍ୟଙ୍କ ପ୍ରଚାରିତ ଧର୍ମାନୁସାରେ ବୈଷ୍ଣବ ଭକ୍ତମାନଙ୍କୁ ନାରୀ ସଙ୍ଗ ବର୍ଜନ କରିବାକୁ ପଡ଼ୁଥିଲା । ତେଣୁ ସେମାନେ ‘ଦେବଦାସୀ ଓ ‘ମାହାରୀ’ ନୃତ୍ୟକୁ ତାଙ୍କ ଧର୍ମର ପରିପନ୍ଥୀ ଭାବେ ଗ୍ରହଣ କରି ‘ଗୋଟିପୁଅ ନାଚ’ କୁ ତାଙ୍କ ଧର୍ମରେ ଗ୍ରହଣ କରିଥିଲେ । ଏହାକୁ ‘ଆଖଡ଼ା ପିଲା’ ବା ‘ସଂଗୀତ ପିଲା’ ଭାବେ ମଧ୍ୟ ଗ୍ରହଣ କରାଯାଇଥିଲା । ଏହି ନୃତ୍ୟରେ ଅଳ୍ପ ବୟସ୍କ ପୁଅ ପିଲାମାନେ ନାରୀ ବେଶ ହୋଇ ନୃତ୍ୟ ଗୀତ ପ୍ରଦର୍ଶନ କରୁଥିଲେ ।

 

ଏହି କାଳରୁ ‘ଦେବଦାସୀ’ ‘ମାହାରୀ’ ଏବଂ ଗୋଟିପୁଅ ନାଚ’ ସହିତ ଓଡ଼ିଶାରେ ବୈଷ୍ଣବ ଧର୍ମର ପ୍ରଚାର ମଧ୍ୟରେ ଓଡ଼ିଶୀ ନୃତ୍ୟ ଓ ଗୀତ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା । ପୁନଶ୍ଚ ଏହି କାଳରେ ଓଡ଼ିଶାର ରାଜା, ମହାରାଜା ଏବଂ ଜମିଦାରଙ୍କ ସମେତ ମଠର ମହନ୍ତମାନଙ୍କ ପୃଷ୍ଠପୋଷକତା ଲାଭ କରି ଅନ୍ତଃପୁର ଓ ରାଜ ଦରବାରମାଙ୍କରେ ଓଡ଼ିଶୀ ନୃତ୍ୟ ଓ ସଂଗୀତର ବହୁଳ ଚର୍ଚ୍ଚା ହୋଇଥିଲା । ମାତ୍ର ଓଡ଼ିଶାକୁ ମୁସଲମାନ୍‍ମାନଙ୍କ ଆଗମନ କାଳରେ ଏହି ନୃତ୍ୟ ଗୀତ ପରିବେଷଣରେ ଭଟ୍ଟା ପଡ଼ିବା ସହିତ ଏହି ନୃତ୍ୟ ଗୀତରେ ନାରୀ ଅଙ୍ଗ ପ୍ରଦର୍ଶନ ଓ ଶୃଙ୍ଗାରକୁ ହିଁ ମୁଖ୍ୟ ଭାବରେ ଗ୍ରହଣ କରାଗଲା । ଯବନମାନଙ୍କ ଆକ୍ରମଣ ଓ ଅତ୍ୟାଚାର ଫଳରେ ହିନ୍ଦୁ ସଂସ୍କୃତି ରକ୍ଷଣଶୀଳ ମନୋଭାବ ପୋଷଣ କରିବାରୁ ସଂଗୀତ, କଳା ଓ ନୃତ୍ୟର ସ୍ଵଚ୍ଛନ୍ଦ ବିକାଶ ସାଧିତ ହୋଇପାରି ନଥିଲା । ସମାଜରେ ପ୍ରତି ମୁହୂର୍ତ୍ତରେ ଆତଙ୍କ ଅବସ୍ଥା ଲାଗି ରହିଥିଲା । ଯବନ ଶାସକମାନେ ହିନ୍ଦୁମନ୍ଦିର ଗୁଡ଼ିକୁ ଧ୍ୱଂସ କରି ସେହି ସବୁ ମନ୍ଦିରରେ ବ୍ୟବହୃତ ପ୍ରସ୍ତରଗୁଡ଼ିକୁ ମସ୍‌ଜିଦ ନିର୍ମାଣରେ ବ୍ୟବହାର କରିଥିଲେ । ପୁଣି ସେମାନେ ତାଙ୍କର ଚିତ୍ତ ବିନୋଦନ ନିମିତ୍ତ ନର୍ତ୍ତକୀମାନଙ୍କୁ ଆଣି ଶାସକବର୍ଗଙ୍କ ଇଚ୍ଛାମତେ ନୃତ୍ୟ କରିବାକୁ ନିର୍ଦ୍ଦେଶ ଦେଉଥିଲେ । ଫଳରେ ଦେବମନ୍ଦିରମାନଙ୍କରେ ନିଯୁକ୍ତ ଦେବଦାସୀ ଓ ଅନ୍ତଃପୁରରୁ ସଂଭ୍ରାନ୍ତ ମହିଳାମାନଙ୍କୁ ଜୋର୍‌କରି ଅଣାଯାଇ ଯବନ ଶାସକଙ୍କ ସମ୍ମୁଖରେ ଅର୍ଦ୍ଧନଗ୍ନ ଅବସ୍ଥାରେ ନୃତ୍ୟ କରିବାକୁ କୁହାଯାଉଥିଲା । ଏହି ବିଦେଶୀ ଶାସକଗଣ ଉତ୍କଳୀୟ ନୃତ୍ୟ, ଗୀତ ଓ ସଂଗୀତ ପରମ୍ପରା ସହିତ କୌଣସି ଭାବରେ ସଂପୃକ୍ତ ନଥିବାରୁ ଓଡ଼ିଶୀ ନୃତ୍ୟ ଓ ସଂଗୀତ ସେମାନଙ୍କୁ ଆନନ୍ଦ ଯୋଗାଇ ପାରିନଥିଲା । ଫଳତଃ ଏହିକାଳରେ ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଓଡ଼ିଶୀ ନୃତ୍ୟ ଓ ସଂଗୀତ ଧାରାରେ ଆସିଥିଲା ଏକ ବିରାଟ ଧକ୍‌କା ଓ ପରାଜୟ ।

 

ଯବନ ଅତ୍ୟାଚାରକାଳୀନ ଉତ୍କଳର ସଂଗୀତ କବି ଥିଲେ ସାଲବେଗ । ସେ ତାଙ୍କ ସୃଷ୍ଟିରେ ବହୁ କବିତାକୁ ଓଡ଼ିଶୀ ଶୈଳୀରେ ରଚନା କରି ଉତ୍କଳର ସଂଗୀତ ପରମ୍ପରାକୁ ସମୃଦ୍ଧ କରିଥିଲେ । ମାତ୍ର ଊନବିଂଶ ଶତକର ଶେଷ କାଳ ଯାଏ ଓଡ଼ିଶାରେ ଓଡ଼ିଶୀ ସଂଗୀତର ଏକ ସୁନିର୍ଦ୍ଦିଷ୍ଟ ପରମ୍ପରା ସୃଷ୍ଟି ହୋଇପାରି ନଥିବାରୁ ତାଙ୍କ ସଂଗୀତଗୁଡ଼ିକୁ ଓଡ଼ିଶୀ ସଂଗୀତ ପର୍ଯ୍ୟାୟଭୁକ୍ତ କରିବାରେ ବହୁ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ପୁନଶ୍ଚ ରାଜନୈତିକ ବିପର୍ଯ୍ୟୟ ଥିଲା ଏହି ପ୍ରତିବନ୍ଧକର ଅନ୍ୟତମ କାରଣ ।

 

କବି ସାଲବେଗଙ୍କ ରଚିତ ଓଡ଼ିଶୀ ସଂଗୀତର ଧାରାଟି ସମକାଳରେ ଯବନମାନଙ୍କ ଅତ୍ୟାଚାର, ଆକ୍ରମଣ ଏବଂ ବିତସ୍ପୃହ ଭାବ ହେତୁ ଯେପରି ନିଷ୍ପ୍ରଭ ହୋଇଯାଇଥିଲା ସେ ସମୟ ସଂପ୍ରତି ବଦଳି ଯାଇଛି । ସେଦିନ ଯବନ ଅତ୍ୟାଚାରରେ ଚାପିହୋଇ ରହିଥିବା ସାଲବେଗଙ୍କ ସାଂଗୀତିକ କଳା ପ୍ରୀତି ପରବର୍ତ୍ତୀ କାଳରେ ଅନୁକୂଳ ବାତାବରଣ ମଧ୍ୟରେ ବିକଶିତ ହୋଇପାରିଛି-। ଓଡ଼ିଶା ଠାରୁ ଆରମ୍ଭ କରି ଭାରତବର୍ଷର ବିଭିନ୍ନ ପ୍ରାନ୍ତ ଏପରିକି ପୃଥିବୀର ବିଭିନ୍ନ ଦେଶମାନଙ୍କରେ ସାଲବେଗଙ୍କ ବହୁ ଭଜନ ଓ ଜଣାଣ ଓଡ଼ିଶୀ ସଂଗୀତ ଭାବେ ଜନମାନସରେ ସମାଦୃତ ହୋଇପାରିଛି । ସାଲବେଗଙ୍କ ଏପରି ରଚନା ମଧ୍ୟରେ ପ୍ରଧାନ ହେଉଛି ‘କାହିଁ ଗଲେ ମୁରଲୀଫୁଙ୍କା’, ‘ଅତି ଯତନରେ ବଂଶୀ ଗଢ଼ାଇଲି’, ‘କାହ୍ନୁ ହେ, ବଂଶୀ କେ ଦେଲା ତୋତେ’, ‘ବୃନ୍ଦାବନେ ବଂଶୀ କେ ବଜାଇଲା’, ‘ବାଟ ଛାଡ଼ ସୁଘଟ ନାଗର’, ‘ନିରାଶ ନକର ରାଧେ’ ଇତ୍ୟାଦି ।

 

ସୁତରାଂ ଓଡ଼ିଶୀ ସଂଗୀତ ପରମ୍ପରାରେ ଆମ ସାହିତ୍ୟରେ ସାଲବେଗଙ୍କ ଭଜନାବଳୀଗୁଡ଼ିକର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ତାଙ୍କ ଭଜନଗୁଡ଼ିକ ଥିଲା ଉତ୍କଳୀୟ ସଂଗୀତ ପରମ୍ପରାର ଅନ୍ୟତମ ପ୍ରମୁଖ ସୃଷ୍ଟି । ଦଶମ ଶତାବ୍ଦୀରୁ ଆରମ୍ଭ କରି ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ସାଂସ୍କୃତିକ ଧାର୍ମିକ ଓ କଳା କ୍ଷେତ୍ରରେ ଯେଉଁ ଉତ୍‌ଥାନ ପତନ ଦେଖାଯାଇଥିଲା, ତା’ର ମୂକ ସାକ୍ଷୀ ଥିଲେ ଉତ୍କଳୀୟ ଦେବ ମନ୍ଦିରଗୁଡ଼ିକ । ଉତ୍କଳୀୟ ଜନତା ଯେ କେତେ କଳା ଓ ଭାସ୍କର୍ଯ୍ୟ ପ୍ରିୟ ଥିଲେ ତା’ର ଚରମ ନିଦର୍ଶନ ସମକାଳୀନ କବି ଓ ଲେଖକମାନଙ୍କ ସୃଷ୍ଟି ମଧ୍ୟରେ ପ୍ରତିବିମ୍ବିତ ହୋଇଥିଲା । କବି ସାଲବେଗଙ୍କ ଭଜନ ଓ ଜଣାଣ ଗୁଡ଼ିକ ହେଉଛି ସେହି ପର୍ଯ୍ୟାୟର ଉତ୍କଳୀୟ କଳା ସୃଷ୍ଟିର ଏକ ଅଭ୍ରାନ୍ତ ଆଲେଖ୍ୟ ।

 

ସାଲବେଗଙ୍କ ଭଜନ ଓ ଜଣାଣଗୁଡ଼ିକ ଶାସ୍ତ୍ରୀୟ ପଦ୍ଧତି ଉପରେ ପର୍ଯ୍ୟବସିତ ହୋଇଥିବାରୁ ଏହା ବିଭିନ୍ନ ସ୍ଵର ଓ ରାଗଯୁକ୍ତ ହେବା ସ୍ୱାଭାବିକ । ଅତୀତ କାଳରେ ସଂଗୀତ ଶାସ୍ତ୍ରାବିତ୍‍ମାନେ ଓ ସଂପର୍କରେ ସଂପୂର୍ଣ୍ଣ ନୀରବ ଥିବାବେଳେ ସଂପ୍ରତି ଓଡ଼ିଶା ସମେତ ଭାରତବର୍ଷର ବିଭିନ୍ନ ଶାସ୍ତ୍ରୀୟ ସଂଗୀତ ଗବେଷଣା ପ୍ରତିଷ୍ଠାନମାନଙ୍କରେ ଏ ସଂପର୍କରେ ଉଚ୍ଚତର ଗବେଷଣା ଜାରି ରହିଛି । ଅତୀତରେ ଭାରତବର୍ଷରେ ଯେଉଁ ଦୁଇଟି ମୁଖ୍ୟ ସ୍ଵର ପଦ୍ଧତି ପ୍ରଚଳନ ଥିଲା ତାହା ହେଉଛି ହିନ୍ଦୁସ୍ଥାନୀ ପଦ୍ଧତି ଓ କର୍ଣ୍ଣାଟକୀ ପଦ୍ଧତି । କର୍ଣ୍ଣାଟକୀ ସଂଗୀତ ପଦ୍ଧତି ଦକ୍ଷିଣ ଭାରତରେ ପ୍ରଚଳିତ ଥିଲାବେଳେ ହିନ୍ଦୁସ୍ଥାନୀ ସଂଗୀତ ପଦ୍ଧତି ଭାରତବର୍ଷର ଅନ୍ୟାନ୍ୟ ଅଞ୍ଚଳରେ ପ୍ରଚଳିତ ଥିଲା । ସେତେବେଳକୁ ଓଡ଼ିଶୀ ସଂଗୀତ ନାନା କାରଣରୁ ଶାସ୍ତ୍ରୀୟ ସଂଗୀତର ମର୍ଯ୍ୟାଦା ପାଇପାରି ନଥିଲା । ମାତ୍ର ପରବର୍ତ୍ତୀ କାଳରେ ସ୍ୱାଧୀନତା ପରେ ପରେ ଓଡ଼ିଶୀ ସଂଗୀତକୁ କର୍ଣ୍ଣାଟକୀ ଓ ହିନ୍ଦୁସ୍ଥାନୀ ପଦ୍ଧତି ଓ ସ୍ୱର ଠାରୁ ସ୍ୱତନ୍ତ୍ର କରି ମୌଳିକ ଭାବେ ପ୍ରତିପାଦିତ କରିବାକୁ ଗବେଷକମାନେ ପ୍ରଚେଷ୍ଟା କରିବାକୁ ଲାଗିଲେ । ଫଳତଃ ଏହା ଏକ ସ୍ଵତନ୍ତ୍ର ଏବଂ ନିଜସ୍ୱ ଧାରାରେ ସମାଜରେ ପ୍ରତିଷ୍ଠିତ ହୋଇପାରିଲା । ପୁନଶ୍ଚ ଓଡ଼ିଶୀ ସ୍ଵର ସହିତ ରାଗ ମଧ୍ୟ ସ୍ୱତନ୍ତ୍ର ହୋଇ ସ୍ୱାଧୀନତା ପରକାଳରେ ଅନ୍ୟାନ୍ୟ ସ୍ରଷ୍ଟାଙ୍କ ଭଜନ ଓ ଜଣାଣ ସହିତ ସାଲବେଗଙ୍କ ସୃଷ୍ଟିକୁ ପ୍ରଭାବିତ କଲା । ତଦନୁଯାୟୀ ସାଲବେଗଙ୍କ ଭଜନ ଓ ଜଣାଣଗୁଡ଼ିକ ଉତ୍କଳୀୟ ଶୈଳୀ ଓ ଓଡ଼ିଶୀ ରାଗ ବହନକରି ବିଭିନ୍ନ ସଭା ସମିତି ସହିତ ବିଭିନ୍ନ ସାଂସ୍କୃତିକ ଉତ୍ସବମାନଙ୍କରେ ପରିବେଷଣ କରାଗଲା । ସଂପ୍ରତି ଓଡ଼ିଶାର ଅନ୍ୟାନ୍ୟ ସ୍ରଷ୍ଟାଙ୍କ ସହିତ ସାଲବେଗଙ୍କ ରଚନାବଳୀ ନାନା ପରୀକ୍ଷା ନିରୀକ୍ଷା ମଧ୍ୟରେ ଗତିଶୀଳ । ଏସବୁ ରଚନା ଓଡ଼ିଶୀ ଶୈଳୀ ଓ ରାଗରେ ରଚିତ କି ନୁହେଁ ଅନେକ ସେଥିନେଇ ଦ୍ୱନ୍ଦ ମଧ୍ୟରେ ଗତିଶୀଳ । ତେବେ ସେ ଯାହା ହେଉନା କାହିଁକି । ଅତୀତ କାଳରୁ ଓଡ଼ିଶାରେ ସଂଗୀତ ଚର୍ଚ୍ଚାର ଏକ ସମୃଦ୍ଧ ପରମ୍ପରା ରହିଥିଲା ଓ କବି ସାଲବେଗ ଥିଲେ ସେହି ପରମ୍ପରାର ଜଣେ ଅଗ୍ରଗଣ୍ୟ ଯଥାଯୋଗ୍ୟ ପଥିକୃତ ସ୍ରଷ୍ଟା–ଏକଥା ଯେ କେହି ମୁକ୍ତ କଣ୍ଠରେ ସ୍ୱୀକାର କରିବ ।

 

ସାଲବେଗଙ୍କ କବିତାର ଭାଷା ଶୈଳୀ :

 

ଭାଷା ଭାବର ବାହକ, ଅନ୍ତରର ଭାବ ପ୍ରକାଶର ଏକ ମୁଖ୍ୟ ମାଧ୍ୟମ । ତେଣୁ ଯୁଗେ ଯୁଗେ ସ୍ରଷ୍ଟା ସୃଷ୍ଟି ସର୍ଜନା କାଳରେ ସମକାଳୀନ ସମାଜର ଭାଷାକୁ ହିଁ ଗୁରୁତ୍ୱ ଦେଇଥାଏ । ଆଲୋଚ୍ୟ ସ୍ରଷ୍ଟା ସାଲବେଗଙ୍କ ସୃଷ୍ଟିକୁ ଏହି ଦୃଷ୍ଟିକୋଣରୁ ବିଚାର କରାଯାଇଥାଏ । ସାଲବେଗ ଥିଲେ ସପ୍ତଦଶ ଶତାବ୍ଦୀର ଓଡ଼ିଆ କବି । ତାଙ୍କ ସମୟକୁ ଓଡ଼ିଆ ଭାଷା ଏକ ପରିପୂର୍ଣ୍ଣ ମାର୍ଜିତ ଓ ଶୃଙ୍ଖଳିତ ଅବସ୍ଥାରେ ଆସି ଉପନୀତ ହୋଇ ସାରିଥିଲା । ଓଡ଼ିଆ ସାହିତ୍ୟର ଆଦିକବି ସାରଳା ଦାସ ଓଡ଼ିଆ ଭାଷା ସାହିତ୍ୟର ଥିଲେ ଜନକ । ସେ ପ୍ରାନ୍ତୀୟ ଓଡ଼ିଆ ଭାଷାରେ ପୂର୍ଣ୍ଣାଙ୍ଗ ମହାଭାରତ ରଚନା କରିବା ସହିତ ଉତ୍କଳୀୟ ଜନତାଙ୍କ ମୁଖରେ ସ୍ପଷ୍ଟ ମାନକ ଓଡ଼ିଆ ଭାଷାର ସ୍ୱରୂପ ପ୍ରସ୍ଫୁଟିତ କରାଇ ଓଡ଼ିଶାରେ ପଞ୍ଚଦଶ ଶତାବ୍ଦୀରେ ଲୋକ ଶିକ୍ଷକର ଭୂମିକାରେ ଉପନୀତ ହୋଇଥିଲେ । ସାରଳା ଦାସଙ୍କ ପରେ ପରେ ଆମ ଭାଷା ସାହିତ୍ୟକୁ ଆହୁରି ଅଧିକ ମାର୍ଜିତ ଓ ରୁଚିଶୀଳ କରିଥିଲେ ପଞ୍ଚସଖା ଯୁଗର ସ୍ରଷ୍ଟାଗଣ । ରୀତିଯୁଗର ଆରମ୍ଭରେ ବହୁ ମଧ୍ୟଯୁଗୀୟ ଓଡ଼ିଆ କବି ଆମ ଭାଷାକୁ ସଂସ୍କୃତାନୁସାରୀ କରିବା ପାଇଁ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଥିଲେ । ଫଳତଃ ଏହି କାଳରେ ଓଡ଼ିଆ ଭାଷା ହୋଇଥିଲା ସଂସ୍କୃତ ସମକକ୍ଷ ।

 

ଆମ ସାହିତ୍ୟରେ ଠିକ୍ ଏତିକିବେଳେ କବି ସାଲବେଗଙ୍କର ଜନ୍ମ । ସାଲବେଗଙ୍କ ପିତା ଥିଲେ ଯବନ ଲାଲ୍‍ବେଗ ଓ ମାତା ଥିଲେ ହିନ୍ଦୁ ବ୍ରାହ୍ମଣୀ । ଯବନ ହୋଇଥିବାରୁ ଶୈଶବ କାଳରେ ତାଙ୍କର ପିତୃଗୃହରେ ସେ ଉର୍ଦ୍ଦୁଭାଷା ଶିକ୍ଷା ଲାଭ କରିଥିବା ସ୍ୱାଭାବିକ କଥା । ପୁଣି ଯୌବନରେ ସେ ନିଜ ମାତାଙ୍କ ସାହାଯ୍ୟରେ ଓଡ଼ିଆ ପୁରାଣ ଶାସ୍ତ୍ର ସଂପର୍କରେ ସଚେତନ ହୋଇ ପରୋକ୍ଷ ଭାବରେ ଓଡ଼ିଆ ଭାଷା ଶିକ୍ଷା ଲାଭ କରିଥିଲେ । ଏତଦ୍‍ବ୍ୟତୀତ ପୁରୀରେ ଅବସ୍ଥାନ କାଳରେ ବହୁ ବଙ୍ଗୀୟ ପଣ୍ଡିତଙ୍କ ସଂସ୍ପର୍ଶରେ ଆସି ବଙ୍ଗଳା ଭାଷା ସହିତ ସେ ସୁପରିଚିତ ହୋଇଥିଲେ । ପୁନଶ୍ଚ ତାଙ୍କର ପରମାରାଧ୍ୟ ଦେବତା ଉତ୍ତର ଭାରତର ବୃନ୍ଦାବନ ବିହାରୀ ଶ୍ରୀକୃଷ୍ଣଙ୍କ ଭାବଡୋରିରେ ଆକର୍ଷିତ ହୋଇ କବି ସାଲବେଗଙ୍କୁ ବାରମ୍ବାର ବୃନ୍ଦାବନ ଯିବାକୁ ହୋଇଥିଲା । ସେହି ଅବକାଶରେ ବୃନ୍ଦାବନରେ ସେ ବହୁଦିନ ବିତାଇଥିଲେ । ତେଣୁ ସେଠାରେ କବି ହିନ୍ଦୀ ଓ ବ୍ରଜବୋଲି ଭାଷା ସହିତ ସୁପରିଚିତ ହୋଇଥିଲେ । ସୁତରାଂ କବି ସାଲବେଗ ଥିଲେ ବହୁଭାଷୀ । ଉର୍ଦ୍ଦୁ, ଓଡ଼ିଆ, ବଙ୍ଗଳା, ହିନ୍ଦୀ, ବ୍ରଜବୋଲି ପ୍ରଭୃତି ଏକାଧିକ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ଫଳତଃ ଏହି ସମସ୍ତ ଭାଷାର ପ୍ରଭାବ ତାଙ୍କର କବିତା ମଧ୍ୟରେ ଅନୁଭୂତ ହୋଇଅଛି । ସାଲବେଗଙ୍କ ଭାଷା ମୁଖ୍ୟତଃ ସଂସ୍କୃତାନୁସାରୀ, ଉପମା ବହୁଳ, ଯମକପୂର୍ଣ୍ଣ, ତତ୍‍ସମ କ୍ରିୟାଯୁକ୍ତ, ଚିତ୍ରକଳ୍ପଧର୍ମୀ ଥିଲା । ଅନେକ କ୍ଷେତ୍ରରେ ତାଙ୍କର ପଦାବଳୀର ଭାଷା ସରଳ, ସାବଲୀଳ ଓ ସୁଶ୍ରାବ୍ୟ ହୋଇଥିବାରୁ ତାହା ସାଧାରଣ ଗ୍ରାମ୍ୟ ନିରକ୍ଷର ଶ୍ରୋତାଙ୍କୁ ମଧ୍ୟ ମନ୍ତ୍ର ମୁଗ୍‌ଧ କରି ପାରିଥିଲା । କବିଙ୍କ ବର୍ଣ୍ଣିତ ସଂସ୍କୃତାନୁସାରୀ ତତ୍‌ସମ ଓ ତଦ୍‌ଭବ ବହୁଳ ଭାଷା ହେଉଛି କୁଞ୍ଜ, ଗମନ୍ତି, ମୂଢ଼ମତି, ଚନ୍ଦ୍ରିକା, ବିନୁ, ଲଲାଟେ, ଲଳିତ, କୈବଲ୍ୟ, ଶ୍ରୀମୁଖ, କମନୀୟ, ମୁଖ, କର୍ଣ୍ଣ, ନାସା, ପୁଚ୍ଛ, କାନ୍ତ, କୋକିଳ, ବଧୂ, ଦର୍ଶନ, ସୁରପତି, ସୁବାସ, କପୂର, ଶ୍ରୀଚରଣ, ପଙ୍କଜ, ଚତୁର୍ଭୁଜ, ମୂରତି, ସ୍ନାହାନ, ବଂଶୀ, ଶୁଷ୍କତରୁ, ନୟନ, ମିତ, ଚିତ୍ତ, ଶଙ୍କନାଭି, ନେତ୍ର, ରମଣୀ, ଦିବା ନିଶି, ମୁକୁତା, ପାବନ୍ତେ, ସୁବର୍ଣ୍ଣ, କଜ୍ଜ୍ୱଳ, ପଦାମ୍ବୁଜ, ଭକ୍ତ, କାମିନୀ, ନୀର, ନନ୍ଦିନୀ, ପରାଣ, ମକରନ୍ଦ, କୁରଙ୍ଗୀ, ନୀବିବନ୍ଧ, ଶୁଭ୍ରକେଶୀ, ଧେନୁ, ପୁଷ୍ପ, ତୃଣ ଇତ୍ୟାଦି ।

 

ସାଧୁ ଭାଷାରେ ସଂପୃକ୍ତ ପ୍ରବୀଣ କବି ସାଲବେଗ ସମକାଳୀନ ସମାଜର ବହୁ ସାଧୁ ସନ୍ଥଙ୍କ ସହିତ ମିଶିବା ହେତୁ ସମାଜର ନିମ୍ନବର୍ଗର ବ୍ୟକ୍ତିଙ୍କ ସହିତ ମଧ୍ୟ ସୁସଂପର୍କ ରକ୍ଷା କରିଥିଲେ-। ଫଳତଃ ତତ୍‌ସମ ଭାଷା ସହିତ ତାଙ୍କର ଭଜନ ଓ ଜଣାଣ ମଧ୍ୟରେ ବହୁ ଦେଶଜ ଶବ୍ଦ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ । କବିଙ୍କ ସୃଷ୍ଟିରେ ଥିବା ବିଭିନ୍ନ ଦେଶଜ ଶବ୍ଦ ମଧ୍ୟରେ ପ୍ରଧାନ ହେଉଛି ତାରିବେ, ଡାକୁଛି, କରିଣ, ଜାନି, ସୁନିଆ, ଏକା, ଘେନିମ, ଧୁନି, କୋଟିକା, ଅଧାମ, ଶାଚିନି, ତର, ନାରଖାର, ବୁଣିଲି, ବଣିଆ, ଆରତ, କାଣ୍ଡେ, ପରା, ଶରଣ, ଧାତା, ବେଢ଼ି, ଭଲା, ମାନ, ତାରିବା, ତରିଯିବା, ଠାଣି, ଉଣି, ଅଠାକାଠି, ଊଣା, ପତନୀ, ଘେନିମ, ଶଗଡ଼ି, ତୋଳିଆ, ଗହଣ, ପୁତା, ନିକି, ନାରଖାର, ଭଗାରି, ତର, ଦେନ୍ତି, ଜଗତ୍ର, ଧିକ, ମରାମରି, ଘାଟ, ତେଜିଲୁ, ରାଇଲା, ଦୋଟି, ବାୟେ, ହୁଡ଼ାହୁଡ଼ି, ଏକା, ହିଆ, ଗିରସ୍ତ, ମଣିଲୁ, କାଢ଼ିଦେବି, ଅନାଇଁ, ପରାଏ ଇତ୍ୟାଦି ।

 

ଏସବୁ ସତ୍ତ୍ୱେ ସାଲବେଗଙ୍କର ବିଦ୍ଵାନ ମଣ୍ଡଳୀ ଓ ପୁରୀର ପଣ୍ଡିତ ସମାଜ ସହିତ ସଂପର୍କ ଥିଲା ଅତ୍ୟନ୍ତ ନିବିଡ଼ । କୃଷ୍ଣ ଓ ଜଗନ୍ନାଥକୈନ୍ଦ୍ରିକ ଭଜନ ଓ ଜଣାଣ ରଚନା କାଳରେ ସେ ଭାରତବର୍ଷର ବହୁ ସାଧୁ ସନ୍ଥଙ୍କ ସହିତ ମିଶିବାର ଦୁର୍ଲଭ ସୁଯୋଗ ଲାଭ କରିଥିଲେ । ସେହି ସୁଯୋଗରେ ସାଲବେଗ ସଂପୃକ୍ତ ସାଧୁସନ୍ଥଙ୍କ ଠାରୁ ଯେଉଁ ଭାଷା ଶ୍ରବଣ କରିଥିଲେ ତାହାକୁ ପରବର୍ତ୍ତୀ କାଳରେ ସେ ତାଙ୍କର ଭଜନ ଓ ଜଣାଣ ମଧ୍ୟରେ ବ୍ୟବହାର କରିଥିଲେ । କବିଙ୍କ ବ୍ୟବହୃତ ଏପରି ଶବ୍ଦାବଳୀ ମଧ୍ୟରେ ପ୍ରଧାନ ହେଉଛି ନୀଳାଦ୍ରି ବିହାରୀ, ମତ୍ତ ବାରଣ, ଅଭୟ ବାରଣ, ଶରଣ ପଞ୍ଜର, ଶଙ୍ଖଚକ୍ର ଚିହ୍ନ, କଳା ଶ୍ରୀମୁଖ, ଯୁବତୀ–ରସିକ, କାମିନୀ–ରଙ୍କ, ବାଞ୍ଛାନିଧି, ପାଦାମ୍ବୁଜ, ପୀତାମ୍ବର, ନୀବି, ନୀଳକନ୍ଦର ପ୍ରଭୃତି ।

 

ସାଲବେଗଙ୍କ କବିତାବଳୀରେ ବ୍ୟବହୃତ ବିଭିନ୍ନ ସର୍ବନାମଗୁଡ଼ିକ ହେଉଛି ତୁମ୍ଭେ, ତୁମ୍ଭକୁ, ତୁ, ତୋର, ତୋରେ, ତୋତେ, ମୁଁ, ମୋ, ମୋତେ, ମୋହ, ମୋର, ଆମ୍ଭେ, ଆମ୍ଭଙ୍କୁ, କେ, କିଏ, ସେ, ଏ, ଇତ୍ୟାଦି ।

 

ସୁତରାଂ ସାଲବେଗଙ୍କ ଭଜନ ଓ ଜଣାଣର ଭାଷା ଥିଲା ଅତ୍ୟନ୍ତ ସହଜ, ବୋଧଗମ୍ୟ, ସାବଲୀଳ ଓ ଅଧିକାଂଶ ଗ୍ରାମ୍ୟ ଜନତାର ମୁଖର ଭାଷା । ତେଣୁ ଦୀର୍ଘ ତିନି ଶହ ବର୍ଷରୁ ଊର୍ଦ୍ଧ୍ୱକାଳ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ କବିଙ୍କ ଭାଷାର ସରଳ ଶବ୍ଦ ବିନ୍ୟାସ ନିମିତ୍ତ ସଂପ୍ରତି ଉତ୍କଳୀୟ ଜନ ମାନସରେ ତାଙ୍କ ଭଜନ ଓ ଜଣାଣ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି ।

 

ଭାଷା ପରି ସାଲବେଗଙ୍କ କବିତାବଳୀର ଶୈଳୀ ହେଉଛି ତାଙ୍କର ସଂପୂର୍ଣ୍ଣ ନିଜସ୍ୱ । ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ପରମ୍ପରାର ପୃଷ୍ଠଭୂମି ଉପରେ ତାଙ୍କର ଭଜନ ଓ ଜଣାଣଗୁଡ଼ିକ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଶୈଳୀ ଦୃଷ୍ଟିରୁ ସେସବୁ ଥିଲା ସ୍ଵତନ୍ତ୍ର ଓ ଅଭିନବ । ଚିତ୍ରକଳ୍ପ ଉପମା ବିନ୍ୟାସ କ୍ଷେତ୍ରରେ କବି କଳ୍ପନା ଭଂଜୀୟ ଶୈଳୀ ସହିତ ସମକକ୍ଷ ଥିଲା । ଯଥା :

 

ଉପମା–

 

 

‘‘କାଳିଆ ଅଙ୍ଗରେ ଟୋପି ଚନ୍ଦନ ।

 

କଳା ମେଘ ଯେହ୍ନେ ପୂର୍ଣ୍ଣମୀ ଜହ୍ନ ।।

 

କଟୀତଟେ ଶୋହେ ପୀତ ବସନ ।

 

ନବଘନ କୋଳେ ବିଜୁଳି ଯେସନ ।’’

 

 

କିମ୍ବା

 

 

‘‘ଦନ୍ତ ଡାଳିମ୍ବ ପନ୍ତି,

 

ବିମ୍ବ ଅଧର ଜ୍ୟୋତି,

 

ବଦନ ଶରଦ ସମ୍ପୂର୍ଣ୍ଣ ଶଶୀ ।’’

 

 

କିମ୍ବା

 

 

‘‘ତ୍ରିଭଙ୍ଗୀ ଛନ୍ଦେ ଉଭା କରେ ମୁରଲୀ ଶୋଭା

 

କେଜାଣେ ବିଜୁଳିର ପ୍ରଭା, କି ଆଗୋ ମିତ ।’’

 

 

କିମ୍ବା

 

 

‘‘କୁଚ ହେମ କଳସ କଳି ଦାଡ଼ିମ ଶ୍ରୀଫଳ ।

 

କନକ ଶଙ୍କର ଘଟ ମନ୍ମଥ ମଙ୍ଗଳ ।।'’

 

 

 

 

ଚିତ୍ରକଳ୍ପ :

 

 

‘‘ତିଳ ଚୋପା ପ୍ରାୟେ କବାଟ ଲାଗିଛି, ତହିଁ ମତଗଜ ଖେଳୁଥିଲା,

 

ବନ୍ଧ ନାହିଁ ପାଣି ରହିଥିଲା,

 

ବନ୍ଧ ହେଲା ପାଣି ବୋହିଗଲା ।

 

ସେ ବନ୍ଧ କାଟନ୍ତେ ତଳକୁ ନଯାଇ ଉପରକୁ ପାଣି ବୋହିଗଲା ।’’

ଅଥବା

 

 

‘‘ପାଣି ଦେଲେ ଫୁଲ ମରଇ,

 

ପାଣି ଦେଲେ ଫୁଲ ତରଇ,

 

ଏମନ୍ତ ବିଷମ ଫୁଲ ମଲେ ବାସଇ ।।

 

ଫୁଲ ଗୋଟି ଫୁଟିଅଛି ନାମ ସେବତୀ,

 

ବେଳ ଜାଣି ଫୁଲ ତୋଳଇ ଚତୁରା ଯୁବତୀ ।।’’

ଅଥବା

 

 

‘‘ଏକ ଚକେ ରଥ ଚଳୁଥିଲା ।

 

ବେନି ଚକେ ରଥ ନଚଳିଲା ।।’’

ଅଥବା

 

 

“କହେ ସାଲବେଗ ରସ ଲୀଳା,

 

କେ କହି ପାରିବ କୃଷ୍ଣ ଲୀଳା,

 

ସହନ୍ତା ଦୀପରେ ଅନଳ ଜଳୁଛି ତରଳ ପକାନ୍ତେ ଲିଭିଗଲା ।।’’

 

ପୁନଶ୍ଚ ସାଲବେଗଙ୍କ କବିତାର ଶୈଳୀ କେତେକ ସ୍ଥଳରେ ଯମକ ପୂର୍ଣ୍ଣ । ଏ କ୍ଷେତ୍ରରେ ସେ ଯୁଗ୍ମ ଶବ୍ଦର ବାରମ୍ବାର ପ୍ରୟୋଗ ଦ୍ଵାରା କବିତାର ଶ୍ରୀବୃଦ୍ଧି ଘଟାଇଛନ୍ତି ।

 

ଯଥା : ‘‘ଜାଣୁ ଜାଣୁ ଶୁଣୁ ଶୁଣୁ ନ ଜାଣୁରେ ଅଜଣା ।”

ପୁଣି ‘‘ତ୍ରିଭଙ୍ଗୀ ଭଙ୍ଗୀ କରି ଚାହୁଁଛ ।”

ଅଥବା ‘‘ଶ୍ରୀଭୁଜେ ଭୁଜ ପେଲି ମତ୍ତଗଜ ପ୍ରାୟେ ଚାଲି ।’’ ଇତ୍ୟାଦି ।

 

କବି ସାଲବେଗ ଥିଲେ ବହୁଭାଷୀ । ଓଡ଼ିଆ ସମେତ ବଙ୍ଗଳା, ହିନ୍ଦୀ, ବ୍ରଜବୋଲି, ଉର୍ଦ୍ଦୁ ପ୍ରଭୃତି ଭାଷାରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା । ତେଣୁ ତାଙ୍କର ଭଜନ ଓ ଜଣାଣ ରଚନା କାଳରେ ସେ ସେସବୁ ଭାଷାର ସଦୁପଯୋଗ କରିଛନ୍ତି । ଏହା ଫଳରେ ଆମ ଭଜନ ଓ ଜଣାଣକୁ ଅନ୍ୟ ଭାଷା ଭାଷୀଙ୍କ ନିକଟରେ ପହଞ୍ଚାଇବାର ସେ ଯେଉଁ ଅଭିନବ ପ୍ରୟାସ କରିଛନ୍ତି ତହିଁରୁ ତାଙ୍କର ସମୃଦ୍ଧ ଭାଷା ଶୈଳୀର ପରିଚୟ ମିଳିଥାଏ ।

Image

 

ଉପସଂହାର

 

ସାଲବେଗ ଭକ୍ତ କବି । ଓଡ଼ିଆ ଭଜନ ଓ ଜଣାଣ ରଚନା କ୍ଷେତ୍ରରେ ସେ ଓଡ଼ିଶାର ଏକ ଲୋକପ୍ରିୟ ଓ ସୁପରିଚିତ ନାମ । ସମଗ୍ର ଭାରତବର୍ଷର ବିଭିନ୍ନ ପ୍ରାନ୍ତୀୟ ସାହିତ୍ୟରେ ଧର୍ମକୁ ନେଇ ଯେତେବେଳେ ନାନା ପରୀକ୍ଷା ନିରୀକ୍ଷା ଚାଲିଥିଲା, ସେତିକିବେଳେ ଆମ ଓଡ଼ିଆ ସାହିତ୍ୟରେ ତାଙ୍କର ଆବିର୍ଭାବ ଏ ଜାତି ଓ ଜନତାଙ୍କ ପାଇଁ ଏକ ଶୁଭ ଲକ୍ଷଣ । ଏ କଥା କବିଙ୍କ ଜୀବନୀ ଓ ସାହିତ୍ୟ ଅନୁଧ୍ୟାନ କଲେ ଆମେ ଖୁବ୍ ସହଜରେ ହୃଦୟଙ୍ଗମ କରିଥାଉ । ସାଲବେଗ ଜାତିରେ ଯବନ ହୋଇଥିଲେ ମଧ୍ୟ ସମକାଳୀନ ଯବନ ଶାସକମାନେ ହିନ୍ଦୁମାନଙ୍କ ଉପରେ ଯେପରି ଅତ୍ୟାଚାର କରୁଥିଲେ ତାହା ସେ ସହ୍ୟ କରିପାରି ନାହାନ୍ତି । ବରଂ ନିଜ ସୃଷ୍ଟି ମଧ୍ୟରେ ନିଜ ଜାତିକୁ ବାରମ୍ବାର ନିନ୍ଦା କରି ହିନ୍ଦୁ ସମାଜ ଓ ଦେବଦେବୀଙ୍କ ସହିତ ସେ ଏକ ଅନାବିଳ, ଅଲୌକିକ ଏବଂ ଆତ୍ମିକ ସଂପର୍କ ସ୍ଥାପନ କରିଛନ୍ତି । ହିନ୍ଦୁ ଦେବଦେବୀଙ୍କ ଉଦ୍ଦେଶ୍ୟରେ ସେ ରଚନା କରିଛନ୍ତି ରାଶି ରାଶି ଭଜନ ଓ ଜଣାଣ । କବି ସାଲବେଗ ନିଜ ଜୀବଦ୍ଦଶାର ପ୍ରତ୍ୟେକ ପାଦରେ ଧର୍ମକୁ କେନ୍ଦ୍ରକରି ହିନ୍ଦୁମାନଙ୍କ ଦ୍ଵାରା ବାରମ୍ବାର ଯେପରି ଲାଞ୍ଛିତ ଓ ଅପମାନିତ ହୋଇଛନ୍ତି ତାହା ଭାବିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗିଥାଏ । ଏହା ସତ୍ତ୍ୱେ ସେ ହିନ୍ଦୁ ଦେବଦେବୀଙ୍କୁ ପ୍ରାର୍ଥନା କରିବାରୁ କ୍ଷଣେ ମାତ୍ର ନିବୃତ୍ତ ରହିନାହାନ୍ତି । ବରଂ ତାଙ୍କର ସମଗ୍ର ଜୀବନ ବିଶ୍ୱର ପ୍ରତ୍ୟେକ ଜନତା ଜନାର୍ଦ୍ଦନଙ୍କ ନିମିତ୍ତ ଉତ୍ସର୍ଗ କରିଛନ୍ତି । ଧର୍ମ ନିରପେକ୍ଷତା, ସହିଷ୍ଣୁତା ପ୍ରଭୃତି ଅଲୌକିକ ଗୁଣାବଳୀରେ ଭୂଷିତ ହୋଇ ସେ ଆମ ସାହିତ୍ୟ ଓ ସମାଜର ହୋଇଛନ୍ତି ଜଣେ ମୂର୍ତ୍ତିମନ୍ତ ସାକାର ବିଗ୍ରହ ।

 

ସାଲବେଗଙ୍କ ସମୟ ଥିଲା ଯଥାର୍ଥରେ ଭାରତବର୍ଷରେ ଭକ୍ତି ଆନ୍ଦୋଳନର ମଧ୍ୟ କାଳ-। ଏତିକିବେଳେ ଭାରତବର୍ଷରେ ବିଭିନ୍ନ ପ୍ରାନ୍ତୀୟ ସାହିତ୍ୟରେ ଭକ୍ତି ଆନ୍ଦୋଳନର ଉଦ୍‌ବେଳନ ହିଁ ବିଭିନ୍ନ ଆଞ୍ଚଳିକ ଭାରତୀୟ ଭାଷାକୁ ଏକ ସୂତ୍ରରେ ଗ୍ରଥିତ କରି ରଖିବା ପାଇଁ ପ୍ରୟାସୀ ହୋଇଥିଲା-। ଭାରତୀୟ ସାହିତ୍ୟର ଆଦି କାଳ ପ୍ରାୟ ଦଶମ ଶତାବ୍ଦୀରୁ ଆରମ୍ଭ ହୋଇଥିଲେ ହେଁ ଏହି ପର୍ଯ୍ୟାୟରେ ସନ୍ଥ ସାହିତ୍ୟ ସ୍ରଷ୍ଟାଗଣ ଭାରତୀୟ ସାଧାରଣ ଜନତାଙ୍କ ହୃଦୟକୁ ଯେତିକି ମାତ୍ରାରେ ସ୍ପର୍ଶ କରି ପାରିଥିଲେ ତାହା ପୂର୍ବରୁ ଆଦୌ ସମ୍ଭବ ହୋଇପାରି ନଥିଲା । ଭାରତୀୟ ସାଧାରଣ ଜନତାଙ୍କ ପ୍ରାଣକୁ ସ୍ପର୍ଶ କରିବାର ପଶ୍ଚାଦ୍ ଭାଗରେ ମୁଖ୍ୟତଃ ଦୁଇଟି କାରଣ ନିହିତ । ପ୍ରଥମ କାରଣଟି ହେଉଛି, ଭାରତୀୟ ଜନତାଙ୍କ ପ୍ରାଣକୁ ସ୍ପର୍ଷ କରିବା ପାଇଁ ସେମାଙ୍କ ହୃଦୟ ମଧ୍ୟରେ ଭକ୍ତି ଭାବନା ସୃଷ୍ଟି ହେବା ଏକାନ୍ତ ଆବଶ୍ୟକ । ଏହି ଚେତନା ଏତିକିବେଳେ ଭାରତୀୟ ସାହିତ୍ୟରେ ନାନକ, କବୀର, ମୀରାବାଈ, ଶଙ୍କର ଦେବ, ଶ୍ରୀଚୈତନ୍ୟ, ଦାଦୁ, ମାଧ୍ୱାଚାର୍ଯ୍ୟ, ପାଲ୍‌କୁରିବି, ପୁରନ୍ଦର, ରାମାନନ୍ଦ ପ୍ରଭୃତି କବିମାନଙ୍କ ମାଧ୍ୟମରେ ସୃଷ୍ଟି ହୋଇଥିଲା । ଆଲୋଚ୍ୟ ସନ୍ଥ କବିମାନେ ଭାରତବର୍ଷର ବିଭିନ୍ନ ସ୍ଥାନରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ଚିନ୍ତାଚେତନା ଥିଲା ଏକ ଓ ଅଭିନ୍ନ । ଫଳତଃ ସେମାନେ ପରସ୍ପରକୁ ଆଦୌ ବ୍ୟକ୍ତିଗତ ଭାବେ ନଜାଣି ମଧ୍ୟ ଭାରତବର୍ଷର ଏକ ମହାନ ପରମ୍ପରାର ବାର୍ତ୍ତା ବହନ କରିଥିଲେ ।

 

ପୁନଶ୍ଚ ଏତିକିବେଳେ ଭାରତବର୍ଷର ବିଭିନ୍ନ ଆଞ୍ଚଳିକ ଭାଷା, ସାହିତ୍ୟ ଓ ସଂସ୍କୃତି ମାଧ୍ୟମରେ ପ୍ରଥମ କରି ଆପଣାକୁ ଭାରତୀୟ ବୋଲି ପରିଚୟ ଦେଇ ନିଜକୁ ପ୍ରତିପାଦନ କରିବାର ସ୍ୱାଭିମାନବୋଧ ସମକାଳୀନ କବିମାନଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିଲା । ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ମାଧ୍ୟମରେ ମାନବ ଏତିକିବେଳେ ନିଜ ମଧ୍ୟରେ ମହାଭାରତୀୟ ଭାବନା ପ୍ରକଟିତ କରିଥିଲା । ଭାରତୀୟ ଜନତା ନାନା ଧର୍ମ, ବର୍ଣ୍ଣ ଓ ଜାତିର ହୋଇ ମଧ୍ୟ ଆଧ୍ୟାତ୍ମିକ ଭାବନାରେ ତଥା ନିଷ୍ଠାପର ଭାବରେ ଏତିକିବେଳେ ପ୍ରଥମ କରି ଏକତା ସୂତ୍ରରେ ଆବଦ୍ଧ ହେବାପାଇଁ ପ୍ରୟାସୀ ହୋଇଥିଲେ । ଫଳତଃ ମଣିଷ ମଧ୍ୟରେ ଥିବା ହୀନ କୁସଂସ୍କାର, ଆବିଳତା, ନୀଚମନ ଭାବନା ତଥା ନାନା ଜାତିଗତ ଦୂରତାକୁ ଭାଙ୍ଗିଦେଇ ଏହି ସନ୍ଥକବିମାନେ ଏକତା ସୂତ୍ରରେ ଆବଦ୍ଧ ହେବାପାଇଁ ପ୍ରୟାସୀ ହୋଇ ତାଙ୍କ ରଚିତ କାବ୍ୟ-କବିତାରେ ସେହି ଚିନ୍ତାର ରୂପାୟନ ଘଟାଇଥିଲେ । ଏହା ଫଳରେ ସମଗ୍ର ପ୍ରାନ୍ତୀୟ ଭାରତୀୟ ସାହିତ୍ୟରେ ଏହି ସମୟରୁ ହିଁ ପ୍ରଥମ କରି ସୃଷ୍ଟି ହୋଇଥିଲା ସଂପ୍ରଦାୟିକ ସଦ୍ଭାବନା । ଏହାହିଁ ସନ୍ଥ ସାହିତ୍ୟକୁ ଲୋକପ୍ରିୟ କରିବାର ଅନ୍ୟ ଏକ କାରଣ ।

 

ଏହି ଭାବନାର ଭିତ୍ତିଭୂମି ଉପରେ ପର୍ଯ୍ୟବସିତ ଥିଲା ଭକ୍ତ କବି ସାଲବେଗଙ୍କ ରଚନାବଳୀ । ତାଙ୍କ କାବ୍ୟାଦର୍ଶ ଓ ତାଙ୍କର ଜୀବନ ଦର୍ଶନ ମଧ୍ୟରେ କୌଣସି ପ୍ରଭେଦ ନଥିଲା । ସମାଜର ନାନା ରୂପକୁ ନିଜ କାବ୍ୟ-କବିତା ଓ ଭଜନ ଜଣାଣ ମଧ୍ୟରେ ସେ ଦୃଢ଼ ଭାବେ ବାନ୍ଧି ରଖିବାକୁ ପ୍ରଚେଷ୍ଟା କରିଥିଲେ । କବି ଅନୁଭବ କରିଥିଲେ ସନ୍ଥ ଓ ଭକ୍ତି ସାହିତ୍ୟ ହେଉଛି ବାସ୍ତବରେ ହୃଦୟ ମଧ୍ୟରେ ସୃଷ୍ଟ ଅନୁଭବର ସାହିତ୍ୟ । ଏହି ଅନୁଭବ ଓ ଅନୁଭୂତି ହେଉଛି ମାନବ ହୃଦ କନ୍ଦରରେ ସୃଷ୍ଟ ଭାବନା ଓ ଅନ୍ୟଟି ହେଉଛି ପରମାତ୍ମାଙ୍କ ସହିତ ଏକାତ୍ମ୍ୟ ହୋଇଯିବାର ଚେତନା । ଏଥି ନିମିତ୍ତ କନ୍ନଡ଼ ସାହିତ୍ୟରେ ସନ୍ଥ କବିମାନଙ୍କୁ ଅନୁଭାବୀ ସ୍ରଷ୍ଟା ଓ ତାଙ୍କ ସୃଷ୍ଟିକୁ ଅନୁଭାବୀ ସୃଷ୍ଟି ଭାବେ ବିଚାର କରାଯାଇଛି । ‘‘ସନ୍ଥ ଜ୍ଞାନେଶ୍ୱର ମଧ୍ୟ ସେହି ଅନୁଭବ ଅର୍ଥାତ୍ ଅପରୋକ୍ଷ ଜ୍ଞାନର କଥା ହିଁ କହିଛନ୍ତି : ଜ୍ଞାନଦେବ ସହଣେ ଅନୁଭବୀ ଜାଣେଂ, ଅନୁଭବାବାଂଚୁନି କାହୀଣଂଚ କେଣେଂ। ଏହି ପଦଟିର ଅର୍ଥ ହେଉଛି, ଯଥାର୍ଥ ଜାଣିବା ହେଉଛି ଅନୁଭବ ଦ୍ୱାରା ଜାଣିବା, ଅପରୋକ୍ଷ ଭାବରେ ଜାଣିବା । ଅନୁଭବ ବ୍ୟତିରେକେ ଆଦୌ କୌଣସି ଜାଣିବା କଦାପି ସମ୍ଭବ ହେବନାହିଁ । ସନ୍ଥମାନେ ଆଗ ସନ୍ଥ ଥିଲେ, ସବା ଆଗ ମୋଟେ ସାହିତ୍ୟିକ ନଥିଲେ ।’’ (ସନ୍ଥ (ଭକ୍ତି) ସାହିତ୍ୟ, ପୃ-୧୩୫)

 

ଆମ ସାହିତ୍ୟରେ ଯବନ କବି ସାଲବେଗ ତାଙ୍କର ଭଜନ ଓ ଜଣାଣ ମାଧ୍ୟମରେ ହିନ୍ଦୁ ଓ ମୁସଲମାନ୍‍ ସଂପ୍ରଦାୟ ମଧ୍ୟରେ ଏକ ସୁଦୃଢ଼ ପ୍ରେମ ସଂପର୍କ ପ୍ରତିଷ୍ଠା କରିବା ପାଇଁ ପ୍ରୟାସୀ ହୋଇଥିଲେ । ତାଙ୍କ ସମୟରେ ଓଡ଼ିଶାରେ ଯବନ ଶାସକ ଓ ସେହି ଶାସକଙ୍କର ନିମ୍ନ କର୍ମଚାରୀମାନେ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ହିନ୍ଦୁ ବିଗ୍ରହ ଉପରେ ଯେପରି ଅକଥନୀୟ ଅତ୍ୟାଚର କରିଥିଲେ ଓ ହିନ୍ଦୁ ରମଣୀଙ୍କୁ ନାନା ଭାବରେ ନିର୍ଯ୍ୟାତନା ଦେଉଥିଲେ, ସେଥିରୁ ହିନ୍ଦୁଧର୍ମକୁ ମୁକ୍ତ କରିବା ପାଇଁ କବି ସାଲବେଗ ଏକ ଅଭିନବ ଉପାୟ ଚିନ୍ତା କରିଥିଲେ । ଏହି ଉଦ୍ଦେଶ୍ୟରେ ଜଗନ୍ନାଥ ଶ୍ରୀକୃଷ୍ଣ ଏବଂ ଆଲ୍ଲାଙ୍କ ମଧ୍ୟରେ ସେ କୌଣସି ପ୍ରଭେଦ ଲକ୍ଷ୍ୟ କରିନଥିଲେ । ଫଳତଃ ଉଭୟ ହିନ୍ଦୁ ଓ ମୁସଲମାନ୍‍ ଜନସାଧାରଣଙ୍କ ମଧ୍ୟରେ ଜଗନ୍ନାଥ-ଶ୍ରୀକୃଷ୍ଣ ଏବଂ ଆଲ୍ଲାଙ୍କୁ ନେଇ ଆଧ୍ୟାତ୍ମିକ ସଦ୍‌ଭାବନା ପ୍ରକାଶ ପାଇଥିଲା । ଉଭୟ ଧର୍ମ ବାହ୍ୟାଚାର ଦୃଷ୍ଟିରୁ ପରସ୍ପରଠାରୁ ପୃଥକ ହେଲେ ହେଁ ଉଭୟ ଧର୍ମର ଅନ୍ତର୍ଦୃଷ୍ଟି ଥିଲା ଏକ ଓ ଅଭିନ୍ନ ।

 

କବି ସାଲବେଗଙ୍କ କାବ୍ୟ ଦୃଷ୍ଟି ଥିଲା ମାନବୀୟ । ଗଭୀର ପ୍ରେମରେ ନିମଗ୍ନ ଓ ଅନୁଭବ ରସରେ ପରିପୂର୍ଣ୍ଣ । ସଂସାରରେ ବାସ କରି ଅନେକ ସମୟରେ ମାନବ ସଂସାରର ଲୋଭ ଓ ମୋହର ବଶବର୍ତ୍ତୀ ହୋଇ ନିଜ ହୃଦୟ ମଧ୍ୟରେ ଥିବା ଆତ୍ମା ପୁରୁଷଟିକୁ ଚିହ୍ନି ନପାରି ବିପଥଗାମୀ ହୁଅନ୍ତି । କବି ସେହି ବିପଥଗାମୀ ମନୁଷ୍ୟକୁ ତାଙ୍କ କାବ୍ୟ-କବିତା ମଧ୍ୟରେ ସତର୍କ କରାଇ ଦେଇଛନ୍ତି । ଭଗବାନଙ୍କ ପାଦ ପଦ୍ମରେ ଧ୍ୟାନ କରିବା ପାଇଁ ସେ ତାଙ୍କ ଭଜନ ମଧ୍ୟରେ ମଧ୍ୟ ନୀତି ଉପଦେଶ ଦେଇଛନ୍ତି । ଏହି ଉଦ୍ଦେଶ୍ୟରେ କବି ସାଲବେଗଙ୍କ କଣ୍ଠରୁ ନିର୍ଗତ ହୋଇଛି–

 

“ଜଗନ୍ନାଥ ହେ, କିଛି ମାଗୁନାହିଁ ମୁଁ ତୋତେ ।

ମାଗୁନାହିଁ ଧନ ମାଗୁନାହିଁ ଜନ

ମାଗୁଛି ଶରଧା ବାଲିରୁ ହାତେ ।।”

 

ଏହି ଆତ୍ମ ଦୃଷ୍ଟି ନେଇ ସାଲବେଗଙ୍କ ଲେଖନୀରୁ ପୁନଶ୍ଚ ପ୍ରତିଧ୍ୱନିତ ହୋଇଛି :

 

‘‘ପର୍ବତ ଶିଖରେ ଘର ବାନ୍ଧିଥିଲି ତଳକୁ ଲମ୍ବିଛି ଡାଳ

ସଂସାର ମଧ୍ୟରେ ଭାସି ଯାଉଥିଲି ନରଜନ୍ମ ନାରଖାର

ଲୋ ଶାରୀ !

ଭଜ ରାମକୃଷ୍ଣ ହରି !

ମାରି ନେବଟି ଘେନି ଯିବଟି

ଧରି ନେବଟି ଦୁଷ୍ଟ ମଞ୍ଜାରି,

ଲୋ ଶାରୀ !”

 

ସୁତରାଂ ଏକ ପବିତ୍ର ଆତ୍ମା ନେଇ ସାଲବେଗ ଭାରତବର୍ଷର ଅନ୍ୟାନ୍ୟ ସନ୍ଥ କବିମାନଙ୍କ ପରି ଓଡ଼ିଆ ଭକ୍ତି ସାହିତ୍ୟକୁ ନିଜ ରଚିତ ଭଜନ ଓ ଜଣାଣ ମାଧ୍ୟମରେ ପବିତ୍ର ଓଁକାର ଧ୍ୱନିର ନିନାଦରେ ଅଭିମନ୍ତ୍ରିତ କରିଛନ୍ତି । ତାଙ୍କ ରଚିତ କବିତା ମାଧ୍ୟମରେ ସେ ମାନବ ମାନବ ଓ ଜାତି ଜାତି ମଧ୍ୟରେ ଥିବା ଯୁଗ ଯୁଗର ବନ୍ଧନର ଅନ୍ଧକାରକୁ ଦୂରୀଭୂତ କରି ତହିଁରେ ଅନିର୍ବାଣ ଆଲୋକ ଶିଖାକୁ ପ୍ରଜ୍ଜ୍ୱଳିତ କରିଛନ୍ତି । ଓଡ଼ିଆ ସାହିତ୍ୟରେ ପ୍ରଥମ କରି ସେ ଦୁଇ ଭିନ୍ନ ଜାତି ମଧ୍ୟରେ ଏକ ଦୃଢ଼ ସାଂପ୍ରଦାୟିକ ସଦ୍ଭାବନା ପ୍ରତିଷ୍ଠା କରି ମାନବ ମନରେ ଯୁଗ ଯୁଗରୁ ରହିଥିବା ହୀନ ଜାତି ପ୍ରଥାର ଉତ୍ତୁଙ୍ଗ ପ୍ରାଚୀରକୁ ଭାଙ୍ଗି ଚୁର୍‌ମାର କରିଦେଇଛନ୍ତି । ସେଥି ନିମିତ୍ତ ତାଙ୍କ ରଚିତ ଭଜନ ଓ ଜଣାଣଗୁଡ଼ିକ ଦୀର୍ଘ ତିନିଶହ ବର୍ଷରୁ ଊର୍ଦ୍ଧ୍ୱକାଳ ହେଲା ରଚିତ ହୋଇଥିଲେ ମଧ୍ୟ ସାଂପ୍ରତିକ ଓଡ଼ିଆ ଲୋକ ଜୀବନକୁ ଗଭୀର ଭାବେ ସ୍ପର୍ଶ କରିଛି । ପୁନଶ୍ଚ ତାଙ୍କର ସୃଷ୍ଟି ମାନସ ନିର୍ଦ୍ଦିଷ୍ଟ ସୀମା ସରହଦ ଡେଇଁ ପ୍ରଥମେ ଉତ୍କଳୀୟ ଓ ପରବର୍ତ୍ତୀ କାଳରେ ମହାଭାରତୀୟ ଭକ୍ତି ଆନ୍ଦୋଳନରେ ଏକୀଭୂତ ହୋଇଯାଇଛି । ଫଳତଃ ଉତ୍କଳୀୟ ଜନମାନସରେ ସାଲବେଗ ହୋଇଛନ୍ତି ଜଣେ ପ୍ରମୁଖ ପ୍ରଥିଯେଶା ଭଜନ ଓ ଜଣାଣର ସ୍ରଷ୍ଟା–ଭକ୍ତକବି ସାଲବେଗ ଏବଂ ତାଙ୍କ ପଦାବଳୀଗୁଡ଼ିକ ହୋଇଛି ଏ ଜାତିର ସାଧାରଣ ଜନତାଙ୍କ ନିମିତ୍ତ ଆଶାର ଆଲୋକ ବର୍ତ୍ତିକା-

Image